ସେ ଥିଲା ଆବେଗ – ପ୍ରବଣା, ସ୍ରୋତସ୍ଵିନୀ ନଦୀ ପରି ବହି ଯିବାକୁ ଜିଦ୍ କରୁଥିଲା ଯେମିତି! କହୁଥିଲା ତା ଅଙ୍ଗେନିଭା କଥା ତା ବି ଅସହାୟତା, ଦ୍ୱିଧା ଓ ଅପରିଣାମଦର୍ଶିତାର ! କହୁ କହୁ କେତେବେଳେ ସେ ଅଣାୟତ୍ତ ହୋଇପଡୁଥିଲା ! ଆଖିରେ ଲୁହ, ମୁହଁରେ ଉଦାସୀ.. ଦୀପାଳି ତା ଭିତରର କୋଳାହଳକୁ ଶୁଣୁଥିଲା ନୀରବରେ । ଅନୁଭବ କରୁଥିଲା ନୀଡଭଙ୍ଗା ପକ୍ଷିଣୀର ଉଦ୍ବେଗ । ହଁ ଏମିତି ହୁଏ, ଯେମିତି ଦୋଷୀଟେ ମୁକୁଳିଯାଏ ଜେଲରୁ ପ୍ରମାଣ ଅଭାବରେ, ସାଗରରେ ମିଶିବା ଲୋଭରେ କେତେ ନଈ ଶୁଖିଯାନ୍ତି ନୀରବରେ।
ଦୋଷୀମାନଙ୍କଠୁ ନିର୍ଦ୍ଦୋଷମାନେ କୋଉ କମ୍ ଯେ ସମସ୍ୟା ତିଆରିବା ପାଇଁ ! ସମସ୍ୟାର ଅଭାବ ପଡେ ବୋଲି ହୁଏତ ବିଶ୍ୱାସ କରିନିଅନ୍ତି ଗୁଡେ ବିଶ୍ୱାସଘାତକଙ୍କୁ, ଯାହା ସେମାନଙ୍କୁ ଛନ୍ଦି ଶ୍ୱାସରୁଦ୍ଧ କରିଦିଏ । ଆତ୍ମବିଶ୍ୱାସକୁ ଟିକିଟିକି କରି ହାଣୁଥାଏ । ନିଜ ସରଳତା ହିଁ ଦୋ’ ଛକିରେ ଛିଡାକରେଇଦିଏ ଅଚାନକ, କିଛି ଚିନ୍ତା କରିବା ଆଗରୁ ।
ଏମିତି ଘଟେ କେବେକେବେ । ଅନ୍ୟର ଆତ୍ମାକୁ କ୍ଷତାକ୍ତ କରି, ସେମାନଙ୍କ ଲୁହରେ ନିଜ ସୁଖର ମହଲ ତିଆରି କରି କିଛି ଲୋକ ସୁଖୀ ହୁଅନ୍ତି ! ଈଶ୍ୱରଙ୍କ ଅବସ୍ଥିତିକୁ ଉପହାସ କରି ସେମାନେ ଅନ୍ୟ ପାଇଁ ବ୍ୟୁହ ରଚନ୍ତି, ପାପପୂଣ୍ୟର ଦ୍ୱାହି ଦେଇ ନିଜେ ଛଳନାର ଈଶ୍ୱର ପାଲଟିଯା’ନ୍ତି ।
ସେଭଳି ଏଲୋରାର ଦୁଃସ୍ଥିତି !! ଲଟକି ରହିଥିବା ଡାଳଟେ ପରି ନା ଗଛର ନା ମାଟିର ହୋଇପାରୁଥିଲା ସେ !! ସେ ତା ବେଦନାର କଥା କହିବାବେଳେ ତା ସ୍ୱର ଥରଥର କମ୍ପୁଥିଲା । କୋହରେ ଫାଟିପଡୁଥିଲା ! ତେବେ ବି ଥକିନଯାଇ କହିଚାଲିଥିଲା ତା ବିଡମ୍ବନାର କଥା ..କେମିତି ଚାକିରି କରୁ କରୁ ଚାଟିଂ ପ୍ରେମରେ ପଡି ହଜାଇଥିଲା ବିଶ୍ୱାସ, ନଈ ଉପରେ ବନ୍ଧ ବାନ୍ଧିବାର ଟାଣପଣ ନେଇ ରାଜରାସ୍ତାକୁ ଗୋଡ କାଢିଥିଲା ସତ ହେଲେ ବାଟଘାଟର ଲୋକେ ଯେ ତାର ବଇରି ସାଜିବେ ଧାରଣା ନଥିଲା !
କୁଟୁମ୍ବ ତଥା ପରିବାରରେ ସାହା ହେବାକୁ ସେମିତି କେହି ନଥିଲେ । ଚଳଣି ବି ଖାସ୍ ନଥିଲା । ଘରେ ନିଜକୁ ମିଶାଇ ଚାରିପ୍ରାଣୀ କୁଟୁମ୍ବ । ବାପାଙ୍କ କିଡ୍ନୀ ରୋଗ ସାଙ୍ଗକୁ ବୋଉର ଡାଇବେଟିସ୍, ଭାଇର ପାଠପଢା..ଏସବୁ ଭିତରେ ‘ନାହିଁ ନାହିଁ’ର ସଂସାର ପରି ତା ପରିବାର ବେଶ୍ ମ୍ଳାନ । ସାନ ଭାଇ ବି.ଏସ୍. ସି ଦ୍ୱିତୀୟ ବର୍ଷର ଛାତ୍ର । ସଂସାରର ଦାୟିତ୍ୱ ଏବେ ଏଲୋରା ହାତରେ । ବାପା ବଜାର ଉପରେ ଷ୍ଟେସନାରୀ ଦୋକାନ କରି କୁଟୁମ୍ବ ପାଳୁଥିଲେ । ଏବେ ବି ସେଠି ବସନ୍ତି ହେଲେ ଆଗର ସେ ଦମ୍ଭ ନାହିଁ । ଗୋଟେ କିଡ୍ନୀ ନଷ୍ଟ ହୋଇଯାଇଥିବାରୁ ଆଜିକାଲି ମାନସିକ ଓ ଶାରୀରିକ ଚାପରେ । ଆର କିଡ୍ନୀ କାଳେ ସଂକ୍ରମିତ ହେବ ସେପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଓଷଦ ଖାଉଛନ୍ତି..। ଏଲୋରା ହିଁ ଦୁଃସ୍ଥିତିରେ ପରିବାରର ମାନସିକ ବଳ ସାଜିଛି । ଅଣ୍ଟା ଭିଡିଛି ଭାଇକୁ ପ୍ରତିଷ୍ଠିତ କରି ବାପାଙ୍କୁ ବିଶ୍ରାମ ଦେବାକୁ । ଯୋଗକୁ କମ୍ପାନୀ ଚାକିରିଟେ ମିଳିଯାଇଛି । ଦରମା ଚଳିଗଲା ପରି । ତେବେ କିଛି ଅଭାବପଣରେ ମନଟା ଭାରିହୁଏ । ଅନ୍ଧକାର ରାସ୍ତାରେ କେବେକେବେ ଆଲୋକ ଚେନାଏ ଖୋଜେ, ଭାବେ ଦୁଃଖ ବାଣ୍ଟିବାକୁ କେହି ଜଣେ ନିହାତି ନିଜର ଜୁଟନ୍ତାନି ! ଯେ ତା ଅସହାୟତାକୁ ନିଜ କାନ୍ଧରେ ବୋହି ଯାତନାକୁ ପାଖ ନାଳରେ ବିସର୍ଜି କହନ୍ତା -” ମୁଁ ଅଛି ପରା ତୋ ପାଇଁ ! ଫେର୍ ଦୁଃଖ କଣ “! ମନର କୋଉ ଗୋଟେ ଯାଗା ରୁଗରୁଗ ହୋଇ ପୋଡେ ଏସବୁ ଭାବିଦେଲେ । ତା ବୟସର ସାଙ୍ଗସାଥୀମାନେ ଯେତେବେଳେ ପ୍ରେମରେ ଉବୁଟୁବୁ ହେଉଥିଲେ ସେ କେମିତି ଅସ୍ୱାଭାବିକତାରେ ଆନମନା ହେଉଥିଲା । ଭାବୁଥିଲା କୋଉ ଅପରିଚିତକୁ ବିଶ୍ୱାସ କରିବା କଣ ଏତେ ସହଜ ! ଏମାନେ କିପରି ଏତେ ସ୍ୱାଭାବିକ ! ଆଜି ସେ ସ୍ୱମନସ୍କା ଝିଅଟିର ମନ ଦୋହଲିଯାଇଛି ! ଘରର ଦୁଃସ୍ଥିତି ସମ୍ଭାଳୁ ସମ୍ଭାଳୁ ମନଟା ଲଟାଟେ ଭଳି ଗୋଟେ ଗଛର ଆଶ୍ରା ଲୋଡିଛି । ସମୟ ବିତେଇବାକୁ ଫେସବୁକ୍ରେ ଆକାଉଣ୍ଟ ଖୋଲି ଦୁନିଆର ମିଛ ସୁନ୍ଦରତାରେ ହଜିଛି ! ପ୍ରହେଳିକାର ମିଛିମିଛିକା ରଙ୍ଗରେ ବିହ୍ୱଳି ଉଠିଛି..!
ଜୀବନଟା ସ୍ୱପ୍ନମୟ ମନେହୋଇଛି । ହଠାତ୍ ଦିନେ ରାତି ଏଗାରଟାରେ ଫେସବୁକ୍ ସାଙ୍ଗ ଉନ୍ମେଷ ଦଳେଇର ମେସେଜ୍ -” ହାଲୋ ଡିଅର୍ । କେମିତି ଅଛ ?” କିଏ ଏ ଉନ୍ମେଷ ? ତା ପାଖେ ରାତି ଏଗାରଟା ବେଳେ କି କାମ ତାର ? କେବେ ସେ ବନ୍ଧୁତ୍ୱ ପାଇଁ ଅନୁରୋଧ କରିଥିଲା ଓ ସେ ଗ୍ରହଣ କରିଥିଲା ମନେନାହିଁ । କିନ୍ତୁ ଏଲୋରା କାହାକୁ ବି ଆଗୁଆ ବନ୍ଧୁତ୍ୱ ପାଇଁ ଅନୁରୋଧ କରିନି । ଏ ଉନ୍ମେଷ ବିଷୟରେ ସେମିତି କିଛି ବି ଜାଣିନଥିଲା ଏଲୋରା। ସେ ମେସେଜ୍ ଦେବା ପରେ ପୁଣିଥରେ ତା ଟାଇମ୍ ଲାଇନକୁ ଯାଇ ପରଖିଲା । ଏତିକି ଜାଣିହେଉଥିଲା ଯେ ସେ କଟକରେ ରହି ବେପାର କରେ । ତେବେ ଅବିବାହିତ । ଏତିକି ବାଦ୍ ଆଉ କିଛି ଖବର ଜଣାନଥିଲା । ହେଲେ ତା ପାଖେ ଉନ୍ମେଷର କି କାମ ଥାଇପାରେ !! ମେସେଜ୍ କି ଫେସବୁକରୁ କଣ କାହାକୁ ଠିକ୍ରେ ବୁଝିହୁଏ ! ଏମିତି ତ ଅନେକ ମେସେଜ୍ ଆସେ ଅନାବଶ୍ୟକ ଲାଗିଲା ପରି ! ଏ ମେସେଜ୍ ବି ସେଇ ତାଲିକାଭୁକ୍ତ ଭାବି ଗୁରୁତ୍ୱ ଦେଲାନି ଏଲୋରା । ଅଫିସ୍ର ମେଲ୍ ଚେକ୍ କଲା । ୟୁ ଟ୍ୟୁବରୁ ଗୀତ ଶୁଣିଲା ପୂର୍ବ ପରି ! ଗୀତ ଶୁଣୁଶୁଣୁ ସାନ ଭାଇର ସାର୍ଟରେ ବୋତାମ ଲଗେଇଲା । ମ୍ୟାଗି ବନେଇଲା । ବାପାମା’ଙ୍କୁ ଚା’ ପରଶିଲା ।
ପୁଣି ମେସେଜ୍ ଟ୍ୟୁନ୍ ଆସିଲା – “କଥା ହେବନି ? ସୁକୁମାରୀ ରାଜକୁମାରୀ ପରି ତୁମେ ଖୁବ୍ ସୁନ୍ଦର । ସତେଜ ମଲ୍ଲୀ ଅବା ରଜନୀଗନ୍ଧା ପରି ମହକୁଛ ମୋ ପାଖେ ଯେପରି! ନୈସର୍ଗିକ ଭାବରେ ଭରପୂର। ସେଠି ବାସ୍ନା ଅଛି ରୂପ ବି ଅଛି । ଏଇଯେମିତି ତୁମ ପୂର୍ବ ପ୍ରୋଫାଇଲ୍ ଫଟୋ ! ଖୁବ୍ ମନଛୁଆଁ । ଅନେକ ସମୟରେ ସେ ଫଟୋକୁ ଦେଖେ । ସେଭ୍ କରି ରଖିଚି ମୋବାଇଲରେ” ।
ତେବେ ବି ଏଲୋରା ଚୁପ୍ । ମନରେ ସନ୍ଦେହ ଏତେ କଥା ଏ ଲୋକଟା କାଇଁ କହୁଚି ହଠାତ୍ । ସେ କଣ ସତରେ ଏତେ ସୁନ୍ଦର ! ନିଜକୁ ଆଇନାରେ ପରଖିଲା .. ୟା ଭିତରେ ସେ ବରଂ ମଳିନ ପଡିଚି । ଗାଲରୁ ମାଂସ ତଳକୁ ଓହଳିପଡିଲାଣି । ଆଖି ଚାରିପଟେ କଳା ଦାଗ । ମୁହଁସାରା ବ୍ରଣ..ତେବେ ବି ଏ ଲୋକ ଆଖିରେ ସେ ସୁନ୍ଦରୀ ! ହୁଏତ ମିଛ କହୁଥିବ ସମୟ ବିତେଇବାକୁ ।
ଅଫ୍ ଲାଇନ୍ ହେଲା ଇଚ୍ଛା ନଥାଇ ବି । ତେବେ ବି ରାତିଯାକ ଗୁଡେ ଭାବନାରେ ବିତିଗଲା । ଆଜିଯାଏଁ ଏମିତି ଅମୂଳକ ପ୍ରଶଂସା ଶୁଣିନି କେବେ। ହଁ କେହି କେହି ପ୍ରେମ ନିବେଦନ କରିଛନ୍ତି କିନ୍ତୁ ଏ ଉନ୍ମେଷ ପରି କାବ୍ୟିକ ନୁହେଁ । ତା କଥାରେ ସମ୍ମୋହନ ଅଛି । ନଇଲେ ରାତିଟା ସାରା ସେ କଥାସବୁ ତା ଆଖି ଆଗେ ନାଚନ୍ତା କାହିଁକି !
ପରଦିନ ସକାଳୁ ଉନ୍ମେଷ ମେସେଂଜରରୁ ଖୁବ୍ ଗୁଡେ ମେସେଜ୍ ଥିଲା । ଯାହାର ପ୍ରତ୍ୟେକ ଶବ୍ଦରେ ଆବେଗ ଥିଲା, ଅନୁରାଗ ସହ ପ୍ରତିବଦ୍ଧତା ଥିଲା । ଏଲୋରା ମନ କାନ୍ଦିଉଠିଲା ନୀରବରେ । ଏମିତି ତ ଲାଗିନି କେବେ । ଜୀବନରେ ଏତେ ପ୍ରଶଂସା କଣ କୋଉଠି ଶୁଣିଥିଲା ! ତାକୁ କଣ ଏତେ ନିରେଖି କେହି ଦେଖିଥିଲା ! ଦାୟିତ୍ବବୋଧରେ ସନ୍ତୁଳି ହୋଇ ସ୍ୱାଭାବିକ ଜୀବନ ବଞ୍ଚିବାକୁ ଭୁଲିଯାଇଥିଲା । ଆଜି କିନ୍ତୁ କାହା କଥା ତା ଜଡ ପିଣ୍ଡରେ ପ୍ରାଣ ସଂଚାର କରିଛି । ଝାଉଁଳି ପଡିଥିବା ଗଛମୂଳେ ଯେମିତି କେହି ପାଣି ସିଞ୍ଚି ସତେଜ କରିଦେଇଛି ପୁଣି ତା ମନକୁ କିଲବିଲ କରି କହିଛି -” ଜୀବନ ଖୁବ୍ ସୁନ୍ଦର..ସାରା ସଂସାର ସୁଖରେ ଭର୍ତ୍ତି । ଚାଲ ସବୁ ଭୁଲି ଜୀଇଁନେବା ନିଜ ପାଇଁ କିଛି କ୍ଷଣ । କିଛି ତୋର କିଛି ମୋର ଆଉ କିଛି ଆମର” । ଏଲୋରା ଚାହିଁଲା ମଥା ଟେକି । ଅନ୍ଧାଧୁନିଆ ଦୌଡୁ ଦୌଡୁ କିଛି କ୍ଷଣ ଅଟକିଗଲା । ମନଟା ଚିତ୍ରିତ ହୋଇଗଲା ବିଭିନ୍ନ ରଙ୍ଗରେ ।
ଏଯାଏଁ ସେ ତାକୁ କିଛି ଉତ୍ତର କରିନି । ତେବେ ବି ସେ ନିଜ ମନକଥା କହିଚାଲିଛି କୌଣସି ପ୍ରତ୍ୟାଶା ନରଖି । ସତରେ ବଡ ଅଦ୍ଭୂତ ଲୋକଟା! ୟା’ ଉପରେ ଭରସା କରାଯାଇପାରେ । ହୁଏତ ନିଜ ଅଲକ୍ଷ୍ୟରେ ଖୋଜୁଥିବା ସାହାରା ଅବା ବସାଟେ ରଚିହେଉଥିବା ଶକ୍ତ ଡାଳଟେ ସେ !
ଧୀରେ ଧୀରେ ସମ୍ପର୍କଟେ ବଢିଉଠିଲା ବିଶ୍ୱାସର ଦ୍ୱାହି ଦେଇ । ତା ପରେ ଫୋନ୍ ରେ କଥାବାର୍ତ୍ତା .. ! ସ୍ୱପ୍ନ ପରି ଲାଗୁଥିଲା ଏଲୋରାକୁ । ସତରେ ଜୀବନଟା ଖୁବ୍ ସୁନ୍ଦର । ଏଠି ସୋରିଷର ହଳଦୀ ରଂଗ ସାଥେ ମନ୍ଦାରର ଲାଲିମା ଅଛି ସାବ୍ଜା କ୍ଷେତ ସାଥେ ନୀଳ ଆକାଶ ମିତ ବସିଛି ! ଜୀବନର ବାଧା ବିଘ୍ନ ଆଉ କଷ୍ଟ ଦେଲାନି ।
କିଛି ମାସ ଅତିକ୍ରାନ୍ତ ହୋଇଗଲା । ଆଜିକାଲି ଉନ୍ମେଷ ଖୁବ୍ କମ୍ ମେସେଜ୍ କରେ । ବେଶି ଗପେ ଫୋନ୍ରେ । କଟକର କୋଉ ଗଳିରେ ଶାଢି ଦୋକାନଟେ ଅଛି ତା ବାପଅଜା ଅମଳରୁ । ସେଠି ପ୍ରାୟ ରହେ ସେ ବିଳମ୍ବିତ ରାତିଯାଏଁ । ପର୍ବ ପର୍ବାଣୀରେ ଭିଡ ହୁଏ ଯାହା, ଅନ୍ୟ ସମୟରେ ପ୍ରାୟ ଫାଙ୍କା । ଦୁଇ ଝିଅଙ୍କ ପରେ ବାପାମା’ଙ୍କ ଗୋଟେ ବୋଲି ପୁଅ ସେ । ଅବଶ୍ୟ ଝିଅମାନେ ବିବାହ କରିଗଲେଣି । କେବେକେବେ ବାପା ଦୋକାନ ସମ୍ଭାଳି ନିଅନ୍ତି । ଏମ୍.ବି.ଏ କରିସାରିଲା ପରେ ବାହାରେ ଚାକିରି କରିବାକୁ ମା’ ଚାହିଁଲେନି । ଏକମାତ୍ର ପୁଅ ବିନା ସେ କୋଉ ବଞ୍ଚିବା ଶିଖିଥିଲେ ଯେ ! ବାପା ବି ନିଜ ମତ ବଦଳେଇଲେ – ଗୋଟେ ବୋଲି ପୁଅ, ପାଠଶାଠ ପଢି ଶିକ୍ଷିତ ହେଲା ସେଇ ଯଥେଷ୍ଟ । ବାହାରକୁ ନଯାଇ ବରଂ ଦୋକାନ ସମ୍ଭାଳିନେଉ । ଠିକ୍ରେ ବେପାର କଲେ ଟଙ୍କା ଗୋଟେଇପାରିବନି । ନିଜ ମର୍ଜିର ମାଲିକ ହେଉ ଅନ୍ୟର ଚାକର ନବୋଲାଉ । ଉନ୍ମେଷର ବଞ୍ଚିବା ଶୈଳୀ ବି ସଂଭ୍ରାନ୍ତ ଶ୍ରେଣୀର ଥିଲା । ତେବେ ଏଲୋରା ଆଜିଯାଏଁ ତାଠୁ କିଛି ଗ୍ରହଣ କରିନି ଜିନିଷ ଆକାରରେ ।
ସେ ବି କେବେ ଯାଚିନି..। ସମ୍ପର୍କ କେବଳ ବିଶ୍ୱାସ ଓ ବୁଝାମଣାକୁ ନେଇ । କେବେକେବେ ଏଲୋରା ନିଜ ମନକଥା କହେ କେବେକେବେ ଉନ୍ମେଷ ନିଜକଥା ଯୋଡେ । କେବେ ଉଡିଯାଉଥିବା ଚଢେଇ ସେମାନଙ୍କ ପ୍ରସଂଗ ହୋଇଯାଏ ତ କେବେ ଭସା ବାଦଲ କଥା ପରିସରକୁ ଆସିଯାଏ । କଥା ସୀମା ସରହଦ ଡେଇଁ ବ୍ୟାପିଯାଏ ଆକାଶରେ..ପବନର ଭେଳା ହୋଇ ଉଡେଇନିଏ ଦୁଃଖ ଯନ୍ତ୍ରଣା ।
ହଠାତ୍ ଦିନେ ରାତି ୧୨ ଟାରେ ଉନ୍ମେଷର ଫୋନ୍ । ତା ସ୍ୱର ଥରୁଥିଲା- “ପଚାଶ ହଜାର ଟଙ୍କା ନିହାତି ଆବଶ୍ଯକ ପଡିଛି ବାପାଙ୍କ ଚିକିତ୍ସା ପାଇଁ। ସେ ଏବେ ହସ୍ପିଟାଲରେ । ସପ୍ତାହ ଭିତରେ ଫେରେଇଦେବି ସୁଧମୂଳ ସହ । ଅସୁବିଧାରେ ପଡିଯାଇଛି ବୋଲି କହିଲି, ଭୁଲ୍ ବୁଝିବନି “। ଏଲୋରା ପଚାରିଲା – “ଏବେ ମୋ ପାଖେ ତିରିଶ୍ ହଜାର ଟଙ୍କା ଅଛି । କିନ୍ତୁ ନେବ କିପରି “?
“କାଲି ମୋ ଦୋକାନ ପିଲାଟେ ଯାଇ ତୁମ ଠିକଣା ଅନୁସାରେ ନେଇଆସିବ “।
“ତେବେ ମଉସାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ତାଙ୍କ ସହ ନିଜର ବି ଯତ୍ନ ନେବ” । ସକାଳ ହେଉ ହେଉ ତା କଥାମୁତାବକ ପିଲାଟେ ଆସି ନେଇଗଲା ତିରିଶ ହଜାର ଟଙ୍କା ଯାହା ସେ ନିଜ ବାହାଘରର ଗହଣା କରିବାକୁ ସାଇତିଥିଲା । ପନ୍ଦର ଦିନ ବିତିଗଲେ ବି ଉନ୍ମେଷ ଟଙ୍କା ଦେବାର ନାଁ ଧରିଲାନି । କିନ୍ତୁ ତା ବ୍ୟବହାରରେ ପରିବର୍ତ୍ତନ ହୋଇସାରିଥିଲା । କଥାରେ କଥାରେ -” ତୁମ ମୋ ଭିତରେ ତଫାତ୍ ନାହିଁ, ତୁମ ଜିନିଷ ମୋର ଓ ମୋ ଜିନିଷ ତୁମର, ତୁମେ ମୋ ମନଭିତରେ ଘର କରିନେଇଛ” ଆଦି କଥା କହି ଆହୁରି ନିବିଡ ହେବାକୁ ଚେଷ୍ଟା କରୁଥିଲା । ଦିନେ ଉନ୍ମେଷ ତାକୁ ଡାକିଲା କଟକର ଗୋଟେ ହୋଟେଲକୁ କିଛି ସମୟ ଏକାନ୍ତରେ ବିତାଇବାକୁ ! କାହିଁକି କେଜାଣି ଏଲୋରାର କିନ୍ତୁ ବିଶ୍ୱାସ ତୁଟିଯାଉଥିଲା । ଦିନେ ଉନ୍ମେଷର ଅଜାଣତେ ସେ କହୁଥିବା ଯାଗାରେ ପହଞ୍ଚି ଖୋଜିଲା ତା’ର ଠିକଣା । ସେମିତି କାହାକୁ ପାଇଲାନି । ମେସେଂଜରରେ ଏକଥା କହିବାରୁ ଓଲଟା “ଅବିଶ୍ୱାସ କରୁଛ” ବୋଲି ଦୋଷାରୋପ କଲା ଉନ୍ମେଷ । ଦୁଇ ମାସ ପରେ ତିରିଶ ହଜାର ଫେରେଇଲା ସତ କିନ୍ତୁ ବହୁବାର ବା ପରେ । ଏଲୋରା ବୁଝିବାକୁ ଚେଷ୍ଟା କରିଥିଲା ରୋଜ୍ ବେପାରରୁ କଞ୍ଚା ଟଙ୍କା ଛାଣୁଥିବା ଲୋକଟି ପାଖେ ପଚାଶ ହଜାର କଣ ଏତେ ବଡ ରକମ ଯେ ତାକୁ ମାଗିବାକୁ ପଡିଲା ! ତାର କଣ ଆଉ କେହି ବନ୍ଧୁ ନଥିଲେ !
ଏଲୋରାର ମନ ଭାଂଗିଯାଇଥିଲା..ସେବେଠୁ ଉନ୍ମେଷର ଫୋନ୍ ଉଠେଇଲାନି ପ୍ରତିବାଦରେ । ଶକ୍ତ ଆଘାତ ପାଇ ନିଜକୁ ହଜାଇ ବସିଥିଲା କିଛି କାଳ । ସେତିକିବେଳେ ସ୍କୁଲ୍ ସାଂଗ ଦୀପାଳି ସହ ତାର ଭେଟ । ମୁହଁ ଶୁଖିଲା , ରଂଗ ଫିକା, ଆଖିରେ ମଲା ଚାହାଣୀ..ଦୀପାଳି ପଚାରୁ ପଚାରୁ କାନ୍ଦି ପକେଇ ଥିଲା ଏଲୋରା । ବଖାଣିଥିଲା ଗୋଟେ ମୋହ ଓ ମୋହଭଂଗର କାହାଣୀ ।
ଦୀପାଳି ପାଦତଳୁ ମାଟି ଖସିପଡୁଥିଲା – ସପ୍ତାହ ପୂର୍ବରୁ ତାକୁ ଯେ ବିଭିନ୍ନ ମେସେଜ୍ ପଠେଇ ପଟେଇବାକୁ ଚାହୁଁଛି ସେଇ ଉନ୍ମେଷ ନୁହଁ ତ ! ସେ ବି ମା ଦେହ ଅସୁସ୍ଥ କହି ପଚାଶ ହଜାର ମାଗିଛି । ସେ ଅବଶ୍ୟ ଏଡେଇଯାଇଛି !
ତେବେ ବି ସେ ମେସେଜ୍ କରିଛି -” ବୁଝିଲ ଦୀପାଳି ମୁଁ ତୁମ ପଛେ ପାଗଳ..ତୁମେ ଫିଙ୍ଗିଲେ ବି ମୁଁ ତୁମକୁ ଛାଡିପାରିବିନି । ତୁମେ ଅଛ ବୋଲି ମୁଁ ଅଛି..ଏ ସଂସାରରେ ତୁମେ ବି ସେଇ ଏକା ସୂର୍ଯ୍ୟଙ୍କୁ ଦେଖୁଛେ ଏକା ଜହ୍ନକୁ ଭୋଗୁଛେ..ଏ କଣ କମ୍ ଭାଗ୍ୟ ! ସେତିକି ଏ ଜନ୍ମର ପ୍ରାପ୍ତି !”
ଏଲୋରା କାନ୍ଦୁଥିଲା ତା କୋଳରେ ମଥା ଦେଇ କହୁଥିଲା – “ତା ଫୋନ୍ ଉଠଉନି ବୋଲି ମେସେଜ୍ ଦେଇଥିଲା- ତୁମେ ଅଛ ବୋଲି ମୁଁ ଅଛି..ଏ ସଂସାରରେ ତୁମେ ବି ସେଇ ଏକା…”ଏଲୋରା ପାଟିରେ ହାତ ଦେଇ ଦୀପାଳି କହୁଥିଲା – “ଛାଡ ସେ ଛୋଟଲୋକର କଥା । କିଛି ମଣିଷଙ୍କ ମଣିଷ ହେବାର ଯୋଗ୍ୟତା ନଥାଏ । ପଶୁ କି ପକ୍ଷୀ ହେବାର ବି ନଥାଏ ..!! ନଥାଏ ବି କୀଟ ହେଇ ଜନ୍ମ ନେବାର । ଏମାନଙ୍କୁ ଗଛ କରି ଜନ୍ମ ଦେଲେ ହୁଏତ ବୁଝି ପାରନ୍ତେ ବଞ୍ଚିବାରେ କେତେ କାରୁଣ୍ୟ ! ” ତା କାନ୍ଦ ଥମିଆସୁଥିଲା ହେଲେ ଦୀପାଳି ଆଖିରୁ ଝରିଆସିଥିଲା ଲୁହ .. !! ଲାଗୁଥିଲା ଏଲୋରା ର ଦୁଃଖ ସବୁ ଏବେ ଏବେ ଘନେଇ ଆସିଛି ତା ଆଖି ତଳେ !! ଦୀପାଳି ନିଜକୁ ଆଉ ରୋକିପାରିଲା ନାହିଁ ।
