କାହିଁକି କାନ୍ଦୁଛୁ ମୋ କୁନି ଚିଆଁରେ କାନ୍ଦୁଅଛୁ କାହିଁପାଇଁ ?
ମାଆ ଯାଇଅଛି କେଉଁଆଡ଼େ ଚାଲି କାଲି ଠାରୁ ଆସି ନାହିଁ ।।
ମାଆ ତୋର ଆଉ ଆସିବକି ଫେରି ବାଇଆ, ବାତୁଳ ହେଲୁ ।
ଏତେ ଦିନ ଏଠି ରହିଲୁଣି ପରା କିଛି ଜାଣି ନ ପାରିଲୁ ।।
ଫାରମ ମାଲିକ ମାଆକୁ ତୋହର ଦେଇଛି ବିକିରି କରି ।
ହେଇ ସାରିବଣି କାହାର ଆହାର ହେଇ କି ଚିକେନ୍ କରି ।।
ଆମର ମାଲିକ କେଡ଼େ ଦୟାବନ୍ତ ଦିଅଇ ସୁରଭି ଦାନା ।
ତୁମେ କିଆଁ କହୁଛ ଏପରି ନୁହଁଇ ଉଚିତ୍ ନା. . . ନା ।।
ମୋ କୁନି ଚିଆଁରେ ତୁ ଭାରି ସରଳ ଜୀବନଟା ଭାରି ବଙ୍କା ।
ଦେଉଅଛି ଦାନା ଶୀଘ୍ର ବଢ଼ିଗଲେ ବିକି ସେ ପାଇବ ଟଙ୍କା ।।
ନିଜର ସ୍ୱାରଥ ନ ଥିଲେ ମଣିଷ ପାଳନ୍ତା କାହିଁକି ତୋତେ ?
ଆମ ପାଳି କେବେ ପଡ଼ିଯିବ ପରା କାନ୍ଦ ବି ଲାଗୁଛି ମୋତେ ।।
ଆନ ପାଇଁ ତ୍ୟାଗ କରୁଛେ ଜୀବନ ଏତିକି ରଖିଥା ମନେ ।
ତ୍ୟାଗରେ ହିଁ ଭୋଗ ଉପନିଷଦରେ କହିଛନ୍ତି ମୁନି ଜନେ ।।