ଗଳ୍ପ

ହାଡ଼ ବଗିଚାର ଫୁଲ

ହଇଓ ତହସିଲଦାର ବାବୁ, ତମେ ଜାଣିଛ ତ ଜଣେ ନେତା ଅଢେ଼ଇ ହଜାର କୋଟି ଟଙ୍କା ଟିକସ ଫାଙ୍କିଲା, ତାକୁ ସରକାର ମାଫ୍ କଲେ । ସେ ପୁଣି ନିର୍ବାଚନ ଜିଣି ମନ୍ତ୍ରୀ ହେଲେ । ପାଣୁଆ ପରା ଗଣ୍ଡୂଷେ ପାଣିରେ ବୁଡ଼ିଯିବ ।

ହାଡ଼ ବଗିଚାର ଫୁଲ

ଦୁମ୍ ଦୁମ୍ ଖରା ବେଳ । ଦିଟା ସମୟ ହେବ । କ’ଣ ଗୋଟା ହୋ ହାଲ୍ଲା ଶୁଭିବାରୁ ପାର୍ବତୀ ଘର ଭିତରୁ ବାହାରି ପଡ଼ିଲା । ଡେଙ୍ଗୁରା ବାଜିବାର ଶବ୍ଦ । ଡେଙ୍ଗୁରା ବାଲା ଘୋଷଣା କରୁଥାଏ-

ଏତଦ୍ୱାରା ଗଣ୍ଠିହାଡ଼ ଗାଁର ଅଧିବାସୀ ମାନଙ୍କୁ ଅବଗତ କରାଯାଉଅଛି ଯେ ପାଣୁ ସ୍ୱାଇଁ, ପିତା:୰ନିଧେଇ ସ୍ୱାଇଁ, ବୟସ ୫୩ବର୍ଷ କୃଷକ ଉନ୍ନୟନ ବ୍ୟାଙ୍କରୁ ନଳିତା ଚାଷ ପାଇଁ ଋଣ ଆଣି ପରିଶୋଧ ନ କରିବାରୁ ତାଙ୍କ ନାମରେ କୋରଖ ପରୱାନା ଜାରି କରାଗଲା । କେହି ଯଦି ତାଙ୍କ ପାଇଁ ଟଙ୍କା ଜମା ଦେବେ ବା ହାମି ହେବେ ତେବେ ହାଜିର୍ ହୁଅନ୍ତୁ । ନ ହେଲେ ରୋଷେଇ ଘର ଓ ସରଞ୍ଜାମ ଛାଡ଼ି ସମସ୍ତ ସମ୍ପତ୍ତି ମାଜିଷ୍ଟରଙ୍କ ଉପସ୍ଥିତିରେ ବ୍ୟାଙ୍କ୍ ଜବତ କରିନେବ ।

ପାଣୁ ସ୍ୱାଇଁଙ୍କୁ ପୁତୁରାମାନେ ଭିନ୍ନେ କରିଦେଲେ । ବିଚାରା ଛୋଟ ଛୁଆଙ୍କୁ ଧରି ପେଟ ପୋଷିବା ପାଇଁ ଅଳ୍ପ ପୁଳେ ଜମିରେ ନିର୍ଭର କଲା । ଭାବିଥିଲା ନଳିତା ଗୋଟା ଅର୍ଥକାରୀ ଫସଲ, କିଛି ଖର୍ଚ୍ଚ କରି ବାଡେ଼ଇବା ପାଇଁ ଲମ୍ୱା କରି ଖାଲ ଖୋଳିଦେଲେ ନିହାତି ଦଶ କ୍ୱିଣ୍ଟାଲ୍ ତା’ ହାତ ଚଢ଼ିଯିବ । କିନ୍ତୁ ଭାଗ୍ୟ ଖରାପ ମଜୁରି ବଢ଼ିଯିବାରୁ ଛୁଆକୁ ଡିମ୍ୱ ଗିଳିଗଲା । ତେଣେ ଝୋଟ ରେଟ୍ ମଧ୍ୟ କମିଗଲା । ଆଉ କେହି ଚାଷୀ ଝୋଟ ଚାଷ କଲେ ନାହିଁ । କିନ୍ତୁ ଦିନେ ପି. ଏସ୍. ପି. ପାର୍ଟି ଆନ୍ଦୋଳନ କରିଥିଲା – ଝୋଟ ଦଅର ଚଢୁ, ଝୋଟ ଚାଷୀଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଉ । ପାଣୁର ମନେ ରହିଛି । ସେ ଭାବିଥିଲା ଏତେ ବଡ଼ ଆନ୍ଦୋଳନ ଆମେ କରିଥିଲୁ, କ’ଣ ନିରର୍ଥକ ହୋଇଯିବ ? ସେହି ଯୋଜନା ତାକୁ ବ୍ୟାଙ୍କ ଋଣ ପାଇଁ ପ୍ରେରିତ କରିଥିଲା । ମଣିଷ ପାଞ୍ଚ ଦଇବ କେଞ୍ଚ –

ତିନିହଜାର ଟଙ୍କା ଋଣ ଆଣିଥିଲା । ସେଥିରେ ତଣ୍ଡ ସୁଧ ଦେଇ ଦେଇ ବି ଛ’ହଜାର ପାଞ୍ଚଶହ ପଚିଶିଟଙ୍କା ପଚାଶପଇସା ହେଲା । ହଂସା ଉଡ଼ିଲା । କୁଆଡୁ କିଛି କିନାରା ନ ପାଇ ରହିଲା ଟିକେ ଭଲ ବେଳା ପଡୁ, ଫସଲ ହାତକୁ ଆସିଲେ ନହେଲେ ପାଞ୍ଚଗୁଣ୍ଠ ଛଡ଼ାଇ ଦେବ । ମନକଥା ମନେ ଥିଲା ।

ଶେଷକୁ ବ୍ୟାଙ୍କ ଅଫିସର ତହସିଲଦାର, ପୁଲିସ ଧରି ଏହିଭଳି ହୁଲିଆ ଜାରି କରି ସୂତାର କୁରୁପା ବେହେରାଙ୍କୁ ସାକ୍ଷ୍ୟ ପକାଇ ହୁଣ୍ଡା ହୁଲିଆ କବାଟ ତାଡ଼ିବା ଆରମ୍ଭ କଲା ।

ଧୋବେଇ ସୂତାର ଓ କୁରୁପା ବେହେରା ଠିଆ ହୋଇଛନ୍ତି । ପାଣୁ ସ୍ୱାଇଁ ବିଚରା ମୁଣ୍ଡରେ ହାତ ଦେଇ ବସି କାନ୍ଦୁଛି । ତା’ ସ୍ତ୍ରୀର ଭେମା ରଡ଼ିରେ ଗାଁ ଦାଣ୍ଡ ଉଛୁଳି ପଡ଼ିଲାଣି । ପାର୍ବତୀ କାନରେ କଥାଟା ବାଜିବା ମାତ୍ରେ ଭିଡ଼ି ଆସିଲା ଦଶ ପାହୁଣ୍ଡ, କହିଲା –

ଏ ଗାଁରେ ମର୍ଦପୁଅ କେହି ନାହାନ୍ତି । ୟା’ଙ୍କ ପାଟିରେ ଗୁଣ୍ଡା ପଶିଛି । ବୁଢ଼ାଟାକୁ ତା ପୁତୁରା ମାନେ ଭିନ୍ନେ କରିଦେଲେ । କରଜ ବୋଝ ବି ଲଦି ଦେଲେ । ତାଙ୍କ ଭୟରେ କାହାର ପାଟି ତୁଣ୍ଡ ଖୋଲିଲା ନାହିଁ । ଏ ବରଷ ମରୁଡ଼ି, ଲୋସନ ବଦଳରେ ସବୁ ଫସଲ ଗଲା । ଝୋଟ ବୋଲି ଗୋଟା ଅର୍ଥକାରୀ ଫସଲ ମିଳୁଥିଲା, ସେଥିରୁ ଚାଷୀଏ ଦି’ପଇସା ପାଇ ଲୋନ୍ ଶୁଝନ୍ତି । ଯାହା ମିଳିଲା ପେଟକୁ ନିଅଣ୍ଟେ । ଆଉ ଏ ବାବୁ ଶଳେ ଡେଙ୍ଗୁରା ପିଟିଲା ବେଳେ ସବୁରି କାନ ବଧିରା ହୋଇଗଲା ।

କଥା କହୁ କହୁ ପାର୍ବତୀ ପାଖରେ ଲୋକ ରୁଣ୍ଡ ହୋଇଗଲେ । ବୋହୂ ଭୁଆଶୁଣି ଲୋକ, ଏମିତି କ’ଣ ଗପି ଚାଲିଛି ବୋଲି ଦିଜ ମହାନ୍ତି ପଦେ କମେଣ୍ଟ କରି କହିଲା । ପାର୍ବତୀ ଡରିବା ଲୋକ ନୁହେଁ । ଦିଜ ମହାନ୍ତି ସବୁ ନାଟର ଗୋବର୍ଦ୍ଧନ ।

ଦିଜ ମହାନ୍ତିଙ୍କୁ କଡ଼ା କଡ଼ା କଥା ଶୁଣାଇ ଦେଲା ପାର୍ବତୀ ।

ଏମିତି ତ ବୋହୂ ଭୁଆଶୁଣି କହି ଆମର ଇଜ୍ଜତ ନେଲଣି । ଖାଲି ଓଢଣା ତଳେ ରଖିଦେଲେ ବୋହୂ ହୁଅନ୍ତି । ତେଣେ ପଛ ପଟରୁ ପିଚା ଦିଶୁଥାଉ । ପେଟ ଭୋକ ମାରି ଲାଜ କରି ଏ ମାଇକିନିଆ ଜାତି ନିଜେ ମରିଗଲେ, ପରିବାର ବି ଉଜୁଡ଼ି ଗଲା । ଆମେ ତ ବାଟିକିଆ ମକୋଦ୍ଦମ ଘର ଝୁଅ ନୁହଁ କି ବୋହୂ ନୁହଁ । ରୁଟି ପିଆଜ ନ ହେଲେ ଶାଗ ପଖାଳରେ ଆମର ସଞ୍ଜ ଘଣ୍ଟି ବାଜେ । ଏ କେତେ ମାମଲତ୍କାର ଦେଖିଲିଣି । ତମ ଭଳି ନିଲଠା ମାମଲତ୍କାରଙ୍କୁ ମାନିବାର ବେଳ ଚାଲି ଗଲାଣି । ପେଟ ଦେଖି ପିଠିରେ ଦେବା ଲୋକ ମୁରବି । ମାଖୁନା ମୁରବିଙ୍କୁ ପଚାରେ କିଏ ? ଦିଜ ମହାନ୍ତି ଆଉ ସମ୍ଭଳା ପଡ଼ିଲା ନାହିଁ ।

– ଆରେ କିଏ ଅଛରେ, ସେ ମାଇକିନିଆକୁ ଧରିଆଣ ।

– ଭୀମା, ଶଳା ଶୁଭୁନି କିରେ ?

– ଭୀମା କାହିଁ ଆସିବ । ତେମେ ତ ଦୁଃଶା ସାଜି ଆସିବ । କେଶବତୀ ଦ୍ରୌପଦୀକି ଟାଣି ନେଇଯିବ । ବୁଝିଲ ସାଆନ୍ତେ – ମାସନ୍ତକୁ ସଂକ୍ରାନ୍ତି ଅଡୁଆ …. ।

– ନ ହେଲେ ସବୁ ବଙ୍କା କରିପକାନ୍ତୁ । ଶାଳୀ ମଦ-ଗଞ୍ଜା ବେପାର କରି ତା’ ମୁହଁକୁ ଦେଖ । ହୁଃ ନିର୍ଲଜ । ଏଟା କୁଆଡେ଼ ପାଠୋଇ …. ଭୀମାକୁ ଲକ୍ଷ୍ୟ କରି ପାର୍ବତୀ ଶୁଣାଇଲା ଗାଁର ଯେ ମୁରବି ସେ ସମସ୍ତଙ୍କ ଭଲମନ୍ଦ ବୁଝେ । ପିଣ୍ଢାରେ ବସି ଟାଉଟରି କରି କେହି ମାମଲତ୍କାର ହେଲେ ସେ କ’ଣ ମଣିଷପଣକୁ ଲେଖା । ତମ ଭଳି କେତେଟା ଟାଉଟର ଚାହାଁନ୍ତି ଗରିବ ଗୁରୁବା ତଳିତଳାନ୍ତ ହେଇଯାଆନ୍ତୁ । ଏମାନଙ୍କୁ ହାତ କରି ଶୋଷଣ କରୁଛନ୍ତି – ଦଲାଲ୍ ହାକିମ ସରକାର । ଇନ୍ଦିରା ଆବାସ ଦଶଟା ପାଟିରେ ପକେଇ ଦେଇ ହଲପିଆ କହିଲା ହଁ ସେମାନେ ପାଇଛନ୍ତି । ଟଙ୍କା ନେଇ କିଏ ଝୁଅ ବାହାଘର କଲା ତ କିଏ ଲୁନ୍ ଶୁଝିଲା । ତିଳଅପା ଏ ଗାଁର ଝିଅ । ଯଦିଚ ତାଙ୍କର ଓ ପାର୍ବତୀଙ୍କର ଅପଡ଼ ତଥାପି ତା’ ସାହିର ବୋହୂଟା, ହିସାବରେ ପୁତୁରାବୋହୂ । ସେ ଗୋଇ ଗୋତର କାଢ଼ି ପକାଇଲା । କେଉଁ ଦିନ ବିଲରେ ସୋଲି ମଳିକିଆଣିକି କାବୁ କରି ଧରିଥେଲା, ଆଉ କେବେ ମାରୁଆଡ଼ି ଦୋକାନରୁ ଲୁଗା ଚୋରି କରି ବନ୍ଧା ହୋଇଥିଲା, ଇସ୍କୁଲ କାଠ ନେଇ ଜୋରିମାନା ଦେଇଥିଲା, ନିଖୁଣ ଭାବରେ ଗାଇଗଲା ।

– ତୁ କହିବୁନି କେମିତି, ଘଇତା ଖାଇ ବାପଘରେ ପଚାଶ ବର୍ଷ ହେଲା ଯେତେବେଳେ ପଶିଛୁ, ତୁ ମର୍ଦ୍ଦ ନ ହେଇଁ ମୁଁ କେମିତି ହେବି ।

– ଆରେ ଦିଜ, ଆ’ଆନି ମୋ ଆଗକୁ ଦେଖିବି ।

– ଅପା…

– ପାର୍ବତୀକୁ କହିଲା ତିଳଅପା, ତୁ ଚୁପ୍ ରହ । ବାଘହାଡ଼ ଶିଆଳ ନେଲାଣି । ମୋ ନାଁ ତିଳୋତ୍ତମା ଆଉ ମୋ ବାପ ଚିନ୍ତାମଣି – ସେ ମଦନା ଯୋଗୁଁ ମୁଁ ଖାଲି ଜିଭ କାମୁଡ଼ି ରହିଛି । ନ ହେଲେ ଦିଜ ଚୁଟି ଛକେରୀ କରି ସାରନ୍ତିଣି । ଜାଣିଛ ସିଏ ଠିକ୍ -ନାରୀ ନିର୍ଯ୍ୟାତନାରେ ଠୁଙ୍କିବାକୁ କେତେ ମିଣ୍ଟି ଲାଗିବ …ଆରେ …

– ପାଣୁ ସ୍ୱାଇଁ ଘର କୋରଖ ହଉଛି – ଏ ଘରଭଙ୍ଗା ମୁରୁକି ମୁରୁକି ହସୁଛି । ଯେତେ ଗରିବ-ନିରୀହ, ତା ମାଇପ ୟା’ର ଟାପରା । ବୋପା କୋଠାଘର ଖଣ୍ଡେ କରିଦେଇ ଯାଇଛି, ପୁଅର ମୁହଁ ଭଡ଼ଂ ଦେଖ ! ସେଇ ଖାତିରରେ ନେତା, ଆସି ବସି ଯାଉଛନ୍ତି । ତ କ’ଣ ନା ଦୁର୍ଯ୍ୟୋଧନ । ତେଣେ ନାଲିବତି ଜଳିଲାଣି । ଏ ଲୋକ କେଡେ଼ ହୀନସ୍ତା ହେବ ଦେଖିବ –

– ଅପା…. ତମେ ଆସ, ଆମେ ପାଣୁଆଦା ଘର ଭିତରେ ପଶିଯିବା । ଯିଏ ଯିବେ ପନିକି ଧରି ଗୋଟା ଗୋଟା ହାଣିବା । ଚଷା ଝୁଅର କ’ଣ ରକ୍ତ ନାହିଁ । ବାରଗଣ୍ଡର… ଯୋହାନ ପୁଣି ଶକ୍ତି ଦେଖେଇଥିଲା ନା ନାଇଁ !

– ଦାଣ୍ଡର ଦି କଡ଼ରେ ଲୋକେ ଏ ଅଦ୍ଭୁତ ନାଟକ ଦେଖୁଥାନ୍ତି । ଆପେ ଆପେ ତିଳଅପା କହି କହି ଚାଲିଲା – ଏଟା ଚୁଚୁନ୍ଦ୍ରା, ତା’ ଜନମ ମୋ ଆଗରେ ସେ କ’ଣ କହିବ ! ଚାଲ…ପାର୍ବତୀ ଆଗେ ଆଗେ ପଛରେ ତିଳଅପା, ତତେ କିଏ କିଛି କହିଲେ ମୁଁ ଖଡୁଭାଷାରେ ତା’ କାନମୂଳି ଫଟେଇ ଦେବି । ନିରୀହ ପାଣୁଆ କିଏ – ଆମେ କିଏ ? ଆଜି ତା’ର ବିପଦ ପଡ଼ିଛି – କାଲି ଆମର ପଡ଼ିବ । କଥାରେ ଅଛି ବିପଦେ ନ ହେବ କାତର, ସଂପଦେ ନ ଦେଖା ଚାତର । କବାଟ ପଟେ ଦାଣ୍ଡ ଦରଜାରୁ ବାହାରିଲାଣି । ହୁଲିଆ ପଡ଼ି ଉଠାଇବାରେ ବ୍ୟସ୍ତ । ଦିଟା ମାଇପଙ୍କର ପାଟି ଶୁଣୁଥିଲେ ଅଫିସର । ସିଏ ଜାଣନ୍ତି ଗାଁରେ କାହାରି ଏକତା ନଥାଏ । ଦଳେ ମଦତ ଯୋଗାଇ ଗରିବ ଘର ଉଜାଡ଼ିବାକୁ ଚାହାଁନ୍ତି । ସୁବିଧାବାଦୀ ଗୋଷ୍ଠି କାଳେ କାଳେ ଅଛନ୍ତି, ଥିବେ । ତାଙ୍କର ପ୍ରତିବାଦ ପାଇଁ ଜନ୍ମ ନିଅନ୍ତି ବିପ୍ଳବୀ ମଣିଷ । ଅଫିସର ଚାହାନ୍ତି ବେଶୀ ରାଜସ୍ୱ ଆଦାୟ ଦେଲେ ସେଇ ସରକାରଙ୍କର ସୁନାପୁଅ ହେବେ । ତାଙ୍କର ସି.ସି.ଆର୍. ଗୁଡ୍ ଲେଖା ହେଲେ ପ୍ରମୋଶନ ଅଲବତ୍ । ତେଣୁ କଳେ ବଳେ କଉଶଳେ ସେ ତାଙ୍କ କାମ କରିବେ । ଏମାନେ ସରକାରଙ୍କର ଏଜେଣ୍ଟ । ତେଣିକି କେତେ ପାଣୁଆ ମଲେ ଗଲେ ଯାଏ ଆସେ ନାହିଁ । ଅଫିସ ପୋଲିସ୍ ଲଗାଇ ଆଜି କାମ ଭଳିଆ କାମଟା କରିଦେଲେ ବୋଲି ଆଲୋଚନା ଚାଲିଛି । ଆଜିକାଲି କେତେ ବାର ତଣ୍ଡେଇ ପାଣୁଆ ଚାଲିଥିଲା ।

– ପାଣୁଆ ଏଥର ବି ଗୋଡ଼ଧରି ଲମ୍ୱହୋଇ ପଡ଼ିଲା । କିନ୍ତୁ ତା’ ଗୁହାରି ଶୁଣାଗଲା ନାହିଁ । ଓଲଟା କହିଲେ – ସରକାର ଧନ କ’ଣ ଗୁଡ଼ପଣା ପାଇଲ ପାଣୁବାବୁ ।

– ପାଣୁ ସ୍ୱାଇଁ ଅସତ୍ ନୁହେଁ । ଅଳସୁଆ ନୁହେଁ । ସଅଳ ସଅଳ ଉଠି ବିଲର ପଡେ଼ । ସଞ୍ଜ ଅନ୍ଧାରେ ଘରକୁ ଫେରେ । ମାଇପ ତା’ର ଆଳିରାଣୀ ଠୁଁ ସୁନ୍ଦର । ସେ ବି ବଗିଚା ଯାଏ । ମୁଗ, ବିରି ଓପାରେ, ବାଡ଼ିରେ ବାଇଗଣ, ଲଙ୍କାମରିଚ, ଭେଣ୍ଡି, ଜହ୍ନି, ଶାଗମୁଗ ହରେକ୍ ପରିବା କରେ । କିନ୍ତୁ ତା’ କପାଳ ମନ୍ଦ । ଭାଇ ଭିନ୍ନେ କରିଦବା ଘରେ ଝିଅଟା ବାହା କରି ଚଉଡ଼ ହେଲା । ଲଗାତର ଫସଲ ନାହିଁ । ପେଟ ଚାଖଣ୍ଡକୁ ଓ ପିଲାଙ୍କୁ ବଞ୍ଚାଇବା ଲାଗି ସେ ନଳିତା ଚାଷ ପାଇଁ ଆଣିଥିବା ଲୋନ୍ ଟଙ୍କା ଶୁଝିପାରିଲା ନାହିଁ । ନଳିତା ଫସଲ ବି ଆଉ ବିଲରେ ହୋଇପାରୁନାହିଁ । ମାଇଲ୍ ମାଇଲ୍ ଧରି ରାସ୍ତାକଡ଼ ନଈଯୋରିରେ ନଳିତା ଭେଳା ମଡ଼ା ହୋଇଥିବ -ତା’ର ଗନ୍ଧ ଯେତେ ଅପ୍ରୀତିକର ହେଲେ ବି ସ୍ୱାଦିଷ୍ଟ । ଭେଣ୍ଡିଆ ଟୋକାଠୁଁ ବୁଢ଼ା ଯାଏ ଲାଗିଥିବେ ନଳିତାବାଡ଼ା କାମରେ । ଝୋଟ ଶୁଖୁଥିବ ଯେପରି ଚଟକଳରେ ଅଖା ଶୁଖିବାର ଦୃଶ୍ୟ । ଗାଁର ସ୍ୱଚ୍ଛନ୍ଦତା ପ୍ରମାଣ କରିଦିଏ ଏଇ ଝୋଟ ଗଣ୍ଠିଲି । ଛୋଟ ଚାଷୀଟାର ବି ଦଶ କୋଡ଼ିଏ ମହଣ ଝୋଟ । ବେପାରୀ ଧାଡ଼ି ଛୁଟନ୍ତି ଏଇ ଗାଁକୁ, ଆଉ ଟ୍ରକ୍ ଟ୍ରକ୍ ଝୋଟ କଲିକତା ପଠାଯାଏ । ଦୁର୍ଗାପୂଜା, ପୋଢୁଆ ଅଷ୍ଟମୀକୁ ଚାଷୀର ଚିନ୍ତା ନ ଥାଏ । ଯାତରାଖର୍ଚ୍ଚ, ବନ୍ଧୁବାନ୍ଧବ, ପିଲା କି ଭଣଜା ଭାଣିଜୀଙ୍କ ପୋଢୁଆ ଲାଗି ନଗଦ ବିଷ୍ଣୁ ରୂପେ ଝୋଟ କାମକରେ । କାଉଁରିଆ ଗଦା ଦୂରକୁ ଶୁଭ୍ର ରଜତ ପାହାଡ଼ ପରି ଦିଶେ । କୁଆଡେ଼ ହତଶ୍ରୀ ହୋଇଗଲା ଏ ଗାଁ । ବିରି, ମୁଗ, ମାଣ୍ଡିଆ, ଚଣା, ହରଡ଼ କ’ଣ ବା ହେଉ ନ ଥିଲା ଏଠି । କି ଆଦର୍ଶ କୃଷି ପ୍ରଣାଳୀ ଆସିଲା । ସବୁ ଚାଲିଗଲା । ବେଳନ୍ଦି, ରାଜମଲ୍ଲୀ, ହରିଶଙ୍କର, ଲକ୍ଷ୍ମୀବିଳାସ, ସରୁଚିନା, କଳାଜିରା, ତୁଳସୀଫୁଲ, ବାସୁମତୀ ଧାନର ନାଁ ଡୁବିଗଲା । ତା’ରି ଜାଗାରେ ଗବେଷଣା କରି କୃଷି ବିଜ୍ଞାନୀ ଦେଲେ ହଜାରେନ୍’, ହଜାରେ ଅଠର ଏମିତି ଧାନ ଯେ ପଖାଳ ଗଣ୍ଡା ଖାଇବା ବନ୍ଦ ହେଲାଣି । ଧାନ ବିଲପାଟକୁ ଅଧାପାଠୁଆ ଟୋକାଏ ଗଡୁ ନାହାନ୍ତି । ସେମାନେ ସୁରାଟ, ଗୁଜୁରାଟ, ଗୋଆ, ସାଉଦି, ଆରବ ଓ କୋଏତ୍ ବରଂ ଯିବେ ଗାଁ ମାଟି ଗଢ଼ିବେ ନାହିଁ ।

ଏହି ବିକାଶ ପଥରେ ବଳି ପଡ଼ନ୍ତି ପାଣୁ ସ୍ୱାଇଁ ଭଳି ଚାଷୀ । ଏ ପଟରେ ଲୋକ ନାହାଁନ୍ତି, ପାଖଚାଷୀ ପାୱାର ଟେଲର ହଳ କଲାବେଳେ ତାହାର ଦାମୁଡ଼ି ଦି’ଟା ତରକି ଲଙ୍ଗଳ ପକାଇ ହେରେ ଚିରା । ଏ କଥା ବିଚାର କରୁଛି କିଏ ?

ସରକାରୀ ଅଫିସର ଆଇନ୍ ବହି ଘୋଷି ଦେଇ କୋଉ ଲ କୋଉଠି ଫିଟ୍ ହେବ – ସେଇ ଚିନ୍ତାରେ ନିମଗ୍ନ । କିନ୍ତୁ ଏ ଚିନ୍ତା କରୁଛି କିଏ ? ଏତିକିବେଳେ ତିଳଅପା ପାର୍ବତୀକୁ ଚେତେଇ ଦେଲା – ଚାଲ୍, ଆଗେଇ ଚାଲ୍ । ମୁଁ ପଛରେ ଅଛି । ଆଲୋ କାଞ୍ଚନ, ଜେମା, ପଦୁଆଁ ତମେ ସବୁ ମଟକା ହେଲେ କାମ କି ହୁଏ ? ଆସ, ବାଡ଼ିପଟରେ ପଶିବା । ଘର ଭିତରୁ ଖଟ ଆଲ୍ମିରା ଉଠାଇଲେ ବିହନ ମାରିବା । ଖଣତା, ପିତ୍ତଳ କରଛୁଲି, ଲୁହା ଗୋଜିଣା ସଜାଡେ଼ । ବେଶି ଅସ୍ତ୍ର ଦରକାର ନାହିଁ । କମର ଭିଡ଼ିଦିଅ । ପଣତ କାନିକୁ ଖୋସିଦିଅ । ହଁ ପଘା ଆଉ ଲଙ୍ଗଳ ଦଉରି ସଜିଲି କର ।

ମାଇପଙ୍କ ସଜବାଜ ଦେଖି ଅଫିସର ଓ ପୋଲିସ୍ କନେଷ୍ଟବଳ ଠିଆ ହେଲେ । ପଚାରିଲେ କ’ଣ ମାଉସୀ କୁଆଡେ଼ ଚାଲିଲ ? ପାର୍ବତୀ; ତାକୁ ବତେଇ ଦେଲୁ । ଏ କୁକୁର ଗୁଡ଼ାଙ୍କୁ କଥା କହିବାକୁ ମୋ ବାପା ମନା କରିଛି ।

କୁକୁର କାହାକୁ କହୁଛ ମାଉସୀ ?

ଏଇ ପୋଷା ପାଲଟିଥିବା ମଣିଷ; ଯୋଉ ମାନଙ୍କର ବୁଦ୍ଧି ବିବେକ ବନ୍ଧା ପଡ଼ିଥାଏ । ମୋ ବାପା ଚିନ୍ତାମଣି ଗଡ଼ତିଆର କଥା । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁ ପଢୁ ପୁଲିସ୍ ଓ ହାକିମଙ୍କୁ ଜବାବ ଦେଇ ଜେଲ୍ ଗଲା । ଯୋଉଦିନ ଲକ୍ଷ୍ମଣ ନାଆକ ଫାଶୀ ଖୁଣ୍ଟରେ ଝୁଲିଲା ମୋ ବାପା ବର୍ହମ୍ପୁର ଜେଲ୍‌ରେ ଥିଲା । ମୋ ବାପା ଏ ଦେଶ ସ୍ୱାଧୀନ କରିଛି । ଗାନ୍ଧି ମହାତ୍ମାଙ୍କୁ ଝୁରି ଝୁରି ସେ ଆରପାରିକୁ ଚାଲିଗଲା । ଆମକୁ ବିଦେଶୀଙ୍କ ସ୍କୁଲ୍‌ରେ ଶିକ୍ଷା ଦେଲେନାହିଁ । ଗୋଲାମଗିରିରୁ ଆଗ ମୁକ୍ତ ହେବା ପ୍ରଥମଶିକ୍ଷା ଓ ମଣିଷ ପଣିଆ ।

ଅପା, ଏତେ ଗପିବାର କ’ଣ ଅଛି- ଆମେ ଯାଉଛୁ ପାଣୁ ସ୍ୱାଇଁ ଘର କ’ଣ ତଡ଼ା ହେଉଛି – ଦେଖିବୁ । ଆମ ପାଖକୁ ଯିଏ ଆସିବ ଦେଖାଇଦେବୁ ଆମ ନାରୀ ରକ୍ତରେ କେତେ ହିମତ୍ ଅଛି । ଆସ ପାଣୁଆଦା । ତମେ ତମ ଘର ଭିତରକୁ ଆଗ ପଶ …..

– ଏ ଜୀବନ ମା ରଖି ଲାଭ କ’ଣ ? ମୋ ଚୁଙ୍ଗୁଡ଼ି ଫଉଦ ଭାସିଗଲେ ।

– ଆମର ଏକତା ନାହିଁ ବୋଲି ଏ ଦଶା । ତମେ କ’ଣ ଏକା ଏ ଗାଁରେ ଗରିବ ଚାଷୀ ? ଆଉ କେହି ଋଣ କରିନାହାନ୍ତି ?

– ଦିଜ ମହାନ୍ତିର ଚଉଷଠି ହଜାର ଟଙ୍କା…ଏମିତି କେତେ ଥିବେ ।

– ହଇଓ ତହସିଲଦାର ବାବୁ, ତମେ ଜାଣିଛ ତ ଜଣେ ନେତା ଅଢେ଼ଇ ହଜାର କୋଟି ଟଙ୍କା ଟିକସ ଫାଙ୍କିଲା, ତାକୁ ସରକାର ମାଫ୍ କଲେ । ସେ ପୁଣି ନିର୍ବାଚନ ଜିଣି ମନ୍ତ୍ରୀ ହେଲେ । ପାଣୁଆ ପରା ଗଣ୍ଡୂଷେ ପାଣିରେ ବୁଡ଼ିଯିବ ।

– ଆମେ ହୁକୁମ୍‌ର ଚାକର ! ଆପଣମାନେ ମା’ ମାଉସୀ ନିଜର ଇଜ୍ଜତ ନେଇ ଘରେ ରହିଯାଆନ୍ତୁ ।

– ଆରେ ଏ ପାଣୁଆ ମାଇପର ଇଜ୍ଜତ ନାହିଁ ?

– ତା’ ପାଇଁ ତ ଲେଡ଼ି ପୁଲିସ୍ …. ଅଛନ୍ତି ।

– ଓ ହୋ : ସେ ନାରୀ ବୋଲି ଆପଣ ଜାଣିଛନ୍ତି ? ଆଉ ନାରୀ ଦ୍ୱାରା ନାରୀର ସମ୍ମାନ ହାନୀ ହୁଏ ନାହିଁକି ? ପାର୍ବତୀ ଖୁବ୍ ତୋଡ଼ରେ ପ୍ରଶ୍ନ କଲା ।

– ଆପଣ ଏ ଯୁକ୍ତି ଅଯଥାରେ କରି ବିରକ୍ତ କରୁଛନ୍ତି କାହିଁକି ?

– ପାର୍ବତୀ ଉତ୍‌କ୍ଷିପ୍ତ କଣ୍ଠରେ କହିଲା, ଏଇ ମମତା ମାଡ଼ାମ୍ ଓ ଜେନାବାବୁ ଏସ୍.ଆଇ. ଆସି ମୋ ସ୍ୱାମୀଙ୍କୁ ଗଞ୍ଜା ଅଫିସ ଚୋରା ବେପାର କେସ୍‌ରେ ବାନ୍ଧି ତିନିମାସ ଜେଲ୍ ଖଟାଇଥିଲେ ତ ? ଆଜି ମୋର ସେଇ ପ୍ରଶ୍ନର ଉତ୍ତର ଆଦାୟର ବେଳ –

– ବଦ୍‌ମାସ୍ ମାଇକିନା ! ଦେଖିବୁ-

– ଏ ମମତା, ଗାଁ ଭାତ ପେଜର ତାକତ୍ ନିଆରା । ମୋଟି ମଦରଙ୍ଗା ସୁନୁସୁନିଆ ଶାଗ ପ୍ରକୃତିର ଉପହାର । ଏ ଚଞ୍ଚଳା-କାଞ୍ଚନ…ହାତ ଉଠାଇବା ପୂର୍ବରୁ ଦୁଇଟା ପଘା ଫାଶ ପକାଇ ଅକ୍ତିଆର କରିନେଲେ । ପାଞ୍ଚଟା ମାଇପଙ୍କ ପାଖରେ ଗୋଟା ଲେଡ଼ି କ’ଣ କରିବ । ବୁଝିଲ ମମତା ମାଡ଼ାମ୍, ଆମେ ଲେଡ଼ି ହୋଇନାହୁଁ । ବାନ୍ଧବେ ନଡ଼ିଆ ଗଛରେ ।

– ଆରପଟରେ ପାଣୁଆ ପଛରୁ ଯାଇ ତିଳଅପା ହେରିକା ହୁଲିଆଙ୍କୁ ପାହାର ଉପରେ ପାହାର ଦେଲେ । ଡେଙ୍ଗୁରା ବାଲା ଡ଼ିଆଁ ମାରି ଚମ୍ପଟ୍ । ମୂଲିଆ ଗୁଡ଼ା, ମଜୁରି ଖଟିବେ, ଏ ପାଖର ଲୋକ ସେମାନେ । ସେ ତ କହୁଣି ଖାଇବାକୁ ଆସିନାହାଁନ୍ତି ।

– ତହସିଲଦାର ବାବୁ ଫୋନ୍ କଲେ ଫୋର୍ସ ଆସିବାକୁ । ସେ ମେଜେଷ୍ଟର ! ପାର୍ବତୀ ଫୋନ୍‌ରେ କହିଦେଲା- ତା’ ସ୍ୱାମୀକୁ ଏ ବାବୁ ମୋ ଇଜ୍ଜତ ନେବାରୁ ଆମେ ତାଙ୍କୁ ଗୋଟା ଘରେ ନେଇ ତାଲା ଦେଇଛୁ । ପନିକି ଧରି ଦି’ପଟରେ ଦି’ଟା ଦୁର୍ଗା ମହିଷା ମର୍ଦ୍ଦନ ପାଇଁ ସଜ୍ଜ ହୋଇଛନ୍ତି । ତାଙ୍କ ମୁହଁରେ ଥୋପ କିଛି ପକାଇଦିଅ, ସେ ମମତା ଆଗ କହୁ….ଆମ ଘରକୁ ଅଫିସ ଗଞ୍ଜା ଅସନା କନା ଭିତରେ ପଶିଲା କେମିତି ?

– ମୁହଁ ସଞ୍ଜ । ଗାଁ ଲୋକ ଏକଜୁଟ୍ ହେଲେଣି । ପାର୍ବତୀ ଓ ତିଳଅପାଙ୍କ ଦ୍ୱାରା ଗୋଟାଏ ବଡ଼ କାମ ହୋଇଛି । ଆଉ କେତେଜଣ ଋଣ ଗ୍ରହିତା ଥିଲେ, ସେ ବି ଆଶ୍ୱସ୍ତ ହୋଇ କହିଲେ ଧନ୍ୟ ଧନ୍ୟ ! ନୂଆଉ, କ’ଣ କରିବାକୁ ହବ ଏବେ କହୁନା କାହିଁକି ?

– ଆଗକଥା ଗୁଡ଼ା ଫଏସଲା ହଉ, ମୋ ସ୍ୱାମୀ ପାଇଁ ସବୁ କିଛି କରିପାରେ । ବଜାରରେ ହୋଟେଲ୍ ଦେଇଛି । ସେଠୁଁ ବାହାରିଲା ନାହିଁ ମଦଗଞ୍ଜା, ମୋ ଘର ଅସନା କନାର ବାସନା ଓ ପୋଲିସ୍ ବାବୁ ପାଇଲେ କେମିତି, ମମତା ମାଡ଼ାମ୍ ଜାଣିଲା କିପରି ?

– ଏସବୁର ମୂଳ ସୂତ୍ରଧର ଦିଜ ମହାନ୍ତି । ମଦନା କ’ଣ ବଢ଼ିଗଲାଣି ! ଘର ବାଗେଇ କଲାଣି ! ତା’ ସ୍ତ୍ରୀ ବଡ଼ ବଡ଼ କଥା କହୁଛି । ଏଣୁ ଜବତ କରିବା ଉଦ୍ଦେଶ୍ୟରେ ଦିଜ ମହାନ୍ତି ଅକଳ ସନ୍ଧି ଜାଗାରେ ଶହେ ଗ୍ରାମ ଅଫିମ ଓ ପଚାଶ ଗ୍ରାମ ଗଞ୍ଜା କଲି ମିଳିଲା ଏବଂ ଧରାହେଲା । ରାମ ରାମ ! ଯିଏ ଉଠିଲା ତାକୁ ଜୀବନ ଦେବା । ସେତକରୁ ଫେରି ଯାଉଥିଲେ, କିଏ ଫୋନ୍ କରିଦେଲା, ତା’ ବାଡ଼ିପଟ ଦୋକରୀରେ ପଲିଥିନ୍ ମଦ ଅଛି । ମଦନା ସେଦିନ ଘରକୁ ଆସିଥିଲା । ଜଣାଇ ଦେବାରୁ ପୋଲିସ୍ ଇଲମ୍ ପାଇ ଭୋର ପାଞ୍ଚଟାରୁ ତା’ କବାଟ ବାଡେ଼ଇ ଘରେ ପଶିଗଲେ । ମଦନ ମୋହନକୁ ନେଇଗଲେ । ମମତା କାନ୍ଦି କାନ୍ଦି ସ୍ୱୀକାର କଲା । କାରଣ ସେ ନାରୀଟିଏ । କିନ୍ତୁ ପୁରୁଷ ମାନଙ୍କ ଘେର ଭିତରେ ସେ ପୁରୁଷର ସମସ୍ତ ଚକ୍ରାନ୍ତ ଓ ଇଚ୍ଛାରେ ହୋଇଛି ହିଂସ୍ର, ନୃଶଂସ । ନାରୀର କେଶବେଶ ହରାଇ ସୁଟ୍ ସାର୍ଟ୍ ପରିଧାନ କଲାରୁ ହଜାଇ ଦେଇଛନ୍ତି ବିବେକ । ପୁରୁଷ ପ୍ରଧାନ ସମାଜରେ ହରାଇ ବସିଛି ନାରୀତ୍ୱ । ଏଭଳି ନାରୀ ମଧ୍ୟ ରୂପର ଆନନ୍ଦ ଜଳାଇ ପର ଝିଅମାନଙ୍କର ଦୋଷ, ଦୁର୍ବଳତା ଓ ଦାରିଦ୍ର୍ୟର ସୁଯୋଗ ନେଇ ଶଯ୍ୟା ସଙ୍ଗିନୀ କରନ୍ତି ।

– ଚାହୁଁ ଚାହୁଁ କଳା ରାତି ମାଡ଼ି ଆସିଲା । ଅନ୍ଧାର ଓହ୍ଲେଇ ସେଇ ନର ପିଶାଚ ମାନଙ୍କ ସାମ୍ନାରେ ଠିଆ । ଏ ରାତ୍ରୀର ଶେଷରେ ପୁଣି ଲିଭିଯିବ ଆଉ ହସି ଉଠିବ ନୂଆ ସୂର୍ଯ୍ୟ ।

– ଏତିକିବେଳେ ମମତା ମାଡ଼ାମ୍ କାନ୍ଦି କାନ୍ଦି କହିଲା – ମା’ଭଉଣୀ, ମୋତେ କ୍ଷମା କର । ମୁଁ ଆଜିଠୁଁ ଏ ପୋଷାକ ପରିତ୍ୟାଗ କଲି । ଆପଣ ମାନଙ୍କୁ ଧନ୍ୟବାଦ ଦଉଛି । ମୋତେ ନଡ଼ିଆ ଗଛରେ ବାନ୍ଧି ଠିକ୍ କରିଛନ୍ତି । ଏବେ ସବୁ ଛାଡ଼ିଲି, ଆପଣମାନଙ୍କ ସାଙ୍ଗରେ ମୁଁ ଜଣେ ହୋଇ ଏ କାମ କରିବା । ଲୋକଙ୍କର ଆଖି ଖୋଲି ଦେବା ।

– ମୋ ହାଡ଼ରେ ମାଉଁସ ଓ ମାଉଁସରେ ରକ୍ତ ଅଛି । ସବୁ ନାଟର ଗୋବର୍ଦ୍ଧନ ଦିଜ ମହାନ୍ତି । ତା’ ବିରୋଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରିସାରନ୍ତାଣି । ତା’ର ଡୁପ୍ଲିକେଟ୍ ରୋଲ୍ ଯୋଗୁଁ ସମସ୍ତେ ହୀନସ୍ତା । ମୁଁ ଜବାବ୍ ଦେଉଛି ପାର୍ବତୀ ଅପା, ଆଗ ଦିଜ ମହାନ୍ତି ମାମୁଁଘରଯିବ । ଖୋଲିଦିଅ ମୁଁ କ୍ଷମାଭିକ୍ଷା କରୁଛି ।

– ମମତାର ଆକୁଳ ଅନୁରୋଧରେ ପାର୍ବତୀ ଓ ତିଳଅପା ଗଭୀର ଭାବେ ଚିନ୍ତା କଲେ ୟା’କୁ ଛାଡ଼ିଲେ ଆଉ ଦି’ଜଣକୁ ଛାଡ଼ିବାକୁ ହେବ ! ଚେତନା ବଣ ଜଙ୍ଗଲ ଭିତରୁ ଘର ଦେଇପିଣ୍ଡି ଏପରିକି ମାଇପଙ୍କ ମନ ସ୍ପର୍ଶ କରିସାରିଲାଣି । ସର୍ତ୍ତ ହେଲା-ଆଉ ଏ ଗାଁକୁ ପୋଲିସ୍ କି ଅଫିସର କେହି ଚାଷୀ ଘର କୋରଖ କରିବାକୁ ଆସିବ ନାହିଁ ।

– ବାସ୍ତବିକ୍, ଗାଁର ଝିଅ ବୋହୂ ସଚେତନ ହେଲେ ବିପ୍ଳବ ଆସିବାକୁ ଡେରି ହେବ ନାହିଁ । ଘର, ଗାଁ ଓ ସମାଜର ଚରିତ୍ର ବଦଳିଯିବ । ଏହି ସର୍ତ୍ତ ଲେଖିଦେଇ ତଳକୁ ମୁହଁ କରି ସେମାନେ ଚାଲି ଯାଉଥିବା ବେଳେ ପାର୍ବତୀ ଓ ତିଳଅପାଙ୍କୁ ଧନ୍ୟ ଧନ୍ୟ କହୁଥାନ୍ତି ଲୋକମାନେ । ୟା’ଙ୍କ ଭିତରେ ଏତେ ବୁଦ୍ଧି ଆଉ ସାହସ ଅଛି ; ଆମେ ଜାଣିପାରି ନ ଥିଲୁ । ଏ ଗୋଟା ଗୋଟା ରଡ଼ନିଆଁରେ ବାବା ? ୟା’ଙ୍କ ହାଡ଼ରେ କାଉଁରୀ ଅଛି । ଦିଜ ମହାନ୍ତି ହାତରେ ମମତା ହାତକଡ଼ା ପକାଇ ନେଲା ବେଳେ କହିଲା- ମା’ମାଉସୀ ଆପଣମାନେ ମୋ ଆଖି ଖୋଲି ଦେଲେ । ହାଡ଼ର ନିଆଁକୁ କେହି ଲିଭାଇ ପାରିନାହିଁ । ଏ ଦାଉ ଦାଉ ଜଳୁଥାଉ । ଆପଣମାନଙ୍କ ହାଡ଼ର ବଗିଚାରେ ରହିଛି ପ୍ରଚୁର ସମ୍ଭାବନାର ଫୁଲ ଓ ଫଳର ମାଧୁର୍ଯ୍ୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top