ଜଣେ ପରମ୍ପରାବାଦୀ ଓ ଜଣେ ହେତୁବାଦୀ ଭେଟ ହେଇଗଲେ ।
ପରମ୍ପରାବାଦି: ହଇଓ ହେତୁ ଭାଇନା ତମେ କଣ ମାଛ ମାର୍କେଟ ଆଡେ ଯାଉଛ କି ?
ହେତୁବାଦୀ: ମୁଁ ଯୁଆଡେ ଗଲେ ତମର କଣ ଗଲା, ତମେ କାହିଁକି ପଛରୁ ଡାକିଲ ?
ପରମ୍ପରାବାଦୀ: ତମେ ହେତୁମୁଁହା ମାନେ ପରମ୍ପରାକୁ ଅନ୍ଧ ବିଶ୍ୱାସ କହୁଛ, ପଛରୁ ଡାକିଲେ କଣ ଅସୁବିଧା ହେଇଗଲା ?
ହେତୁବାଦୀ: ଆରେ କେତୁ, ତୁ ପଛରୁ ଡାକିଲୁ ସେଥିପାଇଁ ମୁଁ ରାଗୁନି, କିନ୍ତୁ ତମ ଭଳିଆ ଜଡବାଦୀ, ପୁରାତନପନ୍ଥୀଙ୍କ ମୁଁହ ଦେଖିବା କଥା ନୁଁହ । ତମେ ସବୁ ଭାଣ୍ଡାମି କରୁଛ । ତମ ମୁଁହ ଦେଖିଲେ ଆମପାଇଁ ଅଶୁଭ ।
ପରମ୍ପରାବାଦୀ: ମୁଁ ତମକୁ ପଚାରିଲି, ତମେ ମାଛ ମାର୍କେଟ ଆଡେ ଯାଉଛକି ? ତମେ ତାର ସିଧା ସିଧା ଉତ୍ତର ନ ଦେଇ ଏତେ ରାଗିବା କଣ ଦରକାର ।
ହେତୁବାଦୀ: ଆରେ ମାଙ୍କଡ, ମୁଁ ମାଛ ଖାଇଲି ନ ଖାଇଲି ତୋର କଣ ଗଲା ? ମୁଁ ଶ୍ରାବଣ ସୋମବାର ମାଛ ଖାଇବି, ମୁଁ ଦଶବର୍ଷ ହେଲା ସବୁ ସୋମବାର ଓ ଗୁରୁବାର ମାଛ ଖାଉଛି, କାର୍ତ୍ତିକ ମାସ ସାରା ଆଇଁଷ ଖାଉଛି, ମୋର କିଛି ଅସୁବିଧା ହେଉନି । ତମେ ମୂର୍ଖ ଗୁଡାକ କିଛି ବୈଜ୍ଞାନିକ କାରଣ ନଥିବା ପୁରୁଣା କଥାଗୁଡା ପରମ୍ପରା କହି ମାଡି ଧରିଛ ।
ପରମ୍ପରାବାଦୀ: ହଇରେ ହନୁମୁଁହା, ତୁ କଣ କହୁଛୁ ତୋର ଅସୁବିଧା ହେଉନି, ବାର ଦିନକାଳ କିଛି ନ ମାନି ଆଇଁଷ ଖାଇବାରୁ ବିନା କାରଣରେ ରାଗୁଛୁ, ଅଯଥା ପାଟି ତୁଣ୍ଡ କରୁଛୁ । ମୋର ସାଇକେଲ ଖରାପ ହେଇ ଯାଇଛି, ସେଇଥପାଇଁ ତୋ ସ୍କୁଟି ପଛରେ ଟିକେ ବସି ମାର୍କେଟ ଆଡେ ଯାଇଥାନ୍ତି । ସାଙ୍ଗରେ ହେଲମେଟ ଆଣିଛି, ଲିଫ୍ଟ ପାଇଁ ତତେ, ପଚାରିଲି ତମେ ମାର୍କେଟ ଆଡେ ଯାଉଛକି ? ସବୁ ହେତୁ ମୁଁହା ଭଳିଆ ତମେ କିଛି ନ ବୁଝି ଅଯଥାରେ ରାଗୁଛ ।
ଏଥର ହେତୁବାଦୀ ନିଜର ଭୁଲ ବୁଝିଲା । କହିଲା;
–ହଉ ହେଲା, କେତୁ ଭାଇ ବସ ମୁଁ ତମକୁ ଛାଡ଼ି ଦେବି । ମୁଁ ବୁଝି ପାରୁନି କାହିଁକି ତମ ଭଳିଆ ପରମ୍ପରାବାଦୀଙ୍କୁ ଦେଖିଲେ ଆମ ହେତୁବାଦୀଙ୍କ ରକ୍ତଚାପ ବଢି ଯାଉଛି, ମୁଣ୍ଡ ଗରମ ହେଇ ଯାଉଛି ।
ଏଥର ଦୁଇ ଜଣ ସ୍କୁଟର ରେ ମାର୍କେଟ ଆଡେ ବାହାରିଲେ, ବିରୋଧାଭାସ ଭୁଲି, ଭଲମନ୍ଦ ଗପିଲେ । କିଛିବାଟ ଯାଇଛନ୍ତି; ପରମ୍ପରାବାଦୀ ପଚାରିଦେଲା;
— ହେତୁଭାଇ, ଭଲ କରିଛ ତମେ ଗୋଟେ ବ୍ୟାଟେରୀ ଗାଡି କିଣିଛ, ଆଜିକାଲି ସମସ୍ତେ ବ୍ୟାଟେରୀ କିଣୁଛନ୍ତି । କେବେ କିଣିଲ, କେତେ ଟଙ୍କା ଲାଗିଲା, ଟିକେ ପୂଜା କଲ ନା ନାହିଁ ?
ଏତକ ଶୁଣିବା ପରେ ହେତୁବାଦୀ ଦେହରେ ନିଆଁ ଲାଗିଗଲା । ପ୍ରକୃତରେ ପୂଜା କଥା ପରମ୍ପରାବାଦୀ ଜାଣିକି ପଚାରି ନଥିଲା ବରଂ ମୁହଁରୁ ବାହାରି ଗଲା । କିନ୍ତୁ ଅବସ୍ଥା ଅସମ୍ଭାଳ ହେଇଗଲା । ହେତୁବାଦୀ ରାଗିକି ପାଟିକଲା;
— ହଇରେ କେତୁ ଗଧ, ମୁଁ ତତେ ଦୟାକରି ଲିଫ୍ଟ ଦେଲି, ତୁ ମତେ ଧନ୍ୟବାଦ ଦେବା କଥା ଆହୁରି ମୋ ମୁଣ୍ଡରେ ଚଢ଼ୁଛୁ । ତୁ ମତେ ପୂଜା କରିବା ଉପଦେଶ ଦେଉଛୁ । ତୁ ଜାଣିନୁ ସବୁ ଗାଁ ରେ ଆମ ସଂଗଠନ ହେଲାଣି । ଆଜି ତତେ ପାନେ ନ ଦେଲେ ଛାଡ଼ିବି ନାହିଁ । ତତେ ମୁଁ ମାର୍କେଟରେ ନ ଛାଡ଼ି ଆଜି ନେଇ ସହର ବାହାରେ ଜଙ୍ଗଲରେ ଛାଡ଼ିଦେବି । ସେଠି ଘୁଷୁରୀ ମାନଙ୍କ ସାଙ୍ଗରେ ରହିବୁ ।
ପରମ୍ପରାବାଦୀ ଯେତେ ଭୁଲ ମାଗିଲେ, ନେହୁରା ହେଲେ ହେତୁବାଦୀ ଶୁଣିଲା ନାହିଁ । ଯାହା ପାରିଲା ଗାଳି ଦେଇ ଚାଲିଥାଏ ।
ଆଗ ଛକରେ ଟ୍ରାଫିକ ପୋଲିସ ଗାଡି ଅଟକେଇଲା । ଯେମିତି ଗାଡି ରହିଛି, ପରମ୍ପରାବାଦୀ ଗାଡ଼ିରୁ ଓଲ୍ଲାଇ ନିଜ ହେଲମେଟ ଓ ଜୀବନ ଧରି ପଳେଇଲା । ଗଲା ବେଳକୁ କହିଲା;
— ହେ ଭଗବାନ, ରକ୍ଷା କରିଦେଲ ଆଜି ସେ ଧର୍ମ ଛଡା ମାରି ପକେଇଥାନ୍ତା ।
ଗାଡି ରହିବା ପରେ ହେତୁବାଦୀ ପୋଲିସକୁ ପଚାରିଲା, ମତେ କାହିଁକି ଅଟକାଇଲେ, ସେ ପରମ୍ପରାବାଦୀ ମୋ ହାବୁଡ଼ରୁ ଖସିଗଲା । ଆଜି ତା ରକ୍ତ ପିଇଥାନ୍ତି ।
ପୋଲିସ: ତମେ ନିୟମ ଭାଙ୍ଗିଛ ଚାଲାଣ କଟିବ, ହଜାରେ ବାହାର କର ।
ହେତୁବାଦୀ: କି କଥା ମୁଁ ନୂଆ ଗାଡି କିଣିଛି, ସବୁ କାଗଜ଼ ପତ୍ର ଅଛି, କଣ ପାଇଁ ଚାଲାଣ କଟିବ ?
ପୋଲିସ: ତମ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧି ନ ଥିଲା ।
ହେତୁବାଦୀ ଦେଖିଲା ପରମ୍ପରାବାଦୀ ଦୂରରେ ଛିଡା ହେଇଛି, ପାଟିକଲା;
— ହଇରେ କେତୁ ତୁ କଣ ହେଲମେଟ ଲଗେଇ ନ ଥିଲୁ କି ??
— ଲଗେଇଥିଲି, ତମେ ଯେତେ ଜୋରରେ ଗର୍ଜନ କଲ ମୁଁ ଡରିଗଲି । ସେଥିପାଇଁ ଗରମ ଲାଗିଲା, ଗମ ଗମ ହେଇ ଝାଳ ବୋହିଲା, ଟିକେ ଥଣ୍ଡା ପବନ ବାଜିଲେ ଭଲ ଲାଗିବ ଭାବି ହେଲମେଟ ଖୋଲିଦେଲି ।
ହେତୁବାଦୀ: ସାର ଶୁଣିଲେଟି, ସେ ମାଙ୍କଡ ଜାଣିଶୁଣି ହେଲମେଟ ଲଗେଇ ନ ଥିଲା ଫାଇନ ସେ ମରହଟ୍ଟୀ ଦେବ ।
ପୋଲିସ: ହଇଓ ହେତୁବାବୁ, ତମେ ସବୁ ବେଳେ କହୁଛ, ସବୁ ନିୟମ ତମକୁ ଜଣା, ତମେ କଣ ଜାଣିନ ଯାହାର ଗାଡି ସିଏ ଫାଇନ ଦେବ । ଚାଲାଣ ରେ ଗାଡି ନମ୍ୱର ଲେଖିବାକୁ ପଡିବ । ସେ ଲୋକର କଣ ନମ୍ବର ଅଛି ଯେ ତା ନା ରେ ଚାଲାଣ କାଟିବି । ତମେ ପଇସା ବାହାର କର ନ ହେଲେ କାଲି ଯାଇ ଅଫିସରେ ଜମା କରି ଆସିବ ।
ଆଉ କିଛି ବାଟ ନ ପାଇ ହେତୁବାଦୀ ପଇସା ଗଣିଲା ।
ଶୁଣା ଯାଉଛି ଏ ଘଟଣା ପରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ତିକ୍ତତା ଆହୁରି ବଢି ଯାଇଛି ।