ପ୍ରବନ୍ଧ

କର୍ମର ନିୟମ ଓ କର୍ମର ଋଣ

Aditya Kumar Panda's Odia Prose Karmara Niyama o Karmara Roona

ମୋର ଯିବାର ସମୟ ଆସିଯାଇଛି ଆଉ ଏଥିପାଇଁ ମୋର ପୂର୍ବ କର୍ମ ହିଁ ଦାୟୀ, ପୂର୍ବେ ମୁଁ ରାମ ଅବତାରରେ ବାଳୀ ବଧ କରିଥିଲି, ଆଉ ତୁମେ ସେଇ ବାଳୀର ବଂଶଧର, ଏହା ହିଁ ନିୟତିର ନିୟମ, କର୍ମର ନିୟମ ।

କର୍ମର ନିୟମ ଓ କର୍ମର ଋଣ

ମାନବ ସଭ୍ୟତା ଆଜି ଏତେ ଦୂର ଆସିପାରିଛି କେବଳ ମଣିଷର ଶାରୀରିକ କର୍ମ ଓ ମାନସିକ କର୍ମ ଯୋଗୁଁ (ଏଠି କର୍ମ ଶବ୍ଦରେ ମୁଁ କାର୍ଯ୍ୟ ଶବ୍ଦକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି) । ଏ ଦୁଇ କର୍ମ ବିନା ମଣିଷ ମଣିଷ ନୁହେଁ ବା ମଣିଷର ପ୍ରଗତି ନାହିଁ ବା କହିପାରିବା ମଣିଷ ବଞ୍ଚିପାରିବ ନାହିଁ । ଶାରୀରିକ କର୍ମ ମାନେ ସେସବୁ କର୍ମ ଯାହା ଶରୀରର ମାଂସପେଶୀକୁ ସଂଚାଳିତ କରେ ଯେମିତି ରାନ୍ଧିବା, ଚାଷ କାମ କରିବା, ଝାଡ଼ୁ ମାରିବା, ଫୁଲ ତୋଳିବା, ଇତ୍ୟାଦି ଏବଂ ମାନସିକ କର୍ମ ମାନେ ଭାବିବା, ଚିନ୍ତା କରିବା, କଥାବର୍ତ୍ତା ହେବା, ଟିଭି ଦେଖିବା, ରେଡିଓ ଶୁଣିବା, ମୋବାଇଲ ବ୍ୟବହାର ଇତ୍ୟାଦି । ଏମିତି ନୁହଁ ଯେ ଏ ଦୁଇ କର୍ମକୁ ଆମେ ଗୋଟିଏ ଶରୀରରେ ଅଲଗା ଅଲଗା କରିପାରିବା, ଏ ଦୁଇ କର୍ମ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ । ଆଧୁନିକ ମଣିଷ କେବେ ବି ଖାଲି ବସି ରହେନି, ପ୍ରତିଟି ମୁହୂର୍ତ୍ତରେ କିଛି କିଛି କର୍ମ ସେ କରେ । ଯେବେ ମଣିଷର ଜନ୍ମ ହୁଏ, ତାର କର୍ମ ଆରମ୍ଭ ହୁଏ, ଆଉ ତାର ମୃତ୍ୟୁରେ କର୍ମର ଶେଷ ହୁଏ । ଭିକ୍ଟର ହୁଗୋ ଲେଖନ୍ତି ମଣିଷ ଖାଲି ବସି ରହେନାହିଁ, ସେ ସବୁବେଳେ ଚିନ୍ତା କରୁଥାଏ, ଗୋଟିଏ ହେଉଛି ଦୃଶ୍ୟମାନ ଶ୍ରମ ଆଉ ଅନ୍ୟଟି ଅଦୃଶ୍ୟମାନ । ୱିଲିଅମ ଜେମ୍ସ ଲେଖନ୍ତି କର୍ମ ସବୁବେଳେ ସୁଖ ଆଣିନପାରେ କିନ୍ତୁ ବିନା କର୍ମରେ କୌଣସି ସୁଖ ନାହିଁ । ଭାଗବତ ଗୀତା ଅନୁସାରେ ଶ୍ରୀକୃଷ୍ଣ ଗୋଟିଏକୁ କର୍ମଯୋଗ ଆଉ ଅନ୍ୟଟିକୁ ଜ୍ଞାନଯୋଗ କହନ୍ତି । କିନ୍ତୁ ଏ ଦୁଇ ଯୋଗ ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶାରୀରିକ କର୍ମ ଶରୀରକୁ ଶୁଦ୍ଧ କରେ, ଶରୀରର କ୍ରିୟାପ୍ରକ୍ରିୟାକୁ ଦୃଢ଼ କରେ, ରକ୍ତ ସଫା କରେ, ହଜମ ଶକ୍ତି ବଢ଼ାଏ, ଆଉ ମାନସିକ କର୍ମ ମନକୁ ସଫା କରେ, ବିଶ୍ୱାସକୁ ବଢ଼ାଏ, ହୃଦୟକୁ ନିର୍ମଳ କରେ, ମନକୁ ଶାନ୍ତ କରେ, ମନର ବିକାରକୁ ଦୂର କରେ । ଶାରୀରିକ କର୍ମ କଲେ ମାନସିକ ଶାନ୍ତି ମିଳେ । ଆପଣ ଯଦି ଦୁଃଖରେ ଅଛନ୍ତି, ତେବେ କିଛି ଶାରୀରିକ କାମ କରିଦେଖନ୍ତୁ, ଆପଣଙ୍କୁ ଶାନ୍ତି ମିଳିବ। ଶାରୀରିକ କର୍ମରେ ଆମର ନିୟନ୍ତ୍ରଣ ଅଛି, କିନ୍ତୁ ମାନସିକ କର୍ମରେ ନାହିଁ । ଦେହକୁ ନିୟନ୍ତ୍ରଣ କରିହେବ କିନ୍ତୁ ମନକୁ ନୁହେଁ । କିନ୍ତୁ କର୍ମର କେତୋଟି ଗୁଣ ଥାଏ, ସୁଗୁଣ ଅଛି ଆଉ ଦୁର୍ଗୁଣ ବି ଅଛି, ସେମିତି ତାର ସମୟ ବି ଥାଏ ଆଉ ସେଅନୁସାରେ ପ୍ରଭାବ ରହିଥାଏ । ଗୋପବନ୍ଧୁଙ୍କ କାବ୍ୟରେ କର୍ମର ଏକ ମହାନ ଆଦର୍ଶ ଆମେ ପାଇଥାଉ, ସେ ଧର୍ମପଦ କାବ୍ୟରେ ଲେଖନ୍ତି “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ”।

କର୍ମରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଧୁନିକ ଯୁଗରେ ମଣିଷ ଏକା ଏକା କର୍ମ କରିପାରେ ନାହିଁ, ଏକା ଏକା ବଞ୍ଚିପାରିବ ନାହିଁ, ମୁଁ ଯେଉଁ ପୋଷାକ ପିନ୍ଧିବି ମୁଁ ତିଆରି କରିପାରିବି ନାହିଁ, ମୁଁ ଯଦି ଏକ ଟେଲର ତେବେ ବି ପୋଷାକ ତିଆରି କରିବାକୁ ମୋତେ କପଡ଼ା ଦରକାର, କପଡ଼ା ପାଇଁ ମୋତେ କପଡ଼ା ଦୋକାନକୁ ଯିବାକୁ ହେବ, ମେସିନ ମୁଁ ତିଆରି କରିପାରିବି ନାହିଁ, ମୋତେ ବଜାରକୁ ଯାଇ କିଣିବାକୁ ହେବ, ମୁଁ ଆଜିର ସମୟରେ ବହୁତ ନିର୍ଭରଶୀଳ, ପରିବାର, ସମାଜ ପରି ଅନୁଷ୍ଠାନ ହେଉଛି ପରସ୍ପରର ନିର୍ଭରଶୀଳତାର ଅନୁଷ୍ଠାନ । ଆମେ ଯେତେବେଳେ ଏମିତି ସମୟରେ କର୍ମ କଥା ହେଉଛେ, ତେବେ କର୍ମର ସଂଜ୍ଞା ବଦଳିଯାଉଛି, ଲୋକେ କହନ୍ତି ଯେମିତି କର୍ମ ସେମିତି ଫଳ, ଯେମିତି କରିବ ସେମିତି ପାଇବ, ଏ ଯେଉଁ କର୍ମର କଥା ସତ ପ୍ରମାଣିତ ହୁଏ ଏଇ ଜୀବନରେ ଏଇ ସମାଜରେ ଏଇ ଦୁନିଆଁରେ । ପରଜନ୍ମ କର୍ମ, ପୂର୍ବଜନ୍ମ କର୍ମ ଏସବୁ କଥା ଏଠି ମୁଁ ଆଲୋଚନା କରୁନି, ମୁଁ ସଂସାର ଭିତରେ ସମାଜ ଭିତରେ କର୍ମର ଏକ କର୍ମ ଓ କର୍ମଫଳକୁ ଏକ ବୈଜ୍ଞାନିକ ଦୃଷ୍ଟିକୋଣ ଦେବାକୁ ଚାହୁଁଛି । ହିନ୍ଦୁଧର୍ମରେ ଓ ବୌଦ୍ଧ ଧର୍ମରେ କର୍ମ ହେଉଛି ଜଣେ ମଣିଷର ଏଇ ଜୀବନରେ ବା ଭବିଷ୍ୟତରେ କୃତକର୍ମର ଫଳ ଯାହା ସେ ହିଁ ଭୋଗେ । ଏହାର ଏକ ସାଧାରଣ ଉଦାହରଣ, ଆପଣଙ୍କୁ ବିନା କାରଣରେ କିଏ ଆଘାତ କଲେ, ଆପଣ କଣ ଛାଡ଼ିବେ ତାକୁ, ଆପଣ ବି ଆଘାତ କରିବେ, ଯଦି ଆପଣ ଆଘାତ ନକରନ୍ତି ତାହେଲେ ଆପଣ ଏକ କର୍ମଫଳ ଭୋଗିବେ-ସବୁବେଳେ ଏକ ମାନସିକ ଯନ୍ତ୍ରଣାରେ ରହିବେ ଆଉ ଯଦି ଆପଣଙ୍କୁ ଆଘାତ ଦେବାର କାରଣ ଅଛି ତାହା ଯଥାର୍ଥ ଅଟେ ତେବେ ଆପଣ ଅନ୍ୟ ପ୍ରକାର ଫଳ ଭୋଗିବେ । ଆପଣ କୌଣସି ଦୋକାନକୁ ଯିବେ ଆଉ ଗୋଟିଏ ଜିନିଷ ମାଗିବେ, ଦୋକାନୀ ଆପଣଙ୍କୁ ରାଗି କି କହିବ ସେ ଜିନିଷ ନାହିଁ, ଆପଣଙ୍କୁ ରାଗିବାର କୌଣସି କାରଣ ନାହିଁ, ରାଗିବା ଦ୍ୱାରା ଦୋକାନୀ ଏକ କର୍ମଫଳ ଭୋଗିବ, ତା ପାଖକୁ ଆଉ ଆପଣ କିଛି କିଣିବାକୁ ଯିବେ ନାହିଁ, ତାର ଜିନିଷ ଆଉ ବିକ୍ରି ହେବନାହିଁ, ଏଇଟା ସେଇ କର୍ମଫଳ । ଦୋକାନୀ ଆପଣଙ୍କୁ ନରାଗିକି ଯଦି ଉତ୍ତର ଦେଇଥାନ୍ତା, ହୁଏତ ଆପଣ ପୁଣି ତାପାଖକୁ ଯାଇଥାନ୍ତେ । ତେଣୁ ଆପଣ ଯେମିତି ବ୍ୟବହାର ଦେଖେଇବେ, ସେମିତି ବ୍ୟବହାର ହିଁ ପାଇବେ । କର୍ମ ଦେଖେଇ ଦିଏ, କର୍ମ ହିଁ ଜଣକୁ ଧନୀ କରିଦିଏ, ଆଉ ଜଣକୁ ଗରୀବ । କର୍ମରେ ଜଣେ ଭଲପାଇବା ସାଉଁଟେ, ମହାପୁରୁଷ ହୋଇଯାଏ, ଆଉ ଜଣେ ହୀନମନା ହୋଇ ମରେ ।

ସମାଜକୁ ଯେହେତୁ ଆମେ ଗଢ଼ିଛୁ, ସଂସ୍କୃତି ଆମେ ତିଆରି କରିଛୁ, ମାନବ ସଭ୍ୟତାର ଆମେ ହିଁ କର୍ତ୍ତା, ତେଣୁ ଆମେ ହିଁ ତିଆରିଛୁ ଏସବୁର ନିୟମ । ମଣିଷ ହାତରେ ମଣିଷର ସଂସାର, ଠିକ ଭୁଲ, ଭଲଖରାପ ଏସବୁ ମଣିଷ ହିଁ ତିଆରି କରିଛି ଆଉ ଏସବୁର ଫଳ ମଧ୍ୟ । ତେଣୁ ସମାଜ ବା ସଂସାର ଏକ ନିୟମ ଚକ୍ରରେ ଚାଲେ, ସେଠି ନିୟମ ଅନୁସାରେ ଭଲ ଆଉ ଖରାପ ଜୀବନ ମିଳିବ । ମୁଁ କାହାର ଖରାପ କଲେ, ମୋର ବି ଖରାପ ହେବ, ଏହା ବୈଜ୍ଞାନିକ ନିୟମ । ମୁଁ ଭଲ ପାଇଲେ, ମୋତେ ବି ଭଲପାଇବା ମିଳିବ, ଏହା ନିୟମ । ଏହା ସାହିତ୍ୟ ନୁହେଁ, କାଳ୍ପନିକ କଥା ନୁହଁ । ଏହା ମଣିଷର ଗଢ଼ା ନିୟମ । ଆଉ ଏଇ ସମାଜ ଭିତରେ ଅଧିକାର ମଧ୍ୟ ଆସେ । ମଣିଷ ଶିଶୁ ଶୈଶବରୁ ଅସହାୟ, ତାକୁ ଲାଳନପାଳନ କରିବେ ମାବାପା ଆଉ ବଡ଼ମାନେ, ସେଇ ଲାଳନପାଳନ ପାଇବାର ଅଧିକାର ଶିଶୁଟିର ଅଛି, ସେମିତି ମାବାପା ବୁଢ଼ାବୁଢ଼ୀ ହେଲେ ଅସହାୟ ହେଲେ ଶଯ୍ୟାଶାୟୀ ହେଲେ ସେମାନେ ସେମିତି ସେବା ତାଙ୍କ ସନ୍ତାନସନ୍ତତିଠୁଁ ପାଇବା ତାଙ୍କର ଅଧିକାର ଅଟେ । ମୁଁ କରିଛି ମାନେ ମୁଁ ପାଇବି । ସଂସାରରେ ଯଦି ମୁଁ ଅଛି, ସମାଜରେ ଯଦି ମୁଁ ଅଛି, ଏଇ ନିୟମକୁ ମାନିବାକୁ ହେବ । ସମାଜ ଭିତରେ ରାବଣକୁ ମରିବାକୁ ହେବ, ସେ ମରିବ । ସମାଜ ଭିତରେ ସଂସାର ଭିତରେ ମହାଭାରତ ହେବ ଆଉ କୌରବମାନେ ପରାଜିତ ହେବେ, ଏହା ନିୟମ। ସଂସାର ଆଉ ସମାଜରେ ଯଦି ଭଗବାନ ମଧ୍ୟ ମଣିଷର ରୂପରେ ଜନ୍ମ ନିଅନ୍ତି, ତାଙ୍କୁ କାନ୍ଦିବାକୁ ହେବ, ହସିବାକୁ ହେବ, ଶତ୍ରୁତା କରିବାକୁ ହେବ, ପ୍ରେମ କରିବାକୁ ହେବ, ଏ ନିୟମ ମାନିବାକୁ ହେବ। ଆଉ ନିୟମ ହେଉଛି କର୍ମ ନିୟମ। ଅଯୋଧ୍ୟାର ରାଜା ଦଶରଥ ତାଙ୍କ ପୁତ୍ର ରାମଙ୍କୁ ବନବାସ ପାଇଁ ଆଦେଶ ଦେଇ ତାଙ୍କ ମନଯନ୍ତ୍ରଣା ବଢ଼ି ଯାଇଥିଲା, ଏହା ତାଙ୍କ କର୍ମର ଫଳ, ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେ କହିଥିଲେ କେମିତି ଶ୍ରବଣ କୁମାରକୁ ଅଜାଣତରେ ମାରି ଦେଇଥିଲେ ଏବଂ ଶ୍ରବଣକୁମାରର ବାପାମାଁ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଦଶରଥ ମଧ୍ୟ ପୁତ୍ର ବିରହରେ ମୃତ୍ୟୁବରଣ କରିବେ। ଏହା କୃତକର୍ମର ଫଳ । ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ କର୍ମ ଓ କର୍ମ ଫଳର ଏକ ମହାନ ନିୟମ ଓ ଆଦର୍ଶର ପାଳନ କରନ୍ତି । ସମ୍ପୂର୍ଣ୍ଣ ମହାଭାରତ ହେଉଛି କର୍ମ ଓ କର୍ମଫଳର ଏକ ମହାକାବ୍ୟ । ଏହି ମହାକାବ୍ୟରେ ଯିଏ ବି ଦୁଃଖ ପାଇଛି, ନିଜ କର୍ମ ଅନୁସାରେ ପାଇଛି । କର୍ମର ନିୟମକୁ ଭଗବାନ ନିଜେ ମଧ୍ୟ ବଦଳେଇ ପାରିନାହାଁନ୍ତି, ଜାରା ଶବରର ତୀରରେ ତୀରବଦ୍ଧ ଦ୍ୱାରକାଧୀଶ ଜାରାକୁ କହନ୍ତି “ମୋର ଯିବାର ସମୟ ଆସିଯାଇଛି ଆଉ ଏଥିପାଇଁ ମୋର ପୂର୍ବ କର୍ମ ହିଁ ଦାୟୀ, ପୂର୍ବେ ମୁଁ ରାମ ଅବତାରରେ ବାଳୀ ବଧ କରିଥିଲି, ଆଉ ତୁମେ ସେଇ ବାଳୀର ବଂଶଧର, ଏହା ହିଁ ନିୟତିର ନିୟମ, କର୍ମର ନିୟମ । ଆମେ ଯେବେ ଗୋଟିଏ ସମାଜରେ ଗୋଟିଏ ପରିବାରରେ ଜନ୍ମ ହେଉ, ଆମେ ନିଜେ ଏକ କର୍ମ ନିୟମରେ ବାନ୍ଧି ହେଉ ଆଉ ନିଜର କର୍ମ ଅନୁସାରେ ଆମେ ନିଜର କର୍ମଫଳ ତିଆରି କରୁ । ସଂସାର ଭିତରେ ଆପଣ ଯଦି ଅଛନ୍ତି ଆପଣ କର୍ମକୁ ଛାଡ଼ିପାରିବେ ନାହିଁ, କର୍ମଫଳକୁ ବଦଳାଇପାରିବେ ନାହିଁ, କିନ୍ତୁ କର୍ମକୁ ବାଛିପାରିବେ, ଆଉ ଆପଣଙ୍କ ବାଛିବା ଅନୁସାରେ ଆପଣ କର୍ମଫଳ ପାଇବେ।

କର୍ମର ଭାଗ୍ୟ ସହିତ କୌଣସି ସମ୍ୱନ୍ଧ ନାହିଁ । ଯେହେତୁ ମଣିଷ ହାତରେ ନିଜ କର୍ମ, ତାଆରି ହାତରେ ସେଇ କର୍ମର ଫଳ । ଯିଏ କୁକର୍ମ କରିବ ସେ କୁଫଳ ପାଇବ, ଯିଏ ସୁକର୍ମ କରିବ, ସେ ସୁଫଳ ପାଇବ । ଏଇଟା ହିଁ କର୍ମ ଚକ୍ର । କେମିତି ଘୂରେଇବେ ଆପଣ ଜାଣନ୍ତି, କଣ କଲେ କଣ ପାଇବେ ଆପଣ ଜାଣନ୍ତି । କର୍ମ ହିଁ ଭାଗ୍ୟ ତିଆରି କରେ, ଭାଗ୍ୟଠୁଁ କର୍ମ ବଡ଼, ଭାଗ୍ୟ କେବେ କର୍ମ ତିଆରି କରେନି, କର୍ମ ତିଆରି କରେ ମଣିଷ ଆଉ ସେଇ କର୍ମରୁ ଆସେ ଭାଗ୍ୟ (ଯଦି ଭାଗ୍ୟ ବୋଲି କିଛି ଅଛି) । କର୍ମରେ ଭଗବାନଙ୍କ ଧର୍ମ କିଛି ନାହିଁ, କର୍ମରେ ମଣିଷର କର୍ତ୍ତବ୍ୟ ଅଛି । ଧର୍ମର ଉଦ୍ଦେଶ୍ୟ କର୍ମ ଭିତରେ ମଣିଷକୁ ବାଟ ଦେଖେଇବା, ଧର୍ମ ଏକ ଉଦାହରଣ ମାତ୍ର, ଧର୍ମ ସବୁକିଛି ନୁହେଁ, କର୍ମ କିନ୍ତୁ ସବୁକିଛି । ବିନା ଧର୍ମରେ ମଣିଷ ବଞ୍ଚିପାରିବ, କିନ୍ତୁ ବିନା କର୍ମରେ ସେ ବଞ୍ଚିପାରିବ ନାହିଁ । କେବଳ ମଣିଷ ନୁହେଁ, ଜୀବଜଗତର ଅନ୍ୟ ପ୍ରାଣୀ ମଧ୍ୟ । ପକ୍ଷୀଟିଏ ସକାଳୁ ଉଡ଼ିବୁଲିବ ଖାଦ୍ୟ ଅନ୍ୱେଷଣରେ । ପିମ୍ପୁଡ଼ିଟିଏ ଅହୋରାତ୍ର ଖାଦ୍ୟର ସନ୍ଧାନରେ ଥାଏ । ଆପଣ ଦେଖିଛନ୍ତି ଏମାନଙ୍କୁ କେବେ ବି ବସିରହିବାର ବା ଥକିଯିବାର, ଯେବେ ଏମାନେ ବସିରହିଗଲେ କି ଥକିଗଲେ, ଏମାନେ ଆଉ ଖାଦ୍ୟ ପାଇପାରିବେ ନାହିଁ ଆଉ ଶୀଘ୍ର ମରିଯିବେ । କଠିନ ପରିଶ୍ରମ ଆଉ କର୍ମର କିଛି ବିକଳ୍ପ ନାହିଁ । ଯିଏ ଭାଗ୍ୟ କଥା କହେ, ମୁଁ କହିବି ସେ ଅଳସୁଆ, ମୋତେ ଲାଗେ ଭାଗ୍ୟ ହେଉଛି କେବଳ ସାନ୍ତ୍ୱନା ଦେବାର ଏକ ଶବ୍ଦ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top