ଗଳ୍ପ

ବାଘ ଶିକାର

Madhabananda Panda's odia story for children BAAGHA SHIKAARA

ମଢ଼ ପାଖରୁ ଆମ୍ୱଗଛଟିର ଦୂରତା ୧୫ ଫୁଟ । ବାଘକୁ ମାରିବାକୁ ହେଲେ ନିହାତି ୧୫/୧୬ ଫୁଟ ଉଚ୍ଚରେ ମଞ୍ଚା ବାନ୍ଧିବା ଦରକାର ।

ବାଘ ଶିକାର

ଶିମିଳିପାଳ ଜଙ୍ଗଲରେ ଗୋଟେ ମଣିଷଖିଆ ବାଘ ମାତିଥାଏ । ଏକଦା କେତେକ ଶ୍ରମିକ ରାସ୍ତାକାମ କରୁଥାନ୍ତି । ଜଣେ ଲୋକ ଗୋଟେ ଗଛ ଆଢୁଆଳରେ ବିଶ୍ରାମ କରୁଥିବା ଅବସରରେ ଗୋଟିଏ ବାଘ କେଉଁଠୁ ଆସି ତାକୁ ଝାମ୍ପି ନେଇଗଲା । ଅନ୍ୟ ଶ୍ରମିକମାନେ ପାଟିତୁଣ୍ଡ କରି ବାଘର ଅନୁଧାବନ କରିବା ସତ୍ତ୍ୱେ ତାଙ୍କର ସାଥୀଟିକୁ ଉଦ୍ଧାର କରିପାରିଲେ ନାହିଁ । ଏ ଘଟଣା ଘଟିବାର ଦୁଇଦିନ ପରର ଘଟଣା । ପ୍ରାୟ ୫ ମାଇଲ୍ ଦୂରରେ ଥାଏ ଗୋଟିଏ ପାହାଡ଼ି ଆଦିବାସୀ ଗାଁ । ସନ୍ଧ୍ୟା ସମୟ । ୧୦/୧୨ ବର୍ଷର ଝିଅଟିଏ ପାଣି ପାଇଁ ଯାଇଥାଏ ତାଙ୍କ ଘର ପାଖରେ ଥିବା ଛୋଟ ପୋଖରୀକୁ । ମାତ୍ର ଝିଅଟି ଆଉ ଫେରିଲା ନାହିଁ । ଅନେକ ସମୟ ଧରି ନ ଫେରିବାରୁ ତାର ବାପା, ମା’ ଭାବିଲେ ଝିଅ ହୁଏତ ଝାଡ଼ା ଯାଇଥିବ । ମାତ୍ର ଦୀର୍ଘ ସମୟ ଧରି ନ ଫେରିବାରୁ ସେମାନେ ଲଣ୍ଠନ ଧରି ଗାଁର ଅନ୍ୟ କେତେକ ଲୋକଙ୍କ ସହିତ ଝିଅକୁ ଖୋଜିବାକୁ ବାହାରିଲେ । ସେମାନେ ଦେଖିଲେ ମାଠିଆଟି ପାଣିରେ ଭାସୁଛି । କୂଳରେ ଥିବା କାଦୁଅ ଉପରେ ଗୋଟିଏ ବାଘର ପାଦଚିହ୍ନ ପଡ଼ିଛି । ଏକ ସରୁ ରକ୍ତର ଧାର ଲମ୍ୱି ଯାଇଛି ଜଙ୍ଗଲ ଆଡ଼କୁ । କାହାରି ସନ୍ଦେହ ରହିଲା ନାହିଁ ଯେ ଏହା ସେହି ମଣିଷଖିଆ ବାଘର କାମ । ତା’ର ୨/୩ ଦିନ ପରର ଘଟଣା । ଜଣେ ଚାଷୀ ଜଙ୍ଗଲ ପାଖ ଜମିକୁ ଚାଷ କରିବାକୁ ଯାଇଥିଲା । ବେଳ ରତରତ ହେଉଥାଏ । ସେ ହଳ ଫିଟାଇ ଫେରୁଥାଏ । କିଛି ଦୂରରେ ଆସୁଥିବା ଲୋକମାନେ ଏକ ଚିତ୍କାର ଶୁଣିଲେ । ବଳଦ ଦି’ଟା ତରକି ଯାଇ ଧାଇଁ ଧାଇଁ ଘରେ ପହଞ୍ଚିଲେ । ଗାଁର ଅନେକ ଲୋକ ଠେଙ୍ଗା ବାଡ଼ି ଧରି ବହୁ ଖୋଜାଖୋଜି କଲେ । ଜଙ୍ଗଲ ପାଖାପାଖି ଏକ ରକ୍ତାକ୍ତ ଠେକା ବ୍ୟତୀତ ସେମାନେ ଆଉ କିଛି ପାଇଲେ ନାହିଁ । ଏହା ଯେ ମଣିଷଖିଆ ବାଘର କାମ ଏକଥା ଜାଣିବାକୁ କାହାରି ବାକି ରହିଲା ନାହିଁ । ଶିମିଳିପାଳ ପାଖାପାଖି ପ୍ରାୟ ୫୦ ଖଣ୍ଡ ଗାଁରେ ଖେଳିଗଲା ଆତଙ୍କ । ସନ୍ଧ୍ୟା ହେଲେ ସମସ୍ତଙ୍କ ତାଟି କବାଟ ପଡ଼ିଗଲା । ବାଘ ଭୟରେ ୧୦/୧୨ ଜଣ ଲୋକ ଏକାଠି ନ ହେଲେ କେହି କୁଆଡେ଼ ବାହାରିଲେ ନାହିଁ । ବାରିପଦାର ସବ୍ ଡିଭିଜନାଲ୍ ଅଫିସର୍ ଏ ମଣିଷଖିଆ ବାଘକୁ ମାରିଦେଲେ ପୁରସ୍କାର ଦିଆଯିବ ବୋଲି ଖବରକାଗଜ ମାଧ୍ୟମରେ ଜଣାଇ ଦେଲେ । ବଣ୍ଟି ଏ ଖବର ଶୁଣି ସେ ବାଘକୁ ନିପାତ କରିବା ପାଇଁ ମନସ୍ଥ କଲା । ଅନେକ ଶିକାରୀ ସେହି ମଣିଷଖିଆ ବାଘକୁ ମାରିବା ପାଇଁ ଚେଷ୍ଟା ଚଳାଇଥାନ୍ତି । ଏହି ସମୟରେ ଏକ ଅତି ମର୍ମନ୍ତୁଦ ଘଟଣା ଘଟିଲା । ବଣ୍ଟିର ଜଣେ ଘନିଷ୍ଠ ସାଙ୍ଗ ପିଣ୍ଟୁ ତା’ର ମାମୁଁଘରକୁ ଯାଇଥିଲା । ମାମୁଁ ଘରେ ଦୁଇଦିନ କଟାଇ ସେ ଜଙ୍ଗଲ ବାଟ ଦେଇ ୨/୩ ଜଣ ଲୋକଙ୍କ ସହିତ ଫେରୁଥାଏ । ବାଟରେ ସେଇ ମଣିଷଖିଆ ବାଘ ଆକ୍ରମଣ କଲା । ପିଣ୍ଟୁ ସାଥିରେ ଆସୁଥିବା ଲୋକମାନେ ମିଳିତ ଭାବରେ ବାଘଟିକୁ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କଲେ । ମାତ୍ର ବାଘ ଆଖିପିଛୁଳାକେ ପିଣ୍ଟୁକୁ ଧରି ପାର୍ । ପିଣ୍ଟୁର ମାମୁଁଙ୍କୁ ବାଘ ରାମ୍ପୁଡ଼ି ଦେଇଥାଏ । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି । ଏ ଘଟଣା ବଣ୍ଟିର ମନରେ ଦୁଃଖର ଢେଉ ଖେଳାଇ ଦେଲା । ଯେଉଁ ବାଘ ତା’ର ଘନିଷ୍ଠ ବନ୍ଧୁକୁ ଛଡ଼ାଇ ନେଇଛି ତାକୁ ମାରି ବନ୍ଧୁ ହତ୍ୟାର ଚରମ ପ୍ରତିଶୋଧ ନେବା ପାଇଁ ବଣ୍ଟି ମନେ ମନେ ପ୍ରତିଜ୍ଞାନ କଲା ।

ଅତି ଶକ୍ତିଶାଳୀ ଦୁଇଟି ରାଇଫଲ୍ ଧରି ବଣ୍ଟି ବାହାରିଲା । ପ୍ରଥମେ ସେ ଡାକ୍ତରଖାନାରେ ପିଣ୍ଟୁର ମାମୁଁଙ୍କୁ ଭେଟିଲା । ମାମୁଁ ତାକୁ କହିଲେ ସେ ବାଘର ଗୋଟିଏ ଗୋଡ଼ ଛୋଟା । ବାଘଟି ପ୍ରାୟ ୭/୮ ଫୁଟ ଲମ୍ୱ । ତା’ପରେ ବଣ୍ଟି ପାଖ ଗାଁର ୩ ଜଣ କନ୍ଧ ଯୁବକଙ୍କୁ ଏକତ୍ର କଲା । ସେମାନେ ଖୁସିରେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ କାରଣ ପ୍ରତ୍ୟେକଙ୍କର କେହି ନା କେହି ଆତ୍ମୀୟ ଏହି ବାଘ ଆକ୍ରମଣର ଶିକାର ହୋଇଥିଲେ । ଦିନେ ବଣ୍ଟି ଖବର ପାଇଲା ଯେ ଜଙ୍ଗଲ ପାଖ ଝରଣାରୁ ପାଣି ଆଣୁଥିବା ବେଳେ ଦିନ ଦି’ପହରରେ ବାଘଟି ଗୋଟିଏ ସ୍ତ୍ରୀ ଲୋକକୁ ଝାମ୍ପି ନେଇଛି । କେବଳ ରକ୍ତାକ୍ତ ଲୁଗାର ଚିରାଅଂଶ ବ୍ୟତୀତ ସ୍ତ୍ରୀ ଲୋକଟିର ଆଉ କିଛି ସନ୍ଧାନ ମିଳିଲା ନାହିଁ । ସେ ସ୍ତ୍ରୀଲୋକଟିର ଛୁଆମାନଙ୍କର ବିକଳ କାନ୍ଦଣା ବଣ୍ଟିର ହୃଦୟକୁ ବିଚଳିତ କରିଦେଲା । ତତ୍‌କ୍ଷଣାତ୍ ସେହି କନ୍ଧ ଯୁବକମାନଙ୍କୁ ସାଙ୍ଗରେ ନେଇ ବଣ୍ଟି ବାହାରି ପଡ଼ିଲା । ସ୍ତ୍ରୀ ଲୋକଟିକୁ ବାଘ ଯେଉଁ ସ୍ଥାନରେ ଝାମ୍ପି ନେଇଥିଲା ସେଠାରେ ବାଘର ପାଦଚିହ୍ନ ସ୍ପଷ୍ଟ ବାରି ହୋଇ ପଡୁଥାଏ । ବଣ୍ଟି ଦେଖିଲା ତିନୋଟି ପାଦଚିହ୍ନ ସ୍ପଷ୍ଟ ମାତ୍ର ଆଉ ଗୋଟିଏ ଅସ୍ପଷ୍ଟ । ଏଥିରୁ ଜଣାପଡ଼ିଲା ବାଘର ଡାହାଣ ପାଖ ଆଗ ଗୋଡ଼ଟି ଛୋଟା । ତା’ ଛଡ଼ା ବାଘଟି ପୁରୁଷ । ବୃଦ୍ଧାବସ୍ଥା ହେତୁ କିମ୍ୱା ଅଙ୍ଗହାନି ହେତୁ ବାଘ ଶିକାର କରିବାରେ ଅକ୍ଷମ ହେଲେ ମଣିଷଖିଆ ହୋଇଯାଏ । ସମ୍ଭବତଃ କୌଣସି ଶିକାରୀର ଗୁଳିମାଡ଼ରେ ତା’ର ଗୋଟିଏ ଗୋଡ଼ ଛୋଟା ହୋଇଯାଇଛି । ଫଳରେ ସେ ମଣିଷଖିଆ ବାଘରେ ପରିଣତ ହୋଇଯାଇଛି । ବନ୍ୟପ୍ରାଣୀମାନଙ୍କୁ ସଂରକ୍ଷଣ କରାଯାଉଥିଲେ ମଧ୍ୟ ମଣିଷଖିଆ ବାଘକୁ ନିପାତ କରିବା ସର୍ବାଦୌ କର୍ତ୍ତବ୍ୟ । ବଣ୍ଟି ୩ ଟି ମଇଁଷି ଯୋଗାଡ଼ କଲା । ଗୋଟିଏ ମଇଁଷିକୁ ସେହି ନାଳ ପାଖରେ ଥିବା ଗୋଟିଏ ଗଛ ମୂଳରେ ବାନ୍ଧିଲା । ବାଘ ବହୁତ ଚତୁର । କୌଣସି କାରଣରୁ ସନ୍ଦେହ ହେଲେ ବାଘ ଶିକାର ପାଖକୁ ଆସେ ନାହିଁ । ଏଣୁ ବଣ୍ଟି ମଇଁଷିର ଗୋଡ଼ରେ ପଘା ବାନ୍ଧି ଗଛରେ ବାନ୍ଧି ଦେଲା । ସେଠାରୁ ପ୍ରାୟ ଏକ ମାଇଲ୍ ଦୂରରେ ବଣ୍ଟି ଆଉ ଗୋଟିଏ ମଇଁଷି ବାନ୍ଧିଲା । ଉଭୟ ମଇଁଷିଙ୍କ ପାଖରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଏକ ପାଦଚଲା ରାସ୍ତା ପାଖରେ ଏକ ଆମ୍ୱଗଛରେ ଆଉ ଗୋଟିଏ ମଇଁଷି ବନ୍ଧାଗଲା । ଏତକ ପ୍ରାରମ୍ଭିକ କାର୍ଯ୍ୟ ଶେଷ କରି ବଣ୍ଟି ଓ ତା’ର ସାଥୀମାନେ ପାଦଚଲା ରାସ୍ତା ଦେଇ ଗୋଟିଏ ପାହାଡ଼ି ଗାଁକୁ ଫେରୁଥାନ୍ତି । ବାଟରେ ବାଁ କଡ଼କୁ ଥାଏ ଥାକ ଥାକ ସଜା ହେବା ପରି ମୁଣ୍ଡିଆ ପାହାଡ଼ଟିଏ । ତାରି ପାଖ ଦେଇ ଫେରିବା ବେଳେ ହଠାତ୍ ଏକ ହରିଣ ଚିତ୍କାର କରି ଧାଇଁ ପଳାଇଲା । ଏହି ସମୟରେ ଗୋଟିଏ ମାଙ୍କଡ଼ ଚିତ୍କାର କଲା ଖାଁ. . . ଖାଁ. . . ହାକୋ ହାକୋ କା । ବଣ୍ଟି ଜାଣି ବାରିଲା ବାଘ ନିଶ୍ଚୟ ଖୁବ୍ ପାଖରେ ଅଛି । ତାକୁ ଦେଖି କିମ୍ୱା ତା’ର ଗନ୍ଧବାରି ହରିଣଟି ଧାଇଁ ପଳାଇଛି । ମାଙ୍କଡ଼ଟି ବାଘକୁ ଦେଖି ବଣ୍ୟଜନ୍ତୁମାନଙ୍କୁ ସତର୍କ କରାଇ ଦେଉଛି । ବଣ୍ଟି ଫେରିଲା ପଡ଼ିଲା । ସେ ଯାହା ଦେଖିଲା ତା’ର ଆଶ୍ଚର୍ଯ୍ୟ ତଥା ଆତଙ୍କର ସୀମା ରହିଲା ନାହିଁ । ତୃତୀୟ ମଇଁଷିକୁ ବାନ୍ଧି ଫେରିବା ବାଟରେ ବାଘ ତାଙ୍କୁ ଦେଖି ସେମାନଙ୍କ ପଛେ ପଛେ ଆସୁଥିଲା । ପ୍ରାୟ କୋଡ଼ିଏ ଫୁଟ ଦୂରରେ ହୋଇଥିବା ବେଳେ ହରିଣ ଧାଇଁ ପଳାଇବାରୁ ତଥା ମାଙ୍କଡ଼ଟି ଚିତ୍କାର କରିବାରୁ ବାଘଟି ଆଉ ଅଗ୍ରସର ନ ହୋଇ ଘନ ଜଙ୍ଗଲ ଭିତରେ କେଉଁଠି ଲୁଚି ଯାଇଛି । ସେଇ ଅଜଣା ହରିଣ ଓ ମାଙ୍କଡ଼ଙ୍କ ଉଦ୍ଦେଶ୍ୟରେ ବଣ୍ଟି ପ୍ରଣାମ ଜଣାଇଲା । ସେମାନେ ବାଘକୁ ଧରା ପକାଇ ଦେଇ ନଥିଲେ ବଣ୍ଟି ଓ ତା’ର ସାଥୀମାନେ ନିଶ୍ଚିତ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ।

ବଣ୍ଟି ଓ ତା’ର ସାଥୀମାନେ ସେହି ପାହାଡ଼ି ଗାଁର କୋଠାଘରେ ରାତିଟି କଟାଇଲେ । ପାହାନ୍ତା ବେଳକୁ ବାଘର ହେଣ୍ଟାଳ ଶୁଣାଗଲା । ସକାଳୁ ସକାଳୁ ବଣ୍ଟି ଏବଂ ତା’ର ସାଥିମାନେ ସେ ମଇଁଷିମାନଙ୍କୁ ଦେଖିବାକୁ ବାହାରିଲେ । ନାଳର ତଳ ମୁଣ୍ଡରେ ତଥା ଉପର ମୁଣ୍ଡରେ ଥିବା ମଇଁଷି ଦୁଇଟି ନିରାପଦରେ ଶୋଇଥାନ୍ତି । ମାତ୍ର ସବୁଠାରୁ ଦୂରରେ ଥିବା ମଇଁଷିକୁ ବାଘ ମାରି ଦେଇଥାଏ । ସେ ସ୍ଥାନର ପରିସ୍ଥିତିରୁ ଜଣାପଡୁଥାଏ ବାଘ ସେ ମଇଁଷିକୁ ମାରିବାକୁ ବହୁ ପରିଶ୍ରମ କରିଛି । ମଇଁଷିକୁ ମାରି ସାରିବା ପରେ ବାଘ ତାକୁ ଗୋଟିଏ ବୁଦା ଉହାଡ଼କୁ ଘୋଷାରି ନେଇଥାଏ । କିଛି ଅଂଶ ଖାଇ ଦେଇ ଶୁଖିଲା ପତ୍ର ଘୋଡ଼ାଇ ଦେଇଥାଏ । ବାଘକୁ ମାରିବାକୁ ଏକ ସୁବର୍ଣ୍ଣ ସୁଯୋଗ । ମଢ଼ ପାଖରୁ ଆମ୍ୱଗଛଟିର ଦୂରତା ୧୫ ଫୁଟ । ବାଘକୁ ମାରିବାକୁ ହେଲେ ନିହାତି ୧୫/୧୬ ଫୁଟ ଉଚ୍ଚରେ ମଞ୍ଚା ବାନ୍ଧିବା ଦରକାର । ମାତ୍ର ଆମ୍ୱଗଛର ନିମ୍ନତମ ଡାଳଟି ମାତ୍ର ୧୦ ଫୁଟ ଉଚ୍ଚରେ ତା’ର ଉପର ଡାଳଟି ୨୫ ଫୁଟ ଉଚ୍ଚରେ । ଏତେ ଉଚ୍ଚରେ ମଞ୍ଚା ବାନ୍ଧିଲେ ଲକ୍ଷ୍ୟ ଠିକ୍ ରହି ନପାରେ । ୧୦ ଫୁଟ୍ ଉଚ୍ଚରେ ମଞ୍ଚା ବାନ୍ଧିବା ବିପଜ୍ଜନକ ବୋଲି ଜାଣଇଥିଲେ ମଧ୍ୟ ବଣ୍ଟି ରିସ୍କ ନେବାକୁ ସ୍ଥିର କଲା । କାରଣ ବନ୍ଧୁ ହତ୍ୟାର ପ୍ରତିଶୋଧ ନେବାକୁ ହେବ । ତା’ ଛଡ଼ା ଜୀବନଟା ତ ସଙ୍କଟମୟ । ଅତ୍ୟଧିକ ନିରାପତ୍ତା ଭିତରେ ଜୀବନ ହୋଇପଡେ଼ ସ୍ୱାଦହୀନ, ନିରର୍ଥକ । ଦୁଃସାହସ ମାଧ୍ୟମରେ ହିଁ ଜୀବନକୁ ଉପଭୋଗ କରାଯାଇପାରେ । ସେହି ନିମ୍ନତମ ଡାଳରେ ମଞ୍ଚା ବାନ୍ଧି ସେମାନେ ଫେରି ଆସିଲେ । ୪ଟା ବେଳକୁ ବଣ୍ଟି ବନ୍ଧୁକ, ଟର୍ଚ୍ଚ, କିଛି ଖାଦ୍ୟ ପଦାର୍ଥ ନେଇ ବାହାରିଲା । ତା’ର ସାଥୀମାନଙ୍କ ମଧ୍ୟରୁ ଜଣେ ତା’ ସହିତ ମଞ୍ଚାରେ ବସିବାକୁ ଜିଦ୍ ଧରିବାରୁ ବଣ୍ଟି ତାକୁ ସାବଧାନ କରାଇ ଦେଲା ସାମାନ୍ୟତମ ଶବ୍ଦ ଯେପରି ନ ହୁଏ । କାରଣ ବାଘ ଅତି ସାବଧାନ । ଏ ସୁଯୋଗ ହାତଛଡ଼ା ହୋଇଗଲେ ମଣିଷଖିଆ ବାଘଟିକୁ ମାରିବାକୁ ଆଉ ଏକ ସୁଯୋଗ ମିଳିବା ଅତି କଷ୍ଟକର । ସେ ଦୁଇଜଣ ମଞ୍ଚାରେ ବସିବା ପରେ ଅନ୍ୟମାନେ କୋଳାହଳ କରି ଚାଲିଗଲେ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top