ଗଳ୍ପ

ବାଘ ଶିକାର

Madhabananda Panda's odia story for children BAAGHA SHIKAARA

ସେ ମଢ଼ର ପଛପାଖରୁ ମାଂସ ଛିଣ୍ଡାଇ ଖାଉଥିବା ସମୟରେ ବଣ୍ଟି ଲକ୍ଷ୍ୟ କଲା ତା’ର ମୁଣ୍ଡ ତା’ର ରାଇଫଲ୍ ରେଞ୍ଜ୍ ବାହାରେ ରହୁଛି ।

ବାଘ ଶିକାର

-: ପୁର୍ବରୁ :-

ବାଘ ଯଦି କେଉଁଠି ଲୁଚିଥାଏ ସେ ଜାଣିବ ଯେ ଆଉ କେହି ନାହାନ୍ତି । ଦୁହେଁ ନୀରବରେ ବସିଥାନ୍ତି । କ୍ରମଶଃ ସନ୍ଧ୍ୟା ହେଲା । ରାତ୍ରି ଆଗେଇ ଚାଲିଲା । ଝାପ୍ସା ଜହ୍ନ ଆଲୁଅରେ ବଣ୍ଟି ଦେଖିଲା ଅତି ସନ୍ତର୍ପଣରେ ଗୋଟିଏ ଜନ୍ତୁ ମଢ଼ ପାଖକୁ ଆଗେଇ ଆସୁଛି । ସେ ତା’ର ସାଥୀଟିକୁ ସତର୍କ କରାଇ ଦେଲା । ସେ ଲୋକଟି ସେତେବେଳକୁ ଭୟରେ ଥରୁଥାଏ । ମାତ୍ର ଜନ୍ତୁଟି ମଢ଼ର ନିକଟବର୍ତ୍ତୀ ହେବାରୁ ବଣ୍ଟି ଦେଖିଲା ସେଇଟି ଗୋଟିଏ ହାଏନା । ବାଘ କି ସିଂହ ମଢ଼ କରିଥିଲେ ବେଳେ ବେଳେ ହାଏନାମାନେ ଲୁଚି କିଛି କିଛି ମାଂସ ଖାଇ ଦିଅନ୍ତି । ରାତି ପ୍ରାୟ ୧୨ଟା । ହଠାତ୍ ଦୂରରୁ କେତେଟା ହରିଣ ଚିତ୍କାର କରି ଉଠିଲେ । ବାଘ ଆସୁଛି । ହରିଣର ଚିତ୍କାର ଶୁଣି ହାଏନାଟି ଏଣିକି ତେଣିକି ଚାହିଁ ପଳାଇଗଲା । ଚାରିଆଡେ଼ ଏକ ଅସ୍ୱାଭାବିକ ନୀରବତା । ଟିକେ ଖସ୍‌ଖସ୍ ଶବ୍ଦ ଶୁଣି ବଣ୍ଟି ନିରେଖି ଚାହିଁଲା । ସେମାନଙ୍କ ମଞ୍ଚାର ଠିକ୍ ତଳେ ବାଘ । ବଣ୍ଟିର ଅନୁମାନ ଅନୁଯାୟୀ ସମ୍ମୁଖ ଭାଗରୁ ନ ଆସି ବାଘଟି ପଛ ପଟରୁ ଆସି ସେ ଗଛମୂଳେ ବସିଛି । ସେମାନଙ୍କ ଭିତରେ ବ୍ୟବଧାନ ମାତ୍ର ୧୦ ଫୁଟ । ତା’ ସାଥିଟି ସେତେବେଳକୁ ଲୁଗାରେ ଏକ କରି ସାରିଥାଏ । ବଣ୍ଟି ଧୀରେ ଧୀରେ ବନ୍ଧୁକ ବୁଲାଇବା ବେଳକୁ ଟିକେ ଶବ୍ଦ ହେଲା । ବାଘ ଚମକି ଯାଇ ଆଖି ତରାଟି ଚାହିଁଲା । ଅନ୍ଧାର ଭିତରେ ଆଖି ଦୁଇଟି ଜଳନ୍ତା ରଡ଼ ନିଆଁ ଭଳି ଦିଶୁଥାଏ । ବାଘଟି ଧୀରେ ଧୀରେ ଲାଞ୍ଜ ପିଟୁଥାଏ । ଏଇଟା ଆକ୍ରମଣର ସଙ୍କେତ । ବାଘର ଗର୍ଜନ ଶୁଣି ବଣ୍ଟିର ସାଥି ଜଣକ ଚିତ୍କାର କଲା “ମଲି ଲୋ ମା” । ବଣ୍ଟି ସମ୍ପୂର୍ଣ୍ଣ ଭାବେ ବନ୍ଧୁକ ବୁଲାଇ ସାରିବା ପୂର୍ବରୁ ଏକ ବିକଟାଳ ଗର୍ଜନ କରି ବାଘ ସେମାନଙ୍କ ଉପରକୁ କୁଦା ମାରିଲା । ତା’ର ଥାବା ଆଘାତରେ ମଞ୍ଚାର ଗୋଟିଏ ପାଖ ଭାଙ୍ଗିଗଲା । ବାଘ ଦୁମ୍ କରି ତଳେ ପଡ଼ିଗଲା । ସେ ଆଉ ଥରେ ଲମ୍ଫ ପ୍ରଦାନ କରିବା ପୂର୍ବରୁ ମଞ୍ଚାର ଗୋଟିଏ ଫାଳ ସହ ବଣ୍ଟି ବାଘ ଉପରେ ଖସି ପଡ଼ିଲା । ବଣ୍ଟି ଦେଖିଲା ନିଶ୍ଚିତ ମୃତ୍ୟୁ । ଏଣୁ ତତ୍‌କ୍ଷଣାତ୍ ସେ ଫାୟାର୍ କଲା । ପ୍ରଚଣ୍ଡ ଶବ୍ଦ କରି ଶକ୍ତିଶାଳୀ ରାଇଫଲ୍ ଗର୍ଜି ଉଠିଲା । ବିକଟାଳ ଗର୍ଜନ କରି ବାଘ ଏକା ଡିଆଁକେ ଜଙ୍ଗଲ ଭିତରେ ଲୁଚିଗଲା । ବଣ୍ଟି ଗଛକୁ ଚଢ଼ିଗଲା । ଦୁହେଁ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ ।

ସକାଳେ ଗଛରୁ ଓହ୍ଲାଇ ଦୁହେଁ ବାଘର ପାଦଚିହ୍ନ ଦେଖିପାରିଲେ । ମାତ୍ର ରକ୍ତର ଦାଗ ନ ଥିଲା । ଏଣୁ ଗୁଳି ନିଶ୍ଚୟ ବାଘ ଦେହରେ ବାଜି ନାହିଁ । ହତାଶ ମନରେ ଦୁହେଁ ଘରକୁ ଫେରିଲେ । ବଣ୍ଟି ଆଶା ଛାଡ଼ି ନ ଥାଏ । ବାଘ ମଢ଼ ପାଖକୁ ଆସିପାରେ । ତେଣୁ ସେ ଆଉ ଥରେ ମଞ୍ଚା ତିଆରି କରାଇ ଦେଲା । ଏଥରକ ସେ ଏକୁଟିଆ ମଞ୍ଚାରେ ବସିବାକୁ ସ୍ଥିର କଲା । ଗତରାତିରେ ଅସାବଧାନତା ଯୋଗୁଁ ବଣ୍ଟି ଅଧିକ ସତର୍କ ହୋଇ ବସିଥାଏ । ରାତି ପ୍ରାୟ ଗୋଟାଏ । ବଣ୍ଟି ଲକ୍ଷ୍ୟ କଲା ବାଘ ଅତି ସନ୍ତର୍ପଣରେ ମଢ଼ ଆଡ଼କୁ ଆଗେଇ ଯାଉଛି । କିଛି ସମୟ ଏପଟ ସେପଟ ବୁଲି ସାରିବା ପରେ ବାଘ ବୋଧହୁଏ ନିଶ୍ଚିତ ହେଲା ଯେ ଆଉ କିଛି ବିପଦ ନାହିଁ । ସେ ମଢ଼ର ପଛପାଖରୁ ମାଂସ ଛିଣ୍ଡାଇ ଖାଉଥିବା ସମୟରେ ବଣ୍ଟି ଲକ୍ଷ୍ୟ କଲା ତା’ର ମୁଣ୍ଡ ତା’ର ରାଇଫଲ୍ ରେଞ୍ଜ୍ ବାହାରେ ରହୁଛି । ତଥାପି ସୁଦ୍ଧା ଏ ସୁଯୋଗ ହରାଇବା ଉଚିତ୍ ମନେ ନ କରି ସେ ଲକ୍ଷ୍ୟ ସ୍ଥିର କରିନେଲା । ରାଇଫଲ୍ ସହିତ ସଂଯୁକ୍ତ ଶକ୍ତିଶାଳୀ ଟର୍ଚ୍ଚର ସୁଇଚ୍ ଟିପିବା ସଙ୍ଗେ ସଙ୍ଗେ ସେ ବନ୍ଧୁକର ଘୋଡ଼ା ଟିପି ଦେଲା । ବନ୍ଧୁକର ଗର୍ଜନ ସହିତ ବାଘର ବିକଟାଳ ଗର୍ଜନ ସମଗ୍ର ବନଭୂମିକୁ ପ୍ରକମ୍ପିତ କରିଦେଲା । ବାଘ ବିକଟାଳ ଗର୍ଜନ କରି ବୁଦା ଗୁଡ଼ିକୁ ସତେବା ଚାଞ୍ଛି ପକାଉଥାଏ । କିଛି ସମୟ ପରେ ରାତ୍ରି ହୋଇଗଲା ନିଶ୍ଚୁପ । ସକାଳ ହେବା ମାତ୍ରେ ବଣ୍ଟି ଅତି ସନ୍ତର୍ପଣରେ ମଢ଼ ପାଖକୁ ଗଲା । ଚାରିଆଡେ଼ ପ୍ରଚୁର ରକ୍ତ । ବାଘ ଦେହରେ ନିଶ୍ଚୟ ଗୁଳି ବାଜିଛି । ରକ୍ତ ଦାଗ ଅନୁସରଣ କରି ବଣ୍ଟି ଅତି ସାବଧାନତା ସହକାରେ ଆଗଉଥାଏ । କାରଣ ଘାଇଲା ବାଘ ଅତି ଭୟଙ୍କର । ପ୍ରାୟ ମାଇଲିଏ ଯିବା ପରେ ଝରଣା ପାଖରେ ପ୍ରଚୁର ରକ୍ତ ପଡ଼ିଥିବାର ଦେଖି ପାରିଲା । ନିଶ୍ଚୟ ବାଘ ସେଠି ପାଣି ପିଇଛି । ନାଳର ହୁଡ଼ା ପାରି ହେଲେ ଘଞ୍ଚ ଜଙ୍ଗଲ । ବଣ୍ଟିର ମନେ ହେଲା ପାଖରେ ନିଶ୍ଚୟ ବାଘ ରହିଛି । ସେ ନାଳର ହୁଡ଼ା ଉପରକୁ ଚଢ଼ିବ କି ନାହିଁ ଚିନ୍ତା କରୁ କରୁ ବାଘର ବିକଟ ଗର୍ଜନ ଶୁଣାଗଲା । ବିଦ୍ୟୁତ୍ ବେଗରେ ବାଘ ବଣ୍ଟି ଉପରକୁ କୁଦି ପଡ଼ିଲା । ବଣ୍ଟି ଆଖି ପିଛୁଳାକେ ଗୋଟେ କଡ଼କୁ ଡେଇଁ ପଡ଼ିଲା । ବାଘ ନାଳ ପାଣିରେ ପଡ଼ିଲା । ପୂନର୍ବାର ସମସ୍ତ ଶକ୍ତି ସଞ୍ଚୟ କରି ଉଠି ଆସିବା ବେଳକୁ ବଣ୍ଟି କିଛି ଉପାୟ ନ ପାଇ ବନ୍ଧୁକର ନଳୀ ବାଘ ଆଡ଼କୁ ବଢ଼ାଇ ଦେଲା । ବାଘର ଗୋଟେ ଥାବା ଆଘାତରେ ବନ୍ଧୁକଟି ବଣ୍ଟି ହାତରୁ ଖସିଯାଇ ଦୂରରେ ପଡ଼ିଲା । ବଣ୍ଟି ଦେଖିଲା ଆଉ କିଛି ଉପାୟ ନାହିଁ । ସେ ଉଚ୍ଚ ସ୍ଥାନରେ ଥାଏ । ବାଘ ଆଉ ଥରେ ଉଠି ଆସିବା ବେଳକୁ ବଣ୍ଟି ଆତ୍ମରକ୍ଷା ପାଇଁ ହାତ ବଢ଼ାଇ ଦେଲା । ବାଘର ନଖ ବାଜି ତା’ର କହୁଣି ଖଣ୍ଡିଆ ହୋଇଯାଇଥାଏ । ମାତ୍ର ବାଘଟି ଭାରସାମ୍ୟ ରକ୍ଷା କରି ନ ପାରି ନାଳ ପାଣିରେ ଖସି ପଡ଼ିଲା । ଆଉ ଉଠି ପାରିଲା ନାହିଁ । ବଣ୍ଟି ତତ୍‌କ୍ଷଣାତ୍ ଯାଇ ବନ୍ଧୁକ ଉଠାଇ ନେଲା । ମାତ୍ର ବନ୍ଧୁକ ଆଉ ଫୁଟିବା ଅବସ୍ଥାରେ ନଥାଏ । ବାଘଟି ଆଉ ଆସୁନଥିବାର ଦେଖି ବଣ୍ଟି ଜାଣିପାରିଲା ସେ ମୃତ୍ୟୁବରଣ କରିଛି । ବଣ୍ଟି ଦେଖିଲା ଗୁଳି ବାଜି ବାଘର ଅଣ୍ଟା ଭାଙ୍ଗି ଯାଇଥାଏ । ପ୍ରଚୁର ରକ୍ତସ୍ରାବ ହୋଇ ବାଘଟି ମୃତ୍ୟୁବରଣ କଲା ।

ବଣ୍ଟିର ବିଶ୍ୱାସ ହେଉନଥାଏ ସେ ବାଘଟିକୁ ମାରି ଦେଇଛି ବୋଲି । ତା’ ଦେହରୁ ଗମ୍‌ଗମ୍ ଝାଳ ବୋହି ଯାଉଥାଏ । ସେ ଥକା ମାରି ଗୋଟିଏ ଗଛ ଛାଇରେ ବସି ପଡ଼ିଲା । ତା’ର ମୁଣ୍ଡ ଝିମ୍ ଝିମ୍ ହୋଇଗଲା । ତା’ପରେ ସେ ଆଉ କିଛି ଜାଣେନି । ହଠାତ୍ ସେ ମା’ଙ୍କ ଡାକ ଶୁଣିପାରି ତାଙ୍କୁ କୁଣ୍ଢାଇ ପକାଇ କହିଲା “ମା’ ମୁଁ ସେ ବାଘକୁ ମାରି ଦେଇଛି । ହେଇ ଦେଖ୍ ବାଘଟା ସେଠି ପଡ଼ିଛି ।” ମା’ ମୁଣ୍ଡରେ ହାତ ଦେଇ କହିଲେ “ଆରେ ବଣ୍ଟି, ଗତକାଲି ଯାତ୍ରାରୁ ବାଘ କଣ୍ଢେଇଟା କିଣିଥିଲୁ । ଦି’ଟା ଦିନ ବି ରଖିପାରିଲୁ ନାହିଁ ? ଭାଙ୍ଗି ଚୁନା କରି ଦେଇଛୁ ? ହାତ ଖଣ୍ଡିଆ ହେଇ ରକ୍ତ ବାହାରୁଛି ।” ବଣ୍ଟି ଏତେବେଳେକେ ଜାଣିଲା ଯେ ସେ ସ୍ୱପ୍ନ ଦେଖୁଥିଲା । ମା’ଙ୍କ ଆଗରେ ସେ ସବୁକଥା ଗପିଲା । ମା’ କହିଲେ, “ତୁ ପରା ରାତିରେ ଖଟ ତଳକୁ ଗଡ଼ି ପଡ଼ିଥିଲୁ । ମୁଁ କ’ଣ ଜାଣିଚି ତୁ ମଞ୍ଚାରୁ ଖସି ପଡ଼ିଥିଲୁ ବୋଲି ।” ବଣ୍ଟିର ବାପା ସବୁ ଶୁଣି ହସି ପକାଇ କହିଲେ, ଯାହାହେଉ ସ୍ୱପ୍ନରେ ସେ ଏତେ ବଡ଼ କାମଟା କରିପାରିଛି । ଏତେ ବେଳକୁ ପିଣ୍ଟୁ ଆସି ପହଞ୍ଚିଲା । ମା’ କହିଲେ, “ଆରେ ପିଣ୍ଟୁ ଜାଣିଲୁଣି ? ତତେ ବାଘ ଖାଇ ଦେଇଥିଲା ବୋଲି ବଣ୍ଟି ସେ ବାଘଟାକୁ ମାରି ଦେଇଛି । ହେଇ ଦେଖ୍, ସେ ବାଘଟା ସେଠି ମରି ପଡ଼ିଛି ।” ପିଣ୍ଟୁ ଭଙ୍ଗା ବାଘ କଣ୍ଢେଇଟା ଦେଖି ହସି ହସି ଗଡ଼ିଗଲା ।

ଲୋକପ୍ରିୟ ଲେଖା

To Top