ଅନୁଭୂତି

ଅନୁଭୂତି ଏକ ନିର୍ଦ୍ଦୟ ରାତ୍ରିର

Munna Mohapatra's odia cognition abubhuti eka nirddaya raatrira

ରାତି ସାଢେ଼ ଆଠ ହେବ । ଦୂଲ୍ କରି ଶବ୍ଦରେ ଭୁଷୁଡ଼ି ପଡ଼ିଲା ଘରଟା । ଖାଲି ଚାଳ ଛପର ଛାତ ମଧ୍ୟ ଦେଇ କିଛି ଧୁଳି ବାହାରିବା ଦେଖାଗଲା । ତାପରେ ଛାତଟି ମଧ୍ୟ ପାଣି ଭିତରେ ବୁଡ଼ିଗଲା ।

ଅନୁଭୂତି ଏକ ନିର୍ଦ୍ଦୟ ରାତ୍ରିର

ମାତ୍ର ତୃତୀୟ ଶ୍ରେଣୀର ଛୁଆଟେ ମୁଁ ସେ ସମୟରେ । ବୟସ ଆଠରୁ ନ’ ଭିତରେ ହିଁ ରହିବ । ୟା’ ପୂର୍ବର ଅନୁଭୁତି, ଯେବେ ନଈରେ ପାଣି ବଢ଼େ , ସାହି ଦି’କଡ଼ ନଳାରେ କଳାପାଣି ବଦଳରେ ଓଲଟା ସାମାନ୍ୟ ସୁଅ ଛୁଟେ ନଈ ପାଣିର, କାରଣ ସେ ସମୟରେ ନଈ ହିଡ଼ ନଥିଲା । ଆମ କୁନି ଛୁଆଙ୍କ ପାଇଁ ଏ’ ଥିଲା କାଗଜ ଡଙ୍ଗା ଭସାଇବାର ଖେଳ ।

ନଈକୁଳିଆ ଗାଁ, ପ୍ରତି ଘରକୁ ତିନି ଚାରି ପାହାଚ ଚଢ଼ି ଯିବାକୁ ହୋଇଥାଏ । ଗାଁ’ ଦାଣ୍ଡରେ ଖଟିଆ ପାରି ନିର୍ଭୟରେ ବସିଥାନ୍ତି ଲୋକ, ସେମାନଙ୍କ ପାଦକୁ ପାଣି ଛୁଇଁ ଥାଏ । ଆମ ଘର ମୋର ଯାହା ମନେ ଅଛି, ଗୋଟିଏ କିମ୍ୱା ଦେଢ଼ ପାହାଚ ପର୍ଯ୍ୟନ୍ତ ପାଣି ଆସେ, ନିର୍ଭୟରେ ଶୋଇଯାଉ । ସକାଳେ ଦେଖିବା ବେଳକୁ ପାଣି ଗାଁ ମୁଣ୍ଡର ତ୍ରିନାଥ ମନ୍ଦିର ପଛ ପର୍ଯ୍ୟନ୍ତ ଟାଣି ହୋଇ ଚାଲି ଯାଇଥାଏ । ଏସବୁ ଆମର ପ୍ରତି ବର୍ଷର ଅଭ୍ୟାସ ପାଲଟି ଯାଇଛି ।

ଏବେ ତ ନଦୀରେ ପଥର ବନ୍ଧ ହୋଇସାରିଛି । ଗାଁ’ଟି ଏବେ ବନ୍ୟାଦାଉରୁ ମୁକ୍ତ ।

ଦିପହର ତିନିଟା ସମୟରୁ ପୂର୍ବଭଳି ପାଣି ଆସିଲା । ନଳା ଭରି ହୋଇ ସୂର୍ଯାସ୍ତ ସମୟକୁ ଦେଢ଼ କ’ଣ ତିନି ପାହାଚ ଟପିଲାଣି ପାଣି । ସନ୍ଧ୍ୟା ୭ଟାରେ ଆଉ ପାହାଚ ଗୁଡ଼ିକ ଦିଶୁନାହିଁ । ବୁଢ଼ୀମା ଯୋଉ ପିଣ୍ଡାରେ ବସି ଦାନ୍ତ ଘସେ, ସାମାନ୍ୟ ଦେଖାଯାଉଛି ପିଣ୍ଡାଟି । ସାହି ରାସ୍ତାରେ ଆଲୁଅ, ଘରେ ମଧ୍ୟ ବିଜୁଳିବତୀ ଜଳିଛି । ଏ’ ସମୟରେ ମୋ’ ମଉସାଙ୍କ କଚ୍ଚା ଘର ମାଟି ଖୋଳସା କାନ୍ଥ ଭାରସମ୍ୟ ହରାଇ ଅଧା ଢଳିବା ଅବସ୍ଥାରେ ରହିଛି । ରାତି ସାଢେ଼ ଆଠ ହେବ । ଦୂଲ୍ କରି ଶବ୍ଦରେ ଭୁଷୁଡ଼ି ପଡ଼ିଲା ଘରଟା । ଖାଲି ଚାଳ ଛପର ଛାତ ମଧ୍ୟ ଦେଇ କିଛି ଧୁଳି ବାହାରିବା ଦେଖାଗଲା । ତାପରେ ଛାତଟି ମଧ୍ୟ ପାଣି ଭିତରେ ବୁଡ଼ିଗଲା ।

ଏତେ ପାଣି ଆସିବ, ନା ଜନତା, ନା ସରକାର ଆଶା ରଖିଥିଲେ । କୌଣସି ଉଦ୍ଧାରକାରୀ ଦଳ ମଧ୍ୟ ଆସି ପହଞ୍ଚିପାରି ନାହିଁ । ସବୁକିଛି ହଠାତ୍ ଘଟିଗଲା ।

ଆମେ ବାଧ୍ୟ ହୋଇ ଅଧାଘଣ୍ଟା  ଭିତରେ ଗୋଟିଏ ଛାତ ଘରେ ଆଶ୍ରୟ ନେଲୁ । ଏପଟେ ବିଦ୍ୟୁତ ବିଚ୍ଛିନ୍ନ, ଅନ୍ଧାର । ଘଣ୍ଟାଏ ଯାଇଛି କି ନାହିଁ, ଆମ ଅଜାଙ୍କ ପୁରୁଣା ଘର ହେବ ୧୦୦ ବର୍ଷ ତଳର ଖପର ଘରଟେ, ଯୋର୍ ଶବ୍ଦର ସହ ଦାଣ୍ଡରୁ ବାରି ପର୍ଯନ୍ତ ଏକାଥରକେ ଭୁଷୁଡ଼ି ପଡ଼ିଲା । ସାମାନ୍ୟ ଟର୍ଚ୍ଚ ଆଲୁଅରେ ଯାହା ଦେଖାଗଲା ଘରର ଅବସ୍ଥା ଅଜା ବୋଧେ ଶନ୍ନିପାତରେ ଆକ୍ରାନ୍ତ ହେଲେ, ୨/୪ ଦିନ ପର୍ଯନ୍ତ ମାନସିକ ଭାରସମ୍ୟ ହରାଇବସିଲେ, ବଙ୍କୁଲି ବାଡ଼ିଟିକୁ ଆଖୁ କହି ଚୋବାଉଥିଲେ ଇତ୍ୟାଦି ।

ନୂଆ ଛାତ ଘରଟେ ଉପରେ ଆଶ୍ରୟ ନେଇଥିଲୁ ୪ଗୋଟି ପରିବାର । ନଈସୂଅ ସାହି ମଧ୍ୟ ଦେଇ ଚାଲିଛି ଗର୍ଜନର ସହ, ସାମ୍ନା ପାଖ ଘର ବା ଅନ୍ୟ କୌଣସି ଛାତରେ ଲୋକ କେମିତି ଅଛନ୍ତି ? ଡାକ ଛାଡ଼ିଲେ ବି କିଛି ଶୁଣାଯାଉନାହିଁ ।

ଘରଟି ଟିକିଏ ଉଚ୍ଚା ବୋଲି କେତେ ଲୋକ ନିଜ ଘରେ ହିଁ ଆଶ୍ରୟ ନେଇଥିଲେ । ରାତି ହେବ ବୋଧେ ୧୧ଟା, ରାମକୃଷ୍ଣ ମାମୁଁ ଓ ତା’ଙ୍କ ମାଁ ନିଜ ଖପର ଘରର ଛାତ ଚଢ଼ି ପାଖ ଛାତ ଘରକୁ ଯିବା ଦେଖିଲି। ଆମେ ଯେଉଁ ଛାତ ଘରେ ଆଶ୍ରୟ ନେଇଛୁ, ମାତ୍ର ୩ଟି ପାହାଚ ବାକିରହିଛି, ପାଣି ଆମ ପାଦ ଛୁଇଁବାକୁ ।

ଜଣେ କକାଙ୍କୁ ଚିନ୍ତା ହେଲା ତାଙ୍କ ୩ ପୁତୁରା, ଝିଆରୀ ଘରେ ଥିଲେ । କ’ଣ ହୋଇଥିବ କେଜାଣି । ନିଜ ପହିଲମାନ୍ ଚେହେରା ଉପରେ ବିଶ୍ୱାସ ରଖି ବାହାରିଲେ ଛାତରେ ଛାତରେ ୮/୧୦ ଘର ପାରି ହୋଇ ସେମାନଙ୍କୁ ଉଦ୍ଧାର କରି ଆଣିବେ । ଖୁଡ଼ୀ ଓ ଆମ ସମସ୍ତଙ୍କ ବାରଣ ପରେ ମନକଥା ମନରେ ମାରି ସେ ବାଧ୍ୟ ହୋଇ ଚୁପ୍ ରହିଲେ । କାରଣ ବାଟରେ ୨/୩ ଟି ଘର ଭୁଷୁଡ଼ି ପଡ଼ିଛି । ସୁଅ ଛୁଟିଛି ସାହି ମଝିରେ ।

ଆମ ଭାଗ୍ୟକୁ ଆଉ ପାଣି ବଢ଼ିନି । କିନ୍ତୁ କମିନି ମଧ୍ୟ, ସେମିତି ବହୁତ ସମୟ ଠିଆ ହୋଇରହିଲା ପାଣି ଆଉ କିଛି ଘର ସମୂଳେ ଭୁଷୁଡ଼ାଇବା ପାଇଁ । ଆମେ ରହିଥିବା ଘରଟେ ନୂଆ ବୋଲି ସମସ୍ତଙ୍କ ମନରେ ଦମ୍ଭ ।

ସାହିରେ ଜଣେ ଅଜା, ଆଈ, ମାଉସୀ, ୨ଜଣ ମାମୁଁ ନିଜଘରେ ଆଶ୍ରୟ ନେଇଛନ୍ତି ଛାତ ଉପରେ । ମାମୁଁ ଦିଜଣ ଟୋକାଳିଆ ଲୋକ । ଏ ଛାତରୁ ସେ ଛାତ ପାରି ହେଉଥାନ୍ତି । ପାଖ ଘର ଛାତକୁ ଯାଇଛନ୍ତି କି ନାହିଁ, ଅଜା, ଆଈ, ମାଉସୀ ଥିବା ଛାତ ଘରଟି ଦୁଲ୍ କିନା ଶବ୍ଦର ସହ ଭୂମିରେ ପଡ଼ିଲା । ରାତି ଅନ୍ଧାରରେ ସାମାନ୍ୟ ଶବ୍ଦ ଅନୁଭବ କଲୁ, ସକାଳେ ଜାଣିଲୁ ପୂରା ବିଷୟ ।

ତା ପରେ ଦେଖିଲୁ କଚ୍ଚା ଘର ଛଣ ଛପର ଛାତଟେ ଭାସି ଯାଉଛି, ବସିଛନ୍ତି ତା’ ଉପରେ ବାପ, ଝିଅ । ନଡା(ପାଳ) ଗଦାଟିଏ ଭାସି ଯାଉଛି, ତା ଉପରେ ଅଛନ୍ତି, ମାଲିକ କୁକୁର । ସାହିର ଛାତରୁ କେହିଜଣେ ଭଦ୍ର ଲୋକ ଖୋଲା ଯାଇଥିବା ଖଟର ଫିତା ବିଡ଼ାଟେ ତାଙ୍କ ଉପରକୁ ଫିଙ୍ଗି ଦେଲେ । ବହୁ ଦୂର ଯିବା ପରେ ଗୋଟିଏ ଆମ୍ୱ ଗଛ ଉପରକୁ ଖଟ ଫିତା ଫିଙ୍ଗି ଆମ୍ୱ ଗଛରେ ଆଶ୍ରୟ ନେଲେ ସେମାନେ କିନ୍ତୁ ସକାଳ ପାହିଲା ବେଳକୁ ନାଲି ଜନ୍ଦା (ପିମ୍ପୁଡି) ମାନଙ୍କ ଶିକାର ହୋଇଛନ୍ତି ।

ସାହି ପଛପଟେ ତିନି ପୁଅ ବୋହୁ ନିଜ ଘରେ ହିଁ ଆଶ୍ରୟ ନେଇଥିଲେ, କିନ୍ତୁ ପାଣି ବଢ଼ିବା ପରେ ପୁଅମାନେ କୌଣସି ମତେ ପାଖ ଘର ଛାତ ଚଢ଼ି ବୋହୁ ମାନଙ୍କୁ ସେମାନଙ୍କର ଲୁଗାକୁ ଦଉଡ଼ି କରି ଉଦ୍ଧାର କରିଥିଲେ ।

କେହି ଜଣେ ଦି’ଜଣ ବୁଢ଼ା ବୁଢ଼ୀ କହନ୍ତି, ୭ଟି ଦୀପ ଭାସି ଯାଉଥିଲା ଆମେ ଦେଖିଛୁ, କିନ୍ତୁ ମୋର ସେମିତି କିଛି ମନେ ହେଉନି ।

ରାତି କେତେ ହେବ କହିପାରୁନି, ଲୋକ ଆମ ଆଞ୍ଚଳିକ ଭାଷାରେ କହିଲେ “ପାଣି ଛିଡୁଛି” । ଧୀରେ ଧୀରେ ନଈ ସୂଅ, ଗର୍ଜନ, କମିବାରେ ଲାଗିଲା, ସକାଳ ପାହିଲା ବେଳକୁ ମଣିଷେ ପାଣି ସାହିରେ ଠିଆ, କିଛି ବାକିଥିବା ଘର କାନ୍ଥ ବତୁରାଇବା ପାଇଁ,  କିନ୍ତୁ ସୁଅ ନାହିଁ ।

ୟା ଭିତରେ ଗାଈ ଦୁଇଟି ପହଁରି ଆସି ସାହି କୂଅରେ ପଶିଗଲେ, କିନ୍ତୁ ନିଜେ ବାହାରି ଚାଲିଯାଇଥିଲେ ।

ଏ’ ସମୟରେ ଆସିଲେ କକାଙ୍କ ୩ ପୁତୁରା ଝିଆରୀ, ହାତ ପୂରା ନାଲି ପଡ଼ିଯାଇଛି । ଘର ଅଗଣାରେ ଚୋର ଭୟରେ ଲୁହାଛଡ଼ର ଜାଲି ଲଗାଯାଇଥାଏ । ପାଣି ବଢ଼ିଲା ପରେ ଖପର ଛାତ ଉପରକୁ ଚଢ଼ିବାରେ ପ୍ରତିବନ୍ଧକ ଥିଲା ଜାଲି, ସେଥିରେ ଝୁଲି ପୁରା ରାତି କଟିଥିଲା ୩ ନିରୀହଙ୍କର ।

ଦିନ ୯ଟାରେ କିଛି ରିଲିଫ୍ ପହଞ୍ଚିଲା ସରକାରଙ୍କ ତରଫରୁ । ସରକାରୀ ଅଫିସରଙ୍କ ପାଖରୁ ଶୁଣିଲୁ ନଈ ତଳ ଭାଗରେ ଥିବା କୌଣସି ବ୍ୟାରେଜ୍ ଅଚଳ ଥିବାରୁ ଆମ ଗାଁ’ର ଏଇ ଅବସ୍ଥା ।

ବର୍ତ୍ତମାନ୍ ପାଣି ଆଉ ନାହିଁ । କିନ୍ତୁ ସାହିରେ ପ୍ରତିଘରେ ଆଣ୍ଠିଏ ପଙ୍କ, କୂଅ ପୁରା ପଙ୍କରେ ଭରା । କିଛି ଦିନ ପିଇବା ପାଣି ପାଇଁ ବହୁତ ଦୂର ଯିବାକୁ ହେଲା ।

ଆମ ସାହିରେ ପକ୍କା ଘର ସଂଖ୍ୟା ବେଶୀ । ଅନ୍ୟ ସାହି ଦୃଶ୍ୟ କିଛି ହୃଦୟ ବିଦାରକ ଥିଲା । କଚ୍ଚା ଘର ସବୁ ମାଟିରେ ମିଶିଛି, ଶାଢ଼ୀକୁ ତମ୍ବୁ କରି ଲୋକ ଆଶ୍ରୟ ନେଇଛନ୍ତି । କିଛି ଦୂରରେ ପଥର ୩ଟିକୁ ଚୁଲି କରି ବସିଛି ରିଲିଫ୍ ଚାଉଳରେ ଭାତ । ରାସ୍ତା ଘାଟା ପଙ୍କରେ ଭରା, ବିଜୁଳି ଖୁଣ୍ଟ ସବୁ ନଇଁ ପଡ଼ିଛି ।

ଗାଁ’ର ପୂର୍ବ ଅବସ୍ଥା ଫେରିବାକୁ ଲାଗିଥିଲା ବହୁତ ବର୍ଷ । ଏଥିଲା ୧୯୮୦ ବନ୍ୟା ଗୁଣପୁର । ଯାହା ଆମେ ଅଙ୍ଗେ ନିଭାଇଥିଲୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top