ଉପନ୍ୟାସ

ଛୋଟ ସହରର ସମୁଦ୍ର

Ritika Pattnaik translated Anees Salim’s Small Town Sea into Odia as Chota Saharara Samudra.

କୁରାଢ଼ିରେ ଦରଜା ଭାଙ୍ଗିଦେବାକୁ ମୁଁ କହିଥା’ନ୍ତି ଯେ ଏତିକିବେଳେ ଗାଧୁଆ ଘରୁ ଉମ୍ମାଙ୍କ ପ୍ରଥମ ଆବାଜ ଶୁଭିଲା । ସେ ପଚାରୁଥିଲେ, ଖୁବ୍ ଦୁର୍ବଳିଆ ସ୍ୱରରେ । ମୃତ୍ୟୁର ମାତ୍ର କେଇ ମିନିଟ ଦୂରରେ ଥିଲେ ସେ ।

– ପୂର୍ବରୁ –

କ’ଣ ତୁମେ କେବେ କୌଣସି ପକ୍ଷୀକୁ ହାତରେ ଧରିଛ, ମିଃ ଅନ୍‌ୱିନ?

ମୁଁ ଧରିଛି ।

ଚଢେ଼ଇକୁ ହାତରେ ଧରି ରଖିବା ଭାରି ଅରୁଚିକର । ଯେତେ ଜୋରରେ ତୁମେ ତାକୁ ବାନ୍ଧି ଧର କିଛି ନା କିଛି ତା’ ମଧ୍ୟେ ଘୁରୁଥାଏ ଯେମିତି ତା’ ମଧ୍ୟରେ ଅଛି କେହି ଜୀବାତ୍ମା, ଖୁବ୍ କ୍ଷୁବ୍ଧ ଏବଂ ଛାଟିପିଟି ହେଉଛି । ତୁମ ଆଙ୍ଗୁଠିର ପଞ୍ଜୁରୀ ମଧ୍ୟେ ରହି ଚଢେ଼ଇଟି ତୁମକୁ ଦେଖେ, ଅତି ଅବୁଝା ସେ ଚାହାଣୀରେ କେତେ ଯେ ବିକଳ ଭାବ ଥାଏ, ଖାସ୍ କରି ପାରାମାନେ । ତାକୁ ଛାଡ଼ିଦେଲେ ତ ସ୍ଥିତି ଆହୁରି ସଙ୍ଗୀନ ହୁଏ । ଡେଣା ଫଡ଼ଫଡ଼ାଇବାର ଅସହନୀୟ ଶବ୍ଦ ମୋତେ ମନେ ପକାଇଦିଏ ଥରେ ଭାପ୍ପୁମ୍ମା ମୋତେ କହିଥିଲେ କିପରି ଆତ୍ମା ଶରୀର ଛାଡେ଼, ସଶବ୍ଦେ । ସେ କହିଥିଲେ ସେ ଆତ୍ମା ବାହାରିଯିବାର ଶବ୍ଦ ଶୁଣିଥିଲେ ଯେବେ ଉପ୍ପୁମ୍ମା ଶେଷ ନିଶ୍ୱାସ ତ୍ୟାଗ କଲେ, ଫନ୍ଦାରେ ଫସିଯାଇଥିବା ଚଢେ଼ଇ ଡେଣା ଫଡ଼ଫଡ଼ାଇବା ଶବ୍ଦ । ନିଜ ବାପାଙ୍କ ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିବା ବୁଆ ୟାସମିନ୍‌ କିନ୍ତୁ ଏପରି କୌଣସି ଶବ୍ଦ ଶୁଣିଥିବା କଥା ମନା କଲେ । କିନ୍ତୁ ଏହା ତ ପ୍ରତ୍ୟାଶିତ ଥିଲା, ସେମାନେ ସବୁବେଳେ ପରସ୍ପରକୁ ଖଣ୍ଡନ କରୁଥିଲେ । ମାତ୍ର ଗୋଟିଏ କାନ୍ଥର ବ୍ୟବଧାନ ଥିଲା ପିତାମାତା ଓ ଝିଅ ଘର ମଧ୍ୟରେ, ପରସ୍ପରର ଏତେ ନିକଟରେ ଥାଇ ସୁଦ୍ଧା ସମ୍ପର୍କରେ କେବେଠାରୁ ତିକ୍ତତା ଆସି ସାରିଥିଲା । କେବଳ କାହାର ମୃତ୍ୟୁ ବା ସମ୍ଭାବ୍ୟ ମୃତ୍ୟୁ ହିଁ ସେମାନଙ୍କୁ ଗୋଟିଏ ଛାତ ତଳକୁ ଆଣୁଥିଲା । ପରସ୍ପରର ଦୁଃଖ ବାଣ୍ଟିବାକୁ ବାଧ୍ୟ କରୁଥିଲା । କିନ୍ତୁ ମୁଁ ଭାପୁମ୍ମାଙ୍କ ଉକ୍ତିକୁ ବିଶ୍ୱାସ କଲି, ପସନ୍ଦ କଲି; ଆତ୍ମା ଏକ ଅଦୃଶ୍ୟ ପକ୍ଷୀରେ ରୂପାନ୍ତରିତ ହୋଇ ପର ଦୁନିଁଆକୁ ଡେଣା ମେଲାଇ ଉଡ଼ିଯିବା । ଏପରି ସଂସାର ତ୍ୟାଗ କରିବା କିଛି ମନ୍ଦ ତ ନଥିଲା ।

ଆମ ସ୍କୁଲ ଲାଇବ୍ରେରୀରେ ନେହେରୁଙ୍କ ଏକ ଚିତ୍ର ଥିଲା । ସେଥିରେ ସେ କପୋତ ଉଡ଼ାଇବାର ଦୃଶ୍ୟ ହେଉଥିଲା । ଏହି ଚିତ୍ର ମୋ ପାଇଁ କିଛି ଅର୍ଥ ରଖୁନଥିଲା ଯେପର୍ଯ୍ୟନ୍ତ ମୁଁ ପାରାଟିଏ ହାତରେ ଧରି ନଥିଲି । ସେବେଠାରୁ ଯେବେ ଯେବେ ମୁଁ ଲାଇବ୍ରେରୀ ବାଟ ଦେଇ ଯାଏ ଚଢେ଼ଇମାନେ ବହିଥାକ ମଧ୍ୟେ ଢେଣା ଫଡ଼ଫଡ଼ ଶବ୍ଦ ଶୁଣେ । ଏବଂ ମୁଁ ଦେଖେ ନେହେରୁଙ୍କ ଦ୍ୱାରା ମୁକ୍ତ କରାଯାଇଥିବା କପୋତସବୁ ଲାଇବ୍ରେରୀର ବହିଥାକ ମଧ୍ୟେ ଉଡ଼ି ବୁଲୁଥିବାର । ମୁଁ କେବଳ କପୋତଙ୍କୁ ଦେଖୁଥିଲି ବାକି ସମସ୍ତେ ନେହେରୁଙ୍କ ସ୍ମିତ ଦେଖୁଥିଲେ ।

ଯଦି ନେହେରୁଙ୍କ ପାରା ଉଡ଼ାଇବା ମୁକ୍ତିର ପ୍ରତୀକ ଥିଲା, ମୋ କାର୍ଯ୍ୟ ଅଧିକରୁ ଅଧିକ ଉଦ୍ଧାର ପଦବାଚ୍ୟ ଥିଲା । ମୁଁ ବି ପାରାକୁ ମୁକ୍ତ କଲି, କିନ୍ତୁ ଫଟୋରେ ଦେଖାଯାଉଥିବା ପାରାଙ୍କ ଭଳି ସେ ଉଡ଼ିଯିବାକୁ ଚାହୁଁନଥିଲା, ବରଂ ଅଗଣାସାରା ଘୁରି ବୁଲିଲା, ପାଦ ଟାଣି ଟାଣି । ପରିଶେଷରେ ସେ ଅବଶ୍ୟ ଉଡ଼ିଗଲା, ଅନିଶ୍ଚିୟତାର ସହ ।

ଏକ ଶନିବାର ମୁଁ ଘରେ ଏକୁଟିଆ ଥିଲା ବେଳେ ଏହା ଘଟିଥିଲା । ଶୁକ୍ରବାର ରାତିରେ ଆମେ ସମସ୍ତେ ଶୋଇବାକୁ ଗଲାପରେ ଫୋନ୍‌ ବାଜିଲା । ବିଳମ୍ବିତ ରାତିରେ ଫୋନ୍‌ ଆସିଲେ ଭାପ୍ପା ଅସହଜ ଅନୁଭବ କରନ୍ତି;ତାଙ୍କ ପାଇଁ ଏସବୁ ଆଦ୍ୟ ସକାଳର ଆସୁଥିବା ଫୋନ କଲ ଭଳି, କିଛି ଶୁଭ ଖବର ନଥିବ, କେବଳ କାହାର ମୃତ୍ୟୁ ସୂଚନା ଛଡ଼ା । ଯେବେ ସେ ଜାଣିଲେ ସେ ବୁଆ ୟାସମିନ ଫୋନ୍‌ କରିଛନ୍ତି, ସେ ବ୍ୟସ୍ତ ହୋଇପଡ଼ି ଖଟଧାରରେ ବସିରହିଲେ । ସେ ବୋଧେ ଆତଙ୍କିତ ହୋଇପଡ଼ିଥିଲେ, କାହାର ମୃତ୍ୟୁ ଖବର ଆଶା କରୁଥିଲେ, ଭାପ୍ପୁମ୍ମାଙ୍କର?

କେହି ମରିନଥିଲେ, ବୁଆ ୟାସ୍‌ମିନ୍‌ କ୍ୟାଲେଣ୍ଡର ଦେଖୁଥିଲେ, ଯେବେ ସେଥିରେ କିଛି ତାରିଖ ଦେଖିଲେ । ତାରିଖ ଚାରିପଟେ ବୃତ୍ତ କରାଯାଇ ଚିହ୍ନିତ କରାଯାଇଥିଲା । ଏହା ତାଙ୍କୁ ଭାପ୍ପାଙ୍କ କ୍ୟାନସର ବିଶେଷଜ୍ଞଙ୍କ ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧାର୍ଯ୍ୟ ନିର୍ଘଣ୍ଟ ମନେ ପକାଇଦେଲା । ପରଦିନ ସକାଳେ ଭାପ୍ପାଙ୍କ ଡାକ୍ତରଙ୍କୁ ଭେଟିବାର ଅଛି ବୋଲି ସୂଚିତ କରିବାକୁ ସେ ଫୋନ୍‌ କରିଥିଲେ । ଏସବୁ ଡାକ୍ତରୀ ପରାମର୍ଶ ଦିବସକୁ ମନେ ନ ପକାଇଦେବାକୁ ଭାପ୍ପା ତାଙ୍କୁ ନିର୍ଦ୍ଧେଶ ଦେଇଥିବା ସତ୍ତ୍ୱେ । ତଥାବି ସେ ସକାଳେ ଟାକ୍ସି ପଠାଇବେ ବୋଲି କହିଲେ । ଭାପ୍ପା ମୂହୂର୍ତ୍ତକ ପାଇଁ ଭାବିହେଲେ ଓ କହିଲେ ଗତଥର ଯେଉଁ ଗାଡ଼ି ପଠାଇଥିଲେ, ତାହା ଯେପରି ସେ ନ ଡକାନ୍ତି । ସେହି ଗାଡ଼ି ଡ୍ରାଇଭର ଖରାପ ଗୀତ ବଜାଉଥିଲା, ଖୁବ୍ ଜୋର୍‌ରେ ।

ପରଦିନ ସକାଳେ ଟାକ୍ସିହର୍ଣ୍ଣରେ ମୋ ନିଦ ଭାଙ୍ଗିଗଲା । ଇଷ୍ଟେଟ ଦେଇ ଲମ୍ବିଥିବା ରାସ୍ତାରେ ଗାଡ଼ି ଉଭେଇ ଗଲା ପରେ ମୁଁ ଅଗଣାକୁ ଗଲି, ଦେଖିଲି, ପାଣିନଳ ପାଖେ ଏକ ପାରା ବସିଛି । ମୁଁ ବାରମ୍ବାର ‘ଶୁ… ଶୁ…’ କଲା ପରେ ବି ସେ ଉଡ଼ିଗଲା ନାହିଁ । ମୁଁ ବଡ଼ ପାଟିରେ ଶୁ ଶୁ କହିଲି, ସେ ଖାଲି ତା’ର ଦୁଇ ଡେଣା ଫଡ଼ଫଡ଼ କଲା, ଉଡ଼ିଗଲାନି । ତା’ପରେ ମୁଁ ବୁଝିଲି ଘଟଣା କ’ଣ । ବିଚରାର ଗୋଟିଏ ପାଦ ନଳାଜାଲିରେ ପଶିଯାଇଥିଲା । ମୋ ଏପର୍ଯ୍ୟନ୍ତ ଜୀବନ କାଳରେ ମୁଁ କେବେ ବି କୌଣସି ଜୀବନକୁ ବଞ୍ଚାଇବାର ସୁଯୋଗ ପାଇନି । କେବଳ ଥରେ ଯେବେ ଶିବାନ ଆକ୍ୱାରିଅମ୍ ବାଉଲର ପାଣି ବଦଳାଉଥିବା ବେଳେ ବାଉଲରୁ ଗୋଲଡ଼ ମାଛଟିଏ ଡେ଼ଇପଡ଼ିଲା । ସେ କାର୍ପେଟରେ ପଡ଼ି ଛଟପଟ ହେଲା, ତା’ପରେ ନିର୍ଜୀବଙ୍କ ଭଳି ପଡ଼ିରହିଲା । ଯେବେ ଶିବାନ ତା’ର ଲାଞ୍ଜ ଧରି ଉଠାଇବାକୁ ଗଲା, ସେ ପୁଣି ଛଟପଟ ହେଲା । ଶିବାନ ଭୟରେ ସେଇ ଚେଷ୍ଟାରୁ ବିରତ ରହିଲା । ମୁଁ ଖବରକାଗଜର ଟୁକୁଡ଼ା ଖଣ୍ଡକୁ କୋନ ଆକାରର କରି ସେଥିରେ ମାଛଟିକୁ ଧୀରେ ଉଠାଇ ବାଉଲରେ ଛାଡ଼ିଦେଲି । ଆଖି ମିଟିମିଟି କରି ସେ ପହଁରିଲା ଯେପରି ମୋତେ ଧନ୍ୟବାଦ ଦେଉଥିଲା । ତା’ପରେ ବାଉଲର ଉପର ଧାରକୁ ଭାସିଉଠିଲା, ପେଟ ଉପରକୁ କରି । ଯଦି ମାଛ ମାରିବା ହରିଣ ବା ବଣୁଆ ମଇଁଷି ଶିକାର କରିବା ଭଳି ଏକ ଅପରାଧ ତା’ହେଲେ ଶିବାନକୁ ଜୁବେନାଇଲ୍ ହୋମକୁ ପଠାଦିଆଯାଇଥାନ୍ତା । କିନ୍ତୁ ସେପରି କୌଣସି ନିୟମ ନଥିଲା, ତେଣୁ ତାକୁ ଚୁପଚାପ୍ ପୋତି ଦେବାରେ ମୁଁ ଶିବାନକୁ ସାହାଯ୍ୟ କଲି । “ଚାଲ ତାକୁ ରଦ୍ଧିକାଗଜ ଝୁଡ଼ିରେ ପକାଇଦେବା”, ମୁଁ କହିଲି । କିନ୍ତୁ ସେ ରାଜି ହେଲାନାହିଁ । ସେ ଷ୍ଟୋରରୁମରୁ ଏକ ଟୁଥପେଷ୍ଟ୍‌ କାର୍ଟନ ଖୋଜି ପାଇଲା । ସେଥିରେ ମୃତ ମାଛଟିକୁ ରଖି ଦୁଇପଟକୁ ଅଠା ଟେପ୍ ଦ୍ୱାରା ବନ୍ଦ କରିଦେଲା । ତା’ପରେ କାର୍ଟନକୁ ଝରକା ଦେଇ ବାହାରକୁ ଫୋଫାଡ଼ି ଦେଲା, ସେଇକ୍ଷଣି ତା’ମାଆ ଦୁଆରେ ବେଲ ବଜାଇଲେ । ବାଉଲରେ ମାଛଟିଏ କମ୍ ବୋଲି ସେ ଜାଣିପାରିଲେନି । ସେ କେବଳ ପଚାରିଲେ, ଖବରକାଗଜ କିଏ ଫାଡ଼ିଛି ।

ଏକ ବର୍ଷ ତଳର ପୁରୁଣା ଘଟଣା ଏସବୁ । ନଳାଜାଲିରେ ଫସିଯାଇଥିବା ପାରାକୁ ଦେଖି ମୋତେ ଗୋଲଡ଼ ମାଛ କଥା ମନେ ପଡ଼ିଲା । ତାକୁ ଜାଲିରୁ ମୁକୁଲାଇ ମୁଁ ମୁକ୍ତ କରିଦେବାକୁ ଭାବିଲି । ଟେଲିଭିଜନ ପରଦାରେ ମୁଁ ଦେଖିଥିବା ଦୃଶ୍ୟ ଭଳି ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ବ୍ୟକ୍ତିମାନେ ପାରାମାନଙ୍କୁ ମୁକ୍ତ କରିଦିଅନ୍ତି । ବିଚରା ଚଢେ଼ଇ, ଓଃ ବିଚରାଟି ! ମୁଁ ଭାବୁଥିଲି । କିନ୍ତୁ ପରକ୍ଷଣରେ ମୁଁ ଯୋଜନା ପରିବର୍ତ୍ତନ କରି ପାରାଟିକୁ ମୋ ଗୁଲାମ କରିବାକୁ ଚିନ୍ତା କଲି, ମୋ ବ୍ୟକ୍ତିଗତ ବାର୍ତ୍ତାବହ ।

ମୋ ହାତ ଥରୁଥିଲା – କାର୍ପେଟରେ ପଡ଼ି ମୃତ୍ୟୁ ଜାଲରେ ଛଟପଟ ହେଉଥିବା ଗୋଲଡ଼ ମାଛଟିକୁ ଦେଖି ଶିବାନର ହାତ ଯେପରି ଥରୁଥିଲା ତାହା ଅପେକ୍ଷା କମ୍ ଅବଶ୍ୟ – ଯେବେ ମୁଁ ଚଉକି ଉପରେ ଚଢ଼ି ଆଲମିରାର ଉପର ଥାକ ଖୋଜିଲି । ଉପର ଥାକରେ ଉମ୍ମା ଏପରି ଚିଜ ସାଇତିଥିଲେ ଯାହା ସେ ଏତେ ପସନ୍ଦ କରୁଥିଲେ ଯେ ବ୍ୟବହାର ବି କରୁନଥିଲେ । ଏକ ଛୋଟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ମୁଁ ସୂତୁଳୀ ବିଡ଼ାଏ ଓ କଇଁଚି ପାଇଲି । ବହୁଦିନ ତଳେ ଖାଲା ମିରିୟମ ଏସବୁ ଉମ୍ମାଙ୍କୁ ଦେଇଥିଲେ । ଆଉ ଗୋଟିଏ ବ୍ୟାଗରେ ଛୋଟ ବହି ପାଇଲି ଯାହାର ଫର୍ଦ୍ଧସବୁ ହଳଦିଆ ଥିଲେ । ଅଠାଳିଆ ସେସବୁ ଫର୍ଦ୍ଧ ଛଡେ଼ଇ ନେଇ ଅନ୍ୟ ଜିନିଷରେ ଚପେଇ ଦିଆଯାଇପାରିବ । ମୁଁ ଚିିପା ପାଦରେ ଅଗଣାରେ ପ୍ରବେଶ କଲି ଯଦିଓ ଘରେ କେହି ନଥିଲେ ସେ ବେଳାରେ, କେବଳ ପାରା, ଦୁଇଟି ଘଣ୍ଟା , ଗୋଟିଏ ଘଡ଼ି ଏବଂ ମୁଁ ।

ଚଢେ଼ଇକୁ ଗୋଲାମ କରିବା ଏତେଟା ସହଜ ନୁହେଁ । ସୁତୂଲିରେ ମୁଁ ଚୁଡ଼ି ଆକାରର ଫନ୍ଦା କରି ପାରାଟିକୁ ସେଥିରେ ଫସାଇବା ପାଇଁ ଅପେକ୍ଷା କରି ରହିଲି । ଅନେକ ମିନିଟ ଧରି ଚଢେ଼ଇ ଭାଷାରେ କହିଲା ପରେ – ମିଃ ଅନୱିନ ତୁମେ ପଚାରିପାର ଚଢେ଼ଇ ଭାଷା କ’ଣ, ଏହା ଏକ ସାେଙ୍କତିକ ଭାଷା ସହିତ ସିଟି ମାରିବା, କିଛି ହୁଁ ହୁଁ କରିବା-ଚଢେ଼ଇଟିର ଅନିଚ୍ଛା ସତ୍ୱେ ତା’ର ଖୋଲା ପାଦଟି ମୁଁ ଅନେକ କଷ୍ଟ ସ୍ୱୀକାର କରି ତିଆରିଥିବା ସୁତୂଳୀ ଫାନ୍ଦରେ ପୁରାଇଲି । ସୁତୂଲିର ଅନ୍ୟ ଅଂଶକୁ ମୁଁ ପାଣି ପାଇପ୍ରେ ବାନ୍ଧିଦେଲି ତା’ପରେ ହିଁ ମୁଁ ଚଢେ଼ଇର ଫସିଯାଇଥିବା ପାଦଟିକୁ ଜାଲିରୁ ବାହାର କଲି । ବିଚରା ଭାବିଲା ଯେ ତାକୁ ମୁକ୍ତ କରିଦିଆଯାଉଛି ଓ ଉଡ଼ିଯିବାକୁ ଚେଷ୍ଟିତ ହେଲା କିନ୍ତୁ ଫନ୍ଦାଟି ତା’ର ଅନ୍ୟ ଗୋଡ଼ରେ ବାନ୍ଧି ଦିଆଯାଇଥିବା ହେତୁ ସେ ପାଣି ପାଇପରେ ବାନ୍ଧିହୋଇ ରହିଲା ।

ଗୋଟିଏ ଛୋଟିଆ ଖାତାରୁ ହଳଦିଆ କାଗଜ ଫାଡ଼ି ସେଥିରେ ଲେଖିଲି, ‘ହାଲ୍ୟୋ ବିଲାଲ, ସୋମବାର ଦିନ ସ୍କୁଲରେ ଭେଟିବା । ବାଏ ।’ ଏହାକୁ ପାରାର ଗୋଡ଼ରେ ବାନ୍ଧିଦେଇ ଓ କଇଁଚିରେ ସୁତୂଲିକୁ କାଟିଦେଲି । ପାରାଟି କିନ୍ତୁ ଭାବିଲା ଯେ କାଳେ ମୁଁ ତା’ର ଡେଣାକୁ କାଟିଦେବି । ତେଣୁ ଯେତେ ଦୂର ସୁତୂଲିଟି ଟାଣିହେଇ ଯିବ ଯେତେ ଦୂର ସେ ମୋଠୁ ଦୂରକୁ ଗଲା । କଇଁଚି ଚଲାଇ ଡେଣା କାଟି ଦେବାର ଭୟ ଦେଖାଇବାକୁ ଚେଷ୍ଟା କଲି । ତା’ ପରେ ଏହି ପ୍ରକ୍ରିୟାରେ ମୋ ମନ ଆଉ ଲାଗିଲାନି । ସୁତୂଲିକୁ କାଟିବାକୁ ଯାଉଥିଲି ଯେବେ ହଠାତ୍ ମୋର ସମୁଦାୟ ଯୋଜନାରେ କିଛି ଭୁଲ ରହିଯାଇଛି ବୋଲି ଅନୁଭବ କଲି ।

ପାରାଟି ବିଲାଲକୁ କିପରି ଖୋଜି ନେବ? ମସଜିଦ୍ ପଛରେ ଥିବା ଅନାଥଶ୍ରମକୁ ତା’ର ମାର୍ଗଦର୍ଶନ କରିବାକୁ ମୁଁ ଜାଣିଥିବା ଚଢେ଼ଇ ଭାଷା ପର୍ଯ୍ୟାପ୍ତ ନଥିଲା । ବୋଧହୁଏ ଚଢେ଼ଇଟିକୁ ସେହି ଲକ୍ଷ୍ୟସ୍ଥଳକୁ ବାରମ୍ବାର ନେଇ ତାକୁ ତାଲିମ ଦେଲେ ହିଁ ସେ ଦିନେ ନିଜର ଗତିପଥ ସ୍ୱୟଂ ନିର୍ଦ୍ଧାରଣ କରିପାରିବ । କିନ୍ତୁ ଏହି କାର୍ଯ୍ୟର ରୂପାୟନ ପ୍ରଶ୍ନାତୀତ । ପାରାଟିଏ ଧରି ସହରସାରା ଚାଲିବା ମୁଁ କଳ୍ପନା ବି କରିପାରୁନି । ତେଣୁ ମାତ୍ର ଗୋଟିଏ ବିଳ୍ପପ ହେଲା ମୋର ଚେଷ୍ଟା କରିବା । ଦେଖାଯାଉ କ’ଣ ହେଉଛି । ଚଢେ଼ଇ ସହିତ କଥା ହେବା ପାଇଁ ମୁଁ ସ୍ଥିର କଲି । ମୁଁ କେମିତି ଗୋଟେ ନିଶ୍ଚିତ ହୋଇଯାଇଥିଲି ଯେ ମଣିଷମାନଙ୍କ ଭାଷା ପାରାମାନେ ବୁଝିପାରନ୍ତି । ଏହାଛଡ଼ା ପଥକୁ ମନେ ରଖିପାରନ୍ତି ଏବଂ ସେମାନେ ବହୁତ କର୍ତ୍ତବ୍ୟନିଷ୍ଠ । ସେମାନଙ୍କୁ ଆବଣ୍ଟିତ କାର୍ଯ୍ୟସବୁକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଅବହେଳା କରନ୍ତି ନାହିଁ, ଯୁଦ୍ଧ ହେଉ ଅବା ଶାନ୍ତିକାଳ, ବର୍ଷା ହେଉ ଅବା ଖରାଟିଆ ପାଗ ବା ଭୂମିକମ୍ପ ।

ଯେଉଁଟା ସେମିତି ବି ପ୍ରତ୍ୟକ୍ଷ, କିନ୍ତୁ ଆମକୁ ଅପ୍ରତ୍ୟକ୍ଷ ଲାଗୁଥାଏ, ତାକୁ ଦେଖିବା ପାଇଁ ଅଯଥା କାରଣ ଅକାରଣ ବି ସାହାଯ୍ୟ କରିଥାଏ । ଅନେକ ବର୍ଷ ପର୍ଯ୍ୟନ୍ତ ଚଢେ଼ଇମାନଙ୍କୁ ନିରୀକ୍ଷଣ କଲା ପରେ, ସେମାନଙ୍କ ପରି ହେବା ପାଇଁ କଳ୍ପନା କଲା ପରେ, ପାରା ଦ୍ୱାରା ଚିଠି ପ୍ରେରଣ ଭଳି ମୁର୍ଖ ବିଚାର – ଯଦିଓ ସେହି ସମୟରେ ଏହା ଏକ ବଢ଼ିଆ ପନ୍ଥା ଭଳି ଲାଗୁଥିଲା – ହିଁ ମୋତେ ବୋଧ କରାଇଲା ଯେ ପାରାମାନଙ୍କର ତ କାନ ନାହିଁ । ବୋଧହୁଏ ସେମାନଙ୍କ କାନ ଅଛି, ହାତୀ କାନ ବା ଘୁଷୁରୀର କାନ ପରି ବାହ୍ୟଚେହେରାରେ ଦୃଶ୍ୟ ହେବାପରି ନୁହେଁ । କେତୋଟି ମିନିଟ୍‌ ପାରା ମୁହଁ ନିରୀକ୍ଷଣ କରି ମୁଁ ଜାଣିଲି ଯେ ଚଢେ଼ଇର ଆଖି ହିଁ ତା’ର କାନ । ଏପରି ଆଖି ଯାହା ସବୁ ଦେଖିପାରେ ଆଉ ଶୁଣିପାରେ । ଆଖି ଯାହା ଦୃଶ୍ୟ ଏବଂ ଶବ୍ଦକୁ ନିଜ ଭିତରେ ସାଇତି ରଖିପାରେ । ସେଥିପାଇଁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଚଢେ଼ଇମାନେ ତୁମକୁ ଅପଳକ ଅନେଇ ରୁହନ୍ତି ।

ତାକୁ ଲକ୍ଷ୍ୟସ୍ଥଳର ତିନିଘେରା ପରିଦର୍ଶନ କରାଇ, ଯିବାଆସିବା କରେଇଲେ ତା’ର ଛୋଟିଆ ମସ୍ତିସ୍କରେ ମୋ ନିର୍ଦ୍ଧେଶମାନ ରୋପିତ ହୋଇଯିବ । ଯେବେ ମୁଁ ନିଶ୍ଚିତ ହୋଇଗଲି ଯେ ଚଢେ଼ଇଟି ଜାଣେ ସେ ବିଲାଲକୁ କେଉଁଠି ଠାବ କରିବ ମୁଁ ସୁତୂଲୀଟିକୁ କାଟି ତାକୁ ମୁକ୍ତ କରିଦେଲି । ଡେଣାକୁ ଖୁବ୍ ଜୋରରେ ଫଡ଼ଫଡେ଼ଇ ଆକାଶକୁ ଉଡ଼ିଯିବା ପରିବର୍ତ୍ତେ ସେ ମୋଠାରୁ କିଛି ପାଦ ଦୂରରେ ବସିଲା, ତା’ର ନଜରରେ ଅସ୍ଥିରତା ଥିଲା । ମୁଁ ମୋ ହାତକୁ ଖୁବ୍ ଜୋରରେ ହଲାଇଲି ତାକୁ ହୁଡ଼ୁଡେ଼ଇବା ପାଇଁ କିନ୍ତୁ ତା’ଠି କୌଣସି ପ୍ରତିକ୍ରିୟା ନଥିଲା । ମୁଁ କ୍ରୋଧିତ ହେବାର ବାହାନା କଲି ଓ ଶୂନ୍ୟରେ ଗୋଇଠା ମାରିଲି, ସେ କିଛି ଅନିଶ୍ଚିତ ପାଦ ପକାଇ ଦୁଆର ଦିଗକୁ ଗଲା । ତା’ପରେ ହଠାତ୍ ସେ ତା’ର ପରିିଶ୍ରାନ୍ତ କୁଣ୍ଠିତ ଡେଣା ମେଲି ଲାଲ ଛାତ ଟାଇଲ ଉପର ଦେଇ ଉଡ଼ିଯାଇ ଦୃଷ୍ଟିରୁ ଅପସରି ଗଲା ।

ସୋମବାର ସକାଳକୁ ଅପେକ୍ଷା କରିବାକୁ ମୋତେ ତର ସହିଲାନି । ମୁଁ କଳ୍ପନା କଲି ବିଲାଲ ମୋତେ ସ୍କୁଲ ଗେଟ ବାହାରେ ଅପେକ୍ଷା କରିଛି, ପାରା ପାଦରୁ ଚିଠି ଉତାରି, ତାକୁ ହାତରେ ଧରି । କିନ୍ତୁ ତିନି ଦିନ ପଛେ ବିତିଗଲା ବିଲାଲଠୁ କୌଣସି ଉତ୍ତର ମିଳିଲାନି । ଚତୁର୍ଥ ଦିନ ସକାଳେ ମୁଁ ଏ ବାବଦରେ ତାକୁ ପଚାରିବାକୁ ସ୍ଥିର କଲି ।

“କ’ଣ ହେଲା” , ସେ ପଚାରିଲା, ଖୁବ୍ ଚଢ଼ା ଗଳାରେ ।

ମୁଁ ବି ସେଇପରି ଚଟାପଟ୍ କିନ୍ତୁ ସ୍ୱରରେ ତୀକ୍ଷ୍ମତା ମାଖି ପଚାରିଲି, “ପାରା ପାଦରେ ବାନ୍ଧି ଯେଉଁ ଚିଠି ମୁଁ ପଠାଇଥିଲି କ’ଣ ତୁମେ ପାଇନାହଁ?”

ସେ ମୋତେ ଏପରି ଲମ୍ବା ସମୟ ପର୍ଯ୍ୟନ୍ତ ଚାହିଁରହିଲା ଯେ ପୂର୍ବରୁ ଏପରି ଅବାକ୍ ହୋଇ କେବେ ଦେଖିନଥିବ । ସତେ କି ସେ ମୋ କଥିତ ଭାଷା ବୁଝିପାରୁନାହିଁ । ତା’ପରେ ତା ମୁହଁରେ ସ୍ମିତଟିଏ ଖେଳାଇଗଲା ।

“ଆଚ୍ଛା ସେହି ଚିଠି ତୁମେ ପଠାଇଥିଲ?”, ମୁଁ ତଥାପି ଚିଡ଼ଚିଡ଼ ଅନୁଭବ କରୁଥିଲି ଆଲ୍ଲା ଜାଣନ୍ତି କେଉଁଥିପାଇଁ ।

“ଚିଠିରେ ନିଜ ନାମ ଲେଖିଲ ନାହିଁ କାହିଁକି?”

“ଲେଖିଥିଲି ତ ।”

“ନା, ଲେଖିନଥିଲ ।”

“ଲେଖିନଥିଲି ?”, ମୋର ସୁନିଶ୍ଚିତତା ଉପରେ ଏବେ ସ୍ୱୟଂ ସଂଶୟାଛନ୍ନ ହୋଇପଡ଼ିଲି ।

କିନ୍ତୁ ଏବେ ବି ପାରାମାନେ ଦକ୍ଷ ବାର୍ତ୍ତାବାହକ ଭାବେ କାର୍ଯ୍ୟ କରିପାରୁଛନ୍ତି ଜାଣି ଖୁସି ଲାଗିଲା । ହଠାତ୍ ମୁଁ କିଛି ବିକ୍ଷିପ୍ତ ଭାବିଚାଲିଲି । ଭାପ୍ପାଙ୍କ ଛୋଟିଆ ସହରରେ ବଡ଼ ଧରଣର ବ୍ୟାଘାତ ସୃଷ୍ଟି ହେଉ ବୋଲି ମୁଁ ଚାହିଁଲି । ଜଳଦ୍ୟସୁମାନେ କୂଳକୁ ଆସି ଉତ୍ପାତ କରନ୍ତୁ, ପାଣି ସରସର ଓଦା ଖୋଳରୁ ବନ୍ଧୁକ କାଢ଼ି ଫାଙ୍କା ଗୁଳିଚାଳନା କରନ୍ତୁ । ବୋମା ନିକ୍ଷେପ କରନ୍ତୁ ପୋଲିସ ଥାନା ଉପରକୁ । ରାସ୍ତାରୋକ କରନ୍ତୁ । ରେଳଧାରଣା ଉଡ଼ାଇ ଦିଅନ୍ତୁ ଏବଂ ସବୁଠାରୁ ଜରୁରୀ, ଯୋଗାଯୋଗର ସମସ୍ତ ସାଧନକୁ ସଂପୂର୍ଣ୍ଣ ଧ୍ୱଂସ କରିନ୍ତୁ । ମୋ ଦ୍ୱାରକୁ ପୁଲିସ ଆସି ପାରାସେବା ପାଇଁ ଗୁହାରି କରନ୍ତୁ ଯଦ୍ଧ୍ୱାରା ସେମାନେ ଶେଷରେ ମୁଖ୍ୟ ଦପ୍ତରକୁ ସନ୍ଦେଶ ପ୍ରେରଣ କରିପାରିବେ । ଦୁଇଟି ହେଲିକପ୍ଟର, ୧୦୦ କମାଣ୍ଡୋ, ୫୦ଟି ମେସିନ ଗନ, ୨୦ଟି ରକେଟ । ଏବେ ମୁଁ ବିଲାଲକୁ ସହଯୋଗୀ ଭାବେ ଗ୍ରହଣ କରି ତାକୁ ପାରାଙ୍କ ଗୋଡ଼ରେ ଅଠା ଦ୍ୱାରା ଚିଠିପତ୍ର ଲଗାଇବା ଦାୟିତ୍ୱ ଦେବି । ଅପରେସନର ମୁଖ୍ୟ କାମଟିକୁ କିନ୍ତୁ ସ୍ୱୟଂ କରିବି, ପାରା କାନରେ ଫୁସଫୁସେଇବା କାମ । ସୈତାନ କବଳିତ ମଣିଷଙ୍କ କାନରେ ଫକିର ଧମକାଇବା ଭଳି ମୁଁ ବି ଠିକଣା ପରେ ଠିକଣା ଗୋଟିଏ ପରେ ଆଉ ଗୋଟିଏ ପାରାଙ୍କୁ ଫୁସଫୁସ୍ କରି ଗୁପ୍ତ ସନ୍ଦେଶ କହିଚାଲିବି । ଯା…ଯା…ଯା.. । ଉମ୍ମା ଗର୍ବରେ ସରମିଯାଇ ତାଙ୍କ ସୁନ୍ଦର ହସ୍ତାକ୍ଷରରେ ଚିଠିଟିଏ ଲେଖି ମୋତେ ରେଳଧାରଣା କଡ଼ ଭାପ୍ପୁମ୍ମାଙ୍କ ଘରକୁ ପଠାଇ ଦେବାକୁ କହିବେ । ‘ତୁମେ ଯେପରି ନିଜ ପୁଅ ପାଇଁ ଗର୍ବିତ ମୁଁ ବି ସେପରି ମୋ ପୁଅ ପାଇଁ ଗର୍ବିତ ଅନୁଭବ କରୁଛି’, ସେ ଲେଖିବେ ।

କିନ୍ତୁ ଏପରି ଭାବନା କେବଳ ଭାବନାରେ ହିଁ ରହିଯାଏ । ଅତ୍ୟନ୍ତ ଭାପ୍ପାଙ୍କ ଏହି ଛୋଟିଆ ସହରରେ ଏପରି କଳ୍ପନାର କୌଣସି ଅର୍ଥ ନାହିଁ । ନା ଏହି ସ୍ଥାନ ଜଳଦ୍ୟସୁଙ୍କୁ ପ୍ରଲୁବ୍ଧ କରିବା ଭଳି ଧନ୍ୟାଢ଼ ନା ଅକ୍ତିଆର କରିନେବା ଭଳି ଗୁରୁତ୍ୱ ବହନ କରୁଥିଲା । ଏଠାରେ ନା ବ୍ୟାଙ୍କ ଡକାୟତି ହୁଏ ନା ଗୁଳିଚାଳନା ନା ଗଣହତ୍ୟା …ବାସ୍ କିଛି ଛୋଟକାଟର ଗଣ୍ଡଗୋଳ, ଛୋଟ ଚୋରି…ଭଳି କିଛି ଅପରାଧ । ପ୍ରକୃତରେ ଏହି ଛୋଟ ସହରରେ ଜୀବନ ବଡ଼ ନୀରସ ଲାଗେ ଯଦିଓ ଏହାର ପରିସୀମାକୁ ଅଳଙ୍କୃତ କରିଛି ନାମକରା ବେଳାଭୂମି ଓ ସମୁଦ୍ର, ଯାହା ରଙ୍ଗ ବଦଳାଏ ନେଳିରୁ ଧଳା, ଧଳାରୁ ପାଉଁଶିଆ ।

ଏହା ପରେ ଦିନେ ବିଲାଲ ପାରା ସନ୍ଦେଶ ବାହାକଙ୍କ ଦ୍ୱାରା ଉତ୍ତର ଫେରାଇଲା । ଅବଶ୍ୟ ମୁଁ ତାହା ପାଇଲି ନାହିଁ । ମୁଁ ଜାଣିନଥିଲି ଯେ ସହର ମସଜିଦର ମିନାରେଟ ଉପରେ ବସା ବାନ୍ଧିଥିବା ପାରାଟିଏକୁ ମୋ ପାଖକୁ ବାର୍ତ୍ତା ପ୍ରେରଣ ପାଇଁ ନିଯୁକ୍ତ କରାଯାଇଛି । ବିଲାଲ ଏ ବାବଦ ମୋତେ ଜଣାଇଲା ପରେ ହିଁ ମୁଁ ଜାଣିଲି । କିଛି ସେକେଣ୍ଡ ପାଇଁ ମୁଁ କ’ଣ କହିବି ସ୍ଥିର କରିପାରିଲି ନାହିଁ । ମୋ କଳ୍ପନାପଟରେ ମୁଁ ଦେଖୁଥିଲି ମୋ ଅଗଣାକୁ ପାରାଟି ଉଡ଼ିଆସି ମୋ ସନ୍ଧାନରେ ଘରସାରା ଖେଦିଯାଉଛି । ମୁଁ କଳ୍ପନା କରୁଛି ସେ ଭାପ୍ପାଙ୍କ କକ୍ଷକୁ ଯାଇ ଭାପ୍ପାଙ୍କ ଶୋଇବା ଅବସ୍ଥାର ମୁହଁର ଭାବଭଙ୍ଗୀମାକୁ ଦେଖୁଛି । ସେ ନିଶ୍ଚୟ କୋଠରୀକୁ କୋଠରୀ ଘୁରିବୁଲିଥିବ, ବାରଣ୍ଡା ବାଟେ ଅଳିନ୍ଦ ଦେଇ ଲିଟିଲର ଦୋଳନା ପାଖ ଦେଇ, ଏବଂ ଉମ୍ମା ତାକୁ ଚଉକି ତଳେ ଦେଖି ଝାଡ଼ୁ ଦ୍ୱାରା ଘଉଡ଼ାଇ ଦେଇଥିବେ । ଘରସାରା ଖୋଜିବା ବଦଳରେ ସେ ମତେ ବୋଗେନଭିଲ୍ଲିଆ ତୋରଣ ତଳେ ଅପେକ୍ଷା କରିଥାନ୍ତା ଓ ମୁଁ ସ୍କୁଲରୁ ଫେରି ତାକୁ ଭେଟିପାରିଥାନ୍ତି । କିନ୍ତୁ ବିଲାଲର ପ୍ରଥମ ପାରା ସନ୍ଦେଶ ବାହାକ ମିଶନ ଯେ ଅସଫଳ ହୋଇଛି ଏହା ତାକୁ କହିବାକୁ ମୋର ସାହସ ହେଲା ନାହିଁ । ତେଣୁ ତା’ର ଗୁପ୍ତ ସନ୍ଦେଶ ମୁଁ ପାଇଛି ବୋଲି ମୋତେ ମିଥ୍ୟା ବାହାନା କରିବାକୁ ପଡ଼ିଲା । ସୌଭାଗ୍ୟବଶତଃ ସେଥିରେ ଲେଖାଥିବା ବିଷୟ ବାବଦରେ ସେ ମୋତେ କିଛି ପଚାରିଲା ନାହିଁ ନହେଲେ ମୁଁ ଧରା ପଡ଼ିଯାଇଥାନ୍ତି ।

ମୁଁ ପୂରା ଗୋଟିଏ ସପ୍ତାହ ବିଲାଲର ପାରାଙ୍କୁ ତା’ ବାର୍ତ୍ତା ସହ ଅଗଣାକୁ ଉଡ଼ିଆସିବାକୁ ଅପେକ୍ଷା କଲି । କିନ୍ତୁ ଆସିଲା କିଏ , ଜଣେ ଜୀର୍ଣ୍ଣକାୟ ଡାକବାଲା । ବୋଗେନଭିଲ୍ଲିଆକୁ ଆସିବା ପରେ ଏହା ଡାକବାଲାର ପ୍ରଥମ ଆଗମନ ଥିଲା ଆମ ଦୁଆରକୁ । ସେ ପାରାପେଟକୁ ଏକ ବାଦାମୀ ରଙ୍ଗର ଲଫାପା ଫିଙ୍ଗି , ତାହା ବାରଣ୍ଡାରେ ପଡ଼ିବା ପୂର୍ବରୁ ହିଁ ସେଠାରୁ ଚାଲିଯାଇଥିଲା ।

ଚିଠିଟି ଭାପ୍ପାଙ୍କର ଥିଲା, ସେ ବ୍ୟକ୍ତିଗତ ରୂପେ ଜାଣିନଥିବା କୌଣସିି ବ୍ୟକ୍ତିଙ୍କଠାରୁ । ଆମ ପୂର୍ବ ସହରର ଠିକଣାରୁ ଫେରିଆସି ତାହା ଏଠାରେ ଦିଆଯାଇଥିଲା । ସମ୍ଭବତଃ ଶିବାନର ମା’ ପାହାଚରେ ଡାକବାଲାକୁ ଦେଖି ତାଙ୍କୁ ଆମର ସମୁଦ୍ରକୂଳିଆ ପର୍ବତତୀଖ ଚଟାଣସ୍ଥିିତ ଘର ଠିକଣା ଦେଇଥିବେ । ଚିଠିରେ ପ୍ରେରକଙ୍କ ବୟସ ଦିଆଯାଇନଥିଲା,ନାମ ମଧ୍ୟ ଉଲ୍ଲେଖ କରାଯାଇନଥିଲା । କିନ୍ତୁ କୌଣସି ବିଚିତ୍ର କାରଣ ଯୋଗୁଁ ମୁଁ ଧରିନେଲି ଏହାର ପ୍ରେରକ ନିଶ୍ଚୟ ଜଣେ ବୃଦ୍ଧ, ଶଯ୍ୟାଶାୟୀ, ଏବଂ ଚିଡ଼ଚିଡ଼ା ସ୍ୱଭାବର । ଭାପ୍ପା ଖଟଧାରରେ ବସି ଚିଠିକୁ ଉଚ୍ଚସ୍ୱରରେ ପଢ଼ିଚାଲିଲେ । ସେତିକିବେଳେ ମୁଁ ଜାଣିଲି ଯେ ଭାପ୍ପାଙ୍କ କଣ୍ଠସ୍ୱରକୁ ପ୍ରେରକଙ୍କ ଆବାଜ ବୋଲି ଭାବି ଉପରୋକ୍ତ ବ୍ୟକ୍ତିତ୍ୱର କଳ୍ପନା କରିପକାଇଲି । ଭାପ୍ପାଙ୍କ ସ୍ୱର ବି ତ ଏକ ବୃଦ୍ଧ, ଶଯ୍ୟାଶାୟୀ , କୋ୍ରଧୀ ବ୍ୟକ୍ତିଙ୍କ ପରି ଥିଲା ।

ଦୀର୍ଘ ସମୟ ପୂର୍ବରୁ ଭାପ୍ପାଙ୍କ ଲିଖିତ ଏକ ପୁସ୍ତକ ବିଷୟରେ ଅନେକ ପ୍ରଶଂସାପୂର୍ଣ୍ଣ ଟିପ୍ପଣୀମାନ ଦିଆଯାଇଥିଲା ଅଜଣା ଚିଠିରେ । ଭାପ୍ପା ତାକୁ ଦୁଇଥର ପଢ଼ିଲେ । ଥରେ ପିଲାଙ୍କ ପାଇଁ ଗପ ପଢ଼ି ଶୁଣାଇବା ଭଳି, ଦ୍ୱିତୀୟଥର ପ୍ରାର୍ଥନା ପରି । ଚିଠିର ଆରମ୍ଭ ଏକ କ୍ଷମାବାକ୍ୟରେ ହୋଇଥିଲା- ପ୍ରେରକ ସେ ବହିଟିକୁ ପୂର୍ବରୁ ପଢ଼ିପାରିନଥିଲେ କିନ୍ତୁ ଡେରିରେ ହେଉ ପଛେ ପଢ଼ିଲେ ନିଶ୍ଚୟ । ଚିଠିର ଶେଷରେ ବି କ୍ଷମାବାର୍ତ୍ତା ଲେଖାଥିଲା, ଯେ ଏହି ଚିଠି ସେ ପୂର୍ବରୁ ଲେଖି ପାରିନଥିଲେ, କାରଣ ତାଙ୍କୁ ଠିକଣା ଜଣାନଥିଲା । ଭାପ୍ପା ଗାଲିଚା ତଳେ ଚିଠିକୁ ରଖି ବିଛଣାରେ ଶୋଇଗଲେ, ତାଙ୍କ ଓଠର ଖେଳୁଥିଲା ଏକ ବିଚିତ୍ର ହସ । ଆଉ ଯଦି ଆଜି ସେ ଶୋଇବା ଅବସ୍ଥାରେ ମୃତ୍ୟୁ ଲଭନ୍ତି ତାହେଲେ ତାହା ତାଙ୍କ ପାଇଁ ହେବ ସର୍ବୋକୃଷ୍ଠ ଅନ୍ତିମ ।

ଅବଶ୍ୟ ଏପରି କିଛି ହୋଇନଥିଲା ।

ଉମ୍ମା ଗାଧୁଆଘରେ ରକ୍ତାକ୍ତ ହୋଇପଡ଼ିଛନ୍ତି ବୋଲି ମୁଁ ପାଟି କରି ଡାକିଲା ପରେ ସେ ପାଦ ଘୋଷାରି ଘୋଷାରି ଆସିଲେ, ଚଟାଣରେ ରକ୍ତଧାରକୁ ଅନୁସରଣ କରି ଆଗକୁ ବଢ଼ିଲେ । କାହିଁକି ଉମ୍ମା ନିଜ କଚଟି ବା ବେକ କାଟି ନିଜକୁ ଗାଧୁଆଘରେ ଆବଦ୍ଧ କରିରଖିଛନ୍ତି ? ସେ ଥରେ କହିଥିଲେ ତାଙ୍କ ଅନ୍ତିମ ଇଚ୍ଛା ହେଉଛି ଲିଟିଲକୁ ବୋହୂ ବେଶରେ ଦେଖିବା । ଯଦି ସେ ଏବେ ମୃତ୍ୟୁ ଲଭନ୍ତି ଏବଂ ଭାପ୍ପା ଆଉ କିଛି ସମୟ ପରେ ତାହେଲେ ଲିଟିଲ ଏବଂ ମୁଁ ବିଲାଲ ପରି ଅନାଥ ହୋଇଯିବୁ । ନା ପୂରା ବିଲାଲ ପରି ନୁହେଁ କାରଣ ଭାପ୍ପୁମ୍ମା ଏପରି ହେବାକୁ ଦେବେ ନାହିଁ । କିନ୍ତୁ ଉମ୍ମା ଯଦି ଏବେ ମରିଯାଆନ୍ତି ମୁଁ ଦୁଃଖରେ ପାଗଳ ହୋଇଯିବି, ସେମାନେ ମୋ ପାଟି ବନ୍ଦ କରି ମୋ ମସ୍କିସ୍ତରେ ବିଜୁଳି ସକ୍ ଦେଇ ସୁସ୍ଥ କରିବେ । ନା କ’ଣ ଉମ୍ମା ପୂର୍ବରୁ ଲିଟିଲକୁ ମାରିଦେଇଛନ୍ତି ? କିନ୍ତୁ ତା’ର ଦୋଳନା ତଳେ ତ ରକ୍ତ ଦେଖାଯାଉନାହିଁ । ତେଣୁ ମୁଁ ଭିତରକୁ ଯାଇ ତନଖି କଲି , ଲିଟିଲ ତା’ ଦୋଳନାରେ ଗଭୀର ନିଦ୍ରାରେ ଶୋଇଥିଲା ।

ଭାପ୍ପା ବାରଣ୍ଡାର ଶେଷମୁଣ୍ଡରେ ପହଞ୍ଚିଯାଇଥିଲେ । ନୀଳ ଗାଧୁଆଘର ଦୁଆରରେ, ଯେଉଁଠାରେ ଉମ୍ମା ମୃତ୍ୟୁ ସହିତ ଯୁଝୁଥିଲେ । ଭାପ୍ପା ଦୁଆରରେ ଠକ୍ଠକ୍ କଲେ ।

୧୧୯କୁ ଡାଏଲ କର ଆମ୍ବୁଲାନ୍ସ ପାଇଁ । କିନ୍ତୁ ଏହି ନମ୍ବର ଆମ ରହୁଥିବା ପୂର୍ବ ସହର ଲାଗି ଉଦ୍ଧିଷ୍ଟ ଥିଲା । ବୋଗେନଭିଲ୍ଲିଆକୁ ଆମ୍ବୁଲାନ୍ସ ଡାକିବାକୁ ହେଲେ କେଉଁ ନମ୍ବରରେ କଲ କରିବାକୁ ହେବ ମୋତେ ଜଣାନଥିଲା । ୧୦୦? କିନ୍ତୁ ଏହା ତ ପୁଲିସର । କିନ୍ତୁ ପୁଲିସ ବି ଆମ୍ବୁୁଲାନ୍ସ ସେବା ଡକାଇପାରିବ । ଅସଲରେ ପୁଲିସକୁ ଆଗ ଡକେଇବା ବଢ଼ିଆ ବୁଦ୍ଧି । ଯଦି ପୁଲିସ ନିଜ ତରଫରୁ ଡକାଏ, ବହୁତ ଜୋରରେ ଆଲାର୍ମ ବଜାଇ ବଜାଇ ଆମ୍ବୁଲାନ୍ସ ଶୀଘ୍ର ପହଞ୍ଚିବ ।

ଭାପ୍ପା ଆହୁରି ଜୋରରେ ଦରଜା ବାଡେ଼ଇଲେ । ତାଙ୍କୁ ଖୁବ୍ ଜୋରରେ ବାଡେ଼ଇବାର ଥିଲା । ଏପରିକି ଦରଜାରେ ଧକ୍କା ବି ଦେବାର ଥିଲା । ଭିତରେ ଜଣେ ମଣିଷ ମୃତ୍ୟୁ ସହିତ ସଂଗ୍ରାମରତ ଯେ । ମିଃ ଅନୱିନ, ବୋଧେ ଲିଟିଲର ନିଦ ଭାଙ୍ଗିବାକୁ ସେ ଚାହୁଁନଥିଲେ ତେଣୁ ଧୀରେ ବାଡ଼ଉଥିଲେ । ଯଦି ସେ ଉଠିଯାଏ, କୁଁ କୁଁ ହେବା ଆରମ୍ଭ କରିଦିଏ ତା’ହେଲେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିବ । ତଥାପି ତାଙ୍କୁ ଜୋରରେ ବାଡେ଼ଇବାର ଥିଲା ।

କୁରାଢ଼ିରେ ଦରଜା ଭାଙ୍ଗିଦେବାକୁ ମୁଁ କହିଥା’ନ୍ତି ଯେ ଏତିକିବେଳେ ଗାଧୁଆ ଘରୁ ଉମ୍ମାଙ୍କ ପ୍ରଥମ ଆବାଜ ଶୁଭିଲା । ସେ ପଚାରୁଥିଲେ, ଖୁବ୍ ଦୁର୍ବଳିଆ ସ୍ୱରରେ । ମୃତ୍ୟୁର ମାତ୍ର କେଇ ମିନିଟ ଦୂରରେ ଥିଲେ ସେ ।

“ଚଟାଣରେ ରକ୍ତ ବୁନ୍ଦା କାହିଁକି ପଡ଼ିଛି?”, ବନ୍ଦ ଦରଜା ବାହାରେ ଛିଡ଼ା ହୋଇ ଭାପ୍ପା ପଚାରୁଥିଲେ ।

“ମୋର ମାସିକ ରୁତୁସ୍ରାବ ଆରମ୍ଭ ହେଇଯାଇଛି”, ସେ କହିଲେ ଆହୁରି କ୍ଷୀଣ ସ୍ୱରରେ । “ଲିଟିଲ ଉଠିପଡ଼ିଲା କି?”

“ନା”, ଭାପ୍ପା କହିଲେ, “ସେ ଶୋଇଛି ।”

“ବାଥ୍‌ରୁମ ଯିବ କି ?”, ଉମ୍ମା ପଚାରିଲେ । “ମୁଁ ବାହାର ଗାଧୁଆଘରକୁ ଗଲିନି କାରଣ କାଳେ ତୁମ ସାଙ୍ଗ ଟାର୍ଜନ କେତେବେଳେ ଯଦି ନଡ଼ିଆ ଗଛ ଚଢ଼ିଯିବ ।”

ଭାପ୍ପା ଦରଜା ବାହାରେ ଛିଡ଼ା ହୋଇ ହସିଲେ । ଆଜି ଦିନଟାରେ ଏହା ତାଙ୍କ ଦ୍ୱିତୀୟ ହସ ଥିଲା । ତେଣୁ ଏହି ଖରାପ ସମୟରେ ଆଜି ଦିନଟି ହାତଗଣତି କେତୋଟି ସୁଖଦ ଦିନମାନଙ୍କ ମଧ୍ୟରୁ ଅନ୍ୟତମ । ମୁଁ ବାରଣ୍ଡାରେ ରକ୍ତ ଦେଖିଲି, ବୈଠକଖାନାରେ, ସିଲେଇ ମେସିନ ପାଖ ଚଉକି ପାଖରେ । ସିଲାଇ ମେସିନ ଓ ଅନ୍ୟାନ୍ୟ ଆସବାବ ପରି ଆମ ସହିତ ଗାଡ଼ିରେ ଲଦା ହେଇ ଆସିଥିବା ନୀଳ କୁସନ ପାଖରେ ହିଁ ରକ୍ତର ଲମ୍ବା ଧାର ଶେଷ ହୋଇଥିଲା ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top