ଉପନ୍ୟାସ

ମୁକ୍ତାର ମାୟା (ଭାଗ-୧)

Dr Mousumi Parida's Odia Novel Muktaara Maayaa

ଶୁଭ ଭାଇ.. ! ବିଳପି ଉଠିଲା ମୁକ୍ତା । ଏମିତି ଅଶୁଭ କଥା ତୁଣ୍ଡରେ ଧରି ମୋତେ ଆଘାତ ଦେବାକୁ ଚାହୁଛ ନା ?

ମୁକ୍ତାର ମାୟା

ଭାଗ-୧

ତୋ ଆଖିର ଲୁହ ବି ତୋ ଓଠର ହସ ଭଳି ବେଶ୍ ଚମତ୍କାର ମୁକ୍ତା! ମୁଁ ତୋତେ କେବେ ବି ମନାକରିବିନି ତୁ କାନ୍ଦେନି ବୋଲି । ତୋର ସବୁ ରୂପକୁ ମୁଁ ମୋ ଆଖି ଓ ମନତଳେ ସାଉଁଟିନେବାକୁ ଚାହେଁ ଯେମିତି ତୋ ମୁହଁଟା ମୋ ଆଖି ଆଗେ ଭାସିଗଲେ ଗୋଟେ ଅବୁଝା ନାକକାନ୍ଦୁରୀ ମୁକ୍ତାଠାରୁ ଆରମ୍ଭ କରି ବଧୂ ନିରୂପମା ଭଳି ଲାଜୁଆ ମୁକ୍ତା ପାଲଟିଯାଉଥିବୁ ତୁ ମୋ ଆଗରେ । ଆଉ ମୁଁ ତୋ ମୁହଁର ପ୍ରତିଫଳନକୁ ପଢୁଥିବି ନୀରବରେ । ବିଭୋର୍ ହେଉଥିବି ତୋ ଅଜାଣତରେ..!

ତୁମେ ତେବେ ସହିପାରିବ ମୋର ସବୁ ରୂପକୁ?

ନ ସହି ଚାରା କଣ କହ ତ ? ତୋ ମୋ’ ଭିତରେ କେତେ ତଫାତ୍ । ତୁ ମୋତେ ଭାଇ ସମ୍ବୋଧନ କରୁ ନା ? ତାହେଲେ ସେ ସଂପର୍କକୁ ଭିନ୍ନ ରୂପ ଦେବା ଅପ୍ରାସଙ୍ଗିକତା !

କିନ୍ତୁ ଭାଇ ଭଉଣୀ ଭଳି ସଂପର୍କ ତ ନାହିଁ ଆମ ଭିତରେ ! ଭାଇ ସମ୍ବୋଧନଟି କେବଳ ଏକ ରଜ୍ଜୁ..ଯେକୌଣସି ବେନାମୀ ସଂପର୍କର । ତା ମାନେ ନୁହେଁ ଯେ ସମସ୍ତେ ତୁମ ଭାଇ । ଦୁନିଆଁ ଏତେ ଆଗକୁ ଆସିଲାଣି ! ତୁମେ କେଉଁଠି ରହିଯାଇଛ ଯେ.. ! ଅନ୍ୟର ମନତଳର ଭାଷା ପଢିବାକୁ ତୁମକୁ କେତେ ସମୟ ଦିଆଯିବା ଉଚିତ୍ ? ସମୟରେ ତ ଅନିର୍ଦ୍ଧିଷ୍ଟ ଓ ଅଦୃଷ୍ଟ ଲହର ! ସେଠି ଟେକା କି ପଥର କିଛି କାମ କରେନା । ସଂପର୍କ ହିଁ ଲହରୀର ଦିଗ ବାଗ ବଦଳାଇପାରେ !

ତା ମାନେ ତୁ କହୁଛୁ ମୁଁ କିଛି ବୁଝିପାରୁନି ? ତୁ ଏକା ତୋ ଭାଗର ଦ୍ୱନ୍ଦକୁ ଜୀଇଁଚାଲିଛୁ ଆଉ ମୁଁ ନଦୀ ଏ କୂଳରେ ବସି ସ୍ୱପ୍ନଦେଖୁଛି..ଦିନରେ ? କେଉଁଆଡକୁ ତୋ ଈଶାରା ?

ମୁଁ କୌଣସି କଥାକୁ ଈଶାରାରେ କହୁନି ଶୁଭ ଭାଇ । ଭାଇର ସାଙ୍ଗ ବୋଲି ଭାଇ ଡାକେ..ବାସ୍ । ନାଁ ଧରି ଡାକିବାକୁ ଅବାନ୍ତର ଲାଗେ । କାହିଁ କୋଉ ଦିନଠୁଁ ତୁମକୁ ଭାଇ ବୋଲି ସମ୍ବୋଧନ କରିଆସିଛି । ଭାଇ ଓ ତୁମେମାନେ ଏକାଠି ଲୁଚକାଳି ଖେଳିବାବେଳେ ତୁମମାନଙ୍କ ସହିତ ମୁଁ ଖେଳିଛି । ମିଛିମିଛିକା ଭାତ ଡାଲି ତିଅଣ କରି ତୁମମାନଙ୍କୁ ଖୁଆଇଛି ! କେହି ଲୁଣିଆ କହି ଖାଇବାରୁ ଉଠିକି ପଳାଇଛି ତ କେହି ଭଲ ଲାଗୁଛି କହି ମିଛିମିଛିକା ତିଅଣ ମାଗିଛି ! ଜୀବନଟା କେତେ ସହଜ ଓ ସରଳ ଥିଲା ସେତେବେଳେ ! ସଂପର୍କ ଅଲରା ସୂତା ପରି ଜୀବନକୁ ଆକ୍ତାମାକ୍ତା କରୁନଥିଲା ! ସେଥିପାଇଁ ତ ମୁଁ ସହଜ ଥିଲି ତୁମ ପାଖେ ।

ହେଲେ ଜାଣିନି ତୁମ ଆଗକୁ ଆଜିକାଲି ମୁଁ ଆସିବା ମାତ୍ରକେ କେମିତି ଗୋଟେ ଅସ୍ୱାଭାବିକତାର ପାଚେରୀ ମୋତେ ସଂକୁଚିତ କରିଦିଏ ମୋ ଭିତରେ । ଚାଲୁଚାଲୁ ଝୁଣ୍ଟେ ମୁଁ । ମୋ ଭିତରେ ଏତେ ଲାଜ କେଉଁଠୁ ଜମାଟ ବାନ୍ଧେ କେଜାଣି ! ଭାବେ ମୁଁ ତ ଏମିତି ନଥିଲି କେବେ । ତୁମକୁ ଦେଖି ଲାଜକୁଳୀ ଲତାଟିଏ ପରି ମୁଁ କାହିଁକି ଝାଉଁଳି ପଡେ ? କାହିଁକି ମୋ ଭିତରେ ଅସହଜ ଭାବଟିଏ ଉକୁଟି ଉଠି ମୋତେ ବ୍ୟତିବ୍ୟସ୍ତ କରିପକାଏ ? ମୋର ସହଜ ସୁଲଭ ଭାବକୁ ମାରିଦିଏ ମୋ ଭିତରେ । ସେତେବେଳେ ଭାବେ ମୁଁ ତୁମ ଦୃଷ୍ଟି ଆଢୁଆଳରୁ ଦୌଡି ପଳାଇଯାଆନ୍ତି କି । ତୁମଠୁ ଖୁବ୍ ଦୂରକୁ ! ତୁମ ଚିନ୍ତା ଚେତନାର ପରିସରଠୁ ଢେର୍ ଆଗକୁ ! କଣେଇ ଚାହିଁ ଦେଖେ ତୁମର ଆଖି ଯୋଡିକ ବି ମୋତେ ଅନୁଧାବନ କରୁଥାନ୍ତି । ମୋତେ ଆହୁରି ଲାଜ ଲାଗେ । କି କାମରେ ଆସିଥିଲି ଭୁଲିଯାଏ ।

ଅସହଜ ଭାବଟା ମୋତେ ଭୀଷଣ ଭାବରେ ସଂକ୍ରମିତ କଲେ ବି ମୁଁ କାହିଁକି ନିଜକୁ ତୁମ ଦୃଷ୍ଟିପଥରୁ ନିଜକୁ ଅଲଗା କରି ପାରେନି କି ସେଠି ସେମିତି ସ୍ଥିର ଓ ଅବିଚଳିତ ଭାବେ ରହି ବି ପାରେନି । ମୁଁ ତଥାପି ମନକୁ ବୁଝାଇ ସେଠାରୁ ମୁକୁଳି ଆସିବାକୁ ଚେଷ୍ଟା କରେ । ସାରାଦିନ ଓ ରାତି ଅନ୍ୟମନସ୍କତାରେ ଭାରି ହୁଏ । ଅନାବନା ସ୍ୱପ୍ନ ଭିତରେ ଆହତ ହୁଏ । ଲାଗେ ଯୋଡିଏ ଆଖି ମୋର ପାଶ୍ଚାତଧାବନ କରୁଛନ୍ତି ଅବିରତ ! ସେ ତୀକ୍ଷ୍ଣଦୃଷ୍ଟିରେ ମୁଁ ବତୁରି ଯାଉଛି ! ଅଥଚ ପ୍ରକୃତରେ ମୁଁ ଯେ ତୁମ ନଜରଠାରୁ ବହୁ ଦୂରରେ.. !

ଏଥିପାଇଁ କିଏ ଦାୟୀ ଭାବିକି ଲାଭ ନାହିଁ ଆଉ । ଜୀବନ ରାସ୍ତା ବେଶ୍ ଲମ୍ବା । ଆଗକୁ ବଢିବାକୁ ହେବ ତୋତେ । ତୋ ଆଗରେ ଅନେକ ରାସ୍ତା ଫିଟିଯାଇଛି । ଶୁଭ କହିଲା ।

ଆଉ ତୁମେ..? ପଚାରୁ ପଚାରୁ ବେଦନାରେ ଉବୁଟୁବୁ ହେଉଥିଲା ମୁକ୍ତା !

ମୋ ଆଗରେ ଗଛ ଅବା ପଥର ପଡି ରାସ୍ତା ବନ୍ଦ ହୋଇଯାଇଛି ! ମୁକୁଳିବାର ଉପାୟ ନାହିଁ । ଏ ଅନ୍ଧକାରରୁ ମୁକ୍ତି ପାଇବାକୁ..ମୋତେ ପୁନଶ୍ଚ ଅପେକ୍ଷା କରିବାକୁ ପଡିବ । ନୋଚେତ୍ ମୁକ୍ତିର ଉତ୍ସାହରେ ବିହ୍ୱଳିତ ହୋଇ ଥକିପଡିବି କାଳେ ! ବଂଚିବାର ଦୁର୍ବାର ଲାଳସାରେ ଅନ୍ଧହୋଇ ବିଶାଳ ପଥରକୁ ହାତରେ ହଟାଉ ହଟାଉ ସାମର୍ଥ୍ୟ ହଜିଯିବ । ଆଉ ମୁଁ ଆଲୋକିତ ପୃଥିବୀର ଦର୍ଶନରୁ ବଂଚିତ ହୋଇ ମୃତ୍ୟୁ ଲଭିବି । ଭାରିସ୍ୱରରେ ଉତର ଦେଲା ଶୁଭ । ଲାଗୁଥିଲା ଜୀବନ ଯୁଦ୍ଧରେ ସେ ଯେମିତି ହାରିଯାଇଛି ଅବା ପଙ୍ଗୁ ପାଲଟିଯାଇଛି !

ଶୁଭ ଭାଇ.. ! ବିଳପି ଉଠିଲା ମୁକ୍ତା । ଏମିତି ଅଶୁଭ କଥା ତୁଣ୍ଡରେ ଧରି ମୋତେ ଆଘାତ ଦେବାକୁ ଚାହୁଛ ନା ?

ନା..ଲୋ ପାଗେଳୀ.. ତୋତେ ଦୁର୍ବଳ କରିଦେବା ଭଳି କଥା କହୁନି ମୁଁ । ବରଂ ଇଏ ମୋ ଜୀବନର ନିଷ୍ଠୁରତା.. ! ବିଶ୍ୱନିୟନ୍ତାଙ୍କ ଅବିଚାରତା । ଏଯାଏଁ ନିଜକୁ ପ୍ରମାଣିତ କରିପାରିନି ବୋଲି ଅନେକ ଦୁର୍ମୂଲ୍ୟ ଚିଜକୁ ହରାଇବାକୁ ଯାଉଛି ! ଏ ଆଘାତ ମୋତେ କଣ କେବେ ଶାନ୍ତିରେ ଶୁଆଇ ଦେବ ? ଶୁଭ ଆକାଶକୁ ଚାହିଁଲା ଶୂନ୍ୟଦୃଷ୍ଟିରେ ।

ମୁକ୍ତା ଆଖିରେ ଲୁହର ଶ୍ରାବଣ ! ନିରୂପାୟ ଓ ଅସହାୟ ଉଭୟ.. ! ଆଗକୁ ବାଟ ନାହିଁ କିଛି । ପରିସ୍ଥିତିକୁ ହାଲ୍କା କରିବାକୁ ଶୁଭ କହିଲା-ମୁକ୍ତା.. ! ଏ ନାଁଟି ମୁଁ ତୋତେ କାହିଁକି ଦେଇଛି ଜାଣୁ ?
କାହିଁକି ? ଅନିଚ୍ଛା ଓ ଅନ୍ୟମନସ୍କତାରେ ପଚାରିଲା ମୁକ୍ତା ।

କାରଣ ମୁକ୍ତା ଭଳି ତୁ ସ୍ୱଚ୍ଛ, ନିଷ୍ପାପ ଓ ନୈସର୍ଗିକ । ତୋତେ ଖାଲି ଭଲପାଇ ହୁଏ ତୋ ସରଳତାକୁ ପୂଜା କରିହୁଏ । ତୁ ମୋ ଭିତରେ ଗୋଟେ ଦୀର୍ଘଶ୍ୱାସ । ମୁଁ ଜାଣେ ତୁ ମୋ ଅଗଣାର ଚଉରାମୂଳରେ ସଂଜବତୀଟିଏ ମୋ ନାଁରେ କେବେ ଜାଳିପାରିବୁ ନାହିଁ । ଅଥଚ..ମୋ ଅଗଣାର ଜହ୍ନ ତ ହୋଇପାରିବୁ । ରାତିସାରା ତୋ ଆଲୋକରେ ମୋତେ ଭିଜାଇ ତ ପାରିବୁ ? ମୋ ଭିତରର ଅନ୍ଧକାରକୁ ତୋ ରୂପେଲି ଆଲୋକରେ ତୁ ତ ଧୋଇଦେଇ ପାରିବୁ । ବିଶ୍ୱାସ କର ମୁକ୍ତା, ମୁଁ ସେତିକିରେ ସନ୍ତୁଷ୍ଟ ସାରାଜୀବନ । ଏ ଜୀବନରେ ଆଉ ଅଧିକ କିଛି ଚାହେଁନି । ତୁ ଖୁସିରେ ରହ, ଶାନ୍ତିରେ ରହ । ସବୁ ସୁଖ ପାଇବାର ହକ୍ ତୋର ଅଛି । କାରଣ ସମସ୍ତଙ୍କୁ ଭଲ ପାଉଥିବା ସରଳ ଝିଅଟିଏ ତୁ । ଏତିକି କହୁକହୁ ଶୁଭର ଆଖି ଲୁହରେ ତିନ୍ତିଗଲା ।

ତୁମ ଆଖିରେ ଏ ଲୁହ କାହିଁକି ଶୁଭଭାଇ ? ଯାହା ଉପରେ ଏକା ନାରୀମାନଙ୍କ ଏକଚାଟିଆ ଅଧୀକାର ! ପୁଅମାନେ କଣ କାନ୍ଦନ୍ତି ? ନିଷ୍ଠୁରଭାବେ ତୁମେ ସିନା ମୋତେ କାନ୍ଦିବାକୁ କହିପାରୁଛ । ହେଲେ ମୁଁ ତ କାଇଁ ତୁମ ଲୁହକୁ ସହି ପାରୁନି ? ପ୍ଲିଜ୍ ତୁମେ କାନ୍ଦିକି ମୋତେ ମୋଠାରୁ ବେଶୀ ଦୁର୍ବଳ କରିଦିଅନି । ତୁମେ ପରା ଏତେ ଷ୍ଟ୍ରଙ୍ଗ୍ ? ଆଜି ଏମିତି ବିଚଳିତ କାହିଁକି ? ମୋ ବିବାହ ଖବର ପାଇଁ ନା ?

ମୋତେ ଏବେ ଟିକେ ଏକା ଛାଡି ଦେଇପାରିବୁ ମୁକ୍ତା ?

ବେଶୀ କାନ୍ଦିବ ବୋଲି ନା ଅନାବନା କଥା ଭାବି ଆହୁରି ନିଜକୁ ଦୁଃଖୀ କରିଦେବ ବୋଲି ?

ଜାଣିନି । ତୁ ଏଠୁ ଗଲା ପରେ ଭାବିବି । ଶୁଭ ଏତିକି କହି ମୁହଁ ବୁଲାଇଲା ।

ବାଃ ଇଏ କି ଜବରଦସ୍ତ କଥା..ମୁଁ କଣ ତୁମ ଘରକୁ ଆସିଛି ଯେ ବିଦା କରିଦେବ । ଇଏ ତ କାହା ଯାଗା ନୁହଁ ! ମୋ ଇଚ୍ଛା.. ମୁଁ ଏଠୁ ଏବେ ଯିବିନି । ତୁମ ସହିତ କଥା ହେବାକୁ ଅଛି । ଛୋଟପିଲାଟିଏ ପରି ଗୋଡ କଚାଡି କହିଲା ସେ । ହୁଏତ ସେ ବି ସ୍ଥିତିକୁ ସ୍ୱାଭାବିକ କରିବାକୁ ଚାହୁଁଥିଲା । ଶୁଭକୁ ଲାଗିଲା ସେ କିଛିବର୍ଷ ତଳକୁ ଫେରିଯାଇଛି ଯେପରି ! ସେମିତି ନାକକାନ୍ଦୁରୀ ଅଭିମାନୀ ଚୁପଚାପ୍ ଝିଅଟେ ! କିଛିର ଖିଆଲ ନାହିଁ କି ଚିନ୍ତା ନାହିଁ..ଖାଲି ସେ ଆଉ ତା ଅନାବନା ପରିକଳ୍ପନା !

ତୁ ଥାଆ ତାହେଲେ । କିନ୍ତୁ ମୁଁ ଯାଉଛି.. । ଏତିକି କହି ଶୁଭ ଚାଲିଲା ଆଗକୁ ।

ଓହୋ..ମୋ ଉପସ୍ଥିତି ତାହେଲେ ତୁମକୁ କଷ୍ଟ ଦଉଛି, ନୁହେଁ ? ଠିକ୍ ଅଛି.. ଭାବିନିଅ । ଏମିତି ଜିଦ୍ ଆଉ ଦୁଇଦିନ ପରେ କେହି କରିବେନି ତୁମ ପାଖରେ ।

ଜାଣିଛି.. ତଥାପି ଏ ସମୟକୁ ମୁଁ ସାମ୍ନା କରିପାରୁନି । ତୁ ଘରକୁ ଯାଆ ମୁକ୍ତା । ମୋତେ ମୋ ପରିସ୍ଥିତି ସହିତ ଏକା ଲଢିବାକୁ ଦେ’ । ମୋ ଆଗକୁ ଆସି ମୋତେ ଦୁର୍ବଳ କରନି । ତୁ ସିନା ମୁକୁଳିଯିବୁ ଦ୍ୱନ୍ଦ୍ୱର ଗଳଗଣ୍ଡି ଭିତରୁ । ମୋତେ ସମୟ ଲାଗିବ ! କିଏ କହିବ, ହୁଏତ ଏଥିପାଇଁ ଲାଗିଯାଇପାରେ ସାରା ଜୀବନ । ତଥାପି ମୋତେ ମୋ ସହିତ ଛାଡି ଦେ’ ।

ପଛରୁ ମୁକ୍ତା ଡାକୁଥିଲା..ଶୁଭ ଭାଇ, ଟିକେ ଶୁଣିଯାଅ । ମୁଁ ଡାକୁଚି ପରା ! କେତେବେଳେ ଆଉ ତୁମକୁ ବାନ୍ଧିଲି ଯେ ! ଏକା ତ କେବେଠୁ ଛାଡିଦେଇଛି ! ମାତ୍ର ଏଇ କିଛିଟା କ୍ଷଣ ବି କଣ ମୋଠୁ ନେଇଯିବ ! ଶୁଭ କିନ୍ତୁ ତରବରରେ ଚାଲିଯାଉଥିଲା ତା ଆଗରୁ ।

ତାର ସରଳପଣ ଓ କୋମଳତା ଭିତରେ କାଳେ ଶୁଭ କିଛି ଭୁଲ୍ କରି ବସିବନି ତ ନିଜ ଅଜାଣତରେ । ସେ ସବୁବେଳେ ଏତେ ଆକର୍ଷଣୀୟ କାହିଁକି ଲାଗେ ? ତା କଥା, ଚାଲିଚଳନ, ରାଗରୁଷା, ହସ କାହିଁକି ତାକୁ ଏତେ ଆନମନା କରିପକାନ୍ତି ? କାହିଁକି ତାକୁ ଭିନ୍ନ ଏକ ଇଲାକାକୁ ଟାଣି ନିଅନ୍ତି ? ଭଲ ପାଉଥିବା ଲୋକର ସମସ୍ତ ଗୁଣ ଓ ଅବିଗୁଣକୁ ବି କଣ ମନ ଏତେ ସହଜରେ ଗ୍ରହଣ କରିଯାଏ ? ମନକୁ ମନ ପଚାରିଲା ଶୁଭ । ସେଥିପାଇଁ ତ ସେ ତାଠାରୁ ଦୂରେଇ ରହେ । କାଳେ କେବେ ତାପାଇଁ ବିଚାରୀ ମୁକ୍ତା ହୋଇଯିବ କଳୁଷିତା.. ! ଜାଣିନି..ଧୀରେ ଧୀରେ ତା ପ୍ରତି ଏ ଅହେତୁକ ଆକର୍ଷଣ କାହିଁକି ବଢିଚାଲିଛି ! ଏବେ ତ ତା ବିବାହ ବି ସ୍ଥିରୀକୃତ ହୋଇ ସାରିଛି । ତଥାପି ମନତଳର ସେ ଆକର୍ଷଣ କମୁନାହିଁ ।

ମନ ଭିତରେ କେହି ଜଣେ କହୁଥିଲା-ଏହା କେବଳ..ମାମୁଲି ଆକର୍ଷଣ ନୁହେଁ ଶୁଭ..ୟା’କୁ ଇ କୁହନ୍ତି ପ୍ରେମ ! ଚମକି ପଡିଲା ଶୁଭ-ଏଁ..ପ୍ରେମ ! ଚମକି ପଡିଲା ସେ । ଛାତିସାରା ଢିଙ୍କି ପାହାର..ଧୁମ୍ ଧୁମ୍..ଚାଲିଛି ଅବିରତ ! ସେ ଆଜିଯାଏଁ ତାହେଲେ ମୁକ୍ତାକୁ ପ୍ରାଣ ଭରି ପ୍ରେମ କରିଆସିଛି !! ଓଃ..ମୁଣ୍ଡରେ ଭୀଷଣ ଯନ୍ତ୍ରଣା ! ପ୍ରାଣ ଛାଡିଯିବ କି କଣ ! ତଥାପି ମନଭିତରୁ ଖୋଜିଲା ସେ କିଛି !

ଅତୀତକୁ ଉଣ୍ଡାଳିଲା । କେଉଁଠି ରହିଯାଇଛି ସେ ବିଷାକ୍ତ ବୀଜଟି ଯାହା କାୟାବିସ୍ତାର କରି ଆଜି ମହାଦ୍ରୁମରେ ପରିଣତ ? ଏବେ କିନ୍ତୁ କଣ କରିହେବ ? ମହାଦ୍ରୁମକୁ ସମୂଳେ ବିନାଶ କରିହେବନି..ତା ଚେରମୂଳ ତଥାପି ରହିଯିବ ତା ହୃଦୟରେ । କେବଳ ଡାଳପତ୍ରମାନଙ୍କୁ କାଟି ଦିଆ ଯାଇପାରେ । ହେଲେ କିଛିଦିନ ପରେ ସେଥିରେ ବି ନୂଆ ପତ୍ର କଅଁଳି ଉଠିବ । ମନଭିତରର ମାନସାଙ୍କ ଭୁଲ୍ ହେଉଥିଲା ଆଜି ।

ଏସବୁ ଭିତରେ ପଛରୁ ଶୁଭୁଥିଲା..ଶୁଭଭାଇ !

ଖୁବ୍ ଯୋର୍‌ରେ ଚମକି ବେଡ୍ ଉପରେ ଉଠିବସିଲା ଶୁଭ । ବୋଉ ପଚାରିଲା-କଣ ହେଲା ? କଣ ଖରାପ ସ୍ୱପ୍ନ ଦେଖିଲୁ କିରେ ?

ନା..କହି ମୁଣ୍ଡକୁ ଚାପିଧରିଲା ସେ । ପ୍ରବଳ ଜୋର୍‌ରେ ବିନ୍ଧିଉଠୁଛି ମୁଣ୍ଡଟା । ସତେ କି ଆକାଶଯାକର ବୋଝ କେ ମାଡିଦେଇଛି ତା ଉପରେ ! ବୋଉ ଅମୃତାଞ୍ଜନ ବାମ୍‌ଟା ଘସିଦେଲା ମୁଣ୍ଡ, ବେକ ଓ ଆଖପାଖରେ । ଚାରିଆଡ ଜଳି ଉଠୁଥିଲା ଅମୃତାଂଜନର ଦାଉରେ । ଆଖିରୁ ନିଗିଡି ପଡୁଥିଲା ଧାରଧାର ଲୁହ । ବୋଉ ପଚାରୁଥିଲା-ଆଖିରେ ମୋ ହାତ ବାଜିଗଲା କି ଶୁଭ ? ତୋ ଆଖିସାରା ଏତେ ଲୁହ କାହିଁକି ? ହେଲେ ବୋଉ କୋଉ ଜାଣିଥିଲା କି ତା ପୁଅ ଦୁନିଆଁଟା ଜଳୁଛି ହୁତ୍‌ହୁତ୍ ହୋଇ ! ହେଲେ କାହାକୁ ଦିଶୁନି ତାର ଲେଲିହାନ ଶିଖା !

ହେଲେ ବୋଉ ମନକୁ ଶାନ୍ତି କରିବାକୁ ଯାଇ କହିଲା- ହଁ ବୋଉ ଆଖିରେ ଟିକେ ଲାଗିଗଲାକି କଣ !

ଦେଖା ମୁଁ ଲୁଗାରେ ପୋଛି ଦେଉଛି ଆଖିକୁ ।

ଥାଉ ମୁଁ ପୋଛିଦେବି । ତୁ ବ୍ୟସ୍ତ ହ’ନି । ଆଉ ଟିକେ ପରେ ଭଲ ଲାଗିବ । ଏତିକି କହି ସେ ବୋଉ ଆଗରୁ ଚାଲିଗଲା । ନହେଲେ ଏମିତି କେତେକଥା ପଚାରି ବସିବ ବୋଉ । ସେ କଣ କହିପାରିବ ତାକୁ ଯେ ଅମୃତାଞ୍ଜନ ନୁହେଁ ବରଂ ମୁକ୍ତାକୁ ସବୁଦିନ ପାଇଁ ହରାଇବାର ଦୁଃଖ ହିଁ ତା ଆଖିରୁ ଲୁହ ଝରାଉଛି ଅବିରତ ।

ସେ କାହିଁକି ଏଭଳି ସ୍ୱପ୍ନ ଦେଖେ ବାରବାର । ମୁକ୍ତା ଯଦି ତାକୁ ପ୍ରକୃତରେ ଭଲ ପାଇଥାନ୍ତା, ତେବେ କଣ ସ୍ୱଇଚ୍ଛାରେ ସେ ଅନ୍ୟ କାହାକୁ ବିବାହ କରିବାକୁ ରାଜି ହୋଇଥାନ୍ତା ? ସେ କଣ କେବେ ବି ଶୁଭକୁ ଭଲ ପାଇନି ? ଅନୁରାଗରେ ଭିଜାଇନି ତା ମନକୁ ? କେବେ କଣ ତା ଆଖି ଯୋଡିକ ତାକୁ ଚାହିଁ ଅଧୀର ହୋଇ ନାହାନ୍ତି ? ଅକୁହା ବେଦନାରେ ଘାରି ହୋଇନାହାନ୍ତି । ଶୁଭକୁ ଲାଗେ ତା ଚାହାଣୀ ତୀବ୍ର ଭାବେ ଭେଦ କରିଯାଏ ତାକୁ । ବେପଥୁ ଶୀହରଣରେ ସେ ଶୀହରିତ ହୁଏ ।

ଲାଗେ ତା ମନତଳର ନୀରବତା ତାକୁ ଯୋମିତି ଛନ୍ଦି ଦେଉଛି ନିଜ ଭିତରେ । ସେ ଛନ୍ଦ ଭିତରେ ଏତେ ଆକର୍ଷଣ ସତେ ! ତାର ସେ ନୀରବତା ଭିତରେ କେତେ କୋଳାହଳ । ଲାଗେ ସେ ଯେପରି ସଂକ୍ରମିତ ହୋଇ ଚାଲିଛି ତା ଆକର୍ଷଣ ଭିତରେ । କେତେବେଳେ ଜୀଇଁଚାଲିଛି ତ କେତେବେଳେ ନିଜ ଭିତରେ ଭାଙ୍ଗି ରୁଜି ଯାଉଛି । ତା ଭିତରେ ଅସଂଭବକୁ ସଂଭବ କରିପାରିବାର ଶକ୍ତି ! ହେଲେ ସେ କାହିଁକି ଏତେ ନୀରବ ନିଜଭିତରେ ? ତାକୁ ବେଳେବେଳେ ବୁଝିହୁଏନି । ଅବୁଝା ନଦୀଟିଏ ପରି ସେ ନିଜକୁ ରହସ୍ୟମୟ କରି ରଖିବାକୁ କଣ ଭଲପାଏ ? କିନ୍ତୁ ତା ମନତଳର ଆବେଗ ଶୁଭର ମନକୁ କିପରି ଏତେ ସ୍ପଷ୍ଟ ଭାବେ ଛୁଇଁପାରେ । ତାକୁ କିପରି ଆନ୍ଦୋଳିତ କରିପାରେ ।

ଛୋଟ ଥିଲାବେଳେ ଦାଣ୍ଡରେ ଖେଳୁଥିଲା ସେ ସମସ୍ତଙ୍କ ସହିତ । ଟିକେ କଣ ହୋଇଗଲେ ମୁହଁଟା ଉଷୁନା ହାଣ୍ଡିଟା ପରି ଫୁଲାଇ ଥମଥମ୍ ଆଖିରେ ଚାଲି ଯାଉଥିଲା ଘର ଭିତରକୁ । ଲାଗୁଥିଲା ଏଇ ଯେମିତି ତା ମନତଳର ମେଘୁଆ ଆକାଶଟା ବର୍ଷିଯିବ ମନଇଚ୍ଛା । ତାକୁ ପୁଣିଥରେ ମନେଇ ଦାଣ୍ଡକୁ ଖେଳିବାକୁ ଆଣିବା ପାଇଁ ସବୁତକ ପ୍ରୟାସ ଫେଲ୍ ମାରେ ଶୁଭର । ତା ଭାଇ କହେ-ଛାଡ, ଶୁଭ ସେ ବେଶୀ ଫୁଲେଇ ହେଉଛି । ସେ ସିନା ତା ସାଙ୍ଗମାନଙ୍କ ସହିତ ଖେଳନ୍ତା । ଯାହା ହେଲେ ବି ଆମେ ପୁଅ ପିଲାଙ୍କ ଭଳି ଖେଳିବୁ ନା ! ଆମେ ତ କଣ୍ଢେଇ ଖେଳ ଖେଳିପାରିବୁନି ଝିଅପିଲାଙ୍କ ଭଳି ! ତାକୁ ଛାଡି ଆମେ ଖେଳିବା ଚାଲ୍ ।

ତଥାପି ଶୁଭର ମନ ବୁଝେନି । ଦିଶିଯାଏ ତା ଲୁହଭିଜା ସେ ନିରୀହ ଆଖି ଯୋଡିକ । ମନେମନେ ଭାବେ-ମୁକ୍ତା ମୁଁ ଏଯାଏଁ ବୁଝିପାରୁନି ତୋ ମୁହଁର ହସଟା ବେଶୀ ସୁନ୍ଦର ନା ଲୁହ ଦି’ଧାର ? ତଥାପି ତୋ ଲୁହ ମୋତେ କାହିଁକି କେଜାଣି ଅଧୀର କରିପକାଏ । ଗୋଟାପଣେ ଯେମିତି ଭିଜାଇଦିଏ । ତୁ ଏତେ ରାଗୁ କାହିଁକି ଯେ ! ଶୁଭର ଆଉ ଖେଳରେ ମନନଥାଏ । ଡାବରପୁଆ କିମ୍ବା ନଡିଆ ବାହୁଙ୍ଗାକୁ ବ୍ୟାଟ୍ କରି କ୍ରିକେଟ୍ ଖେଳୁଖେଳୁ ସେ କଣେଇ ଚାହେଁ ତାଙ୍କ ଘର ଆଡକୁ । ସେ ବାହାରକୁ ନଆସିବା ଯାଏଁ ବ୍ୟସ୍ତ ହୁଏ । କେତେବେଳେ ୱାଇଡ୍ ବଲ୍ ପକାଏ ତ କେତେବେଳେ ନୋ’ବଲ୍ । ଖୁବ୍ ଗାଳି ଶୁଣେ ଅନ୍ୟ ସାଙ୍ଗଙ୍କଠାରୁ । ସବୁଠାରୁ ଭଲ ଖେଳୁଥିବା ପିଲାଟି ଗୋଟାଏ ପରେ ଗୋଟାଏ ଅକ୍ଷମଣୀୟ ଅପରାଧ କରି ବସେ । ବାଧ୍ୟ ହୋଇ ସେ ପାଣି ପିଇବା ବାହାନାରେ ମୁକ୍ତାର ଘରକୁ ଯାଏ । ମୁହଁ ଫୁଲାଇ ସେ ବସିଥାଏ ତା କଣ୍ଢେଇ ସହିତ । ଶୁଭ ଆସ୍ତେ କରି ପଚାରେ-ମୁକ୍ତା..! ଆସେ ଖେଳିବୁ । ସେ ନଚାହିଁକି କହେ..ମୋ ନାଁ ମୁକ୍ତା ନୁହଁ । ତୁମେ ମୋତେ ମୁକ୍ତା କାହିଁକି ଡାକ ଯେ !

ସେ ନାଁଟା ମୋତେ ଭଲ ଲାଗେ ବୋଲି ।

ଆଉ ମୋ ସହିତ ଝଗଡା ବି କରିବାକୁ ଭଲ ଲାଗେ ବୋଧେ । ସେଥିପାଇଁ ମୋତେ ଟିକେ ଶାନ୍ତିରେ ଗୋଡି ଡିଆଁ ଖେଳାଇ ଦିଅନି । ତୁମେ କଣ ଜାଣନି, ତୁମ ବଲ୍ ନହେଲେ ପୁଆ ସବୁବେଳେ ମୋ ଗୋଡରେ ବାଜେ ବୋଲି ! ଆଉ ଜାଣ, ମୋତେ ବହୁତ୍ କାଟେ । ଚାଲିବାକୁ କଷ୍ଟ ହୁଏ । ଶୁଭର ମନଟା ନରମିଯାଏ । ସେ ପଚାରେ-

ଏବେ ବି ତୋତେ କାଟୁଛି ?

ଦେଖୁନ, ମୋ ଗୋଡ ତୁମ ବଲ୍ ବାଜି କେମିତି ଫୁଲିଯାଇଛି ! ଶୁଭ ଚାହେଁ ତା ଗୋଡକୁ..ସତେ ତ ! ହେଲେ ତୁ ଏକଥା କହିଲୁନି କାହିଁକି ?

କହିଲେ କି ଲାଭ ! ମୋ କଥା କଣ କେହି ଶୁଣିବେ ? ନା ମଣିଷ ହିସାବରେ ଗଣିବେ ଯେ ! ଏବେ ମୁଁ ଆଉ ତୁମ ଯାଗାରେ ଖେଳିବିନି ।

ତେବେ କୋଉଠି ଖେଳିବୁ ?

ଆମ ଘରେ..ମୋ କଣ୍ଢେଇମାନଙ୍କ ସାଙ୍ଗରେ ।

ନା..ନା ତୁ ବରଂ ଏଇଠି ଖେଳିବୁ । ଆମେମାନେ ସେ ବଡପଡିଆକୁ ପଳାଇବୁ ।

ନା ଶୁଭ ଭାଇ ସେଠାରେ ବିଷାକ୍ତ ସାପମାନେ ଅଛନ୍ତି । ତୁମେ ଜାଣିନ କି କେତେ ଗାଈ ଗୋରୁ ମଲେଣି ସେ ଜାଗାରେ । ବରଂ ମୁଁ ଆଉ ତୁମ ଯାଗାରେ ଖେଳିବିନି ।

ଶୁଭ ଦେଖୁଥିଲା ମୁକ୍ତାର ସେ ନିରୀହତାରେ ଛଳଛଳ ଉଦାର ମୁହଁଟାକୁ । ତା ଗୋଡଟା ବଲ୍ ମାଡରେ କଳା ପଡିଯାଇଛି । ଅଥଚ ସେ ଘରେ କାହାକୁ ଜଣାଇନି । ବୋଧହୁଏ ଆମେ ଗାଳି ଶୁଣିବୁ ବୋଲି । ଇଚ୍ଛା ହେଉଥିଲା ତା ଗୋଡରେ ବାମ୍ ଲଗାଇଦେବାକୁ । ଆସ୍ତେ କରି ଆଉଁସିଦେବାକୁ । ହେଲେ ଡର ଲାଗିଲା । କିଏ କାଳେ କଣ ଭାବିବ ? ସେଠାରୁ ସିନା ସେ ଚାଲିଆସିଲା ହେଲେ ବାରମ୍ବାର ମନେପଡୁଥିଲା ତା ଗୋଡର ସେ କଳା ଦାଗଟା..ଯାହା ତା ବଲ୍ ଦ୍ୱାରା ହିଁ ସୃଷ୍ଟି ହୋଇଥିଲା । ଚୌକା ମାରିବାକୁ ଯାଇ ସେ ମୁକ୍ତାକୁ କ୍ଷତାକ୍ତ କରିଥିଲା । ଏମିତି କେତେବାର ସେ କରିଥିବ । ଅଥଚ ମୁକ୍ତା ଆଜିଯାଏଁ କିଛି କହେନି ତାକୁ । ଆଉ ଖେଳିବାରେ ମନନଥିଲା ।

ମୁକ୍ତା କିନ୍ତୁ ଆରାମରେ ଗୋଡିରେ କଟ ଖେଳୁଥାଏ । ତାର ଯେମିତି ଆଉକିଛି କହିବାକୁ ନଥାଏ । ସବୁକଥା କହିଦେଇ ସେ ହାଲ୍କା ହୋଇଯାଇଥାଏ । ଅଥଚ ଭାରି ହୋଇଯାଇଥାଏ ଶୁଭର ମନ । ଭାରି ବିରକ୍ତି କର ଦିନଟା ଥିଲା ତା ପାଇଁ । ତାରି ପାଇଁ ଟିମ୍ ବି ହାରିଗଲା । ଆଉ ମୁକ୍ତାର ଗୋଡରେ କ୍ଷତ..ସୃଷ୍ଟି ହେଲା ।

ତା ଭାଇ ସମର କହୁଥିଲା- ତା ଗୋଡ କାଳେ ଭାରି ବିନ୍ଧୁଥିଲା ରାତିରେ । ଡାକ୍ତରଙ୍କ ପାଖକୁ ଯାଇ ମେଡିସିନ୍ ଆଣି ଖାଇଲା ପରେ ଯାଇ ସେ ଶୋଇ ପାରିଲା । ଏଥିପାଇଁ ସମର୍ କାଳେ ତା ଘରଲୋକଙ୍କଠୁଁ ଗାଳି ଖାଇଛି । ଅଥଚ ପ୍ରକୃତ କଥାଟି ମୁକ୍ତା କାହାରିକୁ କହିନି ଯେ ତା ଗୋଡରେ କେଉଁଥିପାଇଁ କ୍ଷତ ସୃଷ୍ଟି ହୋଇଛି ବୋଲି ! ତା ମାନେ ସେବେଠାରୁ କଣ ତା ପ୍ରତି ମୁକ୍ତାର ଦୁର୍ବଳତା ସୃଷ୍ଟି ହୋଇଛି ?

ଏମିତି ଅନେକ ବାର ତା ଦୁର୍ବଳତାକୁ ମାପିଛି ସେ । ଅଥଚ କେବେ ମନ ଖୋଲି କେହି କାହାରିକୁ କିଛି କହି ପାରିନାହାନ୍ତି । ସମର୍ ବ୍ୟାଙ୍ଗାଲୋରରେ କମ୍ପ୍ୟୁଟର୍ ଇଞ୍ଜିନିୟରିଂ କଲାବେଳେ ଶୁଭ ଚାଟାର୍ଡ ଆକାଉଂଟିଙ୍ଗ୍ କରୁଛି ଭୁବନେଶ୍ୱରଠାରେ । ମୁକ୍ତା ବି କଟକରେ ପଢୁଛି..ହଷ୍ଟେଲ୍‌ରେ ରହି । କେବେକେବେ ତା ହଷ୍ଟେଲ୍‌କୁ ଯିବାକୁ ଇଚ୍ଛାହୁଏ । କିନ୍ତୁ ସେଠି କାଳେ ଖୁବ୍ ରେଷ୍ଟ୍ରିକ୍ସନ୍ । ଅଯଥାରେ ସେ ହଇରାଣ ହେବ । ଏମିତି ଭାବୁଭାବୁ ପଢା ସରିଯାଏ । ସମର୍ ଓ ସେ ଭିନ୍ନ ଭିନ୍ନ ଯାଗାରେ ଚାକିରୀ କରନ୍ତି । ପି.ଜି ସାରି କିଛି ମାସ ମୁକ୍ତା ଘରେ ଥାଏ । ସେତିକିବେଳେ ଯାହା ଭଲକରି ଦେଖା ସାକ୍ଷାତ ହୁଏ ଉଭୟଙ୍କର ।

ସେତେବେଳେ ସେ ଆଉ ପୂର୍ବର ନାକକାନ୍ଦୁରୀ ଝିଅ ହୋଇ ନଥାଏ । ବେଶ୍ ସୁନ୍ଦର, ମାର୍ଜିତା ଓ ଶାନ୍ତ..ସହରରେ ରହି ଦେହରେ ଚମକ ଖେଳିଯାଇଥାଏ ସତ । ହେଲେ ସେ ଚମକ କେଉଁଥିପାଇଁ ପ୍ରକୃତରେ ଜାଣିବା କଷ୍ଟ । ତଥାପି ସେ ଯେବେ ତା ସହିତ କଥା ହୁଏ ସେତେବେଳେ ମୁକ୍ତାର ମୁହଁ ଲାଜରେ ଭାରି ହୋଇଯାଏ । ଯେଉଁ ପ୍ରତିକ୍ରିୟା ଅନ୍ୟ ସହିତ କଥାହେଲାବେଳେ ନଥାଏ ତା ମୁହଁରେ । ସାଙ୍ଗମାନଙ୍କ ସହିତ ପିଲାଳିଆମୀରେ ତନ୍ମୟ ଥିଲା ବେଳେ ଶୁଭକୁ ଦେଖିଦେଇ ସେ କେଜାଣି କାହିଁକି ଆନମନା ହୋଇଯାଏ । ନୀରବିଯାଏ ନିଜଭିତରେ । ଲାଗେ ତନ୍ମୟ ଝରଣାଟାର ବାଟ ହଠାତ୍ କିଏ ରୋକିଦେଲା କି ? ତା ପାଇଁ ଶୁଭ ମନତଳେ ଅଜସ୍ର ରୋମାଞ୍ଚ ! ଅଥଚ ତାକୁ କହିବାକୁ ସାହସ କୁଳାଏନି । ଯଦି ତା ଉତ୍ତର ନାଁ ହେବ ତେବେ ସେ କଣ ଭାବିବ । ଭାଇ ବୋଲି ସମ୍ବୋଧନ କରେ ସେ । ତାକୁ ଆଉ ବିଶ୍ୱାସରେ ନେଇପାରିବ ତ ସେ ଆଗକୁ ? ସମର୍ କଣ ଭାବିବ ତାକୁ ? ଦ୍ୱିଧା ଭିତରେ ପଡି ଚୁପ୍ ହୋଇଯାଏ ତା ମନତଳର ହାହାକାର ।

ଆଜି ଛୁଟିରେ ଗାଁକୁ ଫେରି ତା ବାହାଘର କଥା ଶୁଣି ମନକୁ ବୁଝାଇପାରୁନି ସେ । ସମର୍ ଅବଶ୍ୟ ତାକୁ ଫୋନ୍‌ରେ କହିସାରିଥିଲା । ନହେଲେ ସେ ଜାଣି ବି ପାରିନଥାନ୍ତା ମୁକ୍ତାର ବାହାଘର କଥା । ମୁକ୍ତାକୁ ଭେଟି ବି ଥିଲା ଭୁବନେଶ୍ୱରରୁ ଫେରି । ସେ ସ୍ୱାଭାବିକଠାରୁ ଟିକେ ଅଧିକ ଚୁପ୍ ଥିଲା । ବିଶେଷ କଥା ହେଲାନି । ତାଙ୍କ ଘରେ ବନ୍ଧୁବାନ୍ଧବମାନଙ୍କ ଗହଳି ! ଟିକେ ଆନମନା ବି ଥିଲା ସେ । ଭଲ ଲାଗିଲାନି ଶୁଭକୁ ସେଠାରେ । ଶ୍ୱାସରୁଦ୍ଧ ହେଲା ପରି ଅନୁଭୂତ ହେଉଥିଲା ତାକୁ । ବିଚଳିତ ହୋଇ ଚାଲିଆସିଲା କାହାକୁ ନକହି । ପଛରୁ ଡାକଟିଏ ଶୁଭୁଥିଲା – ଶୁଭ ଶୁଣିଯାଆ । ସମର୍ ଡାକୁଥିଲା ତାକୁ । ଆସୁଛି-କହି ସେ ଚାଲି ଆସିଲା ଝଡ ବେଗରେ ନିଜ କୋହକୁ ଢୋକି ଦେଇ । ଘରକୁ ଆସିଲା ପରେ ପିଲାଦିନ କଥା ଭାବିଭାବି ଖୁବ୍ କଷ୍ଟରେ ଆଖିକୁ ନିଦ ଆସିଲା । ତାପରେ ଏ ସ୍ୱପ୍ନ.. ! ସ୍ୱପ୍ନ ଭିତରେ ହିଁ ମୁକ୍ତା ସହିତ ମନଖୋଲି କଥା ଦି’ପଦ ତା ମନକୁ ଆଶ୍ୱସ୍ତ କରୁଥିଲା । ଏତେ ନିକଟରେ ଥିଲା ସେ.. । ଯଦି ତା ବିବାହ ପୂର୍ବରୁ ନିଜକୁ ଆର୍ଥିକ ଭାବେ ସ୍ୱଚ୍ଛଳ ପ୍ରମାଣିତ କରି ପାରିଥାଆନ୍ତା..ହୁଏତ ମନକଥା ଖୋଲି କହି ପାରିଥାନ୍ତା ତା ଆଗରେ ! ହେଲେ ସମର୍..ସେ କଣ ଭାବିଥାନ୍ତା ତାକୁ ? ସଂପର୍କଟା ଗୋଟେ ଅଡୁଆ ସୁତାର ବଣ୍ଡଲ୍ ଭିତରେ ଏମିତି ବନ୍ଦୀ ହୋଇଗଲା ଯେ..ତାର ଖିଅ ଧରିବା ମୁସ୍କିଲ୍ । ତା ଭିତରେ ଗୋଟେ ଘୂର୍ଣ୍ଣିଝଡ..ଶୁଖିଲା କାଠିକୁଟା ପରି ସେ କେବଳ ଘୂରି ଚାଲିଛି ଅସହାୟ ଭାବେ ।

ବୋଉ ଡାକଦେଲା-ଶୁଭ, ତୋର ଫୋନ୍ ଆସିଛି । ସମର୍ କରିଛି.. ।

ତାକୁ କହିଦେ’ ମୁଁ ପରେ ଯିବି । ବ୍ୟସ୍ତ ଅଛି ଏବେ । ବୋଉ ବୋଧହୁଏ ଶୁଭର ବ୍ୟତିକ୍ରମ ଆଚରଣକୁ ଅନୁଭବ କରିସାରିଥିଲା । ଫୋନ୍ ରଖି ତା ନିକଟକୁ ଆସିଲା ।

କଣ ହୋଇଛି ତୋର? ତୁ ଆସିବା ପରଠାରୁ ଏତେ ବ୍ୟସ୍ତ କାହିଁକି?

କିଛି ନାହିଁ ବୋଉ । ଦେହ ଟିକେ ଭଲ ଲାଗୁନି ।

ଭଲ କରି ଚାହଁ ମୋତେ । କହି ବୋଉ ମୁହଁଟାକୁ ତା ଆଡକୁ ବୁଲାଇ ଦେଇ କହିଲା-ତୁ କାନ୍ଦୁଛୁ କାହିଁକି ?

କିଏ କହିଲା ମୁଁ କାନ୍ଦୁଛି ବୋଲି ? ଏଇ ଟିକେ ପୂର୍ବରୁ ତୁ ପରା ମୋ ଆଖିରେ ଅମୃତାଞ୍ଜନ ଲଗାଇ ଦେଇଥିଲୁ ବାଉଳାରେ । ସେଥିପାଇଁ.. ।

ମୁଁ କଣ ତୋତେ ଭଲକରି ଜାଣିନି ଏଯାଏଁ ? ଅମୃତାଞ୍ଜନର ଲୁହ କି ମନତଳର ବେଦନା ଜନିତ ଲୁହ ଏସବୁ ମୁଁ କଣ ଆକଳନ କରିପାରିବିନି ବାପା ? ତୋତେ ଜନ୍ମ କରିଛି ପରା ! ମୋଠାରୁ ଅଧିକ କିଏ ତୋତେ ବୁଝିପାରିବ ? କଣ ହୋଇଛି ସତ କହ ମୋତେ । ତୋ ହସହସ ମୁହଁରୁ ସବୁତକ ହସ କାହିଁକି ଉଜୁଡିଯାଇଛି ?

ନା ବୋଉ କିଛି ନାହିଁ ତୁ ଯାଆ ଏଠୁ । ମୁଁ ଠିକ୍ ଅଛି । ବ୍ୟସ୍ତ ହ’ନି ।

ନିଜକୁ ଏତେ ଦୂରେଇ ଦେ’ନି ଶୁଭ । କହ..କଣ ତୋ ଭିତରର ଦ୍ୱନ୍ଦ୍ୱ ? କି ଚିନ୍ତାରେ ତୁ ଏତେକାଳ ଘାରି ହେଉଛୁ ଦିନରାତି ! ନିଦରେ ବି ବାଉଳି ଉଠୁଛୁ ! ଶୁଭ ବୋଉକୁ ଚାହିଁଲା କରୁଣ ଦୃଷ୍ଟିରେ । କଣ କହିବ ତାକୁ । ନିଜେ ଯେଉଁ ସଂପର୍କକୁ ଆଜିଯାଏଁ ବୁଝିପାରିନି ସେ ସଂପର୍କ ଯେ ତାର ସ୍ଥିତିକି ଆଜି ଦୋହଲାଇ ଦେଇଛି, କେମିତି କହିବ ଏକଥାକୁ ? ତଥାପି ବୋଉକୁ ନକହିଲେ ସେ ଯନ୍ତ୍ରଣା ତାକୁ ଯେମିତି ରୁନ୍ଧି ପକାଇବ । ସେ ଅଣନିଃଶ୍ୱାସୀ ହୋଇପଡୁଛି ନିଜଭିତରେ । ଦିନଟେ ପରେ ମୁକ୍ତାର ବାହାଘର । ଅଥଚ ସେ ଶତ ଚେଷ୍ଟାକରି ତା ମନକଥା କହିପାରିଲାନି ତାକୁ । ସେ ଯଦି ନାଁ କରିଥାନ୍ତା, ଏମିତି କଣଟା କ୍ଷତି ହୋଇଯାଇଥାନ୍ତା ଯେ ! ତାପରେ ଅନ୍ତତଃ ମନକୁ ବୁଝାଇ ଦେଇଥାନ୍ତା-ନାଁ ମୁକ୍ତା ତା ପାଇଁ ଜନ୍ମ ହୋଇନି । ସେ ଆଉ କାହାର ସମ୍ପତ୍ତି ! ଅଥଚ ସେ କୌଣସି ଚେଷ୍ଟାନକରି କିଛି ନକହି କାହିଁକି ନିଜକୁ କଷ୍ଟ ଦେଉଛି ଅଯଥାଟାରେ? ବୋଉ ପୁଣି ପଚାରିଲା- କିଛି କହୁନୁ ଯେ କଣ ହୋଇଛି ତୋର ? ଆଜିକାଲି ଏତେ ଚୁପଚାପ୍ କାହିଁକି ?

ବୋଉ..ମୁକ୍ତାର ବାହାଘର ହେଉଛି ପରା !

ହଁ ସେ ତ ତୋ ସାଙ୍ଗର ସାନଭଉଣୀ..? ତୋତେ ଏ କଥା ସମର୍ କହିନି ବୋଧେ ? ସେଇଥିପାଇଁ ତୁ ଏତେ ଦୁଃଖୀ ? ତୁ କଣ ସମରକୁ ଜାଣିନୁ..ପାଗେଳାଟାଏ !

ନା ବୋଉ..ସେକଥା ନୁହଁ..

ତେବେ..ଆଉ କଣ?

ମୁକ୍ତା..!

ହଁ ବୁଝିଲି ତା ସାନଭଉଣୀକୁ ତୁ ହିଁ ମୁକ୍ତା ନାଁରେ ଡାକୁ । ଆଉ ଛୋଟଥିଲାବେଳେ ସେ ବି ଭାରି ଭଲପାଏ ତୋର ଏ ମୁକ୍ତା ଡାକକୁ । ଅନ୍ୟମାନେ ବି ବେଳେବେଳେ ଏଇ ନାଁରେ ତାକୁ ଡାକନ୍ତି । ତା ମାଆ ପରା ପାଲଟା ଅଭିମାନ କରି କହେ-ଅପା, ଶୁଭ ଏମିତିକା ନାଁଟେ ଦେଲା ଯେ ଆମ ଦେଇଥିବା ନାଁ ଲୋକେ ଭୁଲିଗଲେଣି !

କିଛି ସମୟ ଚୁପ୍ ରହି ବୋଉ ସନ୍ଦେହ ଦୃଷ୍ଟିରେ ପଚାରେ-ଶୁଭ, ତୁ ମୁକ୍ତା କଥା କାହିଁକି ଏତେ ଥର କହୁଛୁ ? ତୁ କଣ ମୁକ୍ତାକୁ ଭଲପାଉଥିଲୁ ?

ନୀରବ ରହିଲା ସେ ।

ଆରେ ସତ କହ ମୋତେ.. । ହେଲେ ତୁ ତ ତାକୁ ସାନଭଉଣୀ ଦୃଷ୍ଟିରେ ଦେଖିବା ଭଳି ମନେହୁଏ ମୋତେ । କେବେ ବି ତ ଏକଥା ତୁ ଜାହିର୍ କରିନୁ କାହା ଆଗରେ ! ସତ କହିଲୁ, ଏକଥା କଣ ସେ ଜାଣେ ? ବୋଉ ପଚାରିଲା ଶୁଭକୁ ।

ନାଁ.. ।

କି ଅଦ୍ଭୂତ ତୁ..ସେ ଜାଣେନି । ମାନେ ତୁ ତାକୁ ମନେମନେ ଭଲ ପାଉ । କିନ୍ତୁ ସେ ତୋତେ ଭଲପାଏ ତ ?

ସେକଥା ଜାଣିନି ବୋଉ ।

ତୁ କୋଉ ଯୁଗର ମଣିଷଟେ ଶୁଭ ? ଏତେ ପଛୁଆ କେମିତି ହେଲୁ ଏ ଧାବମାନ ଯୁଗରେ ! ତୋ ଆଖି ଆଗରେ ସେ ବଡ ହୋଇଛି । ଉଭୟ ପରସ୍ପରକୁ ଅଳ୍ପ ବହୁତେ ଜାଣ । ତୁ ବି ଭଲ ଚାକିରୀ କରିବୁ କିଛିଦିନ ପରେ । ତାଙ୍କ ଘରଲୋକେ କଣ ମନାକରିଥାନ୍ତେ ତୁମ ଦୁହିଁଙ୍କ ବିବାହକୁ ? ତୁ ଏତେ ଡେରି କଲୁ କାହିଁକି ? ମୋତେ ତ କହିପାରିଥାନ୍ତୁ ? ସେଥିପାଇଁ ଘରକୁ ଆସିଲା ପରଠାରୁ ତୁ କେମିତି ଗୋଟେ ଅନ୍ୟମନସ୍କତାରେ ଭାରି ଦିଶୁଛୁ । ଭଲ ଲାଗୁନି ତୋର ଏ ନୀରବତା । ନିଜ ମନକଥା ଅନ୍ତତଃ ତାକୁ କହିପାରିଥାନ୍ତୁ ! ଏବେ ତୋ ପାଇଁ ମୁଁ କଣଟା ବା କରିପାରିବି ?

କିଛି କରିବାର ନାହିଁ ଆଉ । ଭଲରେ ଭଲରେ ତା ବାହାଘରଟା ହୋଇଯାଉ । ଝିଅରୁ ପତ୍ନୀ ପାଲଟିଯାଉ ସେ ! ଶଂଖା, ସିନ୍ଦୂର ପିନ୍ଧି ସେ ଅଜଣା ପାଲଟିଯାଉ ମୋ ପାଇଁ । ମୁକ୍ତା ହଜିଯାଉ ମୋ ଭିତରୁ । ବାସ୍.. । ଶୁଭ ବୁଝାଇଲା ବୋଉକୁ । ତା ବୁଝାଇବା ଅପେକ୍ଷା ବେଶୀ ଅସହାୟତା ଝଲକୁଥିଲା ସେ ସ୍ୱରରେ ।

ଆଉ ତୁ.. ? ତୁ ନିଜ ମନକୁ ବୁଝାଇ ପାରିବୁ ତ ?

ପାରିବି ବୋଉ । କିନ୍ତୁ ସମୟ ଲାଗିବ । ଭାବିନେବି..ସେ ମୋତେ ଭଲପାଉନଥିଲା କେବେ । ଠିକ୍ ସେତିକିବେଳେ ସମର୍ ପହଂଚିଗଲା ଘରେ ଝଡ ତୋଫାନ ଭଳି ! ଦାଣ୍ଡରୁ ହିଁ ଡାକି ଡାକି ଆସୁଛି ସେ..ଦୁହେଁ ନିଜକୁ ସ୍ୱାଭାବିକ କରିନେଲେ । ତାକୁ ଦେଖିବା କ୍ଷଣି ହସିହସି ଶୁଭ କହିଲା- ଆରେ ମୁଁ ତ ଯାଇଥାନ୍ତି ତୋ ପାଖକୁ । ତୁ କାହିଁକି ଆସୁଥିଲୁ? ତୋ ପାଇଁ ଘରେ କେତେ କାମ ବାକି ପଡିଥିବ । ତୁ ଆଗରେ ଚାଲ୍ । ଟିକେ ଛାଡି ମୁଁ ଯାଉଛି ତୋ ପଛରେ ।

ମୋ ପଛରେ ନୁହେଁ ଶୁଭ..ମୋ ସହିତ ଚାଲ୍ । କହି ସମର୍ ଯୋର୍ କରି ହାତଧରି ଟାଣି ନେଇଗଲା ତାଙ୍କ ଘରକୁ । ଯେତେ ଯାହା ବାହାନା କଲେ ବି ସେ ମାନିଲାନି । କାମ ଭିତରେ ନିଜକୁ ବୁଡାଇ ରଖି ସବୁ ଭୁଲିବାର ଚେଷ୍ଟା କରୁଥିଲା ଶୁଭ । ଅଥଚ ମୁକ୍ତା ପାଖକୁ ଯିବାକୁ ଭୟ ଲାଗୁଥାଏ । ତାରି ଭିତରେ ଅନେକବାର ଖବର ଆସୁଥାଏ ମୁକ୍ତା ପାଖରୁ ତା ନିକଟକୁ ଯିବାକୁ । ହେଲେ କୌଣସି ନା କୌଣସି ଆଳରେ ସେ ଦୂରେଇ ରହୁଥାଏ । ମୁକ୍ତା ନିଜ ହାତରେ ପ୍ଲେଟରେ ମିଠା ଓ ସ୍ନାକ୍ସ୍ ପଠାଇଲେ ବି ସେସବୁକୁ ଆଡ କରି ସେ ଚାଲି ଆସୁଥାଏ ବାହାରକୁ ।

ମନ ଭିତରେ ତୀବ୍ର ଅଭିମାନଟିଏ କୁହାଟ ମାରୁଥାଏ -କାହିଁକି ପୁଣି ତୋର ଏ ନୀରବ ଆହ୍ୱାନ ମୁକ୍ତା ? ଏବେ ତୁ ଅନ୍ୟ କାହାର ହେବାକୁ ଯାଉଛୁ । ତଥାପି ମୋତେ ଆଘାତ ଦେବାରେ ଏତେ ଆନନ୍ଦ ତୋର ? ଏମିତି ଭାବୁଭାବୁ ବେଳେବେଳେ ଲୁହର ବିନ୍ଦୁମାନେ ତା ଭିତରେ ରୋକିହୋଇ ତାକୁ ଯନ୍ତ୍ରଣାରେ ଭିଜାଇ ଚାଲିଥାନ୍ତି । ଠିକ୍ ସେତିକିବେଳେ ଏକାକୀ ପାଇ ତା ନିକଟକୁ ଚାଲିଆସିଲା ମୁକ୍ତା । ତା ଆଗରେ ଛିଡା ହୋଇ ତୀକ୍ଷ୍ଣ ଭାବେ ଚାହିଁଲା ତାକୁ ।

ଦେବୀଟିଏ ପରି ଲାଗୁଥାଏ ସେ ! ତା ମୁହଁରେ ଯେତିକି ଖୁସି ସେତିକି ଦୁଃଖ ବି ଝଲକୁଥାଏ ! ଏ ଦୁଇଟି ଭାବ ତା ରୂପକୁ ଆହୁରି ସ୍ୱର୍ଗୀୟ କରି ଗଢି ତୋଳୁଥାନ୍ତି ! ଲାଗୁଥାଏ କୋଉ ଅଭିଶପ୍ତା ଅପସରୀଟେ ମର୍ତ୍ୟରେ ଜନ୍ମିଛି ତାକୁ ପାଗଳ କରିବାକୁ ! ସତରେ କଣ ନାରୀର ଏ ବେଶ ଯତିମତିହରା ! ଅନ୍ୟକୁ ସ୍ଥାଣୁ କରିଦେବା ପରି ! ଶୁଭର ହାତପାଦ ଥଣ୍ଡା ହୋଇ ଆସୁଥାଏ । ସେ ତାକୁ ପଛକରି ଦୌଡି ପଳାଇବାକୁ ଚାହୁଁଥାଏ । ହେଲେ ତା ପାଦରେ ଅଦୃଶ୍ୟ ଶିକୁଳି । ଚାହିଁ ବି ଛିଣ୍ଡାଇପାରୁନି ! ସେମିତି ଛିଡାହୋଇଥାଏ ମୁକ୍ତା ସାମ୍ନାରେ..ମୁକ୍ତା ଆଖିରେ ଜକେଇଆସୁଥାଏ ଲୁହ !

କେଇଟା ମୁହୂର୍ତ ପରେ ସେ ଆକାଶର ଚାନ୍ଦ ପାଲଟିଯିବ ତା ପାଇଁ । ଦୂରରୁ ଥାଇ ସେ ତାକୁ କେବେକେବେ ଦେଖିବ ନିଜ ଭିତରେ । ତା ଭିତରେ ସେ ନିଜକୁ ହଜାଇଦେବ କିଛି ମୂହୁର୍ତ୍ତ । କିନ୍ତୁ ସେ କଣ ପ୍ରକୃତରେ ତାକୁ କେବେ ଭୁଲିପାରିବ ? ଜୀବନର ପ୍ରଥମ ପ୍ରେମର ପ୍ରଗାଢତା କେବେ କଣ ମନତଳୁ ମ୍ଳାନ ହୁଏ ମୁକ୍ତା ? ତାର ସ୍ୱଚ୍ଛତାରେ କେବେ କଣ ମଳିଧୂଳି ଲାଗେ ? ଯଦି ହଁ ତେବେ ସେ ପ୍ରେମ ପ୍ରେମ ନୁହେଁ ମୋ ପାଇଁ । ମୁଁ କିନ୍ତୁ ତୋତେ କଥା ଦେଉଛି ମୁକ୍ତା- ତୋ ସ୍ୱଚ୍ଛତାରେ କେବେ ବି ଦାଗ ବସାଇବିନି । ମୁକ୍ତା ବଧୂବେଶରେ ଛିଡା ହୋଇଥିଲା ତା ସାମ୍ନାରେ । ଶୁଭ ସହିପାରୁନଥିଲା ତାର ଏ ବେଶକୁ । ଲାଗୁଥିଲା ସତେ କି ସେ ମୂର୍ଚ୍ଛିତ ହୋଇଯିବ ଆଉ ଟିକେ ପରେ । ସେ ବେଳକୁ ବେଳ ଏତେ ଦୁର୍ବଳ କାହିଁକି ହୋଇପଡୁଛି ? କାହିଁକି ତାର ଚଳତ୍ ଶକ୍ତି ଲୋପ ପାଇଯାଉଛି?

ମୁକ୍ତା ପାଣିଗ୍ଲାସଟା ବଢାଇ ଦେଲା ହାତକୁ ଓ କହିଲା- ଏତେ କାମ କଲଣି ମୋ ବାହାଘର ପାଇଁ । ମୋ ହାତରୁ ମିଠାଟେ ତ ଛୁଇଁଲନି । ଏବେ ପାଣି ଗ୍ଲାସ୍‌ଟେ ବି କଣ ଗ୍ରହଣ କରିବନି । ମୁଁ କଣ ପାପ କରିଛି କି ଶୁଭ ଭାଇ ? ଦେଖୁନ..ପାପର ଦାଗ ନାହିଁ..ହାତ ଧୋଇସାରିଛି !

ନାଁ..ତ..ମୁଁ..କଣ ତୋତେ ସେମିତି କିଛି କହିଲିକି ? ତୁ ଏପରି କାହିଁକି ଭାବୁଛୁ ? ମନ ଭିତରେ କେହି କହୁଥିଲା- ପାପର ଦାଗ ହାତରେ ନଥାଏ ମୁକ୍ତା, ଦାଗ ତ ମନତଳେ..!

ତୁମ ମୁହଁ ସବୁ କହିଦିଏ । ତୁମ ଆଖି ଯୋଡିକ ଆଜି ମୋଠାରୁ ଏତେ ଲୁଚୁଛନ୍ତି କାହିଁକି ? ତୁମେ ତ ଆଗରୁ ଏମିତି ନଥିଲ । କଣ ହୋଇଛି ମୋତେ କହିବନି..ଶୁଭ ଭାଇ ?

ତୁ କୋଉ ଏମିତି ଥିଲୁ କି ?

ମାନେ.. ? ପ୍ରଶ୍ନଝରା ଦୃଷ୍ଟିରେ ଚାହିଁଲା ମୁକ୍ତା ଶୁଭ ମୁହଁକୁ ।

ମାନେ..ଏତେ କଥା କୁହା..? ଦୁହେଁ ଅଳ୍ପ ହସିଲେ । ସେ ମଉକାରେ ଶୁଭ ଯିବାକୁ ଉଠିଲା । ପୁଣି ମୁକ୍ତା ତା ପଥ ଅବରୋଧ କରିକହିଲା- ଶୁଭ ଭାଇ ଏ ବିଜନ ବେଳାରେ କଥାଟିଏ ଦେବ ? ମନା କରିବନି ? ପ୍ରଥମ ଓ ଶେଷଥର ପାଇଁ ମାଗୁଛି..!

ଆଶ୍ଚର୍ଯ୍ୟ ହୋଇ ପଚାରିଲା ଶୁଭ-କଣ?

ତୁମେ ମୋ ସହିତ କଣ୍ଟାକ୍ଟରେ ରହିବ । ମୋତେ ଫୋନ୍ କରି ଭଲମନ୍ଦ ବୁଝୁଥିବ । ଯେପରି ଭୁଲିଯିବନି ମୋତେ କେବେ ବି । ଆଉ ତୁମ ବିବାହରେ ମୋତେ ବି ସାମିଲ୍ କରିବ । କରିବ ନା..? ପଚାରିଲା ମୁକ୍ତା । ଶୁଭ କିନ୍ତୁ ଅନ୍ୟ କିଛି ଭାବୁଥିଲା ।

କଣ ଭାବୁଛ ? ଏବେ ମୋଠାରୁ ବି ଅନ୍ୟକିଛି ଜରୁରୀ କାମ ଅଛି ନା ଆଉ କାହା ଚିନ୍ତା କରୁଛ ? ଅଭିମାନରେ ଶାଣିତ ଥିଲା ତା ସ୍ୱର ।

ଆଉ କାହା ଚିନ୍ତା.. ? କଣ କହିବାକୁ ଚାହୁଁଛୁ ତୁ ମୁକ୍ତା ?

ନା କଣ ଆଉ କହିବି..ଏ ସମୟରେ । ବାସ୍ ଏତିକି କଥା.. ! କିଛି ନୀରବତା ଦୁହିଁଙ୍କ ଭିତରେ..ଶୁଭ ସେ ମଉକାରେ ଉଠିବାକୁ ଚେଷ୍ଟା କଲା ।

ପୁଣି ମୁକ୍ତା ପଚାରିଲା-ତୁମର କଣ କିଛି କହିବାକୁ ନାହିଁ.. ?

କଣ କହିବି..? ତୁ ଭଲରେ ରହ ତୋ ସଂସାରରେ.. ।

ବାସ୍ ଏତିକି.. ? ଲାଗୁଥିଲା ମୁକ୍ତା ଭିତରେ ଗୋଟେ ଅସହ୍ୟ ବେଦନା..ଆଜି ମୁକ୍ତି ଚାହୁଁଛି । ଅଥଚ ହଜାରେ ପ୍ରତିବନ୍ଧକ ତା ସାମ୍ନାରେ । ତା ଆଖିରେ ଲୁହର ଶ୍ରାବଣ.. ଅଥଚ ତା ପୂର୍ବରୁ ଏକ ଭୟଙ୍କର ନୀରବତା.. ! ଶୁଭ ପୁଣି ଉଠିଲା ବାହାରକୁ ଆସିବାକୁ । ଭିତରେ ଶ୍ୱାସରୁଦ୍ଧ ହୋଇଯିବ ତାର । ଉଭୟ ଭିନ୍ନ ଭିନ୍ନ ଯନ୍ତ୍ରଣାରେ ଛଟପଟ ।

ଏବେ ତୁମେ ତାହେଲେ ଚାଲିଯିବ.. ? ଓଦାଳିଆ ହୋଇଆସିଲା ମୁକ୍ତାର କଣ୍ଠ ।

ଆଉ ଚାରା କଣ ଅଛି ?
ମୋ ଉତ୍ତର ମୁଁ ପାଇଲିନି ଏଯାଏଁ । ସାରାଜୀବନ ମୋ ସହିତ କଣ୍ଟାକ୍ଟରେ ରହିବ ବୋଲି ଅନ୍ତତଃ ଏତିକି ପ୍ରତିଶ୍ରୁତି ତ ଦେଇପାରିବ ପ୍ରଥମ ଓ ଶେଷଥର ପାଇଁ । ଅଭିମାନରେ ଉବୁଟୁବୁ ହେଉଥିଲା ସେ । ଶୁଭ ଠିକ୍ ଭୁଲ୍‌ର ଦୋଛକିରେ ଛିଡା ହୋଇ ତଳକୁ ଝୁଙ୍କି ପଡିଥିବା ଡାଳଟିଏ ପରି ନଇଁପଡିଥିଲା ନିଜ ଭିତରେ । ମୁକ୍ତାର ବି ତା ପ୍ରତି ଆକର୍ଷଣ ଥିଲା ବୋଧହୁଏ । ଓଃ..ଭୁଲ୍ ହୋଇଗଲା.. । ନଦୀର ଦୁଇ କୂଳ ପରି ସେମାନେ ପରସ୍ପରକୁ ଦେଖି ତ ପାରୁଥିଲେ । ହେଲେ ଏକାଠି ବସି ସ୍ୱପ୍ନ ଦେଖି ପାରିଲେନି । ଏଥିପାଇଁ ବେଶୀ ଭୁଲ୍ ତାର..ସେ ଯେ ସବୁବେଳେ ଦ୍ୱନ୍ଦ୍ୱ ଭିତରେ ଅଟକି ଯାଇଥିଲା ସାରା ଜୀବନ । ଏବେ..ସବୁ ଖାଲି ଗୋଟେ ଗୋଟେ ତତଲା ଦୀର୍ଘଶ୍ୱାସ ।

କିଛି କହିଲନି ତ..ସାମାନ୍ୟ କଥାର ମାନ ରଖିବା ବି ତୁମପାଇଁ ଅସଂଭବ ନା.. ? ତୁମେ ପୁଅମାନେ କଣ ଏମିତି ଚରମ ସ୍ୱାର୍ଥପର ? ମୁକ୍ତାର ଧୈର୍ଯ୍ୟବନ୍ଧ ତୁଟିବାର ଦେଖି “ଚେଷ୍ଟା କରିବି” କହି ଚାଲିଗଲା ଶୁଭ । ଅବଶ୍ୟ ସେ ପ୍ରତିଶ୍ରୁତି ମିଛ ଥିଲା । ଚାଲିଯିବା ପରେ ଆଉ ପଛକୁ ଫେରି ଚାହିଁବାର ମାନେ କଣ । ଅତୀତ କଷ୍ଟ ଦିଏ ସବୁବେଳେ । ଏମିତିକି ଶୁଭ ତା ନିଜର ବିବାହ ଖୁବ୍ କାଟଛାଟରେ ସାରି ଦେଇଥିଲା ଭୁବନେଶ୍ୱରରେ । ସମର୍ ଆସିଥିଲା । କିନ୍ତୁ ସେ ଜାଣିଜାଣି ମୁକ୍ତାକୁ ଡାକିନଥିଲା । ପ୍ରେମର ଭସା ବାଦଲଟି ଅପସରି ଯାଇଥିଲା ମନଆକାଶରୁ । ଉଭୟ ସେମାନଙ୍କ ଜୀବନ ଜୀଉଁଥିଲେ । ଅଥଚ ପ୍ରକୃତରେ ସେମିତି କିଛି ବନ୍ଧନ ଥିଲା କି ନାହିଁ କହିବା କଷ୍ଟକର ଥିଲା ।

ତା’ପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top