ଉପନ୍ୟାସ

ମୁକ୍ତାର ମାୟା

Dr Mousumi Parida's Odia Novel Muktaara Maayaa

ଠିକ୍ ଅଛି ତୁମେ ନିଜେ କ୍ଷତାକ୍ତ ହେବାରେ ଯଦି ଏତେ ଜିଦ୍ ତାହେଲେ କହିଦେଉଛି ସେ ଅକୁହା ଅଧାବାକ୍ୟଟି.. ତାହେଲେ ମୁଁ ହୁଏତ ତୁମକୁ ବିବାହ କରିନଥାନ୍ତି । ଅନେକ ପୁଅ ଥିଲେ ଖୁସିଖୁସି ମୋତେ ଆପଣେଇ ନେବାକୁ ।

ମୁକ୍ତାର ମାୟା

-: ପୂର୍ବରୁ :-

ସେଥିପାଇଁ ଆଜିକାଲି ସେ ନିଜକୁ ଖୁବ୍ ବ୍ୟସ୍ତ ରଖନ୍ତି । ରାଜନୀତିରେ ପ୍ରବେଶ ପରଠାରୁ ମମିଙ୍କ ନଖରାମି ଆହୁରି ବଢିଛି । ଘରକାମ ତ ଆଗରୁ ମୋଟେ କରୁନଥିଲେ । ଆଜିକାଲି ବିଭିନ୍ନ ପାର୍ଟିମାନଙ୍କରେ ସମୟ ସାରନ୍ତି । ଆଉ ଡାଡି ସବୁବେଳେ ଲୋକସେବାରେ ନିଜକୁ ନିୟୋଜିତ କରିଦେଇଛନ୍ତି । ଘରକଥା ବୁଝିବାକୁ କିମ୍ବା ଏକମାତ୍ର ଝିଅ ଜିଜ୍ଞାସାର ସୁଖ ଦୁଃଖ ଜାଣିବାକୁ ସେମାନଙ୍କ ହାତରେ ଆଜିକାଲି ସମୟ ହିଁ ନାହିଁ । ମନେମନେ ଆଘାତ ପାଏ ସେ । କାହିଁକି ମମିଡାଡି ଏମିତି ବିପରୀତ ଦିଗରେ ଚାଲିଛନ୍ତି ପରସ୍ପରକୁ ପିଠି କରି ? ତଥାପି ମମି କେତେ ଖୁସି ନିଜ ଭିତରେ? ଈର୍ଷା ହେଉଛି ମମି ଉପରେ । କିଛି ରୋକ୍ ଟୋକ୍ ନାହିଁ ତାକୁ ।

ଅଥଚ ଏଠି ଅଂଶୁମାନ କିଛିନାକିଛି କହୁଥିବେ । ଯୋର୍ କରି ନିଜର ଅଧୀକାର ସାବ୍ୟସ୍ତ କରୁଥିବେ । ଡାଡି କିନ୍ତୁ କେତେ ଭଲ ସତରେ । ଅଂଶୁମାନ ତାଙ୍କ ପରି କାହିଁକି ହେଲେନାହିଁ ? ବାଧ୍ୟଶିଶୁଟିଏ ପରି ମମି କଥାରେ ଉଠ୍ ବସ୍ ହେଉଥିବା ଡାଡିଙ୍କର ଅସୀମ ଧୈର୍ଯ୍ୟ ! ସେ ପ୍ରକୃତରେ କେତେ ଭଲ ପାଆନ୍ତି ମମିକୁ । ହେଲେ ଅଂଶୁ ଭଲପାଇବାର ଡିଣ୍ଡିମ ପିଟି ଲକ୍ଷ୍ମଣରେଖା ଟାଣିବାକୁ ଚେଷ୍ଟା କରନ୍ତି ତା ଚାରିପଟେ । ଓଃ କେତେ ଛଦ୍ମବେଶୀ ସେ ! ଏଭଳି ଭଲପାଇବାରେ ଲାଭ କଣ ଯେ !

ଏମିତି ଭାବୁଭାବୁ ହ୍ୱିସ୍କି ଭରା ଗ୍ଲାସକୁ ଓଠରେ ଲଗାଇଲା । ଏ.ସି ପବନର ହାୱାରେ ଦେହ ଓ ମନ ଶୀଥିଳ ହୋଇ ପଡୁଥିଲେ । ହୃଦୟ ଭିତରେ ଅନେକ ପ୍ରଶ୍ନ ତାକୁ ବ୍ୟତିବ୍ୟସ୍ତ କରିପକାଉଥିଲେ । ସେ ଛନ୍ଦି ହୋଇପଡୁଥିଲା ଅକ୍ଟୋପାସର ପଞ୍ଝା ଭିତରେ । ସେଥିରୁ ନିଜକୁ ମୁକୁଳାଇବାକୁ ଯାଇ ଆଉ ଗୋଟେ ପେଗ୍ ପିଇ ଅଚେତ ଅବସ୍ଥାରେ ବିଛଣାରେ ଗଡିପଡିଲା ଜିଜ୍ଞାସା । ତା ହାତରୁ ଖସିପଡିଲେ ଖାଲି ଗ୍ଲାସ୍ ଆଉ ଟି’ପୟ ଉପରେ ଥିବା ବରଫ ବାକ୍ସଟା । ନିତ୍ୟାନନ୍ଦ ବିକ୍ଷିପ୍ତ ଚିଜଗୁଡିକୁ ନିଜ ନିଜ ଯାଗାରେ ରଖିଦେଇ ଫେରିଗଲାଣି । ରାତିପାଇଁ କଣ ରାନ୍ଧିବ ବୋଲି ପଚାରିବାକୁ ଯାଇଥିବ ବୋଧହୁଏ । ଜିଜ୍ଞାସା ମତରେ ଲୋକଟା ନିହାତି ୟୁସ୍ ଲେସ୍ । ଅନେକଥର ସେ ଭାବିଲାଣି-ତାକୁ ସେ ଚାକିରିରୁ ବିଦା କରିଦେବ । ହେଲେ ଅଂଶୁର କି ମୋହ ଏ ଲୋକଟା ଉପରେ କେଜାଣି ତାକୁ ଏଠୁ ଛାଡିବାକୁ ନାରାଜ୍ । ସେ ପ୍ରସଙ୍ଗ ଉଠାଇଲେ ତା ମୁହଁଟା ବିରକ୍ତିରେ ଲାଲ୍ ହୋଇଯାଏ ।

ସେ ପ୍ରଶ୍ନ କରେ-ମଣିଷମାନଙ୍କ ଉପରେ ତୁମର ଏତେ ବିରକ୍ତି ଭାବ କାହିଁକି ? ଯିଏ ଅହରହ ତୁମ ସେବାରେ ଲାଗିଛି ବିନା ବାକ୍ୟବ୍ୟୟରେ, ତା ପ୍ରତି ବି ତୁମର ଟିକିଏ ଦୟା ମାୟା ନାହିଁ ? କିଭଳି ନାରୀ ତୁମେ ? ସ୍ନେହ ଓ ସଦିଚ୍ଛାରେ ମନକୁ ଜିଣି ହୁଏ ଜିଜ୍ଞାସା ଘୃଣା କି ଅନାଦରରେ ନୁହେଁ । ଶ୍ରଦ୍ଧାରେ ମଣିଷ ପଶୁକୁ ବି ଜୟ କରିପାରେ । ଆଉ ତୁମେ ସାମାନ୍ୟ ଚାକରଟା ଉପରେ.. ? ସେ କଣ ତୁମ ସମାସ୍କନ୍ଧ ? ତୁମକଥାକୁ ସେ ଆଜ୍ଞାବହ ରୂପେ ପାଳନ କରେ ଅର୍ହନିଶ । ତଥାପି ତୁମେ ତା ଉପରେ ଅସନ୍ତୁଷ୍ଟ ?

ଜିଜ୍ଞାସା ବି ଛାଡେନାହିଁ । ସେ ବି ଆହତ ସିଂହୀ ଭଳି ଗର୍ଜନ କରି କହେ-ତୁମର ସେ ମଫସଲୀ ପ୍ରେମ ତୁମକୁ ବିଭ୍ରାନ୍ତ କରିଦେଇଛି ଅଂଶୁ । ତୁମେ ଆଗକୁ ବଢି ପାରୁନାହଁ । ସେ ସଂସାରିକ ମୋହମାୟାରେ ନିଜର କ୍ୟାରିଅର୍‌କୁ ଧୂଳିସାତ୍ କରୁଛ । ଜୀବନକୁ ଗୀତ କରିଦିଅ ନାହିଁ । ଯାହା ପବନରେ ହଜିଯିବ । ବରଂ ଜୀବନକୁ ଗବେଷଣା ବନାଇ ଦିଅ । ଦେଖିବ ସେଠି କେତେ ଆତ୍ମତୃପ୍ତି ! ତୁମେ କାଳକାଳକୁ ଅମର ହୋଇଯିବ ଅଂଶୁ । ସମୟ ତୁମକୁ ପରାଜିତ କରିପାରିବ ନାହିଁ । ହେଲେ ତୁମେ କାହୁଁ ଜାଣିବ ଜ୍ଞାନର ଗାରିମା ! ଅହରହ ପାପାମାମା ଓ ଘର ହୋଇ ହୋଇ ତୁମର ଅର୍ଦ୍ଧାଧିକ ଜୀବନ ବିତିଗଲା । ଜାଣେନି ଏପରି ପିଲାଳିଆମୀ କରି କରି ତୁମେ ଆଉ କେତେ ନିଜକୁ ଠକିବ ? ପ୍ରହେଳିକା ପଛରେ ଧାଇଁ ନିଜକୁ କେତେ ହଜାଇବ । ତୁମେ ଗୋଟେ ବରଫଖଣ୍ଡଠାରୁ ଅଧିକ ମୂଲ୍ୟବାନ୍ ନୁହଁ ଅଂଶୁ ।

ସତ କହିବ ଜିଜ୍ଞାସା, ତୁମେ ପ୍ରକୃତରେ ମୋ ଠାରୁ କଣ ଚାହଁ ? ତୁମର ତୃପ୍ତି କେଉଁଠାରେ ?

ମୁଁ ଚାହେଁ ତୁମେ ଖାଲି ଓଡିଶା କାହିଁକି ସାରା ଭାରତରେ ନିଜର ସୁନାମ ଅର୍ଜନ କର । ଭଲ ଡାକ୍ତର ରୂପେ ପ୍ରତିଷ୍ଠିତ ହୁଅ । ଯେମିତି ମୁଁ ତୁମକୁ ନେଇ ଗର୍ବକରେ । ମୋ ବନ୍ଧୁ ମହଲ ଓ ପରିବାର ମହଲରେ ମୁଁ ଚର୍ଚ୍ଚିତା ହୁଏ । କ୍ୟାରିଅରର ଉଚ୍ଚତମ ଶିଖରକୁ ତୁମେ ସ୍ପର୍ଶ କର । ଆଉ ମୁଁ ବି ତୁମ ପରି..କଥାକୁ ସଂପୂର୍ଣ୍ଣ କରିବାକୁ ନଦେଇ ଅଂଶୁ ପଚାରେ-ତେବେ ଆମ ସହିତ ଥିବା ଓ ଆମ ଉପରେ ନିର୍ଭର କରି ବଂଚୁଥିବା ଲୋକମାନଙ୍କୁ ପାଦରେ ଆଡେଇଦେଇ, ନିଜର ମନ ଓ ଜୀବନକୁ ହେୟଜ୍ଞାନ କରି କେଉଁ ମୃଗତୃଷ୍ଣା ପଛରେ ଆମେ ଧାଇଁବା ଜିଜ୍ଞାସା ? ସେ ଶିଖରରେ ଥାଇ ଆମେ ଯେତେବେଳେ ତଳକୁ ଚାହିଁବା ଆମ ନିଜର ଲୋକମାନେ ବି ନଜରର ପରିସର ଭିତରକୁ ଆସିବେ ନାହିଁ । ମୁଁ ସେମାନଙ୍କଠାରୁ ଏତେଦୂରକୁ କିପରି ଚାଲିଯାଇପାରିବି ନିର୍ଦ୍ୱନ୍ଦରେ ? ଜୀବନକୁ ବଂଚିବା ପାଇଁ ଘୋଡାଦୌଡ ଜାରିରଖିବା କଣ ନିହାତି ଜରୁରୀ ? ଆମେ କଣ ଏତେ ଉଚ୍ଚକୁ ଉଠିବା ଯେଉଁ ଉଚ୍ଚତାକୁ ଆମ ନିଜର ଲୋକମାନେ ଉଠି ପାରିବେ ନାହିଁ । କିମ୍ବା ସେମାନେ ଆମ ସହିତ ସାମିଲ୍ ରହି ଆମକୁ ଆଶୀର୍ବାଦ କରିପାରିବେ ନାହିଁ ? ଆମେ କଣ ଖାଲି ଆମ ପାଇଁ ବଂଚିବା ? ଜ୍ଞାନ ଆହରଣ କରିବାରେ ସମୟ ବିତାଇଦେବା ? ମୋର ମନାନାହିଁ ।

ହେଲେ ମୋ ମାମା ନିଜ ସମୟ ନଷ୍ଟ କରି ମୋତେ ପାଳନ ଲାଳନ କରିବାରେ ଯେଉଁ ସମୟ ଦେଇଛନ୍ତି,ସେ ସମୟକୁ ମୁଁ କଣ କେବେ ଫେରାଇ ଦେଇପାରିବି ? ନିଜ ନିଦରୁ, ପେଟରୁ, ଇଚ୍ଛାରୁ ଓ ସମୟରୁ କିଛିକିଛି କାଟି ସେ ଯେଉଁ ମଣିଷ ରୂପେ ପ୍ରତିଷ୍ଠିତ କରିଛନ୍ତି, ତାଙ୍କ ପାଇଁ ମୋର କଣ କିଛି କର୍ତ୍ତବ୍ୟ ନାହିଁ ? ଆମ ପାଖା ପାଖି ଲୋକମାନେ ଆମପାଇଁ କଣ କିଛି ନୁହନ୍ତି ? ଏତେଟା ସ୍ୱାର୍ଥପର ହେବା ମୋ ମତରେ ଠିକ୍ ନୁହେଁ ଜିଜ୍ଞାସା । କିଏ ଜାଣେ ନିଜକୁ ବି ଚିହ୍ନିହେବ କି ନାଁ ସେ ଉଚ୍ଚତାରେ ! ଉପରକୁ ଉଠିବା ପାଇଁ ମୁଁ କାହା ମଥାଉପରେ ଗୋଡ ଦେବାକୁ ଚାହେଁନି ।

ମୁଁ ଜାଣେ ତୁମେ ଏଇକଥା କହି ମୋକଥାର ଗୁରୁତ୍ୱ ନଷ୍କ କରିଦେବ । ସେଥିପାଇଁ ତୁମକୁ କିଛି କହିବା ମୋର ମୂର୍ଖତା । ତୁମେ ତୁମ ଘର ଓ ତୁମ ପାପା ମାମାଙ୍କୁ ଛାଡି କିଛି କରିପାରିବ ନାହିଁ । ସବୁବେଳେ ହୋମ୍ ସିକ୍ । ବଡ ଅଜବ ତୁମର ଏ ଯୁକ୍ତିସବୁ ଯାହାକୁ ମୁଁ ଗ୍ରହଣ କରେନା । ୟୁ ହାଭ୍ ଜେନେଟିକ୍ ପ୍ରୋବ୍ଲେମ୍ ଅଂଶୁ ।

ହଁ ତା କହିପାର । ଅତି ଖୁସିରେ ମୁଁ ସେସବୁକୁ ଗ୍ରହଣ କରୁଛି । ମୁଁ ଖାଲି ମୋ ପାପାମାମାଙ୍କୁ ନୁହେଁ ବରଂ ମୋତେ ଉପଦେଶ ଦେଇଥିବା ମୋର ସାର୍, ମିସ୍, ଆମ ଛକରେ ସବୁବେଳେ ପେପର୍ ଖଣ୍ଡେ ଧରି ବସିଥିବା ଜଗୁ ଅଜା ଯିଏ ଦେଖିଲା ମାତ୍ରକେ ମାନସାଙ୍କ ପଚାରନ୍ତି, କ୍ଷୀରବାଲା, କେବୁଲ୍ ବାଲା ଏମିତିକି ଆମଘରକୁ ଆସି ପରିବା ଦେଇଯାଉଥିବା ରସିଆ ମାଝି ସମସ୍ତଙ୍କୁ ମନେରଖିଛି ଜିଜ୍ଞାସା ।

ଡାକ୍ତର ହେବା ପରେ “କେମିତି ଅଛ” ବୋଲି ଯେବେ ମୁଁ ସେମାନଙ୍କୁ ପଚାରିଦିଏ, ସେମାନଙ୍କ ଆଖିରେ ଉଜ୍ଜଳତା ନେସିହୋଇଯାଏ । ବେଳେବେଳେ ଆଖି ଛଳଛଳ କରି ସେମାନେ ପଚାରନ୍ତି-ବାବୁ ଚିହ୍ନିପାରିଲ? ଆଉ ମୁଁ ହସି ହସି ସମ୍ମତି ଦେବାପରେ ସେମାନଙ୍କ ଆନନ୍ଦ କାହିଁରେ କଣ ! ଅବଶ୍ୟ ଜଗୁ ଅଜା ମୋ ହାଉସ୍ ମ୍ୟାନଶିପ୍ କଲାବେଳେ ଚାଲିଗଲେ । ଶେଷ ସମୟରେ ମୁଁ ଉପସ୍ଥିତି ଥିଲି । ତାଙ୍କୁ ଶେଷ ପର୍ଯ୍ୟନ୍ତ ଟ୍ରିଟ୍‌ମେଣ୍ଟ୍‌ କରିଥିଲି । ଖୁବ୍ ଆଶୀର୍ବାଦ କରିଥିଲେ ସେ ମୋତେ । ଏସବୁ ଆଶୀର୍ବାଦ ଆଉ ସବୁ ଟଙ୍କା ସୁନା ଓ ପ୍ରାଚୁର୍ଯ୍ୟଠାରୁ ଢେର୍ ଜିଜ୍ଞାସା । କିନ୍ତୁ ମୁଁ ଜାଣେ ତୁମେ ଏସବୁକୁ ବୁଝିପାରିବ ନାହିଁ କେବେ । ସେ ମମତା ତୁମେ ଅନ୍ୟମାନଙ୍କଠାରୁ ପାଇନାହଁ ।

ଅଂଶୁ..ଥାଉ ମୋର ଡେରି ହେଲାଣି । ତୁମ ଇତିହାସ ଶୁଣିବାରେ ମୋର ସମୟ ନାହିଁ । ଏହିସବୁ ମଣିଷ ଆବଶ୍ୟକବେଳେ ଆସି ବେକରେ ଓହଳନ୍ତି । ଆଉ ତାପରେ..ମନେ ପକାନ୍ତିନି । ସେଥିପାଇଁ ତୁମକୁ ପଛକୁ ଠେଲିଦେଇ ତୁମ ଜୁନିଅର୍ ଡାକ୍ତରମାନେ ଆଜି କେତେ ଆଗରେ । ଆଉ ତୁମେ.. ! ତୁମର ଏହି ସ୍ୱଭାବକୁ ମୁଁ କଣ କହିବି ? ପ୍ରଶଂସା ତ କରିପାରୁନି । ମୋତେ କ୍ଷମା କରିବ । କାରଣ ଆମେ ପରସ୍ପରଠାରୁ ଏତେ ଭିନ୍ନ ଯେ..କେହି କାହାରିକୁ ବୁଝିପାରୁ ନାହେଁ କେବେ ବି । ଏକଥା ଯଦି ମୁଁ ପୂର୍ବରୁ ଜାଣିଥାନ୍ତି ନା..

କଣ କରିଥାନ୍ତ ଶୁଣେ । ଅଂଶୁ ଜିଜ୍ଞାସାର କଥାକୁ ଅଧାରଖି ପଚାରିଲା । କଥାକୁ ଟାଳିଦେବାର ଉଦ୍ୟମ କରି ମୁହଁ ବୁଲାଇ ଜିଜ୍ଞାସା ଯିବାକୁ ଉଦ୍ୟତ ହେଲା ।

ଆରେ ଏତିକି କଥା କହିବାରେ ସଂକୋଚ କାହିଁକି ? ତୁମେ ତ ସବୁପ୍ରକାରର ଆଘାତ ଦେଇ ଜାଣିଛ । ଏହିକଥାରେ ଏମିତି କଣ ଅଛି ଯେ ଅଧାରଖି ଚାଲିଯାଉଛ ? କହିଯାଅ.. । ମୁଁ ୱେଲ୍‌କମ୍ କରିବି । କିନ୍ତୁ ସେଥିପାଇଁ ଦୁଃଖ କରିବା ଛାଡି ଦେଇଛି ଜିଜ୍ଞାସା । ଦୁଃଖକଲେ ବଂଚିବି କେମିତି ? ଅଣନିଃଶ୍ୱାସୀ ହୋଇପଡିବି ଏକାକୀତ୍ୱରେ । ଆଜି ଭାବୁଛି ଡାକ୍ତର ହୋଇ ଠିକ୍ କରିଛି । ଆଉ ଯାହା ହୋଇଥିଲେ ସମୟ କଟିନଥାନ୍ତା କି ମୁଁ ଅଭାବତ୍ୱରେ ସନ୍ତୁଳିହେବାର ଦୁର୍ଯୋଗରୁ ମୁକୁଳିପାରିନଥାନ୍ତି । ତେବେ ଛାଡ ସେସବୁ..ମୁଁ ଯଦି ମୂର୍ଖ..ଆଉଟ୍ ଡେଟେଡ୍, ତୁମ ଚିନ୍ତାଧାରାକୁ ମ୍ୟାଚିଙ୍ଗ୍ କରିପାରୁନି, ହୁଏତ ତୁମ ଅନୁସାରେ ଯୁଗ ସହିତ ତାଳଦେଇ ଚାଲିପାରୁନି, ତେବେ ମୁଁ ନିରୁପାୟ । ଏ ସତ୍ୟକୁ ମୁଁ ବି ଗ୍ରହଣ କରୁଛି । କିନ୍ତୁ କଥା ଅଧା ରଖ ନାହିଁ । ମନଖୋଲି କହିଦିଅ । ତୁମ ମନତଳେ ଆବର୍ଜନା ସବୁକୁ ଧରିରଖିବାକୁ ମୁଁ ଏଯାଏଁ ବି ସମର୍ଥ ! ସେଥିପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଅନ୍ତତଃ ତୁମ ଭିତରର ବ୍ୟଥାରୁ କିଛି ଲାଘବ ହୋଇପାରିବ । ଆରେ ଚାଲିଯାଅନାହିଁ । ଅସନ୍ତୋଷ ଜାହିର୍ ନକଲେ.. ତୁମେ ଘାରିହେବ ବିରକ୍ତିରେ ।

ତୁମେ ଭାବିପାରୁଛ ଅଂଶୁ, ଏସବୁ ଭାଷଣବାଜି କରି ତୁମେ ମୋତେ ତଥାପି ଆଘାତ କରିଚାଲିଛ ବୋଲି ? ଠିକ୍ ଅଛି ତୁମେ ନିଜେ କ୍ଷତାକ୍ତ ହେବାରେ ଯଦି ଏତେ ଜିଦ୍ ତାହେଲେ କହିଦେଉଛି ସେ ଅକୁହା ଅଧାବାକ୍ୟଟି.. ତାହେଲେ ମୁଁ ହୁଏତ ତୁମକୁ ବିବାହ କରିନଥାନ୍ତି । ଅନେକ ପୁଅ ଥିଲେ ଖୁସିଖୁସି ମୋତେ ଆପଣେଇ ନେବାକୁ । ମୋ ଇଚ୍ଛାକୁ ସେମାନଙ୍କ ଇଚ୍ଛାରୂପେ ମାନି ନେବାକୁ । ହେଲେ ମୋର ନିଷ୍ପତ୍ତି ହୁଏତ ଭୁଲ୍ ଥିଲା । ଡାଡି ବି ତ ମୋତେ ତୁମକୁ ଚୟନ କରିବାକୁ ବାଧ୍ୟ କରିଥିଲେ । ହୁଏତ ତାଙ୍କ କଥାରେ ଭଳି ମୁଁ ମୋ ଜୀବନର ଏତେବଡ ଡିସିସନ୍ ଖୁବ୍ କମ୍ ସମୟ ଭିତରେ ନେଇଗଲି । ସେଥିପାଇଁ ବେଳେବେଳେ ମୁଁ ପଶ୍ଚାତାପ କରେ । ବାସ୍..ଯଦି ମୋ କଥା ତୁମକୁ ଆଘାତ୍ ଦେଇଥାଏ ତେବେ ସରି.. । ଖାଲି ତୁମେ ବାଧ୍ୟ କଲ ବୋଲି କହିଦେଲି ଏସବୁ । ଉଠିଯାଉଥିଲା ସେ ବେଡ୍ ରୁମକୁ ସହଜ ଗତିରେ ।

ଅଥଚ ଅଂଶୁମାନ ବିବାକ୍ ହୋଇପଡିଲା ବେଶ୍ କିଛିକାଳ । କାହିଁକି କେଜାଣି ତା ହସହସ ମୁହଁଟାରେ ଦିନର ସେ ସତେଜତା ଓ ଉଜ୍ଜଳତା ଉଭେଇଗଲା । କଳା ପଡିଗଲା ଅଧସିଝା ବାଇଗଣ ପରି । ଅମାବାସ୍ୟାର ଆକାଶଟା ପରି! ଆଖିଟା ଓଦା ଓଦା ଲାଗିଲା । ଏଁ ସେ କଣ କାନ୍ଦୁଛି ? ନା ନା ସେ ତ ଏତେ ଦୁର୍ବଳ ନୁହେଁ । ସେ କାନ୍ଦିଲେ ଏବେ ଘରୁ ଫୋନ୍ ଆସିଯିବ । ମାମାକୁ କିଛି ଅସହଜ ଲାଗିବ କି କଣ ସେ ଆନମନା ହେବ । ବ୍ୟସ୍ତବିବ୍ରତ ହେବ ତା ପାଇଁ । ତା ମନଟା କୁହୁଳିଯିବ ବିନା ନିଆଁରେ । ସେ ପାପାଙ୍କୁ ବ୍ୟସ୍ତ କରିବ । ତଥାପି ସେ ଆଜି ଲୁହମାନଙ୍କୁ ସେ ରୋକିପାରୁନି । ସୋଫା ଉପରେ ଅର୍ଦ୍ଧଶାୟିତ ମୁଦ୍ରାରେ ସେ ଚାହିଁଛି ସିଲିଂଫ୍ୟାନକୁ । ଲାଗୁଛି ଜିଜ୍ଞାସା ଏ ସିଲିଂ ଫ୍ୟାନ୍ ପାଲଟିଯାଇଛି । ଏତେ ତୀବ୍ରଗତିରେ ସେ ଘୂରି ଚାଲିଛି ଯେ ନିଜର ସ୍ୱରୂପ ଓ ପ୍ରକୃତି ବି ସେ ଭୁଲିଯାଇଛି ! ତାର ସେ ତୀବ୍ରଗତିରେ ସେ ସବୁକିଛି ଉଡେଇନେଉଛି । ଟେବୁଲ୍ ଉପରେ ଥିବା କାଗଜପତ୍ର, ଆଲଣା ଉପରେ ପଡିଥିବା ଲୁଗାପଟା, ଧୂଳିମଳି, ଜୀବନରେ ସାଇତିଥିବା କିଛି ସୁଖ ସହାନୁଭୂତି, ସଂପର୍କ ସହିତ ପୁରା ଜୀବନଟା ବି ଉଡୁଛି ବେପରୁଆ ଭାବେ !

ଆବଶ୍ୟକତାଠରୁ ଢେର୍ ଅଧିକ ଗତିରେ ଘୂରୁଛି ଏ ଫ୍ୟାନ୍ ! କିନ୍ତୁ ଦିନେ ନା ଦିନେ ତାର ଗତି କମିବ । ପୃଥିବୀର ଗତି ଭଳି ! କିନ୍ତୁ ସେକଥାକୁ ସେ ବୁଝିବାକୁ ପ୍ରସ୍ତୁତ ନୁହେଁ । ସବୁଜିନିଷର ଶେଷ ଅଛି ବୋଲି ସେ ସେ ଜାଣିବାକୁ ଆଗ୍ରହୀ ନୁହେଁ । ସେ କେବଳ ଦୌଡିବାକୁ ଜାଣେ । ତା ପ୍ରତିବଦଳରେ ସବୁକିଛି ହାତମୁଠାରୁ ଖସିଗଲେ ବି କିଛି ଆପତ୍ତି ନାହିଁ । ତା ପାଇଁ ଜୀବନ କେବଳ ପାଇବାର ଖରାଛାଇ ଖେଳ । ହଠାତ୍ ଫୋନ୍ ବାଜିଉଠିଲା-

ଅଂଶୁ ଭିଜିଗଲା ସେଇ ଚିରାଚରିତ ଦୁଃଖରେ । ମାମା କରିଛି ।

ହେଲେ ଏବେ କଣ ସେ ତାକୁ ସାମ୍ନା କରିପାରିବ । ସେ ଯେ କେତେକଥା ପଚାରିବସିବ ଆଉ ଜିଦ୍ କରିବ ଜିଜ୍ଞାସା ସହିତ କଥାହେବାକୁ । ଜିଜ୍ଞାସା ଯଦି ତାକୁ କିଛି କହିଦିଏ..ତେବେ.. । ରିଙ୍ଗ୍ ହୋଇହୋଇ କଟିଗଲା । ମାମା ଭାବିଥିବ ପୁଅ ତାର ଏମର୍ଜେନ୍ସିରେ ବ୍ୟସ୍ତ ଅଛି । କିମ୍ବା ହସ୍ପିଟାଲରେ ଅଛି ବୋଲି । ତା ଆଖିରୁ ନିଗିଡି ପଡୁଥିବ ଲୁହର ଅମାନିଆଁ ଧାର । ତାକୁ ଶାନ୍ତ କରିବାକୁ ପାପା କେତେ ମିଛକଥା କହୁଥିବେ । କେତେପ୍ରକାରର ଆଶ୍ୱାସନା ଦେଉଥିବେ । ହେଲେ..ସେ ଯେ କେତେ ଅସହାୟ..ଏକଥା ତା ଜୀବନର ଦୁଇପ୍ରିୟ ମଣିଷଙ୍କୁ ସେ ଜଣାଇପାରୁନି ।
ମନହେଲା ଆଉଟିକେ ପରେ ସେ ଫୋନ୍ କରିବ । ମାମାର ଫୋନ୍‌କୁ ଅଣଦେଖା କରି ସେ କେତେ ସମୟ ରହିପାରିବ ? କିଛି ସମୟ ପରେ ଫୋନ୍ ଲଗାଇଲା ସେ..ମାତ୍ର ଗୋଟିଏ ରିଙ୍ଗ୍ ହୋଇଥିବ କି ନାହିଁ ମାମା ଉଠେଇଲା ଫୋନ୍ । ସେ କଣ ଆତୁରତାର ସହିତ ଚାହିଁଥିଲା ତା ପୁଅର ଫୋନକଲ୍‌କୁ । ନା ତାର କଣ ତୃତୀୟ ନେତ୍ରଟିଏ ସେ ଛାଡିଦେଇଛି ତା ପୁଅବୋହୂଙ୍କ ପାଖରେ । ସେ କଣ ସବୁ ଜାଣି ପାରୁଛି ଓ ବୁଝିପାରୁଛି ତା ମନତଳେ ଥିବା ଗୋପନବ୍ୟଥା ସବୁକୁ । ମାମାମାନେ କଣ ଦେବୀ.. ? ସେପଟୁ ଭାସିଆସୁଛି ଭିଜାସ୍ୱରଟିଏ-ବାପାରେ, ତୁ ବ୍ୟସ୍ତଥିଲୁ କି ?
ହଁ ମାମା..ଏମର୍ଜେନ୍ସିରେ ଅଛି । ଖୁବ୍ ବ୍ୟସ୍ତ ।

ତାହେଲେ ଥାଉ ପରେ କରିବୁ ।

ନାଁ ମାମା କହ, ଏତେ ବି ନୁହଁ । ତୋ ସହିତ କଥା ହୋଇପାରିବି ।

ଜିଜ୍ଞାସା କେମିତି ଅଛି?

ଭଲ ।

ସେ ତୋ ପାଖରେ ଯଦି ଅଛି, ତେବେ ତାକୁ ଟିକେ ଦଉନୁ । ବହୁତ୍ ଦିନ ହେଲାଣି ତା ସହିତ କଥା ହୋଇନି ।

ନା ମାମା ସେ ଘରେ ଅଛି । ମୁଁ ପରେ କଥା କରେଇଦେବି ।

ଆଉ ତୁ..ତୁ କେମିତି ଅଛୁ ଧନ ?

ଓହୋ..ମାମା ମୁଁ ଆଉ ଛୋଟପିଲା ହୋଇନାହିଁ ଯେ ତୁ ଏମିତି ସମ୍ବୋଧନ କରିବୁ । ୟୋର୍ ସନ୍ ଇଜ୍ ନାଓଁ ଏ ରେସପନ୍ସିବ୍ଲ ପର୍ସନ ।

ସତରେ..କାଇଁ ମୁଁ ତ ଜାଣିନି ଏଯାଏଁ ! ଓଦାଓଦା ସ୍ୱରରେ ସେ ହସିପକାଇଲା ଏକବାରେ । ଜକେଇଆସିଲା ଅଂଶୁ ଆଖି ।

ପାପା କେମିତି ଅଛନ୍ତି ? ସେଇ ବୋରିଂ ? ଆଜି ଘରେ କଣ ରାନ୍ଧିଛୁ ?

ଏଇ ମୋ ସାମ୍ନାରେ ତୋ ପାପା ବସିଛନ୍ତି । ସ୍ପିକର୍‌ରେ ତୋ କଥା ଶୁଣୁଛନ୍ତି ପରା ! ସେପଟୁ ସୀତାଂଶୁଙ୍କ କଡାସ୍ୱର

ମୋ ବିଷୟରେ କଣ କହିଲୁ ଶୁଣେ?

ନାଇଁ ପାପା ଏମିତି..କହିଦେଲି, ସରି । ଆଚ୍ଛା ତୁମେ ଆଜି ବି ଆମ ମାଆପୁଅଙ୍କ କଥା ଶୁଣୁଛ ? ଭେରି ବ୍ୟାଡ୍ ପାପା । ଗ୍ରୋ ଅପ୍..!

କଣ କହିଲୁ..ମୁଁ କଣ ଛୋଟପିଲା ହୋଇଛି ଯେ ଆହୁରି ଗ୍ରୋ କରିବି ? ବହୁତ୍ ଗ୍ରୋ କରିସାରିଲିଣି । ହୁଏତ ୟା’ପରେ ଗ୍ରୋ କଲେ ଖାଲି ବାର୍ଦ୍ଧକ୍ୟ ଆଉ..

ପ୍ଲିଜ୍ ପାପା..ଡୋଂଟ୍ ମେକ୍ ମି ସୋ ଇମୋସନାଲ୍ । ମୋ ପାପାମାମା ଆଉ ଗୋଟେ ଶତାବ୍ଦୀ ଏମିତି ଥିବେ । ପରସ୍ପର ଭିତରେ ଯୁଦ୍ଧ କରିକରି । ପରସ୍ପରକୁ ବୁଝି ଆଉ ଭଲ ପାଇ । ଜୀବନକୁ ଜୀଇଁବାର କଳା ମାମାକୁ ବୋଧହୁଏ ବେଶ୍ ଭଲଭାବେ ଜଣା । ନହେଲେ ଏକାକୀ ଥାଇ ସେ ନିଜକୁ ଏତେ ବିସ୍ତାରି ପାରିଛି ଅନ୍ୟମାନେ କେହି ପାରି ନଥାନ୍ତେ । ପାପା, ବିଶ୍ୱାସ କର..ୟୁ ଆର୍ ଭେରି ଲକି । ତୁମ ଜୀବନର ବେଷ୍ଟ୍ ଗିଫ୍ଟ ହେଉଛି ମାମା.. । ଭାରି ଇଚ୍ଛା ତୁମଦୁହିଁଙ୍କୁ ଟିକେ ଦେଖିବାକୁ । ସ୍ୱରଟା ନରମିଗଲା ।

ବାପା, ତୁ ଭଲଅଛୁ ତ ? ସତ କହ ମୋତେ । ଦେଖ୍ ତୁ ଜାଣୁ ଠିକ୍ ଭାବେ ତୁ ମିଛ କହିପାରୁନି । ଆଉ ତୁ ମିଛ କହିଲେ ମୁଁ ରାତିଟା ବି ଭଲରେ ଶୋଇପାରେନି ।

ନାଁ ମାମା ସତ କହୁଛି,ମୁଁ ଠିକ୍ ଅଛି । ହେଲେ ତୋ କୋଳରେ ଟିକେ ଶୋଇ ଅତୀତକୁ ଭାବିବାକୁ ଇଚ୍ଛା । ଆଉ ତୁମଦୁହିଁଙ୍କ ଝଗଡାଭିତରେ ହସିହସି ନିଜକୁ ଭୁଲିଯିବାକୁ ଇଚ୍ଛା ।

ତାହେଲେ ଆସୁନୁ ବୋହୂକୁ ସାଥୀରେ ନେଇ । ବୁଲିପଡି ଯାଆନ୍ତୁ ।

ନାଁ ମାମା ସେ ଗଲେ ମୁଁ କଣ ଏତେ ସହଜ ହୋଇପାରିବି ? ଯଦି ଯିବି ତେବେ ଏକା ଯିବି । ସେ ବିଭିନ୍ନ କାମରେ ବ୍ୟସ୍ତ ରହୁଛି । ତାକୁ ଛାଡ ।

ହେଲା ବାବା, ତୋର ଯାହା ଇଚ୍ଛା ତାହା କର । ହେଲେ ତୁ ଟିକେ ଖୁସିରେ ରହ ବାପା । ସେତିକି ଦେଖି ମୁଁ ତ ଖୁସିଖୁସି ସଂସାରରୁ ଚାଲିଯାଇପାରିବି । ଅବଶୋଷ କରିବିନି ।

ହଉ ଭିଡ ବଢିଲେଣି । ରହୁଛି । ତୁ ଏବଂ ପାପା ଖୁସିରେ ରହିବ । ପାପା.., ପ୍ଲିଜ୍ ମୋ ମାମାର ଖିଆଲ ରଖିବ । ସେ ମୋର ଏକମାତ୍ର ମୂଲ୍ୟବାନ୍ ସଂପତ୍ତି ।

ଆଉ ମୁଁ.. ?

ଓହୋ.. ପାପା, ନକହିଲେ ବି ମାମା ତୁମ ଦାୟିତ୍ୱ ନେବ ଭଲରେ । କହିଲି ପରା ୟୁ ହାଭ୍ ଦ ବେଷ୍ଟ୍ ୱାଇଫ୍ ଇନ୍ ଦ ୱାର୍ଲଡ୍ । ତୁମ ଉପରେ ଈର୍ଷା ହେଉଛି ।

ସେପଟେ ଅରୁଣିମା ଓ ସୀତାଂଶୁ ହସୁଥିଲେ । ଆଉ ଅଂଶୁ ଜାଣିଥିଲା ଯେ ସେ ଆଜି ସେମାନଙ୍କ ପାଖରେ ଚମତ୍କାର ଅଭିନୟ କରିଛି । ତା ଲୁହକୁ ଲୁଚାଇ ରଖିପାରିଛି !

ଫୋନ୍‌ଟା ରଖିଦେଇ କେମିତି ଗୋଟେ ବିଷଣ୍ଣତାରେ ଅବଶ ହୋଇଯାଉଥିଲେ ଅରୁଣିମା । ମୂକସାକ୍ଷୀଟିଏ ପରି ସେ କେବଳ କ୍ଷଣଭଙ୍ଗୁର ସ୍ଥିତିକୁ ଦେଖିବା ଛଡା ଅନ୍ୟ ଚାରା ବି କଣଥିଲା ? ହେଲେ ସେ ସହ୍ୟ କରିପାରୁନଥିଲେ ଏସବୁକୁ । ସ୍ପଷ୍ଟ ଦିଶୁଥିଲା ଅଂଶୁର ଅସହାୟତା, ଅବସନ୍ନବୋଧତା । ବାରି ହୋଇପଡୁଥିଲା ତା ମନ ତଳର କୋହ । ଛାତିତଳର ନୀରବ ବେଦନା । ଯାହା ଧୀରେଧୀରେ ଦାନା ବାନ୍ଧିବାରେ ଲାଗିଛି । ଏକଜୁଟ ହୋଇ କିଛି ବିସ୍ଫୋରଣ ଘଟାଇବନି ତ ? ତା ଆଖିରେ ଲୁହ ଦେଖିଲେ ଅରୁଣିମା କଣ କେବେ ଧୈର୍ଯ୍ୟ ଧରିଛନ୍ତି ଯେ ଆଜି ଧରି ରଖିପାରିବେ । ହେଲେ କେମିତି ନିଚ୍ଛକ ଅଭିନୟ ଜାରିରଖିଥିଲା ସେ ଫୋନ୍‌ରେ ।

ସେ ବୋଧହୁଏ ଭ୍ରମରେ ଥିଲା ଯେ ତା ମାମା କିଛି ବୁଝିପାରୁନି । ହେଲେ ତୁ ତ ମାଆଟିଏ ହୋଇପାରିବୁନି ଯେ ବୁଝିପାରିବୁ ପିଲାର ମନକଥାକୁ । ପିଲାବେଳେ ଶୋଷ ଲାଗୁଛି କି ଭୋକ..ତୁ କଣ କେବେ କହୁ ? ହେଲେ ତୋ ମାମା ତ ତୋ ବିନା କଥାରେ ବୁଝିପାରୁଥିଲା ତୋ ଅଭାବକୁ । ଆଜି କଣ ପାରିବିନି ? ପରିସ୍ଥିତି ବଦଳିଛି । ହେଲେ ତୋ ମାମା ବଦଳିନି । କି ବଦଳିପାରିବନି । ଆଖିରୁ ନିଗିଡି ପଡିଲା କେଇଧାର ଲୁହ । ଯାହା ଆଜିକାଲି ଏମିତି ଅନାୟାସରେ ବିନା ବାକ୍ୟବ୍ୟୟରେ ଝରିଯାଏ ଆଖିରୁ । ଏକମାତ୍ର ପୁଅଟା ଏମିତି ନିଜ ଜୀବନକୁ ସାରି ଦେଉଥିବ । ଅଥଚ ସେ ନିର୍ବିକାର ଚିତ୍ତରେ ଏସବୁକୁ ଦେଖୁଥିବେ ଅଥଚ ପ୍ରତିରୋଧ କରିପାରୁନଥିବେ କିମ୍ବା ତା ପରିସ୍ଥିତି ସହିତ ମୁକାବିଲା କରିପାରୁ ନଥିବେ । ତା ଯୁଦ୍ଧ କ୍ଷେତ୍ରରେ ତାକୁ ଏକାକୀ ଛାଡିଦେଇ ସେମାନେ ଆଡେଇଯିବେ ତା ଦୃଷ୍ଟିପଥରୁ ? ଇଏ କି ନିଷ୍ଠୁରତା ? କିପ୍ରକାରର ଅସହାୟତା ?

ସୀତାଂଶୁ ବୁଝାନ୍ତି-ଅବୁଝା ହୁଅନି, ଅରୁ । ଜୀବନଟା ଆଜିକାଲି ଢେର୍ ବଦଳିଛି । ପାରିପାର୍ଶ୍ଵିକ ପରିସ୍ଥିତି ବି । ଆଜିକାଲି ପିଲା ବିବାହ କରିଗଲେ ତାଙ୍କ ସଂସାର ତାଙ୍କର । ବାପାମାଆଙ୍କ ହସ୍ତକ୍ଷେପକୁ ସେମାନେ ବରଦାସ୍ତ କରିପାରୁନାହାନ୍ତି । ସହ୍ୟ କରିପାରୁ ନାହାନ୍ତି ଅନ୍ୟର ନିଷ୍ପତ୍ତିକୁ । ନିଜ ଭିତରେ ହଜିଯିବାକୁ ସେମାନେ ଆଜିକାଲି ଖୁବ୍ ପସନ୍ଦ କରୁଛନ୍ତି । ସମାଜର ମୁଖ୍ୟସ୍ରୋତ ଆଉ ସେମାନଙ୍କୁ ଏକାଠି ରହିବାକୁ ଉତ୍ସାହିତ କରିପାରୁନି । ତେଣୁ ସେମାନଙ୍କୁ ଏକଲା ବଂଚିବାକୁ ଦିଅ ଅରୁ । ସେମାନଙ୍କ କଥାରେ ମୁଣ୍ଡ ପୂରାଅନା । ମୋର ତ ଚରମ ଭୟ.. ଆମ ହସ୍ତକ୍ଷେପ ସେମାନଙ୍କ ସଂପର୍କକୁ ଆହୁରି କ୍ଷଣଭଙ୍ଗୁର କରିପକାଇବନି ତ ? ବିରାଟ ଖାଇ ଭିତରେ ପଡି ଦିଗହୀନ ଭାବେ ଘୂରୁଥିବା ସଂସାର ନାଆଟି ଭାରସାମ୍ୟ ହରାଇ ବୁଡିଯିବ ନାହିଁ ତ ନଦୀର କରାଳଗର୍ଭରେ ? ସେମାନେ ପରସ୍ପରଠାରୁ ଆହୁରି ବେଶୀ ଦୂରେଇଯିବେନି ତ? ଆମେ ତ ସେମାନଙ୍କ ସୁଖ ଦେଖିବାକୁ ଚାହେଁ ନା ? ବାସ୍ ସେମାନଙ୍କ ମଙ୍ଗଳ କାମନା କରି ଏହୁ ଦୂରରୁ ସେମାନଙ୍କ କଥା ପଦୁଟିଏ ଶୁଣି ଖୁସି ହେଉଥିବା । ସେମାନଙ୍କ ପାପାମାମା ଡାକ ଶୁଣୁଥିବା । ବାସ୍ ଆଜିକାଲି ଯୁଗରେ ଏତିକି ଦରକାର । ୟା’ଠୁଁ ଅଧିକ ଚାହିଁବା ଆମ ସ୍ୱାସ୍ଥ୍ୟ ଓ ହୃଦୟ ପକ୍ଷରେ କ୍ଷତିକାରକ ।

ଇଏ କେମିତିକା ଅଶୁଭ କଥା ତୁମେ କୁହ ବେଳେବେଳେ ? ମୁଁ ତ ସେମାନଙ୍କ ମଝିରେ କେବେ ନିଜକୁ ଆସିବାକୁ ଦେଇନି । କାରଣ ମୁଁ ଜାଣେ ଜିଜ୍ଞାସା ଆମମାନଙ୍କୁ ସହ୍ୟ କରିପାରେନି । ସେଥିରେ ଦୁଃଖ ଲାଗେ ତ ନିଶ୍ଚୟ । ଆମର ଝିଅ ନାହିଁ ବୋଲି ତାକୁ ଝିଅଟିଏ ରୂପରେ ଦେଖିଥାନ୍ତି । ହେଲେ ସେ ସୁଯୋଗ ବି ସେ ଆମକୁ ଦେଲାନି । ଏବେ ଖାଲି ସେମାନେ ସେମାନଙ୍କର ବୈବାହିକ ସଂପର୍କ ଭଲରେ ବିତୁ ସେତିକି କାମନା କରୁଛି । ନା ଏହା ବି କଣ ମୋର ପଜେସିଭ୍ନେସ୍ ବୋଲି ଭାବୁଛ?

ମୁଁ କିଛି ବି ଭାବୁନି । ବାସ୍ ଆଜି ତା ସ୍ୱରରେ ବାରିହୋଇପଡୁଥିବା ଭାରିପଣ ମନକୁ ଚହଲାଇ ଦେଉଛି । ଲାଗୁଛି ସେ ପ୍ରକୃତରେ ଖୁସିନାହିଁ । ତୁମେ ନିତ୍ୟାନନ୍ଦକୁ ପଚାରି ଦେଖ,ସେମାନଙ୍କ ସଂପର୍କ କିପରି?

ପଚାରି ସାରିଛି । କିଛି ବି ପରିବର୍ତ୍ତନ ନାହିଁ? ଜିଜ୍ଞାସା ଆଜି ବି ଠିକ୍ ସେମିତି ଅଛି । ସଂସାର ପ୍ରତି ନା ଅଛି ତାର କୌଣସି ମୋହ ନା ଆକର୍ଷଣ । ଜୀବନ କହିଲେ କେବଳ ଟଙ୍କା ପଇସାର ପ୍ରାଚୁର୍ଯ୍ୟ, ଅନ୍ୟକୁ ଟପି ଆଗକୁ ଉଠିବାର ଅନବରତ ପ୍ରଚେଷ୍ଟା । ତା ଭିତରେ ସଂସାର ଦେଖିବାକୁ ତାର ସମୟ କାହିଁ ? ଅଂଶୁ ତ ବେଳେବେଳେ ନଖାଇ ନପିଇ ହସ୍ପିଟାଲ୍ ଚାଲିଯାଉଛି । ନହେଲେ କେବେକେବେ ଶୂନ୍ୟଆଖିରେ ଚାହୁଁଛି କୋଉଗୋଟେ ଅନିର୍ଦ୍ଧିଷ୍ଟ ବିନ୍ଦୁକୁ । ରାତିରେ ବି ନିତ୍ୟାନନ୍ଦକୁ ଖାଇବାକୁ କହିଦେଇ ସେ ବି ଶୋଇପଡୁଛି ସୋଫାରେ ନହେଲେ କାଉଚ୍ ଉପରେ । ସେ ଭଲନାହିଁ । ତାର ମାନସିକ ସ୍ଥିତି ଚହଲିଯାଇଛି । ମୁଁ ତା କଷ୍ଟକୁ ସହ୍ୟ କରିପାରୁନାହିଁ । ଶିଠୁଆ ହାତପାପୁଲିରେ ମୁହଁକୁ ଲୁଚାଇ କାନ୍ଦିଉଠିଲେ ଅରୁଣିମା । ସେ ଲୁହର ଉଷ୍ଣତାରେ ତରଳିଯାଉଥିଲା ସୀତାଂଶୁଙ୍କର ଧୈର୍ଯ୍ୟଶକ୍ତି ।

କାନ୍ଦନି, ଅରୁ । ପରିସ୍ଥିତିର ମୁକାବିଲା କରିବାକୁ ହେବ । ତୁମେ ଜିଜ୍ଞାସାର ଡାଡିମମିଙ୍କ ପାଖକୁ ଫୋନ୍ କରି ପଚାର ।

କଣ ପଚାରିବି ? ସେମାନେ କଣ ପରିସ୍ଥିତି ବୁଝିନାହାନ୍ତି ? ଆମ ଅପେକ୍ଷା ସେମାନେ ତାଙ୍କ ଝିଅର ସଂସାର ପାଇଁ ବ୍ୟାକୁଳ ହେବାକଥା । ହେଲେ ଦେଖ, ସେମାନଙ୍କ ପାଇଁ ନିଜ ଝିଅପାଇଁ ହାତରେ ସମୟ ନାହିଁ । ରାଜନୀତିଆ ପରିବାରରେ ବିବାହ ଦେଲେ ଏଇଆ ହୁଏ । ହେଲେ..ରହିଗଲା ଅରୁଣିମା । କଣ୍ଠଟା କୋହରେ ଫାଟି ପଡୁଥିଲା ଯେପରି ! ଲାଗୁଥିଲା ସେ ପାପକରିଛି । ତା ପୁଅର ଦୁଃଖପାଇଁ କିଛି ପରିମାଣରେ ସେ ନିଜେ ହିଁ ଦାୟୀ । ମଣିଷ ଭଲ ଭାବେସିନା ସବୁବେଳେ କିନ୍ତୁ ଭଲ ହୁଏନାହିଁ ।

ଆଉ ମାତ୍ର ତିନିମାସ ବାକିରହିଲା । ଓକିଲ ଛଅମାସ ସମୟ ଦେଇଥିଲେ । ଅଧା ସମୟ ତ ଏମିତିରେ ଚାଲିଗଲାଣି । ଏହି ତିନିମାସରେ ଯଦି ଉଭୟଙ୍କ ମନ ନ ମିଶେ ତେବେ ଡିଭୋର୍ସ ତ ଅବସମ୍ଭାବୀ । ଅବଶ୍ୟ ମୁଁ ବେଳେବେଳେ ଭାବୁଛି ଏ ଡିଭୋର୍ସ ହୋଇଯିବା ଭଲ । ଦୁହେଁ ଅନ୍ତତଃ ମୁକ୍ତ ହୋଇଯିବେ ଗୋଟେ ଶିକୁଳି ବନ୍ଧା ଜୀବନରୁ । ବାଧ୍ୟବାଧକତା ମିଳାମିଶା କାହାକୁ ସୁଖ ଦେଇ ପାରେ ନାହିଁ ଅରୁ । ବରଂ ସେମାନେ ପରସ୍ପରକୁ ମୁକ୍ତ କରିଦେବା ଭଲ । ଉଭୟଙ୍କ ପାଇଁ ଭଲ ଓ ଜରୁରୀ ବି ।

ଅଂଶୁ କଣ ପାରିବ ? ପାଗଳଙ୍କ ପରି ସେ ଜିଜ୍ଞାସାକୁ ଭଲପାଏ । ତୁମେ ଦେଖିନ ଯେତେବେଳେ ଡିଭୋର୍ସ ନୋଟିସ୍ ଆସି ତା ପାଖରେ ପହଂଚିଥିଲା । ସାମାନ୍ୟ ଝଗଡାକୁ ଅସ୍ତ୍ର କରି ଜିଜ୍ଞାସା ଗୋଟେ ଚରମ ନିଷ୍ପତ୍ତି ନେଇଯାଇଥିଲା.. ! ମୋ ପୁଅ ଭାଙ୍ଗିପଡୁଥିଲା ସୀତାଂଶୁ । ଆଖି କୋଣରେ ଲୁହମାନେ ବ୍ୟାକୁଳ ହେଉଥିଲେ ଝରିବାକୁ । ହେଲେ ଆମ ପାଇଁ ସେ ମନଖୋଲି କାନ୍ଦି ବି ପାରୁନଥିଲା । ମୋ କାଳରେ ମଥାଗୁଞ୍ଜି ପଚାରୁଥିଲା-ମାମା..ଜିଜ୍ଞାସା କଣ ମୋତେ ପ୍ରକୃତରେ ଭଲପାଏନି । ତା କ୍ୟାରିଅର, ତା ଉଚ୍ଚାଭିଳାଷ କଣ ମୋଠାରୁ ବଡ ତା ପାଇଁ ? ତା ଜୀବନରେ କଣ ମୋର ଭୂମିକା କିଛି ନାହିଁ ? ମୋତେ ନକହି ସେ ଏତେବଡ ନିଷ୍ପତ୍ତି କିପରି ନେଇଗଲା ମାମା ? ମୁଁ କଣ ତା ପାଇଁ ଅଯୋଗ୍ୟ ? ସେ କଣ ଚାହେଁ ମୋଠାରୁ ? ମୁଁ ତାକୁ ସବୁ ଦେଇପାରେ । ହେଲେ ସେ..ଏତେ କଠୋର କିପରି ହୋଇପାରୁଛି ? ତୁ ତ ଏମିତି ନୁହଁ ଜମା । ତୋ କଠୋରତାରେ ବି ତୋର ଅମାପ ସ୍ନେହ ଖୁନ୍ଦି ହୋଇରହିଛି । ତୋ ରାଗଭିତରେ ବି କେତେ ଆପଣାପଣ । ସେ କାହିଁକି ଏତେ ନିର୍ମମ । ନାରୀର ସେ ମହନୀୟତା ତା ଭିତରେ କାହିଁକିନାହିଁ ମାମା ? ଜନନୀ, ଭଗିନୀ, ଜାୟାର ଅପରୂପ ସମନ୍ୱୟ ତାଠାରେ କାହିଁ ? ସେ ତ ପଥର ନୁହେଁ । ତେବେ..ଏମିତିକେମିତି କରିପାରିଲା ଅନାୟାସରେ ?

ଥାଉ ବାପା, ସେସବୁକୁ ଭୁଲିଯାଆ । ତୋ ହାତରେ ଛଅମାସର ସମୟ ଅଛି । ସେ ସମୟକୁ ସଠିକ୍ ଭାବେ ବିନିଯୋଗ କର । ଦେଖିବୁ ସବୁ ଠିକ୍ ହୋଇଯିବ । ମନକୁ ଦୃଢ କର । ତୁ ଏମିତି ଛୋଟପିଲାଙ୍କ ପରି କାନ୍ଦନି । ମୁଁ ସହିପାରୁନି । ଆଉ କଣ ସେ ସମୟ ଅଛି ବାପା, ଯାହା ଚାହୁଁଥିଲୁ ପାପା କି ମୁଁ ଆଣିଦେଉଥିଲୁ ତୋତେ । ଏବେ ସବୁ କିଛି ଭାଗ୍ୟ ଓ ଭଗବାନଙ୍କ ହାତରେ । ସେ ଚାହିଁଲେ ସବୁ ସଂଭବ ହୋଇପାରିବ । ଜମା କାନ୍ଦେନି କହି ନିଜେ ଛୋଟପିଲାଟେ ପରି କାନ୍ଦିଉଠୁଥିଲା ଅରୁଣିମା । ସେଦିନ ଆଉ ଖିଆପିଆ ନଥିଲା ଘରେ । ଏମିତିକି ଠାକୁର ପୂଜିବାକୁ ଭୁଲିଯାଇଥିଲା ସେ । କୋର୍ଟରୁ ଫେରିଲା ପରେ ଅଂଶୁ ଆଖିର ଲୁହ ତା ହୃଦୟକୁ ବିଦୀର୍ଣ୍ଣ କରି ଦେଉଥିଲା ଅବିରତ । ସେ ହିଁ ତ ତାର ସାହସ, ବଳ । ଆଜି ସେ ସୁଖୀ ନୁହଁ । ତେଣୁ ବିରକ୍ତ ଲାଗୁଥିଲା ସବୁକିଛି । ଏ ଦିନ, ରାତି, ପବନ, ଆକାଶ ଓ ମଣିଷମାନେ ତାକୁ ଆହୁରି ବିବ୍ରତ କରି ପକାଉଥିଲେ । ତାକୁ ସିନା କଅଁଳ କଥା କହି ସାହସ ଓ ଧୈର୍ଯ୍ୟ ଦେଇ ତା ପାଟି ଚୁପ୍ କରିଦେଇଥିଲା ହେଲେ ନିଜକୁ କିପରି ବୁଝାଇବ ଅରୁଣିମା । କଣ କହିବ? ଏଇଆ ଯେ ତୁ ଯାହାକୁ ସ୍ତ୍ରୀ ରୂପେ ଚୟନ କଲୁ, ସେ ସଂସ୍କାର ଶିକ୍ଷା କରିନି । ତା ମମି ତାକୁ ଶୃଙ୍ଖଳ ଜ୍ଞାନ ଦେଇନି କେବେ ।

ପାର୍ଥ୍ୟବ ସୁଖ ଓ ପ୍ରାଚୁର୍ଯ୍ୟ ଭିତରେ ସବୁବେଳେ ବୁଡି ରହୁଥିବା ନାରୀଟିଏ ତା ପିଲାକୁ କି ଶିକ୍ଷା ଦେବ? ସେ ଭୁଲ୍ ଜିଜ୍ଞାସାର ନୁହେଁ ତା ମମିର । ତା ଡାଡି ଓ ସଂପୂର୍ଣ୍ଣ ପରିବାରର । ଜନ୍ମ ହେଉହେଉ ସେ ବଡ ହେଲା ଆୟା ହାତରେ । ନିଜ ମମି କେବେ ମନ୍ଦିର ଦୁଆର ମାଡିନି । ଆଉ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱାସ କରିନି । ସେ କେଉଁଠୁ ଶିଖିବ ନାରୀ ସୁଲଭ ଗୁଣ ? କିନ୍ତୁ ତୋ ଜିଦ୍ ଆଗରେ ହାର୍ ମାନି ଆମେ ଭୁଲ୍ କରିଦେଲୁ । ଭାବିଲୁ ସାରା ଜୀବନ ତୁ କାଳେ ଅବଶୋଷରେ ରହିଯିବୁ ଯେ ତୋ ପସନ୍ଦର ଝିଅକୁ ଆମେ ଗ୍ରହଣ କରିପାରିଲୁନି ବୋଲି । ତଥାପି ମନକୁ ବୁଝାଇପାରେନି ଅରୁଣିମା । ପୂଜା କରୁକରୁ କାନ୍ଦିପକାଏ ଠାକୁରଙ୍କ ମୂର୍ତ୍ତି ସାମ୍ନାରେ ।

ସତରେ କଣ ଅଂଶୁ ତା ପରିବାରରେ ସୁଖୀ ରହିପାରିବ ନାହିଁ ? ସେ ଜ୍ୟୋତିଷ ଯାହା କହୁଥିଲା ତାହା ଆଜି ସତ୍ୟରେ ପରିଣତ ହେବାକୁ ଯାଉଛି ! ଭୟରେ ଶୀହରି ଉଠିଲା ସେ । ଅଂଶୁକୁ ଆଠବର୍ଷ ହୋଇଥିଲା ବେଳେ ଜ୍ୟୋତିଷ ଜଣେ ତା ଜାତକ ଦେଖି କହିଥିଲେ ଯେ ସେ ଧୋକ୍କା ଖାଇବ କେଉଁ ଝିଅଠାରୁ । ସ୍ତ୍ରୀଲୋକଙ୍କଠାରୁ ପ୍ରତାରିତ ହେବ । ସେତେବେଳେ ଏସବୁ କଥାକୁ ଅଣଶୁଣା କରିଦେଇଥିଲା ସେ । ଆଜି କିନ୍ତୁ ସେକଥା ଭାରି ମନେପଡୁଛି । ମନଭିତରଟା ଭୂମିକମ୍ପରେ ଦୋହଲି ଉଠୁଛି । ସୀତାଂଶୁ ସବୁବେଳେ କହନ୍ତି-ଏମିତି କେବେ ହେବନି । ଏମାନଙ୍କୁ ବିଶ୍ୱାସ କରନି । ହେଲେ ଆଜି ଏହି ଘଟଣା ସଂଘଟିତ ହେବାକୁ ଯାଉଛି । ଅଂଶୁ ଯେ ତା ନିଜ ସ୍ତ୍ରୀ ଦ୍ୱାରା ପ୍ରତାରିତ-ଏହା ଗ୍ରହଣ ଯୋଗ୍ୟ ନ ହେଲେ ବି ସତ୍ୟ !

ଧୈର୍ଯ୍ୟ ହରାଇ ଛୋଟ ପିଲାଙ୍କ ପରି କାନ୍ଦି କାନ୍ଦି ପଚାରୁଥିଲା ସେ ସୀତାଂଶୁଙ୍କୁ-ସତ କହିଲ, ମୋ ପୁଅ ସୁଖୀ ରହିବ ଭବିଷ୍ୟତରେ ? ତାର କିଛି ଅସୁବିଧା ହେବନି ତ ? ବୋହୂ ତା ମନକୁ ସଠିକ୍ ରୂପେ ବୁଝି ପୁଣି ସୁଖରେ ଏକତ୍ର ଘରସଂସାର କରିପାରିବେ ତ ? ସଂସାରଟା ତା ଇଚ୍ଚ ଅଭିଳାଷ ଆଗରେ ନ୍ୟୁନ ହୋଇଯିବନି ତ ? କି ଦୋଷ କରିଥିଲା ମୋ ପୁଅ ଯେ ଏପରି କଷ୍ଟ ତାକୁ ସହିବାକୁ ପଡୁଛି ? ସେ ତ ପ୍ରକୃତରେ ଭଲ ପାଇଥିଲା ନା ଜିଜ୍ଞାସାକୁ । ହେଲେ ପ୍ରତିଦାନରେ ପାଇଲା କଣ ? ଭଗବାନଙ୍କ ଇଏ କି ନିଷ୍ଠୁର ନ୍ୟାୟ ? ମୋ ଆଗରେ ମୋ ଛୁଆଟା ବିକଳ ହେଉଛି । ଅସହାୟତାରେ ମନ ତାର କାନ୍ଦିଉଠୁଛି । ଅଥଚ ଆମେ କିଭଳି ବାପା ମାଆ ଯେ କୋର୍ଟ କଚେରିକୁ ଡରି ତା ପାଇଁ କିଛି କରିପାରୁ ନାହେଁ । କିମ୍ବା ତା ବାପାମାଆଙ୍କ ସହିତ ଏ ବିଷୟରେ କୌଣସି ଆଲୋଚନା କରିପାରୁନାହିଁ ।

ଜାଣ ତୁମେ, ନିତ୍ୟାନନ୍ଦ କହୁଥିଲା-କାଳେ ସେ ଅଂଶୁକୁ ଧମକ ଦେଇଛି ଯଦି ତା ବିଷୟରେ କୌଣସି କଥା ତା ବାପାମାଆଙ୍କୁ ସେ ଜଣେଇବ ତେବେ ପରିସ୍ଥିତି ଭୟଙ୍କର ହେବ । ଆମ ଦୁଇଜଣଙ୍କ କଥା ଛାଡ, ତା ବାପା ମାଆଙ୍କୁ ବି ସେ ତା ସମସ୍ୟା ଭିତରେ ପୂରେଇବାକୁ ଚାହୁଁନି । କି ଅବ୍ୟବସ୍ଥିତ ଜୀବନ ଭିତରେ ନିଜକୁ ଛନ୍ଦି ଦେଇଛି ସେ ! ତା ମାଆ କଣ କିଛି ବୁଝିପାରୁନି ? ଆଉ ଗୋଟେ ମାଆ ଆଖିରେ ଲୁହ ଦେଇ ସେମାନେ ପାଉଛନ୍ତି କଣ ? ସେମାନେ ଭଲରେ ରହନ୍ତୁ ୟା’ବ୍ୟତୀତ ଆମର ଆଉ କିଛି ବି ତ ସ୍ୱାର୍ଥ ନାହିଁ । ସେ ଚାହିଁଲା ତା ସ୍ୱାମୀଠାରୁ ବାପା ମାଆଙ୍କୁ ଦୂରେଇଦେବାକୁ । ଏତକ ଜାଣିବା ପରେ ଆମେ ତ ଆମ ପୁରୁଣା ଜାଗାକୁ ଚାଲିଆସିଲେ । ସେ ଚାହିଁଲା ଅଂଶୁ ତା ପାପାମାମାଙ୍କ ଘରକୁ ନଯାଉ । ତାହା ହିଁ ହେଲା । ଏବେ ଯଦି ସର୍ତ୍ତ ରଖିବ ଯେ ଅଂଶୁ ତା ପାପାମାମାଙ୍କୁ ସବୁଦିନ ପାଇଁ ଭୁଲିଯାଉ, ତେବେ..ତେବେ କଣ ହେବ ଆମର ? ଆମେ କଣ ତା ମୁହଁକୁ ଟିକେ ଦେଖିବାକୁ ବୋହୂର ଅନୁମତି ଆଣିବା ? ଆମେ କଣ ଆମ ପୁଅକୁ ଟିକେ ଆଖିଭରି ଓ ମନଭରି ଦେଖିବାକୁ ବିକଳ ହେଉଥିବା ? ଇଏ କୋଉ ଜନ୍ମର ପାପଫଳ କୁହ ତ ? କାନ୍ଦୁଥିଲା ଅରୁଣିମା ।

ସୀତାଂଶୁ ବୁଝାଉଥିଲେ-ଅଂଶୁ ଭୁଲ୍ ଚୟନ କରିଛି ଅରୁ । ସେ ପ୍ରାୟଶ୍ଚିତ ତ ତାକୁ ନିଶ୍ଚୟ କରିବାକୁ ହେବ । ଯେତେ କହିଲେ ବି ମାନିଲା ନାହିଁ ଆମକଥା । ଏବେ କଣ କରିପାରିବା ଆମେ ? ଡିଭୋର୍ସ ନଦେଲେ ହୁଏତ ସେ ନାରୀ ନିର୍ଯ୍ୟାତନା ମାମଲା ଆଣି ଆମମାନଙ୍କୁ ଜେଲ୍ ଦଣ୍ଡ ଦିଆଇପାରେ । ନହେଲେ ଆଉ କିଛି ଅଜବ ସର୍ତ୍ତ ରଖିପାରେ । ଆମକଥା ଛାଡ, ଅଂଶୁର ଭବିଷ୍ୟତ ନଷ୍ଟ ହୋଇଯିବ । ତେଣୁ ସେମାନଙ୍କୁ ଛଅମାସ ସମୟ ଦିଆଯାଉ । ତା ଭିତରେ କିଛି ଗୋଟାଏ ଚିନ୍ତା କରିବା । ତରବରିଆ ନିଷ୍ପତ୍ତି ନେବାଟା ଠିକ୍ ହେବନାହିଁ । ଅରୁଣିମାର କୋହ କିନ୍ତୁ ବେଳକୁ ବେଳ ବଢିଚାଲିଥିଲା । ମହାବାତ୍ୟାର ରୂପ ନେବା ପରି ! ଅବସର ସମୟ ପାଇବା ମାତ୍ରେ ତା ଆଖି କୋଣରେ ଲୁହମାନେ ଜମାଟ ବାନ୍ଧୁଥିଲେ । ଝରିପଡିବାକୁ ବ୍ୟାକୁଳ ହେଉଥିଲେ । ନୀରବରେ ଲୁହ ଝରାଇବା ଛଡା ଆଉ କୌଣସି ଉପାୟ ହିଁ ନଥିଲା ତାର । ଏଣୁ ତେଣୁ କଣ ଗୁଡିଏ ଭାବି ସେ ହନ୍ତସନ୍ତ ହେଉଥିଲା । ଅଂଶୁ ଅପେକ୍ଷା ଜୀବନଟା ସାରା ଅରୁଣିମା ହିଁ ଖୁବ୍ ବେଶୀ ନିଜକୁ ଦୁଃଖ ଓ ଯନ୍ତ୍ରଣାରେ ତିନ୍ତାଇ ସାରିଥିଲା ।

– ତାପରେ –

ଲୋକପ୍ରିୟ ଲେଖା

To Top