ଗଳ୍ପ

ଅଭିସାରିକା ଉର୍ବଶୀ

Odia Author Dr. Archana Nayak

ଏହି ସମୟରେ ତାଙ୍କ ଦାୟିତ୍ୱରେ ଥିବା ଦେବ ଅନୁଚର ଆସି ଜଣାଇଲେ ଯେ ଦେବୀ ଉର୍ବଶୀ ଅର୍ଜୁନଙ୍କୁ ସାକ୍ଷାତ୍ କରିବାକୁ ଆସିଛନ୍ତି । ଚମକି ପଡ଼ିଲେ ମଧ୍ୟମ ପାଣ୍ଡବ । ରାତ୍ରିର ଏହି ଯାମରେ ଉର୍ବଶୀଙ୍କର ଆଗମନର କାରଣ କ’ଣ ହୋଇପାରେ !

ଅଭିସାରିକା ଉର୍ବଶୀ

-: ପୁର୍ବରୁ :-

କିନ୍ତୁ ଯେତେବେଳେ ମାତଳି ବିନମ୍ର ଭାବରେ ଦେବଲୋକରେ ଇନ୍ଦ୍ରଦେବ, ସିଦ୍ଧ, ଋଷି, ଗନ୍ଧର୍ବ, କିନ୍ନର ଓ ଯକ୍ଷ ପ୍ରଭୃତିଙ୍କ ସମାବେଶରେ ଉପସ୍ଥିତ ହୋଇ ଅର୍ଜୁନଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥିବା କଥା ନିବେଦନ କଲେ । ଅର୍ଜୁନ ଆତ୍ମସ୍ଥ ହେଲେ । ସ୍ୱର୍ଗପୁରରୁ ତାଙ୍କ ପାଇଁ ଆସିଛି ଆମନ୍ତ୍ରଣ ! କି ଦୁର୍ଲ୍ଲଭ ଭାଗ୍ୟ ତାଙ୍କର !

ସେ ମାତଳି ପରିଚାଳିତ ଦିବ୍ୟ ରଥକୁ ଲକ୍ଷ୍ୟ କରି ଭାବିଲେ ପୃଥିବୀରେ ଶହେ ଅଶ୍ୱମେଧ ଯଜ୍ଞ କରିଥିବା ବ୍ୟକ୍ତି ମଧ୍ୟ ଏହାକୁ ଆରୋହଣ କରିବାକୁ ଅସମର୍ଥ । ବହୁ ଯାଜ୍ଞିକ ନରପତି ଅନେକ ଦକ୍ଷିଣା ଦାନ କରି ପୁଣ୍ୟାର୍ଜନ କରିଥିଲେ ବି ଏହାକୁ ସ୍ପର୍ଶ କରିପାରନ୍ତି ନାହିଁ । ଉତ୍ତମ ତପସ୍ୟା ବିନା ଏହି ଦିବ୍ୟରଥରେ ଆରୋହଣ କରିବା ଅସମ୍ଭବ କଥା ।

ତାଙ୍କର ସେହି ସମୟରେ ସ୍ମରଣ ଆସିଥିଲା ଯେ ଦେବତାମାନେ ତାଙ୍କୁ ଜଣାଇ ଦେଇଥିଲେ ଯେ ଗତ ଜନ୍ମରେ ନର ନାମକ ଋଷି ଭାବରେ ସେ ବହୁ ତପସ୍ୟା କରିଛନ୍ତି । ହୁଏତ ସେହି ତପଃଫଳ ତାଙ୍କୁ ଏହି ମହାର୍ଘ ସୁଯୋଗ ଦେଇଛି । କୃଷ୍ଣଙ୍କର ସହାସ୍ୟ ବଦନ ତାଙ୍କ ସମ୍ମୁଖରେ ଭାସି ଉଠିଥିଲା । ତାଙ୍କ ଅଧରର ସ୍ମିତହାସ ଓ ମୟୂର ଚନ୍ଦ୍ରିକାର ଦୋଳନ ସତେ ଯେମିତି ତାଙ୍କ ସଚେତନ କରୁଥିଲା ଯେ ସେପରି ସାଧନା ନଥିଲେ ସେ କ’ଣ ପୁରୁଷୋତ୍ତମ କୃଷ୍ଣଙ୍କର ସଖା ହୋଇ ପାରିଥାନ୍ତେ !

ଅର୍ଜୁନଙ୍କ ମନରୁ ଦ୍ୱନ୍ଦ୍ୱ ଅପସରିଗଲା । ସେ ନଦୀରେ ସ୍ନାନ କରି ଶୁଚି ହୋଇ ଗୁରୁମନ୍ତ୍ର ଜପ କଲେ । ଏତେ ଦିନ ଧରି ଯେଉଁ ମନ୍ଦର ପର୍ବତରେ ସେ ଅବସ୍ଥାନ କରୁଥିଲେ ତାଙ୍କଠାରୁ ବିଦାୟ ନେବାକୁ ଯାଇ କହିଥିଲେ ଯେ ମନ୍ଦର ଶୈଳ ସାଧୁ, ପୁଣ୍ୟଶୀଳ ମୁନି ଓ ସ୍ୱର୍ଗାଭିଳାଷୀ ମଣିଷମାନଙ୍କର ଆଶ୍ରୟସ୍ଥଳ । ତେଣୁ ସେହି ସ୍ଥାନରେ ସେ ନିଜେ ଅବସ୍ଥାନ କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଥିଲେ । ଉକ୍ତ ପର୍ବତରୁ ଝରୁଥିବା ପ୍ରସବଣର ଜଳ ପାନ ଓ ପର୍ବତ୍ର ଗାତ୍ରରେ ବିରାଜିତ ବୃକ୍ଷମାନଙ୍କର ସୁମିଷ୍ଟ ଫଳ ଭକ୍ଷଣ କରି ସେ ଜୀବନଧାରଣ କରିଥିବାରୁ ମନ୍ଦର ପର୍ବତ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରି ବିଦାୟ ନେଇ ଦିବ୍ୟରଥରେ ଉପବେଶନ କରି ସ୍ୱାର୍ଗାଭିମୁଖୀ ହୋଇଥିଲେ ।

ଅର୍ଜୁନ ରାତ୍ରିର ଆକାଶକୁ ଚାହିଁ ମନେ ପକାଉଥିଲେ ସେ ପଥରେ ଦେଖିଥିବା ଆକାଶର ଅଭୂତ ରୂପ । ସେଠାରେ ସହସ୍ର ସହସ୍ର ବିମାନ ଗତାଗତ ହେଉଥିଲା । ମର୍ତ୍ତ୍ୟକୁ ଯେଉଁସବୁ ଉଜ୍ଜ୍ୱଳ ତାରାମାନେ ପରିଦୃଶ୍ୟ ହୁଅନ୍ତି ସେହିମାନେ ସ୍ୱକୀୟ ତେଜରେ ଉଜ୍ଜ୍ୱଳ ଦେଖାଯାଉଥିଲେ । ନିଜ ନିଜର ପ୍ରଭାରେ ଦ୍ୟୋତିତ ହୋଇ ସହସ୍ର ସହସ୍ର ସିଦ୍ଧ, ଋଷି, ଗନ୍ଧର୍ବ, କିନ୍ନର ଓ ଅପ୍ସରାମାନେ ବିଭିନ୍ନ ଦିଗରେ ଗମନ କରୁଥିଲେ ।

ସ୍ୱର୍ଗପୁରରେ ପ୍ରବେଶ ପରଠାରୁ ଚିରବସନ୍ତର ମଳୟ ସ୍ପର୍ଶରେ, ପୁଷ୍ପର ବର୍ଣ୍ଣରେ ଓ ସୁଗନ୍ଧରେ, ଜଳର ରଙ୍ଗରେ ଏକ ଅପୂର୍ବ ଅନନ୍ୟତା ସେ ଅନୁଭବ କରୁଥିଲେ । ସ୍ୱର୍ଗବାସୀ ସତ୍ତାମାନଙ୍କର ରୂପ, ଆକାର ଆଚରଣରେ ମର୍ତ୍ତ୍ୟଲୋକର କୌଣସି ମଳିନତା ନ ଥିଲା । ସେ ନିଜ ଭିତରେ ଏକ ଅପୂର୍ବ ରୋମାଞ୍ଚ ଅନୁଭବ କରୁଥିଲେ ।

ତାଙ୍କର ସ୍ୱର୍ଗ ରହଣି କାଳରେ ପିତା ଇନ୍ଦ୍ରଦେବଙ୍କ ନିର୍ଦ୍ଦେଶରେ ସେ ଚିତ୍ରସେନ ଗନ୍ଧର୍ବଙ୍କ ନିକଟରୁ ନୃତ୍ୟକଳା ଓ ବାଦନ କୌଶଳ ଶିକ୍ଷା କରୁଥିଲେ । ତାହା ତାଙ୍କର ଭବିଷ୍ୟତରେ କିଛି କାର୍ଯ୍ୟରେ ଆସିବ ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା । ସେଥିପାଇଁ ସେ ଖୁବ୍ ମନଯୋଗ ସହକାରେ ନୃତ୍ୟାଭ୍ୟାସ କରୁଥିଲେ । କିନ୍ତୁ ଆଜି ଦେବସଭାରେ ଉର୍ବଶୀଙ୍କର ନୃତ୍ୟ ଦେଖିବା ପରେ ହିଁ ସେ ବୁଝିପାରିଥିଲେ ଏହି ଦିବ୍ୟ କଳା ଆୟତ୍ତ କରିବା ଆଦୌ ସହଜ ନୁହେଁ । କେବଳ ଅଭ୍ୟାସ ଜରିଆରେ ଏହା ସମ୍ଭବ ହୁଏନାହିଁ, ଯଦି ଅନ୍ତଃସତ୍ତାରେ ଏହାର ସୂକ୍ଷ୍ମ ଉତ୍ସ ନିହିତ ଥିବ ତେବେ ହୁଏତ ତାହାର ପ୍ରକାଶରେ ଅସାମାନ୍ୟ ଭାବ ବାରି ହୋଇପାରେ । ତେବେ ଉର୍ବଶୀଙ୍କର ନୃତ୍ୟକଳାର ସେ ସ୍ୱୟଂ ଅଧିଶ୍ୱରୀ । ସେ ଅଦ୍ୱିତୀୟା । ଦେବସଭାର ନୃତ୍ୟ ସ୍ମରଣ କରି ସେ ଉଚ୍ଚକିତ ହେବାକୁ ଲାଗିଲେ ।

ଏହି ସମୟରେ ତାଙ୍କ ଦାୟିତ୍ୱରେ ଥିବା ଦେବ ଅନୁଚର ଆସି ଜଣାଇଲେ ଯେ ଦେବୀ ଉର୍ବଶୀ ଅର୍ଜୁନଙ୍କୁ ସାକ୍ଷାତ୍ କରିବାକୁ ଆସିଛନ୍ତି । ଚମକି ପଡ଼ିଲେ ମଧ୍ୟମ ପାଣ୍ଡବ । ରାତ୍ରିର ଏହି ଯାମରେ ଉର୍ବଶୀଙ୍କର ଆଗମନର କାରଣ କ’ଣ ହୋଇପାରେ ! କିଛି ନିର୍ଣ୍ଣୟ ନ କରି ପାରିଲେ ବି ସେ ତ୍‌କ୍ଷଣାତ୍‌ ନିଜର ଆସନରୁ ଉତ୍ଥିତ ହୋଇ ପ୍ରତୀକ୍ଷାରତା ଉର୍ବଶୀଙ୍କ ନିକଟରେ ଉପସ୍ଥିତ ହେଲେ ।

କିନ୍ତୁ ସେ କାହାକୁ ଦେଖୁଛନ୍ତି ! ! ଇଏ କ’ଣ ସେହି ନୃତ୍ୟ ପ୍ରବୀଣା ନାୟିକା ଯାହାଙ୍କୁ ସେ ଦେଖିଥିଲେ ଦେବସଭାରେ ! ! ଶରୀରକୁ ଆବୃତ କରିଥିବା ବସ୍ତ୍ରାବରଣ ଓ ଅଙ୍ଗପ୍ରତ୍ୟଙ୍ଗରେ ପରିହିତ ଅଷ୍ଟ ଅଳଙ୍କାରର ଔଜ୍ଜ୍ୱଲ୍ୟ ଭିତରେ ସେ ତ ଅସାମାନ୍ୟା ମନେ ହୋଇଥିଲେ । କିନ୍ତୁ ଏବେ ସେସବୁ ଆଭୂଷଣ ନ ଥିଲା । ତାଙ୍କର ସେ ତପ୍ତକାଞ୍ଚନ ବର୍ଣ୍ଣର ଦେହବଲ୍ଲରୀରେ ଥିଲା ଏକ ରକ୍ତବର୍ଣ୍ଣର ଝୀନ ବେହରଣ । ପୀନୋନ୍ନତ ବକ୍ଷକୁ ଆବୃତ କରିଥିବା ନୀଳ ଓ ସୁନେଲି ରଙ୍ଗର କାଞ୍ଚଲା ବାହାରକୁ ଫୁଟି ଦିଶୁଥିଲା । ବାଜୁବନ୍ଧରେ କେବଳ ଦୁଇଟି ହୀରାର କଙ୍କଣ । କର୍ଣ୍ଣର ଉଭୟ ପାର୍ଶ୍ୱରେ ଦୋଳାୟିତ ହେଉଥିଲା ଚୂର୍ଣ୍ଣକୁନ୍ତଳର ଝରା । ମୟୂରପୁଚ୍ଛ ପରି ମୁକ୍ତକେଶ ରାଶିରେ ଶୋଭା ପାଉଥିଲା ପାରିଜାତର କେତୋଟି ସ୍ତବକ । ମୁକ୍ତଗ୍ରୀବା, ମୁକ୍ତବାହୁ ଝୀନ ବେହରଣରେ ଆବୃତ ଦେହବଲ୍ଲରୀ ଅଧିକ ଅନାବୃତ ହୋଇଥିବା ପରି ଦିଶୁଥିଲା ।

ଅର୍ଜୁନ ତାଙ୍କର ଏପରି ଅପୂର୍ବ ଲୋଭନୀୟ ରୂପଶ୍ରୀ ଦର୍ଶନ କରି ମୋହିତ ହେବା ପରିବର୍ତ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ, “ମାତେ, ଆସନ ଗ୍ରହଣ କରନ୍ତୁ । ରାତ୍ରିର ଏହି ଗଭୀର ଯାମରେ ଆପଣଙ୍କର ମୋ ପୁରକୁ ଆଗମନର କାରଣ କ’ଣ ଜଣାଇବେ କି ?”

ଅର୍ଜୁନଙ୍କର ଏ ପ୍ରକାର ବିନୀତ ଆଚରଣରେ ଉର୍ବଶୀ ଆଶ୍ଚର୍ଯ୍ୟ ହୋଇଗଲେ । ନୃତ୍ୟସଭା ପରେ ସେ ନିଜ ପୁରରେ ବିଶ୍ରାମ ନେଉଥିବାବେଳେ ଗନ୍ଧର୍ବ ଚିତ୍ରସେନ ସେଠରେ ଉପସ୍ଥିତ ହୋଇ ଦେବରାଜଙ୍କର ଇଚ୍ଛା ନିବେଦନ କରିଥିଲେ । ପ୍ରସଙ୍ଗଟି ଥିଲା ଯେ ଦେବସଭାରେ ଉର୍ବଶୀ ନୃତ୍ୟରଙ୍ଗ ପ୍ରଦର୍ଶନ କରୁଥିବାବେଳେ ଅର୍ଜୁନ ତାଙ୍କୁ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିବାରୁ ଇନ୍ଦ୍ରଦେବ ମନେ କଲେ ଯେ ସେ ଉର୍ବଶୀଙ୍କ ପ୍ରତି ଆସକ୍ତ ହୋଇଛନ୍ତି । ତେଣୁ ତାଙ୍କ ପୁତ୍ରର ଶୃଙ୍ଗାରଭିଳାଷ ପୂରଣ କରିବା ପାଇଁ ସେ ଦେବୀଙ୍କୁ ଅନୁରୋଧ କରିଛନ୍ତି ।

ତା’ପରେ ଅର୍ଜୁନଙ୍କର ଗୁଣଗାନ କରିବାକୁ ଯାଇ ଚିତ୍ରସେନ ତାଙ୍କର ବୀରତା, ପରାକ୍ରମ, ପ୍ରତିଭା, ସତ୍ୟବାଦୀତା, ଅହଂକାରଶୂନ୍ୟତା, ସୌମ୍ୟତା ଓ ଦେବଦୁର୍ଲଭ ସ୍ୱଭାବର ବହୁ ବର୍ଣ୍ଣନା କଲେ ।

ଦେବୀ ଉର୍ବଶୀ ଅର୍ଜୁନଙ୍କ ସମ୍ପର୍କରେ ସେସବୁ କଥା ପୂର୍ବରୁ ଶୁଣିଥିଲେ ଓ ଦେବସଭାରେ ସେହି ଶ୍ୟାମଳକାନ୍ତି ପୁରୁଷଙ୍କର ଦୁର୍ଲଭ ରୂପଶୋଭା ପ୍ରତି ଆକର୍ଷଣ ମଧ୍ୟ ଅନୁଭବ କରିଥିଲେ । ତେଣୁ ସେ ଖୁବ୍ ପ୍ରୀତ ହୋଇ ଚିତ୍ରସେନଙ୍କ ମାଧ୍ୟମରେ ଇନ୍ଦ୍ରପ୍ରେରିତ ଅନୁରୋଧ ରକ୍ଷା କରିବାକୁ ଆଗ୍ରହୀ ହୋଇ ଅର୍ଜୁନଙ୍କ ପୁରକୁ ଆସିଥିଲେ । ସେ ପଥସାରା ଭାବି ଆସୁଥିଲେ ଯେ ତାଙ୍କର ଏହି ଭୁବନମୋହିନୀ ଅଭିସାରିକା ରୂପ ଦେଖି ଅର୍ଜୁନ ମୁହୂର୍ତ୍ତେ ବିଳମ୍ୱ ନ କରି ତାଙ୍କୁ ଗାଢ଼ି ଆଲିଙ୍ଗନରେ ଆବଦ୍ଧ କରିବେ । ତେଣିକି ଶୃଙ୍ଗାରକଳା ନିପୁଣା ଉର୍ବଶୀ ତାଙ୍କୁ ଯେଉଁ ଆନନ୍ଦ ଦେବେ ତାହାର କାଣିଚାଏ ମଧ୍ୟ ସେ ମର୍ତ୍ତ୍ୟଭୁବନରେ ଅନ୍ୟ କୌଣସି ନାରୀ ସଂସର୍ଗରେ ପାଇନଥିବେ ।

ତେଣୁ ଅର୍ଜୁନଙ୍କର ସେ ବିନୀତ ଆଚରଣ ତାଙ୍କୁ ବିସ୍ମିତ କଲା । ସେ ମୁହଁ ଖୋଲିବାକୁ ବାଧ୍ୟ ହେଲେ । ଅର୍ଜୁନଙ୍କ ପ୍ରତି ତାଙ୍କର ସମ୍ମୋହନକାରୀ କଟାକ୍ଷପାତ କରି ସ୍ମିତ ହସି କହିଲେ, “ହେ ପୁରୁଷ ଶ୍ରେଷ୍ଠ ମୋର ଆଗମନର କାରଣ କ’ଣ ତୁମେ ସତରେ ଜାଣନାହିଁ ।”

– ନାଁ ଦେବୀ ଏପରି ଅସମୟରେ ଆପଣଙ୍କର ଆଗମନ ମତେ ବିସ୍ମିତ କରିଛି ।
– ଚିତ୍ରସେନ ଗନ୍ଧର୍ବ ତୁମକୁ କିଛି କହିନାହାନ୍ତି ?
– ନାଁ ଆଦିର ଦେବସଭାର ନୃତ୍ୟାନୁଷ୍ଠାନ ପରେ ତାଙ୍କ ସହିତ ମୋର ଆଦୌ ସାକ୍ଷାତ୍ ହୋଇନାହିଁ ।
– ଦେବରାଜ ଇନ୍ଦ୍ରଙ୍କ ନିକଟରୁ କୌଣସି ସନ୍ଦେଶ ପାଇଥିଲେ କି ?

ଅର୍ଜୁନ, କୌଣସି ପ୍ରକାର ସମ୍ୱାଦ ଇନ୍ଦ୍ରଙ୍କ ନିକଟରୁ ପାଇନାହାନ୍ତି ବୋଲି ସରଳ ଉତ୍ତର ଦେଲେ ।

ଉର୍ବଶୀଙ୍କର ହୃଦ୍‌ବୋଧ ହେଲା ପ୍ରକୃତରେ ଅର୍ଜୁନଙ୍କ ନିକଟରେ ତାଙ୍କ ଆଗମନର ବାର୍ତ୍ତା ପହଞ୍ଚାଯାଇନାହିଁ । ହୁଏତ ଇନ୍ଦ୍ରଦେବ ପିତା ଭାବରେ ପୁତ୍ରକୁ ଏ ପ୍ରକାର କିଛି କଥା କହିବାକୁ ସଙ୍କୋଚ ଅନୁଭବ କରିଥିବେ । ତାଙ୍କର ଓ ଚିତ୍ରସେନଙ୍କର ତ ଦୃଢ଼ ଧାରଣା ରହିଛି ଉର୍ବଶୀଙ୍କର ଅଭିସାରିକା ରୂପର ମାୟାଜାଲରେ ଛନ୍ଦି ନ ହୋଇ ରହିପାରିବା କୌଣସି ପୁରୁଷ ପକ୍ଷରେ ସମ୍ଭବ ନୁହେଁ । ତେଣୁ ତାଙ୍କର ଉପସ୍ଥିତରେ ଅର୍ଜୁନଙ୍କର ବଶୀଭୂତ ହୋଇଯିବା ତ ନିଶ୍ଚିତ କଥା । ପୂର୍ବ ସୂଚନାର ପ୍ରୟୋଜନ କ’ଣ ! ତେବେ ଅର୍ଜୁନ କ’ଣ ସଙ୍କୋଚ ଅନୁଭବ କରୁଥିବାରୁ ଏ ପ୍ରକାର ବାର୍ତ୍ତାଳାପ କରୁଛନ୍ତି କି ! ହୋଇପାରେ ଇଏ ତ ସ୍ୱର୍ଗର କୌଣସି ଦେବତା, ଗନ୍ଧର୍ବ ବା ଯକ୍ଷ ନୁହନ୍ତି, ମର୍ତ୍ତ୍ୟର ମାନବ । ଜଣେ ମଣିଷ ପକ୍ଷରେ ଦେବୀ ଉର୍ବଶୀଙ୍କ ନିକଟରେ ନିଜର ପ୍ରେମ ନିବେଦନ କରିବା ଆଦୌ ସହଜ ନୁହେଁ ।

ଉର୍ବଶୀ ଚିନ୍ତା କଲେ ଅର୍ଜୁନଙ୍କ ମନରୁ କୁଣ୍ଠା ଦୂର କରିବାକୁ ପଡ଼ିବ । ତେଣୁ ସେ ତାଙ୍କର ମୋହିନୀ ରୂପକୁ ନିଜର ଶୃଙ୍ଗାରୀ ଭଙ୍ଗୀରେ ଆହୁରି ଆକର୍ଷଣୀୟ କରି କହିଲେ, “ହେ ଅର୍ଜୁନ, ମୁଁ ତୁମର ପ୍ରଣୟପ୍ରାର୍ଥିନୀ ହୋଇ ଏଠାକୁ ଆଗମନ କରିଛି । ତୁମ୍ଭର ପିତା ଇନ୍ଦ୍ରଦେବ ମଧ୍ୟ ଚାହାନ୍ତି ତୁମେ ମୋ ନିକଟକୁ ନାରୀ ସମ୍ଭୋଗ ଜିତ ସ୍ୱର୍ଗସୁଖ ପ୍ରାପ୍ତ ହୁଅ ।”

ଉର୍ବଶୀଙ୍କର କଥା ଶୁଣୁଶୁଣୁ ଅର୍ଜୁନ ସର୍ପଦର୍ଶନ କରିବା ପରି ଚମକିପଡ଼ି ପଛକୁ ଘୁଞ୍ଚିଗଲେ । ଦୁଇ କର୍ଣ୍ଣକୁ ହସ୍ତରେ ଆଚ୍ଛାଦନ କଲେ । ତାଙ୍କର ଶରୀର କମ୍ପିତ ହେବା ସଙ୍ଗେ ସ୍ୱେଦଯୁକ୍ତ ହୋଇଗଲା । ମୁଖ ଶୁଷ୍କ ହେଲା । ସତେକି ସେ ଶବ୍ଦଟିଏ ଉଚ୍ଚାରଣ କରିବାର ସାମର୍ଥ୍ୟ ହରାଇ ବସିଲେ ।

ତଥାପି ନିଜକୁ ସମ୍ୱରଣ କରି କହିଲେ, “ମୋତେ ଆପଣ ଏପରି ଅନୈତିକ କଥା କିପରି କହୁଛନ୍ତି । ଏହା ପାପ ମହାପାପ ।”

– ପାପ ! କ’ଣ ପାପ ? ବିସ୍ମିତ ହେଲେ ଉର୍ବଶୀ ।
– ମାତା ଓ ପୁତ୍ର ମଧ୍ୟରେ ସମ୍ପର୍କ ଘୋର ପାପ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା କଳ୍ପନା କରିବା ବା ଉଚ୍ଚାରଣ କରିବାରେ ମଣିଷ ନରକଗତି ପ୍ରାପ୍ତ ହୁଏ ।
– ତୁମେ ମତେ ମାତା କହିବାର ଅର୍ଥ କ’ଣ ?
– ଆପଣ ମୋର ପିତା ଦେବରାଜ ଇନ୍ଦ୍ରଙ୍କର ପ୍ରିୟତମା, ପତ୍ନୀସ୍ୱରୂପା । ସେହି ସୂତ୍ରରେ ଆପଣ ମୋର ମାତା ଓ ପୂଜନୀୟା ।

ଏଥର ଉର୍ବଶୀ ଏକ ଅପୂର୍ବ ହସି ହସି କହିଲେ, “ଅର୍ଜୁନ ମୁଁ କାହାରି ଜାୟା ନୁହେଁ ଜନନୀ ନୁହେଁ, ଭଗିନୀ ବା କନ୍ୟା ନୁହେଁ । ମୁଁ କେବଳ ଜଣେ ନାରୀ । ପୁରୁଷ ମତେ କେବଳ ଆକାଂକ୍ଷା କରେ ଶୃଙ୍ଗାର ସୁଖ ପାଇଁ । ତୁମେ ଯେ କହିଲ ମୁଁ ଦେବରାଜ ଇନ୍ଦ୍ରଙ୍କର ପ୍ରିୟା, ତାହା ଠିକ୍ । କିନ୍ତୁ ସେହି ଦେବସଭାରେ ଉପସ୍ଥିତ ଥିବା ଅନେକ ଦେବତା, ଗନ୍ଧର୍ବ, ଯକ୍ଷ ଓ ସିଦ୍ଧଗଣଙ୍କର ମଧ୍ୟ ମୁଁ ପ୍ରିୟତମା ନାରୀ । ଇନ୍ଦ୍ର ମୋର ପ୍ରଭୁ । ସେ ଯାହା ସହିତ ମତେ ରାତ୍ରିଯାପନର ନିର୍ଦ୍ଦେଶ ଦିଅନ୍ତି ତାହା ମୁଁ ପାଳନ କରିଥାଏ । ସେଥିରେ ମୋର ରୁଚିଅରୁଚିର ପ୍ରଶ୍ନ ଉଠେନାହିଁ । ସତ କହିବାକୁ ଗଲେ ରାଜା ପୁରୁରବାଙ୍କ ପରେ ମୋ ମନରେ ଯଦି କେଉଁ ପୁରୁଷ ପ୍ରତି ତୀବ୍ର କାମଭାବନା ସୃଷ୍ଟି ହୋଇଛି, ସେ ହେଉଛ ତୁମେ । ଦେବସଭାରେ ଦେବଭିନ୍ନ ମର୍ତ୍ତ୍ୟର ମାନବ ଭାବରେ ତୁମେ ହିଁ ଏକମାତ୍ର ପୁରୁଷ ସେଠାରେ ଉପସ୍ଥିତ ଥିଲ । ତୁମର ଉଜ୍ଜ୍ୱଳ ଶ୍ୟାମଳକାନ୍ତି, ସୌମ୍ୟକାନ୍ତ ରୂପ, କ୍ଷତ୍ରିୟ ବଂଶଦ ରାଜପୁତ୍ରର ଗାରିମା ମତେ ଖୁବ୍ ଆକର୍ଷଣୀୟ ମନେ ହୋଇଥିଲା । ତୁମକୁ ପାଇବାର ତୀବ୍ର କାମନା ମୋ ଭିତରେ ଜାଗରୁକ ହୋଇଥିଲା । ତା’ ସତ୍ତ୍ୱେ ମୁଁ ନିଜର ସୀମା ଲଙ୍ଘନ କରି ସ୍ୱତଃ ତୁମ ନିକଟକୁ ଆସିନଥାନ୍ତି । ଦେବରାଜଙ୍କର ବିନାନୁମତିରେ ମୁଁ ସ୍ୱଇଚ୍ଛାରେ ପରିଚାଳିତ ହୁଏ ନାହିଁ । ଆଜି ତାଙ୍କର ନିର୍ଦ୍ଦେଶ ପରେ ମୋ ଭିତରେ ତୁମକୁ ସର୍ବୋଽତଭାବରେ ପାଇବାର ଆକାଂକ୍ଷା ବହୁଗୁଣିତ ହୋଇଛି । ତୁମେ ବିନା ଦ୍ୱିଧାରେ ମତେ ଗ୍ରହଣ କର ।”

ଅର୍ଜୁନ ତାଙ୍କ କଥା ଶୁଣି ଲଜ୍ଜାନ୍ୱିତ ହେଲେ ଓ ଖୁବ୍ ନମ୍ର ଭାବରେ କହିଲେ, “ହେ ବରାନନେ ! ଆପଣ ଯାହା ମତେ କହିଲେ ତାହା ମୋର ଶୁଣିବା ଉଚିତ୍ ନୁହେଁ । ମୋ ନିକଟରେ କୁନ୍ତୀଦେବୀ ଓ ଇନ୍ଦ୍ରପତ୍ନୀ ଶଚୀ ଯେପରି ମାନନୀୟା ଆପଣ ମଧ୍ୟ ସେହିପରି ମାନନୀୟା ।”

ଏଥର ଉର୍ବଶୀଙ୍କୁ ଅର୍ଜୁନଙ୍କର ବିନୟ ତାଙ୍କ ପ୍ରତି ଉପେକ୍ଷାଭାବ ବୋଲି ମନେ ହେଲା । ସେ ଟିକେ ବିରକ୍ତି ପ୍ରକାଶ କରି କହିଲେ, “ତୁମେ ଯଦି ମତେ ମାତା ଜ୍ଞାନ କରୁଥିଲ ତେବେ ଆଜି ଦେବସଭାରେ ମୁଁ ନୃତ୍ୟ ପ୍ରଦର୍ଶନ କରିବାବେଳେ ତୁମେ ମତେ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଥିଲ କାହିଁକି ? ତୁମ ମୁଖମଣ୍ଡଳରେ ଏକ ମୁଗ୍‌ଧ ବିଭୋର ଭାବ ଯେ ଲାଗି ରହିଥିଲା, ତାହା କ’ଣ ମୋର ଦୃଷ୍ଟିଭ୍ରମ ଥିଲା ?”

“ନାଁ, ଦେବୀ ତାହା ଆପଣଙ୍କର ଦୃଷ୍ଟିଭ୍ରମ ନଥିଲା । ଆପଣଙ୍କୁ ଦର୍ଶନ କରିବାବେଳେ ମୋର ମନେ ହେଉଥିଲା ଏହି ଯେ ଦିବ୍ୟ ସୌନ୍ଦର୍ଯ୍ୟର ଅଧିକାରିଣୀ ସ୍ୱର୍ଗଲୋକର ସୁଷମା ଦେବୀ ଉର୍ବଶୀ ହେଉଛନ୍ତି ପୌରବ ବଂଶର ଜନନୀ । ମୋର ମାତୃରୂପା । ଏତଦ୍‌ବ୍ୟତୀତ ହେ ଦେବୀ ! ଆପଣଙ୍କର ନୃତ୍ୟକଳା ଦର୍ଶନ କରିବାବେଳେ ମୋର ଉପଲବ୍‌ଧି ହେଉଥିଲା ଏହି କଳା କିପରି ଆପଣଙ୍କର ଅଙ୍ଗବଲ୍ଲରୀରେ ଚରମ ଉତ୍କର୍ଷତା ଲାଭ କରିପାରିଛି । ଚିତ୍ରସେନ ଗନ୍ଧର୍ବଙ୍କ ନିକଟରୁ ଶିକ୍ଷା କରିଥିବା ମୋର ନୃତ୍ୟଜ୍ଞାନ କେତେ ସ୍ୱଳ୍ପ, କେତେ ସୀମିତ, ତାହା ହିଁ ଥିଲା ହୁଏତ ମୋର ମୁଗ୍‌ଧତାର କାରଣ । ଅନ୍ୟ କିଛି ନୁହେଁ । ମୋର ସେହି ଦୃଷ୍ଟି ଯଦି ଆପଣଙ୍କ ମନରେ କିଛି ବିପରୀତ ଭାବ ସୃଷ୍ଟି କରିଛି, ତେବେ ହେ ମାତ, ଆପଣ ମତେ କ୍ଷମା କରନ୍ତୁ ।” ଅର୍ଜୁନ ନୀରବ ରହିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top