ଗଳ୍ପ

ବାଲେଶ୍ୱରୀ ରାହାଜାନୀ

Byaasakabi Fakir Mohan Senapati's odia story Baleshwari Raahaajaani

ଏଟା କିଏ, କାହିଁକି ଆଣିଲ ?” ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।

ବାଲେଶ୍ୱରୀ ରାହାଜାନୀ

-: ପୂର୍ବରୁ :-

ଏକ ଦିବସ ଅର୍ଦ୍ଧ ରାତ୍ର ସମୟରେ ଗୋଟିଏ ପାଣ ଓଳିରେ ବସିଛନ୍ତି, ଘର ମଧ୍ୟରୁ ଶୁଣିଲେ, ଗୋଟିଏ ଯୁବତୀ ସ୍ତ୍ରୀ କାନ୍ଦି କାନ୍ଦି ତାହାର ମାତାକୁ ଅନୁଯୋଗ କରୁଅଛି, –

ସେ ଯିବାକୁ ରାଜି ନଥିଲେ, ବାବା ଜୋର୍ କରି ଘେନି ଗଲା । ଅକାରଣେ ପ୍ରାଣଟା ସିନା ଗଲା । ମୁଁ ଏବେ କରେ କ’ଣ ?

ଆର ଦିନ ପ୍ରାତଃକାଳରେ ପୋଲିସ ଦଳବଳ ସହିତ ସବ୍ ଇନ୍ସପେକ୍ଟର ରାଜକିଶୋର ବାବୁ ଗ୍ରାମରେ ଉପସ୍ଥିତ । ତଦନ୍ତରେ ଜଣାଗଲା, କ୍ରନ୍ଦନକାରିଣୀ ସ୍ତ୍ରୀର ସ୍ୱାମୀ ଓ ପିତା ଡକାଏତ । ତାହାର ସ୍ୱାମୀ ଡକାଏତି ସମୟରେ ହତ ଓ ପିତା ଆହତ । ଅନ୍ୟ ଦୁଇ ଜଣ ଆହତ ଡକାଏତ ମଧ୍ୟ ଧରାଗଲେ । ଡକାଏତି ମାଲ ମଧ୍ୟ ବରାମଦ ହେଲା । ସେ ସନ କୋଟ ବିଚାରରେ ପ୍ରାୟ ପନ୍ଦର ଜଣ ଡକାଏତ ଗୁରୁତର ଦଣ୍ଡ ପ୍ରାପ୍ତ ହେଲେ । ବୋଧ, ସେମାନଙ୍କୁ ଆଉ ସ୍ୱଗୃହକୁ ବାହୁଡ଼ିବାକୁ ହୋଇ ନଥିଲା ।

ଏହି ଡକାଏତ ଦଳ ଦଣ୍ଡ ପ୍ରାପ୍ତ ହେଲେ ମଧ୍ୟ ହାକିମମାନେ ନିଶ୍ଚିନ୍ତ ହୋଇ ପାରିଲେ ନାହିଁ । କାରଣ ପ୍ରକାଶ ପାଇଲା ରେମ୍ପିନିଙ୍କ ପ୍ରତି ଯେଉଁମାନେ ଅତ୍ୟାଚାର କରିଥିଲେ, ସେ ସ୍ୱତନ୍ତ୍ର ଓ ପ୍ରଧାନ ଡକାଏତ ଦଳ ଅଟନ୍ତି । ମୟୂରଭଞ୍ଜର ଘୋର ଜଙ୍ଗଲ ମଧ୍ୟରେ ସେମାନେଙ୍କର ଖଟି । ଏହି ପ୍ରଧାନ ବା ମୂଳ ଦଳର ଡକାଏତ ସଂଖ୍ୟା ପ୍ରାୟ ପଞ୍ଚାଶ ଜଣ । କଦାଚିତ୍ ଏକତ୍ର କେବେ ବା ଭିନ୍ନ ଭିନ୍ନ ରୂପେ ଦଳବଦ୍ଧ ହୋଇ ଡକାଏତ କରିଥାନ୍ତି ।

ବାଲେଶ୍ୱର ସଦର ଥାନାରେ ଇନ୍ସପେକ୍ଟରବାବୁ ଶାରଦା ପ୍ରସାଦ ଘୋଷ ପୋଲିସ ବିଭାଗରେ ଜଣେ ସୁନିପୁଣ କର୍ମଚାରୀ ବୋଲି ଉପରିସ୍ଥ କର୍ମଚାରୀମାନଙ୍କର ବିଶ୍ୱାସ ଥିଲା । ଡକାଏତ ଦଳର ଆବିଷ୍କାର ଓ ଗ୍ରେପ୍ତାର ନିମନ୍ତେ ତାହାଙ୍କୁ ନିଯୁକ୍ତ କରାଗଲା । ବହୁକାଳ ପରିଶ୍ରମ ଉତ୍ତାରେ ଶାରଦା ବାବୁ ଡକାଏତ ଦଳର ଖଟି ସ୍ଥାନ ମାତ୍ର ସନ୍ଧାନ ପ୍ରାପ୍ତ ହେଲେ ।

ମୟୂରଭଞ୍ଜର ବାରିପଦା ଗଡ଼ଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ନିବିଡ଼ି ଅରଣ୍ୟ ମଧ୍ୟରେ ଗୋଟିଏ ସଂକୀର୍ଣ୍ଣ ବନ ମାର୍ଗ ଅଛି । ଦିନେ ପୂର୍ବାହ୍ନ ଦିବା ପ୍ରହରକ ସମୟରେ ତିନି ଜଣ ଭିକ୍ଷୁକ ଅର୍ଦ୍ଧ କ୍ରୋଶ ଅନ୍ତର ଆଗ ପଛ ହୋଇ ବାରିପଦା ଆଡୁ ଜଳେଶ୍ୱର ଆଡ଼କୁ ଯାଉ ଅଛନ୍ତି । ସର୍ବ ପଶ୍ଚାତ୍ରେ ଜଣେ ଜ୍ୟୋତିଷ । ଚେହେରା ଦେଖିଲେ ଜଣେ ସମ୍ଭ୍ରାନ୍ତ ଲୋକ ବୋଲି ବୋଧହୁଏ, ମାତ୍ର ବେଶ ନିତାନ୍ତ ଦାରିଦ୍ର୍ୟବ୍ୟଞ୍ଜକ । ପରିଧାନ ଖଣ୍ଡେ ଆଣ୍ଠୁ ଲୁଚା ଲୁଗା, ମୋଟା ମଳିନ ତନ୍ତ ବୁଣା ଖଦି । ମୁଣ୍ଡରେ ଖଣ୍ଡେ ତଦ୍‌ବତ୍ ମଳିନ ଗାମୁଛା ପାଗ, ଅନ୍ୟ ଖଣ୍ଡିଏ ଗାମୁଛାରେ ସେର ଦୁଇ ଅନ୍ଦାଜ ଚାଉଳ ଓ କେତେ ଅଣା ପଇସା ବନ୍ଧା । କାଖରେ ଲିଖନଗୁଞ୍ଜା ତାଳପତ୍ର ପାଞ୍ଜି । ହସ୍ତରେ ଖଣ୍ଡିଏ ବଂଶ ଯଷ୍ଟି । କାନ୍ଧରେ ତାଳପତ୍ର ଛତା । (ସେ ସମୟରେ କନା ଛତାର ବିରଳ ବ୍ୟବହାର ଥିଲା) ଦୁର୍ଭାଗ୍ୟବଶରୁ ବା ସୌଭାଗ୍ୟବଶରୁ ଜ୍ୟୋତିଷ ଦୁଇଜଣ ବନ୍ୟ ଦସ୍ୟୁ ହାତରେ ପଡ଼ିଲେ । ଜ୍ୟୋତିଷ ବହୁତ ଅନୁନୟ ବିନୟ କରି ଆପଣାର ଦୀନଦଶା ଏବଂ ଆପଣା ବିଦ୍ୟାବତ୍ତା ବିଷୟ ଦସୁ୍ୟମାନଙ୍କୁ ଜଣାଇଲେ । ଜ୍ୟୋତିର୍ବିଦ୍‌ଙ୍କ ବକ୍ତୃତାର ସାରାଂଶ- ସେ ଜଣେ ଭଲ ଜ୍ୟୋତିଷ, ତାଙ୍କର ଗଣନା ବଡ଼ ଠିକ୍, ମୟୂରଭଞ୍ଜ ମହାରାଜା ତାଙ୍କୁ ଖୁବ୍ ଖାତର କରନ୍ତି, ଇତ୍ୟାଦି ।

ଦସ୍ୟୁ ଦୁଇ ଜଣ ପରସ୍ପର କ’ଣ ପରାମର୍ଶ କରି କହିଲେ, “ତୁ ଆମ ସର୍ଦ୍ଦାର ନିକଟକୁ ଚାଲ । ଯେବେ ଠିକ୍ ବୁଝି ଦେବୁ, ତୋ ଚାଉଳ ଲୁଗା କିଛି ନେବୁ ନାହିଁ ।” ଜ୍ୟୋତିଷ ଅନିଚ୍ଛା ସତ୍ତ୍ୱେ ସମ୍ମତ ହେବାରୁ ଦସ୍ୟୁଯୁଗଳ ତାହାର ଆଖି ବାନ୍ଧି ହାତ ଧରି ନିବିଡ଼ ଜଙ୍ଗଲମୟ, କୁଟିଳ, ବନ୍ଧୁର ମାର୍ଗରେ ଘେନିଗଲେ । ଯିବା ସମୟରେ ଜ୍ୟୋତିଷ ଅତି ସତର୍କତା ସହିତ ମାର୍ଗ ପାର୍ଶ୍ୱସ୍ଥ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷ ଡାଳ ଭାଙ୍ଗି ଦେଇ ଯାଉଥାଏ । ଅନୁମାନିକ ଦୁଇ ତିନି କ୍ରୋଶ ଭ୍ରମଣ ଉତ୍ତାରେ ଡକାଏତ ଦଳର ଖଟି ସ୍ଥାନରେ ଉପସ୍ଥିତ ହେଲେ । ଆଖିର ପଟି ଫିଟାଇ ଦିଆଯିବାରୁ ଖଟି ସ୍ଥାନର ଅବସ୍ଥା ଦେଖି ଜ୍ୟୋତିଷଙ୍କ ଅନ୍ତରାତ୍ମା ଶୁଷ୍ମ ହୋଇଗଲା । ନିତାନ୍ତ ସାହସୀ ପୁରୁଷ ବିନା ସେ ସ୍ଥାନରେ ଧୈର୍ଯ୍ୟାବଲମ୍ୱନ କରି ରହିବା ନିତାନ୍ତ କଠିନ କଥା ।

ନିବିଡ଼ ଜଙ୍ଗଲ ମଧ୍ୟରେ ଅଳ୍ପ ପରିସର ଭୂମିଖଣ୍ଡ ପରିଷ୍କୃତ । ଦୁଇ ତିନିଟା ଧୂନି ଲାଗିଅଛି, ଚାରି ଛଅଟା ଭାତରନ୍ଧା ହାଣ୍ଡି ଏକ ସ୍ଥାନରେ ପଡ଼ି ରହିଅଛି । ପର୍ଯ୍ୟୁଷିତ ମାଂସ ଓ ଶୁଷ୍କ ମାଂସରେ ସ୍ଥାନଟା ନିତାନ୍ତ ଦୁର୍ଗନ୍ଧମୟ । ଟାଙ୍ଗି, ବର୍ଚ୍ଛା, ତରବାର, ତୀର, ଧନୁକ ପ୍ରଭୃତି ଭୟଙ୍କର ଅସ୍ତ୍ରମାନ ଗଛ ଡାଳମାନଙ୍କରେ ଝୁଲୁଅଛି । ମଦମତ୍ତ ବିକଟାଳ ନରରୂପୀ କେତେଟା ରାକ୍ଷସ ପ୍ରକୃତି ପ୍ରାଣୀ ଧୂଳିରେ ପଡ଼ି ଗଡୁ ଅଛନ୍ତି । ସମସ୍ତଙ୍କର ପରିଧାନ କୌପୀନ, ମହିଷବତ୍ ବଳିଷ୍ଠ । କେହି କର୍କଶଭାଷାରେ ଅକାରଣ ଅନ୍ୟ ଜଣକୁ ଗାଳି ଦେଉଅଛି, କେହି ବା ବିକୃତ ସ୍ୱରରେ ସଙ୍ଗୀତ ଆରମ୍ଭ କରିଅଛି । ଜ୍ୟୋତିଷକୁ ସମସ୍ତେ କଟମଟ କରି ଅନାଇଲେ, ବିଶେଷରେ ସର୍ଦ୍ଦାର ଅନେକ କ୍ଷଣ ପର୍ଯ୍ୟନ୍ତ ଆପାଦମସ୍ତକ ଅନାଇ ଆଗନ୍ତୁକ ଦସ୍ୟୁ ଦୁଇଜଣଙ୍କୁ କର୍କଶ ଭାଷାରେ ପଚାରିଲା, “ଏଟା କିଏ, କାହିଁକି ଆଣିଲ ?” ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ । ଏହି ସର୍ଦ୍ଦାରର ପରିଚୟ ଆବଶ୍ୟକ । ସେହି ସମୟରେ ଡକାଏତ ଦଳରେ ଦୁଇଜଣ ସର୍ଦ୍ଦାର ଥିଲେ । ପ୍ରଥମ ନାଲୁ ମିର୍ଦ୍ଧା, ଦ୍ୱିତୀୟର ନାମ ବୈଦୀ ଶେଠୀ । ନାଲୁ ମିର୍ଦ୍ଧା ଦୀର୍ଘାକାର, ଖୁବ୍ ବଳିଷ୍ଠ । ଚକ୍ଷୁ ଦୁଇଟା କାକଡ଼ିମ୍ୱ ପରି ବୃହତ୍ ଓ ରକ୍ତବର୍ଣ୍ଣ । ରାକ୍ଷସବତ୍ ଆକୃତି, ଭୟଙ୍କର । ଅଦ୍ୟ ନାଲୁ ମିର୍ଦ୍ଧା ଉପସ୍ଥିତ ଥିଲା ।

– ତା’ପରେ –

ଲୋକପ୍ରିୟ ଲେଖା

To Top