ଗଳ୍ପ

ଡାହାଣୀ ବୁଢ଼ୀ

Kalindicharana Panigrahi's odia Story Daahaanibudhi

ବୁଢ଼ୀର ଲମ୍ୱା ଦାନ୍ତ ଓ ବିକୃତ ମୁହଁକୁ ଚାହିଁ ଚାହିଁ ସାଆନ୍ତ କେତେ ପ୍ରଶ୍ନ ପଚାରିଲେ, କିନ୍ତୁ ବୁଢ଼ୀ ମୁହଁରେ ଜବାବ୍ ନାହିଁ, କେବଳ ସେ ଏକ ଦୃଷ୍ଟିରେ ଚାହିଁ ରହିଛି ।

ଡାହାଣୀ ବୁଢ଼ୀ

-: ପୂର୍ବରୁ :-

ବୁଢ଼ୀ ଚାରିଆଡ଼କୁ ଚାହିଁଦେଇ ଥରେ ଦମ୍ଭକରି କବାଟ କିଳିଲା, ହେଁସପାରି କନା ବିଛାଇଲା, ମୁନିଆଁ ବତାଟି ଧରି ଚୁଲୀମୁଣ୍ଡକୁ ଗଲା, ଖୋଜି ଦେଖିଲା ଘଡ଼ି ନାହିଁ, ଆଉ ଖୋଳିଲା, ଘଡ଼ି ନାହିଁ, ବୁଢ଼ୀ ଖୋଳିବାରେ ଲାଗିଲା । ଖୋଳୁ ଖୋଳୁ ଘର ଗୋଟିକ ଖୋଳି ପକାଇଲା । ଯାହା ଯେଉଁଠି ଥିଲା, ସବୁ କାଢ଼ି ଏ ପାଖ ସେପାଖ ଦେଖିଲା, କିନ୍ତୁ ଘଡ଼ି କାହିଁ । ପୁଣି ଯାଇ ଚୁଲୀମୁଣ୍ଡ ଖୋଳିଲା । କେଡ଼େ ଗହୀର ହୋଇଗଲା । କେବଳ ମାଟି, ମାଟି । ସକାଳ ହେଲା, କୁଆ ଡାକିଲା । ବୁଢ଼ୀ ଖୋଳିବାରେ ଲାଗିଛି । ସୂର୍ଯ୍ୟ ଉଠିଲା ମୁଣ୍ଡ ଉପରକୁ । ଲୋକେ କାମରୁ ଫେରିଲେ । ବୁଢ଼ୀର ଖୋଳା ଶେଷ ହୋଇ ନାହିଁ ।

ଖୋଳି ଖୋଳି ବୁଢ଼ୀ ଯେବେ ଥକିଗଲା, ସେତେବେଳେ ଭାବିଲା, ସାଆନ୍ତଙ୍କ ଲୋକେ ଆସି ବୋଧହୁଏ ନେଇ ଯାଇଛନ୍ତି । କବାଟ କିଳି ସେ ସାଆନ୍ତଙ୍କ ଘରକୁ ଧାଇଁଲା । ତାଙ୍କ ଆଗରେ ଠିଆ ହୋଇ ଏକ ନଜରରେ ଚାହିଁଲା । ବୁଢ଼ୀର ଲମ୍ୱା ଦାନ୍ତ ଓ ବିକୃତ ମୁହଁକୁ ଚାହିଁ ଚାହିଁ ସାଆନ୍ତ କେତେ ପ୍ରଶ୍ନ ପଚାରିଲେ, କିନ୍ତୁ ବୁଢ଼ୀ ମୁହଁରେ ଜବାବ୍ ନାହିଁ, କେବଳ ସେ ଏକ ଦୃଷ୍ଟିରେ ଚାହିଁ ରହିଛି । ପାଗଳୀ ହୋଇଯାଇଛି ଭାବି ସାଆନ୍ତ ତାହାକୁ ବାହାର କରିଦେଲେ । ସେଠାରୁ ଆସି ବାଟରେ ଯିଏ ତା’ ଆଗରେ ପଡ଼ନ୍ତି, ବୁଢ଼ୀ ତାଙ୍କୁ ଚାହିଁ ଠିଆ ହୋଇଯାଏ । ସ୍ତ୍ରୀ ଲୋକାନେ ଡରି ଯାଆନ୍ତି, ପୁରୁଷ ଲୋକ ଧମକ ଦିଅନ୍ତି, ପିଲାଗୁଡ଼ାକ ଟେକା ଧୂଳି ଫିଙ୍ଗନ୍ତି- କେହି ତା’ ଅନ୍ତରର ମିନତି ଶୁଣିପାରନ୍ତି ନାହିଁ ।

ତା’ ପ୍ରାଣର ସବୁ କୋମଳ ବୃତ୍ତି, କରୁଣ ଝଙ୍କାର ଏକ ବୀଭତ୍ସ ଭଙ୍ଗୀରେ ଯେମିତି ମୁଖରେ ପ୍ରତିଫଳିତ ହୁଏ । ସମସ୍ତେ ସେହି ବାହାରଟାକୁ ଦେଖି ସିନା ଯାହା ବୁଝନ୍ତି, ଭିତର ତାହାର ରହସ୍ୟପୂର୍ଣ୍ଣ । ଗାଁ ପାର ହୋଇ ସେ ଦୁଇ ଚାରିଦିନ ଏଣେ ତେଣେ ବୁଲିଲା । ଦିନେ ମର୍ଦ୍ଦରାଜପୁର ଗାଁ ଜମିଦାରଙ୍କ ଘର ପାଖରେ ଥିବା ଛୋଟ ଆମ୍ୱତୋଟା ଭିତରେ ଗଲାବେଳେ ଗୋଟିଏ କଅଁଳ କାନ୍ଦଣା ସେ ଶୁଣିପାରିଲା । ସେହି ଶବ୍ଦ ଆଡ଼କୁ ଯାଇ ବୁଢ଼ୀ ଦେଖିଲା, ଆମ୍ୱତୋଟା ମୂଳେ ଗୋଟିଏ ମଣିଷ ପିଲା । ମାଆ ତା’ର ଅଳ୍ପ ସମୟ ଆଗରୁ ଜନ୍ମକରି ଏଇଠି ପକାଇ ଯାଇଛି ।

ଶିଶୁଟିର ସୁଢ଼ଳ ସୁଗୋଲ ରୂପ ଦେଖି ବୁଢ଼ୀ ଭାବିଲା, କେଉଁ ସମ୍ଭ୍ରାନ୍ତବଂଶୀୟ ପୁରୁଷର ଔରସରେ ଏହାର ଜନ୍ମ । ପିଲାଟିକୁ କୋଳରେ ଧରି ସେ ଘରକୁ ଫେରିଲା । ଏଣିକି ନିଜର ସବୁ ଯତ୍ନ ଢାଳି ଦେବାକୁ ବୁଢ଼ୀକୁ ଏଇ ପିଲାଟି ମିଳିଲା । ଗାଁର ଲୋକେ ଡାଆଣୀର ପୁଣି ପିଲା ପାଳିବା ଦେଖି କେତେ କଳ୍ପନା କଲେ । ଅତି ସୁନ୍ଦର ହୋଇ ବଢ଼ିଲା ସେ ପିଲାଟି । ବୁଢ଼ୀ ତାହାର ନାମ ଦେଇଥାଏ ବିଧୁଶେଖର, କିନ୍ତୁ ତାକୁ ସବୁବେଲେ ସେ ଡାକେ ମିନି । ଟିକିଏ ତା’ ଦେହ ଅସୁସ୍ଥ ହେଲେ ବୁଢ଼ୀ ନାନା ଉପଚାର କରେ । ତା’ କଷ୍ଟ ଦେଖିଲେ ବୁଢ଼ୀ ଆଖିରୁ ଲୁହ ଝରି ପଡ଼େ । ପିଲାଟି ହସିଲେ ବୁଢ଼ୀର ବିକୃତ ମୁହଁରେ ହସ ଫୁଟି ଉଠେ । ଗାଁ ଲୋକେ କହନ୍ତି, ଆଜି ସୁଦ୍ଧା ତାକୁ କେହି କାନ୍ଦିବାର କି ହସିବାର ଦେଖି ନଥିଲେ, ଏବେ ଦେଖିଲେ ।

କହୁଁ କହୁଁ ପାଞ୍ଚ ଛ’ବର୍ଷ ବିତିଗଲା, ମିନି ଚାଲିବୁଲି ପାରିଲା । ମା’ମାନେ ଡାଆଣୀ ପୁଅ ସାଙ୍ଗରେ ଖେଳିବା ଲାଗି ପିଲାମାନଙ୍କୁ ମନା କରନ୍ତି, କିନ୍ତୁ ମିନିର ପ୍ରଫୁଲ୍ଲ ବଦନ, ସୁନ୍ଦର ପ୍ରକୃତି କ୍ରୀଡ଼ା ସଙ୍ଗୀମାନଙ୍କୁ ଆକର୍ଷଣ କରେ । ମିନି ଖାଇ ନଥିଲେ ବୁଢ଼ୀ ନ ଖାଇ ଚାହିଁ ବସିଥିବ । ମିନିକୁ ଖେଳିବାର ଦେଖିଲେ, ତା’ ପ୍ରାଣ ଉତ୍ଫୁଲ୍ଲ ହୋଇ ନୃତ୍ୟ କରେ । ମିନି ପାଇଁ କେତେ ଓଷାବ୍ରତ ମନାସେ । ମିନିକୁ ପାଇ ତା’ ଜୀବନର ଗତି ସମ୍ପୂର୍ଣ୍ଣ ବଦଳିଗଲା । ଶୁଷ୍କ କାଷ୍ଠବତ୍ ତା’ ହୃଦୟ ସରସ ହୋଇ ଅଙ୍କୁର ଦେଲା । ମିନି ପାଇଁ କେତେ ଯାତ୍ରା ତୀର୍ଥକୁ ଯାଇ ସେ ଖେଳନା କିଣି ଆଣେ । ମିନି ଖେଳିବ ବୋଲି ବୁଢ଼ୀ ତା’ ଦୁଆର ଆଗରେ ଗୋଟିଏ ଛୋଟ ଫୁଲ ବଗିଚା କରିଥାଏ । ସେଥିରେ କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟେ, ମିନି ସେ ସବୁ ନେଇ ଖେଳେ । ବୃଦ୍ଧା ଦୁଆରେ ବସି ହସୁଥାଏ ।

ଏହିପରି ମିନି ତା’ର ସମସ୍ତ ପ୍ରାଣ ଅଧିକାର କରି ବସିଲା । ଅଳଙ୍କାର ଘଡ଼ିଟି କଥା ସମୟ ସମୟରେ ବୃଦ୍ଧାର ମନେ ପଡ଼ିଲେ ସେ କ୍ଷୁର୍ଣ୍ଣ ହୁଏ । କାରଣ ସେ ଭାବେ, ଅଳଙ୍କାରତକ ଥିଲେ ମିନିକୁ ବିଭା କରାଇ ସେ ସମସ୍ତ ତା’ର ସ୍ତ୍ରୀକୁ ଦେଇଥାନ୍ତା । ମିନିକୁ ବିଭା କରାଇବ, ସ୍ତ୍ରୀ ତା’ର ଘରକୁ ଆସିବ, କେତେ ସୁଖ ଶରଧା କେତେ ଉତ୍ସବ, କେତେ ଆନନ୍ଦ ଇତ୍ୟାଦି କଳ୍ପନା କରି ବୃଦ୍ଧା ଅଳଙ୍କାର କଥା ଭୁଲିଯାଏ ।

ମର୍ଦ୍ଦରାଜପୁର ଜମିଦାରଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ଏବଂ ପୋଷ୍ୟପୁତ୍ର ଗ୍ରହଣ କରିବାର କୌଣସି ସୁବିଧା ସୁଯୋଗ ନ ମିଳିବାରୁ ତାଙ୍କ ଅନ୍ତେ ତାଙ୍କର ଉତ୍ତରାଧିକାରୀ କିଏ ହେବ, ଏହି କଥା ନେଇ ଚହଳ ପଡ଼ିଗଲା । ତାଙ୍କ ଘରନିକଟ ବଗିଚାରୁ ସେ ବୁଢ଼ୀ ପୁଅ ନେଇଥିବା କଥା ସେ କୁଆଡୁ କିପରି ଜାଣିଥିଲେ, ତା’ର ରୂପଗୁଣର ମଧ୍ୟ କିପରି କାହାଠାରୁ ପରିଚୟ ପାଇଥିଲେ । ବୃଦ୍ଧାକୁ ଡକାଇ ମିନିକୁ ନେବା ପାଇଁ ସେ ନାନା ପ୍ରଲୋଭନ ଦେଖାଇଲେ । ବୁଢ଼ୀ ମିନିକୁ ବିଭାଦେବ, ବୋହୂ ଆଣିବ, ନାତି ଦେଖିବ, ପ୍ରଲୋଭନରେ ସେ ଭୁଲିବ କାହିଁକି ? ଜମିଦାର କୌଣସିରୂପେ ବୁଢ଼ୀକୁ ପାରିଲେ ନାହିଁ ।

ସନ୍ଧ୍ୟା ହୋଇଆସିଛି, ମିନି ଫୁଲ ବଗିଚାରେ ଖେଳୁଛି, ଅସ୍ତଗାମୀ ରବିର କନକରଶ୍ମି ତା’ ଉପରେ ପଡ଼ିବାରୁ ସ୍ୱର୍ଣ୍ଣାଭ ପବନରେ ସୁବର୍ଣ୍ଣ ପ୍ରତିମାଟିଏ ଖେଳିଲା ପରି ଦିଶୁଛି । ବୁଢ଼ୀ ପିଣ୍ଡାରେ ବସି ମୁଗ୍ଧ ନୟନରେ ମିନିର କ୍ରୀଡ଼ା ଦେଖୁଛି । ଜମିଦାରଙ୍କ ଲୋକେ ଆସି ଜବରଦସ୍ତି ମିନିକୁ ଧରିନେବାକୁ ଉଦ୍ୟତ କଲେ । ବୃଦ୍ଧା ବିଦ୍ୟୁତ୍ ବେଗରେ ସେମାନଙ୍କ ଆଡ଼କୁ ଛୁଟିଗଲା । ଜମିଦାରଙ୍କ ଲୋକେ ଠେଙ୍ଗାବାଡ଼ି ଉଠାଇ ତାକୁ ନିରସ୍ତ୍ର କରାଇଲେ । ବୃଦ୍ଧା ଶୂନ୍ୟ ପ୍ରାଙ୍ଗଣରେ ନିର୍ବାକ୍ ନିସ୍ତବ୍ଦ ହୋଇ ଏକଦୃଷ୍ଟିରେ ମିନି ଆଡ଼କୁ ଚାହିଁରହିଲା, ଜମିଦାର ଘର ଲୋକେ ମିନିକୁ ନେଇ ଅଦୃଶ୍ୟ ହୋଇଗଲେ । ବୃଦ୍ଧା ଚକ୍ଷୁରେ ପିଛଡ଼ା ପଡ଼ିଲା ନାହିଁ । ସେ ସମ୍ମୁଖରେ ମିନିକୁ ଦେଖୁଥିଲା କିମ୍ୱା ଅତୀତ ଜୀବନର ସମସ୍ତ ଛବିର ସ୍ମୃତିପଟ ଖୋଲି ଦେଇ ଚକ୍ଷୁ ପଲକରେ ସେ ସବୁର ପରିବର୍ତ୍ତନ ଦର୍ଶନ କରୁଥିଲା, କହିହେବ ନାହିଁ । ସୂର୍ଯ୍ୟ ଅସ୍ତଗଲା, ଗୋଟି ଗୋଟି ହୋଇ ତାରା ଉଇଁଲେ । ବୃଦ୍ଧାର ଆଖିପତା ପଡ଼ି ନାହିଁ । ଯେଉଁଠାରେ ଠିଆ ହୋଇଥିଲା, ସେଇଠାରେ ଅଗଣା ମଝିରେ ବସିପଡ଼ି ଦାଣ୍ଡକୁ ଏକଦୃଷ୍ଟିରେ ଚାହିଁ ରହିଲା । ଯେଉଁ ଗୃହରେ କଷ୍ଟ ପାଉଥିଲା । ଜମିଦାର ହୋଇ ସୁଖରେ ରହିବ, ବୃଦ୍ଧା ସେ କଥା ବୁଝିଲା ନାହିଁ । ସେ ତ ଏବେ ଆଉ ତା’ର ମିନି ନୁହେଁ, ସେ ଯେ ଜମିଦାର ଘର ମିନି ।

ସବୁ ଘରୁ ଗୋଟି ଗୋଟି ହୋଇ ଦୀପ ନିଭିଗଲା । ଗ୍ରାମଟି ନିସ୍ତବ୍ଦ ହୋଇ ଆସିଲା । ବୃଦ୍ଧା ସେହି ଏକା ସ୍ଥାନରେ ବସି କାକରରେ ଭିଜି ମିନି ଯିବା ରାସ୍ତାକୁ ଏକ ଦୃଷ୍ଟିରେ ଚାହିଁ ରହିଲା । କିଛି ସମୟ ପରେ ସମ୍ମୁଖରେ ଦେଖିଲା, ଜଣେ ଲୋକ ତା’ ଆଡ଼କୁ ଅଗ୍ରସର ହେଉଛି । ଲୋକଟି ଯେତେବେଳେ ଅତି ନିକଟକୁ ଆସିଲା, ବୁଢ଼ୀ ପଚାରିଲା, “କିଏ ?” ମୁଁ “ଭାନୁ ମଳିକ” କହି ଲୋକଟି କ’ଣ ଗୋଟାଏ ବୁଢ଼ୀ ଆଗରେ ଥୋଇ ଲମ୍ୱ ହୋଇ ଗୋଡ଼ ତଳେ ପଡ଼ିଗଲା । ବୁଢ଼ୀ ତା’ର ସେହି ବହୁଦିନର ସାଇତା ଅଳଙ୍କାର ଘଡ଼ିଟି ଅବିକଳ ସେହିପରି କନାବନ୍ଧା ହୋଇ ସମ୍ମୁଖରେ ପଡ଼ିଥିବାର ଦେଖି ଚମକି ପଡ଼ିଲା । ଭାନୁ ମଳିକକୁ ଉଠାଇ, କଥା କ’ଣ ପଚାରିଲା । ଭାନୁ ଯେପରି ଭାବରେ ଅଳଙ୍କାର ଘଡ଼ିଟି ଚୋରି କରି ନେଇଥିଲା ଏବଂ ଯେପରି ଭାବରେ ରଖିଥିଲା, ସମସ୍ତ ବୃତ୍ତାନ୍ତ ବୁଢ଼ୀକୁ ବୁଝାଇ କହିଲା । ଘଡ଼ିଟି ଚୋରିକରି ନେବା ଦିନୁଁ ତା’ ମନ ହନ୍ତସନ୍ତ ହେଉଛି ଏବଂ ସେହି ଅପରାଧରେ କିଛିଦିନ ହେଲା ତାକୁ ଅର୍ଶ ବେମାର ଧରିଛି । ପଣ୍ଡିତମାନଙ୍କୁ ପଚାରି ବୁଝିଲା ଯେ, କୌଣସି ଗୁରୁତର ପାପରୁ ତା’ର ଏଭଳି ମାରାତ୍ମକ ବେମାର ହୋଇଅଛି । ସେ ପାପର ପ୍ରାୟଶ୍ଚିତ୍ତ କଲେ ଏହା ଖଣ୍ଡନ ହୋଇଯିବ । କିନ୍ତୁ ସେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ଭୋଜନ ନ ଦେଇ ଅସଲ ପାପଟାକୁ ଦୂର କରିବା ଲାଗି ଏହା ଫେରାଇ ଦେବାକୁ ଆସିଛି ଏବଂ ବୁଢ଼ୀ ପାଖରେ କ୍ଷମା ପ୍ରାର୍ଥନା କରୁଛି ।

ବୁଢ଼ୀ ଅବାକ୍ ହୋଇ ଏକଧ୍ୟାନରେ କିଛିକ୍ଷଣ ବସି ରହିଲା । ସେହି ଅସ୍ପଷ୍ଟ ତାରାଲୋକରେ ଖୁବ୍ ନିର୍ମଳ ଦେଖିପାରିଲା, ବୃଦ୍ଧାର ବଦନ ଯେପରି କି ଏକ ଜ୍ୟୋତିରେ ଉଜ୍ଜ୍ୱଳ ହୋଇ ଉଠୁଛି ।

ଭାନୁ ମଳିକର ରୋଗ ଉପଶମ ଲାଗି ଚେରମୂଳି ଦି’ଖଣ୍ଡ ଦେଇ ତା’ର ସେହି ସ୍ନେହର ଘଡ଼ିଟିକୁ ଧରି ବୃଦ୍ଧା ଧୀରେ ଧୀରେ ଗୃହ ମଧ୍ୟରେ ପ୍ରବେଶ କଲା । ଭାନୁ ମଳିକ ଚାଲିଗଲା ପରେ ବୁଢ଼ୀ ବାହାରକୁ ଥରେ ପ୍ରଦକ୍ଷିଣ କଲା । ଗୃହମଧ୍ୟରେ ପ୍ରବେଶ କରି ସଦମ୍ଭରେ କବାଟ କିଳିଦେଲା । ହେଁସଟି ତଳେ ପାରିଦେଲା । ଧୋବ କନାଖଣ୍ଡେ ତା’ ଉପରେ ବିଛାଇ ଦେଲା, ଘଡ଼ି ଉପରୁ ଅତି ଯତ୍ନରେ ଧୀରେ କନା ଖଣ୍ଡି ଖୋଲିଦେଲା, ଅଳଙ୍କାରଗୁଡ଼ିକ କାଢ଼ି ଶୀର୍ଣ୍ଣ ଅଙ୍ଗୁଳିରେ ଆଲୋଡ଼ିତ କଲା । କେତେଥର ଶୁଷ୍କ ଓଷ୍ଠରେ ଚୁମ୍ୱନ କଲା, କୋଟରଗତ ଚକ୍ଷୁରେ ବାରମ୍ୱାର ସ୍ପର୍ଶ କଲା, ବକ୍ଷରେ ଚାପି ଧରିଲା । ଖଡୁ ଦି’ପଟ ହାତରେ ପିନ୍ଧିଲା, ସୁନା ମୁଦିଟି ଆଙ୍ଗୁଳିରେ ଧାରଣା କଲା, ପରେ ଏପାଖ ସେପାଖ କରି ଚାହିଁଲା । ପୁଣି ଶୁଷ୍କ ଓଷ୍ଠରେ ଚୁମ୍ୱନ କଲା, କୋଟରଗତ ଚକ୍ଷୁରେ ସ୍ପର୍ଶ କଲା, ବକ୍ଷରେ ଚାପି ଧରିଲା ।

ଯେତେବେଳେ ଗ୍ରାମଟି ନିସ୍ତବ୍ଦ, ଦୀପ ସବୁ ନିଭି ଯାଇଛି, ଭାନୁ ମଳିକ ପ୍ରତିଦିନ ପହଞ୍ଚି ପହରା ଦେବାବେଳେ ଦେଖେ, ବୁଢ଼ୀର କବାଟ ଜଳାରୁ ସେହି ସୂକ୍ଷ୍ମ ଆଲୋକ ରଶ୍ମିଟି ଆସୁଛି ।

ଲୋକପ୍ରିୟ ଲେଖା

To Top