ଗଳ୍ପ

ଲେହୁ ମିତ

Dr Achyut Kumar Rath's odia story lehu mita

ଭଲ କରି ନିରୀକ୍ଷଣ କଲି, ବାମ ଆଖି ଫୁଲି ନାଲି ପଡ଼ିଯାଇଥାଏ, ଓଠ ଫାଟି ରକ୍ତ ଶୁଖି ଯାଇଥାଏ, ବାହୁ, ଜଙ୍ଘରେ ନୋଳା କଳା ଚମଡ଼ା ଉପରେ ଆହୁରି କଳା ପଡ଼ି ବାରି ହେଉଥାଏ ।

ଲେହୁ ମିତ

“ଲେହୁ ମିତ. . . ଲେହୁ ମିତ. . . ଲେହୁ ମିତ. . . !”

ଅଜଣା ବୁଲାବିକାଳିର ସ୍ୱର ଶୁଣିଲା ପରେ ସ୍ୱତଃ ମନଟା ଆକର୍ଷିତ ହେଲା ଧ୍ୟାନ ଦେବାକୁ କି କ’ଣ ସେ ବିକିବକୁ ଆଣିଛି । ହେଲେ ସଠିକ୍ ବୁଝି ହେଉ ନ ଥାଏ କ’ଣ ସେ ବିକୁଛି । କୌତୂହଳ ଓ ଉତ୍କଣ୍ଠା ସହ ବାହାରକୁ ଆସି ଯାହା ଦେଖିଲି ମନଟା ପାଣିଚିଆ ହେଇଗଲା । ଫୁଙ୍ଗୁଳା ଶରୀର, ନୁଖୁରା ମୁଣ୍ଡ… ଆଦିବାସୀ ଲୋକଟା କାନ୍ଧରେ ଭାରଟେ । ଭାବିଲି ଜଙ୍ଗଲୀ ଜିନିଷ କିଛି ଆଣିଥିବ । ଦେଖିଲା ବେଳକୁ ଭାର ଆଗପଟେ କଳା ମାଠିଆଟିଏ, ଯା’ର ମୁହଁରେ ଗୋଟେ ଆଲୁମିନିୟମ୍ ବେଲା, ଭାର ପଛପଟେ ଗୋଟେ ଡାଲାରେ କ’ଣ ଗୋଟାଏ ମାଛି ଭଣଭଣ ହେଉଥିବା ଜିନିଷ ।

ମୋତେ ଦେଖିଲା ମାତ୍ରେ ସରଳ, ନିରୀହ, ଅମାୟିକ ହସଟେ ହସିଦେଲା, ଯେମିତି ଅନେକ ଦିନର ଜଣାଶୁଣା ।

ପଚାରିଲି କ’ଣ ବିକୁଛୁ ?

କହିଲା, “ଲେହୁ ମିତ. . .”ଲେହୁ. . . ?

ମୁଁ ବୁଝି ନ ପାରି ପାଖକୁ ଯାଇ ଦେଖେ ତ. . . ଆରେ, ୟେ ତ ମହୁ. . . ଗୁଡ଼ ମାଠିଆରେ ଭର୍ତ୍ତି ଗୁଡ଼ ଭଳି ନିଦା ମହୁ । ଭାର ପଛପଟ ଡାଲାରେ ମହୁମାଛି ଭଣଭଣ ମହୁଫେଣା । ଚମତ୍କାର ଦୃଶ୍ୟ ।

ଏତେ ବେଳକୁ ସାଇ ପଡ଼ିଶା କିଛି ଲୋକ ଜୁଟି ଯାଇଥାନ୍ତି ଚାରିପଟେ । ମୁଁ ପୁଣି ପଚାରିଲି, “କେତେ ପଇସା ?”

କହିଲା, “ଖକନ୍ ମିତ. . . ଖକନ୍ ମିତ. . . ।”

ଏତିକି ବେଳକୁ କିଛିଲୋକ ହାତ ପ୍ରସାରୀ ପାପୁଲି ଭର୍ତ୍ତି ମହୁ ନେଇ ଚାଖୁଥାଆନ୍ତି, ଲୋକଟି ଖୁସିରେ ସଭିଁଙ୍କୁ ହାତଖୋଲି ବାଣ୍ଟି ଚାଲିଥାଏ, ଲାଗୁଥାଏ ସେ ବିକିବାକୁ ନୁହେଁ, ବାଣ୍ଟିବାକୁ ଆସିଛି । ତା’ ପାଟିରୁ କେବଳ ସେଇ ଦୁଇଧାଡ଼ି, ଲେହୁ ମିତ. . . ଖକନ୍ ମିତ. . . ।

କାହାରି ମୁଣ୍ଡରେ ପଶୁ ନ ଥାଏ, ସେ କ’ଣ କହୁଛି ବା କହିବାକୁ ଚାହୁଁଛି । ଲୋକେ ତାକୁ ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ ନୋଟ୍ ଦେଖାଉଥାନ୍ତି, ଯାହାଦେଲେ ବି ସେ ତାକୁ ନେଇ ଅଣ୍ଟାରେ ଖୋସି ଦେଉଥାଏ ଖୁସିରେ, ଲାଗୁଥାଏ, ପାଞ୍ଚ ଟଙ୍କିଆ, ଦଶ ଟଙ୍କିଆ ନୋଟ୍ ସବୁ ତା’ ପାଇଁ ସମାନ । ତା’ ମାପରେ ଆଲୁମିନିୟମ୍ ବେଲାରେ ଥରେ ପାଞ୍ଚ ଟଙ୍କାରେ ବି, ଦଶ ଟଙ୍କାରେ ବି ।

ମୁଁ ଚିନ୍ତା କରୁଥିଲି, ଯଦି ଡାବର ଭଳିଆ କୌଣସି କମ୍ପାନି ଡବା କିମ୍ୱା କାଚ ବୋତଲରେ ଭର୍ତ୍ତିକରି ୟା’କୁ ବିକନ୍ତା, ତେବେ ନିଶ୍ଚୟ ୟା’ର ଅମୂଲମୂଲ ହୁଅନ୍ତା । ବେଳେବେଳେ ଲାଗୁଥାଏ, ୟେ ପ୍ରକୃତରେ ଆଦିବାସୀ ଆଉ ତା’ ଆଣିଥିବା ମହୁ ଶୁଦ୍ଧ ତ, ନା ମିଛରେ କୌଣସି ଖଳ ଲୋକ ଆଦିବାସୀ ବେଶଭୂଷାରେ ଗୁଡ଼କୁ ମହୁ କହି ମୂର୍ଖ ବନାଉଛି । ହେଲେ, ୟା’ର ତ ପଇସା ଲୋଭ ଆଦୌ ନାହିଁ, ଗୁଡ଼ ବି ଯଦି ବିକନ୍ତା, ବେଶି ପଇସାରେ ବିକନ୍ତା ।

ସନ୍ଧ୍ୟାରେ ପୁଣି ତାକୁ ଦେଖିଲି, ହୋଟେଲ୍ ବାହାରେ କାନ୍ଥକୁ ଆଉଜି ମୋଡ଼ିମାଡ଼ି ହୋଇ ବସି ପତ୍ରଟିଏରେ ଦି’ଟା ଗୁଲ୍‌ଗୁଲା ଧରି ଆକାଶକୁ ଚାହିଁ ରହିଥାଏ । ମୁଁ ଖୋଜୁଥିବା ଭାର, ଡାଲା କିମ୍ୱା ଖାଲି ମାଠିଆ ପାଖରେ କାହିଁ ବି ଦିଶୁ ନ ଥାଏ । ଭଲ କରି ନିରୀକ୍ଷଣ କଲି, ବାମ ଆଖି ଫୁଲି ନାଲି ପଡ଼ିଯାଇଥାଏ, ଓଠ ଫାଟି ରକ୍ତ ଶୁଖି ଯାଇଥାଏ, ବାହୁ, ଜଙ୍ଘରେ ନୋଳା କଳା ଚମଡ଼ା ଉପରେ ଆହୁରି କଳା ପଡ଼ି ବାରି ହେଉଥାଏ । ଆଖି କୋଣେ ଲୁହ ନଥାଏ, ଅବା ଶୁଖି ଯାଇଥାଏ କେତେବେଳୁ । ଅପଲକ ଦେଖୁଥାଏ ଆକାଶେ, କାହାକୁ ଅଭିସମ୍ପାତ ଢାଳୁଥାଏ, କେଜାଣି !

ମୁଁ ହୋଟେଲ୍ ମାଲିକକୁ ଯାଇ ପଚାରିଲି, “କଣ ହେଲା ୟା’ର, ସକାଳେ ତ କେଡ଼େ ଖୁସି ଥିଲା, ଆମ ସାହିରେ ମହୁ ବିକୁଥିଲା. . . ।”

ଥାନା ବାଲେ ମହୁ କିଣିବା ଲାଗି ଡାକି ନେଇଗଲେ, ଆଉ ୟେ ମୂର୍ଖ ବି ତାଙ୍କ ସାଥିରେ ମହୁ ବିକିବ ବୋଲି ଚାଲିଗଲା. . . ଆଉ କ’ଣ ହେବ ?

କିଛିଦିନ ତଳେ ଖବରକାଗଜରେ ବାହାରିଥିଲା ଚିତ୍ର ସହ, ସହର ଭିତରକୁ ଭୁଲ୍‌ରେ ପଶି ଆସିଥିବା ଭାଲୁକୁ ଲୋକେ ମାରିଦେଲେ ।

ମନେ ମନେ ଭଗବାନଙ୍କୁ ଧନ୍ୟବାଦ୍ ଦେଲି, ଯାହା ହେଉ, ବଞ୍ଚିଯାଇଛି ।

ସକାଳ ବୁଲା ବିକାଳୀଙ୍କ ଡାକରେ ଏବେ ବି ତାକୁ ଖୋଜିହୁଏ ମୁଁ, ମନ ନ ଚାହୁଁ ଥିଲେ ବି କାନ ଡେରି ଥାଏ କେବେ କେମିତି, ଶୁଭିଯିବ କି ପୁଣି ଥରେ ସେଇ ସରଳ, ନିଷ୍କପଟ ମୁହଁ ଆଉ ତା’ର ଅବୁଝା ଡାକ ।

“ଲେହୁ ମିତ. . . ଲେହୁ ମିତ. . . ଲେହୁ ମିତ. . . ! !”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top