ଗଳ୍ପ

ପାଷାଣର ପ୍ରତୀକ୍ଷା

Kalindicharana Panigrahi's Odia Story PASHAANARA PRATIKHYA

ସବୁ ସମୟରେ ମା’ ମୋର ଧନ ମୋର ବ୍ୟତୀତ ହେମ ବୋଲି କେବେ ଡାକନ୍ତି ନାହିଁ । ସଂସାର ଅନଭିଜ୍ଞ । ଏହି ନିରୀହ ପିତାଟିର ବେଦନା ଅନୁଭବ କରି ହେମର ଦୁଇ ଚକ୍ଷୁ ଛଳଛଳ ହୋଇଉଠିଲା ।

ପାଷାଣର ପ୍ରତୀକ୍ଷା

-: ପୁର୍ବରୁ :-

କିଛିଦିନ ପରେ ହେମର ପିତା ଦୁଇଖଣ୍ଡି ପତ୍ର ପାଇଲେ । ଖଣ୍ଡିଏ ନିଜ ନିକଟକୁ, ଆଉ ଖଣ୍ଡିଏ ହେମଠାକୁ ଲେଖା । ଦିଓଟି ଚିଠି ଉପରେ ନିରୁପମର ହସ୍ତାକ୍ଷର । ହେମ ଚିଠି ଖଣ୍ଡି ଖୋଲି ଦେଖିଲା, ଦିଓଟି ଧାଡ଼ିରେ ତାହା ଶେଷ ହୋଇଛି, “ହେମ, ସୁଦାମ ନରେନ୍ଦ୍ରଙ୍କ କନ୍ୟା ସହିତ ମୋର ବିବାହ ହୋଇଯାଇଛି । ତୁମ୍ଭମାନଙ୍କ ନିକଟରେ ମୁଁ ଦୟାର ପାତ୍ର ।” ମୁହୂର୍ତ୍ତକ ପାଇଁ ହେମର ମୁଖମଣ୍ଡଳ ବିବର୍ଣ୍ଣ ହୋଇଉଠିଲା, କିନ୍ତୁ ପରକ୍ଷଣରେ ତାହା ଅଧର ପ୍ରାନ୍ତରେ ଟିକିଏ ମୃଦୁହାସ୍ୟ ଦେଖାଦେଲା । ସେ ହାସ୍ୟରେ କୁଟିଳତା ନାହିଁ, କେବଳ ଗୋଟାଏ ମହନୀୟ କ୍ଷମାର ନିଷ୍କରୁଣ ଜ୍ୟୋତି । ନିରୁପମର ପତ୍ର ପାଠ କରି ପିତା ଆସି ଦେଖିଲେ, ହେମ ସେତେବେଳେ ଯାଏ ଗାଧୋଇ ନାହିଁ । କନ୍ୟା ମୁଖରେ ବିଷାଦର ଜଡ଼ିମା ଦର୍ଶନ କରି ପିତୃପ୍ରାଣ ଆକୁଳ ହୋଇଉଠିଲା । ତାଙ୍କର ଚକ୍ଷୁ ସମ୍ମୁଖରେ ମୃତ ପତ୍ନୀଙ୍କର ଏହି ରୂପଟି କେତେଥର ଭାସିଉଠିଲା । ଆଜି ତାହା ଜୀବନ୍ତ ହୋଇ ଦେଖାଗଲା । ହେମ ଟିକିଏ ଅସୁସ୍ଥ ହେଲେ ସେ ଏହିପରି ରୂପରେ ସ୍ୱାମୀ ନିକଟରେ ଉଭା ହୁଅନ୍ତି । ପରିବାରର ଚିନ୍ତାରେ ସବୁବେଳେ ସେ ଉଦ୍ବିଗ୍ନ ହୋଇ ଜୀବନ ତ୍ୟାଗ କରିଛନ୍ତି, କିନ୍ତୁ ପିତା ହୋଇ ତ କୌଣସି ଦିନ ସନ୍ତାନ ଦି’ଓଟିଙ୍କର ସମ୍ୱାଦ ନେଇ ନାହାନ୍ତି । ଆବାଲ୍ୟ ସୁକୁମାରୀ ହେମମାଳୀ ସମସ୍ତ ଦିବସ ଗୃହକର୍ମରେ ଲିପ୍ତ ରହି ଆଜି ଶୀର୍ଣ୍ଣ କ୍ଷୀଣ ହୋଇପଡ଼ିଛି । ଦିନେ ହେଲେ ତ ସେ କନ୍ୟାର ଆହାର ଶୟନ କଥା ବୋଲି ବୁଝି ନାହାନ୍ତି ।

ତାଙ୍କର କଣ୍ଠ ଆଦ୍ର୍ ହୋଇପଡ଼ିଲା । କୋମଳ ସ୍ୱରରେ କହିଲେ, “ମା’ ମୋର ଏତେବେଳେ ଯାଏ ଗାଧୋଇ ନାହୁଁ । ଯା’, ଯା’, ଏମିତିକିବେଳଯାଏ ବସି ରହନି ।” ପିତାଙ୍କର ଅକସ୍ମାତ୍ ଆଜି ଏହି ଦୀନଭାବ ଦେଖି ହେମ ବୁଝିପାରିଲା, ସମସ୍ତ ସଂସାରଟାରେ ଏହି ବୃଦ୍ଧ ହିଁ ତାହାର ସମଦୁଃଖୀ । ସେ କୌଣସି ଦିନ ତାକୁ ନାମ ଧରି ଡାକି ନାହାନ୍ତି । ସବୁ ସମୟରେ ମା’ ମୋର ଧନ ମୋର ବ୍ୟତୀତ ହେମ ବୋଲି କେବେ ଡାକନ୍ତି ନାହିଁ । ସଂସାର ଅନଭିଜ୍ଞ । ଏହି ନିରୀହ ପିତାଟିର ବେଦନା ଅନୁଭବ କରି ହେମର ଦୁଇ ଚକ୍ଷୁ ଛଳଛଳ ହୋଇଉଠିଲା । ସେ ତାହା ସମ୍ୱରଣ କରି ପିତାଙ୍କ ପ୍ରତି ମୃଦୁ ହାସ୍ୟ କରି, ନାହିଁ, ଏହିକ୍ଷଣି ଯାଉଛି କହି ଉଠିଗଲା । ବୃଦ୍ଧ ଦେଖିଲେ, ତାଙ୍କର ମୃତପତ୍ନୀ ଯେପରି ଆଙ୍ଗୁଳି ନିର୍ଦ୍ଦେଶ କରି ହେମର ଏହି ପ୍ରସାଧନହୀନ କେଶ, ଏହି କ୍ଷୀଣ ସୁକୁମାର ଅଙ୍ଗଯଷ୍ଟି ଓ ଏହି ଅଚପଳ ନମ୍ର ଗତି ଦେଖାଇ ଦେଇ କହୁଛନ୍ତି, “ଏ କ’ଣ, ଝିଅ ମୋର ଏପରି କାହିଁକି ହେଉଛି ? ସେ ହଠାତ୍ ଉଠି ଯାଇ ବିଛଣାରେ ଲୋଟି ପଡ଼ିଲେ ଓ ଉତ୍ତରୀୟଟା ମୁଖରେ ଦେଇ ବାଳକ ପରି କ୍ରନ୍ଦନ କରି ଉଠିଲେ ।

ଚମ୍ପା ଦାସୀ ଆସି ହେମ ନିକଟରେ କହି ବସିଲା, “ଛି, ଛି, ସାନ୍ତାଣୀ, ନିରୁବାବୁ ଫେର୍ ଏମିତି ଲୋକ- ଖାଲି ଧନଲୋଭରେ”- ହେମର ତୀକ୍ଷଣ ଦୃଷ୍ଟିରେ ଚମ୍ପା ଭୟ ପାଇ ନିରବ ହେଲା । ହେମ ଧୀରେ ଧୀରେ କହିଲା, “ଦେଖ୍ ଚମ୍ପା, ଯେଉଁ କଥାରେ ତୁମମାନଙ୍କର କିଛି ଯାଏ ଆସେ ନାହିଁ, ସେସବୁ କଥା ଏତେ ଘାଣ୍ଟି ଫଳ କ’ଣ ମିଳେ ?” ସେହିଦିନୁ ହେମ ନିକଟରେ ନିରୁପମ କଥା କେହି ଉତ୍ଥାପନ କରନ୍ତି ନାହିଁ ।

ଗିରିଗଡ଼ରେ ନରେନ୍ଦ୍ରଙ୍କ କଚେରୀ ଘର ଆଉ ପୂର୍ବ ପରି ନାହିଁ । ଝିଟିପିଟି ଆସର୍ପା ଅଳନ୍ଧୁ ସବୁ ଦୂର ହୋଇଛି । ଗୃହଟି ସୁପରିପାଟୀରେ ସଜ୍ଜିତ । ତାହାର ଅଭ୍ୟନ୍ତର ଚାମେଲିର ହସ୍ତାଙ୍କିତ ନାନା କାରୁକାର୍ଯ୍ୟରେ ଶୋଭିତ । କେଉଁଠାରେ କାଇଁଞ୍ଚମାଳାରେ ନିରୁପମ ଓ ଚାମେଲୀର ନାମ ଲିଖିତ । କେଉଁଠାରେ ଉଭୟଙ୍କର ବିବାହକାଳୀନ ଫଟୋ, ଆଉ କେଉଁଠାରେ ସୂର୍ଯ୍ୟାସ୍ତକାଳୀନ ଦୟା ନଦୀର ଦୃଶ୍ୟ । ଭିତର ବାରଣ୍ଡାରେ ଚାମେଲୀର ପ୍ରିୟ ପୋଷ୍ୟ ଶୁକଶାବକ ଓ କାକତୁଆ ପିଞ୍ଜରାବଦ୍ଧ । ଗୃହ ସମ୍ମୁଖରେ ନାନା ଜାତି ପୁଷ୍ପଶୋଭିତ ଉଦ୍ୟାନଟି ଗୋଟିଏ ଲୋଭନୀୟ ବସ୍ତୁ । ଶୟନକକ୍ଷର ଗୋଟିଏ ବାତାୟନ ମଧ୍ୟରୁ ଅଦୂରବର୍ତ୍ତୀ ଦୟା ନଦୀର ଶୁଭ୍ର ବାଲୁକାଶଯ୍ୟା ଓ ଅନ୍ୟ ବାତାୟନ ମଧ୍ୟରୁ ସୁଦୂରସ୍ଥିତ ଧଉଳି ଓ ବରୁଣାଇ ପାହାଡ଼ ଉପରେ ମେଘ ଭାସି ଯାଉଥିବାର ଦେଖାଯାଏ ।

ନିରୁପମ ପ୍ରଭାତରେ ଉଦ୍ୟାନର ଖବର, ଇଲାକାର ଖବର ବୁଝେ ଓ ଗ୍ରାମ ମଧ୍ୟରେ ପ୍ରବେଶ କରି କେଉଁଠାରୁ ବିଲାତି ଦଳ କାଢ଼ିବା, କେଉଁଠାରେ ପାନୀୟ ଜଳର ଅଭାବ, କୂପ ଖନନର ବନ୍ଦୋବସ୍ତ କରିବା ଇତ୍ୟାଦି କାର୍ଯ୍ୟରେ ବ୍ୟସ୍ତ ରହେ । ସେ ସମୟତକ ଚାମେଲୀ ଗ୍ରାମର ଯୁବତୀମାନଙ୍କୁ ଏକତ୍ର କରି ଶିଶୁପାଳନ ଓ ପ୍ରସୂତି ଚିକିତ୍ସା ଶିକ୍ଷା ଦିଏ, ବାଳିକାମାନଙ୍କୁ ଲୁଗା ସିଲାଇ ଓ ରନ୍ଧନ ଶିଖାଏ ।

ମଧ୍ୟାହ୍ନରେ ଆହାରାନ୍ତେ ନିରୁପମ ଶୟନକକ୍ଷରେ ଇଜି ଚେୟାରଟି ଉପରେ ବସି ଚାମେଲୀକୁ ଚିତ୍ରାଙ୍କନ ଶିଖାଏ ଓ ମଧ୍ୟେ ମଧ୍ୟେ ଧଉଳିପାହାଡ଼ ଉପରେ ଭାସମାନ ଧଳା ବଉଦ ପ୍ରତି ଦୃଷ୍ଟି ନିକ୍ଷେପ କରେ । ଚାମେଲୀର ମସ୍ତକରୁ ଅବଗୁଣ୍ଠନ ଖସିପଡ଼େ । ସେ କହେ, “ତୁମେ ନିଶ୍ଚେ ହେମଅପାଙ୍କୁ ଭାବୁଛ ।” ନିରୁପମ ତା’ର ଅଯତ୍ନ ବିନ୍ୟାସ କେଶଗୁଚ୍ଛରେ ଅଙ୍ଗୁଳି ସଞ୍ଚାଳନ କରେ, ଚାମେଲୀ ଧୀରେ ଧୀରେ ତାହାର ଆରକ୍ତ ଗଣ୍ଡଦେଶକୁ ନିରୁପମର ଅଧର ପର୍ଯ୍ୟନ୍ତ ବଢ଼ାଇ ଦିଏ ।

ଅପରାହଣ୍‌ରେ ନିରୁପମ ତାହାର ନବରୋପିତ ଆମ୍ର-ପୁନ୍ନାଗ-ନାରିକେଳ ଆଦି ବଗିଚା ପର୍ଯ୍ୟବେକ୍ଷଣ କରେ । ତାହାର ନବ-ପ୍ରତିଷ୍ଠିତ କଳ ସାହାଯ୍ୟରେ ଜଳ ସେଚନର ବ୍ୟବସ୍ଥା କରେ । ଚାମେଲୀ ଚିତ୍ରବିଦ୍ୟା ଅଭ୍ୟାସ କରେ, ଗ୍ରାମର ରୋଗୀମାନଙ୍କୁ ହୋମିଓପ୍ୟାଥି ଔଷଧ ବଣ୍ଟନ କରେ ।

ସନ୍ଧ୍ୟା ହେଲେ ଖବରକାଗଜ ପଢ଼ି ନିରୁପମ ଗ୍ରାମର ପ୍ରୌଢ଼, ତରୁଣମାନଙ୍କୁ ଘେନି କୃଷି, ଶିଳ୍ପ, ବାଣିଜ୍ୟ ବିଷୟରେ ବିଭିନ୍ନ ଦେଶର କଥା କହେ, ଚାମେଲୀକୁ ସଙ୍ଗୀତ ଶିଖାଏ । ପଦେ ପଦେ ଚାମେଲୀ ଭୁଲ କରି ବସେ- ନିରୁପମକୁ କେବଳ ବିରକ୍ତ କରିବାକୁ ତା’ଠାରୁ ଗାଳି ଶୁଣିବାକୁ । ବେଶି ବିରକ୍ତ ହେଲେ, ନିରୁପମ ଏକ ହସ୍ତରେ ଚାମେଲୀର କଟିଦେଶ ବେଷ୍ଟନ କରି ବକ୍ଷକୁ ଟାଣି ନିଏ, ଅପର ହସ୍ତରରେ ତା’ଠାରୁ ଏସ୍‌ରାଜ ଛଡ଼ାଏ । ଅଭିମାନରେ ଚାମେଲୀ କହି ବସେ, “ହେମଅପା କ’ଣ ଏମିତି ଭୁଲ୍ କରନ୍ତି ନାହିଁ ?” ନିରୁପମ ତାହାର ଅଧର ଦଂଶନ କରି କହେ, “ନାହିଁରେ ପାଗଳୀ, ଘରକାମ ଛାଡ଼ି ଏସବୁ ପାଇଁ ତାକୁ କ’ଣ ଆଉ ଫୁରସତ୍ ଥାଏ ।”

ସେଦିନ ପ୍ରଭାତରେ ଜଣେ ଗ୍ରାମବାସୀ ଗୃହଦାହ ସମ୍ୱାଦ ଶୁଣି ନିରୁପମ ତରତର ହୋଇ ବାହାରୁଛି, ଦ୍ୱାରଦେଶରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖି ପଚାରିଲା, “କିଲୋ ଚମ୍ପା, ତୁ କୁଆଡ଼େ !” ଚମ୍ପା ତା’ ହାତକୁ କ’ଣ କାଗଜ ଖଣ୍ଡେ ବଢ଼ାଇ ଦେଇ ଲଥ୍ କରି ବସିପଡ଼ିଲା, କାନ୍ଦି ଉଠିଲା, ସବୁ ସରିଗଲା ବାବୁ ସାନ୍ତେ । ନିରୁପମ ଆଖି ପୋଛି ଚମ୍ପାକୁ ଗୃହ ମଧ୍ୟକୁ ଡାକି ନେଲା ଓ ଚାମେଲୀ ସହିତ ପରିଚିତ କରାଇ ଦେଇ ଅଳ୍ପ ସମୟ ପରେ ଫେରି ପଡ଼ିବ ବୋଲି ବାହାରି ଗଲା ।

ଚାମେଲୀ ପଚାରିଲା, “ଆଚ୍ଛା, ଏତେ ଦିନଯାଏ ହେମଅପା ବାହା ହେଇ ନାହାନ୍ତି । ତାଙ୍କ ବାପା କ’ଣ ବର ଯୋଗାଡ଼ କଲେ ନାହିଁ ?” ଚମ୍ପା ଆଖି ପୋଛି କହିଲା, “ହଁ ସାନ୍ତାଣୀ, ତିନି ତିନିଟା ପାଠ ପଢୁଆ ବଡ଼ଲୋକଙ୍କ ଘରେ ଲାଗିଥିଲା । ସବୁଥିରେ ପରା ଜେମାମଣିଙ୍କର ଏକ ଜିଦ୍- ନାହିଁ, ଆଉ କିଛି ଦିନ ଯାଉ । ସେ ଗଲେ ଭାରି ସାନଭାଇଟିକୁ କିଏ ଦେଖିବ । ଏଇକ୍ଷଣି ପିଲା ଦୋ’ଟି ଅନାଥ ହେବେ ସିନା- କିଏ ତାଙ୍କ କଥା ବୁଝିବ, କିଏ ଆଉ ବାହା ହେବ ?” ଚମ୍ପା ପୁନର୍ବାର ଆଖି ପୋଛିଲା ।

ନିରୁପମ ଫେରିଲା, ଚାମେଲୀ କହିଲା, “ମୁଁ ଯିବି, ହେମ ଅପାଙ୍କୁ ଦେଖି ଆସିବି ।” ତା’ର ଏପରି ହଠାତ୍ ଖିଆଲ ଦେଖି ନିରୁପମ ମୃଦୁ ହସି କହିଲା, “ସେଠି ପରା ହଇଜା ଲାଗିଛି, ତୁମେ କିପରି ଯିବ ?”

ସେ କିନ୍ତୁ ଜିଗର କଲା, “ଲାଗୁ ହଇଜା, ମୁଁ ଯିବି । ହଇଜା ଲାଗିଲେ କ’ଣ ହେଲା, ଏତେ ଲୋକ ତ ପୁଣି ଅଛନ୍ତି, ନିଜେ ତ ହେମଅପା ଅଛନ୍ତି ।” ନିରୁପମ ଆଉ ବାଧା ଦେଇପାରିଲା ନାହିଁ ।

ହେମ ଗୃହରେ ଦିନ ଆଠ ଦଶ ରହି ଚାମେଲୀ ଆଉ ରାଜି ନୁହେଁ ତା’ର ଗିରିଗଡ଼ର ଗୃହକୁ ଫେରିବାକୁ । ନିରୁପମ ଯେତେବେଳେ ଫେରିବାର ଆୟୋଜନ କଲା, ଚାମେଲୀ ଯାଇ ହେମର ହାତ ଧରି ପକାଇ କାକୁତି କରି କହିଲା, “ତୁମେ ଯାଇ କହିବଟି ଅପା, ମୁଁ ଦୁଇଟା ଦିନ- ଦୁଇଟା ଦିନରୁ କେଭେ ବେଶି ରହିବି ନାହିଁ ।” ହେମ ସ୍ନେହ ପ୍ରବଣା ବାଳିକାଟିକୁ ଗତ ଦଶ ଦିନ ମଧ୍ୟରେ ଯାହା ବୁଝିଛି, ସେଥିରୁ ଦେଖିଛି, ତାହାର ହୃଦୟ କେଡ଼େ ମହତ୍, ହେମଠାରୁ ସେ ଯେ କେତେ ଉଚ୍ଚରେ, ଆଜିଯାଏ ହେମ ତାହା ବୁଝିପାରି ନଥିଲା । ଏହି ଦଶଦିନ ମଧ୍ୟରେ ଚାମେଲୀ ହେମର ଦୃଷ୍ଟିକୁ ଗଭୀରତର, ତାହାର ହୃଦୟକୁ ପ୍ରଶସ୍ତତର କରି ଦେଇଛି ।

ଛୋଟ ଶିଶୁଟି ପରି ଚାମେଲୀ ପୁନର୍ବାର ଗୋଳ କରି କହିଲା, “ତୁମକୁ ମୋ ରାଣଟି ଅପା, କହ ଆଉ ଦୁଇଟା ଦିନ”- ପୁରବୀର କରୁଣ ରାଗରେ ଚାମେଲୀର ଦୃଷ୍ଟି ଛଳ ଛଳ । ହେମ ଏହି ସ୍ନେହର ପ୍ରତିମାଟିକୁ ଏକାବେଳକେ କୋଳରେ ଜାକି ଧରିଲା ଏବଂ ତାହାର ଗଣ୍ଡ ଦେଇ ଦରଦର ଧାରରେ ଅଶ୍ରୁ ଗଡ଼ିପଡ଼ିଲା । ଆସିବା ଦିନୁ ଏହିପରି ଦୁଇ ଦୁଇ ଦିନ ମହଲତ ନେଇ ସେ ଦଶଦିନ ରହିଲାଣି । ଆଣି ପୁଣି ସେହି ମହଲତ ମିଳିଲା ।

ବିଦାୟୀ ଦିନ ଚାମେଲୀ ହେମର କାନିକୁ ଦୃଢ଼ କରି ଧରିଲା, ଜିଦ୍ ଧରି କହିଲା, “ଅପା, ତୁମେ ଆମ ସାଥୀରେ ଚାଲ ।” ହେମ ଆଉ ସମ୍ଭାଳି ପାରିଲା ନାହିଁ । ଏକାବେଳକେ ଚିତ୍କାର କରି ଭୋ’ ଭୋ’ କାନ୍ଦି ଉଠିଲା । ସେଥି ସଙ୍ଗେ ସଙ୍ଗେ ତା’ର ଛୋଟ ଭାଇଟି, ନିରୁପମ ଓ ଚମ୍ପା, କେହି ନ କାନ୍ଦି ରହିପାରିଲେ ନାହିଁ । ଲୋକେ କହିଲେ, “ଝିଅ ଶାଶୁଘରକୁ ଗଲେ ମା’ ପାଖରେ ଏପରି ହେବ ନାହିଁ ।” ଅବଶେଷରେ ହେମ ତାହାର ମସ୍ତକକୁ ବକ୍ଷରେ ଜାକି, ତା’ର ଚିବୁକ ଓଟାରି ଛୋଟ ଶିଶୁଟିକୁ ଯେପରି ବୁଝିବାକୁ ହୁଏ, ସେହିପରି ବୁଝାଇ କହିଲା, ସେ ନିଶ୍ଚୟ ତା’ ପାଖକୁ ଯିବ, ଯେତେବେଳେ ନୂଆ ପୁଅ ହେବ । କାରଣ ଚାମେଲୀ ଯେ ବର୍ତ୍ତମାନ ଗର୍ଭବତୀ, ତାହା ଜଣା ପଡ଼ିଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top