ଗଳ୍ପ

ରାକ୍ଷୀ

Rajiba Lochana Panda's odia story Raakshi

ତାକୁ ଏମିତି କାନ୍ଦୁଥିବା ଦେଖି ତାକୁ କୁଣ୍ଢେଇ ଧରି ପକେଇଲି କିଛି ସମୟ ପାଇଁ । ଏ ଭିତରେ ଘର ଭଙ୍ଗା ମେସିନଟା ସରକାରୀ ବାବୁ ମାନଙ୍କ ସହିତ ଆସି ଆମ ଘର ପାଖରେ ଛିଡା ହୋଇ ଯାଇଥିଲା ।

ରାକ୍ଷୀ

ତୁ ଜମାରୁ ବ୍ୟସ୍ତ ହୁଅନି, କଥା କଣକି ମୋର ଚାରି ମାସର ଦରମା ଡ୍ର ହୋଇନି ଆଉ ମାତ୍ର ଚାରିପାଞ୍ଚ ଦିନର କଥା, ଦରମା ମିଳିଲେ ତୋତେ ନିଶ୍ଚୟ ଚାରି ଶହରୁ ପାଞ୍ଚ ଶହ ଟଙ୍କା ସାହାଯ୍ୟ କରିବି । ଏମିତି ଆଶ୍ୱାସନା ଦଉଥିଲେ ମୋ ବାପା ଆମ ଦାଣ୍ଡପିଣ୍ଡାରେ ବସି ସନିଆ କକାଙ୍କୁ । ମୁଁ ମୋ ପଢା ରୁମ୍‌ର ଝରକା ପାଖରେ ବସି ଶୁଣୁଥିଲି ସବୁକିଛି । ଆଗରୁ କେବେ ସନିଆ କକାଙ୍କୁ ଏମିତି ନେହୁରା ହବାର ଦେଖି ନ ଥିଲି । ଆଗରୁ ଅବଶ୍ୟ ମୋ ବାପା ପାଖାପାଖି ଚାରିପାଞ୍ଚ ଥର ସନିଆ କକାଙ୍କୁ ଅସମୟରେ ସାହାଯ୍ୟ କରିଛନ୍ତି ହେଲେ ଦରମା ପାଇ ବି ନ ପାଇବାର ବାହାନା କରି ସନିଆ କକାଙ୍କୁ ଏମିତି ମିଛ ଆଶ୍ୱାସନା ଦେଉଥିଲେ ।

ସନିଆ କକା ମୋ ବାପାଙ୍କର ମା ପେଟର ଭାଇ ନୁହନ୍ତି ତଥାପି ଘରକୁ ଘର ଲାଗିଛି ଯେତେବେଳେ ଦୂର ସମ୍ପର୍କିୟ ଭାଇ ହିସାବରେ ସୁବିଧା ଅସୁବିଧାରେ ଦୂହେଁ ଦୂହିଁଙ୍କ ପାଖରେ ଛିଡା ହେବା ସ୍ୱାଭାବିକ କଥା । ଗାଁ ଲୋକଙ୍କ କହିବା ଅନୁଯାଇ ମୋ ସନିଆ କକାଙ୍କ ଦେହରେ କୁଆଡେ ଗୋଟେ ହାତୀର ବଳ, ପାଞ୍ଚ ପାଞ୍ଚଟା ଲୋକଙ୍କୁ ଏକା ଯେମିତି ଆୟତ୍ତ କରିଦେବେ ସେ । ହେଇଟି ଭଳିଆ ଲାଗୁଛି ମୋ ଜେଜେ ବାପା ଆଖି ବୁଜିବା ଦିନ ମୋ ବାପାଙ୍କ ଦେହ ଅସୁସ୍ଥ, ହେଲେ ସନିଆ କକା ସତେ ଯେମିତି ଏକାଏକା ବୋହି ନେଇଯାଇଥିଲେ ମୋ ଜେଜେ ବାପାଙ୍କର ଶବକୁ ମଶାଣି ଭୁଇଁକୁ । ଦେହରେ ସିନା ଏତେ ବଳ ହେଲେ ପଇସା ପତ୍ର ମାମଲାରେ କିନ୍ତୁ ସନିଆ କକା ବହୁତ ଦୁର୍ବଳ । ପାଖାପାଖି ପାଞ୍ଚ ଖଣ୍ଡ ଗାଁର ଲୋକ ଡାକନ୍ତି ମୋ ସନିଆ କକାଙ୍କୁ ଭୋଜିଭାତ ରାନ୍ଧିବାକୁ ହେଲେ ସେତିକିରେ କଣ ଆଜିକାଲିକା ମହଙ୍ଗା ଯୁଗରେ ଚଳିହବ ,ସେଇଥି ପାଇଁ ମୋ ବାପା ଦୟା ଦେଖେଇ ଆମର ସବୁ ଜଜମାନ କାମ ସନିଆ କକାଙ୍କୁ ହସ୍ତାନ୍ତର କରି ଦେଇଛନ୍ତି । ମୋ ବାପାଙ୍କର ତ ଚାକିରୀ ଅଛି ପୁଣି ଆମ ଗାଁ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ତା ସାଙ୍ଗକୁ ଜମିବାଡି ହିସାବରେ ପାଞ୍ଚ ଏକର ଏତକ ବୁଝୁବୁଝୁ ସମୟ ହୁଏନି ମୋ ବାପାଙ୍କୁ ଆଉ ଜଜମାନ ପୂଜାପୂଜି କାମକୁ ପଚାରେ କିଏ ।

ସନିଆ କକା ଭାବିଥିଲେ ମୋ ବାପାଙ୍କଠୁ ପଇସାଟା ଉଧାର ମିଳିଥିଲେ ଖୁଡିଙ୍କୁ ନେଇଥାନ୍ତେ ଡାକ୍ତରଖାନାକୁ ଦେହ ଦେଖେଇବା ପାଇଁ, ଖୁଡିଙ୍କ ଦେହ ଆଜିକାଲି ସେତେ ଭଲ ରହୁନି , ହେଲେ ବାପାଙ୍କ ଠାରୁ ସାହାଯ୍ୟ ନପାଇ ନିରାଶ ମନରେ ସନିଆ କକା ଘରକୁ ଫେରି ଯାଇଥିଲେ । ଆମର ସିନା ଥିଲାବାଲା ଘର ଯେ ଦି ମହଲିଆ ଘର କରି ଦେଇଛୁ ହେଲେ ସନିଆ କକା ଯେନତେନ ଉପାୟରେ ଚାଳ କୁଡିଆଟେ କରି ରହୁଥିଲେ । ଘର ଭିତରେ ଥାଇ ଖୁଡି ସନିଆ କକାଙ୍କୁ କହୁଥିଲେ କଣ ତମ ଭାଇନା ଉଧାର ଦେଲେନି କି ? ଏମିତି ମୁହଁଟାକୁ ସୁଖେଇ କଣ ଘରକୁ ଆସିଛ ? ଖୁଡିଙ୍କ ମୁହଁରୁ ଏଇମିତି ଶୁଣି ସେଦିନ ସନିଆ କକା କହୁଥିଲେ “ନାଇଁ କଥା କଣକି ଭାଇନାଙ୍କ ଦରମା ମିଳିନି ତ ସେଇଥି ପାଇଁ ଭାଇନା କହୁଥିଲେ ଆଉ ପାଞ୍ଚ ଦିନ ଅପେକ୍ଷା କରିବା ପାଇଁ” କକାଙ୍କ ମୁହଁରୁ ଏଇମିତି କଥା ଶୁଣି ସତେ ଯେମିତି ଖୁଡି ରାଗରେ ନିଆଁ ହୋଇଗଲା ଭଳିଆ କହୁଥିଲେ ଚିହ୍ନିଲ ତ ତମ ଭାଇନାଙ୍କୁ , ମୁଁ ଭଲସେ ଜାଣିଛି କିଛି ନା କିଛି ବାହାନା କରି ତମ ଭାଇ ତମକୁ ଘଉଡେଇ ଦେବେ । ଖୁଡିଙ୍କ ରାଗ ଦେଖି ସନିଆ କକା ଖୁଡିଙ୍କୁ ବୁଝଉଥିଲେ ବାହାର ଲୋକ ଉପରେ ଆମର କି ରାଗ କହିଲୁ, ବାକି ରହିଲା ପଇସାକଥା ମୁଁ ଆଜିକାଲି ଭିତରେ କୋଉଠୁ ହେଲେ ଯୋଗାଡ କରି ଦେବିନି !

ସନିଆ କକାଙ୍କ କଥା ଶୁଣିଲା ଅବସ୍ଥାରେ ନଥିଲେ ଖୁଡି କକାଙ୍କୁ କହୁଥିଲେ ଆଜିଠୁ ନିୟମ ପ୍ରମାଣ କର ଭୁଲ୍‌ରେ ସୁଧା ଭାଇନା ଘରେ ବେଠି ଖଟିବନି ନଥିଲେ ଭୋକ ଉପାସରେ ରହିଯିବ ସିନା ତାଙ୍କ ଛାଇ ମାଡିବନି । ଖୁଡିଙ୍କ ମୁହଁରୁ ଏମିତି ଚଢା ଗଳାରେ ପାଟି କରୁଥିବା ଶୁଣି ମୋ ବୋଉ ବାଡିପଟୁ ଯୋର୍‌ରେ କଣ ଗୋଟେ ବକର ବକର ହୋଇ ଶୁଣଉଥିଲା ଖୁଡିଙ୍କୁ । ଏମିତିକା ଗୋଟେ ଅଭାବନିୟ ପରିସ୍ଥିତି ସୃଷ୍ଟି ହେବା ଦେଖି ମୋ ବାପା ବୋଉକୁ ବାଡି ପଟରୁ ଘର ଭିତରକୁ ଡାକି ବାଡିପଟ କବାଟଟା ବନ୍ଦ କରି ଦେଇଥିଲେ ।

ଦେଖୁ ଦେଖୁ ଦୁଇ ପଡୋଶୀ ଭିତରେ ଆଖିକୁ ଦେଖା ଯାଉନଥିବା ପ୍ରାଚିରଟା ଗଢି ଉଠିଗଲା ଭଳିଆ ମନେ ହେଉଥିଲା । ବାହାରେ କେବେ କୋଉଠି ସନିଆ କକା ଆଉ ବାପା ମୁହାଁ ମୁହିଁ ଦେଖା ହୋଇଗଲେ ସନିଆ କକା ବାପାଙ୍କୁ କିଛି ନ କହି ବାଟ କାଟି ପଳେଇ ଯାଆନ୍ତି, ବାପାବି ଆଉ କେବେ ଘରର ବେଠି କାମ ପଡିଲେ ସନିଆ କକାଙ୍କୁ ଡାକି ନାହାନ୍ତି ସେ ଦିନଠୁ । ମୁଁ ମୋ ବାପାଙ୍କର ଗୋଟିଏ ବୋଲି ପୁଅ, ଆମ ଗାଁଟା ଯାକର ପିଲାଙ୍କ ଭିତରେ ସ୍କୁଲ୍‌ରେ ପ୍ରଥମ, ହେଲେ ମୋ କକାଙ୍କ ଝିଅ ବି ମୋ ଠାରୁ ପାଠ ପଢାରେ କିଛି କମ୍ ନୁହେଁ । ମୋଠୁ ବୟସରେ ତିନି ବର୍ଷ ସାନ ସିନା ତା କ୍ଳାସରେ ସିଏ ବି ସବୁ ବେଳେ ପାଠ ପଢାରେ ନମ୍ବର ୱାନ୍ ।

ଦୁଇ ପଡୋଶୀ, ମାନେ ମୋ ବାପା ବୋଉ ଆଉ କକା ଖୁଡିଙ୍କ ଭିତରେ ସିନା ମନୋମାଳିନ୍ୟ ଆମ ଭାଇ ଭଉଣି ଭିତରେ କିନ୍ତୁ ସେମିତି କିଛି ରାଗ ରୁସା ନଥିଲା । ଆଗରୁ କକାଙ୍କ ଝିଅ ସ୍କୁଲ୍ ଛୁଟି ହେଲେ ଆମ ଘରକୁ ଆସି ଟିଭି ଦେଖେ ମୋଠୁ ଗପ ଶୁଣେ ହେଲେ ଆଜି ପରିସ୍ଥିତିରେ ପଡି ଆଉ ଜମାରୁ ଆସି ପାରେନି ଆମ ଘରକୁ । ସ୍କୁଲ୍‌ରେ ସମୟ ପାଇଲେ ମୋତେ ଖାଲି ଯାହା ପଚାରେ, ଆଜି ଟିଭିରେ କଣ ଦଉଥିଲା ! କାଲି ଟିଭିରେ କଣ ଦବ ଏମିତି ସେମିତି ବହୁତ ଗୁଡିଏ ପ୍ରଶ୍ନ ! ତାରି ମୁହଁରୁ ଏମିତି କଥା ଶୁଣି ବିରକ୍ତି ହେଲା ଭଳିଆ ମୁଁ ତାକୁ କହେ କାଇଁ ତୁ ଆମ ଘରକୁ ଆସୁନୁ ଟିଭି ଦେଖିବାକୁ ଏମିତି ମୋଠୁ ଶୁଣିଲେ ତୋତେ କଣ ମଜା ଲାଗିବ । ମୋଠୁ ଏମିତି କଥା ଶୁଣି ମୋ କକାଙ୍କ ଝିଅ କହୁଥିଲେ ମୁଁ ତମ ଘରକୁଗଲେ କାଳେ ତମ ବୋଉ ମୋ ଉପରେ ରାଗିବେ କାଳେ ତମ ଉପରେ ବିଗିଡିବେ, ତାଠୁଏମିତି ଶୁଣି ମୁଁ ବି ଭାବୁଥିଲି ସତ କଥା ତ ! ଦୁଇ ଘରର ସମ୍ପର୍କଟା ତିକ୍ତ ହୋଇ ସାରିଲାଣୀ ଯେତେବେଳେ କକାଙ୍କ ଝିଅ ଆମ ଘରକୁ ଯିବା ଆସିବା କରିବାଟା ସୁନ୍ଦର ହବନି ।

ଦେଖୁ ଦେଖୁ ରାକ୍ଷୀ ପୂର୍ଣ୍ଣିମାଟା ପାଖେଇ ଆସିଲା ସତେ ଯେମିତି ଆମ କକାଙ୍କ ଝିଅ ଆମ ଘରକୁ ଆସିବାର ବାହାନାଟେ ଖୋଜୁଥିଲା । ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ଦାଣ୍ଡପଟ ଘର କବାଟକୁ ଖଟ୍ ଖଟ୍ କରି କହୁଥିଲା ଭାଇ ଆହୁରି ସୋଇଛ କି ? କବାଟ ଖୋଲ ତମ ହାତରେ ରାକ୍ଷୀ ବାନ୍ଧିବି ମୋର ତେଣେ ବହୁତ କାମ ଅଛି । କକାଙ୍କ ଝିଅ ଆମ ଘର ବାହାରପଟୁ ଏମିତି ପାଟି କରୁଥିବା ଶୁଣି ମୋ ମନ ଖୁସିରେ ନାଚି ଉଠୁଥିଲା ଭାବୁଥିଲି ଯାହାବି ହଉ ଏଥର କକାଙ୍କ ଝିଅ ସବୁବେଳେ ଆମ ଘରକୁ ଆସିବ ଆଉ ଆମେ ମିସି ଗପ କୁହାକୁହି ହବୁ ମିସିକି ଟିଭି ଦେଖିବୁ । କବାଟ ଖୋଲିଲା ବେଳକୁ ମୋ ମୁହଁ ସାମ୍ନାରେ ଛିଡା ହୋଇଥିଲା ମୋ କକାଙ୍କ ଝିଅ, ହାତରେ ଧରିଥିଲା ଗୋଟେ ଛୋଟ ସୁନ୍ଦର ରାକ୍ଷୀ । ତା ହାତରେ ରାକ୍ଷୀଟା ଦେଖି ଖୁସିରେ ମୋ ହାତଟାକୁ ବଢେଇଦେଲି ତା ରି ଆଡକୁ, ଖୁସିରେ ସେ ବାନ୍ଧିଦେଲା ମୋ ହାତରେ ରାକ୍ଷୀ । ରାକ୍ଷୀ ବନ୍ଧନରେ ଭାଇ ଭଉଣୀକୁ କିଛି ନା କିଛି ଉପହାର ଦିଏ ହେଲେ ମୁଁ ଗୋଟେ ଛୋଟ ପିଲାଟେ ମୁଁ ଅବା ତାକୁ କଣ ଦେଇପାରିବି । ମନକୁ ବୁଝେଇବା ପାଇଁ ତାକୁ କହିଲି ଆଜି ସିନା ଛୋଟ ପିଲାଟେ ବୋଲି ମୁଁ ତୋତେ ଭାଇ ହିସାବରେ କିଛି ଉପହାର ଦେଇ ପାରୁନି ହେଲେ ଦେଖିବୁ ବଡ ହେଲେ ତୋ ଘର ମୁଁ ବସେଇବି । ମୋଠୁଁ ଏମିତି ଶୁଣିମୋ କକାଙ୍କ ଝିଅ ସେଦିନ ହସିହସି ମୋତେ କହୁଥିଲା ଭାଇ ଆଜି ଟିଭିରେ କି ପ୍ରୋଗ୍ରାମ୍ ଦଉଛି । ତାଠୁ ଏମିତି ଶୁଣି ତାକୁ ଭିତରକୁ ଡାକିଲି ଟିଭି ଦେଖିବା ପାଇଁ ପୁଣି ରକ୍ଷା ବନ୍ଧନ ଯୋଗୁଁ ସ୍କୁଲ ଛୁଟି, ଦିନ ସାରା ତା ସାଥିରେ ବସି ମଜା କରିବାକୁ ଇଛା ହଉଥିଲା ।

ମୋ ପାଟିରୁ କଥା ସରୁସରୁ ମୋ କକା ଝିଅ ଭଉଣୀ ସୁଯୋଗ ଅପେକ୍ଷାରେ ଥିଲା ଭଳିଆ ଆମ ଘର ଭିତରକୁ ପଶି ଆସିଲା, ଆମେ ଭାଇ ଭଉଣୀ ଦୁହେଁ ସିଧା ଯାଇ ବସି ପଡିଲୁ ଟିଭି ପାଖରେ ଏତିକି ବେଳକୁ ମୋ ବୋଉ ଆସି ପଛପଟୁ ଆମ ଭାଇ ଭଉଣୀ ଦୁହିଁଙ୍କୁ ଚଢା ଗଳାରେ କଣ ଗୋଟେ କହୁଥିଲା । ପଛକୁ ଚାହିଁଲା ବେଳକୁ ମୋ ବୋଉ ରାଗରେ ନିଆଁ ହେଇଗଲା ଭଳିଆ ଲାଗୁଥିଲା ମୋ ବୋଉକୁ ଏମିତି ଅବସ୍ଥାରେ ଦେଖି ମୋ କକାଙ୍କ ଝିଅ ଡରିଗଲା ଭଳିଆ ଲାଗୁଥିଲା । ଏତିକି ସମୟରେ ମୋ ବୋଉ ମୋ ହାତରୁ ରାକ୍ଷୀଟା ଛିଣ୍ଡେଇ ଆମ ଘର ଦାଣ୍ଡ ପଟକୁ ଫିଙ୍ଗିଦେଲା । ମୋ ବୋଉର ଏମିତିଆ ନା ପସନ୍ଦ କାମଟା ଦେଖି ଭାରି ବାଧିଲା ମୋ କକା ଝିଅ ଭଉଣୀକୁ, ନିଜକୁ ଅପମାନ ହେଲା ଭଳିଆ ଅନୁଭବ କରୁଥିଲା ମୋତେ କିଛି ନ କହି ମୋ ଭଉଣୀ ସିଧା ଦୌଡିଲା ଛିଣ୍ଡା ରାକ୍ଷୀଟା ପଡିଥିବା ଜାଗାକୁ । ରାକ୍ଷୀଟାକୁ ଗୋଟେଇ ହାତରେ ଧରି ଭୋ ଭୋ ହୋଇ କାନ୍ଦି ଦୌଡି ପଳେଇଲା ତାଙ୍କ ଘରକୁ ।

ମୋ ବୋଉ ମୋର ସବୁ ବେଳେ ଭଲ ଚାହିଁଛି ହେଲେ ହଠାତ୍ ତାର ଏମିତି ମନୋଭାବ ଦେଖି କାନ୍ଦି ପକେଇଲି, ମନରେ ଭାବୁଥିଲି ଆଜିର ଭଳିଆ ଦିନରେ ଭାଇ ଭଉଣୀ ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରେ ହେଲେ ମୁହଁରେ ହସ ଫୁଟେଇବା ବଦଳରେ ମୁଁ ତାକୁ ଅପମାନିତ କରି ଦେଇଥିଲି । ମନରେ ଭାବୁଥିଲି ଦୁଇ ପଡୋଶୀ କଳିରେ ଛୋଟ ପିଲାଙ୍କର ପୁଣି କି ଭୁମିକା ଅଛି । ବଡ ମାନଙ୍କର ରାଗ ଅଭିମାନରେ ଛୋଟମାନେ କାହିଁକି ସବୁବେଳେ ବଳି ପଡିବେ ? ଏମିତି ଭାବି ଭାବି ସେ ଦିନଟା ପୁରା ଭୋକ ଉପାସରେ କଟେଇ ଦେଲି । ବୋଉ ଯେତେ ଡାକିଲେ ବି ଖାଇବା ଥାଳି ପାଖକୁ ଗଲିନି ।

କରିଥିବା କାମ ପାଇଁ ମୋ ବୋଉ ମନେମନେ ନିଜକୁ ଲଜ୍ଜିତମନେ କରୁଥିଲା ହେଲେ ଭଉଣୀର ଅପମାନଟା ତ ସମ୍ମାନରେ ପରିଣତ ହୋଇ ପାରିବନି ତଥାପି ମୋ ବୋଉ ମତେ ବୁଝଉଥିଲା କକାଙ୍କ ଝିଅକୁ ଘରକୁ ଡାକିବା ପାଇଁ । ଏତେ ଅପମାନ ହେଲା ପରେ ମୋର କିନ୍ତୁ ସାହସ ହଉନଥିଲା ଭଉଣୀକୁ ପୁଣି ଥରେ ଆମ ଘରକୁ ଡାକିବା ପାଇଁ ।

ଏ ଭିତରେ ଅନେକ ଥର କକା ଝିଅ ଭଉଣୀ ସାଥିରେ ସାମ୍ନାସାମ୍ନୀ ଦେଖା ହୋଇଛି ହେଲେ କଥା ହବାତ ଦୂରର କଥା ମୁହଁକୁ ମୁହଁ ମିଶେଇବାର ସତ୍ ସାହାସ ବି ମୁଁ କରି ପାରିନି । ଅନେକ ରକ୍ଷା ବନ୍ଧନ ଚାଲିଯାଇଛି ଏ ଭିତରେ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ମୁଁ ଅପେକ୍ଷା କରିଛି ମୋ ଭଉଣୀ ଆସିବ ଆମ ଦାଣ୍ଡ ପଟ କବାଟକୁ ଖଟ୍ ଖଟ୍ କରିବ ଆଉ ମୋ ହାତରେ ଗୋଟେ ସୁନ୍ଦର ଛୋଟିଆ ରାକ୍ଷୀଟେ ବାନ୍ଧିଦବ ହେଲେ ସେ ସୁଯୋଗ ଆଉ କେବେବି ଆସିନି । ରାକ୍ଷୀ ପୂର୍ଣ୍ଣୀମା ଆସିଲେ ମୋ ଘରେ ସବୁ ଥାଇବି ମୋ ପାଖରେ କିଛି ନ ଥିଲା ଭଳିଆ ଲାଗେ । ରାକ୍ଷୀ ବନ୍ଧା ହୋଇ ନଥିବା ହାତଟାକୁ ଦେଖିଲେ ଆଖିରୁ ଲୁହ ଆପେଆପେ ଝରିପଡେ ଆମ ଦାଣ୍ଡ ପଟ ଘର ଝରକା ଖୋଲି କକାଙ୍କ ଘର ଆଡେ ଚାହିଁଲା ବେଳକୁ କକାଙ୍କ ଘର କବାଟଟା ବନ୍ଦ ଥାଏ । ମିଛରେ ହେଲେବି ମୋତେ କିନ୍ତୁ ଲାଗେ ମୋ ଭଉଣୀ କବାଟ ଫାଙ୍କରେ କଣେଇଁ କଣେଇଁ ଚାହିଁ ହସିହସି ସତେ ଯେମିତି କହୁଛି ଭାଇ ଆଜି ପରା ରାକ୍ଷୀ ପୂନେଇଁ ଆଜି କଣ ତମ ହାତରେ ରାକ୍ଷୀ ବାନ୍ଧିବନି ! ତମ ଘରକୁମୋତେ ଡାକିବନି କି ଟିଭି ଦେଖିବାକୁ, ଆଜି ପରା ସ୍କୁଲ୍ ଛୁଟି ମିଶିକି ମଜା କରିବାନି ! ହେଲେ କିଛି ସମୟ ପରେ ମୁଁ ଭାବନା ରାଜ୍ୟରୁ ବାହାରି ଆସି ଝରକା ପାଖରୁ ଚାଲିଆସେ ହୋମୱାର୍କ କରିବାକୁ ।

ଏ ଭିତରେ ମୁଁ ଧିରେ ଧିରେ ବଡ ହୋଇଯାଇଥିଲି, ଭଲ ପଢୁଥିବାଯୋଗୁଁ ଉଚ୍ଚ ଶିକ୍ଷା ପାଇଁ ମୋତେପାଖ ସହରକୁ ଯିବାକୁ ପଡିଲା । ବାପାଙ୍କର ବି ବଦଳି ହୋଇଯାଇଥିଲା ମୁଁ ପଢିବାକୁ ଯାଇଥିବା ସହରକୁ, ତେଣୁ ବାପା ବୋଉ ଆଉ ମୁଁ ମନସ୍ଥ କଲୁ ଗାଁ ଘର ଛାଡି ସହରରେ ଭଡା ଘରେ ରହିବାକୁ, ବୋଉ କହୁଥିଲା ଗାଁ ଘରଟା ବିକି ସହରରେ ଗୋଟେ ଭଲ ଘର କିଣିବା ପାଇଁ ହେଲେ ବାପାଙ୍କର ଗାଁ ମୋହ ଛାଡି ନଥିଲା । ସାଗ ମାଛ ମୂଲରେ ଘରଟା ବିକିବା ଅପେକ୍ଷା ପୂର୍ବ ପୁରୁଷର ସନ୍ତକ ହିସାବରେ ଘରଟା ଗାଁ ଭିତରେ ପଡି ରହିଥିଲେ କ୍ଷତି କଣ ! ଏଇମିତି ଭାବି ଗାଁ ଘରଟାରେ ତାଲା ଝୁଲେଇ ଆମେ ବାହାରି ପଡିଥିଲୁ ପାଖ ସହର ଅଭିମୁଖେ । ଆସିଲା ବେଳକୁ କକା ଝିଅ ଭଉଣୀ ସାଥିରେ ଦେଖା କରିବାକୁ ଭାରି ଇଚ୍ଛା ହେଲେ ଦେଖା ନ ହୋଇ ଚାଲି ଆସିଲି ସହରକୁ ।

ଏ ଭିତରେ ପନ୍ଦର ବର୍ଷ ବିତି ଯାଇଥିଲା । ପଢା ପଢିରେ ଭଲ କରୁଥିବା ଜୋଗୁ ଭଲ ଚାକିରି ଖଣ୍ଡେ ମୋତେ ମିଳି ଯାଇଥିଲା ସେହି ସହର ଭିତରେ ବେଳେ ବେଳେ କକା ଝିଅ ଭଉଣି କଥା ମନେ ପଡେ ମୁଁ ଭାବେ ଗାଁ ରେ ସିଏ କଣ କରୁଥିବ ? ବହୁତ ବଡ ହୋଇ ଯାଇଥିବ ! ତା କଥା ଭାବି ଗାଁକୁ ଯିବାକୁ ଇଚ୍ଛା ହୁଏ ହେଲେ ସମୟ ଅଭାବରୁ ଗାଁକୁ କେବେ ଯାଇ ପାରେନି ।

ଏଇମିତି ଦିନେ ଖରା ବେଳଟାରେ ବିଶ୍ରାମ ନେଲା ବେଳକୁ ସନିଆ କକା ଆସି ଆମ ଘରେ ହାଜର । ପନ୍ଦର ବର୍ଷ ପରେ ସନିଆ କକାଙ୍କୁ ଦେଖି ମୋ ବାପା ଆଉ ବୋଉଙ୍କ ମନରୁ ସବୁ ରାଗ ଯେମିତି ପାଣି ଫୋଟକା ଭଳିଆ ମିଳେଇ ଯାଇଥିଲା, ଖୁସିରେ ସନିଆ କକାଙ୍କହାତ ଧରି ବୋଉ ଘରକୁ ଡାକି ନେଇଥିଲା । ସେ ଦିନର ଗୋଟିଏ ହାତିର ବଳ ଥିବା ମୋ ସନିଆ କକା କିନ୍ତୁ ଆଜି କଙ୍କାଳ ସାର ଦେଖା ଯାଉଥିଲେ । ମନରେ ତାଙ୍କର ବିଲକୁଲ୍ ଖୁସି ନଥିଲା । ସନିଆ କକାଙ୍କ ମୁହଁରୁ ଖୁଡିଙ୍କ ଆଖି ବୁଜିବା କଥା ଶୁଣି ଭାରି ମନ ଦୁଃଖ କରିଥିଲେ ମୋ ବାପା ଆଉ ବୋଉ । ଖୁଡିଙ୍କ ଆଖି ବୁଜିବାକୁ ଆଜିକି ଛଅ ମାସ ହେଲାଣି ହେଲେ ଆଜି ଏମିତି ହଠାତ୍ କକାଙ୍କ ଆସିବା କାରଣଟା ମୁଁ କିଛି ବୁଝି ପାରୁ ନଥିଲି ।

ସନିଆ କକା ମୋ ବାପା ବୋଉଙ୍କୁ କହୁଥିଲେ ଆମ ଗାଁରେ କୁଆଡେ ସରକାର ସମସ୍ତଙ୍କ ଘରକୁ ନୋଟିସ୍ ପଠେଇଛନ୍ତି, ଗାଁର ରାସ୍ତା ସବୁ ଚଉଡା ହବ ସରକାରି ଜମିରେ ଘର କରିଥିଲେ ତାକୁ ଭଙ୍ଗା ହବ । ନିଜ ଘରର ପ୍ରମାଣ ପତ୍ର ତହସିଲଦାର ବାବୁଙ୍କ ଆଗରେ ଦାଖଲ କରିବାକୁ ପଡିବ । ଆସନ୍ତା ରାକ୍ଷୀ ପୂନେଇଁ ଦିନ ଘର ଭାଙ୍ଗିବା କାମଟା ଆରମ୍ଭ ହବ । ସନିଆ କକାଙ୍କ ମୁହଁରୁ କଥା ନ ସରୁଣୁ ମୋ ବୋଉ କହୁଥିଲା ଏଇଟା ଗୋଟେ କୋଉ ବଡ କଥା ଆମର ତ ଘରର ପ୍ରମାଣ ପତ୍ର ଗାଁ ଘରେ ଅଛି ଆଉ ତା ସାଙ୍ଗକୁ ତମ ଘରର ପ୍ରମାଣ ପତ୍ରଟା ବି ତ ଆମ ଘରେ ମନୋମାଲିନ୍ୟ ହେବା ଆଗରୁ ତମେ ରଖିଥିଲ ଏଇଥିରେ କଣ ଡରିବାର ଅଛି । ବୋଉ ମୁହଁରୁ କଥା ସରିଲା ବେଳକୁ ବାପା ସନିଆ କକାଙ୍କୁ କହୁଥିଲେ ରାକ୍ଷୀ ପୂନେଇଁ ଦିନ ଆମେ ଗାଁକୁ ଯାଉଛୁ ସେଇଠି ଭଲସେ କଥା ହବା । ସନିଆ କକା ଫେରିଲା ବେଳକୁ ପଚାରିଦେଲି ମୋ ଭଉଣୀ କେମିତି ଅଛି । ମୋଠୁ ତାଙ୍କ ଝିଅ କଥା ପଚାରିବା ଶୁଣି ସନିଆ କକା ଖୁସି ହୋଇଗଲା ଭଳିଆ କହିଲେ ଭଲ ଅଛି, ଏବେ ଗାଁରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ୍ କରୁଛି । ପୂର୍ବ ଘଟଣାକୁ ମନେ ପକେଇ ଭାବିଲି ଆମ ଦୁହିଁଙ୍କ ପରିବାରଟା ମିଶି ଗଲାଣି ଯେତେବଳେ ମୋ ଭଉଣୀ ଆଉ ମୋ ସମ୍ପର୍କଭିତରେ କୋଉଠି ଆଉ ଫାଟ ଦେଖା ଦେବ ଯେ । ଭାବିଲି ଏ ଥର ରାକ୍ଷୀ ପୂନେଇଁକୁ ଗାଁକୁ ଗଲେ ତାକୁ ଗୋଟେ ବଡ ଉପହାର ଦେବି ଏମିତି ଭାବିଲି ସିନା କଣ ଦେବି କଣ ଦେବି ଭାବି କିଛି ନିଷ୍ପତି ନେଇ ପାରିଲିନି ।

ଏଇମିତି ଦେଖୁ ଦେଖୁ ରାକ୍ଷୀ ପୂନେଇଁ ଦିନଟା ହାଜର ହୋଇଗଲା, ଗୋଟେ କାର ଭଡା କରି ବାପା ବୋଉ ଆଉ ମୁଁ ଗାଁ ଅଭିମୁଖେ ବାହାରି ପଡିଲୁ । ରାସ୍ତାରେ ଗଲା ବେଳକୁ ପିଲା ଦିନ କଥା ମନେ ପକଉଥିଲି, କକାଙ୍କ ଝିଅ ବେଶୀ ମନେ ପଡୁଥିଲା ଇଛା ହଉଥିଲା ରାକ୍ଷୀ ପୂନେଇଁଟା ପୁରାପୁରି ତା ସାଥିରେ କଥା ହୋଇ କଟେଇ ଦେବାକୁ ଗାଁ ଘର ପାଖରେ ପହଞ୍ଚି ଘରଟାକୁ ଚାହିଁଲା ବେଳକୁ ମନରେ କୌତୁହଳ ଯାତ ହଉଥିଲା । ଏ ପନ୍ଦର ବର୍ଷ ଭିତରେ ଆମ ଘରଟା ସଫା ସୁତରା ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ଭୂତ କୋଠି ଭଳିଆ ଲାଗିବା କଥା ହେଲେ ଘରଟା କିନ୍ତୁ ବେସ୍ ସଫା ସୁତରା ଲାଗୁଥିଲା । ମୋତେ ଆଉ ମୋ ବୋଉକୁ ବୁଝିବାରେ କିଛି ଅସୁବିଧା ହେଲାନି, ମୋ ବୋଉ କହୁଥିଲା ବୁଝିଲୁ ପୁଅ ଏ ଘରର ସଫାସୁଫି ସବୁ ନିଶ୍ଚୟ ତୋ କକା ଆଉ ତୋ କକା ଝିଅ ଭଉଣୀ କରୁଥିବେ ଏତିକି କହିଲା ବେଳକୁ ମୋ ବୋଉର ଆଖି ଲୁହ ଛଳଛଳ ହୋଇଯାଇଥିଲା । ଏତିକି ବେଳକୁ ଘରର ତାଲା ଖୋଲି ମୋ ବାପା ଆମ ଘରର ପ୍ରମାଣ ପତ୍ର ଆଉ ତା ସାଥିରେ ସନିଆ କକା ଅମାନତ ହିସାବରେ ଦେଇଥିବା ପ୍ରମାଣ ପତ୍ରଟା ଖୋଜି ବାହାର କରିବାରେ ବ୍ୟସ୍ତ ଥିଲେ । ଏତିକି ସମୟରେ ଆମ ଘରକୁ ଲାଗି ଯାଇଥିବା ରାସ୍ତା ଉପରେ କୋଳାହଳ ଶୁଭୁ ଥିଲା ଘରୁ ବାହାରକୁ ଆସି ଦେଖିଲା ବେଳକୁ ରାସ୍ତା ଉପରେଛିଡା ହୋଇଥିଲା ଗୋଟେ ବିସାଳକାୟ ମେସିନ୍ । ମେସିନ୍ ପାଖରେ ଛିଡା ହୋଇଥିଲେ ସରକାରି ବାବୁମାନେ । ଧିରେ ଧିରେ ଘର ଭଙ୍ଗା ମେସିନଟା ପ୍ରମାଣ ପତ୍ର ନଥିବା ଘର ଗୁଡାକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲା । ଏ ଭିତରେ ମନେ ପଡିଲା ମୋର କକା ଝିଅ ଭଉଣୀ କଥା, ଆମ ଘର ବାରଣ୍ଡା ଉପରେ ଥାଇ କକାଙ୍କ ଘର ଆଡକୁ ଚାହିଁଲା ବେଳକୁ ଘର କବାଟ କୋଣ ଦେଇ ମୋ ଭଉଣୀ ମୋତେ କଣେଇଁ କଣେଇଁ ଚାହୁଁଥିଲା । ଏତେ ଦିନ ପରେ ମୋ ଭଉଣୀକୁ ପାଖାପାଖି ଦେଖି ମୁଁ କୋହ ସମ୍ଭାଳି ପାରିଲିନି ସିଧା ଦୌଡିଲି କକାଙ୍କ ଘର ଆଡେ । କକାଙ୍କ ଘର ଭିତରକୁ ପଶିଲା ବେଳକୁ କବାଟ କୋଣେ ଛିଡା ହୋଇଥିଲା ମୋ ଭଉଣୀ । ଏତେ ଦୁର୍ଦ୍ଦିନ ଭିତରେ ଥାଇବି ମୋତେ ଦେଖି କୋଟିନିଧି ପାଇଲା ଭଳିଆ ହସୁଥିଲା । ଚାଳ କୁଡିଆ ଭିତରୁ ଉପରକୁ ଚାହିଁଲା ବେଳକୁ ଠାଏଁ ଠାଏଁ ଚାଳର ଛପର ଉଡିଯାଇଥିଲା ।

ମୋତେ ତା ଘର ଭିତରେ ଦେଖି ମୋ ଭଉଣୀ ବ୍ୟସ୍ତ ବିବ୍ରତ ହେଲା ଭଳିଆ ଜଣା ପଡୁଥିଲା । ଘର ଭିତରେ ପଡିଥିବା କଳଙ୍କି ଲଗା ଟିଣ ବାକ୍ସଟା ଖୋଲି ସେ ଭିତରେ କିଛି ଗୋଟେ ଖୋଜିଲା ଭଳିଆ ମନେ ହଉଥିଲା । ତାକୁ ଏମିତି ବ୍ୟସ୍ତତା ଭିତରେ ଦେଖି ମୁଁ ତା ପାଖକୁ ଯାଇ ତା କାନରେ କହୁଥିଲି ଆଜି ପରା ରାକ୍ଷୀ ପୂନେଇଁ ମୋ ହାତରେ ରାକ୍ଷୀ ବାନ୍ଧିବୁନିକି । ହେଲେ ମୋ କଥା ଶୁଣି ନଶୁଣିଲା ଭଳିଆ ଅଭିନୟ କରି ସେ ବାକ୍ସଟା ଭିତରେ ଖୋଜିବା କାମରେ ବ୍ୟସ୍ତ ହୋଇଯାଇଥିଲା । ପାଖକୁ ଯାଇ ଦେଖିଲା ବେଳକୁ ଟିଣ ବାକ୍ସ ଭିତରେ ଥିଲାତାର ପୁରୁଣା ଦିନର ପାଠ ପଢା ବହି ସେ ଭିତରୁ ଖୋଜୁ ଖୋଜୁ ତାକୁ ମିଳିଗଲା ସେ ପନ୍ଦର ବର୍ଷ ତଳର ଅଧା ଛିଣ୍ଡା ରାକ୍ଷୀଟା । ତା ହାତରେ ସେ ରାକ୍ଷୀଟା ଦେଖି ମୋ ଆଖି ଲୁହ ଛଳ ଛଳ ହୋଇଗଲା, ତାକୁ କିଛି ନ କହି ତାରି ଆଡକୁ ମୋ ହାତଟାକୁ ବଢେଇ ଦେଲି । ମୋ ଖାଲି ହାତଟରେ ସେ ଅଧା ଛିଣ୍ଡା ରାକ୍ଷୀଟା ପିନ୍ଧଉ ପିନ୍ଧଉ ସିଏବି ଭୋ ଭୋ ହୋଇ କାନ୍ଦି ପକେଇଲା ବିଲକୁଲ୍ ସେ ଦିନ ପରି ଯେଉଁ ଦିନ ମୋ ବୋଉଠୁ ଅପମାନିତ ହୋଇ ଆମ ଘରୁ ଚାଲି ଆସିଥିଲା । ତାକୁ ଏମିତି କାନ୍ଦୁଥିବା ଦେଖି ତାକୁ କୁଣ୍ଢେଇ ଧରି ପକେଇଲି କିଛି ସମୟ ପାଇଁ । ଏ ଭିତରେ ଘର ଭଙ୍ଗା ମେସିନଟା ସରକାରୀ ବାବୁ ମାନଙ୍କ ସହିତ ଆସି ଆମ ଘର ପାଖରେ ଛିଡା ହୋଇ ଯାଇଥିଲା । ବାହାରକୁ ଆସି ବାପାଙ୍କ ହାତରୁ ଆମ ଘରର ପ୍ରମାଣ ପତ୍ରଟା ଆଣି ସରକାରୀ ବାବୁଙ୍କ ହାତରେ ଧରେଇ ଦେଲି । ବାପାଙ୍କ ହାତରୁ ନେଇ ସନିଆ କକା ତାଙ୍କ ଚାଳ କୁଡିଆ ଘରର ପ୍ରମାଣ ପତ୍ରଟା ଧରି ଛିଡା ହୋଇଥିଲେ ରାସ୍ତା ଉପରେ । ସନିଆ କକାଙ୍କ ଦରଭଙ୍ଗା ଚାଳକୁଡିଆଟାକୁ ଦେଖି ମନରେ ଦୟା ଆସୁଥିଲା ତାରି ସାଙ୍ଗକୁ ରାଗବି ମାଡୁଥିଲା ଭଗବାନଙ୍କ ଉପରେ । ମନରେ ଭାବୁଥିଲି ଦୁନିଆର ସବୁ ଦୁଃଖ କଣ ଖାଲି ମୋ ସନିଆ କକାଙ୍କ ପାଇଁ ।

କାହାକୁ କିଛି ନ କହି ସନିଆ କକାଙ୍କ ହାତରୁ ତାଙ୍କ ଘରର ପ୍ରମାଣ ପତ୍ରଟା ଛଡେଇ ଆଣି ଟିକି ଟିକି କରି ଚିରି ରାସ୍ତା କଡରେ ଫୋପାଡି ଦେଲି । ହଠାତ୍ ଏମିତିଆ ଗୋଟେ ବ୍ୟବହାର ମୋଠୁ କେହି ଆଶା କରି ନଥିଲେ । ସନିଆ କକା ଆଉ ତାଙ୍କ ଝିଅ ମୋତେ ଖାଲି ବକର ବକର ହୋଇ ଚାହିଁ ରହିଥିଲେ । ମୁଁ କିନ୍ତୁ ମୋ ଭଉଣୀକୁ ଚାହିଁ ଖାଲି ହସୁଥିଲି । ଦେଖୁ ଦେଖୁ ପ୍ରମାଣ ପତ୍ର ଅଭାବରୁ ସନିଆ କକାଙ୍କ ଚାଳ କୁଡିଆ ଘରଟାକୁ ମେସିନଟା ମାଟିରେ ମିଶେଇ ଦେଲା । ମୋର ଏମିତି ପିଲାଳିଆମି ବୁଧି ଦେଖି ମୋ ବୋଉ କିଛି ବୁଝି ପାରୁନଥିଲା । ଭଉଣୀ ମୁହଁକୁ ଚାହିଁ ମୁଁ ତାକୁ କହୁଥିଲି କଥା କଣକି ଭାଇ ହିସାବରେ ରାକ୍ଷୀ ପୂନେଇଁ ଦିନ ଭଉଣୀକୁ କିଛି ଉପହାର ଦବା କଥା, ଆସିଲା ବେଳକୁ ତୋ ପାଇଁ ଉପହାର ଆଣିବାକୁ ଭୁଲି ଯାଇଥିଲି ସେଇଥି ପାଇଁ ଆମର ଏଇ କୋଠା ଘରଟାକୁ ତୋତେ ଉପହାର ହିସାବରେ ଦେଇଦେଲି । ମୋର ଏଇମିତିଆ ବଡ ନିଷ୍ପତିଟାକୁ କିନ୍ତୁ ଆଜି ମୋ ବୋଉ ବିଲକୁଲ୍ ବିରୋଧ କରୁନଥିଲା ।

ଏତେ ବଡ କୋଠା ଘରଟାକୁ ହାତ ମୁଠାରେ ପାଇ ମୋ କକା ଝିଅ ଭଉଣୀର ଛାତିଟା କୁଣ୍ଢେ ମୋଟ ହୋଇଯାଇଥିଲା । ବାପା ବୋଉ ଆଉ ମୁଁ କାରରେ ଫେରିବାକୁ ବ୍ୟସ୍ତ ହଉଥିଲୁ ସହର ଅଭିମୁଖେ । ଏତିକି ସମୟରେ ମୋ କକା ଝିଅ ଭଉଣୀ ଆମ ଘର ବାରଣ୍ଡା ଉପରେ ଛିଡା ହୋଇ ଯୋରରେ ପାଟି କରିକହୁଥିଲା ଆଉ ଥରେ କେବେ ଆସିବ ଭାଇ ……. ତାର ଏମିତି ପାଟି ଶୁଣି ମୁଁ କାର୍ ଭିତରେ ଥାଇ ତାକୁ କହୁଥିଲି ଆର ଥର ରାକ୍ଷୀ ପୂନେଇଁକୁ । ମୋ ପାଟିରୁ କଥା ନ ସରୁଣୁ ମୋ ଭଉଣୀ ମୋତେ ମଜାରେ ମଜାରେ ପାଟିକରି କହୁଥିଲା ଆର ଥରକୁ ରାକ୍ଷୀ ବାନ୍ଧିଲେ ମୋତେ କି ଉପହାର ଦବ …..ତା ପାଟିରୁ ଏମିତି ମଜାଳିଆ କଥା ଶୁଣି ମୋ ପାଟିରୁ ଆପେ ଆପେ ବାହାରି ପଡିଲା “ତୋ ପାଇଁ ଗୋଟେ ଭଲ ବର” ……………

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top