ଗଳ୍ପ

ଭୟ

Ritika Pattanaik's Odia Translated Story Bhaya

ୟାସିନର ନିଶ୍ୱାସପ୍ରଶ୍ୱାସ ବନ୍ଦ ହେଲା ଭଳି ଲାଗିଲା । ଭୟ ତଥା ଆଶଙ୍କାରେ ଜର୍ଜରିତ ଦେହରୁ ଝାଳ ବୋହିଗଲା । ସେ ଛେପ ବି ଢୋକିପାରିଲାନି । ଯଦି କାଶ କିମ୍ବା ହାକୁଟି ଆସେ, ସେ ନିଜକୁ ରୋକି ପାରିଲେ ତ ଭଲ ନ ହେଲେ ସେ ବି … ।

ଭୟ
ମୂଳ ରଚନା – ଗୁଲଜାର
(ପ୍ରସିଦ୍ଧ ଗୀତିକାର, ଫିଲ୍ମ ନିର୍ଦ୍ଧେଶକ ଓ କବି ‘ଗୁଲଜାର’( ୧୮ ଅଗଷ୍ଟ ୧୯୩୪) ମଧ୍ୟ ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଛନ୍ତି । ‘ଖୌଫ’ ତାଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ର ଗଳ୍ପ ।)

-x-

ସେ ବହୁତ ଭୟଭୀତ ଥିଲା । ସେ ବସି ରହିଥିଲା, ତଥାବି ତା’ ଗୋଡ଼ ଏମିତି ଥରୁଥିଲା ଯେମିତି କି ତାକୁ ବାତ ଧରିଛି ।

ଗତ ଚାରି ଦିନ ହେବ ସହରରେ ଦଙ୍ଗା ଲାଗିରହିଛି । ସକାଳେ ଓ ସଂଧ୍ୟାରେ କର୍ଫ୍ୟୁ କିଛି ସମୟ ପାଇଁ ଉଠାଇ ଦିଆଯାଇଥିଲା । ସେହି ସୀମିତ ସମୟ ଭିତରେ କିଛି ଲୋକ ଜରୁରୀ ଜିନିଷ କିଣିବା ପାଇଁ ଶୀଘ୍ର ବାହାରିଥିଲେ ତ ଆଉ କିଛି ଲୋକ ଗଣ୍ଡଗୋଳ କରିବା ଉଦ୍ଧେଶ୍ୟରେ- ଯଥା- ନିଆଁ ଲଗାଇବା, ଛୁରୀ ଭୁଷି ହତ୍ୟା କରି ମୃତ ଶରୀରକୁ ଛାଡ଼ି ପଳାଇବା- ଆଉ କର୍ଫ୍ୟୁ ବଳବତ୍ତର ହେବା ପୂର୍ବରୁ ଘରକୁ ଫେରିଯାଇଛନ୍ତି । ବମ୍ବେ ମହାନଗରୀ ଗରମ ଖବର ଏବଂ ଗରମ ରକ୍ତରେ ଭାସୁଥିଲା ଯଦିଓ ରେଡ଼ିଓ ଓ ଟିଭି ବାରମ୍ବାର ଘୋଷଣା କରୁଥିଲେ ଯେ, ସହରରେ ପରିସ୍ଥିତି ନିମନ୍ତ୍ରଣାଧୀନ ଅଛି ଆଉ ଜନଜୀବନ ଧିରେ ଧିରେ ସ୍ୱାଭାବିକ ହେଉଛି ।

ଗତକାଲିଠାରୁ ଲୋକାଲ ଟ୍ରେନର ପୁନଃ ଚଳାଚଳ ଯେମିତି ପ୍ରମାଣିତ କରୁଛି ଯେ ଅବସ୍ଥା ନିମନ୍ତ୍ରଣାଧୀନ ଅଛି । ଯଦିଓ କମ୍ପାର୍ଟମେଣ୍ଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି, ରେଲ ଧାରଣା କଡ଼ରେ ଥିବା ଲାଇଟ ସବୁ ଗତ କିଛି ଦିନର ଅନ୍ଧକାରମୟ ପରିସ୍ଥିତିକୁ କିଞ୍ଚିତ ଆୟତ କରିବାକୁ ପ୍ରୟାସରତ । ରେଳ ଧାରଣାର ଦୁଇ ପାଶ୍ୱର୍ରେ ଥିବା ବସ୍ତିର ମଝି ଦେଇ ରେଳଗାଡ଼ିର ଛୁକ୍ ଛୁକ୍ ଶବ୍ଦ ଗମ୍ଭୀର ନିଶବ୍ଦତାର ଛାୟାକୁ ଦୂର କରି ଜୀବନର ଆଶା ପୁଣି ଫେରାଇ ଆଣିଛି ।

ୟାସିନ ସେ ଛୁକ୍ ଛୁକ୍ ଶବ୍ଦ ଶୁଣେ ତ ଉଠି ପଡ଼ି ଗତିଶୀଳ ଟ୍ରେନକୁ ଚାହିଁରହେ । ଘରେ ଅନୁପସ୍ଥିତି ରହିବାର ଆସନ୍ତା କାଲି ପଞ୍ଚମ ଦିନ ହେବ । ସେ ଭାବିଲା, ସେମାନେ ତାକୁ ଅପେକ୍ଷା କରିବାର ଛାଡ଼ି ତାକୁ ଖୋଜିବାରେ ଲାଗିପଡ଼ିବେଣି । ଦିନ ସରିବା ବେଳକୁ ତା’ର ଧୈର୍ଯ୍ୟଚ୍ୟୁତି ହେଲା । ସନ୍ଧ୍ୟା ବେଳକୁ କର୍ଫ୍ୟୁ ଉଠିଲା ପରେ ସେ ଆନ୍ଧେରୀ ଷ୍ଟେସନ ଅଭିମୁଖେ ଚାଲିଲା । ପ୍ଲାଟଫର୍ମର୍ ପ୍ରାୟ ନିର୍ଜନ ଥିଲା, କିନ୍ତୁ ବୋର୍ଡରେ ଟ୍ରେନର ଆସିବାର ସମୟ ଦୃଶ୍ୟ ହେଉଥିଲା ।

ଟ୍ରେନଟି ପ୍ଲାଟଫର୍ମରେ ଲାଗିଲା ଖୁ୍ବ୍ ଧିରେ ଧିରେ, ନିଜ ଚିରାଚରିତ ଗତିଠାରୁ କିଛି ଅଲଗା ଯେମିତି କି, ସେ ଭୟାତୁର, ସତର୍କ । ଟ୍ରେନରେ ଅଳ୍ପ ଯାତ୍ରୀ ଥିଲେ । ସେ ଠିକ୍ କରିପାରିଲା ନାହିଁ କେଉଁ ବଗିରେ ଉଠିବ । ବଗିରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ ଥିଲା । ସେମାନେ ଦୁଇ, ଚାରିଜଣିଆ ଦଳରେ ଥିଲେ । ଏକ କୁଣ୍ଠିତ ମନରେ ସେ ପ୍ଲାଟଫର୍ମର୍ରେ ଛିଡ଼ାହେଇ ରହିଲା । କିନ୍ତୁ ଟ୍ରେନ ଛାଡ଼ିଲା ମାତ୍ରେ ସେ ଏକ ବଗିରେ ତୁରନ୍ତ ଚଢ଼ିଗଲା । ସେ ଏକ ଖାଲି ଡବା ଚୟନ କରିଥିଲା । ଭିତରେ ପଶିଯାଇ ଚାରି ଆଡ଼େ ସତର୍କ ଦୃଷ୍ଟି ବୁଲାଇ, ଜାକିଜୁକି ହେଇ ଏକ କୋଣରେ ବସି ପଡ଼ିଲା । ସେଇ କୋଣରୁ ସେ ସାରା କମ୍ପାର୍ଟମେଣ୍ଟ୍ ଉପରେ ନଜର ରଖି ପାରୁଥିଲା । ଟ୍ରେନର ଗତି ବଢିବା ସହିତ ଧିରେ ଧିରେ ତା’ ନିଶ୍ୱାସପ୍ରଶ୍ୱାସ ବି ସ୍ୱାଭାବିକ ହେବାକୁ ଲାଗିଲା; ସେ ଟିକେ ସହଜ ଅନୁଭବ କଲା ।

ହଠାତ୍ ୟାସିନ ଦେଖିଲା କମ୍ପାର୍ଟମେଣ୍ଟ୍‌ର ଅପର ପାଶ୍ୱର୍ରୁ ଏକ ମଣିଷାକୃତି, ଧିରେ ଧିରେ ତା ଆଡ଼କୁ ଅଗ୍ରସର ହେଉଛି । ତାକୁ ଲାଗିଲା ଯେମିତି ତା ଚେତା ବୁଡ଼ିଯିବ । ତା’ର ଗୋଡ଼ହାତ ପୁଣି ଥରିବାକୁ ଲାଗିଲା । ସେ ଆହୁରି ଜାକିଜୁକି ହେଇ ବସିଲା ଯେମିତି କି ଯଦି ସେ ଲୋକଟି ତା ଆଡ଼େ ଆସିବ ତ ସେ ସିଟ ତଳେ ଲୁଚିଯିବ ନହେଲେ ତା’ର ସାମନା କରିବ ।

କମ୍ପାର୍ଟମେଣ୍ଟ୍‌ର ଦରଜା ବେଶି ଦୂର ନଥିଲା । ଯଦି ସେ ଚଳନ୍ତା ଟ୍ରେନରୁ ତଳକୁ ଡ଼େଇ ପଡ଼େ ତ କେବଳ ମୃତ୍ୟୁ ଛଡ଼ା ଅନ୍ୟ କୌଣସି ବିପଦ ନାହିଁ । ଆଉ ଯଦି ବି ଟ୍ରେନର ଗତି ଧିମେଇଯାଏ ତ ସେ ଲୋକଟି….. । ହଠାତ୍ ସେ ଲୋକଟି ଉଠି ଠିଆ ହେଲା । ଚାରି ଆଡ଼େ ଦୃଷ୍ଟି ବୁଲେଇଲା । ତା ମୁହଁରେ ଆତଙ୍କ ବା ଭୟର ଲେଶ ମାତ୍ର ଚିହ୍ନ ହିଁ ନଥିଲା । ୟାସିନର ପ୍ରଥମ ପ୍ରତିକ୍ରିୟା -ଯେ ଲୋକଟି ନିଶ୍ଚୟ ହିନ୍ଦୁ । ଲୋକଟି ଧିରେ ଧିରେ କମ୍ପାର୍ଟମେଣ୍ଟ୍‌ର ଦ୍ୱାରଦେଶରେ ପହଁଚିଲା ଏବଂ ସେଇଠି ଠିଆ ହେଇରହିଲା । ତା ମଫଲରଟି ପବନରେ ଫଡ଼ଫଡ଼ ହେଇ ଏମିତି ଉଡ଼ୁଥିଲା ଯେମିତି କି ଏକ ଚିରା ପତକା । ସେ କିଛି ସମୟ ପର୍ଯ୍ୟନ୍ତ ସେମିତି ବାହାରକୁ ଅନାଇ ରହିଲା । ତା’ପରେ ଲାଗିଲା ଯେମତି କି ସେ ଲୋକଟି କୌଣସି ବସ୍ତୁ ସହିତ ନିଜ ବଳ କଷୁଛି । କିନ୍ତୁ ୟାସିନ ନିଜ ବସିଥିବା ସ୍ଥାନରୁ ତାକୁ ସ୍ପଷ୍ଟ ଦେଖିପାରୁ ନଥିଲା । ତଥାପି, ଲାଗୁଥିଲା ଯେମିତି କି ସେ ଲୋକଟି କୌଣସି ଜିନିଷକୁ ଟାଣୁଛି, ପେଲୁଛି ଅଥବା ଉପରକୁ ଉଠାଇବାକୁ ଚେଷ୍ଟା କରୁଛି । ପୁଣି ୟାସିନକୁ ଲାଗିଲା ଲୋକଟି କିଛି ଗୋଟାଏ ଭାଙ୍ଗୁଛି । ହଠାତ୍ ଜଙ୍କ୍ଲଗା ଦରଜାଟି ଗୋଟିଏ ଝଡ଼କାରେ ଖୋଲିଗଲା, ପୁଣି ପବନରେ ପିଟିହେଇ କଡ଼ କଡ଼ ଶବ୍ଦ କରି ବନ୍ଦ ହେଇଗଲା । ଭାଗ୍ୟ ଭଲ ଯେ, ୟାସିନ ଭୟରେ ଚିତ୍କାର କରିନି । ସେ ଲୋକଟି ବି ଚମକି ପଡ଼ି ଚାରିଆଡ଼କୁ ଚାହିଁଲା । ବହୁତ ସମୟ ପର୍ଯ୍ୟନ୍ତ ସେ ୟାସିନର ଲୁଚିଥିବା ସ୍ଥାନକୁ ଏକ ଲୟରେ ଅନାଇ ରହିଲା । ୟାସିନର ସନ୍ଦେହ ହେଲା ଯେ ସେ ଲୋକଟି ବୋଧହୁଏ ତାକୁ ଦେଖିନେଇଛି କିମ୍ବା କୌଣସି ଶବ୍ଦ ଶୁଣି ତାର ଉପସ୍ଥିତି ବିଷୟରେ ଧାରଣା କରିନେଇଛି । ଲୋକଟି ବହୁତ ବଳଶାଳୀ ଦେଖାଯାଉଥିଲା । ୟାସିନର ଭୟ ହେଲା ଯଦି ସାମନା ହୁଏ ସେ କ’ଣ ତା’ ସଙ୍ଗେ ଲଢେଇ କରି ପାରିବ ? ଏବେ ସେ ଲୋକଟି ବିପରୀତ ଦିଗରେ ଥିବା ଦରଜା ପାଖେ ଛିଡ଼ା ହେଇରହିଲା ।

ଟ୍ରେନଟି ଏବେ ଜନମାନବଶୂନ୍ୟ ଯୋଗେଶ୍ୱରୀ ଷ୍ଟେସନ ପାର ହେଲା । ଯଦି ଅଟକିଥାନ୍ତା ତ ୟାସିନ ଓହ୍ଳାଇ ଯାଇଥାଆନ୍ତା । କିନ୍ତୁ ସେ ସ୍ଥାନଟିରେ କର୍ଫ୍ୟୁ ବଳବତ୍ତର ଥିବା ହେତୁ ସେଠି ଟ୍ରେନ ଅଟକିଲା ନାହିଁ । ତଥାପି କର୍ଫ୍ୟୁ ବଳବତ୍ତର ସ୍ଥାନଗୁଡ଼ିକ ଅପେକ୍ଷାକୃତ ନିରାପଦ, କାହିଁକି ନା ସେଠି ଅନ୍ତତଃ ପୋଲିସ ପହରା ଥିବ । ଏବେ ତ ସେନାକୁ ବି ଡକା ହେଇଛି ସହରରେ ପଇିଁତରା ପାଇଁ । ଖାକି ପୋଷାକ ପରହିତ ସୈନିକରେ ଭର୍ତ୍ତି ସବୁଜ ତଥା ଖାକି ରଙ୍ଗର ଗାରଥିବା ସେନାଟ୍ରକ୍ ଗୁଡ଼ିଏ ଦଙ୍ଗା ପ୍ରବଣ ଅ ଗୁଡ଼ିକରେ ଘୁରୁଥିବା ଜଣେ ଲକ୍ଷ୍ୟ କରିପାରିବ । ପୋଲିସ ତ ଆଉ ଏଭଳି ପରିସ୍ଥିତିର ସାମନା କରି ପାରିବା ଭଳି ଲାଗୁନାହିଁ । କେହି ଆଉ ପୋଲିସକୁ ଡରୁନାହାଁନ୍ତି । ଗଣ୍ଡୋଗୋଳକାରୀମାନେ ବିନା କୌଣସି ଭୟରେ ପୋଲିସ ଆଡ଼କୁ ଟେକା, ପଥର ସୋଡ଼ା ବୋତଲ ଏମିତିି କି ଏସିଡ଼ ଭର୍ତ୍ତି ବଲବ୍ ମଧ୍ୟ ଫୋପାଡ଼ୁଛନ୍ତି । ଯଦି ପୋଲିସ ଲୁହବୁହା ଗ୍ୟାସ ଭର୍ତ୍ତି ଗୋଳା ବ୍ୟବହାର କଲା ତ ଲୋକେ ସେଗୁଡ଼ିକ ଓଦା ରୁମାଲରେ ଗୋଟାଇ ପୁନଃ ପୋଲିସ ଉପରକୁ ନିକ୍ଷେପ କରୁଛନ୍ତି । ୟାସିନ କାମ କରୁଥିବା ସାକିନାକା ବେକରୀରେ ନିଆଁ ଲଗାଇଦିଆଗଲା । ସେତେବେଳେ ପୋଲିସ କ’ଣ କାର୍ଯାନୁଷ୍ଠାନ କଲା? ପୋଲିସ୍ କେବଳ ଦୂରରେ ଠିଆ ହେଇ ଦୃଶ୍ୟ ଦେଖିଚାଲିଥିଲା ବେଳେ ସେମାନେ ଜୀବନ ବିକଳରେ ସରୁ ଗଳିକନ୍ଦି ରାସ୍ତା ଦେଇ ଦୌଡ଼ୁଥିଲେ । ଶେଷରେ ଭଙ୍ଗା ଦଦରା ଗାଡ଼ିରେ ଭର୍ତ୍ତି ଏକ ଗ୍ୟାରେଜରେ ସେମାନେ ଲୁଚିରହିଲେ । ସେହି ଦୁର୍ବୁତ୍ତ ର୍ମାନେ ପ୍ରାୟ ଆଠ କି ଦଶ ଥିଲେ । ଭଗବାନ ଭାଉକୁ ଆଶୀର୍ବାଦ କରନ୍ତୁ । ସେ ଅନ୍ୟମାନଙ୍କ ସେଙ୍ଗ ଦୌଡ଼ୁଥିବା ବେଳେ ଭାଉ ତା’ର ସାର୍ଟ କଲାର ଧରି ଭିଡ଼ିନେଲା ଏକ ଚା’ ଦୋକାନ ସଲଗ୍ନ ଏକ ଛୋଟ ଛାଳିଆ ଭିତରକୁ । ଭାଉ ଜାଣିଥିଲା ଯେ ୟାସିନ ମୁସଲମାନ୍ ଆଉ ସେ ନିଜେ ଏକ ହିନ୍ଦୁ । ତେବେ ଭାଉ କାହିଁକି ଦୌଡ଼ୁଥିଲା ? ଭାଉ କହିଥିଲା ଏକ ରକ୍ତ-ପିପାସୁ ଜନତା କେବେ ବି ଜାଣିବାକୁ ଚାହିଁବେନି ତା’ର ଶିକାରର ନାମ କ’ଣ । ଏଭଳି ଜନତାଙ୍କ ଶୋଷ କେବଳ ରକ୍ତ ବା ନିଆଁ ହିଁ ବୁଝାଇପାରିବ । ସମସ୍ତଙ୍କୁ ମାରିଦିଅ, ସବୁ ଧ୍ୱଂସ କରିଦିଅ । ସବୁ ଶେଷ ହେଇଗଲା ପରେ ହିଁ ଏମାନଙ୍କର ଶୋଷ ମେଣ୍ଟିବ ।

ହଠାତ୍ ଦରଜାର କଡ଼ମଡ଼ ଶବ୍ଦ ତାକୁ ଚମକାଇ ଦେଲା । କମ୍ପାର୍ଟମେଣ୍ଟ୍‌ର ଅପର ପାଶ୍ୱର୍ରେ ଥିବା ଦୁଇଟିଯାକ ଦରଜା ସେ ଲୋକଟି ବନ୍ଦ କରିଦେଇଥିଲା । ୟାସିନ ଲୁଚିଥିବା ଦିଗକୁ ସେ ବହୁତ ସମୟ ଚାହିଁରହିଲା । ଏହା ଜାଣିପାରି ୟାସିନ ପୁଣି ଭୟରେ ଜଡ଼ଜଡ଼ ହେଲା । କାହିଁକି ସେ ଲୋକଟି କମ୍ପାର୍ଟମେଣ୍ଟ୍‌ର ଦରଜା ସବୁ ବନ୍ଦ କରିଦେଉଛି ? କ’ଣ ସେ ତାକୁ ମାରି, ରକ୍ତାକ୍ତ ଶରୀର ଟ୍ରେନରେ ଛାଡ଼ିଦେଇ ପରବର୍ତ୍ତୀ ଷ୍ଟେସନରେ ଓହ୍ଳାଇଯିବାର ଯୋଜନା କରୁଛି ? ଏହି ତ ଟ୍ରେନଟିର ଗତି ଧିମେଇ ଆସୁଛି; ବୋଧହୁଏ କୌଣସି ଷ୍ଟେସନ ପାଖେଇ ଆସିଲାଣି । ଏବେ ଲୋକଟି ବହୁତ ଆତ୍ମବିଶ୍ୱାସର ସହିତ ତା’ ଆଡ଼କୁ ମାଡିଆସୁଛି । ୟାସିନର ନିଶ୍ୱାସପ୍ରଶ୍ୱାସ ବନ୍ଦ ହେଲା ଭଳି ଲାଗିଲା । ଭୟ ତଥା ଆଶଙ୍କାରେ ଜର୍ଜରିତ ଦେହରୁ ଝାଳ ବୋହିଗଲା । ସେ ଛେପ ବି ଢୋକିପାରିଲାନି । ଯଦି କାଶ କିମ୍ବା ହାକୁଟି ଆସେ, ସେ ନିଜକୁ ରୋକି ପାରିଲେ ତ ଭଲ ନ ହେଲେ ସେ ବି … ।

ଟ୍ରେନଟି ଏକ ଷ୍ଟେସନରେ ଅଟକିଲା । ଧୀରେ ସୁସ୍ଥେ ଚାଲି ଚାଲି ସେ ଲୋକଟି ପ୍ଳାଟଫର୍ମ ଦିଗକୁ ଖୋଲାଥିବା ଦରଜା ନିକଟରେ ଠିଆ ହେଲା । ତା’ର ଗୋଟିଏ ହାତ ପ୍ୟାଣ୍ଟ୍ ପକେଟରେ ଥିଲା । ପକେଟରେ ନିଶ୍ଚୟ ଛୁରୀ କି ପିସ୍ତଲ ଅଛି । ୟାସିନ ଭାବିଲା ଗୋଟେ ନିଶ୍ୱାସରେ ଦୌଡ଼ି ଯାଇ ଅପର ପାଶ୍ୱର୍ରୁ ଡ଼େଇ ପଡ଼ିବ । କିନ୍ତୁ ସେ ନିଜ ଲୁଚିଥିବା ସ୍ଥାନରୁ ବାହାରିବା ମାତ୍ରେ ସେ ଲୋକଟି ତା’ର ପେଟ ଚିରିସାରିଥିବ । ଖାଲି ପେଟ କାହିଁକି ? ତା ଗଳା ବି ; ଆଉ ସେ ଚିତ୍କାର ବି କରିପାରିବନି । ସେ ନିଜ ଲୁଚିଥିବା ସ୍ଥାନରୁ ଟିକେ ଉଙ୍କିଲା । ସେ ଲୋକଟି ଟ୍ରେନ୍ ବାହାରକୁ ଚାହିଁଛି । ପ୍ଳାଟର୍ଫମଟି ପୂରାପୁରୀ ନିର୍ଜନ । ଏତେ ନିଶବ୍ଦ ଯେ ଜଣେ ପାଦ ଶବ୍ଦ ବି ଶୁଣିପାରିବ । ୟାସିନ ଭାବୁଥିଲା କେହି ଜଣେ କମ୍ପାର୍ଟମେଣ୍ଟ୍ ଭିତରକୁ ଆସନ୍ତା କି ! କିନ୍ତୁ ସେ କେମିତି ଜାଣିବ କିଏ ଚଢିବ । ଏକ ହିନ୍ଦୁ ? ଏକ ମୁସଲମାନ୍? ସେ ଆଉ ଜଣେ ହିନ୍ଦୁ ହିଁ ହେଇଥାଉ । ସେ ଭାଉ ଭଳି ଦୟାଳୁ ହେଇଥିବ । କେତେ ତତ୍ପରତାର ସହ ଭାଉ ନିଜର ପଇତା ତାକୁ ପିନ୍ଧିବାକୁ ଦେଲା ଆଉ ତାକୁ ସୁରକ୍ଷା ଦେଇ ଚା’ ଦୋକାନରୁ ନିଜ ଛୋଟ ଘରକୁ ନେଇ ଆସିଲା । ସେଠି ସେ ୟାସିନକୁ ଚାରି ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିଲା ।

ଭାଉ ତାକୁ କହିଥିଲା, “ ମୁଁ ଜଣେ ମରାଟ୍ଟା, କିନ୍ତୁ ସବୁ ଦିନ ମାଂସ ଖାଏନି । ତୁମେ ଯଦି ଚାହିଁବ ମୁଁ ତୁମ ପାଇଁ କିଛି ଆଣିଦେଇପାରିବି । ମୁଁ କିନ୍ତୁ ନିଶ୍ଚିତ ନୁହେଁ କେଉଁ ପ୍ରକାରର ମାଂସ ଏବେ ବଜାରରେ ଉପଲବ୍ଧ । ମୁଁ ହଲାଲ୍- ୱାଲାଲ ବିଷୟରେ କିଛି ଜାଣେନି । ବାହାରେ ପରିସ୍ଥିତି ଏତେ ଖରାପ ସେ ଆନ୍ଧେରୀ ବଜାରରେ ପରିବାପତ୍ର ସବୁ ସଢୁଛି କିନ୍ତୁ କେହି ବିକ୍ରେତା ନାହାଁନ୍ତି । ଜଣେ ଯେତେ ଚାହିଁବ ସେତେ ଲୁଟି ପାରିବ ।

ରେଡ଼ିଓ କିନ୍ତୁ ବାରମ୍ବାର ଘୋଷଣା କରୁଥିଲା; ସହରରେ ପରିସ୍ଥିିତି ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । ଟ୍ରେନ୍ ସବୁ ଚାଲିଲାଣି । କିଛି ସ୍ଥାନରେ ତ ବସ୍ ବି ଗଡ଼ିବା ଆରମ୍ଭ କଲାଣି ।

ସେହି ଚାରି ଦିନ ସେ ନିଜ ପରିବାରକୁ ନେଇ ବହୁତ ଚିନ୍ତିତ ଥିଲା । ସେମାନେ ବି ତା’ ପାଇଁ ବହୁତ ଚିନ୍ତା କରୁଥିବେ । ସେ କିନ୍ତୁ ଡରୁଥିଲା ଗୋଟିଏ କଥାକୁ; ଫାତିମା କାଳେ ତାକୁ ଖୋଜି ଖୋଜି ବେକରୀରେ ପହଞ୍ଚିଯିବ । ସେ ଲୁଚିଥିବା ଝୁମ୍ପୁଡ଼ି ଘରୁ ରେଳ ଲାଇନ୍ ସବୁ ସ୍ପଷ୍ଟ ଦେଖାଯାଉଥିଲା । ସେ ଗତିଶୀଳ ଟ୍ରେନ୍ ସବୁକୁ ବି ଦେଖିପାରୁଥିଲା କିନ୍ତୁ ଭାଉ ତାକୁ ଯିବାକୁ ଦେଉ ନଥିଲା ।

ଟ୍ରେନଟି ପୁଣି ଚାଲିବା ଆରମ୍ଭ କଲା ତ ୟାସିନ ଗୋଟେ ଝଡ଼କାରେ ନିଜ ବାସ୍ତବ ସ୍ଥିତିକୁ ଫେରିଆସିଲା । ସେ ଲୋକଟି ଦରଜାର ହାଣ୍ଡଲକୁ ଧରି ବହୁତ ଧୀରସ୍ଥିର ଠିଆ ହେଇଥିଲା । ତା’ର ଡ଼ାହାଣ ହାତଟି ଏବେ ବି ପ୍ୟାଣ୍ଟ୍ ପକେଟରେ ଥିଲା । ଟ୍ରେନ୍ଟି ଘୋଷାଡ଼ି ହେଇ କିଛି ବାଟ ଆଗେଇଲା । କାହିଁକି ଟ୍ରେନର ବେଗ ବଢୁନି ? ସିଗନାଲ ନପାଇବାର କୌଣସି କାରଣ ଥିଲା ଭଳି ତ ଲାଗୁନି, କାହିଁକି ନା ବହୁତ ବେଶି ଟ୍ରେନ୍ ତ ଚଳପ୍ରଚଳ କରୁନି । ବିପରୀତ ଦିଗରୁ ବି କୌଣସି ଟ୍ରେନ୍ ଆସୁନି । ଟ୍ରେନଟି ସେମିତି ଧିମେଇ ଧିମେଇ ଚାଲିଲା ଏବଂ ଶେଷରେ ଭାୟାନ୍ଧର ବ୍ରିଜ ଉପରେ ଅଟକିଲା । ତଳେ ସମୁଦ୍ର ; ଖବରକାଗଜ ବିବରଣୀ ଅନୁସାରେ ପ୍ରାୟତଃ ଏହି ସ୍ଥାନରୁ ଅନେକ ମୃତ ଦେହ ଉଦ୍ଧାର କରାଯାଉଛି ।

ୟାସିନର ନିଶ୍ୱାସ ବନ୍ଦ ହେଇଗଲା ଭଳି ଲାଗିଲା । ଏହି ଆତଙ୍କ ଜୀବନକୁ କେତେ ଦୁର୍ବିସହ କରିଦେଇଛି ! ସେ ଲୋକଟି କାହିଁକି ପକେଟରୁ ହାତ କାଢୁନି ? ଲୋକଟି ଆଖିରୁ ସ୍ପଷ୍ଟ ଅନୁମେୟ ଯେ ସେ ଆକ୍ରମଣ କରିବାକୁ ପ୍ରସ୍ତୁତ । କ’ଣ ହେବ ଯଦି ଲୋକଟି ତା’ ଉପରେ ଆକ୍ରମଣ କରିବ? କ’ଣ ସେ ତାକୁ ବାହାରକୁ ଆସିବାକୁ ବାଧ୍ୟ କରିବ? ନା ତା’ର କେଶକୁ ଧରି ସେ ଲୁଚିଥିବା ସ୍ଥାନରୁ ଘୋଷାଡ଼ି ବାହାର କରି ଗଳାରେ ଛୁରୀ ଲଗେଇବ ? ସେ କ’ଣ କରିବ? କାହିଁକି ସେ କିଛି କରୁନି ଯେ?

ହଠାତ୍ ସେ ଲୋକଟି ପକେଟରୁ ହାତ ବାହାର କରି ତୃତୀୟ ଦରଜାଟିକୁ ଠେଲିବାକୁ ଲାଗିଲା; ସମ୍ଭବତଃ ବନ୍ଦ କରିବା ଉଦ୍ଧେଶ୍ୟରେ । ଏବେ ତ ଖସିଯିବାର ସବୁ ରାସ୍ତା ବନ୍ଦ୍ । ସେ ଯାହା ବି ହେଉ, ତଳେ ସମୁଦ୍ର । ଯଦି ୟାସିନ ଡ଼େଇଯାଏ ତ ମୃତ୍ୟୁ ଅବଶମ୍ଭାବୀ । ଭୟର ଚରମ ସୀମାରେ ସେ ପହଞ୍ଚି ଯାଇଥିଲା ଯେମିତି; ସେ ଯେମିତି ଏକ ଗୁମ୍ପାରେ ବନ୍ଦୀ ।

ହଠାତ୍ ସେ ଲୁଚିଥିବା ସ୍ଥାନରୁ ବାହାରି ପଡ଼ିଲା । ସେ ଲୋକଟି ଆଶ୍ଚର୍ଯ୍ୟଚକିତ ହେଇ ତାକୁ ଚାହିଁରହିଲା । ସେ ତା ହାତ ପୁଣି ପକେଟରେ ପୁରାଇଲା । କେଉଁଠୁ କେଜାଣି ୟାସିନର ଏତେ ଶକ୍ତି ଆସିଲା; ସେ ଚିତ୍କାର କଲା, ‘ ୟା ଅଲ୍ଲୀ,’ , ଲୋକଟିର ଗୋଡ଼କୁ ଜାବୁଡ଼ି ଧରିଲା ଓ ତାକୁ ଟ୍ରେନ ବାହାରକୁ ଫୋପାଡ଼ି ଦେଲା । ୟାସିନ ଶୁଣିଲା, ଖସିପଡ଼ୁଥବା ଅବସ୍ଥାରେ ଲୋକଟିର ଚିତ୍କାର, ‘ଆଲ୍ଲା..’

ୟାସିନ ସ୍ଥାଣୁ ପାଲଟିଗଲା । ଟ୍ରେନ ପୁଣି ଆଗେଇଲା । ବିସ୍ମିତ ୟାସିନ ଭାବୁଥିଲା, ‘ ସେ ବି କ’ଣ ମୁସଲମାନ୍ ଥିଲା? ’ କିନ୍ତୁ ଆତଙ୍କର ଫାଶରୁ ନିଜକୁ ମୁକୁଳାଇ ପାରିଥିବାରୁ ତାକୁ ଲାଗିଲା ଯେମିତି ସେ ମୃତ୍ୟୁର ଦ୍ୱାରଦେଶରୁ ଫେରିଆସିଛି ।

ସେହି ରାତିରେ ସେ ଫାତିମାକୁ କହୁଥିଲା, “ଏହି ଘଟଣାର ପରିସମାପ୍ତି ଏହିପରି ହେବାର ଥିଲା । କାରଣ ମୋ ପାଖରେ “ମୁଁ ମୁସଲ୍‌ମାନ୍” ବୋଲି କୌଣସି ତତ୍କାଳ ପ୍ରମାଣ ହିଁ ନଥିଲା ।”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top