ପ୍ରବନ୍ଧ

ଅରଣା ମଇଁଷି ରହିଛି ଅନାଇଁ

Shri Nishikanta Padhi's Odia Prose Aranaa Mainshi rahichhi Anaain

ଚିତ୍କାର କରି ଉଠିଲା ଝିଅଟା “ବାବା ଏଇ ଭୂତ ଗୁଡିକ କିଏ ବାବା”

ଅରଣା ମଇଁଷି ରହିଛି ଅନାଇଁ

ଅଶ୍ଳୀଳତା ଆଉ ଏକ ଶବ୍ଦ ହୋଇନାହିଁ କହିଲେ ଚଳେ । ଘର ବାହାର, ସହର ବଜାର, ସଭାସମିତି, ବାହାଘର ବ୍ରତଘର ସୁଧଘର ପୂଜା ପରମ୍ପରା ସବୁଥିରେ ଆଜି ଅଶ୍ଳୀଳତା ଦେଖିବାକୁ ମିଳୁଛି । ଅଶ୍ଳୀଳତା ଯେପରି ଆମ ରକ୍ତରେ ମିଶିଯାଇଛି । ଅଶ୍ଳୀଳତା ବିନା ସତେ ଯେପରି ଆମେ ଆଉ ବଞ୍ଚିପାରିବା ନାହିଁ । ଭାରତବର୍ଷର ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ବନ୍ଦନୀୟ ତଥା ମହାନ୍ ଅଟେ । ହେଲେ ନିଜ ସଂସ୍କୃତି ଓ ପରମ୍ପରାକୁ କଳୁଷିତ କରି ଭାରତୀୟମାନେ କାହିଁକି ଗୋଟିଏ ଲଙ୍ଗୁଳି ସଂସ୍କୃତିକୁ ଆପଣେଇ ନିଅନ୍ତି ତାହା ବୁଝିହୁଏନା । ତେବେ ଅଶ୍ଳୀଳତା ପଛର ରହସ୍ୟକୁ ନିଜ ନିଜର ଜ୍ଞାନ ଚକ୍ଷୁର ସହାୟତା ନେଇ ଉନ୍ମୋଚନ କରାଯାଇପାରେ । ଅନ୍ୟକୁ ସମ୍ମୋହନ କରି ଆକର୍ଷଣ କରିବା ପାଇଁ ଅଶ୍ଳୀଳତା ଯେଉଁ ଖୋରାକ୍ ଯୋଗାଇଥାଏ ତାହା ବୋଧେ ଅନ୍ୟ କୌଣସି ଉପାୟରେ ମିଳି ନଥାଏ । ପ୍ରଥମତଃ ଆସନ୍ତୁ ଆମର ଚଳଚ୍ଚିତ୍ର ଜଗତକୁ । ଯଦି ଛବିରେ ଅଶ୍ଳୀଳତା ନାହିଁ, ଗୀତରେ ଅଶ୍ଳୀଳ ପଦ ନାହିଁ କଥୋପକଥନରେ ଅଶ୍ଳୀଳ ଶବ୍ଦ ନାହିଁ, ପୋଷାକ ଅଙ୍ଗଭଙ୍ଗୀ ତଥା ଚାଲିଚଳନରେ ଅଶ୍ଳୀଳତା ନାହିଁ ତେବେ ସେ ଚଳଚ୍ଚିତ୍ରଟି କେବେ କମର୍ସିଆଲ ହୋଇପାରେ ନାହିଁ । ଦେହକୁ ନେଇ କହିଲେ ଚଳଚ୍ଚିତ୍ରଟି କୁଆଡେ ହିଟ୍ ହୋଇନଥାଏ । ଫଳରେ ଚଳଚ୍ଚିତ୍ର ବ୍ୟବସାୟରେ କ୍ଷତିହୁଏ । ମାଲିକ୍, ପ୍ରଯୋଜକ ସମସ୍ତେ ଦେବାଳିଆ ହୋଇପଡନ୍ତି । ତେଣୁ ଏବେ ଚଳଚ୍ଚିତ୍ର ଗୁଡିକରେ କିପରି ଅଶ୍ଳୀଳତା ରହିପାରିବ, ହିରୋ ହିରୋଇନ୍‌ମାନେ ଖୋଲା ଦେହ ଦେଖାଇ ନାଚିପାରିବେ, ସେଥିପ୍ରତି ଗଭୀର ଦୃଷ୍ଟି ଦିଆଯାଉଛି । ଅବଶ୍ୟ ସେନସର୍‌ର ନିୟନ୍ତ୍ରଣରେ ଚଳଚ୍ଚିତ୍ର ବଜାରକୁ ଆସୁଛି ହେଲେ ନଗ୍ନତା ତଥା ଅଶ୍ଳୀଳତାରୁ ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ମୁକ୍ତି ପାଇପାରୁନାହିଁ । ସେହିପରି ଆଜିର ଯାତ୍ରା ଜଗତ ମଧ୍ୟ ଅଶ୍ଳୀଳତା ଉପରେ ଗୁରୁତ୍ୱ ଦେବାର ଲକ୍ଷ୍ୟ କରାଯାଉଛି । ନାଚ ଗୀତ ତଥା ଚରିତ୍ରରେ ଅଶ୍ଳୀଳତା ନ ଥିଲେ ଯାତ୍ରାରେ ଲୋକ ଜମୁନାହାଁନ୍ତି । ଯାତ୍ରା ବହିର ନା ତଥା ଚଳଚ୍ଚିତ୍ରର ନାଁ ଗୁଡିକ ମଧ୍ୟ ଆଜିର ଯୁବକ ଯୁବତୀଙ୍କ ମନକୁ ଛୁଇଁଲା ପରି ଦିଆଯାଉଛି । ଏବେ ଆସନ୍ତୁ ଦୁରଦର୍ଶନର ପରଦା ଉପରକୁ । ଦୂରଦର୍ଶନ ଗଣମାଧ୍ୟମଟି ସମାଜରେ ଖୁବ୍ ଲୋକପ୍ରିୟ ଗଣମାଧ୍ୟମ । ଯାହାକୁ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଦେଖିଥାନ୍ତି । କିନ୍ତୁ ଏବେ ଦୂରଦର୍ଶନରେ ଏପରି ଅଶ୍ଳୀଳତା ଛବି ପରଦା ଉପରେ ନାଚି ଉଠୁଛି ତାହାକୁ ପରିବାରର ସମସ୍ତ ସଦସ୍ୟ ଏକତ୍ର ଦେଖିବା କେବେ ସମ୍ଭବପର ନୁହେଁ । କେଉଁଠି ଯୁବତୀକୁ ଗଣଧଷର୍ଣଣ କରାଯାଉଛି ତ କେଉଁଠି ଶିଶୁକନ୍ୟା ହତ୍ୟାକୁ ଯୌନ ନିର୍ଯ୍ୟାତନା ଦିଆଯାଉଛି । ଏସବୁର ନଗ୍ନ ତଥା ଅଶ୍ଳୀଳ ଛବି ସବୁ ଦୂରଦର୍ଶନରେ ପରଦାରେ ଭାସିଉଠୁଛି । ଯାହାକି ସମାଜ ତଥା ପରିବାର ପରି ପବିତ୍ର ଜୀବନ ଧାରାରେ ବିଶୃଙ୍ଖଳା ସୃଷ୍ଟିକରୁଛି । ଦିନେ ଜଣେ ଭଦ୍ରଲୋକ ଟିଭି ଆଗରେ ବସି ସମ୍ବାଦ ଦେଖୁଥିଲେ । ପାଖରେ ସାନଝିଅଟି ମଧୁବର୍ଣ୍ଣବୋଧ ବହି ପଢି ଚାଲିଥିଲା । ହଠାତ୍ ଏକ ଫଟୋ ପରଦାରେ ଭାସିଉଠିଲା । ଜଣେ ଧର୍ଷିତା ଯୁବତୀର ମୁହଁରେ ଏକ କଳା ପରଦା ପଡିଛି । ଜଣେ ଧର୍ଣଣକାରୀ ପାଖରେ ଛିଡା ହୋଇଛନ୍ତି ତାଙ୍କର ମୁହଁ ଉପରେ ମଧ୍ୟ ଏକ କଳାପରଦା ପଡିଛି । ଚିତ୍କାର କରି ଉଠିଲା ଝିଅଟା “ବାବା ଏଇ ଭୂତ ଗୁଡିକ କିଏ ବାବା” । ବାପା କଣ କହିବେ ….. ହଠାତ୍ ଆଖି ପକାଇଲେ ଝିଅର ବହି ଉପରକୁ । ଲେଖା ହୋଇଛି – “ଅରଣା ମଇଁଷି ରହିଛି ଅନାଇଁ” ସାଥି ସାଥି ବାପା କହିଲେ ଇଏ ‘ଅରଣା ମଇଁଷି ….. ଭାରି ମାରେଣା’ । ହେଇଟି ଲେଖା ହୋଇଛି ‘ମଇଁଷିର ପାଖ ନ ଯାଅ ଦନାଇ’ । ବାପା କହିଲେ ହଁ ମା ଅରଣା ମଇଁଷି ଭାରି ଖତରନାକ, ଶିଙ୍ଗରେ ଭୁସିଦେବ । ସେଥିପାଇଁ ପରା ତାର ଶିଙ୍ଗକୁ କଳାକନାରେ ବନ୍ଧାଯାଇଛି । ତେବେ ଏଇଠି ଚିନ୍ତା କରାଯାଇପାରେ, ପ୍ରକୃତରେ ଝିଅଟିକୁ ଭୁଲାଇବା ପାଇଁ ବାପା କଳ୍ପନାର ଯେଉଁ ଚରିତ୍ରଟିକୁ ସୃଷ୍ଟି କରିପାରିଛନ୍ତି । ବାସ୍ତବିକ୍ ତାହା ହିଁ ନଗ୍ନତା ତଥା ଅଶ୍ଳୀଳତାର ଯଥାର୍ଥ ପରିଚୟ ପରି ଆଜି ମନେହେଉଛି । ଆଜି ସଭ୍ୟ ପରିବାରର ଶିକ୍ଷିତ ମଣିଷମାନେ ମଧ୍ୟ ନିଜ ପିଲାମାନଙ୍କୁ ଅସଭ୍ୟ ତଥା ବର୍ବରତାର ପୋଷାକ ପିନ୍ଧାଇ ବାହାରକୁ ଛାଡୁଛନ୍ତି । ନିଜର ପିଲାଙ୍କୁ ଅନ୍ୟମାନେ କମେଣ୍ଟ କରନ୍ତୁ, ନିଜର ପିଲାମାନଙ୍କର ନଗ୍ନ ରୂପଦେଖି ଆଧୁନିକ ଯୁବସମାଜ ଯୌନ ଉଦ୍ଧାମତା ପ୍ରକାଶ କରୁ ତାହା ବୋଧେ ଆଜି ବାପା ମାଆମାନେ ଚାହୁଁଛନ୍ତି । ଏହାଦ୍ୱାରା ଆମର ଶୃଙ୍ଖଳିତ ସମାଜ ଦିନକୁ ଦିନ କଳୁଷିତ ହୋଇପଡୁଛି । ପିଲାମାନଙ୍କର ନାଚଗୀତର ପ୍ରତିଯୋଗୀତାରେ କିଏ ବେଶୀ ନଗ୍ନତା ପ୍ରଦର୍ଶନ କରିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ପତ୍ରପତ୍ରିକା, ଗଳ୍ପ, କବିତାରେ କିପରି ନଗ୍ନତା ଫୁଟିଉଠିବ ସେଥିପ୍ରତି ମଧ୍ୟ ଲେଖକ ଲେଖିକାମାନଙ୍କର ଘୃଣ୍ୟ ମାନସିକତା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଆମର ସଭ୍ୟତା ଓ ସଂସ୍କୃତି ଧ୍ୱଂସାଭିମୂଖୀ ହୋଇପଡିଛି । ତେବେ ଏହି ନଗ୍ନତା ଓ ଅଶ୍ଳୀଳତାର ଅରଣା ମଇଁଷି ଦିନେ ଆମର ଦେଶ ଓ ସମାଜକୁ କ୍ଷତବିକ୍ଷତ କରି ରକ୍ତାକ୍ତ କରିଦେବ ତାହା ଆମେ କେବେ ଅସ୍ୱୀକାର କରିପାରିବା ନାହିଁ । ତେବେ ସଭ୍ୟ ଓ ଶିକ୍ଷିତ ମଣିଷମାନଙ୍କୁ ବିନମ୍ର ନିବେଦନ ଏ ନଗ୍ନତା ଓ ଅଶ୍ଳୀଳତାର ଅରଣା ମଇଁଷିର ଆକ୍ରମଣରୁ ଏ ସମାଜକୁ ରକ୍ଷାକରନ୍ତୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top