କବିତା

ବୟସ ଅନ୍ତରାଳେ

Ajay Kumar Nandi's odia poem Bayasa Antaraale

ପୀଡା ଅନେକ ହୁଏ,
ବୟସକୁ ଡେଇଁଥିବା ଲୋକର ହୃଦୟରେ
କେବେ ଫୁଣି ବସନ୍ତ
ଅବା ଅନାଗତ ଭବିଷ୍ୟ ଲାଳସରେ ।

ବୟସ ବଡ଼ ଅଭାବୀ, ରୋକ୍‌ଠୋକ୍‌
ମନା କରିଦିଏ ଆଉକିଛି କ୍ଷଣ ସ୍ଥଗିତ ହେବାକୁ ।
ବସନ୍ତ ଯିବା ପରେ ବୃକ୍ଷ ଗୋଟାଏ ବ୍ୟତୀତ
ସମସ୍ତ ଫୁଲକୁ ତ୍ୟାଗ କରିଦିଏ,
ତା ମତରେ ! ସୁନ୍ଦର ପାଇଁ ଗୋଟିଏ ଫୁଲ ହିଁ କାଫି ।
ଅପରାହ୍ନରୁ ଦେଖୁ ଦେଖୁ ପୃଥିବୀରୁ ଦୂରେଇଯାଏ ଆଲୋକ,
ସନ୍ଧ୍ୟାର ଅନ୍ଧାରେ ଦୁର୍ଲ୍ଲଭ ଆଲିଙ୍ଗନ ଘଟେ
ପୁଷ୍ପ ଆଉ ଭୂମି ମଧ୍ୟରେ ।

ବୟସ ବାରମ୍ବାର ଉଚ୍ଛୃଙ୍ଖଳ ହୋଇ ବିସର୍ଜନ ନିଏ
ପରିତ୍ୟକ୍ତ ଗଭୀର କୂପରେ ।
ଶେଷ ପତ୍ରଟି ଲେଖିଥିଲି ଅନେକ ଲୁହକୁ ଏକତ୍ରିତ କରି,
ଝରକା ବାଟେ ବର୍ଷାର ଛିଟା ଜଳରେ ଭିଜି
ପତ୍ରରୁ ଝରେ ଟପ ଟପ ସ୍ୟାହି
ସତେକି ପତ୍ରଟି କେତେ ଅବାଧ୍ୟ ଲୁହରେ ସ୍ନାନ କରିଛି ।
ପୀଡା ଅନେକ ହୁଏ,
ବୟସକୁ ଡେଇଁଥିବା ଲୋକର ହୃଦୟରେ
କେବେ ଫୁଣି ବସନ୍ତ
ଅବା ଅନାଗତ ଭବିଷ୍ୟ ଲାଳସରେ ।

ପତ୍ର ଲେଖି ସାରିବା ପରେ ନିଇତି ସମୁଦ୍ର ପାଖେ
ଘଡିଏ ବସି ଦେଖେ ତାରା ଘେରିଯାଆନ୍ତି
ଚନ୍ଦ୍ର ଚାରିପାଖେ ବହୁ ବର୍ଷପୂର୍ବେ
ଲେଖିଥିବା ପତ୍ର ତମ ଠିକଣାରେ ପଠାଇବାକୁ
ଆଜିବି ଅକ୍ଷମ ଏବେ ସବୁ ତାରା ଦିଶେ
ଏକା ପରି ପବନରେ ଭାସି ଆସୁଥିବା
ବାଦଲ ଏକତ୍ରିତ ହୁଅନ୍ତି ନିଜ ନିଜ ଦୁଃଖରେ,
ଅନେକଙ୍କ ଦୁଃଖ ବୁନ୍ଦା ବୁନ୍ଦା ହୋଇ
ଖସିପଡ଼େ କାହାର ଅନୁରୋଧରେ,
ଯାହା ଶରୀର ଶିରା ପ୍ରଶିରା ପ୍ରବାହିତ ।

କୁଆଡେ ଯିବି ମୋ ଅବସର ଦିନାନ୍ତେ, ଯଦି
ନିଛାଟିଆ ବିଲବାଟେ ସ୍କୁଲ ଆଡେ ଯାଏ ତେବେ
ଲୋକେ କହିବେ ଶେଷଥର ପାଇଁ
ନିଜର ଚଗଲାପଣକୁ ଖୋଜିବା ସକାଶେ ଆସିଛି ।
ଚିତ୍ତ ଚଞ୍ଚଳଥିଲା ଡର ଛାୟା ଲିଭିଥିଲା,
ଲଗାମ ନଥିବା ଶିଶୁମନର ସାହସ
ଜୀବନକୁ କରିଥିଲା ବିରାମ ହୀନ ।

ସତେ ଯଦି ସିନେମା ହଲ ଆଡେ ଯାଏ ତେବେ
ହୁଏତ ଲୋକେ ହସି କହିବେ ଯୁବା ବେଳେ
କେତେ ଯୌବନାକ୍ରାନ୍ତ ସିନେମା ଦେଖିଥିବେ ।
ମୃତ୍ୟୁ ହୁଏ ଏକ ଅବିଶ୍ୱାସ, ପରଦାରେ ନାୟିକାର ନୃତ୍ୟ
ଜଗତଯାକରେ ତାରି ନୃତ୍ୟର ପ୍ରଶଂସା ।
ମୋ ଅବସର ଦିନାନ୍ତେ ଯଦି ଏଭଳି କାର୍ଯ୍ୟ କରେ ତାହାହେଲେ
ସମାଜ ଭାବିବେ ମୁ ଅପରିମିତ ସୁଖସନ୍ତୋଷର ଜନକ,
ସବୁ କାର୍ଯ୍ୟ ପରି ମୃତ୍ୟୁକୁ ହାତଠାରି ଡାକିବା ପରେ
ଲୁଚିବା କିମ୍ବା ପଳାୟନ କରିବା ଅଯଥାରେ
କାତରତା ଦେଖାଇବାର କୌଣସି କାରଣ ନାହିଁ ।

ମୁ ଯୁଆଡେ ଯାଏଆସେ ପଛେ
ପୃଥକ ହେବ ଭିନ୍ନଏକ ଜୀବନ୍ତ ଦିନ ।
ଖାଲିଦେହେ ନଈ ପହଁରିବା ରାସ୍ତାରେ ଦୌଡିବା
ଏପରି ଉପରବେଳା ଚାଲିଯିବ ସେ ଲୋକର
ଅତୀତଦିନ ଗୁଡିକ ଏଭଳି ପ୍ରାଣତ୍ୟାଗ ହୋଇଥିଲା ।
ମୃତ୍ୟୁ ପର୍ଯ୍ୟନ୍ତ ସେ ଚାଲୁଥିଲା,ଝାପ୍ସା ରାତିରେ
ଲୁଚକାଳି ଖେଳି ବୁଲେ ତାରାସହ , ନିଜ ଛାଇସହ
ଖୋଜିବୁଲୁ ଥାଏ ନିରପରାଧୀ ଲତା ଗହଳରେ ଛପିଥିବା ଜ୍ୟୋସ୍ନାକୁ ଧରିବାକୁ ।
ସେ ଚାଲିବ ସେମିତି ଖାଲିପାଦରେ,
ପ୍ରତ୍ୟାବର୍ତ୍ତନର ସମସ୍ତ ଦ୍ୱାର ମୁକ୍ତ ଅନ୍ୟ ସମୟ ପରି
ମୁର୍ଦ୍ଦାରଙ୍କ ସହରରୁ ପର୍ବତଙ୍କ ଶିଖରେ ଘଟିଥିବା ରୂପାନ୍ତରରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top