ରାଜାଙ୍କର କର୍ମ, ଧର୍ମ, ଦୟା, କ୍ଷମା
ଶାନ୍ତି ଆଣେ ରାଇଜକୁ
ପତ୍ନୀଟିର ପ୍ରେମ, ସହିଷ୍ଣୁତା ପଣ
ଶାନ୍ତି ଆସେ ଆଳୟକୁ ।।
ସଦଗୁରୁ ଜଣେ ଶିକ୍ଷା ଦୀକ୍ଷା ଦେଇ
ସମାଜରେ ଶାନ୍ତି ଆଣେ
ପରିବାର ମଧ୍ୟ୍ୟ ସୁବିବେକୀ ପିତା
ଶାନ୍ତି ଆଣେ ପ୍ରତି କ୍ଷଣେ ।।
ଉତ୍ତମ ବନ୍ଧୁଟି ଜୀବନରେ ଥିଲେ
ଶାନ୍ତି ହୃଦୟରେ ବସେ
ଏହି ସଂସାରରେ ମିଷ୍ଟଭାଷିଜନ
ବଚନରେ ଶାନ୍ତି ବିଞ୍ଚେ ।।
ସତ୍ୟକୁ ଆଦରି ସତ୍ୟ ଅନୁସରି
ଯେଉଁ ଜନ ଚାଲୁଥାଏ
ଦୁଃଖ କଷ୍ଟ ମଧ୍ୟ୍ୟ ପ୍ରଭୁଙ୍କୁ ସେବିଲେ
ଆତ୍ମଶାନ୍ତି ପ୍ରାପ୍ତ ହୁଏ ।।
ସନ୍ତରଣ ଶିଖି ହୁଏ ନା ଯେମିତି
ଜଳେ ପ୍ରବେଶ ନକଲେ
ଜୀବନରେ ଶାନ୍ତି ଆସେ ନାହିଁ କେବେ
ସତ୍ୟ ପାଥେୟ ନକଲେ ।।
କ୍ରୋଧ କଲେ ଶାନ୍ତି ଅପସରି ଯାଏ
ଆଣଇ ନାନା ଦୁର୍ଗତି
ଧର୍ଯ୍ୟ ରଖିଥିଲେ ପ୍ରାପ୍ତ ହୁଏ ଶାନ୍ତି
ଦ୍ବିଗୁଣିତ ହୁଏ ନିତି ।।
କାହାଠାରୁ କିଛି ଆଶା ରଖିଥିଲେ
ଅଶାନ୍ତି ଆସେ ଘନେଇ
ଜୀବନେ କାହାକୁ ଶତ୍ରୁ ଭାବିଥିଲେ
ଶାନ୍ତି ଯାଏ ଦୂର ହୋଇ ।।
ନିଜଠୁ କାହାକୁ ଅଧିକ ବିଶ୍ୱାସ
କଲେ ନମିଳଇ ଶାନ୍ତି
ଯାହା ସୁଖ ଶାନ୍ତି ଜୀବନେ ମିଳୁଛି
ପ୍ରାରବ୍ଧ ବିଚାରୀ ଥାନ୍ତି ।।
ନିଜ ଦୁଃଖ ନିଜ ପାଖେ ରଖି ଦେଲେ
ଅଶାନ୍ତି ନୋହିବ ପ୍ରାପ୍ତି
କର୍ମ ବ୍ୟସ୍ତ ରହି ଫଳକୁ ନ ଚାହିଁ
ସାଉଁଟ ଶାନ୍ତିର ତୃପି ।।
ଏଇ ଜୀବନଟା ଅଢେଇ ଦିନିଆଁ
କେବେ ସୁଖ କେବେ ଦୁଃଖ
ସତ୍ୟ ଶାନ୍ତି ପ୍ରୀତି ବିତରଣ କଲେ
ଆତ୍ମ ପ୍ରାପ୍ତି ହେବ ସୁଖ ।।
କିଏ ଜାଣେ କେଁଉ ରାତି ଜୀବନରେ
ହୋଇଯିବ ଶେଷ ରାତି
ସମାଜ ମଙ୍ଗଳେ ଶାନ୍ତି, ମୈତ୍ରୀ, ପ୍ରୀତି
ଦେଇ ରଖି ଯିବା ସ୍ମୁତି ।।
