କବିତା

ମୋତେ ଟିକେ ଛୁଇଁ ଦେଇ ଯିବ

Dr Nilamadhab Kar's odia poem Mote Tike Chhuin Dei Jiba

ସେ ଡରକୁ ଲୁଚେଇ, ହସଟେ ଖୋଜିବାକୁ
ମନ ସଙ୍ଗେ ଲଢିବାକୁ ପଡ଼େ
ଡବ ଡବ ଉଛୁଳା ଲୁହକୁ ଲୁଚେଇ ହୁଏନି
କାନ୍ଦି ପକେଇଲେ ଉଶାସ ଲାଗେନି

ଏଣିକି ବାହାରକୁ ଗଲେ
ମୋତେ ଟିକେ ଛୁଇଁ ଦେଇ ଯିବ
ଏମିତି ପାଦ ଚିପିଚିପି ବାହାରି ଯିବନି,
କାଳେ ମୋ ନିଦ ଭାଙ୍ଗିଯିବ ବୋଲି

ତମ ମନକୁ ବୁଝେଇ
କାହିଁକି ଉଠେଇବ ବୋଲି
ଧିରେ, ଧୀର ସ୍ଵରରେ ‘ଆସୁଛି’ ବୋଲି
କହିଦେଇ ଆଉଜେଇ ଦେବନି କବାଟ

ତମ ହୃଦୟର ନିରବତା
ତ’ ଶୁଭେ ମୋତେ କୋଳାହଳ ପରି
ପତଳା ଲାଗିଲେ ତମ ନିଶ୍ଵାସର ସ୍ପର୍ଶ
ଛାଡ଼ିଯାଏ ମୋ ଦେହରୁ ପ୍ରାଣ

ଏମିତି ବାହାରି ଗଲା ବେଳେ ତମେ,
ପ୍ରତିଥର ମୋତେ ଟିକେ ଡର ମାଡ଼ି ବସେ
କାଳେ ଏଥର ହିଁ ଶେଷ ଦେଖା ବୋଲି
ନିସଙ୍ଗ, ନିସ୍ଵ ହେଇଯିବାର ଅନୁଭବ ଛାଏ

ସେ ଡରକୁ ଲୁଚେଇ, ହସଟେ ଖୋଜିବାକୁ
ମନ ସଙ୍ଗେ ଲଢିବାକୁ ପଡ଼େ
ଡବ ଡବ ଉଛୁଳା ଲୁହକୁ ଲୁଚେଇ ହୁଏନି
କାନ୍ଦି ପକେଇଲେ ଉଶାସ ଲାଗେନି

ଯେତେ ଡରିଲେ ବି, ଏ କଥା ତ ସତ,
ତମେ ମୋତେ ଛାଡ଼ି ଚାଲି ଯିବ ଦିନେ
ବା ତମେ ଫେରିଲା ବେଳକୁ
ମୁଁ ଆଉ ନଥିବି, ଏଇଠି

ଶୁନ୍ୟ କୋଠରୀରେ
ମୋ ଆତ୍ମା ଥିବ ତମ ଅପେକ୍ଷାରେ
ଶୁଖି ଯାଇଥିବା ଫୁଲର ମହକରେ ଛପି
ତମେ ଛାଡ଼ି ଯାଇଥିବା ନିଶ୍ୱାସ ଥିବ କିଛି

ତମକୁ ଛୁଇଁବାକୁ, କୋଳେଇବାକୁ,
ପୋଛିବାକୁ ତମ ଆଖିର ଆଦ୍ରତା
ଇଚ୍ଛା ହେଉଥିବ,
କିନ୍ତୁ ହାତ ପାଉ ନଥିବ

ସଞ୍ଜ କି ସକାଳ, ଦେଶ କି ବିଦେଶ
କ୍ଷଣଟେ ପାଇଁ, କି ସମ୍ପୂର୍ଣ୍ଣ ଆୟୁଷ
ଏଣିକି, ଯିବା ବେଳକୁ,
ମୋତେ ଟିକେ ଛୁଇଁ ଦେଇ ଯିବ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top