କବିତା

କେଁ କଟର

Dr Nilamadhab Kar's odia poem Ken Katara

ଦି’ଟା ସମାନ୍ତରାଳ ଜୀବନ,
ଦି’ଟା ଅଚିହ୍ନା ମଣିଷ, ଅଶରୀରି ପରି,
ଚାରିକାନ୍ଥ ବେଢା କୋଠରୀରେ,
ଦିନସବୁ ଆସେ ଯାଏ,
ବିତେନି ସମୟ ସେଠି
ଅସହ୍ୟ ଋତୁର

କେଁ କଟର, କେଁ କଟର, ଆଉ ନାହିଁ,
ସେଥିରେ ଯାଏ ଆସେ ନାହିଁ କିଛି,
ଘର ଏବେ ଶୁନଶାନ,
ସକାଳ, ସଞ୍ଜ, ସବୁ ନିରବ, ସେମିତି ସେମିତି

ଲଢ଼ି ଲାଭ କଣ,
ଯାହା ପାଇଁ ସାରା ଦୁନିଆକୁ ପଛରେ ଛାଡ଼ି
ଏତେ ବାଟ ଚାଲି ଆସିବା ପରେ
ଯଦି, ସେ ବୁଝିଲାନି, ମାନ, ଅଭିମାନ
ମରମ, ଦରଦ
ଆଉ କେତେ ପାଟି ଫିଟେଇ କହିବ ମଣିଷ

ପଛକୁ ଚାହିଁ ହୁଏ ସିନା,
ଫେରି ହୁଏନି,
ବହିଗଲା ପାଣି ପରି,
ଉଜାଣି ବହେନି ପବନ

ସେ ହୁଏତ ବୁଝିପାରିଲାନି, ବା ବୁଝି, ବୁଝିଲାନି,
ବା ମୁଁ ବୁଝି ପାରିଲିନି,
ଆପଣେଇ ପାରିଲିନି
ବୁଝେଇ ପାରିଲିନି ନିଜକୁ,
ଏ ଅବୁଝାମଣାର କୁହୁଡ଼ିରେ, ଗ୍ଲାନିରେ
ଉବୁଟୁବୁ, ଅଣନିଶ୍ଵାସୀ ଏବେ ସମୟ

ଯାହା ପାଇଁ ଏତେ ସ୍ଵପ୍ନ,
ସେ ସେମିତି ଅଜଣା ରହିଗଲା
ପର ମଣିଷଟେ ହେଇ ରହିଗଲା
ସାତ ପାଦ ଚାଲିବାଠୁ
ଜୀବନଟେ ବିତିବା ପରେ ବି

ଚେଷ୍ଟାକରି ତ ଚାହିଁ ହୁଏନି କାହାକୁ,
ଦେହକୁ ବାନ୍ଧି ଦେଇ ଭଲପାଇ ହୁଏନି
ଦେହକୁ ବନ୍ଧା ପକେଇ ଭଲପାଇ ହୁଏନି
ନିଖୁଣ ବିଶ୍ଵାସ ବିନା, ନିଜର କରି ହୁଏନି
ଦୟା ଓ କ୍ଷମାରେ ସହି ହୁଏ ଖାଲି

ଦି’ଟା ସମାନ୍ତରାଳ ଜୀବନ,
ଦି’ଟା ଅଚିହ୍ନା ମଣିଷ, ଅଶରୀରି ପରି,
ଚାରିକାନ୍ଥ ବେଢା କୋଠରୀରେ,
ଦିନସବୁ ଆସେ ଯାଏ,
ବିତେନି ସମୟ ସେଠି
ଅସହ୍ୟ ଋତୁର

ସବୁ ନାଟକ ପରି ଲାଗେ,
ଧୂପ ମହକ ବ୍ୟାପେ,
ଘଣ୍ଟି ବାଜେ, ଚଉଁରା ମୂଳରେ ସଞ୍ଜ ଜଳେ,
ନିରର୍ଥ ଜୀବନରେ ବି ହସି ହୁଏ, କାନ୍ଦି ହୁଏ,
ବଞ୍ଚି ହୁଏ

ବାଧ୍ୟ ହେଇ ଶୋଇବାକୁ ହୁଏ
ଦେହ ଆଉ ଦେହ ସହ, ଏକା ବିଛଣାରେ
ନିଶ୍ଵାସ ସବୁ ଗଣୁଗଣୁ ରାତି ପାହିଯାଏ,
ଆର ସକାଳରେ ଆଉ ନ ଉଠିବା ପାଇଁ,
ଅପେକ୍ଷାଟେ ଘାରି ଥାଏ ଅନ୍ଧାରରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top