ଅଣୁଗଳ୍ପ

ମେଲାଘର

Biraja Routray's odia short story Melaghara

ଦଦେଇ…. ଉଠ… । ରାତି ପାହି ସାରିଲାଣି ! ଆଉ ଅପେକ୍ଷା କରି ହେବନି… ଆମେ ନେଇ ଯିବୁ… ।” ନିକୁଞ୍ଜର ଡାକରେ ସଚେତ ହୋଇ ଉଠି ବସିଲେ ଲୋକନାଥ ବାବୁ । କାନକୁ ଦାଣ୍ଡପଟୁ ଶୁଭୁଥାଏ… “ରାମନାମ ସତ୍ୟ ହେ… ହରିନାମ ସତ୍ୟ ହେ ।

ରାତି ଯେତିକି ବହଳ ପାଲଟୁଥାଏ, ସେତିକି ସେତିକି ଉତ୍କଟଗନ୍ଧ ଅଦୃଶ୍ୟ ଧୂଆଁର କୁଣ୍ଡଳୀ ପରି ଜମାଟ ବାନ୍ଧୁଥାଏ ‘ଅନୁଲୋକ ନିଳୟ’ର ଦରଆଉଜା ମେଲାଘର ଭିତରେ । ଘର ଭିତରେ ରାତିର ଚେହେରା ଗମ୍ଭୀର ଉଦାସରେ ଭରପୂର ଏକ ନିଛାଟିଆ ଖରାବେଳ ପରି ଖୁବ୍ ଏକାନ୍ତ ପାଲଟି ଯାଇଥାଏ । ଲୋକନାଥ ବାବୁଙ୍କ ଅସ୍ଥିର ଚିତ୍ତକୁ ବୋଧ ଦେଇପାରୁ ନଥାଏ ତାଙ୍କର ଦୁଇ ଅବସନ୍ନ ପାଦ । ମଝିରେ ମଝିରେ ନିଜ ଉଦ୍‌ଗ୍ରୀ ବତାକୁ ପ୍ରଶମିତ କରିବାକୁ ଯାଇ ମେଲାଘରର ସାମ୍ନା ଦରଆଉଜା କବାଟ ନିକଟକୁ ଯାଆନ୍ତି । ପିନ୍ଧା ମୋଟା ଚଷମା କାଚର ପଛରୁ ଆତୁର ହୋଇ ଚାହାନ୍ତି ବାହାର ପଟ ଦାଣ୍ଡକୁ ।

ବାହାର ପଟ ଦରଜା ଉପରେ ଲାଗିଥିବା ବଲ୍‌ଟି ରାତିର ଅନ୍ଧାରକୁ ଆଂଶିକ ଘଉଡ଼ାଇ ଦେବାକୁ ଚେଷ୍ଟିତ ଥାଏ । ଦାଣ୍ଡ ପିଣ୍ଡାର ଗୋଟିଏ ପଟେ ଗାମୁଛା ପାରି ଗଡୁଥାନ୍ତି ଘରର ବର୍ତ୍ତନଭୋଗୀ ସେବକ ବାରିକ ସାହିର ହରିଆ ଓ ଆର ପଟରେ ଧୋବା ସାହିର ବଇଁଶୀ । କବାଟ ଖୋଲିବାର କେଁ… ଶବ୍ଦରେ ଦୁହେଁ ଧଡ଼ପଡ଼ ହୋଇ ଉଠି କିଛି ନିର୍ଦ୍ଧେଶ ଅପେକ୍ଷାରେ ବଲବଲ ଆଖିରେ ଦୁଇପଟୁ ଚାହିଁରହନ୍ତି ଲୋକା ସାଆନ୍ତଙ୍କ ଆଡ଼କୁ । ଥରେ ଥରେ ସେମାନଙ୍କ ଆଡ଼କୁ ମୁହଁ ଘୂରାଇ ଚାହିଁ ପୁଣି ପଛକୁ ପାଦ ଫେରାନ୍ତି ଲୋକନାଥ ବାବୁ । ବାଟ କବାଟ ପୁଣି ଥରେ କେଁ… ଶବ୍ଦ କରି ଆଉଜି ହୋଇଯାଏ ।

ମେଲାଘରର ଖଟ ଉପରେ ପତ୍ନୀ ଅନୁସୂୟାଙ୍କ ଚଦରଢଙ୍କା ମଲାଦେହ । ସେଇଠି ମୁଣ୍ଡ ପାଖରେ ଥମ୍ କରି ବସିଯାଆନ୍ତି ଦଣ୍ଡେ । ତକିଆ ଉପରେ ପଦାକୁ ଦିଶୁଥିବା ବିକ୍ଷିପ୍ତ ପାଚିଲା କେଶ ଅରାକ ଉପରେ ନିଜ ଶୀର୍ଣ୍ଣ ହାତକୁ ସାଉଁଳାଇ ବିରହୀ କପୋତ ପରି ଗୁମୁରି ଉଠନ୍ତି, “ତମେ ସବୁବେଳେ କହୁଥିଲ, କାହାକୁ ନା କାହାକୁ ଦିନେ ଏକା ହେବାକୁ ପଡ଼ିବ ! ସେହିକଥା ଭାବି ମୁଁ ଶିହରି ଯାଉଥିଲି ଆତଙ୍କରେ । ଶେଷରେ ପାଳି ମୋର ପଡ଼ିଲା!” ତାଙ୍କ କରୁଣ ମୁହଁଟି ଆହୁରି ଉତ୍କୀର୍ଣ୍ଣ ହୋଇ ଉଠୁଥାଏ ବିରହର ବେଦନାରେ ।

ପାଖାପାଖି ଦୁଇ ସପ୍ତାହ ହେବଣି ଅନୁସୂୟା ଖାଦ୍ୟ ଢୋକିବା ବନ୍ଦ କରିଦେଇଥିଲେ ଏକ ପ୍ରକାର । ଅତି କଷ୍ଟରେ କେବଳ ହର୍ଲିକ୍ସ ଗୋଳେଇ ଦେଲେ ନତୁବା ଫଳରସ ଟିକେ ପିଉଥିଲେ । ସେତିକି ବି ଅଟକି ଯାଇଥିଲା ଏଇ ଚାରିଦିନ ଆଗରୁ । ବାକି ଶେଷ କେଇ ମୁଠା ନିଃଶ୍ୱାସ ସହ ସଂଘର୍ଷ କରି ବଞ୍ଚିବାର କେବଳ ନାମମାତ୍ର ଅସ୍ତିତ୍ୱକୁ ଧରି ପଡ଼ିରହିଥିଲେ ସେ । ଛାତି ଭିତରେ ଉଇ ଚରିବା ପରି ସେହି ଆଗତ ବିଚ୍ଛେଦର ଚରମ ପରିଣାମକୁ କଳନା କରି ମ୍ରିୟମାଣ ହୋଇ ପଡୁଥାନ୍ତି ଲୋକନାଥ ବାବୁ । ପତ୍ନୀଙ୍କ କ୍ଷୀଣ କଣ୍ଠରୁ ବାହାରୁଥିବା ଅନ୍ତିମ ମନୋବାଞ୍ଛାକୁ ପୂରଣ କରିବା ପାଇଁ ସେ ବ୍ୟତିବ୍ୟସ୍ତ ହୋଇପଡ଼ି ଜଣାଇଥିଲେ ପୁଅ ପିଣ୍ଟୁକୁ ।

– “ଏଇ ମାସେ ତଳେ ତ ଯାଇଥିଲି ବାପା ! ପୁନେକୁ ତ କଟକ-ଭୁବନେଶ୍ୱର ପରି ଗାଁ ପାଖରୁ ସବୁଦିନ ବସ୍ ଯା’ଆସ କରୁନି ଯେ, ଆପଣ କହିଲେ ମୁଁ ସାେଙ୍ଗ ସାେଙ୍ଗ ଚାଲିଯିବି ! ତା’ ଛଡ଼ା ବୋଉ ତ ତିନିମାସ ହେବଣି ବିଛଣା ଧରିଲାଣି ! ଏହା ଭିତରେ ମୁଁ ଥରେ ଯାଇ ଆସିସାରିଲିଣି । ଆପଣ ଜାଣନ୍ତି, ଥରେ ଗାଁକୁ ଆସିବାକୁ ପ୍ଲାନିଂ କଲେ ସାତଦିନ ବରବାଦ ହୁଏ । ଏକେତ ମୋର ଅଫିସ୍ ଛୁଟି, ତା’ ସହିତ ସେତିକି ଦିନ ଚିକୁର ବି ସ୍କୁଲ ବନ୍ଦ !”

ପିଣ୍ଟୁର ଏଇ ଟାଆଁସିଆ କଥା ତାଙ୍କୁ ଶକ୍ତ ଆଘାତ ଦେବା ସତ୍ତ୍ୱେ ପତ୍ନୀଙ୍କ ଶେଷ ଅଭିଳାଷକୁ ପୂରଣ କରିବା ପାଇଁ ସେ ଆଉ ଥରେ ଅନୁନୟ କରିଥିଲେ ।

– “ନାଇଁ ବାପା, ଏବେ ଯିବାଟା କୌଣସି ମତେ ସମ୍ଭବପର ନୁହେଁ ! ବୋଉର କିଛି ହେଲେ ଯାଇ ମୋତେ ଜଣେଇବେ ! ମୁଁ ଏକାଥରେ ଛୁଟି ନେଇ ଯିବି ।”

ତାଙ୍କ ଶେଷ ପ୍ରୟାସର ଦ୍ରୁମଟି କୁରାଢ଼ିର ଶେଷ ଚୋଟରେ ଧରାଶାୟୀ ହେବା ପରି ସେପଟୁ ପୁଅ ରୋକଠୋକ ନିରାଶାର ବାଣୀ ଶୁଣାଇ ଦେଇଥିଲା ।

ପଛରେ ଛାଡ଼ି ଆସିଥିବା ଗୋଟିଏ ଲମ୍ବା ଅତୀତର କଲିଜା ଥରି ଉଠୁଥାଏ ସୀମାହୀନ ନୀରବ ଯନ୍ତ୍ରଣାରେ । ବାହାଘରର ଦଶବର୍ଷ ପରେ ପିଣ୍ଟୁର ଜନ୍ମ । ଦୀର୍ଘବର୍ଷ ଧରି ନାନାଦି ମାନସିକ, ଓଷାବ୍ରତ ଓ ପୂଜାପାଠ କରି ସଂସାର ପ୍ରତି କିଛିଟା ବୈରାଗୀ ହୋଇପଡ଼ିଥିବା ଅନୁସୂୟାଙ୍କ ଦୁଇଆଖିରେ ସତେ ଯେପରି ଗୋଟିଏ ଭରପୂର ଆଶା-ଆକାଂକ୍ଷା ଭରା ଜୀବନ କୁଆଁ ମେଲିବା ଆରମ୍ଭ କରିଦେଇଥିଲା । ସେ ହିଁ ପ୍ରସ୍ତାବ ଦେଇଥିଲେ, “ଆମ ଦୁହିଁଙ୍କ ବୟସ ଏମିତିରେ ପାଖାପାଖି ଅଧା କଟିଗଲାଣି । ଚାଲ, ଆମର ଏଇ ତିନିପିଢ଼ିର ଖଞ୍ଜାଘର ଭାଙ୍ଗି ନୂଆ ଛାତ ଘରଟେ ତୋଳିବା । ପିଲାଟାର ପୁଣି ଭବିଷ୍ୟତ କଥା ଭାବିବା ନା ନାହିଁ?”

– “ପୁଅ ତା’ର ବଡ଼ହେଲେ କୁଆଡେ଼ ପାଠପଢ଼ି ଯାଇ ଚାକିରି ବାକିରି କରିବ । ତୁମେ ତା’ ରହିବା ଚିନ୍ତା କାହିଁ କରୁଛ?” ତାଙ୍କର ଭାବାବେଗରେ ସାମାନ୍ୟ ବାଧାଦେଇ ପ୍ରଶ୍ନ କରିଥିଲେ ସେ ।

– “ମଲା, ଯୁଆଡେ଼ ଗଲେ ବି କ’ଣ ଅନ୍ତନାଡ଼ିରୁ ସମ୍ପର୍କ ଛିନ୍ନ କରିଦେବ ନା କ’ଣ?” ଅନୁସୂୟାର ନିର୍ମଳ ଆଖିରେ ଭରସାର ମେଘପଟଳ ସବୁ କଥାକୁହା ପ୍ରଶ୍ନିଳ ଆବେଗରେ ଚାହିଁ ରହିଥିଲେ ତାଙ୍କରି ଆଡ଼କୁ ।

ଜିପିଏଫ୍‌ରୁ ଉଠାଣ ପରେ ଦୁହିଁଙ୍କ ନାମର ଯୁଗ୍ମସୌଧ ଉପରେ ତୋଳା ହୋଇଥିଲା ‘ଅନୁଲୋକ ନିଳୟ’ ।

କେବେ ଭାବି ନଥିଲେ ଅନୁସୂୟାର ଏଇ ହାତଗଢ଼ା ନିଳୟ, ତା’ର ସାଇତା ସ୍ୱପ୍ନର ଇମାରତ ଦିନେ ଅନ୍ତଃହୀନ ଶୋକରେ ଏକ ଖାଁ ଖାଁ ବଳୟ ପାଲଟି ଯିବ ।

ସକାଳୁ ଉର୍ଦ୍ଧ୍ଵନିଃଶ୍ୱାସ ଛାଡ଼ିବା ଦେଖି ପାଣି ଟୋପେ ଟେକି ଦେଇଥିଲେ ପାଟିରେ । ହେଲେ, ତଣ୍ଟିରୁ ଭିତରକୁ ଗଳିଲା ନାହିଁ । ଗୋଟେ ହିକ୍କା ସହ ଫେରିଗଲା ତା’ ଘଟରୁ ପ୍ରାଣ ।

ସାହିଭାଇ ପ୍ରସ୍ତାବ ରଖିଥିଲେ, “ଏତେ ଗୁଡ଼ାଏ ବାଟରୁ ପିଣ୍ଟୁର ଆସିବାକୁ ଅପେକ୍ଷା ନ ରଖି ଦାହ ପାଇଁ ନେଇଯିବା । ତା’ ବଦଳରେ ତୁମ ପୁତୁରା ଟୋକା ନିକୁଞ୍ଜ ମୁଖାଗ୍ନି ଦେଇଦେଉ । ଏମିତି ଅପେକ୍ଷା କଲେ ଏଣେ ବାସିମଡ଼ା ହୋଇଯିବ ଯେ!”

ଅଟକାଇ ଥିଲେ ସେ । କହିଥିଲେ, “ପ୍ଲେନ୍‌ରେ ତ ଆସିବ, ଟିକେ ଡେରି ହେଲେ ହେବ । ଶବ ସତ୍କାର ପୂର୍ବରୁ ପୁଅଟା କ’ଣ ମା’ର ମୁହଁ ଟିକେ ଦେଖିବନି?”

– ହଉ… ତେବେ…, ସାହିଭାଇଙ୍କ ଭିଡ଼ ଅପସରି ଯାଇଥିଲା ମେଲାଘରୁ । ଅବୁଝା ଗଣିତ ପରି ଅନୁସୂୟାର ଶବଟା ଅପେକ୍ଷାର ଆଁ… ମୁହଁରେ ହିଁ ଅଟକିଯାଏ ଢେର୍ ରାତି ଯାଏ ।

ଛାଇ ନିଦର ଚଦରଟିଏ କେତେବେଳେ ଲୋକନାଥ ବାବୁଙ୍କ ଦୁଇ ଅପେକ୍ଷାମାଣ କ୍ଳାନ୍ତ ଆଖିପତାକୁ ଘୋଡ଼ାଇ ପକାଇଥାଏ । ସେହି ଛାଇଛାଇକା ସ୍ୱପ୍ନରେ ସେ ଦେଖୁଥାନ୍ତି ଅବିକଳ ତାଙ୍କ ପରି ଲାଗୁଥିବା ଜଣେ ଲୋକଟି ଏକ ପରିପୂର୍ଣ୍ଣ ଭରା ଆଖିରେ ଚାହିଁ ରହିଥାଏ ମେଲାଘରର କାନ୍ଥରେ ଟଙ୍ଗା ଏକ କାଚ ବନ୍ଧେଇ ଫଟୋଆଡ଼କୁ । ଯେଉଁଥିରେ ଜଣେ ଉପବେସିତ ଦମ୍ପତିଙ୍କ କୋଳରେ ପୁନେଇ ଜହ୍ନ ପରି ଚହଟୁଥାଏ ଏକ ଶିଶୁର ଦରୋଟି ହସ ।

“ଦଦେଇ…. ଉଠ… । ରାତି ପାହି ସାରିଲାଣି ! ଆଉ ଅପେକ୍ଷା କରି ହେବନି… ଆମେ ନେଇ ଯିବୁ… ।” ନିକୁଞ୍ଜର ଡାକରେ ସଚେତ ହୋଇ ଉଠି ବସିଲେ ଲୋକନାଥ ବାବୁ । କାନକୁ ଦାଣ୍ଡପଟୁ ଶୁଭୁଥାଏ… “ରାମନାମ ସତ୍ୟ ହେ… ହରିନାମ ସତ୍ୟ ହେ ।”

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top