ସମ୍ପାଦକୀୟ

ସଂପର୍କ, ତ୍ୟାଗ ଓ ଶୃଙ୍ଖଳାର ସିଡି – ପୁରୁଣା ପିଢିରୁ ନୂଆ ପିଢିଯାଏଁ

Dr Mousumi Parida's odia editorial article Samparka, Tyaga O Shrunkhalara Sidi - Puruna Pidhiru Nooaa Pidhi Jaaen

ସମ୍ମାନ ପାଇବାକୁ ହେଲେ ସ୍ନେହ ଆଦର କରିବାକୁ ହୁଏ । ସାନମାନଙ୍କର ପିଠି ଥାପୁଡେଇ ସାବାସୀ ଦେବାକୁ ହୁଏ । ନିଜ ଅଭିଜ୍ଞତା ବାଂଟି ସେମାନଙ୍କୁ ଦୃଢ ଓ କ୍ଷମ ବନାଇବାକୁ ପଡେ । କେବଳ କୁତ୍ସାରଟନା କଲେ ମନତଳୁ ସାମାନ୍ୟ ସମ୍ମାନଟିକକ ମରିଯାଏ ।

ଦ୍ରୁତ ଗତିରେ ଦୁନିଆ ବଦଳୁଛି ଓ ତା ସହିତ ବଦଳି ଚାଲିଛି ସଂପର୍କର ସଂଜ୍ଞା, ସ୍ୱରୂପ, ସୂତ୍ର ଓ ଉଦାହରଣମାନ । ଆଗରୁ ପ୍ରଭୁ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ଅର୍ଜୁନ, ଅଭିମନ୍ୟୁ ଇତ୍ୟାଦି ଯୋଦ୍ଧା ଓ ଭଗବାନ୍‌ଙ୍କ ଅବତାରମାନ ଉଦାହରଣୀୟ ଥିଲେ, ଆଜିକା ତାରିଖରେ ରାବଣର ଦଶ ମୁଣ୍ଡ ପରି ସହସ୍ର ମୁଖାରେ ମୁହଁକୁ ଲୁଚେଇ ଦେଉଛନ୍ତି ବହୁରୂପୀମାନେ । ସହସ୍ର ଅବିଚାରରେ ଅନ୍ୟକୁ କ୍ଷତବିକ୍ଷତ କରି ସୀତାଚୋରି ପରି ଅନ୍ୟର ଅଧିକାର ଓ ପ୍ରାପ୍ୟକୁ ଲୁଚେଇ ଚୋରେଇ ସୁଖୀ ବୋଲାଇବାରେ ଉସ୍ତାଦ ସେମାନେ ! ରାବଣର ଜଟିଳତା, ଶକୁନିର କୁଟିଳତା, କଂସାସୁରର ହିଂସ୍ରତା, ହିରଣ୍ୟକଶିପୁର ବର୍ବରତା ଏମାନଙ୍କ ଭିତରେ ସକ୍ରିୟ ହୋଇ ଉଠିଛି ! ତେଣୁ ତ୍ୟାଗର ପରିଭାଷା ଆଜିକାଲି ବଦଳିଯାଇଛି !

ଭୋଗବାଦୀ ଦୁନିଆରେ ନିଜକୁ ବିଜ୍ଞପିତ କରିବା ହିଁ ଦୁର୍ବାର ସତ୍ୟ ଓ ଆଉ ସବୁକିଛି ମିଥ୍ୟା ପ୍ରତୀୟମାନ ହେଉଛି । ଜଣେ ଲେଖକ ବୋଲି ଖାଲି ଲେଖିଲେ ଚଳିବନି ତାକୁ ନିଜ ଲେଖା ବା ବହିକୁ ବିଜ୍ଞପିତ କରିବାକୁ ହେବ । ଜଣେ ଅଂଚଳ ପାଇଁ ନୀରବରେ ବସି କିଛି କରୁଛି କହିଲେ ବିଶ୍ୱାସ କେହି କରିବେନି, ସଭାସମିତିରେ ଡିଣ୍ଡିମ ପିଟିବାକୁ ପଡିବ । ଆଗକାଳେ ନିଜ ଢୋଲ ନିଜେ ପିଟିବା ହାସ୍ୟାସ୍ପଦ ବୋଲି ପରିଗଣିତ ହେଉଥିଲା । ଆଜିକାଲି ତାହା ଗର୍ବର ବିଷୟ !

ବୟସ୍କମାନେ ସଭାସମିତିକୁ ଆତ୍ମବିଜ୍ଞାପନର ଆଧାର ବୋଲି ଏପରି ଜାବୋଡି ଧରିବସିଛନ୍ତି ଯେ ପରପିଢି ପାଇଁ ଅର୍ଥ ଉପାର୍ଜନ ଛଡା ଅନ୍ୟ ସାମାଜିକ ଦାୟିତ୍ୱ ହିଁ ନାହିଁ । ଯେଉଁଠାରେ ଦେଖିବେ ସେହି କେତୋଟି ପରିଚିତ ମୁହଁ ଅବସର ଗ୍ରହଣ କରିବା ପରେ ସଭାସମିତିର ଅଂଶ ପାଲଟି ରାଜୁତି କରୁଛନ୍ତି । ଘରେ କମ୍ ବାହାରେ ଅଧିକ ସକ୍ରିୟ । ଫଳରେ ନା ପରିବାରକୁ ଠିକ୍ ରୂପେ ସମୟ ଦେଉଛନ୍ତି ନା ପରପିଢି ଉପରେ ଦାୟିତ୍ୱ ନ୍ୟସ୍ତ କରିପାରୁଛନ୍ତି ! ଉପଦେଷ୍ଟା ଅପେକ୍ଷା ସେମାନେ ତଳୁ ଉପର ସ୍ତରଯାଏଁ ସବୁ କିଛି ଆବୋରି ନିଜକୁ ସର୍ବେସର୍ବା ମନେ କରୁଛନ୍ତି ! ଫଳରେ ଉଭୟ ପରିବାରରେ ଓ ବାହାରେ କର୍ତ୍ତବ୍ୟ ସଚେତନତା ହ୍ରାସ ପାଉଛି । ନିଜେ ଉପଦେଷ୍ଟା ସାଜି ପରପିଢିର କାମ ତଦାରଖ କରିବା ଯାଗାରେ ନିଜେ ନିଜ ଢୋଲ ପିଟିବା ପରି ଅବସ୍ଥା ! ପରପିଢି କଣ ଏସବୁରୁ କି ଶିକ୍ଷା କରିବ ! ଉପଯୁକ୍ତ ସମ୍ମାନ ଦେବ ତ ?

ପ୍ରକାଶ ଥାଉ କି ବୟସ୍କ/ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦେବା ଆମ ପରମ୍ପରାର ମୂଳ ଅଂଶ । ସେମାନଙ୍କ ଅଭିଜ୍ଞତା, ଅନୁଭବ ପରପିଢି ପାଇଁ ଜମାପୁଂଜି । ଆମ ଦେଶରେ କର୍ମଜୀବୀମାନଙ୍କ ଅବସର ସମୟ ସୀମା ପ୍ରାୟ ୬୦ । ଅବଶ୍ୟକତା ଅନୁଯାୟୀ କିଛି କ୍ଷେତ୍ରରେ ସମୟ ସୀମା ୬୫ ବର୍ଷକୁ ବୃଦ୍ଧି ହୋଇଛି । ସିନିୟର୍ ସିଟିଜେନ୍ ବା ବରିଷ୍ଠ ନାଗରିକମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି । ତଥ୍ୟ ଅନୁସାରେ ୨୦୨୧ ମସିହାରେ ଏହି ସଂଖ୍ୟା ମୋଟ ଜନସଂଖ୍ୟାର ୧୦ପ୍ରତିଶତ ଥିବାବେଳେ ୨୦୨୩ ମସିହାରେ ବୃଦ୍ଧିପାଇ ୧୨ପ୍ରତିଶତରେ ପହଞ୍ଚିଛି । ୨୦୨୬ ମସିହା ଶେଷ ସୁଦ୍ଧା ସେ ସଂଖ୍ୟାରେ ଆହୁରି ବୃଦ୍ଧି ହେବାର ଅଛି । କେରଳରେ ସବୁଠାରୁ ଅଧିକ ୧୬ପ୍ରତିଶତ ସିନିୟର୍ ସିଟିଜେନ୍ ବା ବରିଷ୍ଠ ନାଗରିକ ଥିବାବେଳେ ବିହାର ଓ ଉତ୍ତରପ୍ରଦେଶରେ ଏହା ସବୁଠାରୁ କମ୍ । ଆମ ଦେଶର ଜଳବାୟୁ ଓ ଜୀବନ ଶୈଳୀ ଆୟୁବୃଦ୍ଧିର ପ୍ରମୁଖ କାରଣ ।

ବାର୍ଦ୍ଧକ୍ୟଜନିତ ସମସ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଅନେକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରିଦେଇଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ସତ୍ୟ, ମାତ୍ର ସେମାନଙ୍କୁ ସାମାଜିକ ଓ ଶାରୀରିକ ସୁରକ୍ଷା ଦେବା ଏକରକମ ଅସଂଭବ ହୋଇପଡିଛି । କେବଳ ଆର୍ଥିକ ସାହାଯ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ଓଡିଶାରେ ଜନସଂଖ୍ୟା ସହିତ ବରିଷ୍ଠମାନଙ୍କ ସମସ୍ୟା ବୃଦ୍ଧି ପାଉଛି ।

ହେଲ୍ପଏଜ୍ ଇଣ୍ଡିଆର ସର୍ଭେ ଅନୁସାରେ ୭୦ ଭାଗରୁ ଅଧିକ ବରିଷ୍ଠ ନାଗରିକ ନିଜ ଘରେ ଅବହେଳା ଓ ନିର୍ଯାତନାର ଶିକାର ବନୁଛନ୍ତି । ତେଣୁ କେବଳ ଯୋଜନା ପ୍ରଣୟନ କରିଦେଲେ ସମସ୍ୟାର ସମାଧାନ ହୁଏନି । ସେମାନଙ୍କ ଅସଲ ସମସ୍ୟା ହେଉଛି ଶାରୀରିକ ଅକ୍ଷମତା । ସେଥିପାଇଁ ବିଦେଶରେ ଟାଇମ୍ ବ୍ୟାଙ୍କ ପରି ସୁବିଧାମାନ ଉପଲବ୍ଧ ଯାହା ମାଧ୍ୟମରେ ନିଜ ଭାଗର ସାହାଯ୍ୟ ଆବଶ୍ୟକ ସମୟରେ ନିଜେ ଉପଭୋଗ କରିପାରିବ । କାହାର ଦୟା ଉପରେ ନୁହେଁ ନିଜ ଅଧିକାରର ସାହାଯ୍ୟ ହାସଲ କରିବାର ସର୍ବୋତ୍ତମ ଉପାୟକୁ ଆମ ଦେଶରେ ଲାଗୁ କରାଯିବା ଉଚିତ୍ । ଯାହାଫଳରେ ସେମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଅନ୍ତ ଘଟିବ । ନଚେତ୍ ବରିଷ୍ଠମାନଙ୍କ ଶାରୀରିକ ଓ ମାନସିକ ଅସହାୟତା ସମାଜକୁ ଘୁଣପୋକ ପରି ଖାଇଚାଲିବ । ସୁସ୍ଥ ସମାଜ ଗଠନ ଦିଗରେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ନିହାତି ଜରୁରୀ ।

କିନ୍ତୁ ବାକି ୩୦ ଭାଗ ଅବସରପ୍ରାପ୍ତ ବରିଷ୍ଠମାନେ ଅବସର ଗ୍ରହଣ ପରେ ମଧ୍ୟ ଯୋଗ୍ୟତା ଭିତ୍ତିରେ ପୁନଃନିଯୁକ୍ତି ପାଇ ବିଭିନ୍ନ ପଦପଦବୀ ମଣ୍ଡନ କରୁଛନ୍ତି, ଯାହା ସେମାନଙ୍କ ମାନସିକତା ସହ ସାମାଜିକ ସୁସ୍ଥତାର ପରିଚାୟକ । ଯାହା ମାଧ୍ୟମରେ ସେମାନଙ୍କ ଅଭିଜ୍ଞତାକୁ ପୁନଃକାର୍ଯ୍ୟରେ ଲଗା ଯାଇପାରୁଛି । ସେଥିପାଇଁ କିଛି କ୍ଷେତ୍ରରେ ଅବସରର ସମୟସୀମା ବୃଦ୍ଧି ପାଇବା ଆବଶ୍ୟକ । କିନ୍ତୁ ଅଶୀବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠମାନେ ନିଜ ଅଭିଜ୍ଞତାକୁ ପରପିଢିକୁ ନ ବାଂଟି, ଉପଦେଷ୍ଟା ହିସାବରେ ନରହି ନିଜେ ପୁନର୍ବାର ସେହି କ୍ଷମତା ଓ ପଦପଦବୀରେ ରହିବା ସେମାନଙ୍କ କ୍ଷମତାର ଆସକ୍ତିକୁ ସୂଚାଏ । ଯାହା ସାମାଜିକ ସୁସ୍ଥତା ଅପେକ୍ଷା ପରପିଢିରେ ବିଦ୍ୱେଷର ମଞ୍ଜି ବୁଣେ । ପରପିଢିକୁ ଦିଗ୍ଦର୍ଶନ ନଦେଇ ସେମାନଙ୍କ ଭଲ କାମକୁ ପ୍ରଶଂସା ନକରି କେବଳ କ୍ଷମତାକୁ ଜାବୋଡି ଧରିବା ବରିଷ୍ଠମାନଙ୍କ କ୍ଷମତାଲୋଭକୁ ପ୍ରମାଣିତ କରିଥାଏ ।

ଫଳରେ ସେମାନେ ନାମକୁ ମାତ୍ର ସମ୍ମାନ ପାଆନ୍ତି ସିନା ପରକ୍ଷଣରେ ସମାଲୋଚିତ ହେଉଥାନ୍ତି । ସର୍ବାଗ୍ରେ ରହିବାର ଲାଳସା ପାଇଁ ପରପିଢି ଅଯୋଗ୍ୟ, ଅକ୍ଷମ ବା ଅଳ୍ପକ୍ଷମ କହି ସମାଲୋଚନା କରନ୍ତି ଆବଶ୍ୟକ ସ୍ଥଳେ ନିଜେ ନିଜ ନାମକୁ ପ୍ରସ୍ତାବ ଦିଅନ୍ତି । ଅର୍ଥାତ୍ ଶାରୀରିକ ଅକ୍ଷମତା ସତ୍ତ୍ୱେ ସେମାନେ କ୍ଷମତା ପାଇବାକୁ ସବା ଆଗରେ ଛିଡା ହୋଇ ରହନ୍ତି । ଉଦାହରଣ ସ୍ୱରୂପ- କାନକୁ ପଛେ ଠିକ୍‌ରେ ଶୁଭୁ ନଥାଉ କିମ୍ବା ଆଖିକୁ ଭଲରେ ଦୃଶ୍ୟମାନ ନହେଉ ସେମାନେ ଗୀତ କିମ୍ବା ଲେଖା ପ୍ରତିଯୋଗିତାର ଜଜ୍ ରହିବା ଉଚିତ୍ । ସେମାନଙ୍କ ଭାବନ୍ତି ସେମାନଙ୍କ ପରି ଆଉ କେହି ନିର୍ଦ୍ଧିଷ୍ଟ କାମ ତୁଲାଇ ପାରିବେ ନାହିଁ । ଯଦି ସେମାନେ ଠିକ୍ ତେବେ ସେମାନେ ପରପିଢିକୁ ନିଜ ସମକକ୍ଷ ବନାଇବା ଉଚିତ୍ । ତାହା ନକରି ନିଜେ ସେସବୁକୁ ଆଜୀବନ ତୁଲାଇ ଖବରକାଗଜରେ ନିଜକୁ ବିଜ୍ଞପିତ କରିବା ବିବେକବାନ୍‌ର କାର୍ଯ୍ୟ ନୁହେଁ ।

ସମ୍ମାନ ପାଇବାକୁ ହେଲେ ସ୍ନେହ ଆଦର କରିବାକୁ ହୁଏ । ସାନମାନଙ୍କର ପିଠି ଥାପୁଡେଇ ସାବାସୀ ଦେବାକୁ ହୁଏ । ନିଜ ଅଭିଜ୍ଞତା ବାଂଟି ସେମାନଙ୍କୁ ଦୃଢ ଓ କ୍ଷମ ବନାଇବାକୁ ପଡେ । କେବଳ କୁତ୍ସାରଟନା କଲେ ମନତଳୁ ସାମାନ୍ୟ ସମ୍ମାନଟିକକ ମରିଯାଏ । କେବଳ ମୁଁ ମୁଁ ହେଲେ ବାହାବା ମିଳେନା ଛେଳି ବନାଇ ଦିଆଯାଏ । ଅସମ୍ମାନିତ ହେବା ପୂର୍ବରୁ ନିଜେ ଓହରିଯିବା ଉଚିତ୍ । କେବଳ ନୀତିବାଣୀ ଶୁଣାଇ ନିଜ ସଫଳତାର ଡିଣ୍ଡିମ ପିଟିଲେ ହାସ୍ୟାସ୍ପଦ ବନିବା ସାର ହେବ । ବରିଷ୍ଠମାନଙ୍କୁ ସମ୍ମାନ ଦେବାକୁ ଯାଇ ପରପିଢି ଉପହସିତ ହେବାଟା ସବୁବେଳେ ସହ୍ୟ ନୁହେଁ । ତେଣୁ ନିଜ ସମ୍ମାନ ନିଜକୁ ହିଁ ବଂଚାଇବାକୁ ହେବ । କାରଣ ପରପିଢି ସେମାନଙ୍କଠାରୁ ଶୃଙ୍ଖଳା, ସଂପର୍କ ଓ ତ୍ୟାଗ ଶିକ୍ଷା କରୁଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ କହିହେବନି ଯେ ଆଗକୁ ପରମ୍ପରାବିହୀନ ସଂପର୍କହୀନ ବିଶୃଙ୍ଖଳିତ ସମାଜଟିଏ ସୃଷ୍ଟି ନହେବ ବୋଲି ! ସେଥିପାଇଁ ବରିଷ୍ଠମାନେ କେତେକାଂଶରେ ଦାୟୀ ବୋଲି କୁହାଯାଇପାରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top