ଏକ ସଂକୀର୍ଣ୍ଣ, କ୍ଷୁଦ୍ର, ରୁଦ୍ଧ, ପୂତିଗନ୍ଧମୟ କୋଠରୀ ଭିତରକୁ କାଟ୍ୟାକୁ ଠେଲିଦେଇ ସେମାନେ ବାହାରପଟୁ ତାଲା ବନ୍ଦ କରି ଚାଲିଗଲେ । ବିଜୁଳି ଆଲୋକର କ୍ଷୀଣଧାରା କୋଠରୀକୁ ଆଲୋକିତ କରିବାକୁ ପର୍ଯ୍ୟାପ୍ତ ନଥିଲା । ପଡ଼ି ଯାଉଯାଉ ଛାପିଛାପିକା ଅନ୍ଧାର ଭିତରେ କାଟ୍ୟା କାହାର ସ୍ପର୍ଶ ପାଇ ଚମକି ପଡ଼ିଲା । ଜଣେ ମଧ୍ୟବୟସ୍କା ମହିଳା ତା’ବାହୁକୁ ଧରିନେଇଥିଲେ, ବୋଧହୁଏ କେହି ନୂତନ ବନ୍ଦୀ । “ଭିତାୟୁ, ମୁଁ ଏରିନା, ତୁମେ?”, ସେ କହିଲେ, ଓଠରେ ଉଦାସ ସ୍ମିତ ଖେଳାଇ । ତାଙ୍କ ଗାଲରେ, କପାଳରେ ଥିଲା ଶୁଖିଆସୁଥିବା ଗଭୀର କ୍ଷତ । କୋଠରୀରେ ଓ ଆଖପାଖରେ ଅର୍ଦ୍ଧଜଳା ସିଗାରର ଧୂଆଁ, କାଗଜ ପ୍ଲେଟ୍ରେ ବଳକା ଖାଦ୍ୟ ଓ ପଚାସଢ଼ା ଫଳ, ପରିଶ୍ରାର ଦୁର୍ଗନ୍ଧରେ ଆକ୍ତାମାକ୍ତା କାଟ୍ୟା କାଶିକାଶି ଅଣନିଶ୍ୱାସୀ ହୋଇପଡ଼ୁଥିଲା । ଏରିନା ତା ପିଠି ଆଉଁଶି ଦେଲେ ଓ ତାଙ୍କ ଆଶ୍ଲେଷ ବିଗତ ଅନେକ ଦିନର ନିଃସଙ୍ଗତାକୁ ଦୂରୀଭୂତ କରି ମନପ୍ରାଣରେ ଭରିଦେଲା ସାମାନ୍ୟ ଉଶ୍ୱାସ । ତାକୁ ଖୁବ୍ ଶୋଷ ହେଉଥିଲା । କୋଠରୀ କୋଣରେ କେହି ମାତାଲ ସୈନିକ ଫିଙ୍ଗିଥିବା ଅଧାପିଆ ଭୋଡ୍କା ବୋତଲ ଦେଖି କାଟ୍ୟା ଉଠୁଉଠୁ କାନ୍ଧ, କଚଟିରେ ତୀବ୍ର ଯନ୍ତ୍ରଣା ଅନୁଭବ କରି ପୁଣି ବସିପଡ଼ିଲା । ପ୍ରଶ୍ନୋତ୍ତର ଲାଗି ଉଦ୍ଧିଷ୍ଟ କକ୍ଷରେ ଜଣେ କ୍ରୁର ସୈନିକ ତାକୁ ମୁଥା ମାରିଥିଲା, ପୁଣି ହାତ ବାନ୍ଧି ପାଣିଭର୍ତ୍ତି ବଡ଼ ବୋତଲରେ ଖୁବ୍ ପିଟିଥିଲେ । ଆଘାତଜନିତ ପ୍ରବଳ ମୁଣ୍ଡବ୍ୟଥା ସହିତ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ଏବେ ବାନ୍ତି ବି ହୋଇଗଲା । ସାମାନ୍ୟ ସୁସ୍ଥ ଅନୁଭବ କଲା କାଟ୍ୟା ତଥାପି ଜଳଶୁଷ୍କତା ହେତୁ ମାଂସଫେଶୀରେ ଅତ୍ୟନ୍ତ ପୀଡ଼ା ହେଉଥିଲା ।
“ଏବେ ନୁହେଁ, ମୁଁ ଏବେ ଅସୁସ୍ଥ ହେବାକୁ ଚାହେଁନାହିଁ । ଅସୁସ୍ଥ ହେଲେ ସେମାନେ ମୋତେ ହାସପାତାଳ ଘେନିଯିବେ, ସାମୟିକ ରିହାତି ମିଳିଯିବ ଏ ଯନ୍ତ୍ରଣାରୁ, ଅତିଶୟ ଦୁର୍ବଳତା ଦେହମନକୁ ସ୍ଥାଣୁ କରିଦେଲେ ମୁଁ ବର୍ତ୍ତମାନର କଠିନ ପରିସ୍ଥିତି ପାଶୋରି ଗଭୀର ନିଦ୍ରାରେ ଶୋଇଯିବି ଅନ୍ତତଃ କିଛି ସମୟ, କିନ୍ତୁ ତା’ପରେ?” ଶତ୍ରୁର କୌଣସି ଅନୁକମ୍ପା ସେ ଚାହେଁନି । “ଆଜି ମୋ ପାଇଁ ଅସୁସ୍ଥତା ବିଳାସ ସମାନ ।” ପିଲାଦିନେ ଅସୁସ୍ଥ ହେବାର ବାହାନା କରୁଥିଲା; ସ୍କୁଲରୁ ଛୁଟି, ସମସ୍ତଙ୍କ ଅହେତୁକ ଯତ୍ନର କେନ୍ଦ୍ର ହୋଇଯିବ ଆଶାରେ କିନ୍ତୁ ଏବେ… “ଓଃ ଡାନିଲୋ!”, ସେ ଚିତ୍କାର କରିବାକୁ ଚାହିଁଲା କିନ୍ତୁ କଣ୍ଠରୁ ଶବ୍ଦ ସ୍ଫୁରିଲାନି । ଯୁଦ୍ଧପୂର୍ବ ଖେରସନ୍ ରାଜରାସ୍ତାରେ ଡାନିଲୋ ସହିତ ସକାଳବୁଲା, ତା’ର ସ୍ୱାର୍ଥରହିତ ଆଦରର ସୁଖଦ କ୍ଷଣସବୁ ସାଉଁଟି ଆଜିର ଯନ୍ତ୍ରଣା ଭୁଲିବାକୁ ଚାହିଁଲା ବେଳେ ଓଲିନାର ବିଶ୍ୱାସଘାତକତା ସ୍ମୃତିକୁ ଧସେଇ ପଶିଲା । ସେ ନିଜ ଜଙ୍ଘକୁ ହାତମୁଠା କରି ପିଟିଚାଲିଲା ଓ ଦୁଇ ଆଣ୍ଠୁ ମଧ୍ୟରେ ମୁହଁ ଲୁଚାଇଥିଲା, ଘନଘନ ନିଶ୍ୱାସ ବହୁଥିଲା, ମୁହଁ ଲାଲ ପଡ଼ି ଦେହରେ ଉତ୍ତାପ ଅସ୍ୱାଭାବିକ ହେଉଥିଲା ।
କାଟ୍ୟାର ବାଇଶତମ ଜନ୍ମଦିନରେ ଶାଶଲିକ୍ କବାବ ପ୍ରସ୍ତୁତ କରିଥିଲେ ତା’ମା’ । ଦୁଇଟି କବାବ, ଆଳୁ ପାନକେକ୍, ଗୋଲୁଷ୍ଟି ହିଁ ଥିଲା ତା’ର ଶେଷଖିଆ, ନିଜ ଘରେ । ଏମିତି ବି ମୁହୂର୍ତ୍ତ ଆସେ ଯେବେ ପରିବାର ନୁହେଁ, ଦେଶ ନୁହେଁ , କିଛି ବି ନୁହେଁ କେବଳ ଖାଦ୍ୟଚିନ୍ତା ଆଚ୍ଛାଦିତ କରେ ସମଗ୍ର ପ୍ରାଣକୁ । ପାଣି ଟିକକ ପାଇଁ ଶତ୍ରୁ ଆଗରେ ମଥାନତ କରି ନକରିଥିବା କାର୍ଯ୍ୟ ବି ମାନିନେବାର ମାନସିକତା ଆକ୍ରାନ୍ତ କରିଦିଏ ବେଳେବେଳେ । ଏମିତି ବି ହୁଏ ଯେବେ ଦୁଇ-ତିନି ଦିନ ପାଖାପାଖି ଭୋକିଲା ରଖି, ପରବର୍ତ୍ତୀ ସମୟରେ ତା’ ସମ୍ମୁଖରେ ଅନେକ ଖାଦ୍ୟ ପଦାର୍ଥ ଯଥା, ପତ୍ରକୋବି ସୁପ୍, ଚିଜ, ପାଉଁରୁଟି ଓ କଫି ରଖି, ମାତ୍ର ୩୦ ସେକେଣ୍ଡରେ ‘ଯେତିକି ପାରିବ ଖାଇନିଅ’ ଆଦେଶ ଦିଆଯାଏ । ଶତ୍ରୁସେନାର ଏଭଳି ନିର୍ଯ୍ୟାତନା କୌଶଳକୁ କିପରି ପ୍ରତିହତ କରିବ ବୁଦ୍ଧିବାଟ ଦେଖାଯାଏ ନାହିଁ ।
ପ୍ରଶ୍ନୋତ୍ତର ବନାମ୍ ଯାଥନା କକ୍ଷକୁ ତାକୁ ନିୟମିତ ନିଆଯାଉଥିଲା, ଏକ ହିଁ ପ୍ରଶ୍ନ ପଚରା ଯାଉଥିଲା, “ତୁମେ କ’ଣ ପ୍ରତିପକ୍ଷର ଗୁଇନ୍ଦାସେବାର ଗୁପ୍ତଚର? ତୁମ ପାଖେ କ’ଣ ଗୁପ୍ତ ସୂଚନା ଅଛି?” ଏବଂ କାଟ୍ୟା ବାରମ୍ବାର ଦୋହରାଉଥିଲା, “ମୁଁ ସଙ୍ଗୀତ ସ୍କୁଲର ଜଣେ ସାଧାରଣ ଶିକ୍ଷୟତ୍ରୀ ।” ଜଣେ ସେନାଅଧିକାରୀ ସଙ୍ଗୀତରେ ତା’ର ନିପୁଣତା ପରୀକ୍ଷା ନିମନ୍ତେ ତା’ ଆଡ଼କୁ ଲୋକବାଦ୍ୟଯନ୍ତ୍ର ବନ୍ଦୁରା ପିଙ୍ଗିଥିଲା । ସଯତ୍ନେ ଉଠାଇ ନେଇ କାଟ୍ୟା ସେଥିରେ ମୂର୍ଚ୍ଛନା ତୋଳିଥିଲା, ଶତ୍ରୁପକ୍ଷର ଅଧିକାରୀଙ୍କୁ କରିଥିଲା ଆବିଷ୍ଟ ।
ବିଶ୍ୱସ୍ତ ବାନ୍ଧବୀ ଓଲିନା ତାକୁ ଗାଁ ପରିଧିସ୍ଥିତ ଜଙ୍ଗଲ ମଧ୍ୟକୁ ଡକାଇଥିଲା ସେଦିନ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର ଉଦ୍ଧେଶ୍ୟରେ । ସେଦିନ କାଟ୍ୟା ପାରମ୍ପରିକ କମନୀୟ ଭୈଶ୍ୟଭଙ୍କା ସୂଚୀକାମ ହୋଇଥିବା ନୀଳ ଟି-ସାର୍ଟ ପିନ୍ଧିଥିଲା, ନିଜ ପ୍ରିୟ ଗାୟିକା ଟିନା କାରୋଲଙ୍କ “ମୋୟା ନାଦିୟା…”ଗୀତ ଗୁଣଗୁଣୁଉଥିଲା । ।
ଘନଘନ ବିଷ୍ଫୋରଣ, କ୍ଷେପଣାସ୍ତ୍ରର ପୁତ୍କାର , ରକେଟ୍ମାଡ଼, ନିସ୍ତବ୍ତା, ପୁଣି ମେସିନ ଗନର ଚଡ଼ଚଡ଼, ସାଇରନର ମର୍ମଭେଦୀ ଆତୁରତାରେ ଅସ୍ତବ୍ୟସ୍ତ ହେଉଥିଲା ସହର । ତିନିମାସ ବଙ୍କରରୁ ଆବାସ ପୁନଃ ବଙ୍କର ହେଇହେଇ ସେ ଚାରିମାସ ପରେ ଖେରସନ୍ରୁ ୭୦୦ କି.ମିସ୍ଥିତ ପାଇନ ଜଙ୍ଗଲଘେରା ତା ଘୁମନ୍ତ କିନ୍ତୁ ସୁରମ୍ୟ ଗ୍ରାମକୁ ଫେରିଆସିଥିଲା । କିଛିଦିନ ଅନ୍ତେ ତା’ଗ୍ରାମକୁ ବି ଶତ୍ରୁଦେଶ ଅକ୍ତିଆର କରିନେଇଥିଲେ ।
ସମ୍ମୁଖରେ ଗୋଳାପ ବଗିଚା, ସେଓ ବୃକ୍ଷ ଆଢ଼ୁଆଳରେ ଧଳା ଇଟାର ଏକ ମହଲା ବିଶିଷ୍ଟ ତା’ଘରେ, ବୈଠକଖାନାର ଝରକା ପାଖେ ବସି, କେବେ କେବେ ଆଟିକ୍କୁ ଚଢ଼ିଯାଇ ବା ବାରିପଟେ ଗାଈ, ମେଣ୍ଡାଙ୍କ ମେଳରେ ଲୁଚି ସେ ଗାଁରାସ୍ତାରେ ଶତ୍ରୁପକ୍ଷର ସାମରିକ ଅସ୍ତ୍ରଶସ୍ତ୍ର, ଯଥା ଟର୍ନାଡୋ-ଜି, ଟ୍ୟାଙ୍କ, ବିମାନ ବିଂଧ୍ୱସକାରୀ କ୍ଷେପଣାସ୍ତ୍ରବାହୀ ବୃହତକାୟ ଗାଡ଼ିମାନଙ୍କୁ ଦେଖିୁଥିଲା । ତା’ପିତା, ଜଣେ ସେବାନିବୃତ୍ତ ସାମରିକ ଅଧିକାରୀ ତାକୁ ଏ ବିଷୟରେ ସମ୍ୟକ ଜ୍ଞାନ ମଧ୍ୟ ଦେଉଥିଲେ ଏବଂ କାଟ୍ୟା ଯୁଦ୍ଧ ବିରୋଧର ଭିନ୍ନପନ୍ଥା ପରିପ୍ରେକ୍ଷୀରେ ଗାଁରେ ଗଡ଼ୁଥିବା ଅସ୍ତ୍ରଶସ୍ତ୍ରରେ ଲଦା ପ୍ରତ୍ୟେକ ମିଲିଟାରୀ ଗାଡ଼ି, ଅସ୍ତ୍ରସଂଖ୍ୟା, ରେଖାଚିତ୍ର କରି ସେନାରେ ସ୍ୱେଚ୍ଛାରେ କାର୍ଯ୍ୟରତ ତା’ସାଥିମାନଙ୍କୁ ପଠାଉଥିଲା ।
ପାଇନ ଜଙ୍ଗଲରେ ଓଲିନାକୁ ଅପେକ୍ଷା କରୁକରୁ ତା’ ଦୃଷ୍ଟି ଅର୍ଦ୍ଧ୍ୟଜଳା ଓକ୍, ଭୁର୍ଜପତ୍ର, ଚିନ୍ନାର ଆଦି ବୃକ୍ଷ ଦିଗରେ ପହଁରିଗଲା । ଛ’ସପ୍ତାହ ପୂର୍ବେ, ଘମାଘୋଟ ଯୁଦ୍ଧକାଳରେ ଦୁଇଟି ସ୍ୱଦେଶୀ ଲଢ଼ୁଆ ବିମାନ ଜଙ୍ଗଲର ସବୁଜ ସାନ୍ଦ୍ର ଆବରଣ ଭେଦି ପ୍ରଚଣ୍ଡ ବିସ୍ଫୋରଣ କରି ତଳେ ଖସିପଡ଼ିଥିଲେ । ଜଣେ ଯୁବା ବୈମାନିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ଆଘାତପ୍ରାପ୍ତ ଅନ୍ୟ ବୈମାନିକଙ୍କୁ ଗାଁଲୋକେ ଉଦ୍ଧାର କରିବାକୁ ଉଦ୍ୟତ ହେବା ପୂର୍ବରୁ ହିଁ ସେ ଶତ୍ରୁ ଦ୍ୱାରା ବନ୍ଦୀ ହୋଇଥିଲେ । ବିମାନରୁ ଉଦ୍ଗତ ଅଗ୍ନି ଅନେକ ବୃକ୍ଷକୁ ଜାଳି ଛାରଖାର କରିଦେଇଥିଲା । ବେଶ କିଛି ଦିନଯାଏ ଦାବାନଳ ଅରଣ୍ୟର ଅନ୍ୟ ପ୍ରାନ୍ତକୁ ବ୍ୟାପିଯାଇ ସମୀପସ୍ଥ ଦୁଇଟି ଗ୍ରାମ୍ୟ ପାଇଁ ବି ବିପଦ ସାଜିଥିଲା । ମାସେ ପର୍ଯ୍ୟନ୍ତ ନିଆଁ ଜଳିଚାଲିଥିଲା । ନିଘଞ୍ଚ ପାଇନ ଜଙ୍ଗଲର ସତେଜ, ସ୍ଫୂର୍ତ୍ତିଦାୟକ ସୁଗନ୍ଧ ନୁହେଁ ବରଂ ବିମାନରୁ ନିର୍ଗତ ଇନ୍ଧନର ଶ୍ୱାସରୁଦ୍ଧକାରୀ ପୋଡ଼ାଗନ୍ଧରେ ତଥାପି ରୁନ୍ଧି ହେଉଥିଲା ସମଗ୍ର ବାତାବରଣ । ଜଙ୍ଗଳିଆ ଚଟାଣରେ ଅନେକ ଛୋଟ ବଡ଼ ବର୍ତ୍ତ ସହ ବିଛାଇ ରହିଥିଲା ଧାତୁର ଭଗ୍ନାଂଶ । ପାଉଁଶ, ଜଳାପୋଡ଼ା ପତ୍ର, ଡାଳ ଇତ୍ୟାଦିର ଆବର୍ଜନା ଗଦା ମଧ୍ୟରୁ ଗଜୁରୁଥିବା ସବୁଜ ଘାସଫୁଲର ଗହଳରେ ପଡ଼ିଥିଲା ନୀଳ ଓ ହଳଦିଆ ରଙ୍ଗର ସ୍ୱଦେଶୀ ବିମାନର ଅବଶିଷ୍ଟାଂଶ । ସେ ଉପରୁ ଅନେଇ ଦେଖିଥିଲା, ବିରାଟ ଓକ୍ ବୃକ୍ଷରୁ ତଳକୁ ଓହଳିଥିଲା ଆଉ ଏକ ବିମାନର ଖଣ୍ଡିତ ଡେଣା । ଜଣେ ପରିବେଶବିତ୍ କର୍ମୀ ଭାବେ ସକ୍ରିୟ କାଟ୍ୟା ନିଜ ପରବର୍ତ୍ତୀ ବ୍ଳଗ୍ର ବିଷୟବସ୍ତୁ ‘ପର୍ଯ୍ୟାବରଣୀୟ ଅପରାଧ’ ବୋଲି ସ୍ଥିର କରିବା ସମୟରେ ହିଁ ଦୁଇପଟରୁ ଦୁଇଟି ଶିଉଳି ରଙ୍ଗର ସାମରିକ ଗାଡ଼ି ଆସି ତା’ ନିକଟରେ ଅଟକିଲେ ।
ପ୍ରକୃତିମନସ୍କା କାଟ୍ୟା ଭାବୁଥିଲା, କାହିଁ କେଉଁଠାରେ ବୁଲବୁଲ ତ ଦେଖାଯାଉନାହାନ୍ତି । ଗ୍ରୀଷ୍ମରେ ଜାତୀୟ ପକ୍ଷୀ ବୁଲବୁଲର ସୁମଧୁର ସ୍ୱରରେ ଗୁଞ୍ଜିତ ହେଉଥିଲା ଏହି ଜଙ୍ଗଲିଆ ମାଧକ ପରିବେଶ । ବୋଧହୁଏ ଯୁଦ୍ଧର ବିଭୀଷିକାମୟ ବିକଟାଳ ଶବ୍ଦ ସେମାନଙ୍କ ସ୍ୱଚ୍ଛନ୍ଦ ଚଳନକୁ ବ୍ୟାଘାତପ୍ରାପ୍ତ କରିଥିଲା । ଗାଡ଼ିରୁ ଖପାଖପ୍ ଡ଼େଇ କିଛି ସୈନ୍ୟ ତାକୁ ଚାରିପଟୁ ଘେରିଗଲା ପରେ ହିଁ ଭାବନାରୁ ଓହରି ଆସି ହତଚକିତ ହୋଇପଡ଼ିଲା । ତା ଗୋଡ଼ହାତ ଥରୁଥିଲା ଓ କେଉଁ ବାଟେ ଖସିବ ଜାଣିପାରିଲାନି, ଜଡ଼ ପାଲଟିଯାଇଥିଲା, ଖରାଟିଆ ସୁନ୍ଦର ପାଗ ବଦଳି ଭୀଷଣ ତୁଷାରଝଡ଼ ହେଉଥିଲା ଯେମିତି ତଥାପି ସେ ଝାଲେଇ ଯାଉଥିଲା ଓ ଦଳଦଳ ଜଙ୍ଗଲି ବିଷାନ୍ତ ପିମ୍ପୁଡ ତା’ଦେହସାରା ଚରିଯାଉଥିଲେ ସତେ କି । ତା’ ବିଷ୍ଫାରିତ ଆଖି ଓଲିନାକୁ ଖୋଜିହେଲା, ଶତ୍ରୁ ତାକୁ କାବୁକରି ଆଖିରେ ଟେପ୍ ଲଗାଇବା ପୂର୍ବରୁ ସେ ଦେଖିଲା, ଓଲିନା ସାଇକେଲ ଚଲାଇ ଚିନ୍ନାର ବୃକ୍ଷ ପରିବେଷ୍ଟିତ ହ୍ରଦଧାରେ ଅଦୃଶ୍ୟ ହୋଇଯାଉଛି । ସେମାନେ ତା ହାତରୁ ମୋବାଇଲ ଫୋନ୍ ଛଡ଼ାଇ ନେଲେ । ତାକୁ ସତର୍କତା ଅବଲମ୍ବନ କରିବାର ଥିଲା କାରଣ ପୂର୍ବରୁ ଶତ୍ରୁରସେନାର ଗୁଇନ୍ଦା ଅଧିକାରୀମାନେ ତା’ଗାଁଘରକୁ ଆସି ପଚରାଉଚରା କରିଥିଲେ ।
ଅଳ୍ପ କେଇ ଘଣ୍ଟାର ଗାଡ଼ିଯାତ୍ରା ପରେ ତାକୁ କିଛି ବନ୍ଦୀଙ୍କ ସହିତ ଏକ କୋଠାଘରେ ରଖାଯାଇଥିଲା । କିଛିଦିନ ପରେ ତାକୁ ହେଲିକପ୍ଟର ଯୋଗେ କୌଣସି ଦୂରନ୍ତ ଶିବିରକୁ ନିଆଗଲା । ତାକୁ ଶୁଣାଯାଉନଥିଲା ଲଢ଼ୁଆ ବିମାନ ଘର୍ଘର୍ ବା ବୋମା ଆକ୍ରମଣଜନିତ ଭୀତିନାଦ, କିନ୍ତୁ ଏକ ଜନଶୂନ୍ୟ ବିସ୍ତୃତ ଘାସବହୁଳ ଅଞ୍ଚଳରେ ଅଛି ବୋଲି ଠଉରାଇ ନେଲା । ଜଣେ ଅଧିକାରୀ ତାକୁ କହିଲେ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ କରାଯାଇଛି ଯଦିଓ କୌଣସି ଔପଚାରିକ ଦସ୍ତାବିଜ ତାକୁ ଦେଖାଗଲା ନାହିଁ, ବାସ୍ ଏକ ପରିଚୟ ପତ୍ର ଦିଆଗଲା; ତା’ର ନୂତନ ପରିଚୟ ହେଲା, ଅଣ-ସାମରିକ ଯୁଦ୍ଧବନ୍ଦୀ । ଦଶଦିନ ଉପରାନ୍ତ ଶତ୍ରୁ କବଳିତ ପଶ୍ଚିମାଞ୍ଚଳର ବାକମତ୍ ଅଞ୍ଚଳସ୍ଥିତ କୌଣସି ଶିବିରକୁ ଅଣାଗଲା ।
ବନ୍ଦୀମାନଙ୍କୁ ସପ୍ତାହକୁ ଥରେ ମାତ୍ର ଗାଧୋଇବା ପାଇଁ ନିକଟସ୍ଥ ପଲିଥିନ ଘେରାକୁ ନିଆଯାଉଥିଲା ଏବଂ ସେହି ସମୟରେ କେବଳ କାଟ୍ୟା ଦେଖିପାରୁଥିଲା, ମେଘମୁକ୍ତ ନୀଳ ଆକାଶକୁ । ସକାଳ ଛ’ଟାରେ କାଟ୍ୟା ଓ ଅନ୍ୟ ବନ୍ଦୀମାନଙ୍କୁ ସେମାନଙ୍କ କୋଠରୀରେ ଛିଡ଼ାହୋଇ “ରୋଷିୟା, ସବ୍ୟୟଶନ୍ନେୟା ନଶା, ଡେରଝାବା”, ଗାନ କରିବାକୁ ବାଧ୍ୟ କରାଯାଉଥିଲା । ସାମାନ୍ୟ ଭୁଲ ହେଲେ ଆରମ୍ଭରୁ ପୁଣି ଗାନ କର । କିନ୍ତୁ କାଟ୍ୟା ଶତ୍ରୁଦେଶର ଜାତୀୟ ସଙ୍ଗୀତ ଗାନ କରିବାବୁ ମନା କରିବାରୁ ତାକୁ ତିନିଦିନ ପର୍ଯ୍ୟନ୍ତ ସ୍ୱଳ୍ପାହାରରେ ରଖାଯାଇଥିଲା, ଏକାନ୍ତ କାରାବାସରେ ।
ଯୁଦ୍ଧ ପ୍ରାରମ୍ଭରେ ଆତଙ୍କ, ଜୀବନଭୟ, ଅନିଶ୍ଚିୟତାରୁ ବର୍ତ୍ତିବା ଅଭିପ୍ରାୟରେ କାଟ୍ୟା ନିଜ ପରିବାର ସହିତ ପୋଲାଣ୍ଡସ୍ଥିତ ଜଲିପି ନାମକ ଛୋଟିଆ ଗାଁକୁ ଚାଲିଯିବା ପୂର୍ବରୁ ଯୋଜନା କଲା ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳ ବୁଲି କିଛି ଫଟୋ ଉଠାଇନେବ । ସେସବୁକୁ ସୋସିଆଲ ମିଡ଼ିଆରେ ପୋଷ୍ଟକରି ଓ ଅନ୍ତର୍ଜାତୀୟ ସମ୍ବାଦପତ୍ର ବା ବୈଦ୍ୟୁତିକ ଗଣମାଧ୍ୟମକୁ ବିକ୍ରିକରି ବେଶ ଅର୍ଥ ରୋଜଗାର କରିପାରିବ । ତେଣୁ ପୁଣି ନିଜ ଚାକିରୀସ୍ଥଳ ଏବଂ ଶତ୍ରୁ କବ୍ଜାମୁକ୍ତ କୃଷ୍ଣ ସାଗର ତୀରେ, ନିପ୍ରୋ ନଦୀ ତଟଦେଶସ୍ଥିତ ବନ୍ଦର ସହର ଖେରସନ୍କୁ ଯାଇଥିଲା ।
କ୍ୟାମେରା ଧରି ସେ ସହରର ଧ୍ୱଂସସ୍ତୁପର ଅନେକ ଫଟୋଚିତ୍ର ଓ ଭିଡ଼ିଓ ଉତ୍ତୋଳନ କଲା । ଖଣ୍ଡବିଖଣ୍ଡିତ କୋଠା,ଟିଭି ଟାୱାର, ଚର୍ଚ୍ଚ, ଜଳ, ବିଦୁ୍ୟତ ସରବରାହ ସଂସ୍ଥାର ଭିତ୍ତିଭୂମି, ଲୁଣ୍ଠିତ ସଂଗ୍ରହାଳୟ, ହାସପାତାଳ, ଶିକ୍ଷାନୁଷ୍ଠାନ, ସରକାରୀ ଦପ୍ତର ଯୁଦ୍ଧତାଣ୍ଡବର ସ୍ୱାକ୍ଷର ବହନ କରୁଥିଲେ ।
ଏକ ସୁଚିନ୍ତିତ ରଣନୀତି ଅର୍ନ୍ତଗତ ତଥା ଅନେକାଂଶରେ ସହର ପରିଚାଳନାରେ ଅସଫଳତା, ସେନା ଓ ଅସ୍ତ୍ରଶସ୍ତ୍ରବାହୀଗାଡ଼ିର ଚଳନରେ ଅସୁବିଧା ଏବଂ ସର୍ବୋପରି ପାଶ୍ଚାତ ଦେଶସମୂହ ସାହାଯ୍ୟରେ ଉନ୍ନତ ସେନା-ପ୍ରଶିକ୍ଷଣ, ଡ୍ରୋନ, ଯୁଦ୍ଧ ଟ୍ୟାଙ୍କ, ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଗ୍ରାଡ଼ ରକେଟ, ହିମର୍ସ ଭଳି ରକେଟ ଲଞ୍ଚର ସଜ୍ଜିତ ଶକ୍ତିଶାଳୀ ପ୍ରତିପକ୍ଷର ବ୍ୟାପକ ପ୍ରତି-ଆକ୍ରମଣର ସାମ୍ନା ନକରିପାରି ଶତ୍ରୁରାଷ୍ଟ୍ର ଖେରସନ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସହର ପୁନଃଦଖଲ କରିବାରେ ତା ଦେଶର ସାହସୀ ସୈନ୍ୟଙ୍କ ଅବଦାନ କିଛି କମ୍ ନଥିଲା । ଦୁଇଲକ୍ଷରୁ ଉର୍ଦ୍ଧ୍ଵ ଲୋକସଂଖ୍ୟା ବିଶିଷ୍ଟ ସହରରେ ଦୀର୍ଘ ଅନ୍ତରାଳରେ ଲୋକେ ସହଜ ଅନୁଭବ କଲେ । ତଥାପି…କିଏ ଜାଣେ ? ଦେଶର ଅଧିକାଂଶ ଇଲାକା ଏବେ ଶତ୍ରୁ ଅକ୍ତିଆରରେ ଯେ । ଭୌଗଳିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏ ସହରକୁ ଶତ୍ରୁ ଯେ ପୁନଃହାସଲ କରିବାକୁ ତା’ ରଣନୀତିରେ ପରିବର୍ତ୍ତନ ନକରିବ କିଏ କହିବ?
ଆକ୍ରମଣ ଓ ପ୍ରତିଆକ୍ରମଣରେ ମୃତପ୍ରାୟ ସହରର ଅନେକ ସ୍ଥାନରେ ଶତ୍ରୁସେନା ବାରୁଦ, ଲ୍ୟାଣ୍ଡମାଇନ ବିଛାଇ ଥିଲେ; ପରିତକ୍ତ ଗୃହ, ରାସ୍ତା, ଏମିତିକି ଯୁଦ୍ଧରେ ନିହତ ନାଗରିକଙ୍କ ଶରୀରରେ ମଧ୍ୟ ବିଷ୍ଫୋରକ ଯନ୍ତ୍ର ଖଞ୍ଜା ଯାଇଥିଲା । ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେବା ସହିତ ବିଷ୍ଫୋରକ ଦ୍ରବ୍ୟର ବିଶେଷଜ୍ଞ ସେସବୁ ଘାତକ ସାମଗ୍ରୀକୁ ନିଷ୍କି୍ରୟ କରିବାକୁ ଦିନରାତି ଲାଗିପଡ଼ିଥିଲେ । ତେଣୁ କାଟ୍ୟା ସାବଧାନତାର ସହ ବୁଲୁବୁଲୁ ଏକ ଗ୍ରନ୍ଥାଗାରର ସମ୍ମୁଖରେ ପହଞ୍ଚିଗଲା ।
କୋଠାର ଧ୍ୱଂସାବଶେଷକୁ ଜଗିରଖି ଅତିକ୍ରମ କରି ଚିତ୍ର ଉତ୍ତୋଳନ କରିକରିି କାଟ୍ୟା ଏକ ହଲରେ ପ୍ରବେଶ କଲା । ଦେଶର ଐତିହ୍ୟ, ସଂସ୍କୃତି, ଇତିହାସ ସମ୍ବନ୍ଧରେ ଜ୍ଞାନର ଆଲୋକବର୍ତ୍ତୀ ବହୁ ଗୁରୁତ୍ୱପୂର୍ଣ୍ଣ, ମୂଲ୍ୟବାନ ପୁସ୍ତକ ଜଳିପୋଡ଼ି ଛାରଖାର ହୋଇଯାଇଥିଲେ । କାଟ୍ୟା ଶୁଣିପାରୁଥିଲା ପୁନରୁଦ୍ଧାର ଲାଗି ସେମାନଙ୍କ ଆତ୍ମାର ବିକଳ ଗୁହାରି । ଏକ ଧୂଳି ଧୂସରିତ ବୃହତକାୟ କାଠଥାକକୁ ଅନେଇଅନେଇ ଆଗକୁ ବଢ଼ିବା ବେଳେ ଦେଖିଲା, ଥାକର ଗୋଟିଏ କୋଣରେ ରଖାଯାଇଥିବା କାଗଜର ବଣ୍ଡିଲି । ଏଭଳି ଦସ୍ତାବିଜ ଆହୁରି ଥାଇପାରେ ଭାବି ସେ କାଠ ଚଟାଣରେ ଠକ୍ଠକ୍ କଲା, ଫମ୍ପା ଆୱାଜ ଶୁଣି ତଳେ ଗୁପ୍ତକକ୍ଷ ଅବସ୍ଥିତି ଅନୁମାନ କରି ଜଳିପୋଡ଼ି ଯାଇଥିବା ଗାଲିଚାକୁ ଉଠାଇଲା । ଏକ ଚାରିକୋଣିଆ ବଡ଼ ଖୋପରେ ଅନେକ କାଗଜପତ୍ର ତରବରିଆ ଭାବେ ଗୁଞ୍ଜା ଯାଇଥିଲା । ଧୂଳିଆ ଏବଂ ବାଦାମୀ ପଡ଼ିଯାଇଥିବା କାଗଜଗୁଡ଼ିକ ଅନ୍ତତଃ ଛ’ମାସ ପୁରୁଣା ହୋଇପାରେ । କିଛି ଉକ୍ରେନୀୟ ଭାଷାରେ ଥିଲା ତ ଆଉ କିଛି ରୁଷୀୟ ଭାଷାରେ ଲେଖାଯାଇଥିଲା ।
ଚକିତ କାଟ୍ୟା ଥରଥର ହାତରେ ପ୍ରଥମ ଚିଠିଟି ଖୋଲି ପଢ଼ିଲା । ତାହା ଜଣେ ୟୁକ୍ରେନୀୟ ସୈନିକ ଇଭାନ ଦ୍ୱାରା ଲିଖିତ ଭାବବିହ୍ୱଳଭରା ଚିଠି ଥିଲା । ତାଙ୍କ ଲେଖାରୁ ଆଶା, ଭୟ ଓ ନିଜ ପରିବାରଙ୍କ ଲାଗି ବିରହଜନିତ ଯନ୍ତ୍ରଣା ଥିଲା । ଉଦ୍ଧୀପନାବଶତଃ କାଟ୍ୟା ଚିଠି ପରେ ଚିଠି ପଢ଼ିଚାଲିଲା । ସେସବୁ ଚିଠିରେ ଉଭୟ ଦେଶର ସୈନ୍ୟଙ୍କ ଯୁଦ୍ଧବ୍ୟସ୍ତ ଜୀବନର ଅକୁହା ବେଦନାଭରା ବର୍ଣ୍ଣନା ଥିଲା ।
ନିଜ ବ୍ୟାଗପ୍ୟାକ୍ରେ ଯେତେ ପାରିବ ସେତେ ଚିଠି ଭରି କାଟ୍ୟା ନିଜ ଘର ଅଭିମୁଖେ ତା’ସାଇକେଲ ଗଡ଼ାଇଲା । ଆପାର୍ଟମେଣ୍ଟରେ ପହଞ୍ଚି ଚିଠି ପରେ ଚିଠିକୁ ଇଂରାଜୀରେ ଅନୁବାଦ କଲା, ପ୍ରତିଲିଖନ କୌଶଳ ବି ଆପଣେଇଲା । କ୍ୟାମେରାରେ ଚିଠିଗୁଡ଼ିକର ଫଟୋ ବି ଉଠାଇନେଲା ।
ପ୍ରତି ଲେଖକର ଆବେଗର ମର୍ମକୁ ଅତି ବିଚକ୍ଷଣତାର ଧରିରଖିବାକୁ ଚେଷ୍ଟା କରି ରାତିର ଗଭୀର ପ୍ରହର ପର୍ଯ୍ୟନ୍ତ ଉଜାଗର ରହି କାମ ଜାରି ରଖିଲା କାଟ୍ୟା । ଚିଠିଗୁଡ଼ିକ କେବଳ ଯୁଦ୍ଧର ଭୟାବୟତା ନୁହେଁ ବରଂ ଦେଶ ନିର୍ବିଶେଷରେ ସମସ୍ତ ସୈନିକ ଯେ ଅନୁରୂପ ମାନବୀୟ ସମ୍ବେଦନାରେ ପରସ୍ପର ସହିତ ଛନ୍ଦି ହେଇଛନ୍ତି ତାହା ସେ ମର୍ମେ ମର୍ମେ ଅନୁଭବ କଲା ।
ଏମିତି ଏକ ଚିଠିରେ ଡ଼ିମିତ୍ରି ନାମକ ଏକ ରୁଷୀୟ ସୈନିକର ଥିଲା । ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଡକାୟତି ଅପରାଧରେ କାରାଦଣ୍ଡ ଭୋଗୁଥିବା ଡ଼ିମିତ୍ରିଙ୍କୁ ଛ’ମାସରେ ଯାଏ ଶତ୍ରୁଦେଶରେ ଯୁଦ୍ଧ ଲଢ଼ିବା ଲାଗି ସର୍ତ୍ତରେ ଦୋଷମୁକ୍ତ କରାଯିବାର ଲୋଭ ଦିଆଯାଇଥିଲା । କିନ୍ତୁ ଯୁଦ୍ଧ ବେଳେ ପରିସ୍ଥିତିବଶତଃ ଜଣେ ନିରପରାଧ ନାଗରିକକୁ ହତ୍ୟା କଲା ପରେ ଅବସାଦ ଜର୍ଜରିତ ଏହି ସୈନିକଟି ସ୍ୱୀୟ କାର୍ଯ୍ୟ ପାଇଁ ପଶ୍ଚାତାପ କରିଥିଲେ । ଆତ୍ମସମର୍ପଣ କଲାପରେ ସେ ଯୁଦ୍ଧବନ୍ଦୀ ଅଦଳବଦଳ ପ୍ରକ୍ରିୟାରେ ମୁକ୍ତ ହେଇ ନିଜ ଦେଶ ଫେରିବା ଘେନି ଦ୍ୱନ୍ଦ୍ୱରେ ଥିଲେ କାରଣ ଶତ୍ରୁ ସମ୍ମୁଖରେ ସ୍ୱେଚ୍ଛାରେ ଆତ୍ମସମର୍ପଣ କରିଥିବା ସୈନିକଙ୍କୁ ୧୦ ବର୍ଷ କାରାବାସ ତାଙ୍କ ଦେଶରେ ନିୟମ ଥିଲା ।
ଜଣେ ୟୁକ୍ରେନୀୟ ଡାକ୍ତର ମାରିଆଙ୍କ ଚିଠିରୁ ସ୍ପଷ୍ଟ ହେଉଥିଲା, କିପରି ଯୁଦ୍ଧକ୍ଷେତ୍ର ଚିକିତ୍ସା ଶିବିରରେ ହୃଦୟ ବିଦାରକ ନିର୍ଣ୍ଣୟମାନ ନେଇଥିଲେ; ସୀମିତ ଡାକ୍ତରୀ ସରଞ୍ଜାମ, ଔଷଧପତ୍ରରେ ପୀଡ଼ିତଙ୍କ ସେବା କରାଯିବାର ପ୍ରଚେଷ୍ଟା, କିଏ ଜୀବନରକ୍ଷାକାରୀ ଚିକିତ୍ସା ପାଇଁ ଅଧିକ ହକ୍ଦାର , କିଏ ଚିକିତ୍ସା ପାଇଁ ଅପେକ୍ଷା କରିପାରିବ, ସୈନିକର ଚିକିତ୍ସା ଅଧିକ ଗୁରୁତ୍ୱପୂର୍ଣ୍ଣ ବା ଆଘାତପ୍ରାପ୍ତ ନାଗରିକଙ୍କ, କେବେ କେବେ ଶତ୍ରୁ ସୈନିକଙ୍କ ଜୀବନରକ୍ଷା ପ୍ରୟାସରେ ସେ ନିଜ ଦେଶର ସୈନିକ ବା ନାଗରିକଙ୍କୁ ଉପେକ୍ଷା କରିବାର ବାଧ୍ୟବାଧ୍ୟକତା, ଶେଷ ସମୟରେ ଗୁରୁତର ଆଘାତପ୍ରାପ୍ତ ଓ କ୍ଷୀଣ ଜୀବନ ଆଶାରେ ସଙ୍ଘର୍ଷରତ ମଣିଷମାନଙ୍କ ସହ ଆଶ୍ୱାସନାଭରା ଆଳାପ । ଏପରି ଚାପରେ ଏହି ବୃତ୍ତିରୁ ଓହରି ଯିବାକୁ ବି ଥରେ ଅଧେ ନିଷ୍ପତ୍ତି ନେବା, କିନ୍ତୁ ସମ-ପେଷାଧାରୀଙ୍କ ମଧ୍ୟେ ଏକ ଅବିଚଳିତ ବନ୍ଧୁତ୍ୱ, ସହଯୋଗ ତାଙ୍କୁ ଅଧିକ ନିଷ୍ଠାର ସହ କାମ କରିବା ଇନ୍ଧନ ଯୋଗାଉଥିଲା ।
କାଟ୍ୟାର କାର୍ଯ୍ୟ ବିଷୟରେ ଅବଗତ ସ୍ଥାନୀୟ ଲୋକେ ଏପରି ଅନେକ ଚିଠି ଠାବକରି ତାକୁ ଦେଲେ । ସୈନିକ ବର୍ଦ୍ଦି ପଛରେ ଥିବା କୋମଳ ଭାବନାକୁ ଦର୍ଶାଉଥିବା ଚିଠିଗୁଡ଼ିକୁ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଦିରେ ପ୍ରଚାର ପାଇଁ ବ୍ୟାପକ ପଦକ୍ଷେପ ନିଆଗଲା । କିଛିଦିନର ଯୁଦ୍ଧ ବିରତି ସମୟରେ, ଅଜଣା ଫୋନ ନମ୍ବରରୁ ଧମକ ସତ୍ୱେ କାଟ୍ୟା ସମସ୍ତ ଫଟୋ, ଦସ୍ତାବିଜର ଏକ ପ୍ରଦର୍ଶନୀର ଆୟୋଜନ କରିବାକୁ ସ୍ଥିର କଲା । କିନ୍ତୁ ଦୁଇଦିନ ପୂର୍ବରୁ ନିଜ ବାଲ୍ୟବାନ୍ଧବୀ ଓଲିନାର ଛଳ ଡାକରା ପାଇଁ ସେ ନିଜ ଗାଁକୁ ଯାଇ ବନ୍ଦୀ ହେଲା ।
ଦିନେ ତାକୁ ଜଣେ ଦୀର୍ଘକାୟ, ବଳିଷ୍ଠ ବପୁଧାରୀ ଦୁର୍ଦ୍ଧର୍ଷ ଏଫଏସବି ଅଧିକାରୀ ଭୋଲ୍କଭ୍ ସମ୍ମୁଖକୁ ନିଆଯାଇଥିଲା । ଷ୍ଟୁଲରେ ଏକ ବଣ୍ଡିଲି ଧଳା କାଗଜ ଓ ବଲପେନ୍ ଥୁଆ ହୋଇଥିଲା । କାଟ୍ୟା ତାଙ୍କ ଶାଣିତ ନଜରର ସାମ୍ନା କଲା, ନିର୍ଯ୍ୟାତନା ଯେପରି ଦେହସୁହା ହୋଇଯାଇଥିଲା, ସେ ହାତମୁଠା କରି, ମୁହଁରେ ଦୃପ୍ତ ଭାବ ଉକୁଟାଇ ଆହୁରି ଅନେକ ଧମକ ଓ ଯାଥନାକୁ ଅପେକ୍ଷା କରିରହିଲା ।
“ମିସ୍ କାଟ୍ୟା, ଚିଠିଗୁଡ଼ିକ ନେଇ ଯେଉଁ କ୍ଷୁଦ୍ର ଯୋଜନାରେ କାମ କରୁଛ, ତାହା ଆମ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି”, ଜେନେରାଲ ଭୋଲକଭ୍ ତା ମୁହଁ ପାଖରେ ନଇଁପଡ଼ି ଅତି ରୁକ୍ଷ ଓ ଧମକପୂର୍ଣ୍ଣ ସ୍ୱରରେ କହିଲେ ।
କାତରତାର କମ୍ପନ ଥିଲା ତା’କଣ୍ଠରେ ତଥାପି ଦୃଢ଼ତାର ସହ କାଟ୍ୟା କହିଲା, “କିନ୍ତୁ ସେସବୁ ଯୁଦ୍ଧରେ ଜଡ଼ିତ ହୋଇପଡ଼ିଥିବା ଏମିତି କିଛି ସାଧାରଣ ଯୋଦ୍ଧାଙ୍କ ମର୍ମଲିପି ଯେଉଁମାନେ ଚାହିଁକି ବି କିଛି କରିପାରୁନାହାଁନ୍ତି । ମୁଁ ତ କେବଳ ସେମାନଙ୍କ କାହାଣୀକୁ ବିଶ୍ୱରେ ଦର୍ଶାଇବାକୁ ଚାହେଁ ।”
ଜେନେରାଲ ଭୋଲକଭ୍ ଅଟ୍ଟହାସ କଲେ, “ସେ ଚିଠିସବୁ ଯୁଦ୍ଧର ଏପରି ରୂପକୁ ଅନାବୃତ କରୁଛି ଯାହା ଆମେ ଗୋପନ ରଖିବାକୁ ଚାହୁଁ ।”
କାଟ୍ୟା କହିଲା, “ମୋତେ ଯଦି ଚୁପ କରିଦେବ, ଯୁଦ୍ଧରେ ପୀଡ଼ିତଙ୍କ କାହାଣୀକୁ ପ୍ରସାରିତ କରିବାକୁ ଆହୁରି ଅନେକ ଅଛନ୍ତି ।”
ଭୋଲକଭ୍ଙ୍କ ଇସାରାରେ ତାକୁ ଶକ୍ତ ଚାପୁଡ଼ାଟେ ମାରିଲା ଜଣେ ସୈନିକ । “ତୁମ ଭଳି ଲୋକଙ୍କୁ ସାବାଡ଼ କରି ଜୀବନ ଦୁର୍ବିସହ କଲାଭଳି ପନ୍ଥା ଆମକୁ ଜଣାଅଛି”, ଭୋଲକୋଭ୍ଙ୍କ ଉଚ୍ଚସ୍ୱରରେ ତା’ହୃଦୟସ୍ପନ୍ଦନ ତୀବ୍ର ହେଉଥିଲା ତଥାପି ଅବିଚଳିତ କାଟ୍ୟା କହିଲା, “ବିଶ୍ୱ ସତ ଜାଣିବା ଦରକାର । ଯେ ପର୍ଯ୍ୟନ୍ତ ତାହା ନ ହୋଇଛି ମୁଁ ଅଟକିବି ନାହିଁ ।”
ଭୋଲକଭ୍ କିଛି ମୁହୂର୍ତ୍ତ ଚୁପ୍ ରହି ଶାନ୍ତ ସ୍ୱରରେ, ମୃଦୁ ହସି କହିଲେ, “ଠିକ୍ ଅଛି ମିସ କାଟ୍ୟା ।” କାଟ୍ୟା ଶଙ୍କିଯାଇ ଭାବିଲା, ଏହି ବ୍ୟକ୍ତି ଶାନ୍ତ ପଡ଼ିଗଲେ କାହିଁକି ?
ଦିନେ ପୁଣି ତାକୁ ପ୍ରଶ୍ନ କରିଥିଲେ ଭୋଲକଭ୍, ବୋଧହୁଏ ଦୁଇ-ତିନି ଦିନ ଉପରାନ୍ତ ।
“କାଟ୍ୟା, ତୁମେ ଆମ ଉଦ୍ଧେଶ୍ୟ ବୁଝିପାରୁନାହଁ । ସିଧାସଲଖ ମିଛ କହିବାକୁ କିଏ କହୁଛି । ତୁମେ ବାସ୍ ଚିଠିଗୁଡ଼ିକର ଦୃଷ୍ଟିକୋଣ ବଦଳାଇ ଦିଅ ଯଦ୍ୱାରା ଅନେକ ଧନଜୀବନ ହାନୀକୁ ପ୍ରତିହତ କରାଯାଇପାରିବ ।”
“ସତ୍ୟର ଅପଳାପ କିପରି ଜୀବନ ବଞ୍ଚାଇ ପାରିବ?”
“ଉଭୟ ପକ୍ଷରେ ଲଢ଼ୁଥିବା ସୈନିକ କାହାର ନା କାହାର ବାପା, ଭାଇ, ପୁଅ, ଝିଅ । ତୁମର ସତ୍ୟ କାହାଣୀ ବିଭେଦ, ଘୃଣାର ମଞ୍ଜି ବୁଣିଚାଲିବ ସିନା କିଛି ଲାଭ ହେବନି । କିନ୍ତୁ ତୁମେ ଯଦି ଚିଠିର ପୁନଃଲିଖନ କର, ଏକତା, ଶାନ୍ତି ପ୍ରତିଷ୍ଠା ସମ୍ଭବ । ଆମେ ଯୁଦ୍ଧ ଶୀଘ୍ର ବନ୍ଦ କରିବାକୁ ଚେଷ୍ଟା କରିବୁ ।”
“ଲୋକେ ମୋତେ ବିଶ୍ୱାସ କରନ୍ତି । ମୁଁ କାହାଣୀ ତିଆରି କରିପାରିବି ନାହିଁ ।”
“ଲୋକେ ତୁମକୁ ବିଶ୍ୱାସ କରନ୍ତି କାରଣ ସେମାନେ ଜାଣନ୍ତି ତୁମେ କିଛି ଭିନ୍ନ କରିବାର କ୍ଷମତା ରଖ, ସେମାନଙ୍କ କଷ୍ଟକୁ ଲାଘବ କରିବା ଯୋଗ୍ୟତା କେବଳ ତୁମ ପାଖେ ଅଛି । କିଏ କହୁଛି, ଆମର ଦୃଷ୍ଟିକୋଣ ବା ଆମର ମିଶନକୁ ତୁମେ ସମର୍ଥନ କର ବୋଲି? ବାସ୍ କେବଳ ସେମିତି ଚିଠି ଲେଖ ଯାହା ଅଯଥା ରକ୍ତପାତ ରୋକିପାରିବ । ଆମେ ଜାଣୁ ଏହା ତୁମ ପାଇଁ କଠିନ ନିଷ୍ପତ୍ତି କିନ୍ତୁ ତୁମ ନିଷ୍ପତ୍ତି ଉପରେ ନିର୍ଭର କରେ ତୁମର ନିରାପତ୍ତା, ତୁମର ଏବଂ ତୁମ ପରିଜନଙ୍କର ।” ନିଜ ପରିବାରର ସ୍ମରଣକୁ ଯଥାସମ୍ଭବ ଚାପି ରଖିଥିବା କାଟ୍ୟାର ମସ୍ତିସ୍କ ଏବେ ପିତାମାତା, ବନ୍ଧୁଙ୍କୁ ଅତ୍ୟାଚାର ବା ହତ୍ୟା ହେଉଥିବାର ଦୃଶ୍ୟ ଅବିରତ ରଚିଚାଲିଥିଲା ।
ମଧ୍ୟାହ୍ନରେ କାଟ୍ୟାକୁ ସେମାନେ ପ୍ରଚୁର ସୂର୍ଯ୍ୟାଲୋକସ୍ନାତ କୋଠରୀକୁ ନେଇଗଲେ । କାଟ୍ୟାକୁ ଭଲ ଭୋଜନ ଦିଆଗଲା । ସେ ଜାଣିପାରିଲାନି ସେ କେତେବେଳେ ଘୁମେଇ ପଡ଼ିଥିଲା । ଏକ ପ୍ରଚଣ୍ଡ ଶବ୍ଦରେ ଧଡ଼ କରି ସେ ଉଠିବସିଲା । ସେ ପୁଣି ଶୋଇବାକୁ ଚେଷ୍ଟା କଲା, ଚାରିପଟର ଭୀଷଣ କୋଳାହଳ ତାକୁ ଶୋଇବାକୁ ଦେଲାନି । ନିକଟସ୍ଥ ବନ୍ଦୀକକ୍ଷରେ ହଠାତ୍ ଯେମିତି କଏଦୀଙ୍କ ସଂଖ୍ୟା ବଢ଼ିଯାଇଥିଲା । ସେମାନଙ୍କୁ ଲଗାତାର ଭୀଷଣ ମାଡ଼ ମରାଯାଉଥିଲା, ସମ୍ଭବତଃ ବିଦ୍ୟୁତ୍ ଝଟକା ବି, ସେମାନଙ୍କ ଯନ୍ତ୍ରଣାସିକ୍ତ ଆର୍ତ୍ତନାଦ କାଟ୍ୟାକୁ ଶୋଇବାକୁ ଦେଲାନାହିଁ । ଏମିତି ଲଗାତାର ଘଣ୍ଟାଏ ଅଧଘଣ୍ଟାର ସମାୟିକ ବିଶ୍ରାମ ପରେ ପୁନଃ ମାଡ଼ମରା ଚାଲୁଥିଲା । ସେ ଅନୁମାନ କଲା ଶତ୍ରୁପକ୍ଷ ତାକୁ ଶୋଇବାକୁ ଦେବାକୁ ଚାହୁଁନାହାନ୍ତି ।
ଦିନେ ଭୋଲକଭ୍ଙ୍କ ସହିତ ତା’ର ପୁଣି ସାମ୍ନା ହେଲ । ରହସ୍ୟମୟ ଭାବେ ହସି ସେ କହିଲେ, “କାଟ୍ୟା, ଯେଉଁ ଯୋଜନା ଆଧାରରେ ଯୁଦ୍ଧର ଗତିପଥ ବଦଳାଇବାକୁ ଚେଷ୍ଟା କରିଥିଲ, ତାହାର ଆଉ କୌଣସି ଗୁରୁତ୍ୱ ନାହିଁ । ତୁମ ଦେଶର ରାଷ୍ଟ୍ରପତି ଦେଶ ଛାଡ଼ି ପଳାୟନ କରିଛନ୍ତି । ଆମେ ରାଜଧାନୀ ଓ ଦେଶର ଅଧିକାଂଶ ଅଂଶ ଅକ୍ତିଆର କରିନେଇଛୁ ଏବଂ ଯୁଦ୍ଧ ଏକ ନିର୍ଣ୍ଣାୟକ ମୋଡ଼ରେ, ପ୍ରକୃତରେ ଯୁଦ୍ଧ ସମାପ୍ତ ହୋଇଛି ଓ ଆମେ ଖୁବ୍ ଶୀଘ୍ର ଅଧିକୃତ ଅଞ୍ଚଳରେ ନିର୍ବାଚନ କରାଇବୁ, ତୁମ ଦେଶର ସମସ୍ତ ନାଗରିକ ଆମ ଦେଶର ନାଗରିକ ହୋଇଯିବେ ।”ତାକୁ ମୁକ୍ତ କରିଦିଆଯିବାର ପ୍ରତିଶୃତି ଦିଆଗଲା । ସମସ୍ତ ବନ୍ଦୀମାନଙ୍କୁ ଏକ ପ୍ରକୋଷ୍ଠକୁ ନିଆଯାଇ ଶତ୍ରୁ ସରକାର ପ୍ରାୟୋଜିତ ଖବର ଚ୍ୟାନେଲ ଦେଖିବାକୁ ବାଧ୍ୟ କରାଯାଉଥିଲା । ଦୃଶ୍ୟରେ ଶତ୍ରୁ ଅଧିକୃତ ଅଞ୍ଚଳରେ ନାଗରିକମାନଙ୍କ ହାବଭାବ ପ୍ରସନ୍ନ ଓ ଅତ୍ୟନ୍ତ ସନ୍ତୋଷ ଜଣାପଡ଼ୁଥିଲା । କାଟ୍ୟା ବି ଅନ୍ୟାନ୍ୟ ବନ୍ଦୀମାନଙ୍କ ସହ ଟିଭି ଦେଖୁଦେଖୁ ଭାବୁଥିଲା, କ’ଣ ଏହା ସତ୍ୟ ହୋଇପାରେ?
ବନ୍ଦ କୋଠାରୀରେ ପୁନଃ ଘୁମେଇ ପଡ଼ି ସେ ସ୍ୱପ୍ନ ଦେଖୁଥିଲା । ଦେଖିଲା, ସେ ଜେନେରାଲଙ୍କ କହିବା ମୁତାବକ ଚିଠି ପୁନଃଲିଖନ କରୁଛି; ଶତ୍ରୁ ସୈନିକମାନେ ଲେଖିଛନ୍ତି, ଯେ ତାଙ୍କ ଯୁଦ୍ଧରେ ବିଜୟ ହେଇଛି, ସେମାନେ ବହୁତ ଉଲ୍ଲସିତ । ବିଶେଷ କିଛି କ୍ଷୟକ୍ଷତି ବିନା ସେମାନେ ଅନାୟାସରେ ଅନେକ ସହର, ଗାଁ, ଇଲାକା ପରେ ଇଲାକା କବ୍ଚା କରିଛାଲିଛନ୍ତି । ଏବଂ ସେମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଶତ୍ରୁପକ୍ଷର ନାଗରିକଙ୍କ ପ୍ରତି ମାନବୀୟ ଉଦାରତାର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି । ଅପରପକ୍ଷରେ ତାକୁ ଏପରି ଲେଖିବାକୁ କୁହାଗଲା ଯେ ତା ନିଜ ଦେଶର ସେନା ବହୁତ ବର୍ବର, ସେମାନେ ଅନେକ ବିଭତ୍ସ ଯୁଦ୍ଧ ଅପରାଧରେ ଲିପ୍ତ । ଶତ୍ରୁସେନା ମଧ୍ୟେ ଭାଇଚାରା ଓ ଦେଶଭକ୍ତି ଅଛି, ମତଭେଦ ବା ଅସନ୍ତୋଷ ଆଦୌ ନାହିଁ, ମତଭେଦର ଖବର ଶତ୍ରୁଙ୍କ କପୋଳକଳ୍ପିତ ।
ଚିଠିଗୁଡ଼ିକରେ ଏହା ମଧ୍ୟ ଲେଖାଯିବାକୁ କୁହାଗଲା ଯେ ଏପରି ଯୁଦ୍ଧ କରିବା ପଶ୍ଚାଦ୍ରେ କୌଣସି ମହତ୍ତ୍ଵକାଂକ୍ଷା କିମ୍ବା ବିସ୍ତାରବାଦୀ ନୀତି ନୁହେଁ ବରଂ ଅନେକ ମହତ ଉଦ୍ଧେଶ୍ୟ ନିହିତ ଅଛି, ସେମାନେ ପ୍ରକୃତରେ ଦେଶରେ ସ୍ଥିରତା ଆଣି ବାହ୍ୟଶକ୍ତିରୁ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନେଉଛନ୍ତି ।
ଏପରି କରି ଜେନେରାଲ ଭୋଲକଭ୍ ଓ ତାଙ୍କ ସରକାର କାଟ୍ୟାର ବିଶ୍ୱସନୀୟତା ଓ ତା’କର୍ମର ପ୍ରଭାବକୁ ନିଜ ସ୍ୱାର୍ଥସାଧନ ପାଇଁ ବ୍ୟବହାର କରିବାକୁ ଚେଷ୍ଟିତ ଥିଲେ । ନକଲି ଚିଠି ଦ୍ୱାରା ସମସ୍ତେ ଭ୍ରମିତ ହେବେ, ଅବିଶ୍ୱାସର ମଞ୍ଜି ରୋପଣ କରାଯାଇପାରିବ, ପ୍ରକୃତ ଘଟଣାକୁ, କାଟ୍ୟାର ଅନୁଭବକୁ ଲୁଚାଯାଇପାରିବ ।
ସେ ଝାଳନାଳ ହେଇ ନିଦରୁ ଉଠିବସିଲା । ପ୍ରବଳ ମୁଣ୍ଡବ୍ୟଥା ହେଉଥିଲା । ଖେରସନ୍ଠାରେ ନିଜ ଭଡ଼ା ଆପାର୍ଟମେଣ୍ଟରେ ଯୁଦ୍ଧକାଳେ ପ୍ରାୟ ଆବଦ୍ଧ ରହି, ନିୟମିତ ବିଷ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଅଭ୍ୟସ୍ତ ହେଉହେଉ ଅନ୍ୟମାନଙ୍କ ପରି ମୁଣ୍ଡବ୍ୟଥା ତଥା ଭୟଗ୍ରସ୍ତ, ଚିନ୍ତିତ, ବ୍ୟାକୁଳ ଚିତ୍ତ , ନିଦ୍ରାହୀନତା, ଭୋକହ୍ରାସ ଭଳି ମନୋରୋଗରେ ପୀଡ଼ିତ ହୋଇପଡ଼ିଥିଲା । “ନା… ଜେନେରାଲଙ୍କ ଗ୍ୟାସଲାଇଟିଙ୍ଗ ଭଳି ମନସ୍ତାତ୍ତ୍ୱିକ ଖେଳରେ ମୁଁ ଭଳିଯିବିନି, ମୁକ୍ତ ହୁଏ ବା ନହୁଏ, ଜୀବିତ ରୁହେ ବା ରୁହେ”, ନିରୁପାୟ କାଟ୍ୟା ମନେମନେ ଇଶ୍ୱରଙ୍କୁ ସ୍ମରଣ କଲା ଯେପରି ତା’ ସାମ୍ବାଦିକ ବନ୍ଧୁ ଆଲେକ୍ସି ପ୍ରକୃତ ଚିଠିଗୁଡ଼ିକୁ ସାର୍ବଜନୀନ କରିବାରେ ସଫଳ ହୁଅନ୍ତୁ ।
– ତା’ପରେ –
