ଅଣୁଗଳ୍ପ

ଯୁଦ୍ଧର ପ୍ରତିଧ୍ୱନି

Ritika Pattnaik's odia short story Juddhra Pratidhwani

“ମିସ୍ କାଟ୍ୟା, ଚିଠିଗୁଡ଼ିକ ନେଇ ଯେଉଁ କ୍ଷୁଦ୍ର ଯୋଜନାରେ କାମ କରୁଛ, ତାହା ଆମ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି”, ଜେନେରାଲ ଭୋଲକଭ୍ ତା ମୁହଁ ପାଖରେ ନଇଁପଡ଼ି ଅତି ରୁକ୍ଷ ଓ ଧମକପୂର୍ଣ୍ଣ ସ୍ୱରରେ କହିଲେ ।

– ପୂର୍ବରୁ –

-୨-

କାଟ୍ୟା ଅପହରଣରେ ପ୍ରଭାବିତ ତା’ର ଅନେକ ଶୁଭେଚ୍ଛୁ ତଥା ସମଚିନ୍ତାଧାରର ବ୍ୟକ୍ତିମାନେ ପଛଘୁଞ୍ଚା ଦେଲେ । କାଟ୍ୟା ନିଖୋଜ ଖବର ଚର୍ଚ୍ଚାର ବିଷୟ ହୋଇ ସାମାଜିକ ଗଣମାଧ୍ୟମରେ ଘୋର ବିରୋଧ କରାଯାଇଥିଲା । କିନ୍ତୁ କାଟ୍ୟାର ଅଭିଯାନରେ ବିରାମ ନୁହେଁ ବରଂ ଗତିତୀବ୍ର ଉଦ୍ଧେଶ୍ୟରେ ଆଲେକ୍ସି ତା’ ଆପାର୍ଟମେଣ୍ଟ୍‌କୁ ଗଲେ । ଉଦ୍ଧେଶ୍ୟ ଥିଲା ପ୍ରକୃତ ଚିଠି, ସେସବୁର ଅନୁବାଦ, ପ୍ରତିଲିଖନ ଦସ୍ତାବିଜର ଉଦ୍ଧାର । ଶତ୍ରୁ ପ୍ରକୃତ ଚିଠିଗୁଡ଼ିକ ନଷ୍ଟ କରିବା ପାଇଁ ସେଗୁଡ଼ିକୁ ନିଶ୍ଚୟ ଖୋଜିଥିବେ । ତଥାପି ସେ କାଟ୍ୟାର ଆପାର୍ଟମେଣ୍ଟ ଖୋଲି ଭିତରକୁ ପ୍ରବେଶ କରିବାକୁ ଯାଉଯାଉ ତା ହାତ ସ୍ଥିର ହେଇଗଲା । ଶତ୍ରୁର ନଜର ଯେ ଏହି ଆପାର୍ଟମେଣ୍ଟରେ ଥିବ ଏବଂ କେଉଁଠି ବି ଗୁପ୍ତ କାମେରା ଖଞ୍ଜାଯାଇଥାଇପାରେ ତାହେଲେ ସେ ବି ବିପଦ ଭିତରରୁ ଟାଣିହୋଇଯିବେ । ସେଠାରୁ ଫେରିଆସି ସେ ଅନ୍ତଃପ୍ରେରଣାବଶତଃ ପୂର୍ବୋକ୍ତ ଭଗ୍ନ ଗ୍ରନ୍ଥାଗାରକୁ ଯାଇ ତନ୍ନତନ୍ନ ଖୋଜିଲେ । ବିଭିନ୍ନ ସ୍ଥାନରୁ କାଠଚଟାଣ ଉଖାରି ଭୂତଳ ଗୃହର ସନ୍ଧାନ ନେଲେ । ପ୍ରାୟ ଦୁଇ ଘଣ୍ଟାର ତଲାସି ପରେ ସେ କୋଠାର ପଶ୍ଚାତ୍ରେ ଅବ୍ୟବହୃତ ପାହାଚ ତଳୁ ଏକ ସିନ୍ଦୁକରୁ ଅନେକ ଚିଠି ଓ କାଟ୍ୟାର ହାତଲେଖା ପାଇଲେ । କାଟ୍ୟା ସବୁ ଅନୁବାଦକୁ ଡ଼ିଜିଟାଇଜେସନ କରି ଏକ ମେମୋରୀ ଚିପ୍‌ରେ ସାଇତିଛି ବୋଲି ଲେଖିଥିଲା । ସେଥିରେ ସବୁ ଚିଠିର ଫଟୋ ମଧ୍ୟ ଥିଲା । “କିନ୍ତୁ ମେମୋରୀ ଚିପ୍ କେଉଁଠାରେ”, ଭାବିହୋଇ ଚିନ୍ତିତ ଆଲେକ୍ସି ପୁନଃ ଚିଠିଗୁଡ଼ିକୁ ଲୁଚାଇ ତୁରନ୍ତ କାଟ୍ୟାର ଗାଁ ଅଭିମୁଖେ ବାହାରିପଡ଼ିଲେ । କାଟ୍ୟାର ପିତାମାତାଙ୍କ ସହିତ କଥାବାର୍ତ୍ତା ହେଉଥିଲା ବେଳେ ବୈଠକଖାନାକୁ ଲାଞ୍ଜ ହଲେଇ ଦୌଡ଼ିଆସିଲା ଡାନିଲୋ । ଖେରସନ୍ ଛାଡ଼ିବା ସହିତ କାଟ୍ୟା ତାକୁ ନିଜ ସହିତ ଗାଁକୁ ନେଇଆସିଥିଲା । ଆଲେକ୍ସି ତାକୁ ଆଉଶିଁବା ବେଳେ ତା’ ବେକରେ ଛୋଟିଆ କ୍ଷତ ଦେଖି ତା’ ବେକପଟି ଖୋଲି ଓଲଟପାଲଟ କରି ଦେଖୁଥିଲା ବେଳେ ସେଥିରେ ଥିବା ଏକ ହାତତିଆରି ଗୁପ୍ତ କ୍ଷୁଦ୍ର କପଡ଼ା ଖୋଳରୁ ସେ ଦୁଇଟି ଚିପ୍ ପାଇଲେ । ଡାନିଲୋର ଅଧିକ ଚିକିତ୍ସା ନିମିତ୍ତ ତାକୁ ନିଜ ସହିତ ନେଇଗଲେ । ଖେରସନ୍‌ସ୍ଥିତ ନିଜ ଆପାର୍ଟମେଣ୍ଟରେ ପହଞ୍ଚି, ତୁରନ୍ତ ଲାପଟପ୍ ଖୋଲି ଇ-ମେଲ୍‌ରେ କ୍ୟାଟାର ପରିଶ୍ରମର ଫଳକୁ ଅଫଲୋଡ଼ କରିବାରେ ଲାଗିଲେ । ଏବେ କାଟ୍ୟାର କାର୍ଯ୍ୟ ବ୍ୟର୍ଥ ଯିବନି ବୋଲି ନିଶ୍ଚିତ ହେଲା ପରେ ସେ ଏକ ଦୁଃସାହସିକ ଅଭିଯାନରେ ବାହାରିଲେ, କାଟ୍ୟା ସନ୍ଧାନ ଉଦ୍ଧେଶ୍ୟରେ ।

ଡାନିଲୋକୁ କାଟ୍ୟାର ପିତାମାତାଙ୍କ ଜିମା ଦେଇ ସେ ଗାଁର ମାକ୍ସିମ ନାମକ ଏକ କାର ମେକାନିକ ସହିତ ଜଙ୍ଗଳିଆ ପଥସ୍ଥିତ ଏକ ଜରାଜୀର୍ଣ୍ଣ ପରିତକ୍ତ କୋଠାକୁ ଗଲେ । ମାକ୍ସିମ ବଖାଣିଥିଲା, “ଆମେ କୋଡ଼ିଏରୁ ଉର୍ଦ୍ଧ୍ଵ ଆତଙ୍କିତ ବନ୍ଦୀ ଏଠାରେ ଅଧମୃତ ଅବସ୍ଥାରେ ଥିଲୁ । ସେଠାରୁ ସ୍ଥାନାନ୍ତରିତ ହେବା ପୂର୍ବରୁ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ବିନା କାରଣରେ ଗୁଳି କରିଦିଆଗଲା କାରଣ ଶତ୍ରୁର ତିନିଟି ମୃତଦେହ ଦରକାର ଥିଲା । ଆମ ଗାଁର ଜଣେ ମହିଳାଙ୍କୁ ମଧ୍ୟ ସେଠାରେ ରଖାଯାଇଥିଲା ।” ଚେହେରାର ବର୍ଣ୍ଣନାରୁ ସେ କାଟ୍ୟା ବୋଲି ସନ୍ଦେହ ରହିଲାନି । ସେ କହି ଚାଲିଥିଲା, “ଯୁବତୀ ଜଣକ ଅତ୍ୟନ୍ତ ଧୈର୍ଯ୍ୟ ସହିତ ସମସ୍ତଙ୍କୁ ସାହସ ଦେଉଥିଲେ, ଏକ ବନ୍ଦୀ ହାତରୁ ଗୁଳି ବାହାର କରିବା ଲାଗି ଛୁରୀକୁ ତତେଇ ଥିଲେ । ନିଜେ ପାଣି ନପିଇ ଅନ୍ୟକୁ ଯୋଗାଉଥିଲେ । ଶତ୍ରୁ ଆଗରେ ତାଙ୍କର ନୀରବ ଆତ୍ମସମ୍ମାନ ଓ ସାହସ ଅନୁପ୍ରାଣିତ କରୁଥିଲା ଅନ୍ୟମାନଙ୍କୁ । କିଛିଦିନ ପରେ ଚାରିଜଣ ସୈନିକ ଆସି ତାଙ୍କୁ ସେଠାରୁ ନେଇଗଲେ । ବନ୍ଦୀ ଅଦଳବଦଳ ପ୍ରକ୍ରିୟାରେ ଫେରିଥିବା ଜଣେ ଦମ୍ପତ୍ତି ସୂଚନା ଦେଲେ, ସେମାନେ କାଟ୍ୟା ସଂସ୍ପର୍ଶରେ ଆସିଛନ୍ତି, ମୁକ୍ତି ପୂର୍ବରୁ ପତ୍ନୀଜଣକ କାଟ୍ୟାକୁ ନିଜ ଫୋନ୍‌ ନମ୍ବର ଦେଇଛନ୍ତି ।

ଅପହରଣ ଦିନ କାଟ୍ୟାର ସମସ୍ତ ଗତିବିଧିର ପୁଙ୍ଖାନୁଫୁଙ୍ଖ ତର୍ଜନା ପରିପ୍ରେକ୍ଷୀରେ କିଭ୍ ଯାଇଥିଲେ ଆଲେକ୍ସି । ରାଜଧାନୀର ରାଜରାସ୍ତାରେ ବିଚରଣ କରୁକରୁ ସେ ଦେଖିଲେ ଛୋଟ ବାଳିକାଟିଏ ସୁଗାର କାଣ୍ଡି ଲାଗି ନିଜ ମା’ଙ୍କ ସହିତ ଅପେକ୍ଷା କରିଥିଲା, ସୁଗାର କାଣ୍ଡି ବିକ୍ରେତା ପାଖରେ । ତା’ଓଠରେ ଲାଖିରହିଥିବା ନୀରିହ ହସ ଆଲେକ୍ସିଙ୍କ ଓଠକୁ ବି ସଂକ୍ରମିଗଲା । ଚାଲିଚାଲି ଯାଇ ସେଣ୍ଟ ସୋଫିଆ ଗୀର୍ଜା ସମ୍ମୁଖ ରାସ୍ତାସ୍ଥିତ କାଫେରେ କଫି ପିଉପିଉ କାନେଇଥିଲେ ନିକଟରେ ବସିଥିବା କିଛି ତରୁଣ ତରୁଣୀଙ୍କ ବାର୍ତ୍ତାଳାପକୁ ।

ସାଙ୍ଗସାଥୀ, ଚାକିରୀ, ସିନେମା, ସଙ୍ଗୀତ ଆଦିର ଆଲୋଚନା କରୁକରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କହିଲା, କିପରି ମାତ୍ର କିଛିଦିନ ପୂର୍ବରୁ ହିଁ ରକେଟମାଡ଼ରେ କ୍ଷତାକ୍ତ ପିତାମାତାଙ୍କ ମୃତ୍ୟୁ ହୋଇଥିଲା ଓ ସେ କବର ଦେଇଥିଲା ସେମାନଙ୍କୁ । ସମସ୍ତେ ଚୁପ୍ ହୋଇଗଲେ, କଥାବାର୍ତ୍ତାର ମୋଡ଼ ବଦଳିଗଲା ଓ ଅନ୍ୟମାନେ କହୁଥିଲେ, କିପରି ବୋମାମାଡ଼ରୁ ବର୍ତ୍ତୀଲେ, କିପରି ରାତିଅନିଦ୍ରା, ଦୈନନ୍ଦିନ ଜୀବନ ଓ ଅଫିସ କାମରେ ସନ୍ତୁଳନ ବଜାୟ ରଖିବାକୁ ସେମାନେ ନିଜନିଜର ରୁଟିନରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଥିଲେ । “ମୃତ୍ୟୁଭୟ ତ ଆମ ନିୟମିତ ଜୀବନର ଏକ ଅଂଶବିଶେଷ ହୋଇସାରିଛି”, ଜଣେ ଯୁବତୀ କହୁଥିଲା । ବାତାବରଣକୁ ହାଲୁକା କରିବା ପ୍ରୟାସରେ ଜଣେ କହିଲା, “ ଫୁଃ, ଚାଲ ଯୁଦ୍ଧ ବିରତି ମଧ୍ୟରେ ଜୀବନକୁ ମନଭରି ଉପଭୋଗ କରିବା” ବାସ୍ ଏପରି ସ୍ଥିତିରେ କେବଳ ନିଜ ମାନସିକ ସ୍ଥିତିକୁ ସମ୍ଭାଳିବ ରଖିବା ହିଁ ସର୍ବୋତ୍ତମ ଉପାୟ”, କହିଲା ବାଇଗେଣୀ ରଙ୍ଗ ଜ୍ୟାକେଟ ପରିହତା ଜଣେ ଯୁବତୀ ଯାହାର ସ୍ୱଚ୍ଛ ଫୋନ କଭର ତଳେ ତା’ ଯୁବବନ୍ଧୁର ଫଟୋ ଦେଖାଯାଉଥିଲା ।

ବିଳମ୍ବିତ ରାତିରେ ହୋଟେଲରୁ ବାହାରି ଆଲେକ୍ସି ଦେଶର କୁଖ୍ୟାତ ଅପରାଧିମାନଙ୍କ ଚରାଭୂଇଁ ମନାକୋ କାସିନୋରେ ପହଞ୍ଚି ପୂର୍ବପରିଚିତ କିଛି କୁଖ୍ୟାତ ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ମାଫିଆଙ୍କୁ ଭେଟିଲେ । ବିରୋଧି ତତ୍ତ୍ୱକୁ ଦମନ କରିବା, ସୂଚନାକୁ ନିଜ ସ୍ୱାର୍ଥନୁସାରେ ହେରଫେର କରିବା ପାଇଁ ସେମାନଙ୍କ ମଧ୍ୟରୁ ଅନେକ ଶତ୍ରୁପକ୍ଷ ପାଇଁ କାମ କରୁଥିଲେ ।

“ଅବଶ୍ୟ ଶତ୍ରୁପକ୍ଷର ମାଫିଆଙ୍କ ସହିତ ଆମେ ବର୍ଷବର୍ଷ ସୁସମ୍ପର୍କରେ ରହିଆସିଛୁ, କିନ୍ତୁ , କିନ୍ତୁ, ଏବେ ଅଧିକାଂଶ କୁଖ୍ୟାତ ଅପରାଧି ସଂପୂର୍ଣ୍ଣ ଭାବେ ନିଜ ଦେଶ ସପକ୍ଷରେ,”, ସିଗାରେଟରୁ ଧୂଆଁ ଛାଡ଼ୁଛାଡ଼ୁ କହିଲା ରୈତାନୋ, ଜଣେ ସ୍ଥାନୀୟ ଚୋରା ବେପାରୀ । ତରୁଣୀ ପରିବେଷିକାଙ୍କୁ ବିୟର ପରିବେଷଣ କରି ଚାଲିଯିବା ପର୍ଯ୍ୟନ୍ତ ଅପେକ୍ଷା କରି ପୁଣି କହିଲା, “ତଥାପି କିଛି ଅଛନ୍ତି ଯେଉଁମାନେ ଶତ୍ରୁର ପାଇଁ କାର୍ଯ୍ୟରତ । କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ସାଂଗଠନିକ ଅପରାଧ ଏବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ।”

“ବୁଝିଲି, ତୁମେମାନେ ଏବେ ଦେଶପ୍ରେମୀ ଅପରାଧି ପଦବାଚ୍ୟ”, ମୃଦୁ ହସି କହିଲେ ଆଲେକ୍ସି । “ପ୍ରକୃତରେ ସୀମାବର୍ତ୍ତୀ ଇଲାକାରେ ଘମାଘୋଟ ଯୁଦ୍ଧ, ବ୍ୟାପକ କ୍ଷୟକ୍ଷତି, ପରିବହନରେ ବାଧା, କ୍ଲେଶ ଯୋଗୁଁ ତୁମମାନଙ୍କ କାରବାରରେ ରୋକ ଲାଗିଛି ।”

“ତୁମ ବାନ୍ଧବୀ ସମ୍ଭବତଃ ଶତ୍ରୁ ଅଧ୍ୟୁଷିତ ପୂର୍ବାଞ୍ଚଳରେ ବାକମତ୍ ନିକଟସ୍ଥ ଏକ କ୍ଷୁଦ୍ର ଗ୍ରାମ୍ୟସ୍ଥିତ ବନ୍ଦୀଶାଳରେ”, କହିଲା, କିରିମ, ଜଣେ ନିଶାଦ୍ରବ୍ୟ ବେପାରୀ ଓ ସେନାରେ ଯୋଗ ଦେବା ପାଇଁ ଇଚ୍ଛୁକ ଆତ୍ମଘୋଷିତ ଦେଶପ୍ରେମୀ । “ନିଜର ସୁରକ୍ଷା ପାଇଁ କାଟ୍ୟା ସହର ଛାଡ଼ି ଚାଲିଯାଇଛି ବୋଲି ଏକ ମିଥ୍ୟା ଖବର ମଧ୍ୟ ସରକାରୀ ଦସ୍ତାବିଜରେ ରୋପଣ କରାଯାଇଛି, କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଦ୍ୱାରା” ।

କାଟ୍ୟାକୁ ଉଦ୍ଧାର ପ୍ରୟାସ ସମୟରେ ସାମାଜିକ ବାର୍ତ୍ତା ବହନକାରୀ ଆପ ଜରିଆରେ କିଛି ହ୍ୟୁସିଲ୍‌ବ୍ଲୋୟର ଆଲେକ୍ସିଙ୍କ ସହ ସଂପର୍କ ସ୍ଥାପନ କରି କାଟ୍ୟାର ଅପହରଣକୁ ନେଇ ଯେଉଁ ମିଥ୍ୟାର ଜାଲ ବୁଣାଯାଇଛି ତାକୁ ହଟାଇବାକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦିଅନ୍ତି ।

-୩-

କାହାର ବୁଟ୍‌ଶବ୍ଦ ଶୁଣି କାଟ୍ୟା ଦଳଦଳିଆ ଆଦ୍ରଭୂମି ପ୍ରାନ୍ତରେ ଏକ ପରିତକ୍ତ ଯୁଦ୍ଧଗ୍ରସିତ କମାରଶାଳର ବଡ଼ ଚୁଲା ପଛରେ ବସିପଡ଼ିଲା । ପାଦଶବ୍ଦ ଦୂରେଇ ଗଲା ପରେ ବି ସେ ସେଇଠି ବସିରହିଥିଲା, ତା ଦେହରୁ ଧାର ଧାର ରକ୍ତ ବୋହି ଆସି ଚିରା ସାର୍ଟକୁ ସଂପୂର୍ଣ୍ଣ ଭିଜାଇ ସାରିଥିଲା । ବୋମା ବିଷ୍ଫାରଣରୁ ଛିଟିକି କିଛି ଧାରୁଆ ବସ୍ତୁ ତା ଦେହକୁ କ୍ଷତାକ୍ତ କରିଥିଲେ । ଚେତନା ଧୂଆଁଳିଆ ହୋଇ ଆସୁଥିଲା । ଅବସନ୍ନ ଶରୀର, କ୍ଳାନ୍ତ ଆଖିରେ ଛାତର ଛିଦ୍ର ଦେଇ ଦେଖିଲା, ଧୂଆଁଳିଆ ରକ୍ତାଭ ଆକାଶ ଧୀରେ ଧୀରେ ପରିଷ୍କୃତ ନୀଳବର୍ଣ୍ଣ ଧାରଣ କରୁଥିଲା, ହଳଦିଆ ସୂର୍ଯ୍ୟ କିରଣରେ ଚାରିପଟ ଝଟକୁଥିଲା । ବୁଲବୁଲର କାକଳି ଶୁଣାଯାଉଥିଲା, ଚାରିପଟେ ଯେମିତି ମୁକ୍ତିର କହ୍ଲ୍ଳୋଳ ଥିଲା ।

କିଛି ଘଣ୍ଟା ପୂର୍ବରୁ ଏକ କଣ୍ଟପଟା ବିଷ୍ଫୋରଣରେ ସେ ଉଠିବସିବା ପୂର୍ବରୁ ତା’ କୋଠରୀରେ ନିଆଁ ଲାଗିଯାଇଥିଲା । ଚାରିଆଡ଼େ ଧାଁଦୌଡ଼, ଚିକôାର ଶୁଣାଗଲା ପରେ ସେ ଅନୁମାନ କଲା, ସମ୍ଭବତଃ ସେ ବନ୍ଦୀଥିବା ଶିବିରରେ ତା’ ନିଜ ଦେଶ ବୋମାମାଡ଼ କରିଛନ୍ତି । ପ୍ରବଳ ଧୂଆଁ ସେମାନଙ୍କୁ ଅଣନିଶ୍ୱାସୀ କରିପକାଉଥିବା ସତ୍ତ୍ୱେ ଏକ କମ୍ବଳ ସାହାଯ୍ୟରେ ଜଳୁଥିବା ଦରଜାକୁ ପେଲି ସେ ଓ ଏରିନା ବାହାରକୁ ଚାଲିଆସିଲେ । ବାହାରେ ଦେଖିଲା, ଜଳିଯାଉଥିବା ଅନେକ ମଣିଷ ଏଣେତେଣେ ଦୌଡ଼ୁଛନ୍ତି, ଶିବିରରେ ମହଜୁଦ ବିଷ୍ଫୋରକ ସାମଗ୍ରୀରେ ନିଆଁ ଲାଗି ମାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଡ଼ା ମାଂସ ଓ ବିଷ୍ପୋରକର ମିଶ୍ରିତ ଗନ୍ଧରେ ନାକ ଫାଟିପଡ଼ୁଥିଲା କିନ୍ତୁ ଗନ୍ଧ, ସ୍ପର୍ଶ, ଶବ୍ଦ ଅନୁଭବ ହେଉଥିଲେ ସୁଦ୍ଧା ଅନୁଭବ କରିବା ଅବସ୍ଥା ନଥିଲା । ଏରିନା ଓ ସେ କଣ୍ଟା ତାରଜାଲି ଘେରା ଶିବିର ଡ଼େଇ ଦଳଦଳିଆ ଆଦ୍ରଭୂମିରେ ପଡ଼ିଉଠି ଦୌଡ଼ିଥିଲେ । ଥରେ ମାତ୍ର ଆକାଶକୁ ଚାହିଁଥିଲା କାଟ୍ୟା । ପ୍ରତୀତ ହେଉଥିଲା ସତେ ଅବା ଅସଂଖ୍ୟ ଗ୍ରହ ନକ୍ଷତ୍ରରେ ନିଆଁ ଲାଗିଯାଇଛି ଓ ସେମାନେ ଧରଣୀକୁ ଗ୍ରାସିବାକୁ ଖସିଆସୁଛନ୍ତି । ସେମାନେ ବେଶି ଦୂର ଯାଇନଥିବେ ଗୁଳିମାଡ଼ରେ ଏରିନା ଟଳିପଡ଼ିଲେ, “ଦ୍ୟାକୁୟୁ, ଦୋ ପୋବା ଚେନ୍ନାୟା” କହି କାଟ୍ୟାକୁ ନିଜ ଜୀବନରକ୍ଷା ଚେଷ୍ଟା ଜାରି ରଖିବାକୁ କହିଲେ । ଏବଂ କାଟ୍ୟା ବାଧ୍ୟ ହେଇ ଗୁଳିଗୋଳା, ବୋମା ଶବ୍ଦଜର୍ଜରିତ ବିପଦପୂର୍ଣ୍ଣ ଉପତ୍ୟକାରେ ଏକୁଟିଆ ଦୌଡ଼ିଥିଲା, କୌଣସି ନିରାପଦ ଜନପଦକୁ ।

-୪-

କାଟ୍ୟାର ସାହସିକ କାର୍ଯ୍ୟ ଜାତୀୟ, ଅନ୍ତର୍ଜାତୀୟ ଛପା ତଥା ବୈଦ୍ୟୁତିକ ଗଣମାଧ୍ୟମର ଅନ୍ୟତମ ଚର୍ଚ୍ଚିତ ଖବର ହେବା ସହିତ ବିିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଶଂସାପୂର୍ଣ୍ଣ ଟିପ୍ପଣୀମାନ ଛାଇଯାଇଥିଲା । ଶତ୍ରୁର ଘୃଣିତ କାର୍ଯ୍ୟାକଳାପକୁ ନିନ୍ଦା କରାଯାଉଥିଲା । ଯୁଦ୍ଧ ବିରୋଧୀ ମନୋଭାବ ବୃଦ୍ଧି ପାଉଥିଲା । ଅନେକ ସ୍ଥାନରେ କାଟ୍ୟା ଓ ହଜାର ହଜାର ନିଖୋଜ ନାଗରିକଙ୍କୁ ମୁକ୍ତ କରିବାକୁ ନାରାବାଜି ହେଉଥିଲା ।

“ଡାନିଲୋ, କାଟ୍ୟା ନିଶ୍ଚୟ ଫେରି ଆସିବ,” ଦରଜାର ତାଲା ଖୋଲି ଘର ଭିତରକୁ ଡାନିଲୋ ସହିତ ପ୍ରବେଶ କରି ତାକୁ ସାନ୍ତ୍ୱନା ଦେଉଥିଲେ ଆଲେକ୍ସି । ଡାନିଲୋକୁ ଗତ ତିନିମାସ ଧରି କେବେ ନିଜ ପଡୋଶୀ ଜିମାରେ ତ କେବେ ନିଜ ବନ୍ଧୁଙ୍କ ଘରେ ଏବଂ ଏବେ ଏକ ସପ୍ତାହ ହେବେ ନିଜ ପାଖରେ ଡାନିଲୋର ଯତ୍ନ ନେଉଥିଲେ ସେ । କାଟ୍ୟାର ବିରହରେ ଡାନିଲୋର ବ୍ୟବହାରରେ ଅସ୍ୱାଭାବିକ ଉଦ୍‌ବିଗ୍ମତା ହେତୁ ପରାମର୍ଶ ଓ ଚିକିତ୍ସା ଲାଗି ତାକୁ ପଶୁ ଡାକ୍ତରଙ୍କ ନିକଟକୁ ନିୟମିତ ବ୍ୟବଧାନରେ ନେବାରେ ହେଳା କରିନଥିଲେ ।

ଗ୍ଳାସେ ‘କୋମପଟ’ ଧରି ଆଲେକ୍ସି ଟିଭି ସାମ୍ନାରେ ବସିଥିଲେ । ଗତ ରାତିରେ କଦାଚିତ୍ ଶତ୍ରୁର ଅତି ଘନିଷ୍ଠ ଥିବା କିନ୍ତୁ ନିକଟ ଅତୀତରେ ଶତ୍ରୁଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଓ ସେଠାକାର ପ୍ରତିରକ୍ଷା କାର୍ଯ୍ୟାଳୟ ଧ୍ୱଂସ କରିଥିବା ତଥା ପଡ଼ୋଶୀ ରାଷ୍ଟ୍ରରେ ଶରଣ ନେଇଥିବା ଘରୋଇ ସୈନ୍ୟବାହିନୀର ମୁଖ୍ୟଙ୍କ ସମେତ ୧୦ଜଣଙ୍କ ଏକ ରହସ୍ୟମୟ ବିମାନ ଦୁର୍ଘଟଣାରେ ମୃତ୍ୟୁ ଲଭିଥିବା ରିପୋର୍ଟ ପ୍ରସାରଣ ହେଉଥିଲା । ହଜାର ହଜାର ୟୁକ୍ରେନୀୟ ନାଗରିକ ନିଖୋଜ – ପରିବାର ସ୍ୱୟଂ ଅନୁସନ୍ଧାନକାରୀ ଭୂମିକାରେ ଅବତୀର୍ଣ୍ଣ, ଶୀର୍ଷକ ସ୍ୱଲିଖିତ ଏକ ବିଶ୍ଲେଷଣାତ୍ମକ ଆଲେଖ୍ୟ ପୁନଃ ପଢ଼ିଲେ ଆଲେକ୍ସି । ସେ ଲେଖିଥିଲେ, ଆମେ ଶତ୍ରୁରାଷ୍ଟ୍ର ଉପରେ ସବୁ ଦିଗରୁ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରୁଛୁ -ସାମ୍ବାଦିକ, ମାନବ ଅଧିକାର ୟୁରୋପିଆନ ନ୍ୟାୟାଳୟ, ସଂଯୁକ୍ତ ରାଷ୍ଟ୍ର, ଅନ୍ତରାଷ୍ଟ୍ରୀୟ ସମୁଦାୟ । କ୍ୟାଟା ଜୀବିତ ବା ମୃତ ସନ୍ଦେହରେ ଚିନ୍ତିତ କାଟ୍ୟାର ପରିବାର ଯୁକ୍ରେନୀୟ ଗୁଇନ୍ଦା ସଂସ୍ଥା ଏବଂ ୟୁକ୍ରେନୀୟ ସଂସଦ କମିଶନରଙ୍କୁ ମଧ୍ୟ ଆବେଦନ କରିଥିଲେ । ବିଭିନ୍ନ ସୋସିଆଲ ମିଡ଼ିଆ ଭାବାବେଗପୂର୍ଣ୍ଣ ବାର୍ତା ଲେଖି କ୍ୟାଟାର ଫଟୋ ଅଫଲୋଡ଼ କରିଥିଲେ । ବାହାରେ ମେଘୁଆ ପାଗ ସହିତ ହାଳୁକା ବର୍ଷା ପରିବେଶକୁ ରୋମାଞ୍ଚିତ କରୁଥିଲା ବେଳେ ଦୂରରେ ମିଶାଇଲର ହ୍ୱିସିଲିଆ ତେଜ ବିଳାପ ପବନକୁ ଭେଦି ହୃଦୟରେ କମ୍ପନ ସୃଷ୍ଟିକରୁଥିଲା ।

ଆଶା ଓ ପରିବର୍ତ୍ତନର ଅନ୍ୟତମ ପ୍ରଜ୍ଜଳିତ ପଥଚିହ୍ନ ହୋଇସାରିଥିବା କାଟ୍ୟାର ସ୍ମୃତିରେ ସ୍ଥଗିତ ପ୍ରଦର୍ଶନୀ କିଭ୍ଠାରେ ଡିଫେଣ୍ଡରସ୍ ଡେ’ରେ ଆୟୋଜନ କରାଗଲା । ବିଶ୍ୱଶାନ୍ତି, ଏକତା, ଦେଶପ୍ରେମର ବାର୍ତ୍ତା ବହନ କରି ଏହି ପ୍ରଦର୍ଶନୀ ଦେଶ ବିଦେଶରୁ ଅନେକ ଲୋକଙ୍କ ଟାଣିଆଣିଲା । ଦିନେ ଶତ୍ରୁ ବୋଲି ବିଚାର କରୁଥିବା ସୈନିକଙ୍କ କାହାଣୀ ସହିତ ନିଜ ସାମଞ୍ଜସ୍ୟ ଦେଖୁଥିଲେ କ୍ୟାଟାର ଦେଶର ନାଗରିକ ।

ଦିନେ ଆଲେକ୍ସି ପ୍ରଦର୍ଶନୀ ହଲରେ ଲକ୍ଷ୍ୟ କଲେ ଜଣେ ବ୍ୟକ୍ତି ଆଗ୍ରହର ସହ ଏକ ରୁଷୀୟ ସୈନିକଙ୍କ ଫଟୋ ଓ ସଂଲଗ୍ନ ଚିଠି ଦେଖୁଥିଲେ । ସେ ଆଲେକ୍ସିଙ୍କ ନିକଟକୁ ଆସି କରମର୍ଦ୍ଧନ କଲେ ଓ କାଟ୍ୟାର ସକୁଶଳ ଲେଉଟାଣି କାମନା କରି ନିଜ ପରିଚୟ ପ୍ରଦାନ କଲେ । ସେ ରୁଷର ପୂର୍ବତନ ସୈନିକ ଡ଼ିମିତ୍ରି ଥିଲେ, ଯେ ଆତ୍ମସମର୍ପଣ ପୂର୍ବକ ବନ୍ଦୀ ହୋଇ ମୁକ୍ତ ହେବା ପରେ ନିଜ ଦେଶକୁ ଫେରିନଥିଲେ । ନିଜ ଠିକଣାକୁ ଗୋପନ ରଖିବାକୁ ଚାହୁଁଥିବା ଡ଼ିମିତ୍ରି ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ସୁଦ୍ଧା କେବଳ ଏହି ପ୍ରଦର୍ଶନୀକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ସୁଦୂର କୌଣସି ୟୁରୋପୀୟ ପ୍ରାନ୍ତକୁ ଛୁଟିଆସିଥିଲେ । ନିଜ ହାତଲେଖା ଚିଠି ଦେଖି ତାଙ୍କ ଆଖି ଲୁହରେ ଛଳଛଳ ହେଉଥିଲା ।

ପ୍ରଦର୍ଶନୀ ହଲର ସୁଦୃଶ୍ୟ ବାତାୟନ ନିକଟରେ ଠିଆହୋଇ ଆଲେକ୍ସି ଦେଖୁଥିଲେ,ସଡ଼କର ଅପରପାଶ୍ୱର୍ରେ ଅର୍ଦ୍ଧ୍ୟବିଧ୍ୱଂସ କୋଠାକାନ୍ଥରେ ଏକ ବିରାଟକାୟ ରଙ୍ଗିନ୍ ମୁରାଲ । ସାମୂହିକ ପ୍ରଚେଷ୍ଟାର ସାଙ୍କେତିକ ବାର୍ତ୍ତା ପ୍ରେରଣ କରୁଥିବା ଭିତ୍ତିଚିତ୍ରରେ ବିଭିନ୍ନ ଦେଶର କୁନି ପିଲା ସ୍ୱଦେଶୀ ପୋଷାକ ପିନ୍ଧି ଯୁଦ୍ଧ ପ୍ରପୀଡ଼ିତ ଅନୁର୍ବର କ୍ଷେତରେ ମଞ୍ଜି ବୁଣୁଛନ୍ତ, ଉଜ୍ଜଳ, ଶାନ୍ତିମୟ ଭବିଷ୍ୟତ ଆଶାରେ । କାଟ୍ୟାର ପତ୍ତା ଏଯାଏ ମିଳିନଥିଲା ଏବଂ ବ୍ୟଥିତ ଆଲେକ୍ସିଙ୍କ ଭାବନା କାଟ୍ୟାର ସ୍ମୃତି ଛଟପଟ ହେଉଥିଲା । ୪୦୦୦ କି.ମି ଦୂର ମଧ୍ୟପ୍ରାଚ୍ୟର ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧରେ ଭଟ୍ଟା ନ ପଡ଼ିବା ପୂର୍ବରୁ ଆଉ ଏକ ଭୟଙ୍କର ରକ୍ତକ୍ଷୟୀ ଆକ୍ରମଣ ଆରମ୍ଭ ହୋଇଯାଇଥିଲା, ଯାହା ବିଶ୍ୱଯୁଦ୍ଧର ରୂପ ନେବାର ଆଶଙ୍କା ଥିଲା ।

ଶବ୍ଦାର୍ଥ
ଭିତାୟୁ : ହ୍ୟାଲୋ
ଦ୍ୟାକୁୟୁ : ଧନ୍ୟବାଦ
ଦୋ ପୋବା ଚେନ୍ନାୟା : ବିଦାୟ

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top