ପ୍ରବନ୍ଧ

ବିକଶିତ ଓଡ଼ିଶା: କିଛି ଅନାଲୋଚିତ ପ୍ରସଙ୍ଗ

Shrimanta Kumar Panda's Odia Prose Bikashita Odisha: Kichhi Analochita Prasanga

କିଛି ମାସ ତଳେ ମହାରାଷ୍ଟ୍ରରୁ ଏକ ଖବର ଆସିଥିଲା, ଯେଉଁଠି ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନରେ ନିଜକୁ ଯୋଗ୍ୟ କରିବା ପାଇଁ ନିଜର ଗୋଟେ ଝିଅକୁ ହତ୍ୟା କଲା । ତାର ସମୁଦାୟ ତିନୋଟି ସନ୍ତାନ ଥିଲେ ଏବଂ ସେଠିକାର ନିୟମ ଅନୁସାରେ ଦୁଇରୁ ଅଧିକ ସନ୍ତାନ ହେଲେ ସେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ହୋଇଥାନ୍ତା ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବହୁଦିନ ଧରି ଖୋଲା ହୋଇନଥିବା ଏକ ଫାଇଲ୍ ହଠାତ୍ ଚର୍ଚ୍ଚାକୁ ଆସିଲା । ଜଣାପଡିଲା ଯେ, ଅନେକ ଦିନ ହେଲା ହିତାଧିକାରୀମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ । କିଛି ହିତାଧିକାରୀ ଏ ଭିତରେ ପରଲୋକ ଗମନ କଲେଣି । ଏ କଥାର ଗମ୍ଭୀରତାକୁ ବିଚାର କରି ଭଗବାନ ଆଦେଶ କଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ । କିଛି ହଜାର ବର୍ଷ ଧରି ମାଙ୍କଡ଼ଙ୍କୁ ମଣିଷ କରିବା ଧାରା ଅଟକି ରହିଥିଲା, ତେଣୁ ମାଙ୍କଡ ଜାତୀୟ ପ୍ରାଣୀଙ୍କୁ ଆଉ ପଦୋନ୍ନତି ମିଳୁ ନଥିଲା । ଡାରୱିନ୍‌ଙ୍କ କ୍ରମବିକାଶ ନିୟମର ବ୍ୟତିକ୍ରମ ଘଟିଥିଲା । ଲାଭାର୍ଥୀଙ୍କ ଦରଖାସ୍ତକୁ ବିଚାର କରି ନ୍ୟାୟ ଦେବତାଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି ହେଲା ଯେ ଆଉଥରେ ମାଙ୍କଡ଼ଠୁ ମଣିଷ ହେବା ଯୋଜନା ଲାଗୁ ହେବ । ଗୁପ୍ତ କୋଠରୀରୁ ସିଦ୍ଧ ମନ୍ତ୍ର ଥିବା ପୋଥି ବାହାରକୁ ଆସିଲା । କିନ୍ତୁ ଲେଖାଥିବା ବିଧିରୁ ଦେଖା ଗଲା, ସେ ମନ୍ତ୍ର ପ୍ରୟୋଗ ଦ୍ୱାରା ରାତି ଅଧିଆ କୌଣସି ମାଙ୍କଡକୁ ମଣିଷ କରି ହେବ ନାହିଁ । ପ୍ରଥମେ ମାଙ୍କଡର ଲାଞ୍ଜ କଟା ହେବ, ତାକୁ ଦୁଇ ଗୋଡ଼ରେ ଚାଲିବାକୁ ଶିଖାଯିବ, ମେରୁଦଣ୍ଡ ସିଧା କରିବାକୁ ପଡିବ ଏବଂ ଗଛ ଡିଆଁ ଛାଡି କଥାବାର୍ତ୍ତା ଅଭ୍ୟାସ କରିବାକୁ ପଡିବ । ଏ ସବୁ କଥା ସମସ୍ୟାକୁ ଅଧିକ ଜଟିଳ କରିଦେଲା । ଯଦି ସମସ୍ତ ପ୍ରକ୍ରିୟା ବିଧି ମୁତାବକ ସମ୍ପାଦିତ ହୁଏ, ତେବେ ଦରଖାସ୍ତ କରିଥିବା ଅନେକ ମାଙ୍କଡ ଏ ଜୀବନରେ ଆଉ ମଣିଷ ହୋଇପାରିବେ ନାହିଁ ।

ସମସ୍ତ ଦିଗକୁ ବିଚାର କରି ନିଷ୍ପତ୍ତି ହେଲା ଯେ, ସେ ଗୁପ୍ତ ମନ୍ତ୍ରକୁ ଥରେ ପରୀକ୍ଷା କରାଯିବ ଏବଂ ଏକକାଳୀନ ଅଫର୍ ଭାବେ ସମସ୍ତ ମାଙ୍କଡ଼ଙ୍କୁ ମଣିଷ କରିଦିଆଯିବ । ମାଙ୍କଡ଼ମାନେ ଜଙ୍ଗଲର ସବୁଠୁ ଉଚ୍ଚ ଗଛରୁ ମନ୍ତ୍ର ପଢି ତଳକୁ ଡିଆଁ ମାରିବେ, ତଳେ ପହଞ୍ଚିଲା ବେଳକୁ ସେମାନେ ମଣିଷ ହୋଇଯାଇଥିବେ । କିନ୍ତୁ ଏ ଅଫର୍ ନେବାକୁ ଅନେକ ପୁରୁଣା ମାଙ୍କଡ ମନା କଲେ । ସେମାନେ କହିଲେ, “ଇଏ କିଛି ଅଫର୍ ନୁହେଁ, ବରଂ ଆମକୁ ମାରିବାର ଉପାୟ । ଆମ ପ୍ରକୃତି ଅନୁସାରେ ଉପରୁ ଡେଇଁଲା ବେଳକୁ ଆମେ ସିଧା ତଳକୁ ନ ଆସି ବାଟରେ ଥିବା ଅନ୍ୟ ଡାଳକୁ ଡେଇଁ ପଡ଼ିବୁ । ଯଦିବା ସଂଯମ ରକ୍ଷା କରି ସିଧା ତଳକୁ ଡେଇଁଲୁ, ତଳେ ପହଁଚିଲା ବେଳକୁ ଯେ ମଣିଷ ହୋଇଯାଇଥିବୁ ତାର କ’ଣ ଗ୍ୟାରେଣ୍ଟି ଅଛି? ” ଏ ଯୁକ୍ତିରେ କିଛିଟା ଦୃଢ଼ତା ଥିଲା, କାରଣ ଅନେକ ବର୍ଷ ଧରି ମନ୍ତ୍ର ପ୍ରୟୋଗ ହୋଇ ନଥିବାରୁ ତାର ସଫଳତାର ହାର ଓ ବିଧି ବିଷୟରେ କେହି ନିଶ୍ଚିତ ନଥିଲେ ।

କିନ୍ତୁ ବିକାଶ ନାମକ ଗୋଟିଏ ମାଙ୍କଡ଼ କହିଲା, “ମୁଁ ରିସ୍କ ନେବାକୁ ରାଜି ଅଛି । ମୁଁ ଦିନେ ବିକଶିତ ହୋଇ ମଣିଷ ହେବି, ସେଇ ଆଶାରେ ମୋ ବାପା ମୋ ନାଁ ‘ବିକାଶ’ ରଖିଥିଲେ । ଯଦି ମୁଁ ଏ ଅଫର ଛାଡ଼ିଦେବି, ତେବେ କେବେ ବିକଶିତ ହୋଇ ମଣିଷ ହୋଇ ପାରିବି ନାହିଁ ।” ଏ ପ୍ରସ୍ତାବ ସମସ୍ତଙ୍କୁ ଭଲ ଲାଗିଲା । ଶୁଭ ଦିନ ଗଣନା ପରେ ବିକାଶ ପାଇଁ ନୂଆ ପୋଷାକ ଆସିଲା । ସମସ୍ତେ ପୂର୍ବ ନିର୍ଦ୍ଧାରିତ ଜାଗାରେ ଜମା ହେଲେ । ପୂଜା ପାଠ ପରେ ମନ୍ତ୍ର ପାଠ ହେଲା । ଇସାରା ପାଇବା ମାତ୍ରେ, ବିକାଶ ‘ଜୟ ଶ୍ରୀରାମ’ କହି ଆଖି ବନ୍ଦ କରି ଡେଇଁ ପଡିଲା । ବିକାଶର ଜଣେ କକାପୁଅ ଭାଇ କହିଲା, “ମୋର ପୁରା ବିଶ୍ୱାସ ଅଛି, ଦିନେ ଆମ ‘ବିକାଶ’ ପରିବାରର ନାଁ ରଖିବ ।” ଏତିକି ବେଳକୁ ଢୋ କିନା ଏକ ଶବ୍ଦ ହେଲା । ନା କିଛି ଚମତ୍କାର ହେଲା, ନା ସେ ମଣିଷ ହେଲା । ବରଂ ବିକାଶର ଦୁଇଟି ଗୋଡ ଓ ତିନୋଟି ଦାନ୍ତ ଭାଙ୍ଗି ଯାଇଛି, ମୁଣ୍ଡ ଫାଟି ଯାଇଛି ଏବଂ ନାକରୁ ରକ୍ତ ବୋହୁଛି । ଏ ଖବର ତୁରନ୍ତ ଭଗବାନଙ୍କ ପାଖକୁ ଗଲା । ସେ ଭୀଷଣ ବିରକ୍ତ ହେଲେ ଏବଂ ପରୀକ୍ଷଣ କରୁଥିବା ଅଧିକାରୀଙ୍କୁ କହିଲେ, “ଆରେ ମୂର୍ଖ ଦଳ ! ମାଙ୍କଡ଼ରୁ ମଣିଷ ହେବା ପାଇଁ ମନ୍ତ୍ର ସହ ସମୟ ମଧ୍ୟ ଆବଶ୍ୟକ । ବିକାଶ ଏକ ଧାରା, ଯାହା କ୍ରମାନ୍ୱୟରେ ହୁଏ । ରାତି ଅଧିଆ ମନ୍ତ୍ର ଫୁଙ୍କିଦେଲେ କେହି ବିକଶିତ ହୁଅନ୍ତି ନାହିଁ ।”

ସରକାରଙ୍କ ଘୋଷଣା ଅନୁସାରେ, ଭାରତ ବିକଶିତ ହେବା ଯଥେଷ୍ଟ ପୂର୍ବରୁ ଅର୍ଥାତ ୨୦୩୬ ବେଳକୁ ଓଡ଼ିଶା ବିକଶିତ ହୋଇଯିବ । ଆମେ ଜାଣୁ ସରସ୍ୱତୀ ପୂଜା ପୂର୍ବରୁ ବସନ୍ତ ଆଗମନ କରେ, ଦଶହରା ପୂର୍ବରୁ ଭାଦ୍ରବ ମାସ ଆସେ । ସେ ସମୟରେ ପ୍ରକୃତିରେ ହେଉଥିବା ପରିବର୍ତ୍ତନରୁ ଆମେ ଜାଣିଯାଉ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେହି କହିବା ଦରକାର ପଡ଼େନାହିଁ । ଠିକ୍ ସେହିଭଳି ଯଦି ୨୦୩୬ ଏପ୍ରିଲ୍ ୧ ତାରିଖରେ ‘ଓଡିଶା’ ନାମକ ରାଜ୍ୟ ବିକଶିତ ହୋଇଯିବ, ତେବେ ତା’ ପୂର୍ବରୁ ବିକାଶର କିଛିଟା ବାସ୍ନା ଆସିବା କଥା । କିନ୍ତୁ ପୂର୍ବରୁ ସେଭଳି ବାସ୍ନା ଆସିବ ନା ସିଧା ୨୦୩୬ ମସିହା ମାର୍ଚ୍ଚ ୩୧ ତାରିଖରେ ଅଚାନକ ପରିବର୍ତ୍ତନ ଆସିବ, ତାହା ଜଣା ପଡୁନି । ଯଦିବା କ୍ରମବିକାଶ ହେବ, ପ୍ରଥମେ କେଉଁ ଜିଲ୍ଲା, ବର୍ଗ କିମ୍ବା ଅଞ୍ଚଳ ବିକଶିତ ହେବ ତାର ସ୍ପଷ୍ଟ ଚିତ୍ର ଏଯାଏଁ ଜଣା ନାହିଁ । ମୋର ସରକାରଙ୍କ ଘୋଷଣା ଉପରେ ସଂପୂର୍ଣ୍ଣ ଭରସା ଅଛି, କିନ୍ତୁ ଆଗରୁ ‘ହଜାରେ ଦିନରେ ହଜାରେ ଶିଳ୍ପ’ ଭଳି ଅନେକ ଯୋଜନାର ବାସ୍ତବ ଫଳ ଦେଖି ମଝିରେ ମଝିରେ ଟିକେ ସନ୍ଦେହ ଆସୁଛି ।

ଏହି ସନ୍ଦେହର ଗୋଟିଏ ବଡ଼ କାରଣ ହେଲା ଭିଜନ ଡକ୍ୟୁମେଣ୍ଟ୍ ଅନୁଯାୟୀ ୨୦୩୬ ବେଳକୁ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ୍ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଭିତ୍ତି କଲେ ଏହି ଲକ୍ଷ୍ୟ ହାସଲ ହେବା ସମ୍ଭବ ଲାଗୁ ନାହିଁ । ବର୍ତ୍ତମାନର ଅଭିବୃଦ୍ଧି ହାର ୭.୦% ରୁ ୭.୯% ମଧ୍ୟରେ ରହୁଛି, କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ୯% ରୁ ଅଧିକ ଅଭିବୃଦ୍ଧି ହାର ଆବଶ୍ୟକ । ଯଦି ଆଗକୁ ମଧ୍ୟ ସମାନ ଅଭିବୃଦ୍ଧି ହାର ଜାରି ରହେ, ତେବେ ୨୦୩୫ ବେଳକୁ ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ହଠାତ୍ ୨୨ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ଆବଶ୍ୟକ ହେବ, ଯାହା ଆଜିଯାଏ କୌଣସି ରାଜ୍ୟ ହାସଲ କରିପାରି ନାହାନ୍ତି । ତେଣୁ ଏହା ଅନୁମାନ କରାଯାଇପାରେ ଯେ ନିର୍ଦ୍ଧାରିତ ଲକ୍ଷ୍ୟଟି ବାସ୍ତବସମ୍ମତ ନୁହେଁ ଏବଂ ଏହା କୌଣସି ଚମତ୍କାର ଘଟିବାର ଆଶା ଉପରେ ଆଧାରିତ ।

ତେବେ ପ୍ରତିଶ୍ରୁତି କିଛି ବି ଦିଆଯାଇପାରେ । ଏ ନେଇ ମୁଁ ଶୁଣିଥିବା ଗୋଟିଏ ଗପ ମନେ ପଡୁଛି । ଥରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଜଣେ ବ୍ୟକ୍ତି ନିଜ ଶେଷ ଇଚ୍ଛାରେ ରାଜାଙ୍କୁ କହିଲା, “ମୋ ପାଖରେ ଏମିତି ଏକ ଗଛର ମଞ୍ଜି ଅଛି ଯାହାର ଅଠାରୁ ସୁନା ବାହାରିବ । ଯଦି ରାଜା ଅନୁମତି ଦେବେ ମୁଁ ଟିକେ ସେ ଗଛ ଲଗାନ୍ତି । ତିନିବର୍ଷ ପରେ ସେ ଗଛରୁ ଯାହା ଅଠା ବାହାରିବ ମୁଁ ତାହା ରାଜାଙ୍କୁ ପ୍ରଦାନ କରନ୍ତି।” ଏ କଥା ଶୁଣି ରାଜା ଦୋଷୀକୁ ତୁରନ୍ତ ଦଣ୍ଡ ନଦେଇ କାରାଗାରରେ ଗଛ ଲଗାଇବାକୁ ଅନୁମତି ଦେଲେ । ଅଭିଯୁକ୍ତର ଜଣେ ସାଥୀ ପଚାରିଲା, “ତୁ ଏମିତି କାହିଁକି ମିଛ କହିଲୁ?” ଉତ୍ତରରେ ଅଭିଯୁକ୍ତ କହିଲା, “ତିନି ବର୍ଷ ଖୁବ୍ ଲମ୍ବା ସମୟ, କାଲିକି କାହାର କ’ଣ ହେବ ଜଣା ନାହିଁ । ଏହି ମିଛ କହିବା ଦ୍ୱାରା ମୁଁ ଅତିକମରେ ଆଉ ତିନିବର୍ଷ ତ ବଞ୍ଚିଗଲି ।” ଠିକ୍ ସେଭଳି, ଯଦି ୨୦୩୬ ଉତ୍କଳ ଦିବସ ପୂର୍ବ ରାତିରେ କିଛି ଚମତ୍କାର ନ ଘଟିଲା, ସେତେବେଳକୁ ଉତ୍ତରଦାୟୀ ହେବାକୁ କିଏ ଥିବ କହି ହେବନି ।

କିନ୍ତୁ ସେସବୁ ଅମୂଳକ ଚିନ୍ତା ଛାଡ଼ି, ଆସନ୍ତୁ ବିକଶିତ ଓଡ଼ିଶାର ସମ୍ଭାବ୍ୟ ରୂପରେଖ ଉପରେ ଦୃଷ୍ଟି ପକାଇବା । ସାଧାରଣ ମଣିଷର ଜୀବନ ସହ ଜଡ଼ିତ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି, ଯାହା ବିକାଶର ଏହି ମାନଚିତ୍ରରେ ପ୍ରାୟତଃ ଅଦୃଶ୍ୟ । ପ୍ରବନ୍ଧ ପାଇଁ ଥିବା ସୀମିତ ସ୍ଥାନ ତଥା ମୋର ନିଜସ୍ୱ ସୀମିତ ଜ୍ଞାନକୁ ବିଚାରକୁ ନେଇ, ମୁଁ କେବଳ ବିକାଶର ମୂଳଦୁଆ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ଆଧାରିତ କେତୋଟି ଅନାଲୋଚିତ ସମସ୍ୟାକୁ ଆଲୋଚନା ପରିସରଭୁକ୍ତ କରି ପାଠକଙ୍କ ବିଚାର ପାଇଁ ତଳେ ରଖୁଛି ।

ଗୋଟିଏ ସମୟରେ ଭାରତରେ ଜଣେ ଅତ୍ୟନ୍ତ ଗୁଣୀ, ଜ୍ଞାନୀ ତଥା ଲୋକପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କ ନାମ ଥିଲା ରାଜା ଭୋଜ । ଥରେ ରାଜା ନିଜ ରଥରେ ଯିବା ବେଳେ ଜଣେ ବୃଦ୍ଧ କାଠୁରିଆକୁ ଦେଖିଲେ । ଭାରି ବୋଝରେ ନଇଁ ପଡିଥିବା କାଠୁରିଆକୁ ଦେଖି ରାଜାଙ୍କର ଦୟା ହେଲା । ପଚାରିଲେ, “ଏହି କାଠର ଓଜନ ବା ଭାର ଆପଣଙ୍କୁ କଷ୍ଟ ଦେଉଛି କି?” ଉତ୍ତରରେ କାଠୁରିଆ କହିଲେ, “ଭାରଂ ନ ବାଧତେ ରାଜନ୍, ଯଥା ‘ବାଧତି’ ବାଧତେ।” ଯାହାର ଓଡ଼ିଆ ଅନୁବାଦ ହେଲା, “ହେ ରାଜନ୍! ଏହି କାଠର ଓଜନ ମୋତେ ସେତିକି କଷ୍ଟ ଦେଉନାହିଁ, ଯେତିକି ଆପଣଙ୍କ ମୁହଁରୁ ବାହାରିଥିବା ବ୍ୟାକରଣଗତ ଭୁଲ୍ ଶବ୍ଦ ‘ବାଧତି’ ଶୁଣି ମୋ ମନକୁ ବାଧୁଛି ।” ଏଥିରୁ ଏତିକି ଜଣାପଡେ ଯେ ଗୋଟାଏ ସମୟରେ ସାଧାରଣ ଲୋକଙ୍କ ପାଖରେ ମଧ୍ୟ ଏପରି ଅସାଧାରଣ ଜ୍ଞାନ ଥିଲା, ଯାହାଦ୍ୱାରା ସେମାନେ ନିଜ ରାଜାଙ୍କର ବ୍ୟାକରଣ ତ୍ରୁଟି ସୁଧାରିବାରେ ସକ୍ଷମ ଥିଲେ । ଏଥିରେ ଅନାଲୋଚିତ ଥିବା ଆଉ ଗୋଟିଏ ଦିଗ ହେଲା, ସେତେବେଳର ରାଜା ମଧ୍ୟ ଜଣେ ସାଧାରଣ ମଣିଷର ଦୁଃଖ ବୁଝି ପାରୁଥିଲେ ।

ମୋର ମତ ହେଲା, ଯେତେବେଳେ ବିକଶିତ ଓଡିଶା ଗଠନ ହେବ, ସମାଜର ଶେଷ ମୁଣ୍ଡରେ ଥିବା ମଣିଷଟି ମଧ୍ୟ ଉତ୍ତମ ଶିକ୍ଷା ପାଇବା ଜରୁରୀ । ସେଥିପାଇଁ ସାଧାରଣ ସରକାରୀ ସ୍କୁଲ ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇବାକୁ ପଡିବ । ଏଠି ‘ସରକାରୀ ସ୍କୁଲ’ କହିଲେ ସେହି ପୁରୁଣା ସ୍କୁଲ ଗୁଡିକୁ ବୁଝାଉଛି ଯେଉଁଠି ଏବେ ଆଉ ପିଲା ପଠା ପଢିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ସରକାର ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଇତ୍ୟାଦି ଭଳି ଅନେକ ନୂଆ ସ୍କୁଲ ଖୋଲିଲେଣି ସତ, କିନ୍ତୁ ଏଗୁଡ଼ିକର ସଂଖ୍ୟା ଖୁବ୍ ସୀମିତ ଏବଂ ସବୁ ସାଧାରଣ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ନାମ ଲେଖାଇବା ସମ୍ଭବ ବା ସହଜଲଭ୍ୟ ନୁହେଁ । ଯେହେତୁ ଏହି ସ୍ୱତନ୍ତ୍ର ସ୍କୁଲଗୁଡ଼ିକ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ନାହିଁ, ତେଣୁ ରାଜ୍ୟର ପ୍ରତିଟି ପିଲାକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଏକମାତ୍ର ବିକଳ୍ପ ହେଉଛି ଆମର ସାଧାରଣ ତଥା ପୁରୁଣା ସରକାରୀ ସ୍କୁଲଗୁଡ଼ିକର ମାନ ବୃଦ୍ଧି କରିବା । ବୁଝି ହେଉନି, ଯଦି ସବୁଠି ସମାନ ଶିକ୍ଷା ଦିଆଯାଉଛି ତେବେ ଏତେ ପ୍ରକାରର ସ୍କୁଲ କାହିଁକି ? ବର୍ତ୍ତମାନ ସ୍ଥିତିରେ ପିଲାମାନେ ପୁରୁଣା ସରକାରୀ ସ୍କୁଲକୁ ଫେରିବା ବା ତାକୁ ନିଜ ପ୍ରଥମ ପସନ୍ଦ ଭାବେ ବାଛିବା ଜଣା ପଡୁ ନାହିଁ । ଯଦି ପୁରୁଣା ସରକାରୀ ସ୍କୁଲଗୁଡ଼ିକ ଅନ୍ୟ ସ୍କୁଲ (ଆଦର୍ଶ ବା ବେସରକାରୀ) ସହ ସମାନ ମାନର ନହେବେ, ତାହେଲେ ସାଧାରଣ ପିତାମାତା ନିଜ ପିଲାଙ୍କୁ ସେଠାକୁ ଛାଡ଼ିଲେ ମଧ୍ୟ ତାହା କେବେବି ତାଙ୍କର ପ୍ରଥମ ପସନ୍ଦ ହେବ ନାହିଁ; ବରଂ କେବଳ ବାଧ୍ୟବାଧକତାରେ ପଡ଼ି ସେମାନେ ସେଠାକୁ ଯିବେ । ଆଉ ଯେହେତୁ ସମସ୍ତଙ୍କୁ ସମାନ ମାନର ଶିକ୍ଷା ମିଳିବ ନାହିଁ, ତେଣୁ ବିକଶିତ ଓଡ଼ିଶାର ସ୍ୱପ୍ନରେ ସମାଜର ସବୁ ବର୍ଗଙ୍କୁ ସାମିଲ କରିବା ଏକ ବିରାଟ ଆହ୍ୱାନ ହୋଇ ରହିଯିବ ।

କିଛି ଦିନ ତଳେ ମୁଁ ଭୁବନେଶ୍ୱର IGKC ହସ୍ପିଟାଲ ପାଖରେ ପରିବା କିଣୁଥିଲି । ସେ ସମୟରେ ଜଣେ ଲୋକ ଆସି ଦୋକାନୀକୁ ପାଞ୍ଚ ଟଙ୍କାର ଲଙ୍କା ମାଗିଲେ । ଦୋକାନୀ ଉତ୍ତର ଦେଲା, “ଆପଣ କ’ଣ କେବଳ ପାଞ୍ଚ ଟଙ୍କାର ଲଙ୍କା ନେବେ ? ଅତିକମରେ ୧୦ ଟଙ୍କାର ନିଅନ୍ତୁ, କିମ୍ବା ଶହେ, ଦୁଇ ଶହ ଟଙ୍କାର ପରିବା ନେଲେ, ମୁଁ ମାଗଣାରେ କିଛି ଲଙ୍କା ଦେଇଦେବି ।” ଗ୍ରାହକ ଜଣକ ଅତି ଦୟନୀୟ ଭାବେ କହିଲେ, “ଆଜ୍ଞା ଦେଖନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ମୁଁ କେବଳ ପାଞ୍ଚ ଟଙ୍କାର ଲଙ୍କା ହିଁ କିଣି ପାରିବି । ମୋର ଜଣେ ସମ୍ପର୍କୀୟ ଏଠି ମେଡିକାଲରେ ଆଡମିଟ୍ ହୋଇଛନ୍ତି । ମୋ ପାଖରେ ପଇସା ନାହିଁ କିମ୍ବା ସବୁଦିନ ଦୋକାନରେ ବରା-ପକୁଡି କିଣି ଖାଇବାର ଅଭ୍ୟାସ ବି ଆମର ନାହିଁ । ଲଗାତାର ତିନିଦିନ ଧରି କେବଳ ମୁଢ଼ି ଖାଇବା ପରେ ଆଜି ଭାବିଲି, ଟିକେ କଞ୍ଚା ଲଙ୍କା ସହ ମୁଢ଼ି ଖାଇଲେ ଟିକେ ଭଲ ଲାଗିବ।” ପରିବା ଦୋକାନୀ ସବୁ ଶୁଣି କିଛି କଞ୍ଚା ଲଙ୍କା ଦେଲେ । ଏ କଥା ମତେ ଭାରି କଷ୍ଟ ଦେଲା । ଓଡ଼ିଶାର ପ୍ରାୟ ଦଶଟି ବଡ ହସ୍ପିଟାଲ କେବଳ ରାଜଧାନୀ ଭିତରେ କିମ୍ବା ତା’ ପାଖାପାଖି ଅଞ୍ଚଳରେ ରହିଛି । ମାଲକାନଗିରି ଜିଲ୍ଲାର କୁଡ଼ୁମୁଲୁଗୁମା ଗ୍ରାମ ପଞ୍ଚାୟତର ଲୋକେ ବେମାର ହେଲେ କ’ଣ ତେର ନଈ ପାର ହୋଇ ଭୁବନେଶ୍ୱର ଆସିବେ ଚିକିତ୍ସା ପାଇଁ ? ଯଦି ଉତ୍ତର ‘ହଁ’, ତେବେ ସେ ଅଞ୍ଚଳର ଲୋକଙ୍କ ପାଇଁ ‘ସମୃଦ୍ଧ ବା ବିକଶିତ ଓଡିଶା’ର ସ୍ୱପ୍ନ କେବଳ “ପାଚିଲା ବେଲ ଆଉ ସେମାନେ କାଉ” ସଦୃଶ ଅଟେ ।

ଗୁପ୍ତ ସାମ୍ରାଜ୍ୟର ସମୟକୁ ସୁବର୍ଣ୍ଣ ଯୁଗ କୁହାଯାଏ । କାରଣ, ସେ ସମୟରେ କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସ୍ଥାପତ୍ୟ କ୍ଷେତ୍ରରେ ଭାରତ ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲା । କିଛିଦିନ ତଳେ, ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ପଦ୍ମବିଭୂଷଣ ସୁଦର୍ଶନ ସାହୁ କହୁଥିଲେ ଯେ ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କଳାକାରଙ୍କୁ ମୂର୍ତ୍ତି ଗଢିବା ପାଇଁ ପଥର ଖଣ୍ଡେ ବି ମିଳୁନାହିଁ । ସେମାନେ ବାଧ୍ୟ ହୋଇ ଚୋରଙ୍କ ଠାରୁ ପଥର କିଣୁଛନ୍ତି । ପରିସ୍ଥିତି ଏମିତି ଯେ, ଯେଉଁମାନେ ଏହି ଭାସ୍କର୍ଯ୍ୟ କଳାକୁ ଆପଣେଇଥାନ୍ତେ ସେମାନେ ଏବେ ଅଟୋ ଡ୍ରାଇଭର ହେଉଛନ୍ତି । ବିକଶିତ ଓଡିଶାର ରୋଡମ୍ୟାପ୍‌ରେ ଏଭଳି ଗୁରୁତର ସମସ୍ୟାର ସମାଧାନ ପାଇଁ କିଛି ବ୍ୟବସ୍ଥା ଥିବାର ମୋତେ ଜଣା ନାହିଁ ।

୧୮୯୩ ମସିହାରେ ଜାପାନରୁ ଉତ୍ତର ଆମେରିକାର ଚିକାଗୋ ଯାଉଥିବା ଏକ ଜାହାଜରେ ସ୍ୱାମୀ ବିବେକାନନ୍ଦ ଓ ଶିଳ୍ପପତି ଜାମସେଦଜୀ ଟାଟାଙ୍କର ସାକ୍ଷାତ ହୋଇଥିଲା । ଯାତ୍ରା ସମୟରେ ଟାଟା ଭାରତରେ ଇସ୍ପାତ ଶିଳ୍ପ ବିକଶିତ କରିବା ପାଇଁ ବିଦେଶରୁ ପ୍ରଯୁକ୍ତି ବିଦ୍ୟା ଆଣିବାର ଯୋଜନା ବିଷୟରେ ବିବେକାନନ୍ଦଙ୍କ ସହ ଆଲୋଚନା କରିଥିଲେ । ବିବେକାନନ୍ଦ ତାଙ୍କୁ ଭବିଷ୍ୟତ ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ନିଜସ୍ୱ ଭାବେ ବିକଶିତ କରିବାର ଆବଶ୍ୟକତା ବୁଝାଇଥିଲେ । ପରବର୍ତ୍ତୀ ସମୟରେ ଏହି ସାକ୍ଷାତକାର ଟାଟାଙ୍କ ଭାରତରେ ଏକ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିବାର ସ୍ୱପ୍ନକୁ ଆହୁରି ଦୃଢ଼ କରିଥିଲା । ସେ ମହୀଶୂର ରାଜ୍ୟ ଓ ଭାରତ ସରକାରଙ୍କ ସହଯୋଗରେ ୧୯୦୯ ମସିହାରେ ‘Indian Institute of Science’ (IISc) ପ୍ରତିଷ୍ଠା କରିଥିଲେ । ଏହାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ହୋଇଥିବା ଗବେଷଣା ଯୋଗୁଁ ମାତ୍ର ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ ଛଅଟି ଐତିହାସିକ କାରଖାନା ପ୍ରତିଷ୍ଠା ହୋଇପାରିଥିଲା । ଏଥିମଧ୍ୟରେ ପ୍ରସିଦ୍ଧ ଚନ୍ଦନ ତେଲ ଏବଂ ମହୀଶୂର ସାବୁନ (Mysore Soap) କାରଖାନା ଅନ୍ତର୍ଭୁକ୍ତ ଥିଲା, ଯାହାକି କର୍ଣ୍ଣାଟକର ଆଧୁନିକ ଶିଳ୍ପ ଅର୍ଥନୀତିକୁ ପ୍ରକୃତରେ ଜନ୍ମ ଦେଇଥିଲା । ଆଜି ମଧ୍ୟ IISc ଏକ ଶକ୍ତିଶାଳୀ ଡିପ୍-ଟେକ୍ ଇକୋସିଷ୍ଟମ୍ ମାଧ୍ୟମରେ ଏହି ଉଦ୍ୟୋଗୀକରଣର ପରମ୍ପରାକୁ ବଜାୟ ରଖିଛି, ଯାହା ଅଧୀନରେ ୧୧୫ରୁ ଅଧିକ ଷ୍ଟାର୍ଟ-ଅପ୍ ଗଠନ ହୋଇସାରିଲାଣି ।

ଏ ଘଟଣାରୁ ଆମେ ଏତିକି ଶିଖିବା କଥା ଯେ, କାରିଗରୀ ଜ୍ଞାନକୌଶଳ ହେଉଛି ବିକାଶ ପାଇଁ ସବୁଠୁ ଜରୁରୀ । ଏହି ଅଳ୍ପ ଦିନ ଭିତରେ ଓଡିଶାକୁ ଏତେ ଶିଳ୍ପକୁ ଆମନ୍ତ୍ରଣ କରାଯାଇଛି ଯେ, ସେମାନେ ମୋଟ ଯେତିକି ପୁଞ୍ଜି ନିବେଶ କରିବେ, ତାହା ଓଡ଼ିଶାର ବାର୍ଷିକ ବଜେଟ ଠାରୁ ବି ଅଧିକ । କିନ୍ତୁ ସେମାନେ କେବଳ ପୁଞ୍ଜି ଆଣିବେ ନାହିଁ, ତାଙ୍କ ସହ ନିଜ ଜ୍ଞାନକୌଶଳ ମଧ୍ୟ ଆଣିବେ । କାରଣ ଯଦିଓ ଓଡ଼ିଶାରେ ଶହେରୁ ଅଧିକ ଯାନ୍ତ୍ରିକ ମହାବିଦ୍ୟାଳୟ ରହିଛି, ସେଥିରୁ କେବଳ ଚାକିରୀ ଆଶାୟୀ ପିଲା ହିଁ ବାହାରୁଛନ୍ତି । ଆଜିର ଓଡ଼ିଶାରେ ଗୋଟିଏ ବି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ନାହିଁ, କିମ୍ବା ବିକଶିତ ଓଡ଼ିଶାର ସ୍ୱପ୍ନରେ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ କିଛି ସ୍ପଷ୍ଟ ରୋଡମ୍ୟାପ୍ ନାହିଁ । ଯେଉଁ ପୁଞ୍ଜିପତିମାନଙ୍କୁ ନିବେଶ ପାଇଁ ଆମନ୍ତ୍ରଣ କରାଯାଉଛି, ସେମାନେ ଏଠାରେ ନିଜର ବଳକା ପୁଞ୍ଜି ଫୋପାଡ଼ିବାକୁ ଆସୁନାହାନ୍ତି । ଲାଭ ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ । ଆଉ ପୁଞ୍ଜି ଆସିଲେ ଆମର କିଛି ଲୋକ ନିଯୁକ୍ତି ପାଇବେ ସତ, କିନ୍ତୁ ସେମାନେ ଯେ ଓଡ଼ିଆ ହିଁ ହେବେ ତାର କୌଣସି ଗ୍ୟାରେଣ୍ଟି ନାହିଁ । ଏଠି ଶିଳ୍ପ କିମ୍ବା କାରଖାନା ପାଖରେ ଦହିବରା କିମ୍ବା ଗୁପଚୁପ ବିକ୍ରି କରି ସ୍ୱାବଲମ୍ବୀ ହେବାକୁ ଥିବା ଖୁଚୁରା ବ୍ୟବସାୟୀଙ୍କୁ ମୁଁ ନିଯୁକ୍ତି ମାନୁ ନାହିଁ । ଆଉ ଗୋଟେ ଉଲ୍ଲେଖନୀୟ କଥା ହେଲା ତାମିଲନାଡୁରେ OLA Electric ତାର Future Factory ପ୍ରତିଷ୍ଠା କରିଛି, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୦ ଲକ୍ଷ ସ୍କୁଟର, କିନ୍ତୁ ସେଠାରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ମାତ୍ର ବାର ଶହ । ଆଜିକାଲି ପୁଞ୍ଜିପତିମାନେ ସ୍ୱୟଂଚାଳିତ ରୋବର୍ଟ ଦ୍ୱାରା କାମ କରେଇବା ନୀତିକୁ ଅଧିକ ଭରସା କରୁଛନ୍ତି । ତେଣୁ ବିପୁଳ ପୁଞ୍ଜି ଆସିବା ସହ ଓଡ଼ିଶାରେ କେବଳ ଓଡ଼ିଆଙ୍କ ପାଇଁ ନିଯୁକ୍ତିର ବନ୍ୟା ଆସିଯିବ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ୍ ।

ବିକାଶର ଆଉ ଏକ ଛୋଟ ମାପକାଠି ହେଲା, ସରକାରଙ୍କ ପାଖରେ ପହଞ୍ଚୁଥିବା ଅଭିଯୋଗ ସଂଖ୍ୟା । ଏବେ ଯେତିକି ଅଭିଯୋଗ ଯାଉଛି ତାହା ସମ୍ପୂର୍ଣ୍ଣ ବନ୍ଦ ନହେଲେ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା କଥା । କିନ୍ତୁ ସରକାରଙ୍କୁ ପ୍ରତିଦିନ ଅଭିଯୋଗ ଶୁଣାଣି ପାଇଁ ନୂଆ ନୂଆ ବ୍ୟବସ୍ଥା କରିବାକୁ ପଡ଼ୁଛି । ତେଣୁ ଲାଗୁଛି ଯେମିତି ବିକାଶ ଗାଡ଼ିର ଡ୍ରାଇଭର ଭୁଲରେ ପଛୁଆ ଗିଅର୍ ପକାଇ ଦେଇଛନ୍ତି ।

ଆଧୁନିକ ଗଣତନ୍ତ୍ର ପାଇଁ ଜନ୍ ଲକ୍‌ଙ୍କର (John Locke) ଏକ ଅତ୍ୟନ୍ତ ଉପଯୁକ୍ତ ଓ ଗ୍ରହଣୀୟ ଦର୍ଶନ ରହିଛି, ଯେଉଁଥିରେ ଜନତା ଓ ସରକାରଙ୍କ ମଧ୍ୟରେ ଏକ ଅଲିଖିତ ଚୁକ୍ତି ରହିଥାଏ । ସେହି ଚୁକ୍ତି ଅନୁସାରେ ନାଗରିକମାନେ ନିଜ ଇଚ୍ଛାରେ ସରକାରଙ୍କ ନିୟମ ମାନିବାକୁ ପ୍ରସ୍ତୁତ ହୁଅନ୍ତି, ଏବଂ ଏହାର ବଦଳରେ ସରକାର ଲୋକମାନଙ୍କୁ ଚୋରି, ହିଂସା ଏବଂ ବାହ୍ୟ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରନ୍ତି । ବିକଶିତ ବା ସମୃଦ୍ଧ ସମାଜ ପାଇଁ ଏହା ନିହାତି ଆବଶ୍ୟକ । ଏହା ନ ହେଲେ ପକେଟରେ ପଇସା ରହିବ କିନ୍ତୁ ମନରେ ଶାନ୍ତି ରହିବ ନାହିଁ । ବିକଶିତ ଓଡ଼ିଶା ପାଇଁ ମୋ ମତରେ ଗୋଟିଏ ସର୍ବନିମ୍ନ ଆବଶ୍ୟକୀୟ ପରିସ୍ଥିତି ହେଲା ମୋ ମା’ ଯାହାଙ୍କ ବୟସ ଅଶୀରୁ ଅଧିକ ଏବଂ ସେ ଗାଁରେ ରୁହନ୍ତି, ରାତି ଅଧରେ କିଏ କବାଟ ଠକ୍ ଠକ୍ କଲେ ବି ସେ ଯେମିତି ନିର୍ଭୟରେ କବାଟ ଖୋଲିପାରିବେ । ଏହି ସୁରକ୍ଷିତ ପରିସ୍ଥିତି ସୃଷ୍ଟି ପାଇଁ କୌଣସି ବିଶେଷ ପ୍ରୟାସ ଥିବାର ମୋତେ ଜଣା ନାହିଁ । ବରଂ ଲାଗୁଛି ଗାଡି ଓଲଟା ବା ବିପରୀତ ଦିଗରେ ଚାଲିଛି । ସମାଜରେ ହିଂସା କମିବାର କୌଣସି ଲକ୍ଷଣ ଦେଖା ଦେଉନି । କିଛି ମାସ ତଳେ ମହାରାଷ୍ଟ୍ରରୁ ଏକ ଖବର ଆସିଥିଲା, ଯେଉଁଠି ଜଣେ ବ୍ୟକ୍ତି ସରପଞ୍ଚ ନିର୍ବାଚନରେ ନିଜକୁ ଯୋଗ୍ୟ କରିବା ପାଇଁ ନିଜର ଗୋଟେ ଝିଅକୁ ହତ୍ୟା କଲା । ତାର ସମୁଦାୟ ତିନୋଟି ସନ୍ତାନ ଥିଲେ ଏବଂ ସେଠିକାର ନିୟମ ଅନୁସାରେ ଦୁଇରୁ ଅଧିକ ସନ୍ତାନ ହେଲେ ସେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ହୋଇଥାନ୍ତା । ଅବଶ୍ୟ ଏ ଘଟଣାଟି ଅନ୍ୟ ରାଜ୍ୟର, କିନ୍ତୁ ହିଂସାମୁଖୀ ଲୋକ ଏଠି ବି ଅଛନ୍ତି । ଯଦି ବିକାଶ ଏକ୍ସପ୍ରେସରେ ଏଭଳି ଲୋକଙ୍କ ପାଇଁ ମଧ୍ୟ ଟିକେଟ୍ ସଂରକ୍ଷିତ ରହିବ, ତେବେ କ୍ଷମା କରିବେ, ମୁଁ ସେ ଟ୍ରେନ୍‌ରେ ଚଢ଼ିବି ନାହିଁ । ଯେଉଁମାନେ ମୋ ସହ ଅସହମତ ଏବଂ ଉପରୋକ୍ତ ସମସ୍ୟାଗୁଡ଼ିକୁ କିଛି ବଡ଼ ସମସ୍ୟା ନୁହେଁ ବୋଲି ଭାବି ତାକୁ ଅଣଦେଖା କରି ବିକଶିତ ଓଡ଼ିଶା ସମ୍ଭବ ବୋଲି ଭାବୁଛନ୍ତି, ତାଙ୍କୁ ମୋର ନମସ୍କାର ଏବଂ ସେମାନଙ୍କର ଏହି ‘ବିକାଶ ଏକ୍ସପ୍ରେସ୍’ରେ ଆଗାମୀ ଯାତ୍ରା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ।

1 Comment

1 Comment

  1. Ashish Mohanty

    November 7, 2026 at 10:02 pm

    Srimanta Bhai, apanankara ei prabandha ti nischita bhabare eka upadeya alekhya, jaha bartaman rajya ra samashya gudikara nichhak satyata darshaiba sahita sarakari kala ra bastabata ku ati nikhuna bhabe chitrana kari chhanti… Apanankara ei suchintita lekha pain anak anek sadhubad…🙏

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top