ଦିନ ପରେ ଦିନ ବିତିଯାଏ
ମନରେ ଜମାଟ ବାନ୍ଧେ ସ୍ମୃତିଗୁଚ୍ଛ
ନିଛାଟିଆ ନିରୋଳାରେ କେବେ କେବେ
ମନକୁ ଟାଣିନିଏ ଅତୀତରୁ ଅତୀତକୁ
ଆଉ ସବୁ ହୋଇଯାଏ ତୁଚ୍ଛ !
ଭଲ ଲାଗେ ସେତେବେଳେ
ହଜିଯିବାକୁ ସେଇ ଅତୀତ ସ୍ମୃତିରେ
ସତେ ଯେମିତି, ସବୁ ସୁଖ
ସପନ, ଆବେଗ ଆଉ ଆଶାକୁ
ହଜାଇଛି ମନ ସେଇ ବନାନୀରେ ।
ଶାଖା ପରେ ଶାଖା ବ୍ୟାପିଥାଏ
ସେଇଠି, ଦ୍ରୁମମାନଙ୍କର
କୋଇଲିର ଉଚ୍ଚାଟ ସଦା ଶୁଭୁଥାଏ
ମଳୟର ବାସନାରେ ବହି ଆସେ
କୁସୁମର ସୁବାସିତ ବାସ୍ନା
ଯେଉଁଥିରେ ହୃଦୟ ନାଚିଯାଏ ।
ସୁଦୀର୍ଘ ବାନାନୀ ଭିତରୁ
ଉଦ୍ଭାସିତ ହେଉଥାଏ ସ୍ମୃତିର
ଅଭୁଲା ଅଲିଭା ଜ୍ୟୋତି
ଲୁହ ସଙ୍ଗେ ଲହୁକୁ ବି
ଉତାରୁଥାଏ ଯା’ର ସର୍ପିଳ ଗତି !
ଭାବିବାର ତାଳେ ତାଳେ
ଜାଗି ଉଠେ ଆବେଗ ପାଇବାକୁ
ସାନ୍ନିଧ୍ୟ ପୁଣି ସେଇ ଅତୀତର
ପ୍ରତିଧ୍ୱନି ଉଠେ ବାର ବାର ହୃଦୟରୁ
ରୋକିବାକୁ ସମୟକୁ. . .
ଯିଏ ମାନେ ନାହିଁ ବଳ ଦୁନିଆଁର !
