କବିତା

ଜମି ଖଣ୍ଡେ କିଣି ଦେଲି ଜହ୍ନରେ

Niranjana Jena's odia poem Jami Khande Kinideli Janhare

ଜମି ବିକ୍ରି ହେଲା ଶାଗ ମୁଗରେ,
ଢିଅରୁ ଅଧେ ଛାଡ଼ି ଦେଇଗଲା ଦାଦିକୁ
ବରଷେ ନ ପୁରୁଣୁ ବାପ, ମାଆ ଭିତରୁ
ବାପ ଗଲା ଆରପାରି-ମାଆକୁ ଗଣ୍ଠିଲି କରି
ନେଇଗଲା ସହର !

ଜମି ଖଣ୍ଡେ କିଣି ଦେଲି ଜହ୍ନରେ

ଗାଁ ମୁଣ୍ଡରେ ସାତ ପୁରୁଷର ଭିଟାମାଟି
ପଡ଼ିରହିଛି ଅର୍କ୍ଷିତ ପରାଜୟ ।
ବୋପା, ମାଆ ବଞ୍ଚିଥିବା ବେଳେ
ଗାଁକୁ ତେରଛା ନଜରରେ
ଥରୁଟିଏ ଚାହିଁନି କଲେକ୍ଟର ପୁଅ ।
ପହିଲୁ ପହିଲୁ ଆସିଥିଲା, ଥରେ କି ଦି’ଥର
ଦିନେ ବାପ, ଦାଦିଙ୍କୁ ଡାକି କହିଲା,
“ମୋର ଟଙ୍କା ଦରକାର-ବଡ଼ପୁଅ ଫରେନ୍ ଯିବ
ସାନ ପାଇଲଟ୍ ଟ୍ରେନିଂ ନେବ, ଝୁଅ ଡାକ୍ତରୀ ପଢ଼ିବ
ଆଉ ଖଣ୍ଡଗିରି ତଳେ ଦି’ ମାହାଲା ଘରର ଛାତ ପଡ଼ିବ ।”

ଜମି ବିକ୍ରି ହେଲା ଶାଗ ମୁଗରେ,
ଢିଅରୁ ଅଧେ ଛାଡ଼ି ଦେଇଗଲା ଦାଦିକୁ
ବରଷେ ନ ପୁରୁଣୁ ବାପ, ମାଆ ଭିତରୁ
ବାପ ଗଲା ଆରପାରି-ମାଆକୁ ଗଣ୍ଠିଲି କରି
ନେଇଗଲା ସହର !

ଇଏ ଅନେକ ନିରଞ୍ଜନମାନଙ୍କ ମଧ୍ୟରୁ
ଜଣକର ଗଳ୍ପ
ଥରୁଟିଏ ଗାଁ କଥା ମନେ ପଡ଼େନା ସେମାନଙ୍କର
ଯଦି କଦବା କେମିତି ନିରଞ୍ଜନମାନେ
ଗାଁ ମାଟିରେ ପାଦ ଥାପନ୍ତି
ଗାଁ ନୋକଙ୍କ ଛାତି କୁଣ୍ଢେମୋଟ
ନେଖା ଯୋଖାରେ ହରି ମଉସା, ଦାମ ପିଇସା,
ଆର ସାହିର ପରି ଦାଦା, ସୂର୍ଯ୍ୟ ବନ୍ଧୁ ନରି ଭାଇ
ଏମିତିକି ଭଗାରୀ ସୁରିଆ ସାହାଣୀ
ଗାଁ ଟୋକାଙ୍କୁ ଦେଖେଇ, ଶୁଣେଇ କହନ୍ତି
ଆରେ କ୍ରିକେଟ ଖେଳ, ବରଷେକେ ତିନିଥର
ଡିଆଁସ, ଡିଆଁସ ପୋରଗାମ୍ କର
ତେବେ ବି ଗାଁର ଟେକ ତମେ ରଖିପାରିବନି
ଆଉ ଗୋଟାଏ ପୁଅକୁ ଦେଖ,
ପ୍ରତିଦିନ ରେଡ଼ିଓ, ଟି.ଭି., ଖବରକାଗଜରେ
କେମିତି ତା’ ନାଁ ଫଟ ବାହାରୁଛି
ଟୋକାଟା ଗାଁ ନାଁ ଉଜ୍ୱଳ କରିଛି !

ନିରଞ୍ଜନର ବୁଢ଼ା ବାପ ସେଦିନ
ଢଳ ଢଳ ଆଖିରେ ବଳେଇ ଦେଇଗଲା
ଅଫିସର ପୁଅକୁ ବସଷ୍ଟାଣ୍ଡ୍‌
ପୁଅ ଗାଁ ଛାଡ଼ି ସହରୀ
ତା’ ପୁଅ ଦେଶ ଛାଡ଼ି ବିଦେଶ
ହୁଏତ ସେଦିନ ମନେ ପଡ଼ିପାରେ
ବୁଢ଼ା, ବାପ, ମାଆକୁ ଛାଡ଼ି ସହରୀ ସାଜିଥିବା ପୁଅ
କେମିତି ତା’ ପୁଅ ତାକୁ ଠକି ଉଡ଼ନଛୁଁ ।

ସେଦିନର ଯୁଆନ ପୁଅବୋହୂ
ଏବେ ରାଜଧାନୀର ବଡ଼ ଫିଲାଟ୍‌ରେ ବୁଢ଼ାବୁଢ଼ୀ
ଟୁଆଁ ଟୁଇଁ ପରି ମୁହଁକୁ ମୁହଁ ଯୋଖି
ଅନିଶା କରନ୍ତି ପ୍ରତିଦିନର ଡାକକୁ ।

ବଡ଼ ଟୋକା କେଉଁ ଗ୍ରହରେ ଈଶ୍ୱର ଜାଣନ୍ତି
ଖବର ଅନ୍ତର ନାହିଁ ବିଦେଶୀ ଝୁଅ ବାଆ ହେଲା ପରେ
ସାନ ପୁଅ ଆମେରିକାରୁ କାଁ ଭାଁ
ଚିଠି ପଠାଏ ଇମେଲ୍‌ରେ –
“ବାପା ଦେହକୁ ଜଗିବ, ବୋଉକୁ ଯଥାରୀତି
ମେଡ଼ିସିନ୍ ଦେବ, ଖୁସିରେ ରହିବ, ପ୍ରତିମାସରେ
ଚେକ୍ ପାଇଁ ଯିବ-ଯଦି ପ୍ରୟୋଜନ କର
ଚାକର ପିଲାଟି ପାଖରେ ରଖିବ !”

ହଁ ଖୁସି ଖବରଟିଏ ବାପା !
ତମ ନାତି ଷ୍ଟାଣ୍ଡାର୍ଡ ଫୋର୍, ବୋର୍ଡିଂ ସ୍କୁଲ୍‌ରେ
ଜିଦ୍ ଧରିଲାରୁ ଜମି ଖଣ୍ଡେ କିଣି ଦେଲି ଜହ୍ନରେ
ଇମେଲ୍‌ର ଅବୁଝା ଭାଷାକୁ
ବୁଢ଼ା ଶୁଣାଏ ବୁଢ଼ୀକୁ ।
ଆଣ୍ଠୁ ସନ୍ଧିରୁ ମୁହଁ ଉଠେଇ ବୁଢ଼ୀ କହେ,
“ତାଙ୍କ କଥା ଭାବିଲେ କ’ଣ ହେବ
ଆମେ ତ ଦିନେ ଗାଁ ଛାଡ଼ିଥିଲେ ନିଜ ସୁଖ ପାଇଁ
ପୁଅ ସେମିତି ନିଜ ସୁଖ ପାଇଁ ବିଦେଶ
ଆଉ ନାତି ଟୋକା ଅନ୍ୟ ଗ୍ରହରେ
ରହିବନି ତ ରହିବ କେଉଁଠି ?”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top