ହାତ ବଢେ଼ଇ ଦିଅ
ହାତେଇ ନେବାକୁ
ଦୁଃଖ ଅର୍ଦ୍ଧେକ
ରାସ୍ତା ଫିଟେଇ
ଶାନ୍ତିର ପଥ
ଖୋଲି ଦୁଆର ଫାଟକ
ଜିଦ୍ଛାଡ଼ି, ଆସ
ଖୋଜିଯିବା ଭାଇଚାରା
ଖୋଜିବା ଜୀବନ !
ତମେ ତ ଆପଣାର
କେତେ ଦିନ ଆଉ ଶତ୍ରୁପଣ
ଲଢ଼ାଲଢ଼ି ଲୁହଲହୁ
ବଳ କଷାକଷି
ଜିଦ୍ଛାଡ଼, ଆସ
ଖୋଜିବା ଜୀବନ !
ରକ୍ତ ଜୁଡୁବୁଡୁ ମାଟି
ବୁକୁଫଟା କୋହ
ଲିଭି ଯାଉଛି ମଥାର ସିନ୍ଦୂର-
ମାଟିରେ ମିଶିଯାଉଛି ସ୍ୱପ୍ନ
ଏଇପରି
ଆଉ କେତେ ଦିନ ?
ଜିଦ୍ଛାଡ଼, ଆସ
ଖୋଜିଯିବା ଭାଇଚାରା
ଖୋଜିବା ଜୀବନ !
ଫେରାଇ ଆଣିବା ଶାନ୍ତି
ଉଜୁଡ଼ା ବିଶ୍ୱାସ
ବନ୍ଧନ-ତମର ଆମର
ଫିଙ୍ଗିଦେଇ ସବୁ ଅହମିକା-
ସବୁ ଅହଂକାର
ଜିଦ୍ଛାଡ଼, ଆସ
ଖୋଜିଯିବା ଭାଇଚାରା
ଖୋଜିବା ଜୀବନ !
