କବିତା

ନାରୀ – ଈଶ୍ୱରୀ

Jachindra Rout's odia poem Naree Ishwaree

କେଉଁ ଉପାଦାନରେ
ବିହି ଗଢ଼ିଦେଲା ମୋତେ କେଜାଣି ?

ନାରୀ - ଈଶ୍ୱରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେଉଁ ଉପାଦାନରେ
ବିହି ଗଢ଼ିଦେଲା ମୋତେ କେଜାଣି ?
ଚମରେ ଚହଟି ଗଲା
ସୁନେଲି ସକାଳ
ଘାସ ପିଠିର କାକର ପରି
ଗଜୁରି ଗଲା କଅଁଳ ଲୋମ
ଢେଉମାରି ପହଁରିଲା ଶିହରଣ
ଖୁନ୍ଦିଲା ଖୁନ୍ଦିଲା ମାଂସ ଗହୀରରେ ।

କଞ୍ଚା ବାଦାମର ମଞ୍ଜି ପରି
ଫୁଲି ଉଠିଲା ନାଲି ନାଲି ନଖ
ଭେଣ୍ଡିପରି ଲମ୍ୱି ଗଲା ପାତଳ ଆଙ୍ଗୁଠି
ପବନ ଦୋଳିରେ ଲହରୀ ଭାଙ୍ଗିଲା
ମଚ ମଚ ଚୁଟି
ଚହଲି ଗଲା ଚାହାଣି
ପାଦ ପୋତି ହୋଇଗଲା ତ
ମହକି ଉଠିଲେ ଫୁଲମାନେ
ଓଠର ବାସ୍ନାରେ
ପାଗଳ ପ୍ରାୟ ସବୁ ଭଦ୍ରଲୋକ !

ଗୁଣର ଗରିଷ୍ଠ ଗାରିମାରେ ଗରୀୟାନ୍ ବୋଲି
ନାଚ ମୁଦ୍ରାରେ ଅଟକି ଗଲି
କୋଣାର୍କ କାନ୍ଥ, ଆଉ ମନ୍ଦିର ଗାତ୍ରରେ
ଆଙ୍କି ଦେଲା ଥନର ସ୍ତବକ
ଚିତ୍ରକର,
ବିଜ୍ଞାପନର ପ୍ରଥମ ପୃଷ୍ଠାରେ
ନଈଟିଏ ହେଇ ବହିଗଲି
ସୁନାର ଝରଣା ହେଇ ଝରିଗଲି
ଗୁରୁ ମହାନ୍ତିଙ୍କ ସିମେଣ୍ଟ ଚଟାଣରେ ।

ଲକ୍ଷ ସ୍ୱର୍ଣ୍ଣ ହରିଣର ଛାଲ ହେଇ
ଛାଇଗଲି ଅଳକା ସାନ୍ୟାଲ୍
ସଚ୍ଚି ରାଉତରାଙ୍କ
ବିଦେହର ରାଜପୁରରେ
ପଶାପାଲିର ପରିଧିରେ
ଘୂରୁଥାଏ ଟ୍ରଏ ଯୁଦ୍ଧ, ମହାଭାରତ
ମୋ ମହୋଦଧିରେ
ମହାର୍ଘ ବାଢୁଥାନ୍ତି ସହ ସହ ପ୍ରେମିକ
ଅଥଚ ରାଜ୍ୟ ସଭାରେ ଥ’ ହେଇଯାଏ
ମହିଳା ବିଲ୍
ରଜ ରତି ଉଡ଼ିଯାଏ କିରୋସିନ୍
ଦିଆସିଲି କାଠିର ବାରୁଦ ଗନ୍ଧରେ
‘ପ୍ରେମ’ ଫ୍ରେମ ହେଇ ଝୁଲୁଥାଏ ଫାଶରେ
ସାହିତ୍ୟ ସାମଲ ଫ୍ୟାନ୍‌ରେ ।

ମୁଁ ଜାୟା, ଜନନୀ
ଫାଳେ ମାଟି, ଚେନାଏ ଆକାଶ
ଦଲକାଏ ପବନ
ବୁନ୍ଦାଏ ସମୁଦ୍ରର ସମାହାର
ମୁଁ ନାରୀ – ଈଶ୍ୱରୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top