ସମୟ ସମ୍ପୂର୍ଣ୍ଣ ଥକ୍କା ।
ଏଥର ଶାନ୍ତ ହୁଅ ସୁଜନେ ।
ଜୀର୍ଣ୍ଣ ଆଦେଶନାମା ନେଇ
ଛାୟା ପୁରୁଷ ଓହ୍ଲାଏ
ଆକାଶରୁ ମାଟି
ହାତେ ତା’ର ତୀକ୍ଷ୍ଣ ତରବାରୀ
ଭୟେ ଦପ୍ ଦପ୍ ହୁଏ ତାରକା ମଣ୍ଡଳୀ ।
ସମସ୍ତଙ୍କୁ ସ୍ୱପ୍ନ ମନା,
ରତି ମନା, ପ୍ରତ୍ୟାଶା ବି !
ଇଏ ବଡ଼ ବିଷମ ସମୟ
ଇଏ ବଡ଼ ବିଷାଦ ଲଗ୍ନ
ତମେ ଜାଣ କି ନ ଜାଣ
ତମେ ମାନ କି ନ ମାନ,
କାଲି ରାତିରେ ଜନ୍ମ ନେଇଛି
ସେହି ଦେବଶିଶୁ-
ସକଳ ଆଦେଶକୁ ଉପେକ୍ଷା କରି ।
