ମହାନଦୀ ଆଉ ଚିର ସ୍ରୋତା ନାହିଁ
ବଇରି ହେଲା ରମଣ
ଓଡ଼ିଶା ବାସିଏ କି ପାପ କରିଲେ
ପଶୁ ପାଉନି ତିରଣ
ବରଷ ବରଷ ନେତାଏ ଶୋଇଲେ
ବ୍ୟାରେଜ ହେଲା ନିର୍ମାଣ
ବାହାଘର ବେଳେ ରୋଇକି କୋଢ଼ିଲେ
ଫଳିବ କି ବାଇଗଣ?(୧)
ସବୁ ନେତା ମିଶି ମୁରୁଖ ବନାନ୍ତି
କଞ୍ଚା ମିଛର ଭାଷଣ
କୁମ୍ଭୀର ନେଲାଣି ମଝି ଦରିଆକୁ
ଏବେ କରନ୍ତି ବାରଣ?
ଜୀବନ ରେଖାଟି ଶୁଖିଯିବ ସତେ
ଲାଗେ ଯେମିତି ସପନ
ଜଳ ସଂକଟରୁ କିଏ ଉଦ୍ଧାରିବ?
ହେବ ସଂକଟ ମୋଚନ(୨)
କାହାକୁ କହିବା ନିଜ ସୁନା ଭେଣ୍ଡି
ଆପଣା କଲା କରମ
ରାଇଜର କଥା କିଏ ବା ଭାବୁଛି?
ବାହାଷ୍ପଟରେ ନିପୁଣ
ଜାତୀୟ ସ୍ତରର ଜଳ କମିଶନ
ଉଡ଼େ ବିମାନୁ ବିମାନ
ଛତିଶଗଡ଼କୁ ଅନୁମତି ବେଳେ
ଓଡ଼ିଶା ନାହିଁ ସ୍ମରଣ(୩)
ସୁଜ୍ଞାନୀ ସଭ୍ୟଙ୍କ କାଜୁଖିଆ ମୁଣ୍ଡ
ଅଣଦେଖାର କାରଣ?
ପାଣି ବିନା ତଳମୁଣ୍ଡ ରାଇଜର
ଚାଷୀ କି କରେ କୀର୍ତନ?
ଭାଗଚାଷୀ ଆତ୍ମହତ୍ୟା ଥମୁନାହିଁ
କୃଷକ ହାରେ ପରାଣ
ଅଣମୌସୁମି ତ ଅଧାସନ ରହେ
କା’ପାଖେ ଯିବେ ଶରଣ(୪)
ଇନ୍ଦ୍ର ବେଳେ ବେଳେ ରୁଷି ଯାଉଛନ୍ତି
ବର୍ଷା ନକରି ପ୍ରେରଣ
ଏକାଧିକ ବନ୍ଧ ବନ୍ଧା ସରିଲାଣି
କି ଲାଭ ପୂଜି ବରୁଣ?
ରାଇଜରେ କୃଷି କର୍ମ ବୁଢ଼ିଯିବ
ଚାଷୀଙ୍କ ଯୋଗ ମରଣ
ମହାନଦୀ ଗର୍ଭ ବାଲିଚର ହେଲେ
ଲୋକେ ଚାଲିବେ ଦାଦନ(୫)
ଧୋବ ଧାବଳିଆ ବାବୁଏ ରହିବେ
କୁଆଡ଼ୁ ପାଇ ଭୋଜନ?
ପଡ଼ୋଶୀ ରାଜ୍ୟକୁ ହାତ ପତାଇଲେ
କିଏ ବା ଦେବ ସମ୍ମାନ?
ଓଡ଼ିଆ ଗରୀବ ବୋଲି କହୁଥିଲେ
ବଞ୍ଚିଥିଲା ସ୍ୱାଭିମାନ
ପାଣି ଯଦି ଆମେ ମାଗିକି ପିଇବା
ଦ୍ଧିକ ଓଡ଼ିଆ ଜୀବନ(୬)
ବେଜେଡ଼ି ବିଜେପି କଂଗ୍ରେସ ସଭିଏଁ
ଦଳସ୍ୱାର୍ଥ କର ଶୂନ
ଲୋକଙ୍କ ଭରଣ ପୋଷଣ ନହେଲେ
ଘରେ କରିବ ଭଜନ
ସମୁହ ଦଶାକୁ ପ୍ରଥମେ ବିଚାର
ରାଜ୍ୟ ହିତେ ଦିଅ ମନ
ଏପରି ତୋରଣେ ବରଣ ହେବାକୁ
ଯଦି ଅଛି ସଦା ମନ(୭)
ରାଜନିତି ଛାଡ଼ି ରାଜ୍ୟ କଥା ଭାବ
ଦିଲ୍ଲୀରେ ହେଉ ଜ୍ୱଳନ
ଝଗଡ଼ା ଝାଟିରେ ମାତି ମାତି ଖାଲି
ପ୍ରଗତି କରୁଛ ନ୍ୟୁନ
ଅହି ନକୂଳର ସମ୍ପର୍କ ଭୁଲିଯା’
କେନ୍ଦ୍ରରେ ହେଉ କମ୍ପନ
ସର୍ବଦଳ ନେତା ମିଳି ମିଶି କର
ଜଳଯୁଦ୍ଧର ଆହ୍ୱାନ(୮)
