କବିତା

ଶୁଆ ସାରୀ

Binay Mohapatra's odia poem Shuaa Saree

ବହିରୁ ମୁହଁ ଉଠେଇ,
ଚଷମା ଫାଙ୍କରୁ,
ଥରେ ଚା କପ୍ କୁ,
ପୁଣି ତାଙ୍କ ମୁହଁକୁ ଚାହିଁଲି ।

ଶୁଆ ସାରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୂର୍ଯ୍ୟ ଡୁବି ସାରିଲାଣି,
ହେଲେ, ଏବେବି ଆକାଶରେ
ଲୋହିତ ଆଭାର ଛଟା,
ଯଦିଓ ଫିକା ପଡି ଆସିଲାଣି,
ତଥାପି,
ଅନ୍ଧାରକୁ ଅଟକେଇ ରଖିଛି ।

ଚା କପ୍ ସାଥେ ଘରଣି ଆସିଲେ,
କହିଲେ ସଂଜ ବତୀ ପାଇଁ
ଡେରି ହୋଇ ଗଲା,
ରାଗିନ ତ ସେ ପାଇଁ ?

ବହିରୁ ମୁହଁ ଉଠେଇ,
ଚଷମା ଫାଙ୍କରୁ,
ଥରେ ଚା କପ୍ କୁ,
ପୁଣି ତାଙ୍କ ମୁହଁକୁ ଚାହିଁଲି ।

ଜୀବନର ଏଇ ଶେଷ ପହରରେ
ଏବେ ବି ସେଇ ଲାବଣ୍ୟ,
ଦିପ୍ତିମୟୀ ଦେବୀର କାନ୍ତି ।

ଡୁବିଲା ସୂର୍ଯ୍ୟର ଲୋହିତ ଆଭା,
କେତେ ସୁନ୍ଦର ସତେ,
ଏ କରୁଣାମୟୀ ଦେବୀ ।

ମୋ ଘରର ଲକ୍ଷ୍ମୀ,
ଅଳ୍ପକେ ସନ୍ତୁଷ୍ଟ,
ନା କିଛି ଅଭିଯୋଗ କେବେ,
ନା କିଛି ମାଗୁଣୀ ।

ମମତାମୟୀ ମାଆ ସିଏ
ମୋର ଦୁଇ ସନ୍ତାନର ।

କେତେ ଯତ୍ନେ,
ମମତାର ପଣତ ତଳେ
ବଢେଇ, ଉଡେଇ ଦେଲା,
ଉନ୍ମୁକ୍ତ ଗଗନେ, କହିଲା,
ଯାଅ ଜିତି ଯାଅ ସଂସାରକୁ,
ଖୁସି ରୁହ, ଯେଉଁଠି ବି ରୁହ ।

ସଂଜ ସକାଳରେ,
ମନ୍ଦି ରେ ଦୀପ ଜାଳେ,
କେବଳ ଏତିକି ମାଗେ,
ହେ ପ୍ରଭୂ !
ମୋ ପିଲାଙ୍କୁ ଖୁସିରେ ରଖ ।

କହିଲି, ବସ ଟିକେ ମୋ ପାଖେ,
ତାଙ୍କ ହାତକୁ ମୋ ହାତରେ,
ଜାବୁଡି ଧରିଲି,
କହିଲି, ରାଗିବି କାହିକି ?

ତୁମେ ଥକି ଯାଉନ,
ଏ ବୟସରେ ଏତେ ଖଟଣି ?

କେହି ନାହିଁ ସାହାଯ୍ୟ କରିବାକୁ ଟିକେ।

କେତେ ସେବା କରୁଛ ମୋର,
ସାରା ଜୀବନ ତ,
ସେବିକା ଟିଏ ହୋଇ ରହି ଗଲ,
ତୁମକୁ ରାଣୀ କରି ରଖିବି
କଥା ଦେଇ ଥିଲି ।

ପିଲାଙ୍କ ପାଇଁ ଏତେ କଲ,
ହେଲେ ଆଜି କେହି ନାହିଁ,
ପାଣି ଟୋପେ ଦେବା ପାଇଁ ।

ଆମ ଚାରି ଆଖି
ଏକ ହୋଇ ହେଲେ,
ଛଳ ଛଳ ଚାରି ଆଖି,
ଦୁଃଖରେ କି ଖୁସିରେ ଜାଣେନା ।

ତଥାପି ସେ ସ୍ମିତ ହାସିନୀ
ସବୁ ବେଳେ ସେଇ ମିତି,
କହିଲେ, ଆଜି ବି ତ,
ମୁଁ ରାଣୀ ହୋଇ ରହିଛି,
ମୋ ରାଜାର,
ତୁମେ ମୋ ପାଖରେ ଅଛ,
ମୋ ସାଥି ରେ ଅଛ,
ଜୀବନ ଟା ବଡ ସହଜ ଲାଗୁଛି ।

ମୋ ଖୁସିର ସାମ୍ରାଜ୍ୟ,
ତୁମ ଠାରୁ ଆରମ୍ଭ,
ତୁମ ଠାରେ ଶେଷ,
ଜୀବନେ ଆଉ କିଛି
ନାହିଁ ଅବଶୋଷ ।

1 Comment

1 Comment

  1. Alok Swain

    November 2, 2017 at 2:28 am

    bahut sundar haichi lekha ti…bahut dhanyavad o abhinandan

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top