ଶୁଣିବ ପିଲା;
ଭଲ କଥାଟିଏ ମନେ ପଡ଼ିଲା ।
ରଜ ସଙ୍କରାନ୍ତି ଜ୍ୟେଷ୍ଠ ପୁନେଇଁ
ଦିନକ ଭିତରେ ପଡ଼ିଛି ଦୁଇ ।
ବରଷକେ ଥରେ ଆସିଛି ରଜ
ଚୂଟିଆ ମୂଷାର ଭାରି ମଉଜ ।
ପୁନେଇଁ ଖାଇବ ଶଶୁର ଘରେ
ଦିନ କଟାଇବ ହସ ଖୁସିରେ ।
ଶଳା, ଶାଳୀ ଆଉ ଶଳା ଭାଉଜ
ଟାପରା ଖେଳିବେ ହେବ ମଉଜ ।
ଆସିଛନ୍ତି କାଲି ଶଶୁର ନିଜେ
ଘର ତାଙ୍କ କୋଶେ ଦୂର ସହଜେ ।
ଚୁଟିଆ ମୂଷାଟି ଭାରି ରସିକ
ସକାଳୁ ହେଲା ସେ ବେଶ ପୋଷାକ ।
ଇସ୍ତ୍ରୀ ଦିଆ ପ୍ୟାଣ୍ଟ ଆଣିଲା କାଢ଼ି
ଯତନେ ପିନ୍ଧିଲା ଜାମା ସଜାଡ଼ି ।
ମୋଜା ସହିତରେ ଚଢ଼ଉ ଜୋତା
ସଙ୍ଗରେ ନେଲା ତା ଲୁହାର ଛତା ।
ଚଷମା ଚଢ଼ାଇ ଦେଲା ଆଖିରେ
ରୁମାଲ ଧରିଲା ଡାହାଣ କରେ ।
ରାଲେ ସାଇକେଲ କଲା ବାହାର
ପଛରେ ବସାଇ ନେଲା ଶଶୁର ।
ନୂଆ ହୋଇ ମୂଷା ଚଢେ଼ ସାଇକେଲ
ଆଗରେ ଦିଶିଲା ଗୋଟିଏ ପୋଲ ।
ଭାବିଲା ମନରେ ପୋଲରେ ଯାଇଁ
ଗାଡ଼ି ହୋଇଯିବ ପରା ବାଡେ଼ଇ ।
ଶଶୁରକୁ ଡାକି କଲା ସତର୍କ
ଗୋଡ଼ ଦି’ଟା ଟେକି ବସ ସଳଖ ।
ଶଶୁର ବୁଢ଼ା ତ ଦିନେ ସାଇକେଲେ
ବସି ନଥିଲା ତା ଦିହକ କାଳେ ।
“ଚକାସନ ପାରି ଭଲେ ବସିବି”
ଡେଇଁ ପଡ଼ିଲା ସେ କିଛି ନ ଭାବି ।
ଦୋହଲି ଗଲା ସେ ଗାଡ଼ିଟା ସାରା
କିଆମୂଳେ ପଡ଼ିଗଲା ବିଚରା ।
ଅଳପ ଦୂରରେ ଚୁଟିଆ ମୂଷା
ରାସ୍ତାରୁ ପଡ଼ିଲା ସାଇକେଲ ମିଶା ।
ବିପଦ ଉପରେ ପଡେ଼ ଚଡ଼କ
କାହୁଁ ଆସିଗଲା ଢମଣା ଏକ ।
ଶଶୁର ଜ୍ୱାଇଁଙ୍କୁ ଖାଇବ ବୋଲି
ଦଉଡ଼ିଲା ଶୀଘ୍ର ପାଟିଟା ମେଲି ।
ଶଶୁର କହିଲା ଜ୍ୱାଇଁ ହେ, ରଖ
ହେଲି ଆଜି ମୁହିଁ ଅତି ନିରେଖ ।
ଜ୍ୱାଇଁ ଚଢ଼ିଗଲା ଗଛ ଉପରେ
ଶଶୁର ଯାଇଁ ତା ପଛକୁ ଧରେ ।
ଧରା ଧରି ହୋଇ ଗଡ଼ିଲେ ତଳେ ;
ନେଉଳ ଭାଇଟି ଏତିକି ବେଳେ –
ବଣବାଟ ହୋଇ କାହୁଁ ଆସିଲା
ବାଟରେ ଢମଣାଟାକୁ ଦେଖିଲା ।
ଗୋଡ଼ାଇଲା ତାକୁ ମାରିବା ପାଇଁ
ଗାତ ଭିତରେ ସେ ଲୁଚିଲା ଯାଇଁ ।
ଥରୁଥିଲେ ଦୁହେଁ ପ୍ରାଣ ବିକଳେ
ରକ୍ଷା ପାଇଗଲେ ଦଇବ ବଳେ ।
ଚୁଟିଆ ମୂଷା ତା ଶଶୁର ସଙ୍ଗେ
ଚଢ଼ିଲା ଗାଡ଼ିରେ ମନ ବିରାଗେ ।
କେଡେ଼ ସଉକରେ ପୋଷାକ ସାଜି
ପିନ୍ଧିଥିଲା ସବୁ ସାରିଲା ପାଜି ।
କାଦୁଅ ପାଣିରେ ହେଲା ଅସନା
ଯେ ଦେଖିବ ଖାଲି ହସିବ ସିନା ।
ବେଳ ରତରତ ଡାହାଣୀ ଖରା
ଗଛପତ୍ର ପଡ଼ି ଦିଶଇ ତୋରା ।
ଏତିକି ବେଳରେ ଗଲେ ପହଞ୍ଚି
ଜୀବନ ରହିଲା ମନରେ ପାଞ୍ଚି ।
ଘରେ ଯେତେ ଥିଲେ ସମସ୍ତେ ମିଳି
ଜ୍ୱାଇଁ ଘେନିଗଲେ ବାଟୁଁ ସଙ୍ଖୋଳି ।
ଦେଖି ଜ୍ୱାଇଁଙ୍କର ଏଭଳି ବେଶ
ଗାଁ ଟୋକାକରେ ଉଠିଲା ହସ ।
ପିଲାମାନେ ହସି ମାରିଲେ ତାଳି ।
“ଜ୍ୱାଇଁପୁଅ ଘରେ ନିଅ ଓଗାଳି ।
ହୋଇଛନ୍ତି ସେତ କାଦୁଅ ବେଶ
ସହଜେ ଏହାତ ଗ୍ରୀଷମ ମାସ ।
ଶଶୁର ବୁଢ଼ାର ଦେଖ ସଉକ
ଜ୍ୱାଇଁଟି ଆମର ଭାରି ରସିକ ।”
