ଖଟିଛି ନିଜେ ଖଟାଇ ତା’ର ପିଲେ
ଖରା ବରଷା ଶୀତେ ଗହୀର ବିଲେ ।।
ପେଟକୁ କାଟି ଦେଇଛି କ୍ଷେତେ ସାର
ଫସଲ ପାଇଁ ବହିଛି ଋଣଭାର ।।
ତ୍ରିସିଲା ସନ ବତାସ ସର୍ବ ନାଶି
ଗଲା ବରଷ ମରୁଡ଼ି ଦେଲା ଗ୍ରାସୀ ।।
ଏସନ ଯେବେ ଦଇବ ହବ ସାହା
ବଡ଼ ଝିଅକୁ ଦେଇ ଦିଅନ୍ତା-ବାହା ।।
ସ୍ତିରୀକୁ ତା’ର ଧରିଛି ବାତ ରୋଗ
ସହରେ ଭଲ କରନ୍ତା ଥିଲେ ଯୋଗ ।।
ଘରପାରିଆ ଦବିଗଲାଣି କାଣ୍ଡୁ
ମୁଣ୍ଡ ବାଜୁଛି ପଶି ଆଇଲେ ଦାଣ୍ଡୁ ।।
ମଥାକୁ ଉଈ ପଚରା ନଡ଼ା ଖସେ
ବରଷା ହେଲେ ନଦଉ କାନ୍ଥ ଧସେ ।।
ଫସଲ ହେଲେ ଦିଅନ୍ତା ଟେକି ଚାଳ
ଦୁଃଖ ସୁଖରେ ମେଣ୍ଟନ୍ତା କିଛି କାଳ ।।
କରମ ଫଳ ନିୟତି ହାତେ ବନ୍ଧା
କି ହେବ ସାରା ବରଷ କଲେ ଫନ୍ଦା ।।
ଶୁଭିଲା ଦୂରୁ କରୁଣ କୋଳାହଳ
ଭାଙ୍ଗିଛି ଘାଇ ପଶୁଛି ବନ୍ୟା ଜଳ ।।
ରକତ ତା’ର ଲୁହରେ ଗଲା ଝରି
ବୁକୁରେ ଶତ ବେଦନ ଉଠେ ଧରି ।।
