ଗଳ୍ପ

ଥୁଣ୍ଟାଗଛ ଏବଂ ସ୍ୱପ୍ନର ଚଢ଼େଇ

Dr Bibhuti Pattanaik's odia story Thuntaagacha Ebn Swapnara Chadhei

ଦଳବଦଳ କଲେ ଦ୍ୱାରପାଳ ଏକ ପାଳଭୂତ ହୋଇଯିବ । ଲୋକେ ତାକୁ ଗ୍ରହଣ କରିବେ ନାଇଁ ।

ଥୁଣ୍ଟାଗଛ ଏବଂ ସ୍ୱପ୍ନର ଚଢ଼େଇ

-: ପୂର୍ବରୁ :-

ବିଛଣା ବଦଳ ହେଲା ପରେ ସେ ଦୁଇଜଣଙ୍କ ମଧ୍ୟରେ ଏକ ଇଚ୍ଛାକୃତ ଦୂରତ୍ୱ ତିଆରି ହୋଇଗଲା । ମାଷ୍ଟର ବେଡ଼ରୁମ୍‌ରେ ଡବଲ ବେଡ୍ ଥିଲା କିନ୍ତୁ ଶ୍ୟାମଳ ଦାଣ୍ଡଘରରେ ଗୋଟିଏ ସୋଫା- କମ୍ ବେଡ୍ । ରାତ୍ରିବେଳା ଶ୍ୟାମଳ ସୋଫା ଭାଙ୍ଗି ତାକୁ ବେଡ୍ କରିଦିଏ, ସକାଳୁ ବେଡ୍‌କୁ ଫୋଲ୍ଡ କରି ଦେଲେ ସେଇଟା ସୋଫା ହୋଇଯାଏ ।

ଦିନବେଳା ଯେଉଁମାନେ ଶ୍ୟାମଳକୁ ଦେଖା କରିବାକୁ ଆସନ୍ତି ଦାଣ୍ଡ ଘରେ ବେଡ୍ ବଦଳରେ ସୋଫା ଦେଖି ଜାଣିପାରନ୍ତି ନାହିଁ ଯେ ମାଷ୍ଟର ବେଡ୍‌ରୁମ୍‌ରୁ ନିର୍ବାସିତ ହୋଇ ସେ ନିଃସଙ୍ଗ ଜୀବନ ଯାପନ କରୁଛି ।

ମାଷ୍ଟର ବେଡ୍‌ରୁମ୍ ଆଉ ଦାଣ୍ଡଘର ମଝିରେ ଡାଇନିଂ ପ୍ଲେସ୍ ।

ସକାଳେ ଚା’, ମଧ୍ୟାହ୍ନରେ ଲଞ୍ଚ ଆଉ ରାତିରେ ଡିନର୍ ଖାଇଲାବେଳେ ଏଇ ଡାଇନିଂ ସ୍ପେସ୍‌ରେ ହିଁ ସ୍ୱାମୀ-ସ୍ତ୍ରୀଙ୍କର ମିଳନ ହୁଏ ।

ବାହାଘର ପରେ ଜଣେ କୁକ୍ ରଖିବାକୁ ଶ୍ୟାମଳ ପ୍ରସ୍ତାବ ଦେଇଥିଲା । ହସି ଦେଇ ତାକୁ ବାତିଲ କରି ଦେଇଥିଲା । ଯୁକ୍ତି କରିଥିଲା ରାନ୍ଧୁଣୀ ରୋଷେଇ କଲେ ଘରେ ଆଉ ମୋର କାମ କ’ଣ ? ବସି ବସି ମୋଟୀ ହୋଇଯିବି । ମାତ୍ର ଦୁଇଜଣ ଲୋକଙ୍କ ଲଞ୍ଚ, ଡିନାର, ଦୁଇ ଘଣ୍ଟାର କାମ । ହଁ- ଯେତେବେଳେ ପିଲାଛୁଆ ହେବେ ଜଞ୍ଜାଳ ବଢ଼ିବ- ସେତେବେଳେ ଦେଖିବା ।

ଜଞ୍ଜାଳ ତିଆରି ହେବା ଆଗରୁ ଘର ଭାଙ୍ଗିଗଲା । ଗୋଟିଏ ଘର ଛାତ ତଳେ ରହୁଥିଲେ ବି ଦୁଇଜଣଙ୍କ ମଝିରେ ଗୋଟାଏ କାନ୍ଥ ଠିଆ ହୋଇଗଲା । ସେ କାନ୍ଥ ଆରପଟର ଦୃଶ୍ୟ ଏପଟୁ ଦେଖାଯାଏ ନାହିଁ । କାନ୍ଥର ଉଚ୍ଚତା ବଢ଼ିବାକୁ ଲାଗିଥାଏ-

ସେପଟେ ଡବଲ୍ ବେଡ୍‌ରେ ଏକା ତୃଣା ରାୟସିଂହ ।

କାନ୍ଥର ଏ ପଟେ ସୋଫା-କମ୍-ବେଡ୍‌ରେ ନିଃସଙ୍ଗ, ନିର୍ଜନ ଶ୍ୟାମଳ, ଶ୍ୟାମଳ ମହାନ୍ତି ।

ବିଛଣା ବଦଳର ତିନି ଚାରିଦିନ ତାକୁ ଖୁବ୍ ନିଛାଟିଆ ଲାଗିଥିଲା ।

ପାର୍ଟିର ସଭ୍ୟପଦ ନବୀକରଣ କରିନଥିଲା । ଚମଡ଼ା ନିଗମରୁ ଇସ୍ତଫା ଦେଇ ସାରିଥିଲା ।

ସେ ପାର୍ଟି ଛାଡ଼ିଦେଇଛି ଜାଣି କଂଗ୍ରେସର ଦୁଇଜଣ ବନ୍ଧୁ ତାକୁ ପାଖକୁ ଟାଣିବାକୁ ଚାହିଁଥିଲେ । ତାକୁ ବୁଝାଇଥିଲେ ଆଜିକାଲି ଦଳ ଛାଡ଼ି ରାଜନୀତି ନାହିଁ । ତମର ଏକ ଈର୍ଷଣୀରେ ରାଜନୈତିକ କ୍ୟାରିୟର୍ ଅଛି- ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ ଛାତ୍ର ୟୁନିୟନ୍‌ର ସଭାପତି ଥିଲି- ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ଜେଲ୍ ଯାଇଥିଲି ।

– ସମତା ପାର୍ଟିର ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ଭାବରେ ତମର ଖ୍ୟାତି ଅଛି- ଏ ବୁଢ଼ା ତିୱାରୀର ଯୌନ ଅନାଚାର ଯୋଗୁଁ ସମତା ପାର୍ଟି ସରକାର ଆଇ.ସି.ୟୁ.ରେ ଅଛି । ଏଥର ଠିକ୍ ଲଙ୍ଗଳର ଡଙ୍ଗା ବୁଡ଼ିବ- ପୁଣି ଉଠିବ ଯୋଡ଼ି ବଳଦ- ତମେ ଠିକ୍ ସମୟରେ ବୁଡ଼ିଯାଉଥିବା ଡଙ୍ଗାକୁ ଛାଡ଼ି ଦେଇ କୂଳରେ ଛିଡ଼ା ହୋଇଛ- ଏଥର ଡଙ୍ଗା ଛାଡ଼ି ଦେଇ ଆମ ପାୱାର ବୋଟ୍‌କୁ ଚାଲିଆସ ।

ସମତା ପାର୍ଟି ସରକାରର ଶାସନ ମୁଖ୍ୟ ଜଣେ ଅବିବାହିତ ବୃଦ୍ଧ । ଦେଶ ସେବା ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିବାରୁ ଜୀବନସାଥି ଗ୍ରହଣ କରିବେ ନାହିଁ ବୋଲି ପଇତା ଛୁଇଁ ଶପଥ କରିଥିଲେ । ପ୍ରଥମେ କଂଗ୍ରେସରେ ଥିଲେ । ପରେ ଜନତା- ଏବେ ସମତା ପାର୍ଟିର ମୁଖ୍ୟ । ମସ୍ତ ଇଲେକ୍ସନ୍ ମେସିନାରୀ ଗଢ଼ି ତୋଳିଛନ୍ତି । ଶ୍ୟାମଳ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲା । ପୁଅ ଭଳି ଭଲ ପାଉଥିଲେ ତାକୁ ତିୱାରୀ ସାହେବ ।

ତୃଣା ତାଙ୍କୁ ପ୍ରଲୁପ୍ତକରି କୌଣସି ଆର୍ଥିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲା କି ପାର୍ଟି- ପ୍ରଧାନ, ଶାସନ-ମୁଖ୍ୟ ସତସ୍ତରି ବର୍ଷ ବୟସରେ ତା’ର ରୂପରେ ମୁଗ୍ଧ ହୋଇ ବ୍ରହ୍ମଚର୍ଯ୍ୟ ବ୍ରତ ଉଦ୍‌ଯାପନ କରିଥିଲେ- ତାହା ଠିକ୍ ବୁଝିପାରେ ନାହିଁ ଶ୍ୟାମଳ ।

ବୃଦ୍ଧର ବ୍ରହ୍ମଚର୍ଯ୍ୟ !

ହାଃ- ଏକ ଲୁଣ୍ଠିତା ରମଣୀର ସ୍ୱାମୀ ଭୂମିକାରେ ଅଭିନୟ କରି ସେ କ୍ଳାନ୍ତ ହୋଇ ପଡ଼ିଥିଲା ।

ସେ ମୁକ୍ତି ଚାହିଁଥିଲା । ମୁକ୍ତି ମିଳିଲା ନାହିଁ । ଅନୁପ୍ରବେଶକାରୀଙ୍କୁ ଅଟକାଇବା ପାଇଁ ସେ ସ୍ୱାମୀର ଭୂମିକା ବଦଳାଇ ଦେଇ ଦ୍ୱାରପାଳ ଭୂମିକାରେ ଅଭିନୟ କରୁଛି ।

ଦଳବଦଳ କଲେ ଦ୍ୱାରପାଳ ଏକ ପାଳଭୂତ ହୋଇଯିବ । ଲୋକେ ତାକୁ ଗ୍ରହଣ କରିବେ ନାଇଁ ।

ଶ୍ୟାମଳ ମନା କରି ଦେଇଥିଲା । ସମତା ପାର୍ଟି ସରକାର ଆଇ.ସି.ୟୁ.ରେ ଅଛି କି କଂଗ୍ରେସ ଦଳ ସରକାରକୁ ଆସିବ- ସେ ବିଷୟରେ ତାର’ କୌଣସି ଚିନ୍ତା ନାହିଁ ।

ସେମାନେ କିନ୍ତୁ ତାକୁ ଛାଡ଼ିଲେ ନାହିଁ । ଯଦି ପାର୍ଟି ବଦଳ କଲେ ଲୋକ ନିନ୍ଦାକୁ ଡର ମାଡୁଛି- ତାହା ହେଲେ ଗୋଟାଏ ମୁକ୍ତମଞ୍ଚ ଗଢ଼ା ଅଣରାଜନୈତିକ ବୁଦ୍ଧିଜୀବୀମାନଙ୍କୁ ମଞ୍ଚରେ ଏକାଠି କର- ସବୁ ଖର୍ଚ୍ଚ କଂଗ୍ରେସ ବହନ କରିବ ।

ଶ୍ୟାମଳ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବା ଆଗରୁ ତୃଣାର ମତାମତ ପଚାରି ବୁଝିବାକୁ ଚାହିଁଥିଲା ।

ରାତି ନିଶୂନ ହୋଇ ଯାଇଥିଲା ।

ରାତ୍ରିଭୋଜନ ଶେଷ କରି ସୋଫା-କମ୍-ବେଡ୍‌କୁ ଫେରି ଆସିଥିଲା । ଖାଇ ବସିଲା ବେଳେ କଂଗ୍ରେସ ସମର୍ଥନରେ ମୁକ୍ତ ମଞ୍ଚ ଗଢ଼ିବ କି ନାହିଁ- ପଚାରିବାକୁ ଚାହିଁ ମଧ୍ୟ ସେ ପାଟି ଖୋଲିପାରିନଥିଲେ । ରାତ୍ରି ନିର୍ଜନ ଆଉ କାନ୍ଥ ଅନ୍ଧାର ହୋଇଗଲା ପରେ ବିଛଣା ଛାଡ଼ି ଶ୍ୟାମଳ ମାଷ୍ଟର ବେଡ଼ରୁମ୍ ଆଡ଼କୁ ଅଗ୍ରସର ହେଲା ।

ଅନ୍ଧାରର କାନ୍ଥ ଦୁଇ ଭାଗ ହୋଇଗଲା । ବାଟ ଖୋଲିଗଲା ।

ଭିତରପଟୁ ମାଷ୍ଟର ବେଡ଼ରମ୍‌ର ଦରଜା ଲକ୍ ଥିଲା ।

ଦରଜାରେ ନକ୍ ନ କରି ଶ୍ୟାମଳ ମୋବାଇଲ୍‌ରେ ଡାଏଲ୍ କଲା ।

କିଏ ?

ମୁଁ- ମୁଁ ଶ୍ୟାମଳ !

ନା- କବାଟ ଖୋଲି ପାରିବି ନାଇଁ । ସକାଳେ ଚା’ ଖାଇବାକୁ ଆସ- ମୁଁ ନାଇଟ୍ ଡ୍ରେସ୍ ବଦଳାଇ ସାରିଥିବି ।

ମୋବାଇଲ୍ ଅଫ୍ ହୋଇଗଲା ।

ଶକ୍ତ ଧକ୍କା ଖାଇଲା ଭଳି ପଛକୁ ଫେରି ଆସିଲା ଶ୍ୟାମଳ । ଦୁଇ ଫାଙ୍କ ହୋଇ ଯାଇଥିବା ଅନ୍ଧାରର କାନ୍ଥ ପୁଣି ଯୋଡ଼ି ହୋଇଗଲା । କିନ୍ତୁ ସେଇଦିନୁ ରାତିରେ ତା’ର ଆଖିପତା ଆଉ ଯୋଡ଼ି ହେଲା ନାହିଁ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top