ଶହ ଶହ ବର୍ଷର ଉପନିବେଶବାଦ, ବାହ୍ୟ ଶତ୍ରୁ ଆକ୍ରମଣ, ଲୁଟ ତତାଜ, ଶୋଷଣ ପରେ ମଧ୍ୟ ଅତୁଟ ରହିଥିବା “ସନାତନ ଜୀବନ ଧାରା” କିଛି ଉଗ୍ର ସାମାଜିକ ତତ୍ତ୍ୱଙ୍କ ଆଖିରେ ଆଜି କୁଆଡେ ହଠାତ୍ ଅସୁରକ୍ଷିତ ହୋଇ ପଡିଛି ! “ସାର୍ବଭୌମତା” ସନାତନ ପରମ୍ପରାର ମେରୁଦଣ୍ଡ। “ଏକତା” ସନାତନ ପରମ୍ପରାର ପ୍ରାଣକେନ୍ଦ୍ର। ହେଲେ ଦେଖ ସାର୍ବଭୌମତାର “ସ” ଅକ୍ଷର ବୁଝୁ ନ ଥିବା ସାମାଜିକ ଏକତାର ଭକ୍ଷକମାନେ ଆଜି ନିଜେ ନିଜେ ସନାତନର-ରକ୍ଷକ।
ଅଜ୍ଞାନ ପ୍ରସୂତ ପ୍ରତିଯୋଗୀତା ମୂଳକ ଅସୂୟା ଭାବ, ସଙ୍କୁଚିତ ଏକଚାଟିଆ ପ୍ରବୃତ୍ତି, ଖଣ୍ଡିତ ବିଶିଷ୍ଟତାର ବିଚାରରୁ ଉଗ୍ରବାଦର ଜନ୍ମ !
ସନାତନ ସେଇଠି ଯେଉଁଠି ସମସ୍ତ ଭିନ୍ନତାକୁ ସମ୍ମାନ ପୂର୍ବକ ହାତ ମେଲି କୋଳେଇ ନିଆଯାଏ । ସନାତନ ସେଇଠି ଯେଉଁଠି “ପନ୍ଥା ଅନେକ ହେଲେ ବି ସତ୍ୟ ଏକ” ବୋଲି ଜାଣି ସଭିଙ୍କୁ ବିଶାଳ ହୃଦୟରେ ଆଦରି ନିଆଯାଏ । ସନାତନ ସେଇଠି ଯେଉଁଠି ବାହ୍ୟ ପ୍ରତୀୟମାନ ସମସ୍ତ ଅନ୍ତର ମଧ୍ୟରେ “ଅନନ୍ତ ଏକତ୍ଵକୁ” ପୂଜା କରାଯାଏ । ସନାତନ ସେଇଠି ଯେଉଁଠି ଗଠନାତ୍ମକ ସମାଲୋଚନାରେ ମୁଣ୍ଡକାଟର ଭୟ ନ ଥାଏ ! ସନାତନ ସେଇଠି ଯେଉଁଠି ସଂସ୍କାରମୂଳକ ଜନ ମଙ୍ଗଳକାରୀ ପରିବର୍ତ୍ତନକୁ ସହର୍ଷ ଚିତ୍ତରେ ଗ୍ରହଣ କରି ନିଆଯାଏ ।
ସନାତନ “ଉଗ୍ର” ନୁହେଁ ! ସନାତନ “ଉଦାର” !
ସନାତନ “ଭକ୍ଷକ” ନୁହେଁ ! ସନାତନ “ରକ୍ଷକ” !
ସନାତନ “ପରାଧୀନ” ନୁହେଁ । ସନାତନ “ସ୍ୱାଧୀନ”!
ସନାତନ “ଅଖଣ୍ଡ” ! ସନାତନ “ଅମୃତ” ।
ସନାତନ “ଜୀବନ”! ଜୀବନ “ସନାତନ” !
