ବିସ୍ମୃତିର ଏ ଅବିସ୍ମରଣୀୟ ଗାଥା
ବର୍ଣ୍ଣନାତୀତ ଯାହାଙ୍କର ଜୀବନ କବିତା । (୧)
ଅନେକ ସୌଧର ଯିଏ ଥିଲେଟି ନିର୍ମାତା
ଯୁଗେ ଯୁଗେ ଗାଉଥିବ ତାଙ୍କ ଚିରଗାଥା । (୨)
ଯାହାଙ୍କର ଲେଖନୀରେ ବହେ ମନ୍ଦାକିନୀ
କେବେ ପୁଣି ଧୂର୍ଯ୍ୟଟିଙ୍କ ତାଣ୍ଡବ ବଖାଣି । (୩)
କେବେ ପୁଣି ପୂଣ୍ୟତୋୟା ଜାହ୍ନବୀ ମାତାଙ୍କୁ
ଆଣିଛନ୍ତି ଏ ଧରାକୁ ମୁକ୍ତି ବାଣ୍ଟିବାକୁ । (୪)
ନରକ ପୁରୀକୁ କଲେ ସରଗ ସମାନ
ନୀଳକଣ୍ଠ ସାଜି ପୁଣି ବିଷ କଲେ ପାନ । (୫)
ଅମୃତର ସଞ୍ଜିବନୀ ସିଞ୍ଚିଲେ ଆପଣ
ସଗର ବଂଶେ ଉଦ୍ଧାରି ଦେଲ ଦିବ୍ୟଜ୍ଞାନ । (୬)
ଜ୍ଞାନର ପ୍ରଦୀପ ଜାଳି ପ୍ରତିଟି ହୃଦୟେ
ଅଜ୍ଞାନକୁ ନାଶ କଲେ ବୃହସ୍ପତି ପ୍ରାୟେ । (୭)
ସବୁରି କଲ୍ୟାଣ ପାଇଁ ଯା’ ହୃଦୟେ କାନ୍ଦେ
ସେ ଅମର ଆତ୍ମା ପାଦେ ବିଶ୍ୱବାସୀ ବନ୍ଦେ । (୮)
ଘେନ ପ୍ରଣିପାତ ଆମ ଆଦିମାତା ସୁତ
କରୁଣାମୟଙ୍କ ଆଶିଷ ଲଭି ହୁଅ ପୂତ. . . । (୯)
