ଅନନ୍ତ ବିହାରୀ ସମ ବିଶ୍ୱଜନନୀର ଭାଗ୍ୟାକାଶରେ ଉଦୀୟମାନ ଅମୂଲ୍ୟ ରତ୍ନ । ଯାହାଙ୍କର ଅଂଶୁମାଳିରେ ଉଦ୍ଭାସିତ ହେଉଥିଲା କେବଳ ଭାରତ ମାତା ନୁହେଁ, ସମଗ୍ର ବିଶ୍ୱ । ଯାହାଙ୍କର ଅଜସ୍ୱିନୀ ବାଗ୍ନିତା ପ୍ରତିଟି ପ୍ରାଣରେ ଭରି ଦେଉଥିଲା ସାହସ, ଧୈର୍ଯ୍ୟ, ଉଦ୍ଦାମତା ଏବଂ ସର୍ବୋପରି ଦେଶ ପ୍ରେମର ବହ୍ନି । ନିରାଶାର ବାର୍ଦ୍ଧକ୍ୟରେ ଭରି ଦେଇଥିଲେ ତାରୁଣ୍ୟକାର ପ୍ରଗାଢ଼ ଆତ୍ମବିଶ୍ୱାସ । ଆଶା, ନିରାଶା, ସୁଖ ସ୍ୱାଚ୍ଛନ୍ଦର ଊର୍ଦ୍ଧ୍ଵରେ ରହି ମାତୃଭୂମିକୁ ବିଶ୍ୱ ଦରବାରରେ ସୁପ୍ରତିଷ୍ଠିତ କରିବାର ଦୁର୍ବାର ଲାଳସା ଚରିତାର୍ଥ କରିବା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଆଜନ୍ମ ବ୍ରହ୍ମଚାରଣ ବ୍ରତକୁ ଅବଲମ୍ୱନ କରି କଠୋର ସାଧନାରେ ବ୍ରତୀ ଥିଲେ । ଭୂ-ଲୁଣ୍ଠିତ ଭାରତ ଜନନୀକୁ ଶ୍ରଦ୍ଧାସୁମନ ରୂପକ ତୂଳୀ ଓ ରଙ୍ଗରେ ନବକଳେବର ଏବଂ ଶାନ୍ତି ଓ ସୌକ୍ୟ ରୂପକ ଦିବ୍ୟ ଅଳଙ୍କାରରେ ବିଭୂଷିତ କରିବାକୁ ଅଭିନବ ପ୍ରୟାସ ଜାରି ରଖିଥିଲେ । ଯାହା ସ୍ୱାଧୀନତାର ୫୦ ବର୍ଷ ମଧ୍ୟରେ ସମ୍ଭବ ହୋଇ ପାରି ନଥିଲା ।
କ୍ଷମତା ବା ସିଂହାସନ ପ୍ରାପ୍ତି ଲାଳସାର ସ୍ୱପ୍ନ କେବେ ଦେଖି ନ ଥିଲେ, କିନ୍ତୁ ଅନ୍ୟାୟ, ଦୁର୍ନୀତି ଓ ଜନ୍ମଭୂମି ପ୍ରତି ଅବମାନନା କରୁଥିବା ଆସୁରିକ ଶକ୍ତିମାନଙ୍କର ଏକଛତ୍ରବାଦ ଶାସନ ବିରୁଦ୍ଧରେ ଲଢ଼ିବା ପାଇଁ ଆବଶ୍ୟକ ଲୋକଶକ୍ତି ଏବଂ ରାଜଶକ୍ତି । ସେହି ଲୋକଶକ୍ତିକୁ ପାଇବା ପାଇଁ ସେମାନଙ୍କ ହାତରେ ଜାତୀୟ ପୁଷ୍ପର ଝଣ୍ଡା ଧରେଇ ଦେଇ ଭାରତମାତା ଆଖିରୁ ଲୁହ ପୋଛିବା ପାଇଁ ଦୃଢ଼ ସଂକଳ୍ପର ମନ୍ତ୍ରରେ ଅଭିମନ୍ତ୍ରିତ କରାଇଥିଲେ ।
ମହାଭାରତର ଅଦ୍ୱିତୀୟ ବୀର ଧନଞ୍ଜୟଙ୍କର ସମକକ୍ଷ ଯୋଦ୍ଧା ସର୍ବଜ୍ୟେଷ୍ଠ ପାଣ୍ଡବ ସୂର୍ଯ୍ୟନାରାୟଣଙ୍କର ପୁତ୍ର ମହାବୀର କର୍ଣ୍ଣ ସୂତପୁତ୍ର ଭାବେ ପରିଚିତ ହୋଇଥିବାରୁ ରାଜପୁତ୍ରମାନଙ୍କ ସହିତ ଶକ୍ତି ପ୍ରଦର୍ଶନ ପରୀକ୍ଷାରେ ଭାଗ ନେଇ ପାରିଲେ ନାହିଁ । କାରଣ ରାଜପୁତ୍ରମାନଙ୍କ ସହିତ କେବଳ ରାଜପୁତ୍ର ବା ରାଜା ଯୁଦ୍ଧ କରିପାରିବେ । ତେଣୁ ମାନୀ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗରାଜ୍ୟର ରାଜପଦରେ ଅଭିସିକ୍ତ କରାଇଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର ବାନର ସେନାମାନଙ୍କ ସହାୟତାରେ ପ୍ରବଳ ଆସୁରିକ ଶକ୍ତିକୁ ପରାହତ କରି ଧର୍ମର ଧ୍ୱଜା ଉଡ଼ାଇଥିଲେ ଏବଂ ଜଗତ୍ଜନନୀ ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିଥିଲେ । ଭାରତ ମାତାର ଅବ୍ୟକ୍ତ କୋହକୁ ଅନୁଭବ କରି, ଭାରତମାତାର ଯୋଗ୍ୟତମ ଦାୟାଦ, ଯୁଗଜନ୍ମା ପୁରୁଷ ଜନଶକ୍ତି ସହାୟତାରେ ପରିଣତ ବୟସରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ପୁଣ୍ୟଭୂମି ଭାରତବର୍ଷକୁ ସଂସ୍କାରୀକୃତ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ବିଦେଶ ମାଟିରେ ଥିବା ଗଚ୍ଛିତ ଭାରତୀୟ କଳାଟଙ୍କାର ପୁନୋରୁଦ୍ଧାର କରିବାର ପ୍ରୟାସ କେବଳ ଭାରତକୁ ନୁହେଁ ସମଗ୍ର ବିଶ୍ୱକୁ ହତଚକିତ କରିଦେଇଥିଲା । ହିନ୍ଦୁସ୍ତାନର ଅବିଚ୍ଛେଦ୍ୟ ଅଙ୍ଗ ପାକିସ୍ତାନକୁ ଶାନ୍ତିର ବାର୍ତ୍ତା ବହନ କରି ଲାହୋର ପର୍ଯ୍ୟନ୍ତ ବସ୍ଯାତ୍ରା କରି ଏକ ଯୁଗାନ୍ତକାରୀ ଐତିହାସିକ ପଦକ୍ଷେପ ବିଶ୍ୱକୁ ସ୍ତମ୍ଭୀଭୂତ କରିଦେଇଥିଲେ । କିନ୍ତୁ ସ୍ୱଳ୍ପବୁଦ୍ଧି ସମ୍ପନ୍ନ ପାକିସ୍ତାନ ଏହିଭଳି ଏକ ଉଦାରତା ପୂର୍ଣ୍ଣ ବଳିଷ୍ଠ ଆଦର୍ଶ ପୁରୁଷଙ୍କର ଭାବାବେଗକୁ ହୃଦୟଙ୍ଗମ କରିପାରି ନଥିଲା । ବରଂ ସୀମାନ୍ତରେ କାର୍ଗିଲ୍ଠାରେ ସୀମାଲଙ୍ଘନ କରିବାର ଅପଚେଷ୍ଟା କରିଥିଲା । ତେଣୁ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ କାର୍ଗିଲ୍ର ମହାସଂଗ୍ରାମର ସୂତ୍ରପାତ ହେଲା । ଏବଂ ପାକିସ୍ତାନ ଏକ ଆତଙ୍କବାଦୀ ଦେଶ ଭାବେ ବିଶ୍ୱରେ ପ୍ରତିବାଦିତ ହେଲା ।
ଶୂନ୍ୟତାରେ ପୂର୍ଣ୍ଣତା, ଅବାସ୍ତବରେ ବାସ୍ତବତା ଭରିଦେବା ଯାହାଙ୍କର ସହଜାତ ଗୁଣ ଓ ସହଜାତ ପ୍ରବୃତ୍ତି ସେ ସେହି ଆଦର୍ଶକୁ ପାଥେୟ କରି ଅଖିଳ ଜନନୀଙ୍କୁ ଏକ ପ୍ରଚଣ୍ଡ ଶକ୍ତି ସମ୍ପନ୍ନ ଏବଂ ସମୃଦ୍ଧିଶାଳୀ ରାଷ୍ଟ୍ରରେ ପରିଣତ କରି ବିଶ୍ୱସ୍ତରରେ ସୁବିଦିତ କରିବାକୁ ପ୍ରୟାସ କରି କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ବୈଦେଶିକ ଦେଶମାନଙ୍କର ପ୍ରବଳ ଚାପକୁ ଭୃକ୍ଷେପ ନ କରି ସେ ପୋଖରାନ୍ଠାରେ ଆଣବିକ ଶକ୍ତିର ପରୀକ୍ଷା କରି ବିଶ୍ୱରେ ଜଣେ କ୍ରାନ୍ତିକାରୀ ପୁରୁଷ ଭାବରେ ସୁପ୍ରତିଷ୍ଠିତ ହୋଇଥିଲେ ଜୟ ଯବାନ୍, ଜୟ କିଷାନ୍ ଓ ଜୟ ବିଜ୍ଞାନ ଧ୍ୱନିରେ ଗଗନ ପବନ ମୁଖରିତ ହେଲା । ସ୍ୱପ୍ନ ଅନେକ କିନ୍ତୁ କ୍ରୁର ସମୟ ଭାରତମାତାର ଅଙ୍ଗ ସେବା କରିବାର ସୁଯୋଗରୁ ବଞ୍ଚିତ କଲା । କେତେଜଣ ଆତ୍ମସ୍ୱାର୍ଥୀ, ନ୍ୟସ୍ତସ୍ୱାର୍ଥୀ, ଜାତିଦ୍ରୋହୀମାନଙ୍କର କୁଚକ୍ରାନ୍ତ ଫଳରେ ପ୍ରଧାନମନ୍ତ୍ରୀ ପଦବୀକୁ ତ୍ୟାଗକରି ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କଲେ । ତାହା ସମଗ୍ର ଭାରତ ପାଇଁ ଅଭିଶାପ କହିଲେ ଅତ୍ୟୁକ୍ତି ହେବନାହିଁ ।
ଜାତିର ଭୀଷ୍ମ ପିତାମହ, ଚିରସ୍ମରଣୀୟ, ରାଷ୍ଟ୍ରୀୟ ପୁରୁଷ, ମହାନ୍ ଜନନାୟକ ୨୦୧୮ ଇଂରାଜୀ ଅଗଷ୍ଟ ମାସ ୧୯ ତାରିଖ ଇହଲୀଳା ସମ୍ୱରଣ କଲେ । ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ବିଶ୍ୱବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେହି ପୁଣ୍ୟାତ୍ମାଙ୍କର ପୁଣ୍ୟ ଏକାଦଶାହରେ ଏହି ବଜ୍ର ଶପଥ ନେବା ଯେ ଆମେ ତାଙ୍କର ଅଧୁରା ସ୍ୱପ୍ନକୁ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବା ଏବଂ ଭାରତ ମାତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ସଙ୍ଗେ ସଙ୍ଗେ ମହାନ୍ କରି ଗଢ଼ି ତୋଳିବାର ପ୍ରୟାସ ଜାରି ରଖିବା ।
ଶେଷରେ ସେହି ଶ୍ରେଷ୍ଠ ପୁରୁଷଙ୍କୁ ହୃଦୟର ଗଭୀରତମ ପ୍ରଦେଶର ଶତ କୋଟି ପ୍ରଣାମ ଜଣାଇ ଅମ୍ଳାନ ପ୍ରତିଭାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ପରମେଶ୍ୱରଙ୍କଠାରେ ଆକୁଳ ପ୍ରାର୍ଥନା କରିବା ।
“ଅୟଂ ନିଜ ପରୋବେତି ଗଣନା ଲଘୁଚେତସାଂମ
ଉଦାର ଚରିତାନାଂତୁ ବସୁଧୈବ କୁଟୁମ୍ୱକମ୍ ।”
ଜୟହିନ୍ଦ୍
