କବିତା

ଅଧରା ପକ୍ଷୀ

Niranjan Jena's odia poem Adharaa Pakshi

ମୁଁ ସେହି ଅଧରା ପକ୍ଷୀ
ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି
ଏବେ ତୋର ଫେରିବାର ପାଳି !

ଅଧରା ପକ୍ଷୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବୟସ ଅତିକ୍ରାନ୍ତ ।
ମୋ ଭିତରୁ ଥରୁଟିଏ
ମୁକୁଳି ପାରିନି ମୁଁ. . . !

ଚନ୍ଦ୍ର ବନ୍ଧନୀ ଭିତରେ ମୁଁ
ବନ୍ଧନୀ କାଟି ମୁକ୍ତ ହେବି
କାହାକୁ ଆତ୍ମୀୟତାରେ ଜାବୁଡ଼ି ଧରିବି
ସେ ମୁହୂର୍ତ୍ତ ବେଳେ ବେଳେ ଆସେ
ପୁଣି ଫେରିଯାଏ ।

ମୋ ପୂର୍ବରୁ କେହି ଜଣେ ଥିଲା ମାଆ ଗର୍ଭରେ
ହସୋଉଥିଲା, କନ୍ଦୋଉ ଥିଲା ଓ
ଶୋଇ ଦେଉଥିଲା ନାନାବାୟା ଗୀତରେ ।

କିଏ ତେବେ ଲୁଟି ନେଲା ମୋର
ହସ, କାନ୍ଦ, ସୁଖର ପ୍ରାଚୁର୍ଯ୍ୟ
ଜନ୍ମପରେ ତାକୁ ଦେଖିନି ଏଯାଏ ।

ଅଧରା ପକ୍ଷୀଟି ପରି ସିଏ ଆସେ
ବହୁଦିନ ପରେ ମୋ ଅଗଣାକୁ
ହାତଠାରି ଡାକିଲେ ଫୁର୍‌କରି ଉଡ଼ିଯାଏ
କାହିଁକି ସେ ଆସେ ?

ଅଗଣାର ଆମ୍ୱଗଛରେ ବସେ
କେଉଁ ଆଳରେ ?
କଥା କୁହା ପକ୍ଷୀ ହୋଇଥିଲେ
ବୁଝି ପାରିଥାନ୍ତି କଥାର ଗୁମର
କିଛି କହୁନି ଅଥଚ
ତା’ ନିରବତା ମୋତେ ଝୁଣି ଝୁଣି ଖାଏ ।

ସେଦିନ ଝୁଣ୍ଟି ପଡ଼ିଲି ଚଉକାଠ ବାହାରେ
ପକ୍ଷୀଟି ଆସି ବସିପଡ଼ିଲା ପୁରୁଖା ଗଛରେ
କେହି ନଥିଲେ ଘରଲୋକ
ପକ୍ଷୀଟି କହିଲା, ମଣିଷ ସ୍ୱରରେ
“ବହୁତ ହେଲା, ସଂସାରର ସବୁ ସୁଖ
ଲୁଟି ନେଇ ମୋତେ ଭୁଲିଗଲୁ ?”

ମୁଁ ସେହି ଅଧରା ପକ୍ଷୀ
ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି
ଏବେ ତୋର ଫେରିବାର ପାଳି !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top