ଅନନ୍ତ ପାରାବାରେ ଯିବି ଯେ ମୁଁ ବାହୁଡ଼ି
ଜୀବନ ଖେଳ ମୋର ଯିବ ଗୋ ଯେବେ ସରି,
ଅସୀମ ଆହ୍ଲାଦେ ମିଶିବି ତୁମ ସାଥେ
ପ୍ରଣୟ ରାସ ରଚି ନାଚିବି ପ୍ରାଣଭରି ।
ସରିବ ଧୂଳି ଖେଳ ଭାଜିବ ବାଲିଘର
ହଜିବ ନାହିଁଟି ମୋ ସାଉଁଟା ମଣି କେତେ,
ଜୀବନ ଚାତକ ମୋ ଛାଡିବ ନୀଡ ତାର
ଜୀବନ-ପ୍ରିୟତମ ତୁମରି ସଙ୍ଗୀତେ ।
କେତେ ଯେ ପଥ ଭ୍ରମି ଲଭିଛି ଅବସାଦ
ଜୀବନ-ପଥୁ ତେବେ ହୋଇନି ମୁଁ ବିମୁଖ,
ଜୀବନ – ମରଣ ସେ ତୁମରି ନାମ ରୂପ
ଜୀବନ ପଥେ ମୋତେ ଦେଇଛି ତବ ସୁଖ ।
କ୍ଲାନ୍ତି ଲଭି ଯେବେ ଶ୍ରାନ୍ତ ପଦ ଦ୍ୱୟ
ଭାଳିଛି ନିମିଷକେ ହୋଇବ ଉପାରତ,
ମୁରଲୀ ସୁର ତବ ପରମ ପ୍ରିୟତମ
ହୃଦୟ-ପଟେ ମମ ବାଜିଛି ଅବିରତ ।
ଜୀର୍ଣ୍ଣ ତରଣୀ ମୋ ଏ ଭବ ପାରାବାରେ
ହୁଏ ଯେ ଆତଯାତ ତୁମରି ଆଦେଶରେ,
ତୁମରି ନିଃଶ୍ୱାସ ମୋର ଏ ନାସାପୁଟେ
ବିଶ୍ୱମୟ ପ୍ରାଣ ଲଭିଛି ଏ ଶରୀରେ ।
ସବୁଜ ପତରଟି ତୁମରି ମହୀରୁହେ
ପଲ୍ଲବି ଅଛି ହୋଇ କଅଁଳ ଛନ ଛନ,
ବିଶ୍ୱମୟ ତଵ ମଣୋହି କରି ପାନ
ବିଶ୍ୱାତୀତ ପାନେ ବଳାଇଅଛି ମନ ।
କ୍ଷୁଦ୍ର କଳିକା ମୁଁ ଏ ତନୁ ତନିମାରେ
ସଞ୍ଚିଅଛି ଯେଉଁ ଅମିୟ ବୈଭବ,
ତୁମ ଶ୍ରୀଚରଣର ପରଶ ପାଇ ତାହା
ଲଭିବ ଶାଶ୍ୱତ ଦିବ୍ୟ ଗୌରବ ।
