ଭୂବନେଶ୍ୱର ରୂପାଲୀ ଛକ ବସ୍ ଷ୍ଟପ, ସମୟ ପାଖା ପାଖି ଛଅଟା ବାଜିବ । ଅଫିସ ଫେରନ୍ତା ଭିଡ, ସମସ୍ତଙ୍କର ଅପେକ୍ଷା ସେଇ ଟାଉନ୍ ବସ୍ କୁ । ଗୋଟିକ ପରେ ଗୋଟିଏ ବସ୍ ଆସି ଚାଲି ଯାଉଥାଆନ୍ତି, ସବୁ ଓଭରଲୋଡେଡ । ଓହଳି ଓହଳି ଯାଉଥିବା ଯାତ୍ରୀମାନଙ୍କୁ ଦେଖି, ଲାଗେ ଯେପରି କେଉଁ ନୁଆ ବୋହୁର ଗଭାରେ ବନ୍ଧା ମଲ୍ଲୀଫୁଲର ଗଜରା, ଓହଳି ପଡିଛି ତାର ଖୋଷାରୁ, ମନେହୁଏ, ଏଇନେ ଖସିପଡିବ, ଏଇନେ ଖସିପଡିବ, ହେଲେ କେବେବି ଖସି ପଡେନା, ଜାବୁଡି ଧରିଥାଏ ତାର ରେଶମୀ ଖୋଷାକୁ । ହଳଦୀ ବସନ୍ତ ରଙ୍ଗର ଶାଢି ପିନ୍ଧି, କଲେଜ ଝିଅଟିଏ ପରି ଆଗକୁ ମାଡି ଯାଉଥିବା ଟାଉନ୍ ବସ୍ ସବୁ ଖୁବ୍ ସନ୍ତର୍ପଣରେ ଚାଲି ଯାଉଥାଆନ୍ତି । କୁଆଡେ ଚାହୁଁ ନଥିବେ ହେଲେ ସବୁ ଦେଖୁଥିବେ, ଯାଗା ନଥିଲେବି ଖାଲିଅଛିର ପ୍ରତିଶୃତି ଦେଇ ଭୁଲେଇ ନେବେ । ସତେବା ଅତି ଆପଣାର କିଏ ଜଣେ । ତେଣିକି ଭିତରକୁ ଆସିଗଲା ପରେ ଏଇଠି ସମସ୍ତେ ସମାନ । ଲୋକ ଗହଳିରେ ଖଚାଖଚ ଭରା ବସ ଭିତରେ ପଶିଗଲା ପରେ ‘ବସୁଧୈବ କୁଟୁମ୍ବକମ୍’ର ଅର୍ଥ ବଡ ସହଜରେ ବୁଝି ହୋଇଯାଏ । ଏଇ ବସୁଧା ଗୋଟିଏ କୁଟୁମ୍ବ, ସଭିଏ ଏଇଠି ସମାନ, ଆପଣ କିଛି ସ୍ପେସାଲ ଆଶା କରିବାଟା ବଡ ଅନ୍ୟାୟ । ଅନ୍ୟମାନଙ୍କ ପରି ଆପଣଙ୍କୁ ମଧ୍ୟ ଏଇ ଭିଡ ଭିତରେ ଏଡଜଷ୍ଟ କରି ନେବାକୁ ହେବ ।
ହେ…ଇ, ହଠାତ୍ ପିଠିରେ କାହାର ନରମ ହାତର ସ୍ପର୍ଶ ପାଇ ମୁଁ ପଛକୁ ବୁଲି ଦେଖିଲି, ଗୋଲାପି ଓଠରେ ସ୍ମିତ ହସାଧାରେ ଫୁଟେଇ ଖୁବ୍ ସୁନ୍ଦର ଝିଅଟିଏ ମୋ ପଛରେ ଠିଆ ହୋଇଛି । ପୁରିଲା ପୁରିଲା ଗାଲ, ଦୁଧ ଅଳତା ରଙ୍ଗର ସଜଫୁଟା ଗୋଲାପଟିଏ ଅବା । ତାର କଜଳମଖା ବଡବଡ ଆଖିରେ ଅତି ଉତ୍ସାହର ସହିତ ଅପଲକ ନୟନରେ ମୋ ମୁହଁକୁ ଟୁକ୍ ଟୁକ୍ ଅନାଇ ରହିଛି । ଆଖିରୁ ତାର ପଢି ହୋଇ ଯାଉଥାଏ ଅନେକ ତୃପ୍ତିର ପ୍ରେମ କବିତାଟିଏ । କେତେ ଯେ ଆନନ୍ଦ ତାର ହୃଦୟ ଭିତରେ ଲହଡି ମାରୁଥିଲା, ମନେ ହେଉଥିଲା ଏଇନେ ସିଏ ହାତରେ ତାଳି ବଜେଇ ଅବୋଧ ଶିଶୁଟିଏ ପରି ନାଚି ଉଠିବ । କିନ୍ତୁ ସେ ତାର ଖୁସିକୁ ଠିକ ଭାବେ ପ୍ରକାଶ କରି ପାରୁ ନଥିଲା । ତାକୁ ଦେଖିଲା ପରେ ମୁଁ କିନ୍ତୁ ମନେପକାଇ ପାରୁନଥିଲି ସେଇ ଅନ୍ତରା ଟିକୁ, କେଉଁ କବିତାର ଧାଡିଟିଏ ସିଏ ? ଜଣା ସଂଗୀତଟିଏ ପରି ଲାଗୁଛି, ତାର ସୁର ମଧ୍ୟ ଝାପ୍ସା ଝାପ୍ସା ମନେ ପଡୁଛି, ହେଲେ ଗୀତଟିର ଶବ୍ଦସବୁ ମନେ ପଡୁନି ।
ଆଖିରେ ମୋର ଅଚିହ୍ନା ଅଚିହ୍ନା ସନ୍ଦେହ ତା ହସ ହସ ଚାନ୍ଦ ପରି ମୁହଁଟି ଉପରେ ଧୀରେ ଧୀରେ ହାଲକା ବାଦଲର ଛାଇ ଢାଙ୍କି ଆଣୁଥିଲା । ବର୍ଷିବାକୁ ଥିବା ମେଘ ପରି ସେ ଧୀରେ ଧୀରେ ପରି ଗୁମ ମାରି ଆସୁଥିଲା । ନୀରବତା ଭାଙ୍ଗି, ମୁଁ ଯେତେବେଳେ ତା ଆଡକୁ ଅନାଇ କହିଲି, ‘ଚିହ୍ନି ପାରିଲିନି’ ! ଝିଅଟି ହଠାତ୍ ତଳକୁ ମୁଁହ ପୋତିଦେଇ, ତାର ପାଦର କମ୍ପାସରେ ଭୂଇଁରେ ବୃତ୍ତ ଆଙ୍କୁଥିଲା । ପୁଣି ପଚାରିଲି, ଆପଣଙ୍କର ନାଆଟି କଣ ଜାଣି ପାରେକି ? ସେ ସେମିତି ତଳକୁ ମୁଁହ ପୋତି ବୃତ୍ତର ପରିଧୀ ଉପରେ ପାଦର ବୁଢା ଆଙ୍ଗୁଠି ବୁଲଉ ବୁଲଉ ଚାପା ସ୍ୱରରେ କହିଲା ‘ମିତା’ । ସତେବା ବିଣାର ତାରରେ ଅଜାଣତରେ କାହାର ହାତ ବାଜିଗଲା । ସେ ପୁଣି କହିଲା, ‘ଦୁଇବର୍ଷ ପୂର୍ବରୁ ମୁଁ ଢେଙ୍କାନାଳ କଲେଜରେ ପ୍ଲସ ଟୁ ପଢୁଥିଲି, ସେଇଠି ଆପଣଙ୍କୁ ପ୍ରାୟ ସବୁଦିନ କଲେଜ ଯିବା ଆସିବା ରାସ୍ତାରେ ଦେଖୁଥିଲି । ଆପଣଙ୍କ ନାଆଁ ଜାଣିନଥିଲେ ବି, ଆପଣଙ୍କୁ ଭଲଭାବେ ଚିହ୍ନି ନଥିଲେ ବି, କାହିଁକି କେଜାଣି ମନେ ହେଉଥିଲା ଆପଣ ମୋର ବହୁତ ଚିହ୍ନାଜଣା । ଖୁବ୍ ଚିହ୍ନା ଚିହ୍ନା ଲାଗନ୍ତି ଆପଣ, ଖୁବ୍ ଘନିଷ୍ଟ ଏବଂ ଖୁବ୍ ଆପଣାର ଆପଣାର ଲାଗୁଥିଲେ । ମୁଁ ଏବେ ଆର୍ ଡି ରେ ବି.ଏ ଫାଇନାଲ ଇଅର ପଢୁଛି, ବାପାଙ୍କ ଟ୍ରାନ୍ସଫର ସେକ୍ରେଟିଏଟକୁ ହୋଇଗଲା ପରେ ଆମେ ସବୁ ଭୂବନେଶ୍ୱର ସିଫ୍ଟ ହୋଇ ଯାଇଥିଲୁ । ବହୁତ ଦିନ ପରେ ଆପଣଙ୍କୁ ଏଇଠି ଦେଖି, ମୁଁ ସବୁ କିଛି ଯେମିତି ଭୁଲିଗଲି ଯେ ଆମେ ପରସ୍ପରକୁ ଚିହ୍ନିନେ, କେହି କାହାର ନାଆ ମଧ୍ୟ ଜାଣିନେ, କେବେ କଥା ହୋଇନେ । ହେଲେ ଆପଣଙ୍କୁ ଦେଖି ମୁଁ ଏମିତି ମନ୍ତ୍ରମୁଗ୍ଧ ସାପଟିଏ ପରି ବିନ୍ ର ସୁରେ ସୁରେ ଆପଣଙ୍କ ପାଖକୁ ଟାଣି ହୋଇଆସିଲି । ସରି, ପ୍ଲିଜ୍ କିଛି ଭାବିବେନି ।
ମୁଁ ବି ବୁଝି ପାରୁନଥିଲି ତାର ଏଇ ଉତ୍ତର ଶୁଣି ମୁଁ କେଉଁ ପ୍ରକାରର ପ୍ରତିକ୍ରୀୟା ଦେଖାଇବି । ମୁଁ ମୁଗ୍ଧ ନୟନରେ ତା ମହଁକୁ ସେମିତି ଚାହିଁ ରହିଥାଏ , ହଠାତ୍ ମୁଁ କିନ୍ତୁ ମନେ ପକାଇ ପାରୁ ନଥିଲି, ଫୁଲ ବଗିଚାର ସେଇ ନିର୍ଦ୍ଦିଷ୍ଟ ଫୁଲଟିକୁ ଯାହାର ମହକ, ଦିନେ ମୋ ମନ ହୃଦୟକୁ ସମ୍ମୋହିତ କରିଦେଇଥିଲା । ଝାପ୍ସା ଝାପ୍ସା ମନେପଡୁଥିଲା, ହଁ, ହଁ, କେତେଥର, କେତେଥର ଦେଖିଛି ତାକୁ ତାର ସାଙ୍ଗମାନଙ୍କ ସହିତ, କଲେଜ ଯିବା, ଆସିବା ବାଟରେ । କେବେ କେମିତି ମୋ ଅଫିସ ସାମ୍ନାରେ । ଟିକେ ପତଳି ଥିଲା ସେତେବେଳେ । ଆଖିରେ ଆଖି ମିଳିନି କେବେ, କାରଣ ମୁଁ ତା ଆଡକୁ ଚାହିଁଲେ ସେ ଲାଜରେ ମୁହଁ ତଳକୁ କରି ନେଉଥିଲା ସବୁବେଳେ । କେବେ ଯଦି ସେ ଏକୁଟିଆ ଥାଏ ଆଉ ସାମ୍ନା ସାମ୍ନି ହୋଇଯାଏ ମୁହଁର ରଙ୍ଗ ତାର ବଦଳି ଯାଉଥିଲା, କେଉଁ ଏକ ଅଜଣା ସରମରେ ଲାଲ ହୋଇ ଯାଉଥିଲା ତାର ସଜ ଫୁଟା ଗୋଲାପ ପରି ମୁହଁଟା ।
କିନ୍ତୁ ପ୍ରାୟ ଦୁଇବର୍ଷ ପରେ ହଠାତ୍ ଏକ ନୁଆ ଜାଗାରେ, ନୁଆ ରୂପରେ ପୁଣି ନୂଆ ଭାବରେ ଦେଖା ହୋଇ ଯିବାଟା ସତେ ଯେପରି ଡେଷ୍ଟିନି ଥିଲା । ବିଧିର ବିଧାନ ବିଚିତ୍ର, ହୁଏତ ପ୍ରେମ ଏଇମିତି ଅକସ୍ମାତ ହୁଏ, ବିନା କିଛି ପ୍ଲାନିଙ୍ଗ, ବିନା କିଛି ଉପକ୍ରମଣିକା । ଏତେସବୁ ଘଟିଯିବା ପରେ ମୁଁ ନିର୍ବାକ ହୋଇ ଯାଇଥିଲି । ମୋର ଭାବନା, ମୋର ଶବ୍ଦ ମୋର ଶରୀର ସବୁ ଯେପରି ପ୍ରତିକ୍ରୀୟାଶୂନ୍ୟ ହୋଇଯାଇଥିଲେ, ମୁଁ ସ୍ଥାଣୁ ପାଲଟି ଯାଇଥିଲି । ହୃଦୟ ଭିତରେ ଥିବା ପ୍ରଣୟର କଢଟି ବସନ୍ତର ମଳୟ ପବନର ପହିଲି ସ୍ପର୍ଶରେ ସତେ ଯେପରି ପାଖୁଡା ମେଲେଇ ଫୁଟିଯିବା ପାଇଁ ବ୍ୟଗ୍ର ହୋଇଉଠୁଥିଲା । ହେଲେ ଡରି ଯାଉଥିଲା ଫୁଲ ଫୁଟିଟିଏ ଗଲାପରେ ମଉଳିବାର ସମ୍ଭାବନା ବଢିଯାଏ । ଫୁଲ ସେ ପର୍ଯ୍ୟନ୍ତ ସୁରକ୍ଷିତ ରହେ ଯେ ପର୍ଯ୍ୟନ୍ତ କଢ ଭାବରେ ଅଛି । ଥରେ ଫୁଟିଗଲା ପରେ ମଉଳିଯିବା ପ୍ରକ୍ରୀୟାକୁ କିଏ ଅଟକେଇ ଦେଇ ପାରିବ ? ହେଲେ ମଉଳିଯିବା ଡରରେ କଢ କଣ ଫୁଲହୋଇ ଫୁଟିବନି ? ଫୁଲତ ଫୁଟିବ ନିଶ୍ଚୟ, କିନ୍ତୁ ସୁରକ୍ଷିତ ମାଳି ହାତରେ ରହିଲେ ମନ୍ଦିରରେ ପହଞ୍ଚି ଯାଇ ପାରିବ, ନହେଲେ … । ମନ ଭିତରର କୁହୁଳା ନିଆଁକୁ ମିତା ସତେ ଯେପରି ଫୁଙ୍କ ମାରିଦେଇ ପୁଣି ଜଳାଇ ଦେଇଛି ।
ତାକୁ ମୁଁ କଣ କହିବି, କେମିତି କହିବି, କେମିତି ବୁଝେଇ ଦେବି ଯେ ତା’ପରି ମୋର ମଧ୍ୟ ସେଇ ସମଦଶା । ମୁଁ ତାକୁ ବହୁତ ଦିନ ଧରି ଅପେକ୍ଷା କରିଥିଲି, ପ୍ରତିଦିନ କଲେଜ ସମୟରେ ରାସ୍ତାର ସେଇ ନିର୍ଦ୍ଦିଷ୍ଟ ଜାଗାରେ ଠିଆ ହୋଇ ତାର ଆସିବା ବାଟରେ ତା ଆସିବା ପାଇଁ ଅପେକ୍ଷା କରୁଥିଲି । ମନେ ମନେ ବହୁତ୍ ଖୋଜୁଥିଲି ତାକୁ, ବହୁତ ମିସ୍ କରୁଥିଲି ତାର ସେ କମନୀୟ ମୁହଁଟିକୁ । ହେଲେ ଭାବନା ସବୁ ମୋର ଅଡୁଆ ସୁତା ପରି ଅଡୁଆ ତଡୁଆ ହୋଇ ଯାଉଥିଲେ, ଶବ୍ଦମାନେ ବାଟବଣା ହୋଇ ଯାଉଥିଲେ । ମୁଁ ତାକୁ କହିବାକୁ ଥିବା ମୋର ଶବ୍ଦମାନଙ୍କୁ କ୍ରମନ୍ୱୟରେ ଠିକ୍ ଭାବରେ ଗୋଟିଏ ସୁତାରେ ଗୁନ୍ଥି ପାରୁ ନଥିଲି । ମୁଁ ମୋର ଭାବନାକୁ ମୋ ଓଠ ପର୍ଯ୍ୟନ୍ତ ଆଣିପାରୁ ନଥିଲି ।
ହଠାତ୍ ଗୋଟିଏ ଟାଉନ୍ ବସ୍ ଆସିଗଲା, ସେଇଟା ତାରି ଘର ଆଡକୁ ଥିବା ରୁଟ୍ ରେ ଯିବ, ଏଥର କିନ୍ତୁ ବସଟି ପ୍ରାୟ ଫାଙ୍କା, ତର ତର ହୋଇ ସେ ବସ୍ ଉପରକୁ ଉଠି ଯାଉଥିବା ବେଳେ ବାରମ୍ବାର ମୁହଁ ମୋଡି ମୋତେ ଦେଖୁଥିଲା, ସତେବା ମୋତେ କିଛି ପଚାରୁଥିଲା । ମୁଁ କିନ୍ତୁ ସ୍ଥାଣୁ ପାଲଟି ଯାଇଥିଲି, ସାଇଡ୍ ସିଟରେ ବସିବା ପରେ ମୋତେ ଦେଖି ବାୟ କହି ହାତ ହଲାଇବା ଭିତରେ ଯେପରି ମୋର ମୋହଭଙ୍ଗ ହେଲା, ଅଜାଣତରେ ମୋ ପାଟିରୁ ବାହାରି ପଡିଲା, ମିତା ଆଇ ମିସ୍ ୟୁ, ପୁଣି କେବେ ଦେଖା ହେବ ? ବହୁତ୍ କିଛି କହିବାକୁ ଥିଲା ।
ଝାଉଁଳି ଯାଇଥିବା ମୁଁହରେ ତାର ଫୁଟି ଉଠିଲା ହସର ପତଳା ରେଖାଟିଏ, ସେଇ ହସ ହସ ମୁଁହରେ କହି ପକାଇଲା କାଲି, ଏଇଠି, ଏଇ ସମୟରେ । ବସ୍ ତାର ଗଡି ଚାଲିଲା ଆଗକୁ, ଅପଲକ ଆଖିରେ ମୁଁ ଚାହିଁ ରହିଥିଲି, ବସ୍ ଟି ଧିରେ ଧିରେ ମୋ ଆଖିର ପରିଧୀରୁ ବାହାରି ଯାଉଥିଲା ।