ସକାଳ ଛଅଟା । ହଠାତ୍ ବାଣ ଓ ବ୍ୟାଣ୍ଡ୍ ପାର୍ଟିର ଶବ୍ଦ ଶୁଣି ରାଜେଶ ଆଉ ଶୋଇ ପାରିଲା ନାହିଁ । ଭାବିଲା କ’ଣ ହେଇଥିବ ? କିଛି ଚିନ୍ତା କରି ପାରିଲା ନାହିଁ । ଶେଷରେ କଥା କ’ଣ ଭାବି ବାହାରକୁ ବାହାରି ଗଲା ।
ଘର ଆଗରେ ଥିବା ଖୋଲା ସ୍ଥାନର ଦୃଶ୍ୟକୁ ଦେଖି ରାଜେଶର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସାମିଆନା ଲଗାଯାଇଛି । ଗାଲିଚା ପଡ଼ିଛି । ଚା ଆଇସ୍କ୍ରିମ୍ ଓ ମିଷ୍ଟାନ୍ନର ଷ୍ଟଲ୍ ଲାଗିଛି । ଯାହାର ଯାହା ଦରକାର ଖାଉଛନ୍ତି । ଡିଜେରେ ହିନ୍ଦୀଗୀତ “ତୁ ଚିଜ୍ ବଡ଼ି ହେ ମସ୍ତ ! ମସ୍ତ !” ବାଜୁଛି । ବ୍ୟାଣ୍ଡ୍ ପାର୍ଟି ମଧ୍ୟ ବାଜୁଛି । ପଡ଼ାର ସାଙ୍ଗ ଓ ପଢ଼ାସାଙ୍ଗ ସମସ୍ତେ ନାଚୁଛନ୍ତି । ସେମାନଙ୍କ ମଧ୍ୟରେ ପରିବାରର ସମସ୍ତ ସଦସ୍ୟ ମଧ୍ୟ ନାଚୁଛନ୍ତି । ଖୁସି ମାନୁଛନ୍ତି । ସେଭଳି ଏକ ଭବ୍ୟ ଆୟୋଜନ ଦେଖି ରାଜେଶକୁ ଅଡୁଆ ଲାଗିଲା ।
ରାଜେଶକୁ ବାହାର ଆସିବାର ଦେଖି ତା’ ବାପା ରାଜେନ୍ଦ୍ରବାବୁ ଓ ମା’ ଯଶୋବନ୍ତୀ ତା’ ଆଡ଼କୁ ଧାଇଁଗଲେ । ବାପା ତା’ ବେକରେ ସୁଗନ୍ଧିତ ଫୁଲମାଳ ପିନ୍ଧାଇ ସ୍ୱାଗତ କଲେ । ମାଆ ଆରତି ଉତାରିଲେ । ସିନ୍ଦୁର ଓ ଚାଉଳ ଚଢ଼ାଇଲେ । ମିଷ୍ଟାନ୍ନ ଖୁଆଇଲେ । ସାଙ୍ଗମାନେ ମୋବାଇଲ୍ରେ ଫଟୋ ଉଠାଉଥାନ୍ତି । ଜଣେ ଭିଡ଼ିଓ କ୍ୟାମେରାରେ ଫଟୋ ସୁଟିଂ କରୁଥାଏ । ଇତ୍ୟାଦି ଇତ୍ୟାଦି । ରାଜେଶ ଏସବୁ ବୁଝିପାରୁ ନ ଥାଏ । ସେ ତ ସଦ୍ୟ ପ୍ରକାଶିତ ଦଶମର ବୋର୍ଡ ପରୀକ୍ଷାରେ ଚାରୋଟି ବିଷୟରେ ଫେଲ୍ ହୋଇଛି । ତା’ହେଲେ ଏ କ’ଣ ?
ଏହା ଭିତରେ ରାଜେଶର ବାପା ରାଜେନ୍ଦ୍ର ବାବୁ ମାଇକ୍ରୋଫୋନ୍ ଧରି ଘୋଷଣା କଲେ, “ମୋ ପୁଅ ରାଜେଶ ତା’ ଶ୍ରେଣୀର ସବୁଠୁ ମେଧାବୀ ଛାତ୍ର । ସେ ସବୁବେଳେ ୯୮ ପ୍ରତିଶତ ନମ୍ୱର ରଖେ । ହେଲେ, ଚଳିତ ଦଶମ ବୋର୍ଡରେ ଚାରୋଟି ବିଷୟରେ ଫେଲ୍ ହୋଇ ୨୨ ପ୍ରତିଶତ ନମ୍ୱର ରଖିଛି । ସେଥିପାଇଁ ମୁଁ ଖୁବ୍ ଗର୍ବିତ । ତା’ ବିଫଳତା ପାଇଁ ତାକୁ ଅଭିନନ୍ଦନ କରୁଛି ।”
ରାଜେଶ ଖୁବ୍ ଭଲ ପିଲା । ଗୁଣୀ ଓ ଜ୍ଞାନୀ । କାଳେ ତା’ ବିଫଳତା ପାଇଁ ନିରାଶ ହୋଇ କିଛି ଦୁଃଖାନ୍ତକ ପଦକ୍ଷେପ ନେଇଯିବ ସେ କଥାକୁ ଚିନ୍ତା କରି ସେ ସେଭଳି ଅଭିନନ୍ଦନ ଉତ୍ସବ କରାଇଛନ୍ତି । କଥା ସେ ବୁଝିଗଲା ।
ଏହାର ସୁପ୍ରଭାବ ପଡ଼ିଲା । ରାଜେଶ ମନ ଦେଇ ପଢ଼ିଲା । ଦିନକୁ ୨୦ ଘଣ୍ଟା ପରିଶ୍ରମ କଲା । ଶ୍ରେଣୀର ପ୍ରଥମ ପିଲା ଜାତୀୟସ୍ତରରେ ପ୍ରଥମ ହେଲା । ସତରେ ! ବିଫଳତା ତା’ ବ୍ୟକ୍ତିତ୍ୱ ଓ ଜ୍ଞାନର ମାପକାଠି ନ ଥିଲା । ବାଃ ! ରାଜେଶ !