ଦ୍ୱିତୀୟ ଶ୍ରେଣୀର ଅର୍ଜୁନ ଆସି ପାଖ ଶ୍ରେଣୀରେ ପାଠ ପଢ଼ାଉଥିବା ଗୁରୁଜୀଙ୍କୁ କହିଲା, “ଆଜ୍ଞା ! ମୋ ପେନ୍ କିଏ ନେଇଗଲା ? ପାଉନି । ଘରକୁ ଯିବି କି ? ବାପାଙ୍କଠାରୁ ପେନ୍ଟିଏ ଆଣିବି ।”
ଅର୍ଜୁନ ସବୁଦିନ ପେନ୍ ହଜାଏ । ଘରଟି ପାଖରେ ଥିବାରୁ ଘରକୁ ଯାଇ ଧରି ଆସେ । ଗୁରୁଜୀ ବିରକ୍ତ ହେଲେ । ଅନୁସନ୍ଧାନ କରିବାକୁ ଅର୍ଜୁନର ଶ୍ରେଣୀ କୋଠରୀକୁ ପଶିଲେ । ଗଲାବେଳେ ସୋମ୍, ଲିପୁନ୍ ଓ ସତ୍ୟମ୍ ଝରକା ପାଖରେ ଠିଆ ହୋଇଥାନ୍ତି । ସୋମ୍ ଆଙ୍ଗୁଠି ଲମ୍ୱାଇ କ’ଣ ଗୋଟାଏ ଦେଖାଉଥାଏ । ଗୁରୁଜୀଙ୍କୁ ଦେଖି ତିନେ ହେଁ ଦୌଡ଼ି ଆସି ନିଜ ନିଜ ଜାଗାରେ ବସିଲେ । କିଛି ନ ଜାଣିଥିଲା ପରି ଅଭିନୟ କଲେ ।
ଗୁରୁଜୀ ତିନିଜଣଙ୍କୁ ଠିଆ କଲେ । ପଚାରିଲେ, “ପିଲାମାନେ ବସି ପାଠ ପଢୁଥିଲା ବେଳେ ତୁମେ ତିନେ ହେଁ ଝରକା ପାଖରେ କ’ଣ କରୁଥିଲ ।” ଲିପୁନ୍ ସଙ୍ଗେ ସଙ୍ଗେ କହିଲା, “ସୋମ୍ ଡାକି ନେଇ ବାହାରେ ଘାସ ଭିତରେ ପେନ୍ଟିଏ ପଡ଼ିଥିବା ଦେଖାଉଥିଲା ।” ସତ୍ୟମ୍ ମଧ୍ୟ ତା’ କଥାରେ ହଁ ଭରିଲା । ସୋମ୍କୁ ପଚାରିବାରୁ କିଛି ନ କହି ଚୁପ୍ ରହିଲା ।
ଗୁରୁଜୀ ଲିପୁନ୍ ଓ ସତ୍ୟମ୍କୁ ବସିବାକୁ କହିଲେ । ସୋମ୍କୁ ପାଖକୁ ଡାକି ପଚାରିଲେ, “ତୁ କେମିତି ଜାଣିଲୁ ବାହାରେ ପେନ୍ଟିଏ ପଡ଼ିଛି ?” ସୋମ୍ ଗୁରୁଜୀଙ୍କ ପ୍ରଶ୍ନରେ କିଛି ନ କହି ଚୁପ୍ଚାପ୍ ଠିଆ ହେଲା । ଗୁରୁଜୀ ପୁଣି ଥରେ ପଚାରିବା ପରେ ମଧ୍ୟ ଲିପୁନ୍ ଓ ସତ୍ୟମ୍ ଆଡ଼କୁ ଦେଖି ତଳକୁ ଚାହିଁ ଠିଆ ହେଲା ।
ଗୁରୁଜୀ ତା’ ଉପରେ ନ ରାଗି ସତକଥା କହିବାକୁ ବୁଝାଇଲେ । କିଛି ନ କରିବାକୁ ପ୍ରତିଶ୍ରୁତି ଦେଲେ । ଅଭୟ ପାଇବା ପରେ ସୋମ୍ କହିଲା, “ଗୁରୁଜୀ ! ମୁଁ ଜାଣି ଜାଣି ଫୋପାଡ଼ି ଦେଇଥିଲି । ପରେ ଘରକୁ ନେଇଥାନ୍ତି । ଯାଉଛି ଆଣିଦେବି ।” ସୋମ୍ ବାହାରକୁ ଗଲା ।
ସୋମ୍ ପେନ୍ଟା ଆଣି ଗୁରୁଜୀଙ୍କୁ ଦେଲା । ଗୁରୁଜୀ କହିଲେ, “ଦେଖିଲ ପିଲାଏ ! ସୋମ୍ ଜଣେ ଭଲ ପିଲା । ସତକଥା କହିଲା । ତାକୁ ସମସ୍ତଙ୍କ ତରଫ୍ରୁ ଧନ୍ୟବାଦ ।” ଗୁରୁଜୀ ନିଜେ ତାଳି ମାରିଲେ । ପିଲାମାନେ ତାଙ୍କୁ ଦେଖି ଅନୁକରଣ କଲେ ।
ସୋମ୍ ମଧ୍ୟ ତାଳି ମାରିଲା । ସମସ୍ତଙ୍କ ତାଳି ବନ୍ଦ ହେଲା ପରେ ସୋମ୍ ଛିଡ଼ା ହୋଇ କହିଲା, “ଗୁରୁଜୀ ! ମୁଁ ଆଉ କେବେ ବି କାହା ଜିନିଷ ଲୋଭ କରିବି ନାହିଁ ।” ଗୁରୁଜୀ ତା’ ପିଠି ଥାପୁଡ଼ାଇ ଆଶୀର୍ବାଦ କଲେ । ସୋମ୍ ସତରେ ବଦଳିଗଲା । ଭଲ ପଢ଼ିଲା ।