ଶାସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ଆମେରିକାର ହାତ ଥିବା ଆରୋପ ନିରାଧାର ପ୍ରମାଣିତ ହେବା ପରେ ସୋଭିଏତ ସଙ୍ଘର ଏ ଘଟଣାରେ ସଂପୃକ୍ତିକୁ ନେଇ ଗଢ଼ିଉଠିଥିବା ‘ଷଡ଼ଯନ୍ତ୍ର ମତବାଦ’ର ପର୍ଯ୍ୟାଲୋଚନା କରାଯିବା ଜରୁରୀ । ପ୍ରଥମତଃ ଏଭଳି ବିଚାର ଘୃଣ୍ୟ ମନେହୁଏ । ଭାରତର ପାରମ୍ପରିକ ବନ୍ଧୁ ତଥା ସବୁଠାରୁ ବିଶ୍ୱସନୀୟ ସହଯୋଗୀ ଭାବେ ପରିଗଣିତ ହେଇଆସିଥିବା ସୋଭିଏତ ସଙ୍ଘ ଭଳି ରାଷ୍ଟ୍ର ବିରୁଦ୍ଧରେ ଏପରି କଳ୍ପନା କିଏ କରିପାରିବ? ଯଦି ଆମେରିକୀୟମାନଙ୍କ ଶାସ୍ତ୍ରୀଙ୍କୁ ହଟାଇବାର କୌଣସି କାରଣ ନଥିଲା ତା’ହେଲେ ସେହିଦିନମାନଙ୍କରେ ସବୁଠୁ ସୌହାର୍ଦ୍ଧପୂର୍ଣ୍ଣ ସଂପର୍କ ଥିବା ସୋଭିଏତମାନେ ଏମିତି କରିବା ପଛରେ କ’ଣ କାରଣ ଥାଇପାରେ? ଏକଥା ସତ୍ୟ ଯେ ସୋଭିଏତ ରୁଷ ଏକ ଏକଛତ୍ରବାଦୀ ରାଷ୍ଟ୍ର କିନ୍ତୁ କେଉଁ ଶାସନ ପ୍ରଣାଳୀ ଭାରତ ଭଳି ବୃହତ୍ ଓ ଗୁରୁତ୍ୱପୂର୍ଣ୍ଣ ମିତ୍ର ରାଷ୍ଟ୍ରର ଶାସକମୁଖ୍ୟଙ୍କୁ ହତ୍ୟା କରିବାକୁ ଚାହିଁବେ? ନିଜ ଦେଶରେ ଏକ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ, ଆପଣା ମୁତାବକ ସମାପନର ତୁରନ୍ତ ପରେପରେ, ଏଭଳି ଜଘନ୍ୟ ଅପରାଧ ଘଟାଇବାରେ ସୋଭିଏତ ରାଷ୍ଟ୍ରକୁ କିଭଳି ଲାଭ ମିଳିଥାଆନ୍ତା?
ସତ୍ୟ ଯେ, ଶାସ୍ତ୍ରୀଜୀ ରହସ୍ୟଜନକ ଭାବେ ସୋଭିଏତ ରୁଷରେ ମୃତ୍ୟୁ ବରଣ କରିଥିଲେ ଓ ଏହି ଘଟଣା ସନ୍ଦେହ ଓ ଆଶଙ୍କାକୁ ଜନ୍ମ ଦେଇଥିଲା । ପରବର୍ତ୍ତୀ ଘଟଣାକ୍ରମ ଆମେ ଛାଡ଼ି ଆସିଥିବା ଅଧ୍ୟାୟ ତିନି ଓ ଚାରିର ବର୍ଣ୍ଣନାରୁ ଆଗକୁ ବଢ଼ିବା । ଶାସ୍ତ୍ରୀଙ୍କ ଲିଖିତ ଏକ ନକଲି ଚିଠିରୁ ଓ ସୋଭିଏତ ରୁଷ ସହିତ ସଂପୃକ୍ତିକୁ ନେଇ ଦୁଇଟି ପ୍ରମୁଖ ପତ୍ରିକାଙ୍କ ମଧ୍ୟରେ ବାକ୍ୟୁଦ୍ଧ ଲାଗିରହିଲା । ‘ମାର୍ଚ୍ଚ ଅଫ ଦ ନେସନ’ ଓ ‘କରେଣ୍ଟ’ରେ ଆରମ୍ଭ ହୋଇଥିବା ଏ ବିତର୍କ ପରବର୍ତ୍ତୀ ସମୟରେ ଦ୍ୟୟାଭାଇ ପଟେଲଙ୍କ ୧୯୭୦ରେ ପ୍ରକାଶିତ ଏକ ପୁସ୍ତିକା ‘ କ’ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା’ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପୁସ୍ତିକାରେ କେଉଁଠି ବି ତଥା ନିଜ ସାର୍ବଜନୀନ ଜୀବନରେ ମଧ୍ୟ (ପିତାଙ୍କ ନିର୍ଦ୍ଧେଶକୁ ସମ୍ମାନ ଜଣାଇ) ନିଜକୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ପୁତ୍ର ବୋଲି ଚିହ୍ନା ଦେଇନଥିଲେ/ଦେଉନଥିଲେ ଦ୍ୟୟାଭାଇ ପଟେଲ ।
ଶାସ୍ତ୍ରୀଙ୍କ ମୃତ୍ୟୁରେ, ସୋଭିଏତ ସଙ୍ଘର ଗଭୀର ସଂପୃକ୍ତି ଅଛି ବୋଲି ଦ୍ୟୟାଭାଇ ପଟେଲ କେବଳ ସନ୍ଦେହ କରୁନଥିଲେ ବରଂ ସର୍ବସମ୍ମୁଖରେ ନିଜ ଆଶଙ୍କାକୁ ବ୍ୟକ୍ତ ମଧ୍ୟ କରିଥିଲେ । ସେ କଡ଼ା ଭାଷାରେ ନିଜ ପୁସ୍ତିକାରେ ଲେଖିଥିଲେ ଶାସ୍ତ୍ରୀଙ୍କ ତଥାକଥିତ ନକଲି ଚିଠି ‘ବ୍ଳିଜ୍’ରେ ପ୍ରକାଶିତ ହେବାରେ ଯଦି ଆମେ ଏହି ନିଷ୍କର୍ଷରେ ପହଞ୍ଚିବା ଯେ ରୁଷୀୟମାନେ ହିଁ ଶାସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ତା’ହେଲେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ‘କାହିଁକି ?’ । ଏବେ ଆମେ ଜାଣୁ ଯେ କେଜିବି ନୁହେଁ ବରଂ ସିଆଇଏ ଚିଠିର ଜାଲିଆତି କରିଥିଲା । ୱାଲଟର ମ୍ୟାଇନ୍ଟୋସ୍ ନାମକ ଜଣେ ସିଆଇଏ କର୍ମକର୍ତ୍ତା ଏହି ଜାଲ ଚିଠିଟିକୁ ପ୍ରସ୍ତୁତ କରିଥିଲେ । କିନ୍ତୁ ୱାଲଟର ନିଜ କୃତକର୍ମର ସ୍ୱୀକାରୋକ୍ତିର ଅନେକ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୭୩ରେ ପଟେଲ ଇହଧାମ ପରିତ୍ୟାଗ କରିସାରିଥିଲେ । କିନ୍ତୁ ଯଦି ବି ଜୀବିତ ଥାଆନ୍ତେ, ପଟେଲ କେବେ ବି ‘ସ୍ୱୀକାରୋକ୍ତି’କୁ ଗ୍ରହଣ କରିନଥାନ୍ତେ ଓ ନିଜ ଯୁକ୍ତିରେ ଅଟଳ ରହିଥାଆନ୍ତେ । ଏମିତିକି ମ୍ୟାଇନ୍ଟୋସ୍ ସ୍ୱୟଂ ମାନିଥିଲେ ଯେ ହୁଏତ ତାଙ୍କ କର୍ତ୍ତୃପକ୍ଷ ଅଜ୍ଞାନବଶତଃ ଶାସ୍ତ୍ରୀଜୀଙ୍କ ହତ୍ୟା ସକାଶେ କେଜିବିର ଉଦ୍ଧେଶ୍ୟକୁ ଚରିତାର୍ଥ କରିବାରେ ପରୋକ୍ଷ ଭାବେ ଭୂମିକା ନିର୍ବାହ କରିଥିଲେ । ଦ୍ୟୟାଭାଇ ପଟେଲଙ୍କ ଅନୁସାରେ ତାସକନ୍ଦ ଶିଖର ବୈଠକର ଅନ୍ତରାଳେ ନିହିତ କିଛି ମହତ୍ତ୍ଵାକାଂକ୍ଷା ହିଁ ‘ଶାସ୍ତ୍ରୀଜୀଙ୍କ ହତ୍ୟା’ର ପର୍ଯ୍ୟାପ୍ତ କାରଣ ଥିଲା । ସୋଭିଏତ ସରକାରଙ୍କ ଏକ ନିର୍ଦ୍ଧିଷ୍ଟ ବିଭାଗ ନିକଟରେ କିଛି ବିଶେଷ କାରଣ ମହଜୁଦ୍ ଥିଲା ଯାହା ଅନ୍ୟ ସମସ୍ତ ପ୍ରୟୋଜନଠାରୁ ଅଧିକ ଗୁରୁତ୍ୱ ବହନ କରୁଥିଲା । ତାସକନ୍ଦ ଶିଖର ବୈଠକର ପ୍ରାକ୍ ପ୍ରସ୍ତୁତି ଦୀର୍ଘଦିନ ଚାଲିଥିଲା ଓ ଏହି ସମୟରେ ପଟେଲ ଲେଖିଥିଲେ “ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥିର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପ୍ରଧାନମନ୍ତ୍ରୀ କୋଶିଗିନ୍ ଅତ୍ୟନ୍ତ ଆତୁର ଅଛନ୍ତି ବୋଲି ଜଳଜଳ ଦିଶୁଛି । ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ବୁଝାମଣା ସ୍ଥାପନା କରିବାରେ ଯେଉଁଠି ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାର ସକଳ ପ୍ରୟାସ ନିଷ୍ପଳ ହେଲା ସେଇଠି କୋଶିଗିନ୍ ସଫଳ ହେବାକୁ ଚାହାଁନ୍ତି” ।
ଦ୍ୟୟାଭାଇ ଦୃଢ଼ତାର ସହ ଲେଖିଥିଲେ, “ସମସ୍ତେ ଜାଣନ୍ତି ଯେ ତାସକନ୍ଦ ଶିଖର ବୈଠକ ଆରମ୍ଭ ପରେ ମଧ୍ୟ ଭାରତ ଓ ପାକିସ୍ତାନ ପରସ୍ପରକୁ ସନ୍ଦେହପୂର୍ଣ୍ଣ ନଜରରେ ଦେଖୁଥିଲେ ଓ ଉଭୟ ପକ୍ଷର ନେତୃବୃନ୍ଦ ଦୀର୍ଘ ଦିନ ପର୍ଯ୍ୟନ୍ତ ତର୍କ ଆଲୋଚନା ଚଳାଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷରେ ଉପନୀତ ହୋଇପାରିନଥିଲେ ବା ପ୍ରତୀତ ହେଉଥିଲା ଯେମିତି ସେମାନେ ଏକ ଅଚଳବସ୍ଥାରେ ପହଞ୍ଚିଥିଲେ । ଶେଷ ମୁହୂର୍ତ୍ତରେ କୋଶିଗିନ୍ଙ୍କ ହସ୍ତପେକ୍ଷ ଯୋଗୁଁ ଉଭୟ ପକ୍ଷ ରାଜିନାମାରେ ସ୍ୱାକ୍ଷର କରିବାକୁ ରାଜି ହୋଇଥିଲେ । ନିଜ ମତକୁ ପ୍ରତିପାଦିତ କରିବା ଉଦ୍ଧେଶ୍ୟରେ ଦ୍ୟୟାଭାଇ ‘ବ୍ଳିଜ୍’ ପତ୍ରିକାର ବିବରଣୀରୁ ବାକ୍ୟୋଦ୍ଧାର ମଧ୍ୟ କରିଥିଲେ । ତାସକନ୍ଦ ଶିଖର ବୈଠକର ସମସ୍ତ ବିବରଣୀ ଲଗାତାର ପରିବେଷଣ କରିଚାଲିଥିବା ଏହି ସୋଭିଏତ ସପକ୍ଷବାଦୀ ପତ୍ରିକାଟି ଏହି ସମ୍ମଳନୀରେ ସୋଭିଏତ ସଙ୍ଘର ବୃହତ୍ ସ୍ୱାର୍ଥ ବିଷୟରେ ବେଶ୍ ଖୋଲା ବକ୍ତବ୍ୟ ରଖିଥିଲା । ତାସକନ୍ଦ ସଂପର୍କିତ ରିପୋର୍ଟରେ ବ୍ଳିଜ୍ ସୋଭିଏତ ସଙ୍ଘର ଉପଲବ୍ଧିର ବହୁତ ପ୍ରଶଂସା କରିଥିଲା । ଭାରତ ଓ ପାକିସ୍ତାନକୁ ଏକତ୍ର କରିବାର ପ୍ରୟାସରେ ଯେଉଁଠି ଆମେରିକା ଓ ବିଟ୍ରେନ ବିଫଳ ହୋଇଥିଲେ ସେଇଠି ସୋଭିଏତ ସଙ୍ଘ ଜିତାପଟ୍ ହାସଲ କରିଥିଲା । ନିଜର ଏକ ବିବରଣରେ ବ୍ଳିଜ୍ କୋଶିଗିନ୍ଙ୍କୁ ଜଣେ ପ୍ରମୁଖ ବିଶ୍ୱନେତା ଭାବେ ଅଭିହିତ ମଧ୍ୟ କରିଥିଲା । ବ୍ଳିଜ ଲେଖିଥିଲା, “ବିଚକ୍ଷଣ କୁଟନୀତି ପ୍ରୟୋଗ କରି ଆପଣ ଯେଉଁ କାର୍ଯ୍ୟ ହାସଲ କଲେ ତାହା ଆପଣଙ୍କୁ ବିଶ୍ୱଦରବାରରେ ଜଣେ ଆଗଧାଡ଼ିର ବିଶ୍ୱନେତା ଭାବେ ପ୍ରତିଷ୍ଠିତ କରାଇପାରିଛି । ଆପଣଙ୍କୁ ଯେତେ ସମ୍ବର୍ଦ୍ଧନା ପୂର୍ବକ ସମ୍ମାନ ଅର୍ପଣ କଲେ ମଧ୍ୟ କମ୍ ହେବ ।”
ସଂକ୍ଷେପରେ ପଟେଲ କହିଥିଲେ, ତାସକନ୍ଦ ଶିଖର ବୈଠକ ଉଭୟ କୋଶିଗିନ୍ ଓ ସୋଭିଏତ ସଙ୍ଘ ପାଇଁ ମର୍ଯ୍ୟାଦାର ପ୍ରସଙ୍ଗ ହେବା ସହିତ ଓ ଅନେକ ରାଷ୍ଟ୍ରୀୟ ସ୍ୱାର୍ଥ ସମ୍ବନ୍ଧିତ ଗୁରୁତ୍ୱ ବହନ କରୁଥିଲା । “ଯଦି ତାସକନ୍ଦ ବୈଠକ ସଫଳ ହୁଏ, ସୋଭିଏତ ରାଷ୍ଟ୍ର ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ମଧ୍ୟସ୍ଥି ଭାବେ ସ୍ୱୀକୃତି ଅର୍ଜନ କରିବ । ଆଉ ଯଦି ଏହି ସମ୍ମିଲନୀ ଅସଫଳ ହୁଏ, ଉଭୟ ସୋଭିଏତ ରାଷ୍ଟ୍ର ଓ କୋଶିଗିନ୍ ପଶ୍ଚିମ ଶକ୍ତିଙ୍କଠୁ ଅନେକ ତାତ୍ସଲ୍ୟର ସମ୍ମୁଖୀନ ହେବେ । ସେମାନେ କଟାକ୍ଷ କରିପାରନ୍ତି ଯେ, ଅହଂକାରୀ ସୋଭିଏତ ଏଭଳି ଏକ କୁଟନୈତିକ ପ୍ରସଙ୍ଗରେ ମୁଣ୍ଡ ଖେଳାଇଲେ ଯାହା ସକାଶେ ସେମାନଙ୍କର ନା ଅଛି ଅନୁଭବ ନା ନିପୁଣତା ଓ ପରିଶେଷରେ ସର୍ବସମ୍ମୁଖରେ ନିଜକୁ ନିଜେ ବୋକା ବନେଇଦେଲେ ।” ପଟେଲ ପୁଣି କହିଥିଲେ, ସର୍ବସାଧାରଣରେ ପ୍ରକାଶିତ ଏଭଳି ଅନେକ ଦସ୍ତାବିଜ ଅଛି, ଯାହା ପ୍ରମାଣିତ କରେ, ଶାସ୍ତ୍ରୀଜୀଙ୍କୁ, “ଘୋଷଣାନାମାରେ ସ୍ୱାକ୍ଷର କରିବା ପାଇଁ କୋଶିଗିନ୍ ଏକରକମ ବାଧ୍ୟ କରିଥିଲେ”, ଓ ଶାସ୍ତ୍ରୀ “କୋଶିଗିନ୍ଙ୍କ ଚାପ ଆଗରେ ଝୁଙ୍କି ପଡ଼ିଥିବା ହେତୁ ଅତ୍ୟନ୍ତ ଚିନ୍ତିତ ଥିଲେ ଓ ଅସ୍ଥିରବୋଧ କରୁଥିଲେ” ।
“ତାସକନ୍ଦ ସମ୍ମେଳନର ପ୍ରସ୍ତୁତି ସମୟରେ ମଧ୍ୟ ସ୍ପଷ୍ଟ ଥିଲା ଯେ ଭାରତୀୟ ଜନତା ଓ ନେତୃବୃନ୍ଦ କେବେ ହେଁ ପାକିସ୍ତାନ ସହିତ କୌଣସି ବୁଝାମଣା ସପକ୍ଷରେ ମତ ଦେବେ ନାହିଁ ଓ ଏହା ପୂର୍ବନୁମାନ କରିବା ପାଇଁ ବିଶେଷ ରାଜନୈତିକ ସୂକ୍ଷ୍ମ ବୁଦ୍ଧିର ପ୍ରୟୋଜନ ନାହିଁ । ପାକିସ୍ତାନକୁ କିଛି ବି ରିହାତି ବିଶ୍ୱାସଘାତକତା ବୋଲି ଅଭିହିତ କରାଯିବ ଖାସ୍ କରି ଏବେ, ଯେବେ ଦୁଇ ଦେଶ ମଧ୍ୟରେ ସଂଘଠିତ ଯୁଦ୍ଧ ଭାରତ ସପକ୍ଷରେ ନିର୍ଦ୍ଧାରିତ ହୋଇସାରିଛି । କୁଟନୈତିକ ବିଭାଗ ସହିତ ଗଭୀର ସମନ୍ନୟ ରଖୁଥିବା ଭାରତର ସୋଭିଏତ ଖବର ସଂଗ୍ରହକାରୀ ବିଧି ପ୍ରକ୍ରିୟା ଓ ପ୍ରକୃତ ପକ୍ଷେ ଯାହା ସୋଭିଏତ ଦୂତବାସର ଏକ ଔପଚାରିକ ଅଙ୍ଗ, ନିଶ୍ଚିତ ଭାବେ ଜ୍ଞାତଥିବେ ଏଭଳି ସମ୍ମେଳନୀର ବିଚାରକୁ ମଧ୍ୟ ଭାରତରେ ତୀବ୍ର ବିରୋଧ କରାଯିବ । ଏଭଳି ବାତାବରଣରେ, ତାସକନ୍ଦ ଶିଖର ବୈଠକ ସଫଳତାରେ ନିଜ ସ୍ୱାର୍ଥ ସାଧନ ଉଦ୍ଧେଶ୍ୟ ରଖୁଥିବା ତତ୍ତ୍ୱଙ୍କୁ ନିଶ୍ଚୟ ବୋଧ ହେଇଥିବ ଯେ ଯଦି ବି କୋଶିଗିନ୍ଙ୍କ ଚାପରେ ଶାସ୍ତ୍ରୀ ଇସ୍ତାହାରରେ ସ୍ୱାକ୍ଷର କରିଦିଅନ୍ତି, ଭାରତକୁ ଫେରିଯିବା ପରେ ରାଜନୈତିକ ବିରୋଧର ସମ୍ମୁଖୀନ ହୋଇ ସେ ଘୋଷଣାରୁ ଓହରି ଯିବେ ବା କିଛିଟା ସଂଶୋଧନ ସକାଶେ ଆଗ୍ରହ କରିବେ । ଏଭଳି ଘଟଣାକ୍ରମ ନିଶ୍ଚିତ ଭାବେ କୋଶିଗିନ୍ଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବ ଓ ଅନ୍ତର୍ଜାତୀୟ କୁଟନୀତିରେ ତାଙ୍କର ପ୍ରଥମ ପ୍ରବେଶ ବାଧିତ ହେବ ।”
ଏକ ଭୀତିସଂଚାରକାରୀ ସମ୍ଭାବନାର ଉଲ୍ଲେଖ କରି ପଟେଲ ଲେଖନ୍ତି ଯେ, ଗୋଟିଏ ରାସ୍ତା ଅବଶ୍ୟ ଅଛି ଯାହା ଭାରତର ଜନତାଙ୍କୁ , ତାସକନ୍ଦ ଘୋଷଣାନାମା ଗ୍ରହଣ କରିବା ବାଧ୍ୟ କରିବ :
‘ଯଦି ରାଜିନାମାରେ ସ୍ୱାକ୍ଷର କରିସାରିି ଶାସ୍ତ୍ରୀ ମୃତ୍ୟୁବରଣ କରନ୍ତି, ତା’ହେଲେ ତାଙ୍କ ସପକ୍ଷରେ ଭାବାବେଗର ଏପରି ଉଦ୍ବେଳନ ହେବେ ଯାହା କୌଣସି ସମ୍ଭାବିତ ବିରୋଧକୁ ସଫଳତାର ସହ ନିଃଶେଷ କରିଦେବ । ଶାନ୍ତିର ଅନ୍ୱେଷଣ ଓ ପ୍ରୟାସରେ ‘ପ୍ରାଣଦାନ’ ପୂର୍ବରୁ ତାସକନ୍ଦ ରାଜିନାମା ଶାସ୍ତ୍ରୀଙ୍କ ଶେଷ ସରକାରୀ କାର୍ଯ୍ୟ ହେବ ଓ ନିଜ ପ୍ରିୟ ନେତାଙ୍କ ଶହୀଦ ହେବାରେ ମ୍ରିୟମାଣ ଶୋକାକୂଳ ଜନତା ପ୍ରବଳ ଅନୁରକ୍ତିପୂର୍ଣ୍ଣ ଆବେଶର ବଶବର୍ତ୍ତୀ ହୋଇ ସବୁ ବିରୋଧକୁ ଭୁଲି ତାସକନ୍ଦ ରାଜିନାମାକୁ ଗ୍ରହଣ କରିନେବେ । ପୂର୍ବରୁ ପଶ୍ଚିମର ଏକଚାଟିଆ ଆଧିପତ୍ୟ ଥିବା କ୍ଷେତ୍ରରେ ଏହି ଉପଲବ୍ଧି ସୋଭିଏତ ସଙ୍ଘକୁ ବଡ଼ ଧରଣର କୁଟନୈତିକ ବିଜୟ ପ୍ରାପ୍ତ କରାଇବ ।’
ଏଭଳି ବିଚାର ବହୁତ ଭୟାନକ, କାରଣ ଯେଭଳି ନିଖୁଣତାର ସହ ପଟେଲ ଏହି ସମ୍ଭାବନାକୁ ବୟାନ କଲେ ତାହା ଅନେକଙ୍କୁ ନିଶ୍ଚୟ ଯୁକ୍ତିଯୁକ୍ତ ବୋଲି ଆପାତତଃ ପ୍ରତୀୟମାନ ହେବ । ବର୍ଷ ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ପ୍ରେମ ପ୍ରକାଶଙ୍କ ପ୍ରଦତ୍ତ , ଜଣେ ଭିତିରିଆଙ୍କ ବ୍ୟାଖ୍ୟାନକୁ ଉଦ୍ଧାର କରି ପଟେଲ କହିଥିଲେ, କାଶ୍ମୀରର କୌଣସି ଭାଗକୁ ଅପର ପକ୍ଷକୁ ହସ୍ତାନ୍ତର କରିବା ଘେନି ଭାରତର ପ୍ରତ୍ୟାଖ୍ୟାନ ପରିପ୍ରେକ୍ଷୀରେ, “ନିଜ ଜିଦ୍ରୁ ଭାରତକୁ ଓହରି ଆସିବା ସକାଶେ ସୋଭିଏତ ସଙ୍ଘର ଚାପ ପ୍ରୟୋଗକୁ ସମସ୍ତେ ହୃଦୟଙ୍ଗମ କରିପାରୁଥିଲେ” । ସ୍ତୃତିଚାରଣ କରି କହିଥିଲେ ଏଏନ୍ଆଇର ସଭାପତି । ଆଲେଜେଇ କୋଶିଗିନ୍ ଶାସ୍ତ୍ରୀଜୀଙ୍କ ଡାଚାରେ ପହଞ୍ଚି ସ୍ୱର୍ଣ୍ଣ ସିଂହଙ୍କୁ କୌଣସି ପ୍ରକାରରେ ରାଜିନାମାରେ ସ୍ୱାକ୍ଷର କରାଇ ନେବାକୁ କହିଥିଲେ । ସ୍ୱର୍ଣ୍ଣ ସିଂହ ଉତ୍ତରରେ କହିଥିଲେ, ମୁଁ କି ଭଳି ନିଜର ମତ ତାଙ୍କ ଉପରେ ସାବ୍ୟସ୍ତ କରିପାରିବି? କିଛି ସମୟ ପରେ ନିରାଶ ହୋଇ କୋଶିଗିନ୍ ଫେରିଯାଇଥିଲେ ।
‘ଗୋଟିଏ ଦିନ ପରେ ଜଣାପଡ଼ିଲା, ଆଲୋଚନା ବିଫଳ ହୋଇଛି । ଭାରତ ଅଧିଗ୍ରହଣ କରିଥିବା ପାକିସ୍ତାନର କିଛି ଅଂଶକୁ ହସ୍ତାନ୍ତର କରିବା ପାଇଁ ଶାସ୍ତ୍ରୀ ରାଜି ହୋଇଥିଲେ । କିନ୍ତୁ ଭାରତ ଦ୍ୱାରା ପୁନଃ ଅଧିକୃତ କାଶ୍ମୀରର କିଛି ଅଂଶକୁ ଛାଡ଼ିବା ସପକ୍ଷରେ ନଥିଲେ ଶ୍ରୀ ଶାସ୍ତ୍ରୀ । ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ । ହାଜି ପୀର ସହିତ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ପୁନଃ ପ୍ରାପ୍ତ କରିବାକୁ ପାକିସ୍ତାନ ଇଚ୍ଛା ବ୍ୟକ୍ତ କରିଥିଲା । ହାଜି ପୀରରୁ ହଟିବାର ଦୃଢ ବିରୋଧୀ ଥିଲେ ଭାରତୀୟ ସେନା କାରଣ ଏହି ପଥ ଦେଇ କାଶ୍ମୀର ମଧ୍ୟକୁ ଅନୁପ୍ରବେଶ ହୋଇଥାଏ । ଶାସ୍ତ୍ରୀଙ୍କ ଏହିସବୁ କ୍ଷେତ୍ରରେ ରାଜି ନ’ହେବା ଓ ତାଙ୍କ ଉପରେ କ୍ରମାଗତ ଭୀଷଣ ଚାପ ଯୋଗୁଁ ଭାରତୀୟ ପ୍ରତିନିଧି ଦଳ, ଭାରତ ଫେରିଯିବାକୁ ନିଷ୍ପତ୍ତି ନେଲେ । ୧୦ ଜାନୁଆରୀରେ ଆମେ ସମସ୍ତେ କିଣାକିଣି କରିବାକୁ ବାହାରିଗଲୁ କାରଣ ଆଲୋଚନା ଅଟକି ଯାଇଥିଲା ଓ ତହିଁ ପରଦିନ ଆମକୁ ଭାରତ ଫେରିବାର ଥିଲା । ହଠାତ୍ ଦଳେ ସୋଭିଏତ ସୂଚନା ଅଧିକାରୀ ବଜାରକୁ ମାଡ଼ି ଆସି ଘୋଷଣା କଲେ ଯେ, ଏକ ରାଜିନାମା ସ୍ୱାକ୍ଷରିତ ହେବାକୁ ଯାଉଛି ଓ ଆମକୁ ତତ୍କ୍ଷାଣତ ଆଲୋଚନା ସ୍ଥଳକୁ ଫେରିଯିବାକୁ କହିଲେ । ଅଳ୍ପ ସମୟ ଅନ୍ତରାଳେ କ’ଣ ସବୁ ଘଟିଗଲା ଆମେ ବିଶ୍ୱାସ କରିପାରିଲୁ ନାହିଁ । ଭାରତ କ’ଣ ସବୁ ଚାପର ବଶବର୍ତ୍ତୀ ହେଲା? ତାସକନ୍ଦ ରାଜିନାମା ସ୍ୱାକ୍ଷରିତ ହେଲା-ହାଜି ପୀର ପାସ୍ ସହିତ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଭାରତ ଦଖଲ ପ୍ରତ୍ୟାହାର କଲା । ଏକ ବିଜୟ ଏବେ ପୂର୍ବ ଅବସ୍ଥାକୁ ଫେରିଗଲା । ପ୍ରଧାନମନ୍ତ୍ରୀଙ୍କ ଉପରେ କ’ଣ ସବୁ ଚାପ ତାଙ୍କ ପ୍ରାଣହାନୀର କାରଣ ହେଲା? ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକାଠାରୁ ପାକିସ୍ତାନକୁ ନିଜ ପକ୍ଷକୁ ଟାଣି ଆଣିବାରେ ଏହା କ’ଣ ସୋଭିଏତ ସଙ୍ଘର ରଣକୌଶଳ ଥିଲା ଯାହା ପରିଶେଷରେ ଶାସ୍ତ୍ରୀଙ୍କ ସକାଶେ ଘାତକ ସିଦ୍ଧ ହେଲା? ବୈଦେଶିକ ବିଭାଗର କିଏ ସେହି ପ୍ରଭାବଶାଳୀ ପଦାଧିକାରୀ ଯେ ସୋଭିଏତ ସଙ୍ଘର ଅଭିଳାଷକୁ ଫଳବତୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାକ୍ଷର କରିବାକୁ ବାଧ୍ୟ କଲେ ?
(“Come down your Prime Minister is dead”-A first hand account of the night PM Shastri Died. accessed from https:// www.aninews.in/news/nationl/general-news/come-down-your-prime-minister-isdead-a-first-handaccount-of-the-night-pm-shastri-died 201801111841140001/)
ପଟେଲଙ୍କ ତଥ୍ୟ ଆଧାରିତ ପରିକଳ୍ପନା ଓ ଅନୁମାନ ସହିତ ଆମେରିକାର କିଛି ବିବର୍ଗୀକୃତ ଦସ୍ତାବିଜ୍ର ଅନେକ ସାମଞ୍ଜସ୍ୟ ଜଣେ ଲକ୍ଷ୍ୟ କରିପାରିବ । କେନ୍ଦ୍ରୀୟ ଗୁଇନ୍ଦା ଇସ୍ତାହାର (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବୁଲେଟିନ୍) ୨୮ ଡ଼ିସେମ୍ବର ୧୯୬୫ ନିଜ ଟିପ୍ପଣୀରେ ଉଲ୍ଲେଖ କରିଥିଲା, “ତାସକନ୍ଦ ସମ୍ମିଲନୀ ଯେ ଭାରତ ଓ ପାକିସ୍ତାନ ସଂପର୍କରେ ବିଶେଷ ଉନ୍ନତି ଆଣିବାର ସହାୟକ ହେବ, ଏଭଳି କୌଣସି ଭ୍ରାନ୍ତ ଧାରଣା ସୋଭିଏତ ସରକାର ପୋଷଣ କରୁନାହାଁନ୍ତି” । କିନ୍ତୁ ଏତିକି ଆଶା କରିନ୍ତି ଯେ, “ଶିଖର ବୈଠକଟି ପରିସ୍ଥିତିରେ କିଛିଟା ସୁଧାର ଆଣିବାରେ ସକ୍ଷମ ହେବ” ଓ ପ୍ରଭୁତ୍ୱ ବିସ୍ତାର ପାଇଁ ଚୀନର ଚାଲ୍କୁ ନିଷ୍ଫଳ କରିବ । ୬ ଜାନୁଆରୀରେ ଜନସନଙ୍କୁ ପ୍ରେରିତ ଏକ ପତ୍ରରେ ଖୋଦ୍ ଶାସ୍ତ୍ରୀ ମଧ୍ୟ ସ୍ୱୀକାର କରିଥିଲେ ଯେ, “ଆଲୋଚନାରେ ଅନେକ ଜଟିଳ ବିଷୟ ସାମ୍ନା କରିବାକୁ ପଡ଼ୁଛିି” ୧୧ ଜାନୁଆରୀରେ ସିଆଇର ଇସ୍ତାହାର ଆକଳନ ଅନୁଯାୟୀ “ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଓ ରାଷ୍ଟ୍ରପତି ଆୟୁବଙ୍କ ମଧ୍ୟ ସ୍ୱାକ୍ଷରିତ ତାସକନ୍ଦ ରାଜିନାମା ସପ୍ତାହ ପୂର୍ବର ସମସ୍ତ ପ୍ରତ୍ୟାଶାର ଢେର ଉର୍ଦ୍ଧ୍ୱରେ”, ଅର୍ଥାତ ଉଭୟ ପକ୍ଷ ସପ୍ତାହ ପୂର୍ବରୁ ଯେଉଁ ସବୁ ବିଷୟରେ ଆଦୌ ରାଜି ହୋଇନ’ଥାନ୍ତେ ସେଥିରେ ରାଜି ହୋଇ ରାଜିନାମାରେ ସ୍ୱାକ୍ଷର କଲେ । (ସିଆଇଏର ରେକର୍ଡ଼ ସବୁ ସଂସ୍ଥାର ‘ଇଲେକ୍ଟୋନିକ୍ ରିଡିଙ୍ଗ ରୁ୍ମ୍ରୁ ପ୍ରାପ୍ତ କରିହେବ:https://www.cia.gov/library/readingroom/home)
‘ପୂର୍ବରୁ ଭାରତୀୟମାନେ, ଉତ୍ତର କାଶ୍ମୀରରେ ସେମାନଙ୍କ ଦ୍ୱାରା ଅଧିକୃତ ଇଲାକାରେ ପୁନଃ ଅନୁପ୍ରବେଶ ନହେବାର ପାକିସ୍ତାନର ନିର୍ଭର ପ୍ରତିଶୃତି ବିନା ହଟିଯିବାକୁ ସଂପୂର୍ଣ୍ଣ ଅରାଜି ଥିଲେ । ଏପରି ଭାବେ ଭାରତର ନରମି ଯିବା ଯାହା ନୂଆ ଦିଲ୍ଲୀର କଠୋରପନ୍ଥୀଗଣଙ୍କ ଦ୍ୱାରା କଠୋର ସମାଲୋଚନା ହୋଇଥାଆନ୍ତା ସମ୍ଭବତଃ ସୋଭିଏତ ସଙ୍ଘର ନିରନ୍ତର ଉତ୍ସାହିତ କରିବାର ପରିଣାମ ।’
ଫଳସ୍ୱରୂପ, ସିଆଇଏର ମତନୁସାରେ, ‘ପ୍ରଧାନମନ୍ତ୍ରୀ କୋଶିଗିନ୍ ଏଥର ତୃପ୍ତ ହୋଇ ମସ୍କୋ ଫେରିଯାଇପାରିବେ, କାରଣ ଶୀଖର ବୈଠକ ଆୟୋଜନ କରିବାର ସୋଭିଏତ ସଙ୍ଘର ଉଦ୍ଧେଶ୍ୟ କିଛି ମାତ୍ରାରେ ତ ସାଧିତ ହେଲା’ । ୧୩ ଜାନୁଆରୀରେ ଯେବେ ଆମେରିକାର ରାଷ୍ଟ୍ରପତି ଓ ଗୃହ ସଚିବ ପ୍ରଧାନମନ୍ତ୍ରୀ ନନ୍ଦାଙ୍କୁ ଓ ଅନ୍ୟାନ୍ୟ ଶାସକବୃନ୍ଦଙ୍କୁ ଭେଟିଲେ, ପ୍ରଧାନମନ୍ତ୍ରୀଙ୍କ ସଚିବ ଏଲ.କେ. ଝା, ସେମାନଙ୍କୁ ତାସକନ୍ଦ ଆଲୋଚନାର ବିବରଣୀ ପ୍ରଦାନ କଲେ । ସେ କହିଲେ, “ପ୍ରାୟ ସବୁ କିଛିରେ ରାଜି ହେବାର ଇଚ୍ଛୁକ ଥିଲେ ଶାସ୍ତ୍ରୀ କିନ୍ତୁ ଭାରତର ଲାଭ ସାଧନ ଭଳି କିଛି ‘ଫଳପ୍ରଦ’ ନ’ନେଇ ସେ ସ୍ୱଦେଶକୁ ଫେରିବାକୁ କୁଣ୍ଠିତ ମଧ୍ୟ ଥିଲେ” ।
୮ ଜାନୁଆରୀ ସୁଦ୍ଧା ଆଲୋଚନା ପ୍ରାୟ “ଅଚଳବସ୍ଥା”ରେ ପହଞ୍ଚିଲା । ଝା’ଙ୍କ ଅନୁସାରେ ଏହି ପର୍ଯ୍ୟନ୍ତ କୋଶିଗିନ୍ କେବଳ ବ୍ୟକ୍ତିଗତ ଭାବେ ବୈଠକର ତଦାରଖ ତଥା ଶାସ୍ତ୍ରୀ ଓ ଆୟୁବଙ୍କ ସହିତ ପୃଥକ ପୃଥକ ଆଲୋଚନା କରିବାରେ ନିଜକୁ ସୀମିତ ରଖିଥିଲେ, ନିଜ ପକ୍ଷରୁ କୌଣସି ପ୍ରସ୍ତାବ ଦେଉନଥିଲେ । କିନ୍ତୁ ପରେ ନ’ ଜାନୁଆରୀ, ପ୍ରାତଃ ନ’ଟାଠାରୁ ମଧ୍ୟ ରାତ୍ର ସାଡ଼େ ବାରଟା ପର୍ଯ୍ୟନ୍ତ କୋଶିଗିନ୍ ଉଭୟ ପକ୍ଷଙ୍କ ସହିତ ତତ୍ପର ରହିଲେ ଓ ନିଜ ପ୍ରଦତ୍ତ ବିଜ୍ଞପ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଲେ ।
“ଭାରତୀୟ ଦୃଷ୍ଟିକୋଣରେ ଏହି ପ୍ରସ୍ତାବନା ତ ସର୍ବବିଦିତ ମତକୁ ପୁନଃ ଦୋହରାଇବା ସହିତ ସମାନ । ଯୁଦ୍ଧ ବିରତି ପରିପ୍ରେକ୍ଷୀରେ ପାକିସ୍ତାନ ନିମନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ପାଳନ କରିବାର ଅଙ୍ଗିକାରରେ ସ୍ଥିର ରହିଲା; କିନ୍ତୁ ଶାସ୍ତ୍ରୀ କହିଲେ ଏହା କୌଣସି ମତେ ଅନୁପ୍ରବେଶ ସମସ୍ୟାକୁ ପ୍ରତିହିତ କଲାଭଳି ବିସ୍ତାରିତ ପ୍ରତିଶୃତି ନୁହେଁ । ଶାସ୍ତ୍ରୀଙ୍କ ପାଇଁ ସବୁଠାରୁ କଠିନ ଥିଲା, ମାତ୍ର ଏତିକିରେ ସୀମିତ ପାକିସ୍ତାନର ପ୍ରସ୍ତାବକୁ ଯଥେଷ୍ଟ ବୋଲି ଭରଷା କରି ରାଜିନାମାରେ ହାଜି ପୀର ପାସ୍ରୁ ହଟିଯିବାକୁ ରାଜି ହେବା ।”
୧୯ ଜାନୁଆରୀରେ ଆୟୁବ ଖାନ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ କହିଲେ, “ରୁଷୀୟମାନେ ଭାରତୀୟଙ୍କୁ ଯଥାର୍ଥ ଦିଗରେ ଆଗେଇବାରେ ବହୁତ ସାହାଯ୍ୟ କଲେ”. ସେ କହିଲେ କୋଶିଗିନ୍ ତାସକନ୍ଦରେ ରାତି ଦିନ ପରିଶ୍ରମ କଲେ ଓ ଉଭୟ ପକ୍ଷଙ୍କୁ ସୁହାଇଲା ଭଳି ରାଜିନାମା ପ୍ରସ୍ତୁତ କରିବାରେ ରୁଷୀୟମାନଙ୍କ ଭୂମିକା ନିଶ୍ଚିତ ରୂପେ ବୃହତ୍ ଓ ଗୁରୁତ୍ୱପୂର୍ଣ୍ଣ । ୨୧ ଜାନୁଆରୀର ସିଆଇଏ ପ୍ରକାଶିତ ବିବରଣ ସ୍ପଷ୍ଟ ଭାବେ ଦର୍ଶାଇଥିଲା ଯେ, ଶାସ୍ତ୍ରୀଙ୍କ ମୃତ୍ୟୁ ହେତୁ ତାସକନ୍ଦ ରାଜିନାମାକୁ ଭାରତରେ ‘ଅଲଙ୍ଘନୀୟ ଓ ପବିତ୍ର’ ଭାବେ ବିବେଚନା କରାଗଲା ।
ତେଣୁ ଆମେରିକୀୟ ରେକର୍ଡରେ ସମ୍ବଳିତ ପଟେଲଙ୍କ କିଛି ଯୁକ୍ତିକୁ ସମର୍ଥନ କରୁଥିଲା । କିନ୍ତୁ ଏହି ରେକର୍ଡ ସବୁ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ, କୌଣସି ଷଡ଼ଯନ୍ତ୍ର ହୋଇନାହିଁ ବା ନିୟମ ଉଲ୍ଲଙ୍ଘନ କଲା ଭଳି ମନ୍ଦ ଉଦ୍ଧେଶ୍ୟର ପ୍ରମାଣ ମଧ୍ୟ ନାହିଁ । ସେମାନେ କୋଶିଗିନଙ୍କ ନେତୃତ୍ୱର ପ୍ରଶଂସା କରିଥିଲେ । ଆମେ ମଧ୍ୟ ୧୯୭୦ ଶେଷାର୍ଦ୍ଧରେ ‘ଧମଯୁଗ’ରେ ଲଲିତା ଶାସ୍ତ୍ରୀଙ୍କ ସାକ୍ଷାତକାରକୁ ସ୍ମରଣ କରିବା ଯେଉଁଥିରେ ସେ କହିଥିଲେ, ତାଙ୍କ ସ୍ୱାମୀଙ୍କ ପ୍ରକୃତି ବିଷୟରେ ସେ ଯାହା ଜାଣନ୍ତି, ଶାସ୍ତ୍ରୀ ଚାପରେ ଦବିଯିବା ଭଳି ବ୍ୟକ୍ତିତ୍ୱ ନଥିଲେ; ନେହେରୁଙ୍କ ଚାପରେ ମଧ୍ୟ ନୁହେଁ । ତେଣୁ ଯଦି ସେ କୌଣସି ‘ବୁଝାମଣାରେ ରାଜି ହୋଇଥିଲେ’ ତାହା କୌଣସି ଚାପରେ ବଶବର୍ତ୍ତୀ ହୋଇ ନୁହେଁ ବରଂ ସେ ବୋଧହୁଏ ଦୃଢ଼ ନିଶ୍ଚିତ ଥିଲେ ଯେ ଏଥିରେ ଦେଶର ସ୍ୱାର୍ଥ ସାଧିତ ହେଲା ଭଳି କିଛି ଅଛି । ଲଲିତା ଶାସ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ରୁଷୀୟ ଓ ରୁଷର ନେତୃବୃନ୍ଦଙ୍କୁ ସନ୍ଦେହ କରିବା ଘେନି ଯେଉଁ ପ୍ରଶ୍ନ ଉଠିଛି, ମୁଁ ଏତିିକି କହିପାରେ ଯେ ଶ୍ରୀ କୋଶିଗିନ୍ ଜଣେ ବହୁତ ଉତ୍ତମ ବ୍ୟକ୍ତି” । ସେ ଦୃଢ଼ତାର ସହିତ କହିଥିଲେ ଯେ, କୌଣସି ଦେଶ ଅନ୍ୟ ଏକ ବନ୍ଧୁ ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ କରି ସେଠି ତାଙ୍କ ହତ୍ୟା କରିବ ନାହିଁ” ।
ପଟେଲ ନିଶ୍ଚୟ ଶ୍ରୀମତୀ ଶାସ୍ତ୍ରୀଙ୍କ ମତ ବିଷୟରେ ଜ୍ଞାତ ଥିଲେ ଓ ଏଭଳି ଚିନ୍ତାଧାରା ସହିତ ସଂପୂର୍ଣ୍ଣ ଭାବେ ଅରାଜି ନଥିଲେ । ସେ ନିଜ ପୁସ୍ତିକାରେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଅଭିଧାରଣାରେ “ରୁଷୀୟ ସରକାର ବା ପ୍ରଧାନମନ୍ତ୍ରୀ କୋଶିଗିନ୍, ଶାସ୍ତ୍ରୀଙ୍କ ହତ୍ୟାରେ ସଂପୃକ୍ତ ବୋଲି” ଉପଲକ୍ଷିତ ନୁହେଁ/ ବା ଏଭଳି କୌଣସି ଧାରଣା ପର୍ଯ୍ୟବେସିତ ନୁହେଁ ।
‘ଏକ କଠିନ କୁଟନୈତିକ ଯୋଜନାର ସଫଳ ରୂପାୟନ ନିମନ୍ତେ ବନ୍ଧୁ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଯେ ‘ଟ୍ରମ୍ପ କାର୍ଡ’(Trump Card) ଭଳି ବ୍ୟବହାର କରାଯାଇପାରେ ଏଭଳି ଭୀଷଣ ବିଚାରରେ ସରକାରୀ ସମ୍ମତିର ଆଶା ନିରାଧାର ଅଟେ । ଏହା ନିଶ୍ଚିତ ଭାବେ କୋଶିଗିନ୍ଙ୍କ ସମର୍ଥିତ ହୋଇନଥିବ । କୋଶିଗିନ୍ ଜଣେ ପ୍ରବିଧିଜ୍ଞ ଯିଏ କିନ୍ତୁ ଏଭଳି ଜଟିଳ ଓ କୁଟିଳ ଫନ୍ଦିର ଅନବିଜ୍ଞ ବ୍ୟକ୍ତିତ୍ୱ । କିନ୍ତୁ ଯେଉଁ ବ୍ୟକ୍ତିସମୁହ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିବେ ସେମାନେ ନିଶ୍ଚୟ ଅଳଗା ଗୋଷ୍ଠୀର – ଗୁଇନ୍ଦା ବିଭାଗ ହୋଇଥାଇପାରନ୍ତି, ଯାହାର କାର୍ଯ୍ୟପ୍ରଣାଳୀରେ ସ୍ୱାର୍ଥ୍ୟ ଜଡ଼ିତ ଲକ୍ଷ୍ୟ ସାଧନ ନିମନ୍ତେ ଶାଳୀନତା ଓ ଆତିଥ୍ୟେୟତାକୁ ସହଜରେ ଉତ୍ସର୍ଗ କରାଯାଇପାରେ ।
‘ମାର୍ଚ୍ଚ ଅଫ ଦ ନେସନ’ର ରିପୋର୍ଟ ଭିତ୍ତିରେ ନିଜ ମତକୁ ଗଢ଼ି, ପଟେଲ କେଜିବିକୁ ଦୋଷାରୋପ କରିଥିଲେ । ସେ ବ୍ୟାଖ୍ୟାନ କରିଥିଲେ ଅତୀତରେ ଅନେକ ପ୍ରାମାଣିକ ଉଦାହରଣ ଅଛି ଯେଉଁଥିରେ କେଜିବି ଓ ତା’ର ବିିଭିନ୍ନ ନାମଧାରୀ ପୂର୍ବସୂରୀମାନେ ବିନା କ୍ଷମତାରେ ଓ ସରକାରଙ୍କ ଅଗଚୋରରେ ଯୋଜନା କାର୍ଯ୍ୟକାରୀ କରୁଥିଲେ । “ଓଜିପିୟୁ ଓ ଏନ୍କେଭିଡ଼ି ‘ମର୍ଡର ବୁରେକ୍ସ’ ଭଳି ସଂସ୍ଥା ଷ୍ଟାଲିନ୍ଙ୍କ ସମୟରେ ଯେ ‘ଅତିରିକ୍ତ ପରିଶ୍ରମ’ କରୁଥିଲେ ଏଥିରେ ସନ୍ଦେହ ନାହିଁ” । ସାଧାରଣରେ ବିଶ୍ୱାସ କରାଯାଏ ଯେ ଷ୍ଟାଲିନ୍ଙ୍କ ପରେ ରାଷ୍ଟ୍ର ପ୍ରାୟୋଜିତ ତଥା ପ୍ରୋତ୍ସାହିତ ହତ୍ୟାର ଅନ୍ତ ଘଟିଲା; କିନ୍ତୁ ଏହା ଠିକ୍ ନୁହେଁ । ଏଭଳି କାର୍ଯ୍ୟ ଗୁପ୍ତରେ ସମ୍ପାଦିତ ହୋଇଚାଲିଥିଲା ।
ପଟେଲ ଦୁଇଟି ଉଦାହରଣ ଉଦ୍ଧୃତ କରିଥିଲେ । ସେତେବେଳେ ସୋଭିଏତ ପ୍ରଧାନମନ୍ତ୍ରୀ ନିକିତା ଖ୍ରୁସେଭ୍ ପଶ୍ଚିମ ଜର୍ମାନୀ ସହିତ ଏକ ପୁନଃ ସଂପର୍କ ସ୍ଥାପନ ନିମନ୍ତେ ଚେଷ୍ଟିତ ଥିଲେ । ଚାନସେଲର ଲୁଡ଼ୱିଗ ଏରହାଡର଼୍ ସୋଭିଏତ ସଙ୍ଘ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ୧୯୬୪ରେ ଜର୍ମାନ ଦୂତାବାସର ଗୁଇନ୍ଦା ଯନ୍ତ୍ରପାତି ଆଦିର ବିଶେଷଜ୍ଞ ହୋର୍ସଟ ସ୍କୁୱିର୍କମାନ୍ଙ୍କୁ , ମସ୍କୋ ବାହାରେ ଏକ ଧାର୍ମିକ ସ୍ଥଳୀ ପରିଦର୍ଶନ କରୁଥିବା ସମୟରେ ନାଇଟ୍ରୋଜେନ ଗ୍ୟାସରେ ପ୍ରସ୍ତୁତ ମସଟାର୍ଡ କ୍ୟାପସୁଲ ତାଙ୍କ ପିଚାକୁ ଲକ୍ଷ୍ୟ କରି ଗୁଳି କରାଗଲା । କ୍ରୋଧିତ ଜର୍ମାନ ଆଲୋଚନାକୁ ପ୍ରାୟତଃ ଓହରି ଯିବାକୁ ଉଦ୍ୟତ ଥିଲାବେଳେ ଖ୍ରୁସେଭ୍ ସର୍ବସଧାରଣରେ କ୍ଷମାଯାଚନା କଲେ ।
‘ଏହି ଘଟଣା ପ୍ରମାଣିତ କରେ ଯେ, ଜର୍ମାନ ଯନ୍ତ୍ରପାତି ବିଶେଷଜ୍ଞଙ୍କ ହତ୍ୟା କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତି ଖ୍ରୁସେଭଙ୍କ ଅଗଚୋରରେ ଓ କେବଳ କେଜିବିର ନିର୍ଦ୍ଧେଶମତେ ଏହା କରିଥିଲେ । କେଜିବି ସୋଭିଏତ ସରକାରଙ୍କ ନାମମାତ୍ର ଅଧୀନନସ୍ଥ ସଂସ୍ଥା । ପ୍ରକୃତରେ ଏହା ସ୍ୱୟଂଚାଲିତ ଅଦୃଶ୍ୟ ସରକାର ଭଳି କାର୍ଯ୍ୟ କରେ । କେଜିବିର ଏକ ବିଭାଗ ‘ମୋକରାଈ ଡେଲା’, ସବୁ ପ୍ରକାରର କୁଟିଳ ଷଡ଼ଯନ୍ତ୍ର ବା ଓଦା ବ୍ୟବସାୟ, ଓଦା ଯାହା ରକ୍ତକୁ ବୁଝାଏ । ଗୁପ୍ତ ଯୋଜନାକୁ କାର୍ଯ୍ୟୟନ କରୁଥିବା ଏହି ବିଭାଗ କେଜିବିର ଅନ୍ୟତମ ଶକ୍ତିଶାଳୀ ବିଭାଗ ଭାବେ ଜଣାଶୁଣା ।
ସଂଯୋଗ ହେଉ ବା ସ୍କୁୱିର୍କମାନ୍ଙ୍କ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ, ଖ୍ରୁସେଭ୍ଙ୍କ ସୋଭିଏତ ସରକାରର ତ୍ରୁଟି ସର୍ବସାଧାରଣରେ ସ୍ୱୀକାର ପାଇଁ ହେଉ, ‘କ୍ଷମାଚାଚନା’ର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ଖ୍ରୁସେଭ୍ଙ୍କୁ ପଦରୁ ହଟାଇ ଦିଆଗଲା । ତେଣୁ ଏହି ଘଟଣା ଅନୁଶୀଳନ କଲେ ଯଦି ଦେଖାଯାଏ ଶାସ୍ତ୍ରୀଙ୍କ ମୃତ୍ୟୁ ପଶ୍ଚାତ୍ରେ କେଜିବିର ହାତର ସମ୍ଭାବନା ଅଧିକ । ଭ୍ରାନ୍ତ ଚିନ୍ତାଧାରଣା ବଶତଃ ହେଉ ପଛେ କିନ୍ତୁ କୋଶିଗିନ୍ଙ୍କ ଅନେକ ପରିଶ୍ରମର ଫଳ ତାସକନ୍ଦ ଶିଖର ବୈଠକର ସଫଳତାକୁ ନିଶ୍ଚିତ କରିବା ନିମନ୍ତେ କେଜିବିର ଆନ୍ତରିକ ବିଶ୍ୱାସ ହେତୁ ଚୁପଚାପ୍ ଶାସ୍ତ୍ରୀଙ୍କୁ ହତ୍ୟା କରାଗଲା; ଯଦ୍ଧ୍ୱାରା ଏକ ‘ଶହୀଦ’ ସୃଷ୍ଟି ହେବ ଯେ କୌଣସି ପ୍ରକାରର ବିରୋଧି ତତ୍ତ୍ୱର ସମ୍ମୁଖୀନ ସହଜରେ କରିପାରିବ ।
ପଟେଲଙ୍କ ଦ୍ୱିତୀୟ ଉଦାହରଣ ଥିଲା, ରାଜନୈତିକ ଆକ୍ରୋଶର ଶିକାର ହୋଇ ପ୍ରବାସରେ ଥିବା ଉକ୍ରେନର ଦୁଇ ନେତା ଲେଭ୍ ରେବେଟ୍ ଓ ଷ୍ଟିପାନ ବାନ୍ଦେରା ଯେଉଁମାନଙ୍କୁ ଯଥାକ୍ରମେ ୧୯୫୭ ଓ ୧୯୫୯ରେ ମ୍ୟୁନିଚ୍ରେ ହତ୍ୟା କରାଯାଇଥିଲା । ନେତାଦ୍ୱୟଙ୍କ ମୃତ୍ୟୁ ପ୍ରାକୃତିକ ଥିଲା ବୋଲି ବିଚାର କରାଯାଉଥିଲେ ହେଁ ୧୯୬୧ରେ ଜଣେ କେଜିବି ଏଜେଣ୍ଟଙ୍କ ପଶ୍ଚିମ ଜର୍ମାନୀକୁ ପଳାୟନ ପରବର୍ତ୍ତୀ ସମୟରେ ତାଙ୍କ ବୟାନ ଘଟଣାକୁ ଭିନ୍ନ ରୂପ ଦେଲା । ବୋଗ୍ଡାନ ଷ୍ଟାଶ୍ହିନସ୍କି ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଜେରା ସମୟରେ କହିଥିଲେ ସେ ହିଁ ନେତା ଦ୍ୱୟଙ୍କ ମୁହଁକୁ କିଛି ବିଷାକ୍ତ ତରଳ ପଦାର୍ଥ, ଏକ ନିର୍ଗମନକାରୀ ଅସ୍ତ୍ର ସାହାଯ୍ୟରେ ନିକ୍ଷେପଣ କରି ହତ୍ୟା କରିଥିଲେ । ଏହାପରେ ଜର୍ମାନ ପୋଲିସ କେଶ୍ଟିକୁ ପୁନଃ ତଦନ୍ତ ସମୟରେ କିଛି ପ୍ରମାଣ ହସ୍ତଗତ କଲେ ଯାହା ଷ୍ଟାଶ୍ହିନସ୍କିଙ୍କ ବୟାନର ପୁଷ୍ଟି କରୁଥିଲା । ସେମାନେ ରେବେଟଙ୍କ ମରଶରୀରକୁ କବରରୁ କାଢ଼ି ପରୀକ୍ଷଣ ପରେ ଜାଣିବାକୁ ପାଇଲେ ଯେ ହୃଦ୍ଘାତ୍ ଯୋଗୁଁ ନୁହେଁ ବରଂ ଷ୍ଟାଶ୍ହିନ୍ସ୍କି ସ୍ୱୀକାରୋକ୍ତି ଅନୁସାରେ ବିଷକ୍ରିୟା ଯୋଗୁଁ ସେ ମୃତ୍ୟୁବରଣ କରିଥିଲେ । ଏହା ପରେ ଷ୍ଟାଶ୍ହିନସ୍କିଙ୍କ ବିଚାର କରାଗଲା, ଦୋଷୀ ବୋଲି ପ୍ରମାଣିତ ହେବା ପରେ ତାଙ୍କୁ ଦଣ୍ଡିତ କରାଗଲା ।
ପଟେଲଙ୍କ ମତେ ଷ୍ଟାଶ୍ହିନ୍ସ୍କିକୃତ୍ୟ ଅପରାଧର ଶୈଳୀ ଶାସ୍ତ୍ରୀଙ୍କ ଘଟଣାରେ ପ୍ରୟୋଗ କରାଯାଇଥାଇପାରେ । ଷ୍ଟାଶ୍ହିନ୍ସ୍କିଙ୍କୁ ପିଚ୍କାରୀ ସଦୃଶ୍ୟ ଅସ୍ତ୍ର ସାହାଯ୍ୟରେ ସାଇନାଇଡ୍ କ୍ଷେପଣ କରି ରେବେଟ ହତ୍ୟା କରିଥିଲେ । କିନ୍ତୁ ଯଦିଓ ଜର୍ମାନୀକୁ ପ୍ରଯୁକ୍ତି କ୍ଷେତ୍ରରେ ପଛୁଆ ବୋଲି ଆକ୍ଷେପ କରାଯାଇପାରିବ ନାହିଁ, ରେବେଟଙ୍କ ଶବ ବ୍ୟବଚ୍ଚେଦ ରିପୋର୍ଟରେ ସେମିତି କିଛି ସନ୍ଦେହଜନକ ଉଲ୍ଲେଖ ନଥିଲା ବରଂ ଏକ ସାଧାରଣ ହୃଦ୍ଘାତ ବୋଲି ଦର୍ଶାଯାଇଥିଲା । ପଟେଲ ପୁଣି କହିଥିଲେ ହତ୍ୟା ପ୍ରମାଣ ସକାଶେ କେବଳ ଉଦ୍ଧେଶ୍ୟକୁ ଆଧାର କରାଯାଇପାରିବ ନାହିଁ, ସୁଯୋଗ ମଧ୍ୟ ଥିବା ଦରକାର । ତାଙ୍କ ଦୃଷ୍ଟିରେ କେଜିବି ପାଇଁ ସେହି ସୁଯୋଗ ଥିଲା କାରଣ ତା’ର କର୍ମଚାରୀ ହିଁ ଶାସ୍ତ୍ରୀଙ୍କ ଡାଚାକୁ ପହରା ଦେଉଥିଲେ । “ଶାସ୍ତ୍ରୀଙ୍କ ହତ୍ୟା କରିବା ପାଇଁ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ସୁଯୋଗ ଥିଲା । ରାତ୍ର ଶୟନ ପୂର୍ବରୁ ଏକ ଗ୍ଳାସ ଦୁଗ୍ଧ ନେବାର ଶାସ୍ତ୍ରୀ ଅଭ୍ୟାସର ଦୁରୁପଯୋଗ କରି କେଜିବି ସେଥିରେ ବିଷ ପ୍ରୟୋଗ କରିଥାଇପାରେ ବା ତାଙ୍କ ପିଇବା ପାଣିରେ ଏଭଳି ଔଷଧକୁ ମିଳାଇ ଦେଇଥାଇପାରେ ଯାହା ଆଂଶିକ ରୂପେ ଜଣକୁ ଅଚେତ କରିଦେବ ଓ ତାହା ପରେ ତାକୁ ପ୍ରାଥମିକ ଉପଚାର ଦେବା ବାହାନାରେ କିଛି ଇେଞ୍ଜସନ ଦେଇ ଶେଷ କରି ଦିଆଯାଇପାରିବ ।”
‘ଏହା କଳ୍ପନାପ୍ରସୂତ ଉପାଖ୍ୟାନ ଭଳି ଲାଗୁଥାଇପାରେ କିନ୍ତୁ ସେଭଳି ନୁହେଁ । ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ବିଧବା ଶ୍ରୀମତୀ ଲଲିତା ଶାସ୍ତ୍ରୀ ନିକଟରେ କହିଥିଲେ ଯେବେ ଶାସ୍ତ୍ରୀଙ୍କ ଅନୁଗତମାନେ ଘଟଣାସ୍ଥଳରେ ପହଞ୍ଚିଲେ, ଦେଖିଲେ ଶାସ୍ତ୍ରୀ ଏକ ପାଣି ଭରା ଗ୍ଳାସ (ସମ୍ଭବତଃ ତାଙ୍କରି ଫ୍ଲାସ୍କରୁ ଭର୍ତ୍ତି ହୋଇଥିବ) ଦିଗକୁ ବାରମ୍ବାର ଇସାରା କରୁଛନ୍ତି । କିନ୍ତୁ ଯେତେବେଳ ଗ୍ଳାସ୍ଟିକୁ ତାଙ୍କ ଦେବାପାଇଁ ଉଦ୍ୟମ କରାଗଲା ସେ ଛୁଇଁଲେ ନାହିଁ । କମ୍ସେ କମ୍ ଏହା ଅନୁମାନ କରାଯାଇପାରେ ଯେ ଶାସ୍ତ୍ରୀ ମଧ୍ୟ ଆଶଙ୍କା କରୁଥିଲେ ଯେ ପାଣିରେ ବିଷ ପ୍ରୟୋଗ କରାଯାଇଛି । ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଯେଉଁ ଫ୍ଲାସ୍କରୁ ପାଣି ଦିଆଯାଇଥିଲା ତାହାର ପତ୍ତା ମିଳିଲା ନାହିଁ ।’
ପଟେଲଙ୍କ ଅନୁସାରେ ଶାସ୍ତ୍ରୀଙ୍କୁ ବିଷ ଦେବା କେଜିବି ପାଇଁ ସହଜସାଧ୍ୟ ଥିଲା, କାରଣ ଯେମିିତି ବି ସେ ହୃଦ୍ରୋଗୀ ଥିଲେ । ହୃଦ୍ଘାତକୁ ଯୌକ୍ତିକ ଆଧାରରେ ମୃତ୍ୟୁର କାରଣ ବୋଲି ଦର୍ଶାଯାଇପାରିବ । ତାସକନ୍ଦ ବୈଠକର ଚାପ ଓ ଅତିରିକ୍ତ ପରିଶ୍ରମକୁ କାରଣ ବୋଲି ଦର୍ଶାଯାଇ ନିଶ୍ଚିତ ପ୍ରମାଣ ଭଳି ଉପସ୍ଥାପିତ କରାଯାଇପାରିବ । ଶବ ବ୍ୟବଚ୍ଛେଦକୁ ‘ଜଣେ ମହାନ୍ ବ୍ୟକ୍ତିଙ୍କ ଶରୀରର ଅପବିତ୍ରକରଣ’ ବୋଲି କହି ଟାଳି ଦିଆଯାଇପାରିବ । ଶାସ୍ତ୍ରୀଙ୍କ ମୃତ୍ୟୁ ଯଦି ସ୍ୱାଭାବିକ ତାହାହେଲେ ତାଙ୍କ ବେକ ପଛରେ ଓ ପେଟରେ କଟା ଦାଗରର କୌଣସି ଯଥାର୍ଥତା ନାହିଁ ।
‘ଏଭଳି କଟା ଦାଗର କାରଣକୁ ବୁଝାଇବା ଅସମ୍ଭବ, କେବଳ ଏକ ଅନୁମାନ କରାଯାଇପାରେ ଯେ ଶବ ବ୍ୟବଚ୍ଛେଦ କରାଯାଇଛି ବା ସେଭଳି କିଛି କରିବା ପାଇଁ ପ୍ରସ୍ତୁତି କରାଯାଇଛି । ଶବ ବ୍ୟବଚ୍ଛେଦରେ ଏଭଳି ଚିରାଚିରି ଦରକାର । ଆହୁରି ମଧ୍ୟ ଅନୁମାନ କରାଯାଇପାରେ ଯେ ଏହି କଟା କୌଣସି ସୋଭିଏତ ଡାକ୍ତରଙ୍କ ଦ୍ୱାରା କରାଯାଇଥାଇପାରେ କିନ୍ତୁ କିଛି କଟାକଟି ପରେ ହଠାତ୍ ମନ ପରିବର୍ତ୍ତନ ହେବା ଓ ବୋଧହୁଏ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଆଦେଶ ମୁତାବକ ଆଉ ଏ ଦିଗରେ ନ ଆଗେଇ, କଟା ଜାଗାଗୁଡ଼ିକ ସର୍ଜିକାଲ ଟେପ୍ ସାହାଯ୍ୟରେ ଢାଙ୍କି ଦିଆଯାଇଛି । ନିଶ୍ଚିତ ରୂପେ ଏହା ଡଃ ଚୁଗଙ୍କ କାର୍ଯ୍ୟ ନୁହେଁ ତଥାପି ଏ ବିଷୟରେ ପ୍ରବଳ ସାମୂହିକ ଆପତ୍ତି ପରେ ମଧ୍ୟ ସେ ଚୁପ୍ ରହିଛନ୍ତି’ ।
ଦ୍ୟୟାଭାଇ ପଟେଲଙ୍କ ଦ୍ୱାରା କେଜିବି ବିରୁଦ୍ଧରେ ଏଭଳି ମତବାଦ ତଥ୍ୟ ବିରହିତ ନଥିଲା ଖାସ୍ କରି ତାଙ୍କ ଦ୍ୱାରା ଉଦ୍ଧୃତ କିଛି ଘଟଣାକୁ ଯଦି ଅନୁଶୀଳନ କରାଯାଏ । ଅନ୍ୟ ଗୁଇନ୍ଦା ସଂସ୍ଥା ଭଳି କେଜିବି ମଧ୍ୟ ମସ୍କୋ ପ୍ରତି ଶତ୍ରୁ ମନୋଭାବ ସଂପନ୍ନ ତତ୍ତ୍ୱଙ୍କୁ ନିଶାଣ କରୁଥିଲା । ସେ ସମୟରେ ମଧ୍ୟ ଏକ ବୃହତ୍ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥା କାହାକୁ ହତ୍ୟା କରି ସ୍ୱାଭାବିକ ମୃତ୍ୟୁ ଭଳି ଦର୍ଶାଇବା ଅସମ୍ଭବ ନଥିଲା ।
୧୯୬୪ରେ ସିଆଇଏର ଏକ ଅନୁଶୀଳନ ଅନୁଯାୟୀ ରୁଷୀୟ ଶାସନ ବ୍ୟବସ୍ଥା ପ୍ରତି କୌଣସି ସମ୍ଭାବ୍ୟ ବିପଦକୁ ନାଶ କରିବା ଓ ଏହି କ୍ରମରେ ହତ୍ୟା ସଂଘଠିତ କରାଇବାକୁ କେଜିବି ପଛାଉନଥିଲା । ବିଷ ପ୍ରୟୋଗର ଏଭଳି ଅନେକ କୌଶଳର ଅବଲମ୍ବନରେ ଅତ୍ୟନ୍ତ ସଂଗୋପନର ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦିତ ହେଉଥିଲା ଓ କୌଣସି ପ୍ରମାଣର ଚିହ୍ନ ମଧ୍ୟ ରହୁନଥିଲା । ସିଆଇଏର ଏହି ରେକର୍ଡରେ ଷ୍ଟାଶ୍ହିନ୍ସ୍କି ଉକ୍ରେନୀୟ ନେତାଙ୍କ ମୁଖରେ ତରଳ ବିଷ ନିକ୍ଷେପ କରି ହତ୍ୟା କରିବା କଥା ମଧ୍ୟ ଉଲ୍ଲେଖ ଥିଲା ।
ଏହି ତରଳ ବିଷର ପ୍ରଭାବ ଏତେ ଯେ ଏହାର ବିଷାକ୍ତ ବାଷ୍ପ ମସ୍ତିସ୍କକୁ ରକ୍ତ ଯୋଗାଉଥିବା ଧମନୀକୁ ତତ୍କ୍ଷାଣତ ଶୀଥିଳ କରିଦିଏ । ମସ୍ତିସ୍କରେ ରକ୍ତର ଅଭାବ ଯୋଗୁଁ ଏହି ଅଙ୍ଗ ତ୍ୱରିତ୍ ସ୍ୱାଭାବିକ ପକ୍ଷପାତର ଶିକାର ହୁଏ ଅଥବା ହୃଦ୍ଘାତ୍ ହୋଇ ପୀଡ଼ିତ ମୃତ୍ୟୁ ମୁଖରେ ପଡ଼େ । ବିଷାକ୍ତ ବାଷ୍ପର ଶ୍ୱାସଗ୍ରହଣର ମାତ୍ର ମିନିଟିଏ ବା ଅଧ ମିନିଟରେ ପୀଡ଼ିତର ନୈନ୍ଦନିକ ମୃତ୍ୟୁ ହୁଏ । ପାଞ୍ଚ ମିନିଟ ଉପରାନ୍ତ ବିଷାକ୍ତ ବାଷ୍ପର ପ୍ରଭାବ ଶରୀରରୁ ଉତୁରିଯାଏ ଓ ଧମନୀସମୁହ ପୁନଃ ସ୍ୱାଭାବିକ ଭାବେ କ୍ରିୟାଶୀଳ ହୁଅନ୍ତି ଓ ଶରୀରରେ କୌଣସି ଘାତକ ରାସାୟନିକ ଦ୍ରବ୍ୟର ଲେଶ ମାତ୍ର ଚିହ୍ନବର୍ଣ୍ଣ ନଥାଏ । କଥିତ ରୂପେ କହିବାକୁ ଗଲେ, ଯେତେ ତନ୍ନତନ୍ନ କରି ଶରୀରର ବ୍ୟବଚ୍ଛେଦ ବା ପୋଷାକପତ୍ରର ପରୀକ୍ଷଣ କଲେ ମଧ୍ୟ କୌଣସି ବାହ୍ୟ ଦ୍ରବ୍ୟର ଚିହ୍ନ ମିଳିବ ନାହିଁ ।
ଏହି ଅବତାରଣାର ଆପାତତଃ ଯୌକ୍ତିକତା ସତ୍ୱେ ପଟେଲଙ୍କ ଦ୍ୱାରା ପ୍ରଦତ୍ତ ଦୃଶ୍ୟାବଳୀ ମୋ ଦୃଷ୍ଟିରେ ଆତିଶଯ୍ୟ ମନେ ହୁଏ । ସୋଭିଏତ ଆକ୍ରୋଶର ଶିକାର ହୋଇଥିବା ଉପରୋକ୍ତ ଉକ୍ରେନୀୟ ବ୍ୟକ୍ତିଦ୍ୱୟ ଶାସ୍ତ୍ରୀଙ୍କ ଶ୍ରେଣୀର ନଥିଲେ । ଆଉ ମଧ୍ୟ ଏଭଳି କ୍ଷିପ୍ତ ଭାବନାର ଏକ ନିର୍ଦ୍ଧିଷ୍ଟ ଧାରା ଥାଏ । ବିଦେଶ ରାଷ୍ଟ୍ରରେ ନିର୍ବିଘ୍ନରେ ଚଳପ୍ରଚଳ କରୁଥିବା ଜଣେ ବିଦ୍ରୋହୀଙ୍କୁ ଗୁପ୍ତରେ ନିଶାଣ କରିବା ଓ ଏକ ବୃହତ୍ ବନ୍ଧୁ ରାଷ୍ଟ୍ର ପ୍ରମୁଖଙ୍କ ହତ୍ୟା ଯୋଜନା କରିବାର ଆପ୍ସର୍ଦ୍ଧା ଭିତରେ ଅନେକ ଅନ୍ତର ଅଛି । ଏଭଳି ଚିନ୍ତା କରିବା ମଧ୍ୟ ଅମୂଳକ । ସେ ଆପଣଙ୍କ ବନ୍ଧୁ, ମାର୍ଜିତ, ଶାଳୀନ ବ୍ୟକ୍ତିତ୍ୱ, ତାଙ୍କ ପରିଚର୍ଯ୍ୟାରେ ଏକ ବଡ଼ ପ୍ରତିନିଧି ମଣ୍ଡଳ ଓ ବ୍ୟକ୍ତିଗତ କର୍ମଚାରୀ; ବିଶ୍ୱର ଅନେକ ସାମ୍ବାଦିକ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏପରି ଶଠତାପୂର୍ଣ୍ଣ ଅପଚେଷ୍ଟା ବିଫଳ ହେଉ ଅବା ସଫଳ ଯଦି ପ୍ରକଟ ହୋଇଯାଏ, ଏକ ବନ୍ଧୁ ରାଷ୍ଟ୍ର ସହିତ ସଂପର୍କରେ ଚିର ଦିନ ପାଇଁ ଦାଗ ଲାଗିଯିବ ।
ଧରନ୍ତୁ ପଟେଲଙ୍କ ଉକ୍ତି ମାନିନିଆଯାଏ ତାହେଲେ ଏଠାରେ ପ୍ରଶ୍ନ ଉଠେ ଯେ କେଜିବି କାହିଁକି ଅହମଦ ସାଟ୍ଟରୋଭ, ମହମ୍ମଦ ଜାନ୍ ଓ ଅନ୍ୟମାନଙ୍କୁ ଗିରଫ କଲା; ସେମାନେ ତ ନିଜର କୃତ୍ୟ ଲୁଚାଇବାକୁ ଶତଚେଷ୍ଟା କରିଥାଆନ୍ତେ । କୌଣସି ପ୍ରକାରର ସେଙ୍କତ ବି ଦେଇନଥାଆନ୍ତେ ଯେ ଶାସ୍ତ୍ରୀଙ୍କ ଦେହାନ୍ତ ହୃଦ୍ଘାତ ନୁହେଁ ବରଂ ଏହା ଏକ ଅସ୍ୱାଭାବିକ ମୃତ୍ୟୁ । କିନ୍ତୁ ରୋଷେୟାମାନଙ୍କୁ କେବଳ ଗିରଫ କରାଗଲା ନାହିଁ ରୁଷୀୟ ସରକାର ଶାସ୍ତ୍ରୀଙ୍କ ମରଶରୀରର ବ୍ୟବଚ୍ଛେଦ କରିବାକୁ ମଧ୍ୟ ପ୍ରସ୍ତାବ ଦେଲେ । ଏହି ମନୋବୃତ୍ତି ସେମାନଙ୍କ ସଚ୍ଚୋଟତାର ସ୍ପଷ୍ଟ ପ୍ରମାଣ । ୧୯୬୬ରେ ଗୃହ ସଚିବ ଏଲପି ସିଂହ ନିଜ ସଦ୍ୟପ୍ରକାଶିତ ପୁସ୍ତକ “ପ୍ରୋଟ୍ରେଟ୍ ଅଫ୍ ଲାଲ ବାହାଦୁର ଶାସ୍ତ୍ରୀ: ଏ କ୍ୱିଣ୍ଟେସେନ୍ସିଆଲ ଗାନ୍ଧିଆନ୍ (ପ୍ରକାଶକ ରବି ଦୟାଲ) ”Portrait of Lal Bahadur Shastri : A Quintessential Gandhian (Ravi Dayal Publisher, New Delhi)ରେ ସମ୍ଭବତଃ ଭୁଲବଶତଃ ‘ଶବ ବ୍ୟବଚ୍ଛେଦ’ ପ୍ରସ୍ତାବ ଉତ୍ଥାପନ କରିଦେଇଛନ୍ତି । ତାଙ୍କ ମୁଖ୍ୟ ଉଦ୍ଧେଶ୍ୟ ଥିଲା ଶାସ୍ତ୍ରୀଙ୍କ ମୃତ୍ୟୁକୁ ଘେନି ଗଢ଼ିଉଠିଥିବା ଷଡ଼ଯନ୍ତ୍ର ମତବାଦଗୁଡ଼ିକର ନାଶ କରିବା କିନ୍ତୁ ସେ ବି ଶେଷରେ ସରକାରୀ ବିବୃତି ଉପରେ ପ୍ରଶ୍ନ ଉଠାଇଲେ କାରଣ ସରକାରଙ୍କ ବିବରଣରେ ଶବ ବ୍ୟବଚ୍ଛେଦର କୌଣସି ପ୍ରସ୍ତାବ ବିଷୟରେ ଉଲ୍ଲେଖ କରାଯାଇନଥିଲା । ଏ ବିଷୟରେ ଶାସକ ଦଳର ସାଂସଦ ଶ୍ରୀ ଭାର୍ଗବ ସଂସଦରେ “ରୁଷୀୟମାନେ ବୋଧେ ଶବ ବ୍ୟବଚ୍ଛେଦ ଚାହୁଁଥିଲେକାରଣ ଏଭଳି ସମ୍ବେଦନଶୀଳ ଘଟଣାରେ ସେମାନେ ବୋଧହୁଏ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରିଥିଲେ” ଭଳି ଉପସ୍ଥାପନ ପରେ ମଧ୍ୟ ସରକାର ନିଜ ବିବରଣରେ କୌଣସି ସଂଶୋଧନ ଆଣିଲେ ନାହିଁ ।
ଏଲପି ସିଂହ ନିଜ ପୁସ୍ତକରେ ଏହା ମଧ୍ୟ ପ୍ରକଟନ କରିଥିଲେ ଯେ ସୋଭିଏତ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ କରିବା ପାଇଁ ସେମାନଙ୍କ ଉଦ୍ଧେଶ୍ୟ ବିଷୟରେ ରାଷ୍ଟ୍ରଦୂତ ଟିଏନ କୌଲଙ୍କୁ ଅବଗତ କରାଇଥିଲେ । ସେମାନେ ସୂଚନା ଦେଇଥିଲେ ଯେ “ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ କରାଯିବା ସୋଭିଏତ ସଙ୍ଘର ପ୍ରଥା ରହିଆସିଛି” । କିନ୍ତୁ ସିଂହଙ୍କର ବୋଧେ ଧାରଣା ନଥିଲା ଯେ ବିଷ ପ୍ରୟୋଗ ଜନିତ ହତ୍ୟା ଅଭାସ୍ ମାତ୍ରେ ହିଁ ସୋଭିଏତ ରାଷ୍ଟ୍ର ଶବ ବ୍ୟବଚ୍ଛେଦ କରାଇଥାଏ- ଓ ଶାସ୍ତ୍ରୀଙ୍କ ମୃତ୍ୟୁ ବିଷୟରେ ଏହିଭଳି କିଛି ସନ୍ଦେହ କ୍ରମରେ ସେମାନେ ଅହମ୍ମଦ ସାଟ୍ଟାରୋଭ ଓ ଅନ୍ୟାନ୍ୟ ରୋଷେୟାଙ୍କୁ ଅଟକ ରଖିଥିଲେ । ନଭେମ୍ବର ୧୯୫୨ର ଏକ ସିଆଇଏ ରିପୋର୍ଟ ଅନୁଯାୟୀ ମାନବ ଜୀବନର ମୂଲ୍ୟ ତୁଚ୍ଛ ବୋଲି ପରିଗଣିତ ହେଉଥିବା ଜୋଶେଫ ଷ୍ଟାଲିନ୍ଙ୍କ ବର୍ବରଚିତ ଶାସନ କାଳରେ ମଧ୍ୟ ପ୍ରତି ମୃତ୍ୟୁର ସଠିକ୍ କାରଣ ନିରୂପିତ କରିବା ଘେନି ଅତ୍ୟନ୍ତ ପ୍ରଯତ୍ନ କରାଯାଉଥିଲା । “ବିଷ ପ୍ରୟୋଗ, ଦୁର୍ଘଟଣାଜନିତ ମୃତ୍ୟୁ ଓ ହତ୍ୟା” ଭଳି ଘଟଣାରେ ଏହି ନିୟମ ବାଞ୍ଛାନୀୟ ଥିଲା । ଉପରୋକ୍ତ ରିପୋର୍ଟ ୨୦୧୪ରେ ବିବର୍ଗୀକୃତ ହୋଇଥିଲା ଓ ଏଥିରେ ସବିସ୍ତାରିତ ଉଲ୍ଲେଖ ଥିଲା “ଯେ ବିଷ ପ୍ରୟୋଗ ସନ୍ଦେହରେ ଶରୀରର ପ୍ରତ୍ୟେକ ଯନ୍ତ୍ରର ରାସାୟନିକ ପରୀକ୍ଷଣ କରାଯାଉଥିଲା । ଅନେକ ସ୍ଥଳେ ଶରୀରର ଅଂଶଗୁଡ଼ିକୁ ପରୀକ୍ଷଣ ନିମନ୍ତେ ବିଜାଣୁଗାରକୁ ପଠାଯିବାର ବ୍ୟବସ୍ଥା ଥିଲା ।”
କିନ୍ତୁ ରୁଷିଆର ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା । କୌଲ ମଧ୍ୟ ସିଂହଙ୍କ ପରାମର୍ଶ ଲୋଡ଼ିଥିଲେ । ସିଂହ କହିଥିଲେ, “ଭାରତରେ ଶବ ବ୍ୟବଚ୍ଛେଦ ଶବର ଅପବିତ୍ରକରଣ ବୋଲି ଧରାଯାଏ ।” ଶାସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଇତିହାସ ଓ ପରିସ୍ଥତି ହୃଦ୍ଘାତକୁ ହିଁ ସୂଚାଉ ଥିଲା ଅନୁମାନ କରି କୌଲ ଶବ ବ୍ୟବଚ୍ଛେଦର ‘ଅନାବଶ୍ୟକତା’ ଅନୁଭବ କଲେ ଓ ତାସକନ୍ଦରେ ତଦନୁରୂପ ନିର୍ଣ୍ଣୟ ନେଲେ । କିନ୍ତୁ ଏହା କିଭଳି ସମ୍ଭବ ଯେ ଘଟଣା ତଦ୍ପରବର୍ତ୍ତି ସମୟରେ ବ୍ୟକ୍ତିଗତ ରୋଷେୟାଙ୍କ ଗିରଫ ସତ୍ୱେ ସିଂହ ରୁଷୀୟ କର୍ତ୍ତୃପକ୍ଷଙ୍କ ସନ୍ଦେହ ବିଷୟରେ ଅଜଣା ଥିଲେ? କୌଲ ନିଶ୍ଚୟ ଅବଗତ ଥିବେ । ସେ କ’ଣ ଏଭଳି ଛାଞ୍ଚଲ୍ୟକାରୀ ସୂଚନା ବିଷୟରେ ବିଦେଶ ଓ ଗୃହ ସଚିବଙ୍କୁ ଜଣାଇନଥିଲେ? ସେ ଏଭଳି କରିଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ । କାହିଁକି ? କାହିଁକି ଜଣେ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୃତ୍ୟୁ ଘେନି ଏଭଳି ବିଷ୍ଫୋରକ ସୂଚନା ଲୁଚାଇବାକୁ ଚାହିଁବେ? କାହିଁକି ସେ ବରିଷ୍ଠ ପତ୍ରକାର କୁଲଦୀପ ନାୟାରଙ୍କୁ ବିଷ ପ୍ରୟୋଗ ଅଭିଯୋଗ ବିରୁଦ୍ଧରେ ମତ ରଖିବା ପାଇଁ ଚାପ ପକାଇଥିଲେ? ଅତୀତ ଘଟଣାକୁ ବିନା ସେଙ୍କାଚରେ, ବିନା ଦ୍ୱିଧାରେ ଆଲୋଚନା କରିିବାରେ ରୁଚି ରଖୁଥିବା ଜଣେ ବ୍ୟକ୍ତିତ୍ୱ କାହିିଁକି ଶାସ୍ତ୍ରୀଙ୍କ ମୃତ୍ୟୁ ବ୍ୟାପାର ସର୍ବସାଧାରଣରେ କେବେ ଆଲୋଚନା କରିନଥିଲେ?
ତେଣୁ ଯଦି ଆମେରିକୀୟମାନଙ୍କ ଶାସ୍ତ୍ରୀଙ୍କ ମୃତ୍ୟୁରେ କୌଣସି ଭୂମିକା ନାହିଁ ଓ ରୁଷୀୟମାନଙ୍କ ମଧ୍ୟ ସମ୍ଭାବ୍ୟ ସଂପୃକ୍ତି ନେଇ କୌଣସି ପ୍ରମାଣ ନାହିଁ ତେବେ କିଏ ତାସକନ୍ଦରେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ପ୍ରେରିତ କଲା?
ସାମାଜିକ ଗଣମାଧ୍ୟମର ଏହି ଯୁଗରେ ଶାସ୍ତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ସୃଷ୍ଟି ଅନେକ ‘ଷଡ଼ଯନ୍ତ୍ର ମତବାଦ’ ମଧ୍ୟରୁ ସବୁଠାରୁ ଲଜ୍ଜାଜନକ ମତଟି ବହୁତ ଖୋଲାଖୋଲି ଭାବେ ଆଲୋଚିତ ହେଉଛି । ୧୮ ଡିସେମ୍ବର ୧୯୭୦ରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହିତ ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପ୍ରସଙ୍ଗକ୍ରମେ ଏକ ଉତ୍ତେଜନାପୂର୍ଣ୍ଣ ବାକ୍ୟବିନିମୟ ଅବସରରେ ରାଜ ନାରାନ ଇନ୍ଦିରା ଗାନ୍ଧୀଙ୍କ ନାମ ବିବାଦ ଘେରକୁ ଆଣିଥିଲେ । ରାଜ ନାରାନ ଖୋଲାଖୋଲି ତାସକନ୍ଦ ଘଟଣାରେ ଇନ୍ଦିରା ଗାନ୍ଧୀଙ୍କ ସଂପୃକ୍ତ ବୋଲି ଆପେକ୍ଷ କରିଥିଲେ । ସେ କହିଲେ ସାରା ଦେଶର ଲୋକେ କୁହାକୁହି ହେଉଛନ୍ତି ଶାସ୍ତ୍ରୀଙ୍କ ହତ୍ୟା ସେଇମାନଙ୍କ ନିର୍ଦ୍ଧେଶ ପ୍ରଣୋଚିତ ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଆସୀନ କରିବାକୁ ଚାହୁଁଥିଲେ । ଏହି କ୍ରମରେ ଇନ୍ଦିରା ଗାନ୍ଧୀଙ୍କ ନାମ ସର୍ବାଗ୍ରେ ନିଆଯାଇପାରେ କାରଣ – ରାଜ ନାରାନଙ୍କ ଭାଷାରେ- ଇନ୍ଦିରା ଗାନ୍ଧୀ ସଦା ଖେଦୋକ୍ତି ପ୍ରକାଶ କରୁଥିଲେ ଯେ ତାଙ୍କ ଗୃହ ଚାକର ପ୍ରଧାନମନ୍ତ୍ରୀ ହୋଇପାରିଲା କିନ୍ତୁ ସେ ନୁହେଁ ।
“ୱ ହମାରା ଘର କା ନୌକର ପ୍ରଧାନମନ୍ତ୍ରୀ ବନ ଗୟା ଔର ମେ ଐସେ ହି ରହ ଗଇ ।”
ନାରାନ ଦୋଷାରୋପ ପୂର୍ବକ କହିଥିଲେ ଇନ୍ଦିରା ଗାନ୍ଧୀ ତ ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଯୋଗଦେବାକୁ ଅନିଚ୍ଛୁକ ଥିଲେ । ‘ଏକଦା ଶାସ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କୁ କହିଲେ ତୁମେ ଯଦି ଯୋଗଦେବାକୁ ଚାହଁ ତ ସୂଚନା ଓ ପ୍ରସାରଣ ବିଭାଗ ଦାୟିତ୍ୱ ନେଇପାରେ କିନ୍ତୁ ଏହାଠାରୁ ଅଧିକ କିଛି ନୁହେଁ । ଯେବେ ଅଧ୍ୟକ୍ଷ ମହୋଦୟ ନାରାନଙ୍କ ପଚାରିଲେ ସେ ପ୍ରକୃତରେ କେଉଁ ଦିଶାରେ ଇଙ୍ଗିତ କରୁଛନ୍ତି, ନାରାନ ଏପରି ଜଣେ କୁଖ୍ୟାତ ଚରିତ୍ରଙ୍କ ନାମ ନେଲେ ଯେ ନିଜ ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ସକାଶେ ବେଶ୍ ଜଣାଶୁଣା । ଅଧୁନା ବିଜୟ ମାଲ୍ୟା, ଲଳିତ ମୋଦି ଓ ନୀରବ ମୋଦିଙ୍କ ନାମ ଯେଉଁଭଳି ନିଆଯାଏ ସେ ସମୟରେ ଉପରୋକ୍ତ ବ୍ୟକ୍ତିଙ୍କୁ ମଧ୍ୟ ସେହି ଦୃଷ୍ଟିରେ ଦେଖାଯାଉଥିଲା । ଜୟନ୍ତୀ ଧର୍ମ ତେଜାଙ୍କ ବିଷୟରେ ରାଜ୍ୟ ସଭାରେ ନାରାନ କହିଥିଲେ :
‘ଖବର ଅନୁଯାୟୀ ତେଜା କହିଥିଲେ ମୋ ନାମ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ନିଆଯାଉଥିବାରୁ ଭାରତ ଫେରିବା ମୋ ପାଇଁ ସଙ୍କଟଜନକ ହୋଇପାରେ । ତେଜା କହିଥିଲେ ମୁଁ ତାଙ୍କ ବିଷୟରେ ବହୁତ କିଛି ଜାଣେ । ମୁଁ ହିଁ ପ୍ରଥମେ ଗୃହରେ ଧର୍ମ ତେଜାଙ୍କ ଘଟଣା ଦିନ ତାସକନ୍ଦରେ ଉପସ୍ଥିତି ବିଷୟରେ ପ୍ରଶ୍ନ ଉତ୍ଥାପନ କରିଥିଲି । ଗୃହମନ୍ତ୍ରୀ ଚଭାନ କହିଥିଲେ ତେଜା ସାଙ୍ଗିଆଧାରୀ ଅନ୍ୟ ଜଣେ ସେଦିନ ତାସକନ୍ଦରେ ଉପସ୍ଥିତ ଥିଲେ । ମୁଁ ଗୃହମନ୍ତ୍ରୀଙ୍କଠୁ ଜାଣିବାକୁ ଚାହେଁ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ସହିତ ତେଜାଙ୍କ ସଂପର୍କ ବିଷୟରେ କ’ଣ ତାଙ୍କ ନିକଟରେ କୌଣସି ସୂଚନା ଅଛି କି? । କ’ଣ ସରକାର ଜାଣନ୍ତି, ତେଜା ଶାସ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଅନୁମତି ଦେଇନଥିଲେ ।’
ଧର୍ମ ତେଜାଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା, ସତୁରୀ ଦଶକର ଜଣେ ଅଗ୍ରଗଣ୍ୟ ରାଜନୈତିକ ସମ୍ବାଦଦାତା ଜନାର୍ଦ୍ଧନ ଠାକୁରଙ୍କ ୧୯୭୫ ଜରୁରୀକାଳୀନ ପରିସ୍ଥିତି ପରେ ଲିଖିତ ଏକ ଚମତ୍କାର ପୁସ୍ତକରେ ଦେଖିବାକୁ ମିଳେ । ଅଲ ପ୍ରାଇମମିନିଷ୍ଟରର୍ସ ମେନ(ବିକାଶ ପବ୍ଳିସିଙ୍ଗ, ଦିଲ୍ଲୀ)ରେ All the Prime Minister’s Men ( Vikas Publishing House, Delhi) ଭାରତର ପ୍ରଥମ ପରିବାର ସହିତ ଅନ୍ତରଙ୍ଗ କିନ୍ତୁ ବିବାଦସ୍ପଦ କିଛି ରଙ୍ଗିଲା ବ୍ୟକ୍ତି ବିଶେଷଙ୍କ ବିଷୟରେ ବ୍ୟାଖ୍ୟାନ କରାଯାଇଛି । ଜନାର୍ଦ୍ଧନ ଠାକୁରଙ୍କ ମତରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ତେଜା ଜଣେ ତୋଷାମତିଆ ସ୍ୱଭାବ ସଂପନ୍ନ ଓ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାରେ ସିଦ୍ଧହସ୍ତ । ପଣ୍ଡିତ ନେହେରୁଙ୍କ ସମୟରେ, ତିନ ମୂର୍ତ୍ତିହାଉସର ସେ ଜଣେ ‘ପାରିଷଦ’ ସଦୃଶ୍ୟ ଥିଲେ । ତାଙ୍କୁ ସର୍ବଦା ନିଜ ସୁନ୍ଦରୀ ପତ୍ନୀ ରଞ୍ଜିତା କୌରଙ୍କ ସହିତ ଦେଖିବାକୁ ମିଳୁଥିଲା । ରୋମର ଏକ ହୋଟେଲରେ ତାଙ୍କ ଧନାଢ଼୍ୟ ଇହୁଦୀ ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ଉପରାନ୍ତ, ତେଜା, ରଞ୍ଜିତା କୌରଙ୍କୁ ବିବାହ କରିଥିଲେ ।
(Illustrated Weekly of India, ୧୯୭୧ର ପ୍ରକାଶିତ ଏକ ଆଲେଖ୍ୟରେ କହିଥଲା, “୧୯୬୦-୬୧ରେ ତାଙ୍କ ପତ୍ନୀଙ୍କ ରୋମସ୍ଥିତ ଏକ ହୋଟେଲରେ ମୃତ୍ୟୁ ପ୍ରସଙ୍ଗ ବେଶ୍ କିଛି କାଳ ପର୍ଯ୍ୟନ୍ତ ଅରୁଚିକର ତଥା ନିରର୍ଥକ ଗଳ୍ପାଳପର ବିଷୟବସ୍ତୁ ଥଲା ।)
ଧର୍ମ ତେଜା, ପ୍ରକୃତରେ ଜଣେ ପରମାଣୁ ବିଜ୍ଞାନୀ ଯାହାଙ୍କ ଏକ ନିବନ୍ଧ ବର୍ତ୍ତମାନ ସିଇଆରଏନ (CERN)ରେ ଉପଲବ୍ଧ । ସେ ରାତାରାତି ଜଣେ ଶକ୍ତିଶାଳୀ ନୌପରିବହନ ଉଦ୍ୟୋଗପତି ଭାବେ ବିଖ୍ୟାତ ହୋଇଥିଲେ । ନିଜସ୍ୱ ସମ୍ବଳ ମାତ୍ର ଦୁଇଶହ ଟଙ୍କା ଓ ସରକାରଙ୍କଠାରୁ କୌଶଳପୂର୍ବକ ହାତେଇଥିବା କୋଡ଼ିଏ କୋଟିର ଋଣ ଦ୍ୱାରା ସେ ୧୯୬୧ରେ ଜୟନ୍ତୀ ସିପିଙ୍ଗ କର୍ପୋରେସନ ନାମକ ଏକ ନୌପରିବହନ କମ୍ପାନୀର ଅୟାରମ୍ଭ କରିଥିଲେ । ଅଲ ପ୍ରାଇମିନିଷ୍ଟରର୍ସ ମେନ ଅନୁସାରେ “କୁଛ ତୋଡ଼ା ସା ଦେ ଦୋ” (ତାଙ୍କୁ ଅଳ୍ପ କିଛି ଦିଅ) ବୋଲି ବଦାନ୍ୟ ନେହେରୁ ବିଭାଗୀୟ ମନ୍ତ୍ରୀଙ୍କୁ କହିଥିଲେ । ପ୍ରଖ୍ୟାକ ସାମ୍ବାଦିକ ଇନ୍ଦର ମାଲହୋତ୍ରାଙ୍କ rediff .com(ଇନ୍ଦର ମାଲହୋତ୍ରା, Before Ramling Raju, there was Dharma Teja,୧୨ ଫ୍ରେବୃଆରୀ,୨୦୦୯, https://www.cia.rediff.com/money/2009/feb/12-before-raju-there-was-dharma-teja.htmରୁ ପ୍ରାପ୍ତ)ପ୍ରକାଶିତ ଏକ ଆଲେଖ୍ୟ ଅନୁସାରେ ସେତେବେଳେ କିଛି ଅମଲାତନ୍ତ୍ରୀ ବିଶେଷ କରି ନୌପରିବହନ ନିର୍ଦ୍ଧେଶାଳୟ (Directorate General of Shipping)ର କର୍ମକର୍ତ୍ତା ଏଥିରେ ଆପତ୍ତି ଉଠାଇଥିଲେ ଓ ଏହି ସମସ୍ୟାର ସମାଧାନରେ କ୍ୟାବିନେଟର ସହାୟତା ଲୋଡ଼ାଗଲା । ଇ-ପ୍ଳାର୍ଟଫର୍ମରେ ଉପଲବ୍ଧ ‘ଦ ନୁ୍ୟଜ୍ ମିନିଟ’(The News Minute) ନାମକ ଖବର ସରବରାହ ସଂସ୍ଥା ଜୁନ ୨୦୧୫ରେ ସଂସ୍କରଣରେ ପ୍ରକାଶିତ ଏକ ଲେଖାରେ କହିଥିଲା ଆଜିର ସମୟରେ ୨୦ କୋଟି ମାମୁଲି ହୋଇପାରେ କିନ୍ତୁ ୫୪ ବର୍ଷ ପୂର୍ବେ ଏହା ବୃହତ୍ ଧନରାଶି ଥିଲା । ମାର୍ଚ୍ଚ ୧୯୬୨ରେ ସଂସଦ ଅଧିବେଶନ କାଳରେ ଏକ ପ୍ରଶ୍ନର ଉତ୍ତର ରଖି ସରକାର କହିଥିଲେ “ଆମ ସୂଚନା ଅନୁସାରେ ଶ୍ରୀ ତେଜା ଜଣେ ଉଦ୍ଯୋଗୀ ବ୍ୟବସାୟୀ ଓ “ତାଙ୍କ ଋଣ ଅନୁମୋଦନ କରିବାରେ ସରକାରଙ୍କ ଯାହା ପ୍ରଭାବିତ କରିଥିଲା ତାହା ହେଲା ସରକାରଙ୍କ କୌଣସି କ୍ଷତି ହେବାର ଆଶଙ୍କା ନାହିଁ ବରଂ ସରକାର ଏହା ଦ୍ୱାରା ବହୁତ ଲାଭବାନ୍ ହୋଇପାରିବେ ।”
ତେଣୁ ନେହେରୁଙ୍କ ଶାସନକାଳରେ ତେଜା ତୀବ୍ର ଅଗ୍ରଗତି ଲାଭକଲେ ଓ ତାଙ୍କ ଖ୍ୟାତି ଆଶାତୀତ ଭାବେ ବୃଦ୍ଧି ପାଇଲା । ନ୍ୟୁୟର୍କ, ଲଣ୍ଡନ, ପ୍ୟାରିସ୍, ରୋମ୍ ଓ ଫ୍ରେଞ୍ଚ୍ ରିଭେରିଆରେ ସେ ଅଫିସ ଓ ବିଳାସପୂର୍ଣ୍ଣ ଗୃହ କ୍ରୟ କରିଲେ । ଦିଲ୍ଲୀରେ ତାଙ୍କ ବନ୍ଧୁ ମହଲରେ ଟିଏନ କୌଲ ଓ ନେହେରୁଙ୍କ ସମ୍ପର୍କୀୟ ଭାଇ ଆର.କେ. ନେହେରୁ (ଆମେରିକାର ରାଷ୍ଟ୍ରଦୂତ)ଅନ୍ୟତମ । ଠାକୁର ଲେଖିଛନ୍ତି ତେଜା ଯେବେ ବି ମସ୍କୋ ଯାଉଥିଲେ କୌଲଙ୍କ ଗୃହରେ ଅବସ୍ଥାନ କରୁଥିଲେ । କୌଲଙ୍କୁ ଫଟୋ ଉତ୍ତୋଳନ ପସନ୍ଦ ଥିବାରୁ ତାଙ୍କ ପାଇଁ ଆଧୁନିକ କ୍ୟାମେରା ବା ଫିଲ୍ମ ପ୍ରୋଜେକ୍ଟର ଭେଟି ଦେଉଥିଲେ । “କିଛିଙ୍କ ପାଇଁ ଇଲେଟ୍ରୋନି୍କ୍ସ ସାମଗ୍ରୀ, କିଛିଙ୍କ ପାଇଁ ଯନ୍ତ୍ରଚାଳିତ କଣ୍ଢେଇ ଓ ଅନ୍ୟ କେତେକଙ୍କ ସକାଶେ ଦାମିକା ‘ମିଙ୍କ’ କୋଟ ଭେଟିସ୍ୱରୂପ ଆଣୁଥିଲେ” । ‘ଦ ନୁ୍ୟଜ୍ ମିନିଟ’ର ଏକ ଆଲେଖ୍ୟ ଅନୁସାରେ ତେଜା ଇନ୍ଦିରାଙ୍କୁ ‘ମିଙ୍କ୍’ କୋଟ ଉପହାର ଦେଇଥିଲେ । ଏହା ପରେ ଦୁଇଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପିତ ହୋଇଥିଲା । (Meet Jayanti Dharam Teja, the Lalit Modi of the 60’s, 19 June 2015.https://www.thennewsminute.com/article/meet-jayanti-dharam-teja-the-lalit-modi-60’sରୁ ପ୍ରାପ୍ତ)
ତେଜାଙ୍କ ଦ୍ୱିତୀୟ ପତ୍ନୀଙ୍କ ଗୁରୁତ୍ୱ ବିଷୟରେ କହିବାକୁ ଯାଇ ଠାକୁର କହନ୍ତି: “ଏହି ସୁନ୍ଦରୀ ମହିଳା ନିଜ ସ୍ୱାମୀଙ୍କ ନିମନ୍ତେ ଏକ ସମ୍ପଦ ସଦୃଶ୍ୟ ଥିଲେ । ସେ କେବଳ ବ୍ୟାଙ୍କର ଓ ବ୍ୟବସାୟୀଙ୍କ ସହିତ ଉତ୍ତମ ସମ୍ପର୍କରେ ନଥିଲେ ଅନେକ ବୟସ୍କ ରାଜନେତାଙ୍କୁ ମଧ୍ୟ ଆକର୍ଷିତ କରିପାରୁଥିଲେ” ।
ତିନି ମୂର୍ତ୍ତିରେ ତେଜା ଦମ୍ପତ୍ତି ନିଜ ସ୍ୱଭାବ ଅନୂରୂପ ନେହେରୁ ଓ ତାଙ୍କ ଦାୟଦମାନଙ୍କୁ (ଇନ୍ଦିରା ଗାନ୍ଧୀ, ସଞ୍ଜୟ ଓ ରାଜୀବ)ସନ୍ତୁଷ୍ଟ କରିବାର କୌଣସି ମଉକା ହାତଛଡ଼ା କରୁନଥିଲେ । ଠାକୁରଙ୍କ ପୁସ୍ତକ ଅନୁଯାୟୀ ରାଜୀବ ଓ ସଞ୍ଜୟ ବିଦେଶରେ ଥିବା ସମୟରେ ତେଜା, ସେମାନଙ୍କ ଅଭିଭାବକର ଦାୟିତ୍ୱ ନିର୍ବାହ କରୁଥିଲେ । “ସେମାନଙ୍କର ଯେବେ ବି ଅର୍ଥ ଦରକାର ହୁଏ, ଅଙ୍କଲ ତେଜାଙ୍କୁ ଜଣାନ୍ତି” ।
ତେଜାଙ୍କ ସବୁ ସ୍ୱପ୍ନର ଅନ୍ତ ୧୯୬୪ ଘଟିଲା । ଅଲ ଦ ପ୍ରାଇମ ମିନିଷ୍ଟରସ୍ ମେନ (All the Prime Minister’s Men) ରେ ଉଲ୍ଲେଖ ଅଛି : ତେଜା ତ ନେହେରୁଙ୍କ ସହିତ ନିଜ ସମ୍ପର୍କକୁ ଉତ୍ତମ ରୂପେ ସଂଚାଳିତ କରୁଥିଲେ, କିନ୍ତୁ ତାଙ୍କ ଯାଦୁ ସେଇ କମ୍ ଉଚ୍ଚତା ବିଶିଷ୍ଟ ମଣିଷଟିକୁୁ ବଶୀଭୂତ କରିପାରିନଥିଲା । ଏକଦା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଡକରା କ୍ରମେ ତେଜା ନିଜ ପତ୍ନୀଙ୍କ ସହିତ ଉପସ୍ଥିତ ହେଲେ । ଶାସ୍ତ୍ରୀଜୀଙ୍କୁ ଏହା ଠିକ୍ ଲାଗିଲା ନାହିଁ । ସେ ତେଜାଙ୍କୁ ରୁକ୍ଷ ସ୍ୱରରେ ସଂକ୍ଷିପ୍ତରେ କହିଲେ “ସାକ୍ଷାତକାର ତୁମ ସହିତ ଥିଲା, ତୁମ ପତ୍ନୀଙ୍କ ସହିତ ନୁହେଁ” ।
କିଛି ବର୍ଷ ଉପରାନ୍ତ ସଂସଦରେ ବିରୋଧି ଦଳର କିଛି ସାଂସଦ ଦାବି କରିଥିଲେ (ଏହା ସରକାରଙ୍କ ଦ୍ୱାରା ପୂରାପୁରି ଅସ୍ୱୀକାର କରାଯାଇ ନାହିଁ) ଯେ ଶାସ୍ତ୍ରୀଜୀଙ୍କୁ, ତେଜାଙ୍କ ଭଣଜା ଓ ତାଙ୍କ କମ୍ପାନୀର ଅନ୍ୟତମ ନିର୍ଦ୍ଧେଶକ ଜି. ନାରାୟଣ ଏକ ଲିଖିତ ବିବୃତି ପ୍ରେରଣ କରିଥିଲେ । ପତ୍ରଟିରେ କମ୍ପାନୀର ଅନେକ ଅନିୟମିତତା ବିଷୟରେ ଉଲ୍ଲେଖ କରାଯାଇଥିଲା । ଶାସ୍ତ୍ରୀଙ୍କ ସରକାର ତେଜାଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । କିନ୍ତୁ ଶାସ୍ତ୍ରୀଙ୍କ ଦେହାନ୍ତ ପରେ ତେଜା ଶାସକବର୍ଗ ସହିତ ପୁନଃ ସମ୍ପର୍କ ସ୍ଥାପିତ କଲେ । ୧୯୬୬ରେ ଇନ୍ଦିରା ଗାନ୍ଧୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକାଳର ରିପୋର୍ଟ କରିବାକୁ ଇନ୍ଦର ମାଲହୋତ୍ରା ୱାଶିଂଟନ ଡ଼ିସିରେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧିତ୍ୱ କରୁଥିବା ଜି. ପାର୍ଥସାରଥିଙ୍କ ଗୃହରେ ରାତ୍ରଭୋଜନ ଅବସରରେ ତେଜାଙ୍କୁ ହଠାତ୍ ଭେଟିଥିଲେ ।
ନ୍ୟାୟଚକ୍ରର ଘୁର୍ଣ୍ଣୟମାନ ପ୍ରବାହରେ ତେଜାଙ୍କ ଭାଗ୍ୟ କଡ଼ ଲେଉଟାଇଲା । ଗିରଫ ଭୟରେ ଜୁନ ୧୯୬୬ରେ ନୂଆ ଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରୁ ସେ ଚମ୍ପଟ ହୋଇଗଲେ । ଏକ ବର୍ଷ ପରେ ତାଙ୍କୁ ନ୍ୟୁୟର୍କରେ ଗିରଫ କରାଗଲା କିନ୍ତୁ ସେ କୋଡ଼ିଏ ହଜାର ଡଲାର ବିନିମୟରେ ଜାମିନ ପ୍ରାପ୍ତ ହୋଇ କୋଷ୍ଟାରିକା ପଳାଇଲେ । ଜୁଲାଇ ୧୯୩୦ରେ ତାଙ୍କୁ ପୁନଃ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରଠାରେ ଗିରଫ କରାଗଲା । ବିରୋଧି ଦଳଙ୍କ ନିରନ୍ତର ଦାବି ଯୋଗୁଁ ଲଣ୍ଡନ କୋର୍ଟରେ ଏକ ବ୍ୟୟ ବହୁଳ ପ୍ରତ୍ୟର୍ପଣ ମକଦ୍ଧମା ଲଢ଼ି ଶେଷରେ ତେଜାଙ୍କୁ ଭାରତ ଅଣାଗଲା । (ଜୁନ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜ୍ୟ ସଭାରେ ଜଣାଇଲେ ଯେ ଡ.ଧର୍ମ ତେଜାଙ୍କ ଗିରଫ ଓ ଭାରତକୁ ପ୍ରତ୍ୟର୍ପଣ କରିବାରେ ସରକାରଙ୍କର ୬,୬୬,୦୦୦ ଖର୍ଚ୍ଚ ହୋଇଛି । ତଥାପି ଳଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ ଓକିଲ ଓ ଆଇନ ସମ୍ବନ୍ଧୀୟ ପରାମର୍ଶରେ ବାବଦରେ ଆହୁରି ୨,୯୮,୪୦୦ ଦ୍ୟେୟ ବାକି ଅଛି ।)
ଇଣ୍ଡିଆ ଟୁଡ଼େର ଏକ ବିଶେଷ ରିପୋର୍ଟରେ କୁହାଯାଇଛି ଯେ କୋର୍ଟରେ ଭାରତର ପ୍ରତ୍ୟର୍ପଣ ଶୁଣାଣି ସମୟରେ ତେଜା ନିଜ ଓକିଲ ଲର୍ଡ ଡିଙ୍ଗଲ ଫୁଟ (ପୂର୍ବତନ ସଲିସିଟର ଜେନେରାଲ ଓ ବି୍ରିଟିଶ ସାଂସଦ) ମାଧ୍ୟମରେ ଦାବି କରିଥିଲେ ଯେ ସେ (ତେଜା) ଚୀନା ଆକ୍ରମଣ ସମୟରେ ଭାରତ ତରଫରୁ ସୋଭିଏତ ସଙ୍ଘଠାରେ କୁଟନୈତିକ କାର୍ଯ୍ୟ ପର୍ଯ୍ୟବେସିତ ଗୁପ୍ତ ମିଶନମାନ ପରିଚାଳିତ କରୁଥିଲେ । ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରଦୂତ ଅନୂରୁପ କିଛି ପଦବୀ ପାଇଁ ମଧ୍ୟ ତାଙ୍କ ନାମ ବିଚାର କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । (ସୁମିତ ମିତ୍ର, Jayanti Dharma Teja : An unheralded comeback, ଇଣ୍ଡିଆ ଟୁଡ଼େ, ୨୪ ଜୁଲାଇ ୨୦୧୩ )
ତେଜାଙ୍କ ବିଚାର ହେଲା ଓ ଅକ୍ଟୋବର ୧୯୭୨ରେ ଜୟନ୍ତୀ ସିପିଙ୍ଗ ର୍କପୋରେସନରେ ଜାଲିଆତି ଓ ଚପଳତା ଅଭିଯୋଗରେ ତିନି ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ତେଜା ଭାରତୀୟ ପାସପୋର୍ଟ ଆଇନ ଉଲଙ୍ଘନ କରିଥିଲେ । ଭାରତୀୟ ପାସ୍ପୋର୍ଟ ଆଇନ ଅନୁସାରେ ଦୁଇ ବର୍ଷରୁ ଉଦ୍ଧ୍ୱର୍ ଦଣ୍ଡାଦେଶରେ ଗ୍ରସିତ ବ୍ୟକ୍ତି ଦଣ୍ଡାଦେଶର ପାଞ୍ଚବର୍ଷ ପର୍ଯ୍ୟନ୍ତ ପାସ୍ପୋର୍ଟ ଆବେଦନ କରିବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ପ୍ରାବଧାନ ଅଛି । “କିନ୍ତୁ ତେଜା କେବଳ ପାସ୍ପୋର୍ଟ ପ୍ରାପ୍ତ ହେଲେ ନାହିଁ ନିଷେଧ ଅବଧି ପରିସମାପ୍ତିର ପାଞ୍ଚ ମାସ ପୂର୍ବରୁ ମେ ୧୯୭୭ରେ ବିଦେଶ ଗସ୍ତରେ ଯାଇଥିଲେ ।
(ସୁମିତ ମିତ୍ର, Jayanti Dharma Teja : An unheralded comeback, ଇଣ୍ଡିଆ ଟୁଡ଼େ, ୨୪ ଜୁଲାଇ ୨୦୧୩ )
୧୯୭୭ରେ ତେଜାଙ୍କର ଏହି କଥିତ ‘ପଳାୟନ’କୁ କେନ୍ଦ୍ର କରି ସଂସଦରେ ଓ ବାହାରେ ଅନେକ ହଟ୍ଟଗୋଳ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ତେଜାଙ୍କ ପ୍ରତି ଉତ୍ତମ ମନୋଭାବ ପୋଷଣ କରୁଥିଲେ କିନ୍ତୁ ତାଙ୍କ ଉତ୍ତରାଧିକାରୀ ଚରଣ ସିଂହ ନୁହେଁ । ଚରଣ ସିଂହଙ୍କ ସ୍ୱଳ୍ପକାଳୀନ ସରକାର ତେଜାଙ୍କୁ ଦେଶ ବାହାରକୁ ଉଢ଼ାଣ ଭରିଥିବା ପାନ୍ ଆମେରିକାନ୍ ବିମାନ ବିରୁଦ୍ଧରେ ମକଦ୍ଧମା ଦାୟର କଲା । ମକଦ୍ଧମା ଦୀର୍ଘ ସମୟ ପର୍ଯ୍ୟନ୍ତ ଗଢ଼ିଚାଲିଲା ଓ ଏହି ମଧ୍ୟରେ ତେଜା ତିନି ତିନି ଥର ପାସ୍ ପୋର୍ଟର ନବୀକରଣ କରାଇନେଲେ । ସମୟ ଗଢ଼ିବା ସହିତ ତେଜା ନିଜ ପୁରୁଣା ସମ୍ପର୍କମାନଙ୍କ ସହିତ ପୁନଃ ଯୋଗାଯୋଗ ସ୍ଥାପନ କଲେ । ଇଣ୍ଡିଆ ଟୁଡେ ରିପୋର୍ଟ ଆଧାରରେ “୧୯୮୧ରେ ପୁରୁଣା ପାରିବାରିକ ବନ୍ଧୁ ଇନ୍ଧିରା ଗାନ୍ଧୀଙ୍କୁ ସାକ୍ଷାତ କଲେ ଓ ଜୁଲାଇ ୧୯୮୨ରେ ଗାନ୍ଧୀ ଓ ତାଙ୍କ ପୁତ୍ର ରାଜୀବ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ନ୍ୟୁୟର୍କରେ ଭେଟିଥିଲେ” । (ସୁମିତ ମିତ୍ର, Jayanti Dharma Teja : An unheralded comeback,, ଇଣ୍ଡିଆ ଟୁଡ଼େ, ୨୪ ଜୁଲାଇ ୨୦୧୩ )
ବିଦେଶରେ ପାଞ୍ଚ ବର୍ଷର ରହଣୀ ପରେ ଫେବୃଆରୀ ୧୯୮୩ରେ ନିରୁଦ୍ବିଘ୍ନ ତେଜା ଭାରତ ଫେରିଆସିଲେ । ସାମ୍ବାଦିକ ଏସ୍. କେ. ଅଗ୍ରୱାଲ ନିଜ ୧୯୮୯ରେ ପ୍ରକାଶିତ ନିଜ ପୁସ୍ତକ ମିଡ଼ିଆ କ୍ରେଡ଼ିବିଲିଟି, (Media Credibility, Mittal Publications, New Delhi) ରେ କହିଛନ୍ତି ତେଜାଙ୍କ ଉପରେ ୧୩୫୩ କୋଟିର ଆୟକର ବାକି ଥିଲା କିନ୍ତୁ ଆୟକର ବିଭାଗର ସମ୍ଭାବ୍ୟ କାର୍ଯ୍ୟନୁଷ୍ଠାନ ଆଶଙ୍କାରେ ସେ ଆଦୌ ବିଚଳିତ ଥିବା ଭଳି ପ୍ରତୀୟମାନ ହେଉନଥିଲେ । କୌଶଳପୂର୍ବକ ସେ ଏହି ବୃହତ୍ ଅର୍ଥରାଶିକୁ କେବଳ ଫାଙ୍କିବାରେ ସମର୍ଥ ହୋଇନଥିଲେ ଅପିତୁ ଉଚ୍ଚସ୍ତରରେ ପ୍ରତିଷ୍ଠିତ ପରିଚିତ ବନ୍ଧୁଙ୍କ ସହ ପୁନଃମିଳିତ ହୋଇଥିଲେ । ଶେଷ ପର୍ଯ୍ୟନ୍ତ ତାଙ୍କ ପ୍ରକୃତ ଭୂମିକା ଅସ୍ପଷ୍ଟ ଥିଲା କାରଣ ସେ ସଦାବେଳେ ନିଜକୁ ନିର୍ଦ୍ଧୋଷ ବୋଲି ସଫେଇ ଦେବାକୁ ପଛାଉନଥିଲେ ।
ଇନ୍ଦର ମାଲହୋତ୍ରା ଲେଖିଛନ୍ତି ନେହେରଙ୍କ ପ୍ରଧାନ ବିରୋଧି ରାମ ମନୋହର ଲୋହିଆ ଲୋକସଭାରେ ଜାଣିବାକୁ ଦାବି କରିଥିଲେ ଯେ ଭାରତ ପାକିସ୍ତାନ ଆଲୋଚନା ସମୟରେ ତେଜା ତାସକନ୍ଦରେ କ’ଣ କରୁଥିଲେ । ବର୍ହିବ୍ୟାପାର ମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଜବାବ୍ ଦେଲେ ସଠିକ୍ ପରିଚୟ ନିର୍ଦ୍ଧାରଣ କରିବାରେ ବା ବ୍ୟକ୍ତିଙ୍କ ଚିହ୍ନିବାରେ ତ୍ରୁଟି ହେତୁ ଏଭଳି ପ୍ରଶ୍ନର ଅବକାଶ ସୃଷ୍ଟି ହେଲା । “ଅବଶ୍ୟ ଜଣେ ତେଜା ସେଦିନ ତାସକନ୍ଦରେ ଉପସ୍ଥିତ ଥିଲେ କିନ୍ତୁ ସେ ସଜ୍ଜନ ଆମ ମସ୍କୋସ୍ଥିତ ଦୂତବାସରେ କାର୍ଯ୍ୟରତ ଜେ.ଏସ. ତେଜା ନାମକ ଜଣେ ବିଦେଶ ସେବା ଅଧିକାରୀ ।” (ଇନ୍ଦର ମାଲହୋତ୍ରା, Before Ramling Raju, there was Dharma Teja, ୧୨ ଫ୍ରେବୃଆରୀ,୨୦୦୯, https://www.cia.rediff.com/money/2009/feb/12-before-raju-there-was-dharma-teja.htm ରୁ ପ୍ରାପ୍ତ)
ଡିସେମ୍ବର ୧୯୭୦ରେ ରାଜ୍ୟସଭାରେ ପ୍ରବଳ ଶବ୍ଦବାଣର ପ୍ରତିକ୍ରିୟାରେ ଉପ ଗୃହମନ୍ତ୍ରୀ ରାମ ନିୱାସ ମିର୍ଦ୍ଧା ସେହି ଉତ୍ତର ଦୋହରାଇଥିଲେ ଯାହା ତାଙ୍କ ପୂର୍ବରୁ ଲୋକସଭାରେ ସ୍ୱର୍ଣ୍ଣ ସିଂହ କହିଥିଲେ । ଏହି ଯେ ତାସକନ୍ଦଠାରେ ସେଦିନ ଉପସ୍ଥିତ ବ୍ୟକ୍ତି ଜଣକ ଧର୍ମ ତେଜା ନୁହେଁ ବରଂ ଭାରତ ସରକାର ଅଧିନସ୍ତ ଜଣେ ବିଦେଶ ସେବା ଅଧିକାରୀ, ଡଃ ଜେ.ଏସ. ତେଜା । (ଡ଼. ଧର୍ମ ତେଜା ଜେନିଭାସ୍ଥିତ ସଂଯୁକ୍ତ ରାଷ୍ଟ୍ରରେ ୧୯୮୬ରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇଥିଲେ ।) ରାଜ ନାରାନ ତତ୍କ୍ଷଣାତ୍ ପଚାରିଲେ, “ସେ ସମୟରେ ଧର୍ମ ତେଜା ମସ୍କୋରେ ଥିଲେ ନା ନାହି?” ମନ୍ତ୍ରୀ କହିଲେ : ନା, ସେ ମସ୍କୋରେ ନଥିଲେ, ପୁଣି ନାରାନ ସେଇ ପ୍ରଶ୍ନ ପୁନଃ ପଚାରିଲେ କି ଶାସ୍ତ୍ରୀଙ୍କ ମୃତ୍ୟୁ ଦିନ ଧର୍ମ ତେଜା ସୋଭିଏତ ରୁଷରେ ଉପସ୍ଥିତ ଥିଲେ ନା ନାହିଁ ? ମିର୍ଦ୍ଧା ପୁଣି ଉତ୍ତର ରଖିଲେ ଯେ ତାଙ୍କ ନିକଟରେ ପ୍ରାପ୍ତ ସୂଚନା ଅନୁଯାୟୀ ଧର୍ମ ତେଜା ସେଦିନ ତାସକନ୍ଦରେ ନଥିଲେ ଓ ଏହି ବ୍ୟାପାରରେ ତାଙ୍କର କୌଣସି ସଂପୃକ୍ତି ନାହିଁ ।
କିଛି ସମୟ ଉପରାନ୍ତ ଏଲ.କେ. ଆଡ଼ଭାନୀ ଆଲୋଚନାରେ ଅଂଶ ଗ୍ରହଣ କଲେ: “ଶ୍ରୀ ଜୟନ୍ତୀ ତେଜାଙ୍କ ବିଷୟରେ ଏବେ ଏବେ ମନ୍ତ୍ରୀ ମହୋଦୟ କହିଲେ ସେଦିନ ତେଜା ତାସକନ୍ଦରେ କିମ୍ବା ଆଖପାଖ କୌଣସି ସ୍ଥାନରେ ନଥିଲେ । ମୁଁ ତାଙ୍କଠୁ ଜାଣିବାକୁ ଚାହିଁବି ଯେ ଏହା କ’ଣ ସତ୍ୟ ନୁହେଁ ଯେ ଡିସେମ୍ବର ୨୩, ୧୯୬୫ରେ ଜୟନ୍ତୀ ତେଜା ବମ୍ବେରୁ ମସ୍କୋକୁ ବିମାନ ଯାତ୍ରା କରିଥିଲେ ଓ ମସ୍କୋରେ ହିଁ ରାଷ୍ଟ୍ରଦୂତ କୌଲଙ୍କ ସହିତ ଡିସେମ୍ବର ୨୩ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ଏବଂ ଡିସେମ୍ବର ୨୩-୨୮, ୧୯୬୫ର କିଛି ଦିନ ପରେ ହିଁ ତାସକନ୍ଦଠାରେ ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏସବୁ ସତ୍ତ୍ୱେ ଲଣ୍ଡନ କୋର୍ଟରେ ତାଙ୍କ ମସ୍କୋ ରହଣୀ ସହ ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣାର କୌଣସି ଯୋଗ ନାହିଁ ବୋଲି ତେଜା ଯେଉଁ ସଫେଇ ଦେଉଛନ୍ତି ତାହାର କୌଣସି ଯଥାର୍ଥତା ନାହିଁ ।”
ମିର୍ଦ୍ଧା ଉତ୍ତରରେ କହିଥିଲେ, ସେ ତାଙ୍କ ପୂର୍ବ ବୟାନରେ କାଏମ ରହିବେ ଯେ ‘ଆମ ଜାଣିବାରେ ତେଜା ସେଦିନ ତାସକନ୍ଦରେ ନଥିଲେ । ମହାଶୟ, ସେଦିନ ସେ ମସ୍କୋରେ ଥିଲେ ବୋଲି ଆପଣ ଯାହା କହୁଛନ୍ତି, ତାହାର କୌଣସି ପ୍ରାସଙ୍ଗିକତା ନାହିଁ ।’
ତାସକନ୍ଦ ଘଟଣାରେ ଇନ୍ଦିରା ଗାନ୍ଧୀଙ୍କ ନାମ ଯୋଡ଼ିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହାର ପୂର୍ଣ୍ଣଚ୍ଛେଦ ମାତ୍ର ଏତିକିିରେ ପଡ଼ିଲା । ଉପଯୁକ୍ତ ବିତର୍କ କିଛି ପ୍ରମାଣ ତ କରିପାରିଲା ନାହିଁ ଅଧିକନ୍ତୁ ଇନ୍ଦିରା ଗାନ୍ଧୀ ସଂପୃକ୍ତ ଥାଇପାରନ୍ତିି ଭଳିି ଏକ ଧାରଣାକୁ ଜନ୍ମ ଦେଇଥିଲା । ଦୁଇଟି ସ୍ୱତଃସିଦ୍ଧ ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ଏହି ଧାରଣା ଆଜି ବି ଜନମାନସରେ ତିଷ୍ଠି ରହିଛି । ଏକରେ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତି ଇନ୍ଦିରା ଗାନ୍ଧୀ ପ୍ରତିକୂଳ ମନୋଭାବ ରଖୁଥିଲେ । ଦୁଇରେ, ଶାସ୍ତ୍ରୀଙ୍କ ନିଧନର ତୁରନ୍ତ ପରେ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା କେବଳ ମାତ୍ର ସଂଯୋଗ ନଥିଲା କାରଣ ପ୍ରଧାନମନ୍ତ୍ରୀ ରୂପେ ନିଜ ପୂର୍ବଅଧିକାରୀଙ୍କଠାରୁ ସେ ସୋଭିଏତ ସରକାରଙ୍କର ଢେର ଗ୍ରହଣୀୟ ଥିଲେ ।
ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ ଆଲୋକପାତ କରିବା ସକାଶେ ମୁଁ ଯେଉଁ ଦୁଇଜଣଙ୍କ ମତ ଉଦ୍ଧାର କରୁଛି ସେମାନେ ହେଲେ ପ୍ରଖ୍ୟାତ ଦିବଂଙ୍ଗତ ସାମ୍ବାଦିକ ଦ୍ୱୟ କୁଲଦୀପ ନାୟାର ଓ ଇନ୍ଦର ମାଲହୋତ୍ରା । ନାୟାର ଶାସ୍ତ୍ରୀଙ୍କର ପ୍ରେସ୍ ପରାମର୍ଶଦାତା ଥିଲେ ଓ ମାଲହୋତ୍ରା ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ରଚନା କରିଛନ୍ତି । ୧୯୫୦ଠାରୁ ତାତ୍ପରବର୍ତ୍ତୀ ସମୟରେ ରାଜନୈତିକ ଦୃଶ୍ୟପଟର ଗଭୀର ଅନୁଶୀଳନ ଓ ମତ ରଖିବାରେ ଦୁହେଁ ବେଶ୍ ପାରଙ୍ଗମ ଥିଲେ । ବହୁ ବର୍ଷ ପୂର୍ବେ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ମୋର ଗବେଷଣା ପରିପ୍ରେକ୍ଷୀରେ ମୁଁ ‘ଟାଇମସ୍ ଅଫ ଇଣ୍ଡିଆ’ର ପୂର୍ବତନ ସମ୍ପାଦକ ମାଲହୋତ୍ରାଙ୍କୁ ଭେଟିଥିଲି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଲହୋତ୍ରା ଗତ ୨୦୧୬ରେ ଇହଧାମ ପରିତ୍ୟାଗ କରିଛନ୍ତି । ଏହି ବର୍ଷ ପ୍ରାରମ୍ଭରେ ‘ତାସକେନ୍ଦ ଫାଇଲସ୍’ ଚଳଚିତ୍ରର ପ୍ରସ୍ତୁତକର୍ତ୍ତା ଓ ଅନ୍ୟମାନଙ୍କ ସହିତ ନାୟାରଙ୍କୁ ତାଙ୍କ ବାସଭବନରେ ଭେଟିବାର ସୌଭାଗ୍ୟ ପ୍ରାପ୍ତ ହେଲି । ଶାସ୍ତ୍ରୀଙ୍କ ସନ୍ଦର୍ଭରେ ସଠିକ୍ ତଥ୍ୟ ଅଭିପ୍ରାୟରେ ବିବେକ ଅଗ୍ନିହୋତ୍ରୀ, ନାୟାରଙ୍କ ସାକ୍ଷାତକାର ନେବାକୁ ଚାହୁଁଥିଲେ । ଏହି ସାକ୍ଷାତକାର ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଥିଲା କାରଣ ନାୟାର ହିଁ ୧୯୬୬ର ଦୁଃଖଦ ବ୍ୟାପାର ଓ ପରବର୍ତ୍ତୀ ସମୟର ଘଟଣାବଳୀ ଉପରେ ଆଲୋକପାତ କରିପାରୁଥିବା ଏକମାତ୍ର ଜୀବିତ କଡ଼ି ଥିଲେ । ୨୦୧୮ରେ ନାୟାରଙ୍କ ଦେହାନ୍ତ ହୋଇଥିଲା । ଏବେ ଏଏନଆଇର ଉପାଧକ୍ଷ ପ୍ରେମ ପ୍ରକାଶ ଜଣେମାତ୍ର ଜୀବିତ ସାମ୍ପାଦିକ ଯେ ସେଦିନ ତାସକନ୍ଦରେ ଉପସ୍ଥିତ ଥିଲେ ।
୯୫ ବୟସରେ ମଧ୍ୟ ନାୟାରଙ୍କ ସ୍ମରଣଶକ୍ତି ତୀକ୍ଷ୍ମ, କଣ୍ଠସ୍ୱର ଅସ୍ପଷ୍ଟ ଥିଲା । ସେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଓ ଗଭୀର ଆତ୍ମବିଶ୍ୱାସର ସହ ନିଜ ଅନୁଭୂତିର ବଖାଣି ଥିଲେ । ବର୍ଷାଧିକକାଳ ଦେଶ ବିଦେଶ ଭ୍ରମଣ ଓ ବିଭିନ୍ନ ଉଚ୍ଚ ପଦବୀ ଯଥା ଲଣ୍ଡନର ଇଣ୍ଡିଆ ହାଉସରେ ହାଇ କମିଶନସର ପଦବୀ ଓ ଦିଲ୍ଲୀଠାରେ ସଂସଦ ଭବନରେ ଅନେକ ଅନୁଭୂତି ସାଉଁଠି ଥିବାରୁ ତାଙ୍କ ସ୍ମୃତିଚାରଣ ସ୍ୱାଭାବିକ ଭାବେ ଜ୍ଞାନର ଏକ ଭଣ୍ଡାର ଥିଲା । କ୍ୟାମେରା ଆଗରେ ଅଗ୍ନିହୋତ୍ରୀ ଓ ମୋ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟାର ଟିଏନ କୌଲଙ୍କ ଭୂମିକା ଉପରେ ସନ୍ଦେହ ପ୍ରକଟ କରିଥିଲେ । ଏହା ପରେ ଶାସ୍ତ୍ରୀଙ୍କ ନାତି ସଞ୍ଜୟ ନାଥ ସିଂହ ଓ ମୋ ସହିତ ବେଶ୍ ଖୋଲାଖୋଲି ଆଲୋଚନା କାଳରେ ସେ ଅନ୍ୟାନ୍ୟ ବିଷୟ ଯଥା ଶାସ୍ତ୍ରୀଙ୍କ ଦେହାନ୍ତର ପରେପରେ କିପରି ଶ୍ରୀମତୀ ଗାନ୍ଧୀ ନିଜ ପାଇଁ ବାସଭବନ ଅନ୍ୱେଷଣ ଆଳରେ୧୦ ଜନପଥ ପରିଦର୍ଶନ କରିବା ଆଦି ଘଟଣାର ସ୍ମରଣ କରିଥିଲେ । ଶ୍ରୀମତୀ ଗାନ୍ଧୀ, ଶାସ୍ତ୍ରୀଙ୍କ ଜୀବନଶୈଳୀରେ ଆଦୌ ପ୍ରଭାବିତ ନଥିଲେ ବା ପସନ୍ଦ କରୁନଥିଲେ ଓ ତାଙ୍କୁ ‘ମଧ୍ୟମ ବର୍ଗ’ ବୋଲି ଉପେକ୍ଷା କରୁଥିଲେ । ନାୟାର ମଧ୍ୟ କହିଥିଲେ ଇନ୍ଦିରା ବିଜୟଘାଟଠାରେ ଶାସ୍ତ୍ରୀଙ୍କ ନିମନ୍ତେ ସ୍ତୃତିସୌଧ ନିର୍ମାଣ ବିରୁଦ୍ଧରେ ଥିଲେ । କିନ୍ତୁ ଲଲିତା ଶାସ୍ତ୍ରୀଙ୍କ ଧାରଣାରେ ବସିବାର ଧମକ ହେତୁ ନିଜ ଜିଦ୍ରୁ ଓହରି ଆସିବାକୁ ବାଧ୍ୟ ହୋଇଥିଲେ ।
ନିଜର ଅନ୍ତିମ ଓ ପ୍ରସିଦ୍ଧ ପୁସ୍ତକ ‘ବିଅଣ୍ଡ ଦ ଲାଇନସ୍’(Beyond the Lines( Roli Books, Delhi)ରେ କୁଲଦୀପ ନାୟାର, ଶାସ୍ତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଇନ୍ଦିରା ଗାନ୍ଧୀଙ୍କ ସହିତ ତାଙ୍କ ସମୀକରଣ ଉପରେ ଆଲୋକପାତ କରିଛନ୍ତି । ସେ ପ୍ରକଟନପୂର୍ବକ ଭାଷାରେ କହିଛନ୍ତି ପ୍ରକୃତରେ ନେହେରୁଙ୍କ ଜୀବିତାବସ୍ଥାରେ, ତାଙ୍କରି ଶାସନକାଳରେ, ଶାସ୍ତ୍ରୀ, ନମ୍ବର ଦୁଇର ଆସନରେ ଥିବା ସମୟରେ ହିଁ ଉତ୍ତେଜନାର ସୌଧ ଗଢ଼ିଉଠିଥିଲା । ଇନ୍ଦିରାଙ୍କ ପ୍ରତିକୂଳ ମନୋଭାବ ହେତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ଶାସ୍ତ୍ରୀ ଭାବୁଥିଲେ । ରାଜନୀତିରୁ ସନ୍ୟାସ ସକାଶେ ସେ ଚିନ୍ତା କରୁଥିଲେ କାରଣ ନେହେରୁ ତାଙ୍କ କନ୍ୟାଙ୍କୁ ନିଜ ଉତ୍ତରାଧିକାରୀ କରିବେ ବୋଲି ତାଙ୍କର ହୃଦ୍ବୋଧ ହୋଇଥିଲା ।
(ପ୍ରସିଦ୍ଧ ଲେଖକ ବେଦ ମେହେତା, ୧୯୭୦ରେ ପ୍ରକାଶିତ ନିଜ ପୁସ୍ତକ “Portrait of India” ରଚନା ଉଦ୍ଧେଶ୍ୟରେ ଶ୍ରୀମତୀ ଗାନ୍ଧୀଙ୍କୁ ଭେଟିଥଲେ । ସାକ୍ଷାତକାର ନେବା ଅବସରରେ ଗାନ୍ଧୀ , ଶାସ୍ତ୍ରୀ ପ୍ରତି ତାଙ୍କ ନକରାତ୍ମକ ମନୋଭାବକୁ ଲୁଚାଇନଥିଲେ । ସେ ମେହେତାଙ୍କୁ କହିଥିଲେ, ଶାସ୍ତ୍ରୀଙ୍କ ବିଚାରଧାରାରେ ଆଧୁନିକତା ନଥିଲା,କାରଣ ସେ ଏକ ନୈଷ୍ଠିକ ହିନ୍ଦୁ, ପୁଣି କହିଲେ, ଧାର୍ମିକ ବିଶ୍ୱାସ ଓ ଅନ୍ଧଶ୍ୱାସରେ ପରିଚାଳିତ ଜଣେ ବ୍ୟକ୍ତି ଦେଶକୁ ଦାରିଦ୍ର୍ୟତାରୁ ମୁକ୍ତି ଦେଇପାରିବନି । ଦେଶକୁ ପରିଚାଳିତ କରିବାକୁ ହେଲେ ଜଣଙ୍କ ଚିନ୍ତାଧାରା ଆଧୁନିକ, ବିଜ୍ଞାନ ସମ୍ମତ ହେବା ବାଞ୍ଛନୀୟ । ଲକ୍ଷ୍ୟ କରିବାର କଥା ଯେ ପରବର୍ତ୍ତୀ ସମୟରେ ସ୍ୱୟଂ ଗାନ୍ଧୀ ତାନ୍ତ୍ରିକ ବିଧିବିଧାନ ପ୍ରତି ଆକୃଷ୍ଟ ହୋଇଥିଲେ । ଅପର ପକ୍ଷରେ ଶାସ୍ତ୍ରୀଙ୍କ ତ ଏଭଳି ପ୍ରଥାରେ କୌଣସି ରୁଚି ନଥିଲା)
ନାୟାର ଶାସ୍ତ୍ରୀଙ୍କୁ କହିଲେ, ଏକ ଧାରଣା ସୃଷ୍ଟି ହେଇଛି ଯେ ସମ୍ଭବତଃ ନେହେରୁଙ୍କ ପ୍ରତି ଆନୁଗତ୍ୟ, ବିଶ୍ୱସ୍ତତା କାରଣରୁ ନେହେରୁଙ୍କ ମୃତ୍ୟୁ ଅନ୍ତେ ଉତ୍ତରାଧିକାରୀ ରୂପେ ସେ ଇନ୍ଦିରାଙ୍କ ନାମ ପ୍ରସ୍ତାବ ଦେଇପାରନ୍ତି । ଏହାର ଉତ୍ତରରେ ଶାସ୍ତ୍ରୀ କହିଲେ, ସେ ‘ଏମିତି ସାଧୁ ନୁହଁନ୍ତି’ ।
୨୦୦୪ ଆଉଟଲୁକ୍ ନାମକ ଏକ ପତ୍ରିକାରେ ‘ଯଦି ତାସକନ୍ଦରେ ଶାସ୍ତ୍ରୀଙ୍କ ଆକସ୍ମିକ ନିଧନ ହୋଇନଥାଆନ୍ତା’ ଶୀର୍ଷକ ଏକ ପ୍ରବନ୍ଧରେ ଇନ୍ଦର ମାଲହୋତ୍ରା କହିଛନ୍ତି, ଯଦି ଶାସ୍ତ୍ରୀ ବଞ୍ଚିଯାଇଥାଆନ୍ତେ ତେବେ ଇନ୍ଦିରା କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିନଥାନ୍ତେ । ତାସକନ୍ଦ ଗସ୍ତରେ ଯିବାର ଦୁଇ ଦିନ ପୂର୍ବରୁ ଓ ୧୯୬୫ର ଶେଷ ଦିବସରେ ଶାସ୍ତ୍ରୀଜୀ, ଅର୍ଥମନ୍ତ୍ରୀ ଶ୍ରୀ ଟିଟି. କୃଷ୍ଣମାଚାରୀଙ୍କୁ ତାଙ୍କ ପଦରୁ ବିଦା କରିଥିଲେ । କାରଣ କୃଷ୍ଣମାଚାରୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ବିତ୍ତମନ୍ତ୍ରୀ ଥିଲେ । କୃଷ୍ଣମାଚାରୀଙ୍କୁ ନିଜ ବନ୍ଧୁ ଭାବେ ଆଦର କରୁଥିବା ଗାନ୍ଧୀ ଏଥିରେ ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ମାଲହୋତ୍ରାଙ୍କୁ କହି ପକାଇଲେ, “ ଏଥର ମୋ ପାଳି ପଡ଼ିବ” ।
ମାଲହୋତ୍ରା କହିଛନ୍ତି ଶାସ୍ତ୍ରୀ ତାସକନ୍ଦ ଗସ୍ତରେ ଯିବାବେଳକୁ ଇନ୍ଦିରାଙ୍କ ସହିତ ତାଙ୍କ ସମ୍ପର୍କରେ ଏମିତି ଘୋର ଅବନତି ଦେଖାଦେଇଥିଲା ଯେ ସମସ୍ତେ ଧରିନେଇଥିଲେ ଯେ ଏହା ଆଉ ବେଶି ଦିନ ତିଷ୍ଠିବନି । ସେମାନଙ୍କ ସମ୍ପର୍କ ଅତ୍ୟନ୍ତ ଜଟିଳ ଥିଲା ଓ ଏହାକୁ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନଥିଲା । କେବଳ ସେମାନଙ୍କୁ ନିକଟରୁ ଜାଣିଥିବା ମାଲହୋତ୍ରାଙ୍କ ଭଳି କିଛି ବ୍ୟକ୍ତି ହିଁ ଏହି ଦୂରୁହ୍ୟ ସମ୍ପର୍କକୁ ବୁଝିବାର କ୍ଷମତା ରଖୁଥିଲେ । ୨୬ ଜୁନ ୧୯୬୪ରେ ସିଆଇର ଏକ ମୂଲ୍ୟାଙ୍କନ କୁହେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଚୟନ ବିଡ଼ମ୍ବିତ ହେଉ ବୋଲି ଆଶା କରୁଥିଲେ । ଶାସ୍ତ୍ରୀଙ୍କ ସହିତ ତାଙ୍କ ଦୀର୍ଘଦିନର ବ୍ୟକ୍ତିଗତ ସମ୍ପର୍କ ହେଉ ଅବା ସରକାର ଚଳାଇବା ଘେନି ମତର ଆଦାନପ୍ରଦାନ ପ୍ରକ୍ରିୟା; ସମ୍ପର୍କର କୌଣସି ସ୍ତରରେ ବି ନିବିଡ଼ତା ବା ଉତ୍ତମ ବୁଝାମଣା ନଥିଲା ଯାହା ସେମାନଙ୍କୁ ଏକତ୍ର କାର୍ଯ୍ୟ କରିବାକୁ ବାଧ୍ୟ କରିବ । କହିବା ବାହୂଲ୍ୟ, ଇନ୍ଦର ମାଲହୋତ୍ରାଙ୍କ କଥିତ ‘ସମ୍ପର୍କର ଜଟିଳତା’କୁ ସିଆଇଏ ଭଳି ବାହ୍ୟ ଉତ୍ସ ନିଜ ଅନୁଶୀଳନ ପରିସରକୁ ଆଣିପାରିନଥିଲା ବା ବୁଝିବାରେ ଅସମର୍ଥ ଥିଲା ।
ଆଉଟ୍ଲୁକ୍ରେ ଇନ୍ଦର ମାଲହୋତ୍ରାଙ୍କ ସାବଳୀଳ ବର୍ଣ୍ଣନା କୁହେ:
‘ସେ (ଶାସ୍ତ୍ରୀ) ଜାଣିଥିଲେ ଯେ ଇନ୍ଦିରାଙ୍କ ମନ୍ତ୍ରୀମଣ୍ଡଳରେ ଯୋଗଦାନ ସରକାରକୁ ସଶକ୍ତ କରିବ । କିନ୍ତୁ ସେ ନିଜ ଦଳରେ ଏକ ସମ୍ଭାବ୍ୟ ପ୍ରତିନ୍ଦ୍ୱନ୍ଦୀ ମଧ୍ୟ ଚାହୁଁନଥିଲେ । ତେଣୁ ସେ ଏକ ଦୈତ ପଦ୍ଧତି ଆପଣେଇଲେ । ଗୋଟିଏ ପଟେ ସେ ଇନ୍ଦିରାଙ୍କ ସବୁ ସମ୍ମାନ ଦେଉଥିଲେ ଓ ମନ୍ତ୍ରୀମଣ୍ଡଳ(କ୍ୟାବିନେଟ)ର ଗୁରୁତ୍ୱପୂର୍ଣ୍ଣ କମିଟିକୁ ମନୋନୀତ କରିଥିଲେ । ଅପର ପକ୍ଷରେ କୌଣସି ଉଚ୍ଚସ୍ତରୀୟ ନୀତି ନିର୍ଦ୍ଧାରଣ ପ୍ରକରଣରେ ଇନ୍ଦିରାଙ୍କୁ କୌଣସି ସୁଯୋଗ ଦିଆଯାଉନଥିଲା ବା ଅତି ନଗଣ୍ୟ ଭୂମିକା ରହୁଥିଲା । ଇନ୍ଦିରା ଗାନ୍ଧୀ ଏହା ଜାଣିପାରୁଥିଲେ ଓ ଅବଜ୍ଞାସୂଚକ ଅସନ୍ତୋଷ ବ୍ୟକ୍ତ କରୁଥିଲେ ।’(Inder Malhotra, What if Shastri Hadn’t Died Suddenly In Tashkent ? Outlook 23 August, 2004)
୧୯୫୦ ଓ ୧୯୮୪ ମଧ୍ୟରେ ଡରୋଥି ନର୍ମାନ ନାମ୍ନୀ ଜଣେ ଆମେରିକୀୟ ଲେଖକ ଓ ଫଟୋଗ୍ରାଫର ତଥା ଘନିଷ୍ଠ ବାନ୍ଧବୀଙ୍କୁ ଇନ୍ଦିରା ଲେଖିଥିବା କିଛି ବ୍ୟକ୍ତିଗତ ପତ୍ର ବିଷୟରେ ମଧ୍ୟ ମାଲହୋତ୍ରା ଆଲୋକପାତ କରିଛନ୍ତି । ଇନ୍ଦିରାଙ୍କ ହତ୍ୟା ପରେ ଡରୋଥି ସେସବୁକୁ ‘ଇନ୍ଦିର ଗାନ୍ଧୀ : ଲେଟରସ୍ ଟୁ ଆନ ଆମେରୀକାନ୍ ଫ୍ରେଣ୍ଡ(Indira Gandhi: Letters to an American Friend) ଶୀର୍ଷକ ଏକ ପୁସ୍ତକରେ ପ୍ରକାଶ କରିଥିଲେ । ଏହି ସବୁ ଚିଠିରୁ ହିଁ ଜଣାପଡ଼େ ଯେ ଡିସେମ୍ବର ୧୯୬୫ ବେଳକୁ ମନ୍ତ୍ରୀମଣ୍ଡଳରେ ଏକ ଗୁରୁତ୍ୱହୀନ ପଦବୀ ସମ୍ଭାଳି ସମ୍ଭାଳିି ଇନ୍ଦିରା ଥକି ପଡ଼ିଥିଲେ । ସେ ଇସ୍ତଫା ଦେଇ, ଲଣ୍ଡନ ଚାଲିଯାଇ ସେଠାରେ ବସବାସ କରିବାର ଯୋଜନା କରିଥିଲେ । ସେତେବେଳକୁ ରାଜୀବ କେମ୍ବ୍ରିଜ୍ରେ ଅଧ୍ୟୟନରତ ଥିଲେ ଓ ସଞ୍ଜୟ କ୍ରିୱସ୍ଥିତ ରୋଲସ୍ ରଏସ କାରଖାନାରେ କାର୍ଯ୍ୟରତ । ମାଲହୋତ୍ରାଙ୍କ ଭାଷାରେ ଏହା ବୋଧହୁଏ ଭାଗ୍ୟର ବିଡ଼ମ୍ବନା ଯେ ଠିକ ସେହି ସମୟରେ ଶାସ୍ତ୍ରୀ ଅନୂରୁପ କିଛି ଚିନ୍ତନ କରୁଥିଲେ । (ଜନାର୍ଦ୍ଧନ ଠାକୁରଙ୍କ ରଚିତ ପୁସ୍ତକ ‘All the Prime Minister’s Men’ରେ ଉଲ୍ଲେଖ ଅଛି, “ତେଜା ଦମ୍ପତି ଦେଖିଲେ, ସଞ୍ଜୟ ଜଣେ ଜିଦ୍ଖୋର ପ୍ରକୃତିର ବେକାର ଯୁବକ, ଯିଏ କେବଳ କାର ଓ ଦୁଇଚକିଆ ଯାନ ସହିତ ସମୟ ଅତିବାହିିତ କରୁଛନ୍ତି । ତେଣୁ ସେମାନେ ତାଙ୍କୁ ନିଜ ସହିତ ଲଣ୍ଡନ ନେଇଯାଇ ସେଠାରେ ରୋଲସ୍ ରଏସ୍ କମ୍ପାନୀରେ ନିଯୁକ୍ତିର ପ୍ରସ୍ତାବ ଦେଲେ । )
‘ଇନ୍ଦିରା ଜାଣିଥିବେ ନା ନାହିଁ- ମୋର ସନ୍ଦେହ ହେଉଛି ସେ ବୋଧେ ଜାଣିଥିବେ- ତାସକନ୍ଦରୁ ଫେରିବା ପରେ ଇନ୍ଦିରାଙ୍କୁ ଇଂଲଣ୍ଡରେ ହାଇ କମିଶନର ପଦବୀର ପ୍ରସ୍ତାବ ଦେବା ବାବଦରେ ଶାସ୍ତ୍ରୀ ନିଜ ଅନୁଗତଙ୍କୁ କହିଥିଲେ ।’ (Inder Malhotra, What if Shastri Hadn’t Died Suddenly In Tashkent ? Outlook 23 August, 2004)
ଶାସ୍ତ୍ରୀ-ଇନ୍ଦିରାଙ୍କ ସମ୍ପର୍କରେ ଶୀତିଳତାକୁ ଉପରୋକ୍ତ ତଥ୍ୟାବଳୀ ପୁଷ୍ଟି କରେ । (ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ସହିତ କିଛି ଫଟୋରେ ଗାନ୍ଧୀ କୁଣ୍ଠିତ ଓ ଅନାଗ୍ରହୀ ଜଣାପଡ଼ୁଛନ୍ତି । ୟୁ ଟ୍ୟୁବରେ ଆସୋସିଏଟ୍ ପ୍ରେସ୍ର ଏକ ଭିଡ଼ିଓରେ ତାସକନ୍ଦରୁ ଶାସ୍ତ୍ରୀଙ୍କ ମରଶରୀର ଅଣାଯିବାର ଅବସରରେ ପାଲାମ ବିମାନ ବନ୍ଦରଠାରେ ଇନ୍ଦିରା ଗାନ୍ଧୀ ଦେଖାଯାଉଛନ୍ତି । ରୁଷୀୟମାନେ ଦୁଃଖରେ ଭାଙ୍ଗିପଡ଼ିଥିବା ଜଣାପଡ଼ୁଥିବାବେଳେ, ଇନ୍ଦିରା ଭାବଶୂନ୍ୟ ଦେଖାଯାଉଛନ୍ତି । ସେ କୌଣସି ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି ଓ ଉକ୍ତ ବ୍ୟକ୍ତିଙ୍କ ଚେହେରାରେ ଏକ କୁଟିଳ ହସ ଲାଖିରହିଥିବାର ଲକ୍ଷ୍ୟ କରାଯାଏ । କିନ୍ତୁ ଏହି ସବୁରୁ ତ ‘ଷଡ଼ଯନ୍ତ୍ର ମତବାଦ’ର ସତ୍ୟତା ପ୍ରତିପାଦିତ ହୁଏନି । ଅନ୍ୟ ଏକ ଫଟୋରେ ଇନ୍ଦିରା, ଲଲିତା ଶାସ୍ତ୍ରୀଙ୍କ ସହିତ ବିଜୟ ଘାଟଠାରେ ଦେଖାଯାଉଛନ୍ତି, ଚେହେରା ପୁଣି ଭାବରହିତ । ଭାବଭଙ୍ଗୀମାରୁ ବ୍ୟକ୍ତିର ଉଦ୍ଧେଶ୍ୟ ଠଉରାଇବା ଏକ ଜଟିଳ ବ୍ୟାପାର ଓ ମୁଁ ଏଥିରେ ପାରଦର୍ଶୀ ନୁହେଁ । ସହନଶୀଳତା, ଇନ୍ଦିରା ଗାନ୍ଧୀଙ୍କ ଅନେକ ଗୁଣ ମଧ୍ୟରୁ ଅନ୍ୟତମ । ଏମିତିକି ତାଙ୍କ ପୁତ୍ର ତଥା ଉତ୍ତରାଧିକାରୀ ସଞ୍ଜୟ ଗାନ୍ଧୀଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁରେ ବି ସେ ଅବିଚଳିତ ଜଣାପଡ଼ୁଥଲେ । ) କିନ୍ତୁ ଏହି ତଥ୍ୟ ସହ ‘ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେବା କେବଳ ମାତ୍ର ସଂଯୋଗ ନୁହେଁ’ ବୋଲି ଧାରଣା ସହିତ କୌଣସି ମେଳ ନାହିଁ । ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଉଦ୍ଧେଶ୍ୟରେ ଶାସ୍ତ୍ରୀଙ୍କ ହଟାଇ ଦିଆଗଲା ବୋଲି ଷଡ଼ଯନ୍ତ୍ର ମତବାଦମାନଙ୍କ ଉକ୍ତିର କୌଣସି ଯଥାର୍ଥତା ନାହିଁ କାରଣ ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀ ହେବା ଆକସ୍ମିକ ସଂଯୋଗ ମାତ୍ର ହିଁ ଥିଲା । ୧୧ ଜାନୁଆରୀ ୧୯୬୬ର ସିଆଇଏର ଗୁଇନ୍ଦା ବିବରଣ ମଧ୍ୟ ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଚୟନ ଘେନି ଅବିଶ୍ରାନ୍ତ ଚେଷ୍ଟା ବିଷୟରେ ଆଲୋକପାତ କରିଛି । “କଂଗ୍ରେସ ଦଳ ସଭାପତି କାମରାଜ ବରିଷ୍ଠ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଶୁକ୍ରବାର ଆୟୋଜନ କରିଛନ୍ତି ଓ ଆସନ୍ତା ସପ୍ତାହ ସୁଦ୍ଧା ଯୋଗ୍ୟ ନେତାଙ୍କ ଅନୁକ୍ରମ ସାରଣୀ ପ୍ରକାଶ କରାଯିବ ।” ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ୱାଇ ବି ଚଭାନ, ମୋରାଜୀ ଦେଶାଇ, କେ .କାମରାଜ, ନୀଳମ ସଞ୍ଜୀବ ରେଡ୍ଡୀ ଓ ଇନ୍ଦିରା ଗାନ୍ଧୀଙ୍କ ନାମ ସର୍ବାଗ୍ରେ ଥିଲା । ସିଆଇଏର ହୃଦ୍ବୋଧ ହୋଇଥିଲା ଯେ ଯଦି ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟ ଅସ୍ଥିରତା / ଅଚଳବସ୍ଥା ସୃଷ୍ଟି ହୁଏ ତେବେ ପରିଶେଷରେ ରେଡ୍ଡୀ ଓ ଇନ୍ଦିରା ମଧ୍ୟରେ ପ୍ରତିଯୋଗିତା ହେବା ନିଶ୍ଚିତ । ୧୧ ଜାନୁଆରୀରେ ସଂକ୍ଷିପ୍ତ ପତ୍ରରେ ସିଆଇଏ ପୁନଃ ସୂଚାଇଥିଲା ଯେ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଚୟନରେ କଂଗ୍ରେସ ଦଳ କଠିନ ସମସ୍ୟାର ସମ୍ମୁଖୀନ ହେଉଛି । ଚଭାନ, ଦେଶାଇ ଓ କାମରାଜ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଅଗ୍ରଣୀ ଅଛନ୍ତି । ଇନ୍ଦିରା ଗାନ୍ଧୀ ‘ଅପ୍ରତ୍ୟାଶିତ ପ୍ରାର୍ଥୀ’ ତାଲିକାର ଶୀର୍ଷରେ ଅଛନ୍ତି ଓ କିଛି ସମସ୍ୟା ଦେଖାଦେଲେ ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ ଭାବେ ମନୋନୀତ କରାଯାଇପାରେ ।
୨୧ ଜାନୁଆରୀରେ ସିଆଇଏ ଯୁକ୍ତରାଷ୍ଟ୍ର ଆମେରିକାର ନୀତି ନିର୍ଦ୍ଧାରଣକାରୀଙ୍କୁ ସୂଚନା ଦେଲା ଯେ “ଶ୍ରୀମତୀ ଗାନ୍ଧୀଙ୍କ ମନୋନୟନ ଏକ ରାଜନୈତିକ ସମୟଯୋଗୀ ଉପଚାର” ।
‘୧୯ ଜାନୁଆରୀରେ କଂଗ୍ରେସ ଦଳର ସାଂସଦଗଣଙ୍କ ଗୁପ୍ତ ଭୋଟ ଦ୍ୱାରା ଔପଚାରିକ ଭାବେ ଇନ୍ଦିରା ଗାନ୍ଧୀ ଚୟିତ ହୋଇଥିଲେ ହେଁ ସେ ଚୁଡ଼ାନ୍ତ ପ୍ରାର୍ଥୀ ରୂପେ କିଛି ଦିନ ପୂର୍ବରୁ ହିଁ ନିର୍ବାଚିତ ହୋଇସାରିଥିଲେ । ଅନେକ ପ୍ରମୁଖ ପ୍ରାନ୍ତୀୟ ଓ ଜାତୀୟ ସ୍ତରର ଦଳୀୟ ନେତୃବୃନ୍ଦଙ୍କ ସମର୍ଥନ ହେତୁ ସେ ପାଇସାରିଥିଲେ ଏକ ସର୍ବସମ୍ମତ ଉପଯୁକ୍ତ ପ୍ରାର୍ଥୀର ଆଖ୍ୟା । ଏହି ରାଜନେତାଙ୍କ ମଧ୍ୟରୁ ମାତ୍ର କିଛି ଜଣ ଶ୍ରୀମତୀ ଗାନ୍ଧୀଙ୍କୁ ସେମାନଙ୍କ ପ୍ରିୟ ନେତା ରୂପେ ଦେଖୁଥିଲେ କିନ୍ତୁ ସମସ୍ତେ କାମରାଜଙ୍କ ସହିତ ଏକମତ ଥିଲେ ଯେ କେବଳ ଇନ୍ଦିରା ହିଁ ପୂର୍ବତନ ବିତ୍ତ ମନ୍ତ୍ରୀ ଓ ଦକ୍ଷିଣପନ୍ଥୀ ନେତା ମୋରାଜୀ ଦେଶାଇଙ୍କ ଭଳି ଟାଣୁଆ ପ୍ରତିନ୍ଦ୍ୱନ୍ଦୀଙ୍କୁ ଉଚିତ ଟକ୍କର ଦେଇପାରିବେ । ଏଠାରେ ଉଲ୍ଲେଖ କରିବା ଠିକ୍ ହେବ ଯେ ଦେଶାଇ ଦିନେ ଏଭଳି ଗୋଷ୍ଠୀର ସଦସ୍ୟ ଥିଲେ ଯାହାର ମିଳିତ ପ୍ରଚେଷ୍ଟା ଯୋଗୁଁ ହିଁ ନେହେରୁଙ୍କ ଉତ୍ତରାଧିକାରୀ ରୂପେ ଶାସ୍ତ୍ରୀଙ୍କୁ ଚୟନ କରାଯାଇଥିଲା । ଆହୁରି ନେହେରୁଙ୍କ କନ୍ୟା ହୋଇଥିବା ଯୋଗୁଁ ଇନ୍ଦିରାଙ୍କର ଏକ ଜାତୀୟ ଛବି ଥିଲା ଓ ଏହା ୧୯୬୭ ସାଧାରଣ ନିର୍ବାଚନରେ ଲାଭଦାୟକ ସିଦ୍ଧ ହେବେ ବୋଲି ଅନୁମେୟ ।’
ତେଣୁ ମୁଁ ଏହି ନିର୍ଯାସରେ ପହଞ୍ଚିଛି ଯେ ଏଭଳି ତଥ୍ୟ ସମୁହକୁ ସଂଯୋଜିତ କରାଯାଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ହେବ ନାହିଁ ବା ରୂପର ଆକାର ଦିଆଯାଇପାରିବ ନାହିଁ ଯେ ‘ଷଡ଼ଯନ୍ତ୍ର ମତବାଦ’ ଅନୁରୂପ ତାସକନ୍ଦରେ ଶାସ୍ତ୍ରୀଙ୍କ ମୃତ୍ୟୁ ସହିତ ଇନ୍ଦିରା ଗାନ୍ଧୀଙ୍କ କିଛି ବି ସନ୍ଦେହ ଉଦ୍ରେକକାରୀ ଭୂମିକା ରହିଛି । ଅବଶ୍ୟ ଇନ୍ଦିରା ଗାନ୍ଧୀ, ଶାସ୍ତ୍ରୀଙ୍କ ସହିତ ଉତ୍ତମ ସମ୍ପର୍କରେ ନଥିଲେ; ତେଜାଙ୍କ ଭଳି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଥିଲେ ଯିଏ ଶାସ୍ତ୍ରୀଙ୍କୁ ପସନ୍ଦ ବା ନାପସନ୍ଦ କରିବା ନେଇ କୌଣସି ବିଶେଷ କାରଣ ନଥିଲା ଓ ଯିଏ ଘଟଣା ଦିନ ମସ୍କୋରେ ଥିଲେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଏସବୁର ମାନେ ନୁହେଁ ଯେ ଇନ୍ଦିରାଙ୍କ ଇଙ୍ଗିତରେ ଡାଚାରେ ଶାସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା । ଏଭଳି ଷଡ଼ଯନ୍ତ୍ର ମତବାଦ ଦୁର୍ବଳ/ନିରାଧାର ବା ଏଥିରେ ଅନେକ କିଛି ଅସ୍ପଷ୍ଟ ରହିଯାଉଛି । ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଯେଭଳି ହେଇଥାଉ ପଛେ ଏଭଳି ଉଦ୍ଭଟ ଦୋଷାରୋପ ଜଣେ ଅଗ୍ରଗାମୀ ଜାତୀୟ ନେତାଙ୍କ ସ୍ତୃତି ପ୍ରତି ଅସମ୍ମାନ ହେବ । ତଥାପି ଶାସ୍ତ୍ରୀଙ୍କ ମୃତ୍ୟୁ ପରବର୍ତ୍ତୀ ଘଟଣାକ୍ରମ ଗୋଟିଏ କଥାକୁ ସ୍ପଷ୍ଟ କରୁଛି । ଇନ୍ଦିରା ସରକାର, ଭାରତର ଜନସାଧାରଣଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇଛନ୍ତି । ଏଣୁ ଶାସ୍ତ୍ରୀଙ୍କ ମୃତ୍ୟୁ ସନ୍ଦର୍ଭରେ ତଥ୍ୟ ଘୋଡ଼ାଇବା ଭଳି ଧାରଣାକୁ ଦୂରୀଭୁତ କରିବାକୁ ଯଦି କିଛି କରାନଯାଏ ତେବେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଦୋଷାରୋପ ବଳବତ୍ତର ରହିବ ।