ମଥାରେ ଓଢ଼ଣା , ଓଷ୍ଠେ ଲାଲିମା,
ଆଖିରେ କଜଳ ଗାର ,
ହାତେ ପାଣିକାଚ, ପାଦେ ପାଉଁଜି,
ଝୁଣ୍ଟିଆ ଛନ୍ଦା ଆଙ୍ଗୁଠି ତାର ।
ଚୁପି ଚୁପି କୁହେ, ଆନମନା ରୁହେ,
ବାପଘର ଖେଳ ମନେମନେ ଝୁରେ,
ନୂଆ ଘରେ, ନୂଆ ମେଳେ ,
ନୂଆ ବୋହୂଟିଏ ଆପଣା ଛାଇକୁ ଡରେ ।
ଶାଶୁ ଅବା ଶ୍ୱଶୁର ଖୋଜିଦେବେ କାଳେ ,
ଜାନି ଯୌତୁକ ଭାର,
ନଣନ୍ଦ କି ଦିଅର ବାହୁନିବା ଦେଖି
ନଣନ୍ଦ ପୁଟୁଳି ସାର ବା ଅସାର ।
ସାହି ପଡ଼ିଶାରେ, ଗାଁ ପଞ୍ଚମେଳେ ,
କରିବେକି କେହି ନିନ୍ଦା ଅପବାଦ ,
ବାହୁନିବେ ରୂପ ରଙ୍ଗ,
ନିରିଖିବେ ଗୁଣ ଭଲ କି ମନ୍ଦ ।
ସବୁରି ଅନ୍ତେ, ମନର ପରାନ୍ତେ,
ଖୋଜିବୁଲେ ସେ ସ୍ନେହଭରା ଶୀତଳ ପରସ,
କିଛି ହୃଦୟସ୍ପର୍ଶୀ ବଚନ
ତଥା ଅସୁମାରୀ ଭାବନା ଓ ବିଶ୍ୱାସ ।
