ଲେଖିକା – ଡ. ମୌସୁମୀ ପରିଡା ।
ମୂଲ୍ୟ -୩୬୦ ଟଙ୍କା
ପୃଷ୍ଠା – ୩୨୦
ପ୍ରକାଶକ – ଆଦିତ୍ୟ ଭାରତ, କଟକ ।
କବିତା ଏବଂ ଗଳ୍ପର ସମ୍ମିଶ୍ରଣରେ ରଚିତ ହୋଇଛି କଳ୍ପୋପନ୍ୟାସ “ଛାୟା ଯୁଦ୍ଧ” ଯାହା ଚିରାଚରିତଠାରୁ ଭିନ୍ନ ମନେହୁଏ । ଅର୍ଥାତ୍ କବିତାର ଲାଳିତ୍ୟରେ କଥା ଭାଗଟି ଅନେକ ମୋଡ଼ ବୁଲାଣି ଦେଇ ଗଳ୍ପରୁ ଉପନ୍ୟାସର ବିଭବରେ ପରିଣତ ହୋଇଛି । ମୋଟ୍ ଚବିଶ ଭାଗରେ ବିଭାଜିତ ଉପନ୍ୟାସଟି କାହାଣୀର ଭିନ୍ନ ଭିନ୍ନ ସ୍ଥିତିକୁ ଅର୍ଥପୂର୍ଣ୍ଣ କରୁଥିବା ଗୋଟେ ପୁଷ୍ପଗୁଚ୍ଛ ଯେଉଁଗୁଡ଼ିକର ଶୀର୍ଷକ ବି କମ୍ ରୋଚକ ନୁହେଁ !! ପ୍ରେମର ଗଙ୍ଗାରେ ଲୀନ ହୋଇଥିବା ସରସ୍ଵତୀ ଅବା ସମୁଦ୍ରରେ ଅସ୍ତିତ୍ଵ ହଜାଇବାକୁ ପଣ କରିଥିବା ଚିରସ୍ରୋତା ନଦୀ ପରି ବିଷୟବସ୍ତୁ ! ଶୀର୍ଷକଗୁଡିକରେ ନାୟିକା ମଧୁରିମାର ନାମକୁ ବାରମ୍ଵାର ପୁନରାବୃତ୍ତି କରାଯାଇ ଚରିତ୍ରକୁ ଅର୍ଥପୂର୍ଣ୍ଣ ଓ ଗୁରୁତ୍ଵାରୋପ କରାଯିବାର ଅନନ୍ୟ ପ୍ରଚେଷ୍ଟା ହିଁ ସ୍ଵତଃ ଆଗକୁ ବାଟ କଢ଼ାଇନିଏ । ମୁଖ୍ୟ ଚରିତ୍ର ତିନୋଟିକୁ ଛାଡିଦେଲେ ଗୌଣ ଚରିତ୍ରମାନଙ୍କ ଯୋଗଦାନ ବି କମ୍ ନୁହଁ । ଦମଦାର କଥା ଶୈଳୀ ସହିତ କାହାଣୀର ଅନୁପାତ ଯଥାଯଥ ଓ ପ୍ରଭାବଶାଳୀ । ଭିନ୍ନ ଭିନ୍ନ ଭାଗରେ ସମୃଦ୍ଧ ହୋଇଥିବା ଛାୟାଯୁଦ୍ଧର ନଦୀଗୁଡିକ ଅବଶେଷରେ ସମୁଦ୍ର ପାଲଟି ଯାଇଛନ୍ତି । ଏହି ସମୃଦ୍ଧ ଉପନ୍ୟାସଟି ନଈ କୂଳସ୍ଥ ଏକ ଛୋଟ ଗାଆଁର ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ନାୟକ ମଧୁକର ଜୀବନର ଇତିବୃତ୍ତ ପରି ପ୍ରଥମରୁ ମନେହେଉଥିଲେ ମଧ୍ୟ ତା ସହିତ ଛନ୍ଦାଛନ୍ଦି ଦୁଇଟି ଜୀବନର ମହାଭାରତ କହିଲେ ଅତ୍ୟୁକ୍ତି ହେବନାହିଁ । ମଣିଷ ସ୍ଵପ୍ନ ଦେଖେ, ସେସବୁର ବାସ୍ତବ ରୂପାୟନ କରୁକରୁ ହାତ ମୁଠାରୁ ବାଲି ଖସିବା ପରି ବହୁତ୍ କିଛି ଛାଡ଼ି ଦେଇ ଆସେ ପଛରେ..!! ସ୍ଵପ୍ନ ସିନା ବାସ୍ତବ ରୂପ ନିଏ ହେଲେ ହାତ ପାହାନ୍ତାରେ ଥିବା ମଣିଷ ଓ ସମ୍ପର୍କ ସ୍ଵପ୍ନ ହୋଇଯାଏ – ଠିକ୍ ଏଭଳି ଏକ ମନସ୍ତତ୍ତ୍ୱକୁ ଚିତ୍ରିତ କରାଯାଇଛି ଏ ଉପନ୍ୟାସରେ । ନଈ ଏ ପାରିର ମଧୁକର ଓ ନଈ ଆରପାରିର ନାୟିକା ମଧୁରିମା ଠିକ୍ ନଈର ଦୁଇ ପାର୍ଶ୍ୱ ପରି ! ସେମାନଙ୍କ ଭିତରେ ନା ଆଚାରବିଚାରର ସମାନତା ନା ଲକ୍ଷ୍ୟ-ଭିତ୍ତିକ ସମନ୍ୱୟ । ତଥାପି ବି ଦୁଇ ବିପରୀତଧର୍ମୀ ମଣିଷଙ୍କୁ ନେଇ ଲେଖିକା ବିଚିତ୍ର ସମ୍ପର୍କ ସ୍ଥାପନ କରିଛନ୍ତି । ଅବଶ୍ୟ ଉଭୟଙ୍କ ଜନ୍ମଦାତା ମାଛ ବ୍ୟବସାୟୀ, ଏହା ହୁଏତ ଦୁହିଁଙ୍କ ସୂକ୍ଷ୍ମ ସମ୍ପର୍କର ରଜ୍ଜୁ । ଦିନେ ଉଭୟଙ୍କ ବାପା ନଦୀକୁ ମାଛ ଧରିବାକୁ ଡଙ୍ଗାରେ ଯାଇ ଏକ ପ୍ରାକୃତିକ ଦୁର୍ଘଟଣାରେ ମୃତ ଘୋଷିତ ହୁଅନ୍ତି । ନଦୀ କୂଳରେ କ୍ରନ୍ଦନରତ ଆତ୍ମୀୟସ୍ଵଜନଙ୍କ ସହିତ ନାୟକ ନାୟିକାଙ୍କ ମାଆମାନଙ୍କ ବୁକୁ ଫଟା କାନ୍ଦ ସେଦିନ ନଦୀର ଲହରକୁ ବି ଚକିତ କରିଦେଇଥିଲା । ସେଇଠୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟର ଭିନ୍ନ ଏକ କାହାଣୀ । ଲେଖିକାଙ୍କ ଭାଷାରେ
“ପରସ୍ପରକୁ ପିଠି କରି ବସିଥିଲେ ଦୁଇଟା ମଣିଷ
ଗୋଟେ ବିରାଟ ପାଚେରି ଦୁଇପଟେ,
ଗହଳି ଭିତରେ ଏକା କିମ୍ବା ନିଜ ଭିତରର ଗହଳିରେ,
ଯାହାଙ୍କ ମତ ମିଶେନି କି ସ୍ଵପ୍ନ ମିଶେନି।
କିନ୍ତୁ ମନ ମିଶେ ଭାଙ୍ଗେ ଓ ଦରଜ ହୁଏ।”
ବୟସ ବଢ଼ିଛି ସତ ମଧୁକର ବୟସ୍କ ହୋଇ ବି ବଡ଼ ହୋଇପାରିନି । ତା ମତରେ ଜୀବନ ଉପଭୋଗ ଯୋଗ୍ୟ । ଲେଖିକାଙ୍କ ଭାଷାରେ -” ଜୀବନ ଅଛି ଯଦି ଉପଭୋଗ କର, ତାକୁ ହାଣନା ଟିକି ଟିକି କରି, କଣ ଧରି କି ଆସିଚ ଯେ ନେଇକି ଯିବ?”.. ପୁଣି ଅଛି – “ଝିଅମାନେ ମୋତେ ରଙ୍ଗ ବେରଙ୍ଗ ଗୁଡି ନଇଲେ ନଟୁ ପରି ଲାଗନ୍ତି, ସେମାନଙ୍କୁ ମନ ମୁତାବକ ଉଡେଇ ହୁଏ, ଘୂରେଇ ହୁଏ ” । ତାର ଭାବନା ଏବଂ ବିଚାରରେ ପରିବର୍ତ୍ତନ ଆସିଛି। ତା ମନର ପିଲାଳିଆମୀ, ଚପଳତା ଉଦ୍ଦାମ ରୂପ ନେଇଛି ସିନା କିନ୍ତୁ ମଧୁରିମାର କୌଣସି ପରିବର୍ତ୍ତନ ହୋଇନାହିଁ, ସେ ନିଷ୍ଠା ଏବଂ ନିଃସ୍ଵାର୍ଥପର ଭାବରେ ତାର କର୍ତ୍ତବ୍ୟ କରି ଚାଲିଛି। କେବେ କାହାକୁ ସେ ପ୍ରତିଉତ୍ତର ଦେଇନାହିଁ । ନା ତା ଉପରେ ଦାୟିତ୍ଵ ଲଦି ଦେଇଥିବା ନିଜ ମାଆ କିମ୍ବା ମଧୁକରର ମାଆକୁ ନା ନିଜ ଭାଗ୍ୟକୁ । ପ୍ରେମ କରୁଛି ସେ ମଧୁକରକୁ କିନ୍ତୁ ଅଧିକାର ସାବ୍ୟସ୍ତ କରିପାରିନି ! ଏମିତିକି ତାକୁ ଜାଣିବାକୁ ମଧ୍ୟ ଦେଇନାହିଁ ତା ମନକଥା। ଲେଖିକା କହିଛନ୍ତି – “… ଚୁଲିରେ ନିଜ ଦେହକୁ ମୁହାଁଇ ଦେଇ ସୁନା ପରି ଝଟକି ଉଠୁଥିବା ହୀରଣ୍ୟଗର୍ଭା, ନା ମୁକ୍ତି ବିଧାନ ରଚୁଥିବା ମୁକ୍ତିମଣ୍ଡପ!… ମନ୍ଦିରରେ ଦୀପଟିଏ ପରି ନିଜକୁ ଜଳାଉ ଥିବା ନାରୀଟା ମାନବୀ ନା ଦେବୀ!.. କଣ୍ଟାର ଆଘାତ ସହି…, ବେଦନାର ନଦୀରେ ବୁଡ଼ ପକାଇ ଛଳଛଳ ମନକୁ ବାନ୍ଧି, ହୃଦୟକୁ ପାରିଜାତ କରି ସେ ଯେବେ ଖାଲି ପାଦରେ ମନ୍ଦିର ଯାଏ ତା ପାଦ ତଳର କଅଁଳ ଘାସ ପାଲଟନ୍ତି ପଥର”!! (43) ଝିଅ ଜୀବନର ଅସହାୟତା ବି ପରିଲକ୍ଷିତ ହୁଏ ଉପନ୍ୟାସରେ । ଲେଖିକାଙ୍କ ଭାଷାରେ – ” ବୋଉ କହେ – ରଜ ଦୋଳିରେ ଝୁଲୁଥିବା ଝିଅମାନେ ଭବିଷ୍ୟତରେ ଦୋଳି ପାଲଟିବାକୁ ପ୍ରସ୍ତୁତ ହୁଅନ୍ତି / କୁଆଁର ପୁନେଇଁ ଓଷାରେ ଜହ୍ନକୁ ଜହ୍ନି ଫୁଲ ଦେଇ ଲିଆ ଦହି ନଡ଼ିଆ ଚିନିରେ ଜହ୍ନ ବନେଇ ତୋଫା ବର କାମନାରେ ନିଜେ ରାତି ବନିଯାଆନ୍ତି । ( ପୃ – 31) ମଧୁକର ଭିନ୍ନ ଲକ୍ଷ୍ୟପଥର ଯାତ୍ରୀ, ନିଜ ଗାଁର ସବୁଜ ବନାନୀ ତାକୁ ଭଲ ଲାଗିନାହିଁ। ପିଲା ଦିନର ସ୍ମୃତିକୁ ଭୁଲି ସେ ସହର ଅଭିମୁଖୀ ହେବାକୁ ବ୍ୟଗ୍ର । ସେଥିପାଇଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ତୈୟାର! ତା ହିସାବରେ – ” ବିବାହ ତ ଶିକୁଳି.. ମୁଁ ହାତ, ପାଦ, ମନ ଓ ଦେହକୁ ବାନ୍ଧି ରଖିବାକୁ ଶିକୁଳି ଚାହେଁନା । ଜୀବନକୁ ସୁଅ ମୁହଁର ପତ୍ର ପରି ଟେକି ଦେବାକୁ ମୋର ଅତିଶୟ ଘୃଣା” । ( ପୃ – 34) ପିଲାଦିନର ସାଙ୍ଗସାଥୀ, ମାଆର ପଣତ କାନି, ସବୁଜ କ୍ଷେତ, ଛଣଛପର ମାଟି ଘର, ଗୋବର ଲିପା କାନ୍ଥ, ଚୁଲିମୁଣ୍ଡକୁ ତାର ଖୁବ୍ ଘୃଣା । ବୟସ ଅନୁସାରେ ତା ମନରେ ଯେତେସବୁ ଖରାପ ଆଜେବାଜେ ଚିନ୍ତା । ଯେଉଁଥିପାଇଁ ବାଜେ ସାଙ୍ଗ ରଜତ କଥାରେ ପଡି ରଙ୍ଗ ମାଆ ଘର ଆଡ଼େ ଯାଇଛି। ସେଠି ଲୁଚାଛପାରେ ହେଉଥିବା ଦେହ ବ୍ୟାପାର ତାକୁ ଭଲ ଲାଗିଛି। ଦେହଦେହଳୀର ଖେଳ ଖେଳୁଥିବା କୃତ୍ରିମ ପରୀମାନଙ୍କ ମେଳରେ ସେ ନିଜକୁ ହଜାଇ ଦେଇଛି। ଏକ ପଙ୍କିଳ ପୃଥିବୀର ସମ୍ମୋହନରେ ବାସ୍ତବତା ଭୁଲି ସତେଯେପରି ସେ କୀଟ ପାଲଟିଯାଇଛି ! ସେସବୁ ମଧୁକରକୁ ପ୍ରକୃତ ଜୀବନ ବୋଲି ମନେହୋଇଛି । ରଙ୍ଗ ମାଆ ଘରେ ଭେଟିଥିବା ଅନୁରାଧାକୁ ସାମୟିକ ଭାବେ ସେ ପ୍ରେମ କରିଛି। ତା ରୂପ, ରଙ୍ଗ, ଶରୀରର ମାଧୂର୍ଯ୍ୟରେ ସେ ମୋହିତ ହୋଇଛି। ତାକୁ ନେଇ ସେ ଭବିଷ୍ୟତ କରିବ ବୋଲି ଯେଉଁ ସ୍ଵପ୍ନ ଦେଖିଛି ତା ସମ୍ଭବ ହୋଇନାହିଁ।
ବିଲ୍ଡର୍ସ ଦ୍ଵାରା ପ୍ରଲୋଭିତ ହୋଇ ସେ ନିଜ ଘରକୁ ବିକ୍ରି କରି ଦେଇଛି। କାରଣ ସେଥିପାଇଁ ତାର ଲକ୍ଷ୍ୟ ପୂରଣ ହେବାକୁ ଯାଉଚି । ତାର ଉଚ୍ଚାକାଂକ୍ଷା ଆଗରେ ନିଜ ମାଆ, ଘରବାଡ଼ି, ଜମିର କୌଣସି ମୂଲ୍ୟ ନାହିଁ । ମାଆର ଅଜଣାତରେ ନିଜ ଘରକୁ ବିକ୍ରି କରି ସେ ସହରାଭିମୁଖୀ ହୋଇଛି। ଆବଶ୍ୟକତା ଓ ଅସହାୟତା ପାଇଁ ମାଆକୁ ଭଲ ପାଇଛି ସତ କିନ୍ତୁ ମାଆର ପଣତକୁ ଘୃଣା କରି ଆସିଛି ! ମାଆର ଶତବାରଣ ଓ ଭିଟାମାଟିକୁ ଆପଣାର କରିବାର ସହସ୍ର ପ୍ରଲୋଭନ ସତ୍ତ୍ୱେ ମଧୁକର ଆକର୍ଷିତ ହୋଇନାହିଁ। ମାଆମାନଙ୍କ ମହାନତା ପ୍ରମାଣିତ କରିବାକୁ ଯାଇ ଶେଷ ଇଚ୍ଛା ସମ୍ପର୍କରେ ଲେଖିକା ମାଆଟିଏର ମନକୁ ବ୍ୟବଚ୍ଛେଦ କରି କହିଛନ୍ତି – ଶେଷ ସମୟରେ ତୋ ହାତରୁ ଗଙ୍ଗା ଜଳ ଓ ଶେଷ ଦୃଶ୍ୟ ଭାବେ ତୋ ମୁହଁ “(ପୃ – 71)। ନିଜ ପାଇଁ ମାଆମାନେ ଭଗବାନଙ୍କୁ ମାଗି ଜାଣନ୍ତିନି !
ଲେଖିକାଙ୍କ ଭାଷାରେ – ବୋଉ ଓ ମାଟି ଭିତରେ ଫରକ୍ ନଥିଲା ! (ପୃ – 79) ବୋଉ ଓ ମଧୁରିମା – ଏହି ଦୁଇଟି ଚରିତ୍ର ଭିତରେ ସୀମିତ ରହିଯାଇଛି ସେ, ମୁକୁଳିବାର ଆପ୍ରାଣ ଚେଷ୍ଟା କରି ବି ସଫଳ ହୋଇପାରିନି । ଗ୍ରାମ୍ୟ ପରିବେଶର ମଧୁକର ସହରୀ ଜୀବନଚର୍ଯ୍ୟା ପାଇଁ ବ୍ୟାକୁଳ ହୋଇଉଠିଛି।
ପଞ୍ଜୁରୀ ଭିତରର ପକ୍ଷୀ ଯେପରି ନୀଳ ଆକାଶକୁ ଉଡ଼ିଯିବାକୁ ନୂଆ ଷଡ଼ଯନ୍ତ୍ର କରୁଥାଏ, ମଧୁକର ସେହିପରି ନିଜ ଉଚ୍ଚାଭିଳାଷ ପାଇଁ ନିଜ ସମ୍ପର୍କର ପଞ୍ଜୁରୀ କାଟି ଉଡ଼ିଯିବାକୁ ବ୍ୟଗ୍ର ହୋଇଛି। କିନ୍ତୁ ପକ୍ଷୀ ଓ ଗୁଡ଼ି ଭିତରେ ଅନେକ ପାର୍ଥକ୍ୟ। ମଧୁକର ପକ୍ଷୀ ତ ହୋଇପାରେନା କିନ୍ତୁ କଟା ଗୁଡ଼ି ହୋଇ କେଉଁଠି ପଡ଼େ ତାର ଠିକଣା ସେ ନିଜେ ମଧ୍ୟ ଜାଣେନା।
ବାସ୍ତବତା ଅପେକ୍ଷା ସ୍ୱପ୍ନ ରାଇଜ ପ୍ରତି ବେଶି ଆକର୍ଷିତ ମଧୁକର। ଫୁଲ ଅପେକ୍ଷା ଭଅଁର କିମ୍ବା ପ୍ରଜାପତିମାନଙ୍କୁ ଭଲପାଏ ସେ। ଅବସ୍ଥା ଚକ୍ରରେ ପଡ଼ି ସେ କିଶୋର ଅବସ୍ଥାରେ ଭ୍ରମିତ ହୁଏ ବୋଲି କହିବା ଠିକ୍ ହେବନାହିଁ କାରଣ ମଧୁକରକୁ ଝରଣାର ସ୍ୱଚ୍ଛ ଓ ସୁଶୀତଳ ଜଳ ଅପେକ୍ଷା ସମୁଦ୍ରର ଖାର ପାଣି ଅଧିକ ଗ୍ରହଣୀୟ । ତା ପାଇଁ ମାଟି ଅପେକ୍ଷା ଆକାଶ ବେଶି ଲୋଭନୀୟ। କିନ୍ତୁ ଭୂମି ଉପରେ ପାଦ ନରହିଲେ ଭୂପତିତ ହେବା ନିଶ୍ଚିତ ବୋଲି ମଧୁକରକୁ ହୁଏତ ଜଣା ନଥିଲା ! ଅଭିଜ୍ଞତା ଆସିବାକୁ ତାକୁ ଲାଗିଯାଇଥିଲା ଗୋଟେ ଜନ୍ମ! ସେଥିପାଇଁ ସେ ମଧୁରିମା ଅପେକ୍ଷା ଅନୁରାଧା, ବୟସରେ ବଡ଼ ବନାନୀ ଅପା, ସରିତା, ଲିସା, ଅମିତା ଆଦି ସାନବଡ ଝିଅମାନଙ୍କ ପ୍ରତି ବେଶି ଆକର୍ଷିତ ହୋଇଥିଲା । ସେ ସରଳତା ଅପେକ୍ଷା କୁଟିଳତାର ମାୟାରେ ପଡିଯାଇଥିଲା । ଜୀବନଟା ତାକୁ ମାନସାଙ୍କ ପରି ମନେ ହୋଇଥିଲା । ତାକୁ ଓ ତା ମାଆକୁ ଆଜୀବନ ସାହାଯ୍ୟ କରିଆସୁଥିବା ମଧୁରିମାକୁ ସେ ହେୟ ମନୋଭାବ ପୋଷଣ କରିଆସୁଥିଲା । ତାର ସବୁତକ ଖବର ରଖିଥିବା ମଧୁରିମାକୁ ସେ ଜୀବନସାରା ମିଛ କହି ଠକିବା ବାହାନାରେ ନିଜକୁ ହିଁ ଠକି ଚାଲିଥିଲା ।
ପ୍ରେମ କରୁଥିବା ଲୋକ ଅପେକ୍ଷା ଘୃଣା କରୁଥିବା ଲୋକଟି ଅଧିକ ଆକର୍ଷିତ କରିରଖେ। ମଧୁକର ହୃଦୟରେ ମଧୁରିମା ପାଇଁ ପ୍ରେମ ଅପେକ୍ଷା ଘୃଣା ବେଶି ଥିଲା। ” ତା ସ୍ଵପ୍ନର ଜହ୍ନରାତିରେ ତତଲା ତେଲ କଡ଼େଇ କୁହୁଳିଲାବେଳେ ତା ଦେହସାରା ଫୋଟକା ହୁଏ, ସେ ଛଟପଟ ହୁଏ, ଚିତ୍କାର କରେ । ମୁଁ ବଂଶୀ ବଜାଉଥାଏ କୃଷ୍ଣପଣରେ”( ପୃ – 58) ଉପରୋକ୍ତ ପଦରୁ ଅନୁମେୟ ମଧୁକରର ମନୋଭାବ । କିନ୍ତୁ ମଧୁରିମା ପରକୁ ନିଜର କରୁଥିବା ଝିଅଟିଏ । କେଉଁ ଗୋଟେ ଅଶୁଭ ବେଳାରେ ଉଭୟଙ୍କ ମାଆ ପରସ୍ପରକୁ ଦେଇଥିବା ପ୍ରତିଶ୍ରୁତି ପାଇଁ ମଧୁରିମା ଆଜୀବନ ଛନ୍ଦି ହୋଇଗଲା । ତା ଉପରେ ସବୁ ପ୍ରକାର ଦାବି କରୁଥିବା ମଧୁକର ତାକୁ ସାଧାରଣ ବାନ୍ଧବୀ ହିସାବରେ ମଧ୍ୟ ଗ୍ରହଣ କରିପାରୁନଥିଲା । ଲେଖିକା ମଧୁରିମା ବିଷୟରେ ମଧୁକର ଦ୍ଵାରା କହିଛନ୍ତି – ଲାଗେ ଅଭିଶପ୍ତ ଦେବୀ ଜଣେ ପଥର ଦେବତାଙ୍କ ମୁଖଶାଳାରେ ଲହୁଲୁହାଣ ହୋଇ ମଥା ପିଟୁଛି ! ଯନ୍ତ୍ରଣାରୁ ନୁହେଁ ଏ ଜନ୍ମରୁ ତ୍ରାହି ଚାହୁଁଛି ! (ପୃ – 43) କେବେକେବେ ତା ମାଆ ତାକୁ ଅଧିକ ଭଲ ପାଉଥିବା ଦେଖି ସେ ଈର୍ଷାରେ ଜଳୁଥିଲା । ତେଣୁ ତାକୁ ନାନା ପ୍ରକାରର କଷ୍ଟ ଦେଇ ଖୁସି ହେଉଥିଲା ମଧୁକର! ବାତ୍ୟାର ପ୍ରକୋପରେ ଶ୍ରୀହୀନ ଗଛଟିଏ ପରି ସମସ୍ୟା ଘେରରେ ମଧୁରିମାର ଚପଳତା କୁଆଡ଼େ ଉଭେଇ ଯାଇଥିଲା । ସମୟ ପରିସ୍ଥିତି ତାକୁ ଯେତିକି ପରିପକ୍ଵ କରିଥିଲା ମଧୁକରକୁ ସେତିକି ବିଶୃଙ୍ଖଳିତ, ଉଦ୍ଧତ ଓ ସ୍ୱାର୍ଥପର ବନେଇ ଦେଇଥିଲା! ତିନିଜଣଙ୍କ ଚରିତ୍ର ଚିତ୍ରଣ ସମ୍ପର୍କରେ ମଧୁକର ଭାବୁଛି – କି ପାପ କରୁଥିଲେ ମୋ ବୋଉ ଓ ମଧୁରିମା? କି ପୁଣ୍ଯ କରିଥିଲି ମୁଁ.. ଏ ତପସ୍ୱିନୀ ଦୁହିଁଙ୍କୁ ପାଇ ? ମଧୁକରର ସ୍ମୃତି, ନିଜ ପାଇଁ ଅସଂଖ୍ୟ ପ୍ରଶ୍ନ ସୃଷ୍ଟି କରିଛି ! ଗୋଟେ ଚୁକ୍ତି ରହିତ ସମ୍ପର୍କ ବି ମହନୀୟ ହୋଇପାରେ ତାର ନିଚ୍ଛକ ଉଦାହରଣ ହେଉଛି ମଧୁରିମା ଓ ମଧୁକରର ମାଆ ଭିତରର ସମ୍ପର୍କ । ପୁଅ ସହିତ ବୋହୂ ପରି ସବୁ କର୍ତ୍ତବ୍ଯ ନିର୍ବାହ କରିଥିଲା ମଧୁରିମା। କାରଣ ସ୍ଵାମୀକୁ ହରାଇ ପାଗଳୀ ପାଲଟି ଯାଇଥିବା ମଧୁରିମାର ମାଆକୁ ପ୍ରବୋଧନା ଦେଇ ମଧୁରିମାକୁ କୋଳକୁ ଆଣି ମଧୁକରର ମାଆ ଶପଥ ନେଇଥିଲା ସେ ହିଁ ତା ବୋହୂ! ସେବେଠାରୁ ସେ ତାର ହେଇଗଲା.. ଏମିତିକି ମଧୁରିମାକୁ ସେ ପରିବାରର ଠାକୁରାଣୀ ବୋଲି ମାନିନେଇଥିଲା । ଦେଈପିଣ୍ଡିରେ ପାଣି ଦେଇ ପୂର୍ବ ପୁରୁଷଙ୍କ ଆଶିଷ ନେବା କଥା କହିଥିଲା । ସେଥିପାଇଁ କାଗଜପତ୍ରର ସାହାରା ନିଆଯାଇ ନଥିଲା, ମନ ସହିତ ମନ ମିଶିଥିଲା ବୋଲି । କିନ୍ତୁ ମଧୁକର ଛିଟିକି ପଡିଥିଲା ସେ ସମ୍ପର୍କ-ମୋହରୁ । ପୁଅର ସନ୍ଧାନ ନେବାକୁ ଚେଷ୍ଟା କରି ହାରିଯିବା ପରେ ଶାଶୁର ଅଧିକାରପଣରେ ମଧୁରିମାକୁ ଧିକ୍କାର କରି କହିଥିଲା – “ତୋ ମଣିଷଟାକୁ ନିଜେ ସାଇତି ପାରିଲୁନି, ଛାଡିଦେଲୁ ବାଟରେ ଅରଣା ମଇଁଷି ପରି ? ଆଗକୁ ‘କେମିତି ସମ୍ଭାଳିବୁ ଘର ସଂସାର ?… ତୁ ତ ମୋ ସୁନାନାକୀ ଝିଅ, ବୋହୂ.. ମୋ ଘରର ସୁଖଶୋଭା, ସୌଭାଗ୍ୟ! (ପୃ – 234) ପୁତ୍ର ପାଇଁ ଚିନ୍ତା କବଳିତ ମାଆଟି ଯେ କେତେବେଳେ କ୍ୟାନ୍ସର ପୀଡିତା । ପାଖରେ ମଧୁରିମା, ପୁଅ ମଧୁକର ସହିତ ତାକୁ ବିବାହ କରାଇବାର ସ୍ବପ୍ନ ଭିତରେ ଶଯ୍ୟାଶାୟୀ ହୋଇଯାଇଛି ସେ, ହେଲେ ନଦୀର ଦୁଇ କୂଳକୁ ଏକାଠି କରିପାରିନି । ସେଥିପାଇଁ ମଧୁରିମାକୁ ସେ କ୍ଷମା ମାଗିଛି, ଦେଇଥିବା କଥାକୁ ରଖି ପାରି ନଥିବାରୁ । ଅବଶୋଷରେ ଭାରି ହୋଇଥିବା ମୁମୂର୍ଷୁ ମାଆ ତୁଣ୍ଡରେ ଗଙ୍ଗା ଜଳ ଦେବା ଭିତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛି, ଅସମାପ୍ତ ଆଶା, ଅତୃପ୍ତି ଓ ସ୍ୱପ୍ନ ସହିତ ।
ମଧୁକର ମାଆର ଅନ୍ତେଷ୍ଟି କ୍ରିୟା ସାରି ନିଖୋଜ ହୋଇଯାଇଛି ମଧୁରିମା। ତା ଭାଇ ଅନୁପର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ କରିବାକୁ ସେ ପାଲଟି ଯାଇଛି ନୃତ୍ୟଶାଳାର ନର୍ତ୍ତକୀ ! ନିଜର ସମସ୍ତ ଆଶା ଓ ସ୍ୱପ୍ନକୁ ଜାଳିଦେଇଛି ସମୟାନୁସାରେ । ସାନଭାଇ ଅନୁପ ସୁସ୍ଥ ହୋଇ ବିବାହ କରିବା ଭିତରେ ମଧୁରିମା ରୁଗଣ ହୋଇଯାଇଚି ! ଜଞ୍ଜାଳପୂର୍ଣ୍ଣ ଜୀବନରୁ ଯେତେବେଳେ ସେ ଟିକେ ଆଶ୍ୱସ୍ତ ହୋଇଛି ସେତେବେଳେ ସେ ମୃତ୍ୟୁ କବଳରେ !!
ଶେଷ ସମୟରେ ସେ ମଧୁକରକୁ ଭେଟିଛି ଯାହାକୁ ଆଜୀବନ ସ୍ୱାର୍ଥପର ବୋଲି ସମ୍ବୋଧନ କରିଆସିଛି । ଜୀବନରେ କରିଥିବା ପ୍ରତ୍ୟେକ କଷ୍ଟ ଯନ୍ତ୍ରଣାକୁ ମେଲି ଦେଇଛି ମଧୁକର ଆଗରେ । ଜୀବନକୁ ଅନ୍ୟ ପାଇଁ ଜଳାଞ୍ଜଳି ଦେଇ, ଅନ୍ୟମାନଙ୍କ ସ୍ଵପ୍ନକୁ ସାକାର କରିବାର ମାଧ୍ୟମ ପାଲଟି ଏବେ ସେ ପରାସ୍ତ! ଦେହରେ କ୍ୟାନ୍ସର ଜୀବାଣୁ !! ମରଣ ସନ୍ନିକଟସ୍ଥ ଏବେ ସେ, ଯାହା ଶୁଣି ମଧୁକରର ପାଦ ତଳୁ ମାଟି ଖସିଯାଇଛି କାରଣ ସହରକୁ ଆସି ସେ ଗାଁକୁ ବୁଝିଛି, ମାଆ ପଣତ ବାସ୍ନା ପାଇଁ ଅଧିର ହୋଇଛି, ମଧୁରିମାକୁ ଝୁରି ହୋଇଛି ! ଏବେ ତ ପ୍ରକୃତ ପ୍ରେମ କଣ ବୁଝିଥିଲା.. ଏବେ ହିଁ ପ୍ରେମର ନିର୍ମମ ପଦାଘାତକୁ କିପରି ସହିବ ?? ମଧୁକର ତା ପ୍ରେମକୁ ଏମିତି ହାରିବାକୁ ଛାଡି ଦେବନି, ଦରକାର ହେଲେ ସେ ନିଜ ଜୀବନକୁ ବାଜି ଲଗାଇ ମଧୁରିମାକୁ ବଞ୍ଚାଇବ। ଏକ ନୂଆ ସଂସାର କରିବ କିନ୍ତୁ ମଧୁରିମା ତାର ସମସ୍ତ ଆକୁଳତାକୁ ପ୍ରତ୍ୟାଖ୍ୟାନ କରିଛି । ତା ପାଇଁ ଆକାଶଆଡକୁ ପାହାଚ ତିଆରି କରି ସମୁଦ୍ରରେ ଲୀନ ହୋଇଯାଇଛି । ଅମର କରିଦେଇଛି ତା ପ୍ରେମକୁ । ମଧୁକର ପରି ଚରମ ସ୍ୱାର୍ଥପରମାନଙ୍କ ପରିଣତି ବୋଧେ ଏଇଆ ହେବା ଉଚିତ୍ । ସବୁ ଥାଇ କିଛି ନଥିଲା ପରି ଉପେକ୍ଷିତ, ଯନ୍ତ୍ରଣା ଜର୍ଜରିତ ପୁଣି ଉଦାହରଣୀୟ !! ସହରକୁ ଅର୍ଥ ଲାଳସା ପାଇଁ ଆସିଥିବା ମଧୁକର ଜିଗୋଲୋ (ପୁରୁଷ ବେଶ୍ୟା) ପାଲଟିବାକୁ ବି ପଛେଇ ଯାଇନି ! ଅଜଣାତରେ ଦେହ, ନିଶା ଓ ଅର୍ଥଲାଳସା ତାକୁ ନର୍କକୁ ଠେଲି ଦେଇଛି !! ଯେଉଁଠାରୁ ଫେରିବା ମୁସ୍କିଲ୍..!
ନିଜ ମାଆ ଓ ମଧୁରିମାର ମୃତ୍ୟ ପରେ ସୁଖଶାନ୍ତିର ଜୀବନ ମଧୁକର ପାଇଁ ପୁଣି ଏକ ଦୁଃସ୍ୱପ୍ନ ପାଲଟିଯାଇଛି !! ସବୁମତେ ଏବେ ସେ ଏକା ସହରର ଗହଳି ଭିତରେ । ବ୍ୟବସାୟୀ ବନ୍ଧୁ ବିଶ୍ୱାସଘାତ କରି ଅସହାୟ କଲେ ବି ମଧୁକର ଭ୍ରୂକ୍ଷେପ କରେନା କାରଣ ବଞ୍ଚିବାର ଅଭିଳାଷ ଆଉ ନାହିଁ ତା ଭିତରେ । ମନେପକାଇଛି ଅତୀତକୁ ଯାହାକୁ ସେ ନିଜେ ନିଜ ହାତରେ ଧ୍ଵଂସ କରି ଚାଲିଆସିଥିଲା । କରିଥିବା ପାପର ପ୍ରାୟଶ୍ଚିତ ପାଇଁ ସେ ଅସମୟରେ ଶେଷ ହୋଇଯାଇଛି ସିନା କିନ୍ତୁ ହାତରେ ବିରାଟ ଶୂନ୍ୟତା!! ସେ ଅନୁତପ୍ତ, ପଶ୍ଚାତାପରେ ଅଣନିଃଶ୍ୱାସୀ, ବୋଉ ସହିତ ମଧୁରିମା ମନେପଡ଼େ । ମୃତ୍ୟୁ ପରେ ତା ସହିତ ଭେଟ ହେବ ବୋଲି ସେ ମୃତ୍ୟୁ ଚାହେଁ । ସେ ନିଜ ପରାଜୟକୁ ସ୍ୱୀକାର କରେ ମୁକ୍ତ କଣ୍ଠରେ – “ଜୀବନ ହାରି ମଧୁରିମା ଜିତି ଯାଇଛି ମୋଠୁ ” ! ସ୍ଵପ୍ନ ବିହ୍ୱଳିତ ମନ ଭିତରେ ସେ ପତ୍ନୀ ମଧୁରିମକୁ ଭେଟୁଛି!! ବୋଉ ତା ନାତିନାତୁଣୀଙ୍କ ମେଳରେ ସ୍ବର୍ଗସୁଖ ସାଇତିଛି.. ଏତେସବୁ ଭାବାନ୍ତର ମଧୁକର ନାହାକର । ଅଥଚ ସ୍ଵପ୍ନ ଯେ ସ୍ଵପ୍ନ, ବାସ୍ତବ ଦୁନିଆରେ ମୂଲ୍ୟହୀନ ସେସବୁ । ସଂସାରରେ ଏକାକୀ ହୋଇଯାଇଥିବା ସ୍ୱାର୍ଥପର ମଣିଷଟା ଦିନେ ସମସ୍ତଙ୍କ ଅଜାଣତରେ ମରିପଡିଚି ଯାହାର ଖବର କାହା ପାଖେ ନାହିଁ ! ତାର ମର ଶରୀରକୁ ଦାହ କରିବାକୁ ବି ପାଖରେ କେହି ନାହାନ୍ତି ! ଅଜଣା ସହରର ଲୋକମାନଙ୍କ ଡାକରାରେ ପୋଲିସ୍ ଆସି ଅନେକ ଦିନ ଧରି ବନ୍ଦ ଥିବା ଘର ଭିତରର ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ ନେଇଯାଇଛନ୍ତି !! ଏଭଳି ମାର୍ମିକ ଚିତ୍ର ପ୍ରଦାନ କରିଛନ୍ତି ଲେଖିକା ଯାହାକୁ ଟିକିନିଖି ବର୍ଣ୍ଣନା କରିବା କଷ୍ଟସାଧ୍ୟ । ପ୍ରତି ପଦରେ ଲେଖାର ସୌନ୍ଦର୍ଯ୍ୟ , ଆଟୋପ, ବର୍ଣ୍ଣନା, କାରୁକାର୍ଯ୍ୟ ପାଠକକୁ ଅଭିଭୂତ କରିବ ନିଶ୍ଚିତ । କାହାଣୀ ସହିତ ଚରିତ୍ର, ପରିବେଶ, ପରିସ୍ଥିତି ସବୁ କିଛି କବିତାର କମନୀୟତାରେ ଆହୁରି ରମଣୀୟ । ଭିନ୍ନ କଳେବରରେ ଛାୟାଯୁଦ୍ଧ ଅପରୂପ ଓ ଅନନ୍ୟ, ଯାହାକୁ ଉପରଠାଉରିଆ ଅଧ୍ୟୟନରେ ଆକଳନ କରିବା ଅସମ୍ଭବ।
ଦୁଇଟି ସମାନ୍ତରାଳ ଚରିତ୍ର ମଧୁକର ଓ ମଧୁରିମା ମାଧ୍ୟମରେ ସେ ସଚେତନ କରାଇଛନ୍ତି ଯୁବ ସମାଜକୁ । ଦୂରଦିଗବଳୟ, ରେଳ ଧାରଣାର ଦୁଇ ପାର୍ଶ୍ଵ ପରି ମଧୁକର ଓ ମଧୁରିମାର ସମ୍ପର୍କ ଯାହା କେଉଁଠି ନା କେଉଁଠି ଶେଷ ହୋଇଛି ସତ କିନ୍ତୁ ମିଳିତ ହୋଇ ପାରିନାହିଁ! କାରଣ ବର୍ତ୍ତମାନ ଦୁନିଆରେ ପ୍ରେମ ମିଛି ମିଛିକା ବାଲିଘର, କଣ୍ଢେଇ ଖେଳ ପରି କ୍ଷଣସ୍ଥାୟୀ । ଦଲକାଏ ପବନରେ ଉପୁଡ଼ି ପଡ଼ୁଥିବା ଗଛ ପରି ଦୁର୍ବଳ ପ୍ରତିଶ୍ରୁତି, ଦେହଭୋଗ ଓ କ୍ଷଣିକ କାମନା ବାସନାର ମୁଖ୍ୟ ଉପଜୀବ୍ୟ । ନା ସେଠି ଥାଏ ବିଶ୍ୱାସ, କର୍ତ୍ତବ୍ୟ ପରାୟଣତା, ନା କୌଣସି ସଂକଳ୍ପ । ଆଜିକାଲିର ଅଢ଼େଇ ଦିନିଆ ପ୍ରେମର ପରିଭାଷା ଦର୍ଶାଇବାକୁ ଯାଇ ଲେଖିକା ମଧୁକରର ଚରିତ୍ରକୁ ବାଖ୍ୟା କରିଛନ୍ତି । ସେଥିପାଇଁ ରଙ୍ଗମାଆର ଘର ତା ପାଇଁ ଗୋଟେ ମହୁଫେଣାଠାରୁ କମ୍ ନୁହେଁ । ଅପରପକ୍ଷେ ମଧୁରିମା ନିସର୍ତ୍ତ ଭାବେ ମଧୁକର ଓ ତା ମାଆ ପାଇଁ ଯଥେଷ୍ଟ କର୍ତ୍ତବ୍ୟ କରିଛି । ଖୁବ୍ କମ୍ ବୟସରୁ ସ୍ନେହ, ତ୍ୟାଗ ଓ କ୍ଷମାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ପ୍ରତୀତ ହୋଇଛି । ପ୍ରେମ ତ୍ୟାଗରେ କେବଳ ମହକିତ ହୁଏନା ବରଂ ଗରୀୟାନ ହୋଇଯାଏ । ଯାହାକୁ ସାର୍ଥକ କରିଛି ମଧୁରିମା ଚରିତ୍ର, ଦୁଇଟି ବିପରୀତଧର୍ମୀ ଚରିତ୍ରକୁ ଜୀବନ୍ତ କରିବାରେ ଲେଖିକାଙ୍କ ସଫଳ ପ୍ରୟାସ ଅଭିଭୂତ କଲାପରି !
ଦେହ ଲାଳସାରେ ମଧୁକର ଜିଗୋଲୋ ପାଲଟିବାବେଳେ ମଧୁରିମା ଜୀବନ ଜଞ୍ଜାଳରେ ଦଗ୍ଧିଭୂତ ହୋଇ ମଧ୍ୟ ସଂଗ୍ରାମ କରିଚାଲିଛି । ନିଜ ମାଆ, ଭାଇ ଓ ପରିବାର ଦାୟିତ୍ୱବୋଧ ଭିତରେ ବି ମଧୁକରର ମାଆ ପାଖରେ ଦମ୍ଭର ସହ ଠିଆ ହୋଇଛି । ନିଜ ଭାଗର ସୁଖକୁ ଅନ୍ୟମାନଙ୍କୁ ବାଣ୍ଟି ଦେଇ ନାରୀ ଜୀବନର ସାର୍ଥକତା ପ୍ରମାଣିତ କରିଛି । ଅନ୍ୟମାନଙ୍କୁ ଦେଇ ଦେଇ ସେ କିଛି ପାଇନାହିଁ ସତ୍ୟ କିନ୍ତୁ ତା ଦାୟିତ୍ଵ ସମ୍ପାଦନ କରିବାରେ କେବେ ସେ ଥକି ପଡ଼ିନାହିଁ । ଜଣେ ଇପ୍ସିତ ସୁଖ ଲାଭ କରି ମଧ୍ୟ ସୁଖୀ ହୋଇପାରିନାହିଁ ଓ ଆଉ ଜଣେ ନିଜକୁ ବିଭିନ୍ନ ଭାଗରେ ବାଣ୍ଟି ଦେଇ ଗରୀୟସୀ ହୋଇପାରିଛି । ପ୍ରେମ ଭୋଗରେ ନୁହେଁ ତ୍ୟାଗରେ ଉଜ୍ଜ୍ୱଳ ହୋଇଉଠେ, ମହକିତ କରେ ଅନ୍ତରାତ୍ମାକୁ – ଛାୟାଯୁଦ୍ଧ ଏହା ହିଁ ପ୍ରମାଣିତ କରେ । ବାସ୍ତବରେ ଡ ମୌସୁମୀ ପରିଡାଙ୍କର ଉପନ୍ୟାସ ଛାୟାଯୁଦ୍ଧ ବହୁ ଚେତନା ବିମଣ୍ଡିତ । ଗ୍ରାମ୍ୟ ଜୀବନ, ପ୍ରେମର ଦୁଇ ବିପରୀତ ଚରିତ୍ର, ସାଧବ ସାଧବାଣୀ କଥନିକାଠୁ ଆରମ୍ଭ କରି, ରଙ୍ଗଶାଳା, ବିସ୍ଥାପିତ ସମସ୍ୟାର ଭିନ୍ନ ରୂପରେଖ ସହିତ ଜିଗୋଲୋ ସମସ୍ୟା ଉପରେ ଆଧାରିତ ଏହି ଭିନ୍ନ ଧରଣର ଉପନ୍ୟାସ ସାହିତ୍ୟର ଏକ ଅମ୍ଳାନ ସୃଷ୍ଟି ବୋଲି ସ୍ୱୀକାର କରିବାକୁ ହେବ । ଆଙ୍ଗିକ ଓ ଆତ୍ମିକ ଭାବେ ଖୁବ୍ ଚତୁରତାର ସହ ଉତୁରିଥିବା ଉପନ୍ୟାସ ଛାୟାଯୁଦ୍ଧ ଯେତିକି ହୃଦୟସ୍ପର୍ଶୀ ସେତିକି ଆବେଗଭରା ଓ ଚିନ୍ତା ଉଦ୍ରେକକାରୀ !! ତେଣୁ ଏହା ଏକ ସଫଳ ଓ ଅନବଦ୍ୟ ସୃଷ୍ଟି ।