କବିତା

ତମେ କଣ ଦୁଃଖରେ ଅଛ କି ମନୀଷା ?

Nilamadhab Kar's odia poem Tame Kana Duhkhare Acha ki Manishaa ?

ତମେ କଣ ଦୁଃଖରେ ଅଛ କି ମନୀଷା
ତମ ଦୁଃଖ କଣ କହି ଦେଲା ପରି
ଭାଗ ଦେଇପାରିବା ପରି

ତମେ କଣ ଦୁଃଖରେ ଅଛ କି ମନୀଷା ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅନେକ ଦିନ ହେଲାଣି
ତମ ପାଖରୁ ଚିଠି ନାହିଁ
କି ଉତ୍ତର ନାହିଁ
ଛ’ ମାସର ଝିଅ ନାଁରେ
ପଠେଇଥିଲ
ନୂଆ ବରଷର କାର୍ଡ
ତା ନା ପରଜାପତି
ଦେଇଛ ବୋଲି ଜାଣିଲି
ଉତ୍ତର ଫେରେଇଥିଲି
ତାରି ନାଁରେ ତମ ପାଖକୁ
ଜାଣିଶୁଣି
ପରଜାପତି ବୁଝିପାରିବନି ବୋଲି
ମୋ ଭାଷା ।
ଆମେ କଣ ଭାଙ୍ଗିରୁଜି ଗଲେ
ପରସ୍ପରକୁ ଆଖିତୋଳି
କଥା ହେବାର ଆବେଗ ହରେଇ
ଆମେ କଣ
ମୂକ ଓ ବଧିର ପାଲଟିଲେ ?

ତମେ ଲେଖୁନ ବୋଲି
ମୋ ଅଭିମାନକୁ
ବର୍ଷ ବର୍ଷ ଜାବୋଡ଼ି ଧରିବାରେ
କଣ ଲାଭ ହେଲା !
ତମେ କଣ ଦୁଃଖରେ ଅଛ କି ମନୀଷା
ତମ ଦୁଃଖ କଣ କହି ଦେଲା ପରି
ଭାଗ ଦେଇପାରିବା ପରି
କାନ୍ଦି ପାରିବା ପରି
କନ୍ଦେଇ ପାରିବା ପରି
ନା ତମ ଦୁଃଖ ଏତେ ନିଜସ୍ୱ ଯେ
ଲୁହ ଜମାଟ ବାନ୍ଧି ଯାଇଛି
କଣ୍ଠ ରୁଦ୍ଧ ହେଇଯାଇଛି ।
ହଜି ଯାଇଛ ତମେ
ତମଠୁ ।

ତମ ଦୁଃଖରେ ।
ଖୋଜିବି କି ତୁମକୁ ମୁଁ
ତୁମ ଦୁଃଖର ସମୁଦ୍ର ତଳେ
ଅନ୍ଧାରିଆ ନଅର ଭିତରେ
ଅଳିନ୍ଦ ନିଳୟ
ଅବା କେଉଁ ଶାମୁକା ଭିତରେ
ଖୋଜିବି କି ତୁମକୁ ମୁଁ
କେଉଠିଁ ହଜିଛ ତୁମେ
କି ଦୁଃଖରେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top